ସତ୍ୟ ନାରାୟଣ ସାହୁ

Advertisment

ମହାତ୍ମା ଗାନ୍ଧୀ ୧୨ ମେ ୧୯୨୦ରେ ‘ୟଙ୍ଗ ଇଣ୍ଡିଆ’ରେ ଲେଖିଥିଲେ, ‘‘ଓଡ଼ିଶାରେ ଜଗନ୍ନାଥ ପୁରୀ ଭଳି ମହାନ ତୀର୍ଥସ୍ଥଳ ଥିବା ସତ୍ତ୍ୱେ, ଏହା ଏକ ପରିତ୍ୟକ୍ତ ଓ ଭଗବାନ ବର୍ଜିତ ଦେଶ ପରି ମନେ ହୁଏ।’’ ଏହି ବାକ୍ୟଟି ତାଙ୍କ ପ୍ରବନ୍ଧ ‘ଓଡ଼ିଶାରେ ବିପର୍ଯ୍ୟୟ’ର ପ୍ରଥମ ଅନୁଚ୍ଛେଦର ଏକ ଅଂଶ ଯାହା ସେ ସେହି ସମୟର ଦୁର୍ଭିକ୍ଷର ଶିକାର ହୋଇଥିବା ଓଡ଼ିଶା ପରିପ୍ରେକ୍ଷୀରେ ଲେଖିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୁର୍ଭିକ୍ଷ ଏକ ମାନବକୃତ ବିପର୍ଯ୍ୟୟ, ଯାହା ଓଡ଼ିଶାରେ ବ୍ୟାପକ ମୃତ୍ୟୁ ଓ ଦୁଃଖର କାରଣ ହୋଇଥିଲା। 
ଶହେ ବର୍ଷ ପରେ ୨୦୨୫ ମସିହାରେ ଗାନ୍ଧୀଙ୍କ ସେହି ଶବ୍ଦଗୁଡ଼ିକ ପ୍ରତିଫଳିତ ହୋଇଛି ବିଜେପି ଶାସିତ ଓଡ଼ିଶାରେ, ଯେଉଁଠି ଜଗନ୍ନାଥଙ୍କ ରଥଯାତ୍ରାର ତୃତୀୟ ଦିନରେ ଗୁଣ୍ଡିଚା ମନ୍ଦିର ନିକଟରେ ଅସଂଖ୍ୟ ଶ୍ରଦ୍ଧାଳୁ ଜମା ହେବା ଦ୍ୱାରା ଦଳାଚକଟା ଯୋଗୁଁ କିଛି ଭକ୍ତଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ। ୨୨ ଜୁନ୍ ୨୦୨୫ ଭୋର୍ ୪.୩୦ ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ତୀର୍ଥଯାତ୍ରୀ ଓ ଭକ୍ତଙ୍କ ଭିଡ଼ ହେବା ଦ୍ୱାରା ଜୀବନ ହାନି ଓ ହତାହତ ଘଟଣା ଦର୍ଶାଇଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ ଶାସନର ଅପାରଗତା। ୨୦୨୫ର ରଥଯାତ୍ରା ଆରମ୍ଭ ହେବା ପୂର୍ବରୁ ସେ ଦାବି କରିଥିଲେ ଯେ ଏହି ବର୍ଷର ରଥଯାତ୍ରା ତ୍ରୁଟିମୁକ୍ତ, ଐତିହାସିକ ଓ ସ୍ମରଣୀୟ ହେବ।
ହଜାର ହଜାର ଭକ୍ତଙ୍କ ସମାବେଶ ସତ୍ତ୍ବେ ପୁଲିସ ବ୍ୟବସ୍ଥା, ଆମ୍ବୁଲାନ୍‌ସ ଓ ପାଣି ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହେଲେ ମୋହନ ମାଝୀ ସରକାର। ତଦ୍ଦ୍ବାରା ଏକ ମାନବକୃତ ବିପର୍ଯ୍ୟୟ ଘଟିଲା ଏବଂ ଲୋକଙ୍କର ମୃତ୍ୟୁ ଓ ଆହତର କାରଣ ହେଲା। ରଥଯାତ୍ରା ଇତିହାସରେ ଗୁଣ୍ଡିଚା ମନ୍ଦିର ପାଖରେ ଘଟିଥିବା