ଗାନ୍ଧୀଙ୍କର ମହାତ୍ମା ଉପାଧି

ଡାକ୍ତର ଇନ୍ଦ୍ରମଣି ଜେନା

ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ମହାତ୍ମା ଉପାଧି ଦେଇଛି କିଏ? ଏଇ ପ୍ରଶ୍ନ ବହୁ ପରୀକ୍ଷାରେ ପଡ଼ିଛି ଏବଂ ଏହାର ସର୍ବଜ୍ଞାତ ଉତ୍ତର ହେଲା: ରବୀନ୍ଦ୍ରନାଥ ଟାଗୋର। କିନ୍ତୁ ଗୁୁଜରାଟ ସରକାର ତାହା ମାନନ୍ତି ନାହିଁ। କାରଣ ଇଣ୍ଟରନେଟ୍ ତଥ୍ୟ ଅନୁଯାୟୀ ଜଣାପଡ଼ିଛି ଯେ ଗାନ୍ଧୀଙ୍କର ଜନ୍ମସ୍ଥାନ ସନ୍ନିକଟ ରାଜକୋଟର ଜିଲ୍ଲା ସ୍ତରୀୟ କୌଣସି ପରୀକ୍ଷାରେ ଏହି ପ୍ରଶ୍ନର ଉତ୍ତରରେ ରବୀନ୍ଦ୍ରନାଥ ଟାଗୋର ବୋଲି ଲେଖି ସଂଧ୍ୟା ମାରୁ ନାମକ ଜଣେ ପରୀକ୍ଷାର୍ଥୀ ବିଯୁକ୍ତ ବା ମାଇନସ୍ ମାର୍କ ପାଇଛନ୍ତି। ସଂଧ୍ୟା ଏହା ବିରୋଧରେ ନିମ୍ନ ଅଦାଲତ ଓ ଗୁଜରାଟ ହାଇକୋର୍ଟରେ ଅପିଲ କରି ଶେଷରେ ଜୟଯୁକ୍ତ ହୋଇଛନ୍ତି।

ଜଣେ ସୂଚନା ଅଧିକାର କର୍ମୀଙ୍କ ଦ୍ବାରା ଆଉ ଗୋଟିଏ ଘଟଣାର ଉଦାହରଣ ରହିଛି। ରାଜୁ ମାଲ୍‌ଥୁମାକର ସୂଚନା ଅଧିକାର ବଳରେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ତଥ୍ୟ ମାଗିଲେ ଯେ ମହାତ୍ମା ଉପାଧି କିଏ ଦେଇଛନ୍ତି ଆଉ କେବେ ଠାରୁ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ଭାବରେ ଅଭିହିତ କରାଗଲା କୁହନ୍ତୁ। ଏ ବିଷୟରେ ‘ଭାରତୀୟ ଇତିହାସ ଗବେଷଣା କାଉନ୍‌ସିଲ୍’ ଏବଂ ‘ଭାରତୀୟ ଜାତୀୟ ଅଭିଲେଖାଗାର’କୁ ପରାମର୍ଶ କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ଦୁଇଟି ଅନୁଷ୍ଠାନ ଉତ୍ତର ଦେଇଥିଲେ କି ଏମିତି କୌଣସି ତଥ୍ୟ ସେମାନଙ୍କ ପାଖରେ ନାହିଁ।