ଏପରି ଦୁଃଖଦ ଘଟଣା ଅଭୂତପୂର୍ବ। ଅବଶ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଭୟଙ୍କର ଦୁର୍ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିବା ପରେ ମୋହନ ମାଝୀ ଭକ୍ତମାନଙ୍କ ଠାରୁ କ୍ଷମା ମାଗିଥିଲେ। କିନ୍ତୁ ଏହା ସରକାରଙ୍କ ପ୍ରତି ଲୋକଙ୍କ କ୍ରୋଧ ଓ ଅସନ୍ତୋଷକୁ ପ୍ରଶମିତ କରିବାରେ ବିଫଳ ହୋଇଛି।
ପୁରୀ ରଥଯାତ୍ରାର ଏକ ବୈଶିଷ୍ଟ୍ୟ ହେଉଛି ଯେ ମନ୍ଦିରରୁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଏକ ମହାନ ଶୋଭାଯାତ୍ରାରେ ତିନିଟି ରଥରେ ବସାଯାଏ ଏବଂ ସେହି ରଥଗୁଡ଼ିକୁ ଭକ୍ତମାନେ ଧାର୍ମିକ ଉତ୍ସାହର ସହିତ ଟାଣି ନିଅନ୍ତି। ୨୦୧୮ ମସିହାରେ ‘ଦି ୱାୟାର’ରେ ପ୍ରକାଶିତ ‘‘ଜଗନ୍ନାଥ ରଥଯାତ୍ରା କିପରି ହିନ୍ଦୁତ୍ୱକୁ ଅନ୍ତର୍ଭୁକ୍ତୀକରଣ କରିବାର ଶିକ୍ଷା ଦିଏ’’ ଲେଖାରେ ଜୱାହରା ସରକାର ଲେଖିଥିଲେ, ‘‘ପୁରୀ ମନ୍ଦିର ପ୍ରମୁଖ ହିନ୍ଦୁ ମନ୍ଦିର ମଧ୍ୟରୁ ଏକ ବିରଳ ମନ୍ଦିର ଯାହାର ଗର୍ଭଗୃହରୁ ତିନି ଦିଅଁଙ୍କୁ ନେଇ ରଥରେ ବସାଯାଏ। ଅନ୍ୟ ମନ୍ଦିରଗୁଡ଼ିକରେ ସାଧାରଣତଃ ସାର୍ବଜନୀନ ଶୋଭାଯାତ୍ରାରେ ଭଗବାନଙ୍କ ମୂର୍ତ୍ତିର ପ୍ରତିକୃତି (ଯାହାକୁ ଉତ୍ସବ-ମୂର୍ତ୍ତି କୁହାଯାଏ)କୁ ମନ୍ଦିର ବାହାରକୁ ଅଣାଯାଏ।’’
ରଥଯାତ୍ରାରେ ସାଧାରଣ ଦର୍ଶନ ପାଇଁ ମୂଳ ଦେବତାମାନଙ୍କୁ ରଥ ଉପରକୁ ନେବା ଦ୍ୱାରା ବିଭିନ୍ନ ଜାତି ଓ ଧର୍ମର ଲୋକେ ଏକତ୍ରିତ ହୋଇ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ପ୍ରବଳ ଉତ୍ସାହ ଓ ଧର୍ମ ପ୍ରତି ନିଷ୍ଠା ଦର୍ଶାଇ ଆଗକୁ ଆସନ୍ତି। କିନ୍ତୁ ଏଥର ରଥଯାତ୍ରା ଦିନ ଜଗନ୍ନାଥଙ୍କ ରଥ ଟଣାଯାଇପାରିଲା ନାହିଁ ଏବଂ ମୋହନ ମାଝୀ ସରକାର ବ୍ୟାଖ୍ୟା କରିଛନ୍ତି ଯେ ଯାହା ଘଟିଗଲା ତାହା ପ୍ରଭୁଙ୍କ ଦିବ୍ୟ ଇଚ୍ଛା ଦ୍ୱାରା ହେଲା। ମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ କହିଥିଲେ ଯେ ପ୍ରଭୁ ଜଗନ୍ନାଥ ହୁଏତ କିଛି ଭକ୍ତଙ୍କ ଆସିବା ପାଇଁ ଅପେକ୍ଷା କରିଥିଲେ। ପରଦିନ ଓଡ଼ିଶାର ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ ଯେ ଶୁକ୍ରବାର (ଜୁନ୍ ୨୭) ପୁରୀରେ ପ୍ରଭୁ ଜଗନ୍ନାଥ ଓ ତାଙ୍କ ଭାଇଭଉଣୀଙ୍କ ରଥ ଟାଣିବାରେ ଓଡ଼ିଶାର ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଜାଣିଶୁଣି ବିଳମ୍ବ କରି ବ୍ୟବସାୟୀ ଗୌତମ ଅଦାନୀଙ୍କ ପରିବାରକୁ ରଥ ଟାଣିବାକୁ ସୁଯୋଗ ଦେଇଥିଲେ। କଂଗ୍ରେସ ନେତା ଓ ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଥିଲେ ଯେ ‘‘ସମଗ୍ର ପ୍ରଶାସନ ସେଠାରେ ଉପସ୍ଥିତ ଥାଇ ଅସହାୟ ଭାବରେ ଦେଖୁଥିଲେ କିପରି ରଥ ଅଟକିଗଲା। ରଥଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ଗୌତମ ଅଦାନୀ ଓ ତାଙ୍କ ପରିବାରଙ୍କ ଗସ୍ତ ବିଷୟରେ ଜନସାଧାରଣ ମଧ୍ୟରେ ବହୁତ ଚର୍ଚ୍ଚା ଓ ସମାଲୋଚନା ହୋଇଥିଲା।’’
ଗତ ବର୍ଷ ମଧ୍ୟ ପୁରୀରେ ରଥଯାତ୍ରା ସମୟରେ ରଥରୁ ଗୁଣ୍ଡିଚା ମନ୍ଦିର ଭିତରକୁ ନିଆଯାଉଥିବା ସମୟରେ ପ୍ରଭୁ ବଳଭଦ୍ରଙ୍କ ପ୍ରତିମା ଖସି ପଡ଼ିଥିଲେ ଓ ସାରା ରାଜ୍ୟରେ ଭକ୍ତମାନେ ସେହି ଘଟଣା ପରେ ଦୁଃଖିତ ଥିଲେ। ଏହି ତ୍ରୁଟିର କାରଣ ଜାଣିବା ଓ ଦାୟିତ୍ୱ ନିର୍ଣ୍ଣୟ କରିବା ପାଇଁ ଏକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏହାର ରିପୋର୍ଟ ମୋହନ ମାଝୀ ସରକାର ଏ ପର୍ଯ୍ୟନ୍ତ ସାର୍ବଜନୀନ କରିନାହାନ୍ତି। ବିଡ଼ମ୍ବନାର ବିଷୟ ହେଉଛି ୨୦୨୪ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଦଳ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିରର କଥିତ କୁପରିଚାଳନାକୁ ଏକ ନିର୍ବାଚନୀ ପ୍ରସଙ୍ଗ କରିଥିଲା ଏବଂ ଲୋକଙ୍କ ଭୋଟ ପାଇ ନିର୍ବାଚିତ ହୋଇଥିଲା। ୨୦୨୫ର ରଥଯାତ୍ରାର ପରିଚାଳନା କରିବାରେ ମୋହନ ମାଝୀ ସରକାରଙ୍କ ବିଫଳତା ଓ ଦଳାଚକଟାରେ ହୋଇଥିବା ଜୀବନ ହାନି ପ୍ରମାଣ କରିଦେଲା ଯେ କେବଳ ମଣିଷ ନୁହେଁ ସ୍ୱୟଂ ଜଗନ୍ନାଥ ମଧ୍ୟ ଶାସନକୃତ ବିପର୍ଯ୍ୟୟର ଶିକାର ହୋଇଛନ୍ତି। 