ଗୁଜରାଟରେ କଥିତ ଅଛି ଯେ ମୋହନଦାସ କରମଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ରାଜନୈତିକ କ୍ଷେତ୍ରରେ ଅସାଧ୍ୟ ସାଧନ କରୁଥିବା ବେଳେ ସୌରାଷ୍ଟ୍ର ଜିଲ୍ଲା ଜେଟପୁର ସହରର ଜଣେ ସାମ୍ବାଦିକ ତାଙ୍କୁ ମହାତ୍ମା ବୋଲି ସମ୍ବୋଧନ କରିଥିଲେ। ଗାନ୍ଧୀଙ୍କର ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇଙ୍କର ପୁଅ ନାରାୟଣ ଦେଶାଇ ଏହି ତଥ୍ୟ ପ୍ରଦାନ କରିଛନ୍ତି। କିନ୍ତୁ ଏହା ବିଧିବଦ୍ଧ ଭାବରେ କୌଣସି ଉପାଧି ପ୍ରଦାନ ଭଳି ନ ଥିଲା କିମ୍ବା କୌଣସି ଘୋଷଣାନାମା ନ ଥିଲା। ବାସ୍ତବିକ ଭାରତବର୍ଷରେ ମହାତ୍ମା ଶବ୍ଦ କେତେକ ଜୈନ ସାଧୁଙ୍କର ଥିବାର ଦେଖିବାକୁ ମିଳେ। ରାଜସ୍ଥାନ ମେୱାରର ମହାତ୍ମା ହୀରାନନ୍ଦ ଏବଂ ମୋଗଲ କାଳର କିଛି ଜୈନ ସାଧୁଙ୍କର ମହାତ୍ମା ଉପାଧି ଥିବାର ଇତିହାସ ରହିଛି। ଜୈନ ମହାତ୍ମାମାନଙ୍କର ବୈଶିଷ୍ଟ୍ୟ ହେଉଛି, ସେମାନେ ସୁଦ୍ଧପୂତ, ସେମାନେ ତ୍ରିକରଣ ସିଦ୍ଧି ଅବଲମ୍ବନ କରନ୍ତି। ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ମହାତ୍ମା ଉପାଧି ପ୍ରାପ୍ତ ହେବା କାଳରେ ମଧ୍ୟ ଗୁଜରାଟରେ ମହାତ୍ମା ସମ୍ବୋଧିତ ହେଉଥିବା ଆଉ ଦୁଇ ଜଣ ବ୍ୟକ୍ତି ଥିଲେ। ମହାତ୍ମା ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେ ବା ସଂକ୍ଷେପରେ ମହାତ୍ମା ଜ୍ୟୋତିବା ଫୁଲେ। ସେ ଥିଲେ ଜଣେ ସକ୍ରିୟ ସମାଜକର୍ମୀ, ସମାଜ ସଂସ୍କାରକ ଏବଂ ବିପ୍ଳବୀ। ଦ୍ୱିତୀୟ ମହାତ୍ମା ହେଉଛନ୍ତି ବେସ୍‌ବଲ୍ ଏକ୍‌ଜିକ୍ୟୁଟିଭ୍‌ ମହାତ୍ମା େଵସଲି ବ୍ରାଞ୍ଚ୍ ରିକି। କିନ୍ତୁ ଗାନ୍ଧୀଙ୍କର ବୈଶିଷ୍ଟ୍ୟ ଥିଲା ଯେ ରାଜନୀତି ପରି କର୍ଦମାକ୍ତ କ୍ଷେତ୍ରରେ ସରଳ ଏବଂ ବିଶୁଦ୍ଧ ଆଚରଣ ତାଙ୍କ ବ୍ୟକ୍ତିତ୍ୱକୁ ଅସାଧାରଣ କରି ରଖିଥିଲା।