ଏହି ମନୁଷ୍ୟକୃତ ବିପର୍ଯ୍ୟୟ ସହିତ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ କିଛି ଦଳିତଙ୍କ ଉପରେ ଉଚ୍ଚ ଜାତିର କିଛି ଲୋକଙ୍କ ଦ୍ୱାରା ଅତ୍ୟାଚାର ସମଗ୍ର ଦେଶକୁ ଦୋହଲାଇ ଦେଇଛି। କେତେ ଜଣ ଦଳିତ ଲୋକ ସେମାନଙ୍କ ଝିଅର ବାହାଘର ସମୟରେ ତାକୁ ଉପହାର ଦେବା ପାଇଁ ଗାଈ ଓ ବାଛୁରୀ ନେଉଥିବାବେଳେ ସବର୍ଣ୍ଣ ଜାତିର ଲୋକେ ଗାଈ ଚୋରି ଅଭିଯୋଗ କରି ତାଙ୍କୁ ମାଡ଼ ମାରିଥିଲେ ଓ ସେମାନଙ୍କ ପାଟିରେ ଘାସ ପୂରାଇ ଆଣ୍ଠୁରେ ଚଲାଇ ଥିଲେ। 
ଏହା ସହିତ, ଏବେ ମହିଳାମାନଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ ଓ ସେମାନଙ୍କ ବିରୁଦ୍ଧରେ ବାରମ୍ବାର ଘଟୁଥିବା ବଳାତ୍କାରରେ ପ୍ରତିଫଳିତ ହେଉଛି ମନୁଷ୍ୟକୃତ ବିପର୍ଯ୍ୟୟ। ଗୋପାଳପୁରରେ ସମୁଦ୍ର କୂଳରେ ଜଣେ କଲେଜ ଛାତ୍ରୀ ଉପରେ ହୋଇଥିବା ଜଘନ୍ୟ ଗଣବଳାତ୍କାର ଘଟଣା ଜନସାଧାରଣ ଓ ରାଜ୍ୟର ବିବେକକୁ ଦୋହଲାଇ ଦେଇଛି।
ଆମେରିକାର ବୈଦେଶିକ ବିଭାଗ ଏହାର ନାଗରିକ ଓ କର୍ମଚାରୀମାନଙ୍କୁ ଓଡ଼ିଶା ସମେତ ଭାରତର କେତେକ ରାଜ୍ୟକୁ ନ ଯିବା ପାଇଁ ପରାମର୍ଶ ଜାରି କରିଛି। ଅନ୍ୟ କାରଣ ମଧ୍ୟରେ ସେହି ବିଭାଗ ଦର୍ଶାଇଛି ଯେ ବଳାତ୍କାର ଭାରତରେ ସବୁଠାରୁ ଦ୍ରୁତ ଗତିରେ ବଢୁଛି ଏବଂ ‘ଯୌନ ଆକ୍ରମଣ ସମେତ ହିଂସାତ୍ମକ ଅପରାଧ ପର୍ଯ୍ୟଟନ ସ୍ଥଳ ଏବଂ ଅନ୍ୟାନ୍ୟ ସ୍ଥାନରେ ଘଟୁଛି।’ ସ୍ପଷ୍ଟ ଭାବରେ ଏହା ଓଡ଼ିଶାରେ ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷା ପ୍ରତି ବିପଦକୁ ସୂଚିତ କରୁଛି ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ବିଜେପି ସରକାରଙ୍କ ବିଫଳତାକୁ ପ୍ରମାଣିତ କରୁଛି। 
ଓଡ଼ିଶାର ପାଞ୍ଚଟିରୁ ଅଧିକ ଜିଲ୍ଲାରେ ହଇଜା ବ୍ୟାପିଛି ଏବଂ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ମୋହନ ମାଝୀ ସରକାର ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ପରିବର୍ତ୍ତେ କରଦାତାଙ୍କ ଟଙ୍କା ଖର୍ଚ୍ଚ କରି ଏକ ବର୍ଷ ଭିତରେ ହୋଇଥିବା ତଥାକଥିତ ସଫଳତା ଦେଖାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ବ୍ୟସ୍ତ ଥିଲେ।