ଗାନ୍ଧୀ ୧୯୧୩ ମସିହାରେ କିଛି କାଳ ଲାଗି ଭାରତ ଫେରିବା ପରେ ମୂଳରୁ ରବୀନ୍ଦ୍ରନାଥ ଟାଗୋର ତାଙ୍କର ସଭାସମିତିର ଟିକିନିଖି ଅନୁଧ୍ୟାନ କରୁଥିଲେ। ୧୯୧୫ ମସିହା ଜାନୁଆରି ୯ ତାରିଖରେ ସେ ଭାରତରେ ପହଞ୍ଚିଥିଲେ ଏବଂ ଗୁଜରାଟୀ କୃଷକ ବେଶରେ ଗୋଟିଏ କାଠିଆବାଡ଼ି ଟୋପି ପିନ୍ଧି ଜାହାଜରୁ ଓହ୍ଲାଇଥିଲେ। ଜାନୁଆରି ୧୦ ତାରିଖରେ ସେ ବମ୍ବେ ନେସନାଲ୍ ୟୁନିଅନ୍‌ରେ ଏବଂ ପରେ ଇମ୍ପେରିଆଲ୍ ସିଟିଜେନ୍‌ସିପ୍ ଆସୋସିଏସନ୍‌ରେ ଭାଷଣ ଦେଇଥିଲେ। ତାଙ୍କୁ ବମ୍ବେର ଗୁର୍ଜାର ସଭା ସମ୍ମାନିତ କଲେ। ତା’ପରେ ସେ ଗୁଜରାଟର ରାଜକୋଟର ମୋଧ ସମ୍ପ୍ରଦାୟର ଶୁଭାଶିଷ ଲାଭ କଲେ। ୨୭ ଜାନୁଆରି ୧୯୧୫ ଦିନ ତାଙ୍କୁ ଗୋଣ୍ଡାଲର ରସଶାଳା ଔଷଧାଶ୍ରମରେ ପଣ୍ଡିତ ଜୀବରାମ କାଳିଦାସ ଶାସ୍ତ୍ରୀ ‘ଜଗତ ବନ୍ଦନୀୟ ମହାତ୍ମା’ ଭାବରେ ସମ୍ବୋଧିତ କଲେ। ଗୋଣ୍ଡାଲର ପଣ୍ଡିତ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ କି ଗାନ୍ଧୀଙ୍କୁ ମହାତ୍ମା ଭାବେ ବର୍ଣ୍ଣନା କରିଥିଲେ। ତା’ ପରେ ସେ ମହାତ୍ମା ମୁନସିରାମ୍‌ଙ୍କ ଆଶ୍ରମରୁ ଆସିଥିବା ୧୮ ଜଣ ଫିନିକ୍‌ସ ଛାତ୍ରଙ୍କ ସହିତ ଶାନ୍ତିନିକେତନ ଯାତ୍ରା କଲେ। ସେ ସମୟରେ ରବୀନ୍ଦ୍ରନାଥ ଶାନ୍ତିନିକେତନରେ ଅନୁପସ୍ଥିତ ଥିଲେ। ହଠାତ୍ ୧୯ ଫେବ୍ରୁଆରିରେ ଗୋଖଲେଙ୍କର ଦେହାନ୍ତ ହେବାରୁ ସେ ପୁନା ଫେରି ଆସିଲେ, ଓ ପୁନରାୟ ୧୫ ମାର୍ଚ୍ଚରେ ଶାନ୍ତିନିକେତନ ଯାତ୍ରା କଲେ ଓ ରବୀନ୍ଦ୍ରନାଥଙ୍କ ସହ ସାକ୍ଷାତ୍‌ କଲେ। ଗାନ୍ଧୀ ତାଙ୍କୁ ଭେଟିବା ପରେ ଦୁଇ ଜଣ ଅନେକ ବିଷୟ ଆଲୋଚନା କଲେ। ଦକ୍ଷିଣ ଆଫ୍ରିକାରେ ତାଙ୍କ ବିଜୟର ଫଳ ସ୍ୱରୂପ ସେଠାରେ ମହାନ୍ ଆତ୍ମା ଭାବରେ ସେ ସମଗ୍ର ଭାରତୀୟଙ୍କ ପ୍ରିୟପାତ୍ର ହୋଇଥିଲେ। ତେବେ ଯଦି କହିବା ତାଙ୍କୁ ପ୍ରଥମେ କିଏ ମହାତ୍ମା ଭାବେ ସମ୍ବୋଧନ କରିଥିଲେ, ତେବେ ସେ ହେବେ ଗୋଣ୍ଡାଲ୍‌ର ପଣ୍ଡିତ ଜୀବରାମ କାଳିଦାସ ଶାସ୍ତ୍ରୀ।
ମୋ-୯୪୩୮୦୦୭୫୦୯

ସମ୍ବନ୍ଧିତ ଖବର