ରାଜ୍ୟରେ ପ୍ରଭୁ ଜଗନ୍ନାଥ ଓ ଓଡ଼ିଶା ଜନସାଧାରଣଙ୍କ ସହ ଜଡ଼ିତ କାର୍ଯ୍ୟ ପରିଚାଳନାରେ ପ୍ରଶାସନର ବିଫଳତା ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟ ଦିନକୁ ଦିନ ବଢ଼ିଚାଲିଛି। ଓଡ଼ିଶା ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟସ୍ଥଳ ପରିସରରେ ନିର୍ମମ ଭାବରେ ତାଙ୍କ କାର୍ଯ୍ୟାଳୟରୁ ଟାଣି ନେଇ କିଛି ଅନୁପ୍ରବେଶକାରୀ ଏବଂ ବିଜେପି ସହିତ ଜଡ଼ିତ ବାହାର ଲୋକ ତାଙ୍କୁ ଲାତ ମାରିବା ସହିତ ମାଡ଼ ମାରିବା ଭଳି ଘଟଣା ସେହି ଘନୀଭୂତ ସଂକଟକୁ ରେଖାଙ୍କିତ କରିଛି। ଯଦିଓ ଗଣମାଧ୍ୟମରେ ଦୁର୍ବୃତ୍ତମାନଙ୍କ ଗିରଫଦାରି ଏବଂ ବିଜେପିରୁ ସେମାନଙ୍କୁ ନିଲମ୍ବିତ କରାଯାଇଥିବା ଖବର ପ୍ରକାଶିତ ହୋଇଥିଲା, ତଥାପି ଏହି ଘଟଣା ରାଜ୍ୟ ଶାସନ ପରିଚାଳନାରେ ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିଥିଲା।
ଗତ ବର୍ଷ ଓଡ଼ିଶାର ରାଜ୍ୟପାଳଙ୍କ ପୁଅ ରାଜଭବନର ଜଣେ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଥିଲା ଏବଂ ତାହା ଦ୍ୱାରା ସମଗ୍ର ରାଜ୍ୟ କ୍ରୋଧିତ ହୋଇଥିଲା। ତେଣୁ ଏହି ପ୍ରସଙ୍ଗରେ ତଦନ୍ତ କରାଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନାହିଁ।
୨୦୨୪ ଓ ୨୦୨୫ର ଏହିସବୁ ଘଟଣା ପୁଣି ଥରେ ମନେ ପକାଇଦେଉଛି ମହାତ୍ମା ଗାନ୍ଧୀଙ୍କ ବର୍ଣ୍ଣିତ ୧୯୨୦ର ଓଡ଼ିଶା- ଜଗନ୍ନାଥ ପୁରୀ ଭଳି ମହାନ ତୀର୍ଥସ୍ଥଳ ଥିବ ସତ୍ତ୍ୱେ, ଓଡ଼ିଶା ପରିତ୍ୟକ୍ତ ଓ ଭଗବାନ ବର୍ଜିତ ଦେଶ ପରି ମନେ ହୁଏ। ଲୋକମାନେ ଚାହୁଛନ୍ତି ଯେ କର୍ତ୍ତୃପକ୍ଷ ରାଜ୍ୟକୁ ରକ୍ଷା କରିବା ପାଇଁ ଖରାପ ଶାସନର ଭୁଶୁଡ଼ି ପଡୁଥିବା ଧାରାକୁ ବନ୍ଦ କରନ୍ତୁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୭୧୮୯୪୫୩୪