ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତ: ଅନାଲୋଚିତ ସେହି ତିନି ଦିନ

ସ˚ଗ୍ରାମ କେଶରୀ ରାଉତ

ଆଜକୁ ଠିକ୍‌ ୯୩ ବର୍ଷ ତଳର କଥା। ୧୯୨୭ ଡିସେମ୍ବର ମାସ ୧୬,୧୭ ଓ ୧୮ ତାରିଖରେ ତିହିଡ଼ି ବ୍ଲକ୍‌ର ପୀରାହାଟ, ସାହାପୁର, ହରିପୁର, କବିରପୁର, ଯାଫରାବାଦ, ହାବୁତାସି, ଚାନ୍ଦବାଲି ବ୍ଲକ୍‌ର ପଞ୍ଚୁଟିକ୍ରୀ ଓ ବାଲିଆପାଳ ଏବ˚ ବାସୁଦେବପୁର ବ୍ଲକ୍‌ର ଚାରବାଟିଆ ଅଞ୍ଚଳରେ ଗାନ୍ଧୀଜୀ ତିନି ଦିନ କଟାଇଥିଲେ। କିନ୍ତୁ ଏହାର ଆଲୋଚନା ଇତିହାସରେ ଅକୁହା ହୋଇ ରହିଯାଇଛି। ପ୍ରବଳ ବନ୍ୟା ଓ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ, ଖଦି କାର୍ଯ୍ୟର ପ୍ରସାର ଓ ପ୍ରଚାର ସହ କନିକା ପ୍ରଜାମେଳି ସ˚ଦର୍ଭରେ ଲାକଙ୍କର ବିପଦ ବେଳେ ସେମାନଙ୍କ ସହିତ ଠିିଆ ହୋଇଥିଲେ ଗାନ୍ଧୀଜୀ। ଅସୁସ୍ଥତା ସତ୍ତ୍ବେ ଡିସେମ୍ବର ୧୬ ତାରିଖ ଶୀତୁଆ ସକାଳୁ ସାଙ୍ଗରେ ତତ୍‌କାଳୀନ ଜିଲ୍ଲା ବୋର୍ଡ ଚେୟାରମ୍ୟାନ ହରେକୃଷ୍ଣ ମହତାବ, ମୀରାବେନ, ମହାଦେବ ଦେଶାଇ, କାକା କାଲକର, ପଣ୍ତିତ ଗୋପବନ୍ଧୁ ଦାସ ଓ ନିରଞ୍ଜନ ପଟ୍ଟନାୟକ (ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ବଶୁର) ଇତ୍ୟାଦିଙ୍କୁ ଧରି ଗାନ୍ଧୀଜୀ ସେହି ଦୁଃସ୍ଥ ଓ ଅସହାୟ ଲୋକଙ୍କ ଲାଗି ଦୌଡ଼ି ଆସିଥିଲେ। ପୂର୍ବରୁ ସେଠାରେ ଉପସ୍ଥିତ ଥା’ନ୍ତି ପ୍ରଜାମେଳି ନେତା ଚକ୍ରଧର ବେହେରା ଓ ସନ୍ଥ ଚରଣ ବେହୁରା ପ୍ରମୁଖ। ଗାନ୍ଧୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଥିବା ମହତାବ ବାବୁ ପୀରାହାଟରୁ ଚାରବାଟିଆ ପର୍ଯ୍ୟନ୍ତ ରାସ୍ତା ତିଆରି କରିବା ସହ ଚାରବାଟିଆ ଠାରେ ରହିବାର ବ୍ୟବସ୍ଥା କରିଥିଲେ। ଗାନ୍ଧୀଜୀ ଅସୁସ୍ଥ ଥିବାରୁ ମହତାବ ତାଙ୍କୁ ନିଜ ଗାଡ଼ିରେ ଶୁଆଇ ଅତି ସାବଧାନତାର ସହିତ ଗାଡ଼ି ଚଳାଇ ଆସିଥିଲେ ବୋଲି ଲୋକମୁଖରୁ ଶୁଣାଯାଏ।

ଚାରବାଟିଆ ଗ୍ରାମରେ ଥିବା କୋଷ୍ଟ କେନାଲ ଅଫିସ ବଙ୍ଗଳାରେ ରହିବାକୁ ଗାନ୍ଧୀଜୀ ଅନିଚ୍ଛା ପ୍ରକାଶ କରିଥିଲେ। କାରଣ ସେହି ଦୀର୍ଘ କେନାଲଟି ବିଟ୍ରିସ୍‌ମାନଙ୍କ ଦ୍ବାରା ଖୋଳା ଯାଉଥିଲା। ତେଣୁ ଲୋକେ ତାଙ୍କ ପାଇଁ ଅଳ୍ପ ସମୟ ଭିତରେ କୁଟୀରଟିଏ ତିଆରି କରିଦେଇଥିଲେ ଏବ˚ ସେ ସେହିଠାରେ ରାତ୍ରି ଯାପନ କରିଥିଲେ। ତା’ପରଦିନ ଗାନ୍ଧୀଜୀ ସକାଳୁ ମନ୍ତେଇ ନଦୀରେ ମୋଟର ବୋଟ ଯୋଗେ କନିକା ରାଜ୍ୟର ପଞ୍ଚଟିକ୍ରୀ ଘାଟ (ଆଜିର ଚାନ୍ଦବାଲି ବ୍ଲକ୍‌ରେ) ଓ ବାଳିଆପାଳ ପହଞ୍ଚି ସେଠାରେ ପ୍ରଜାମେଳି ନେତା ଓ କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରି ହରିପୁର ଫେରି ଆସିଥିଲେ। ସାହାପୁର, କବିରପୁର, ଚାରବାଟିଆ ଅଞ୍ଚଳର ବନ୍ୟା ଓ ବାତ୍ୟା କ୍ଷତିଗ୍ରସ୍ତ ଇଲାକା ପରିଦର୍ଶନ କରିବା ସହ ସେ ଲୋକମାନଙ୍କ ସୁଖଦୁଃଖ ବୁଝିଥିଲେ ଏବ˚ କିପରି ଖଦି କାର୍ଯ୍ୟ ଦ୍ବାରା ଦାରିଦ୍ର୍ୟ ଲୋପ ପାଇବା ସହ ଲୋକେ ସ୍ବାବଲମ୍ବୀ ହୋଇପାରିବେ ତାହା ବୁଝାଇଥିଲେ। ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଏହି ଅଞ୍ଚଳର ଅଧିବାସୀଙ୍କ ଦାରିଦ୍ର୍ୟ ଗାନ୍ଧୀଙ୍କ ହୃଦୟକୁ ବ୍ୟଥିତ କରିଥିଲା।

୧୮ ତାରିଖ ଦିନ ଗାନ୍ଧୀଜୀ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ସମସ୍ତ ମୁରବିମାନେ ଭଦ୍ରକ ଷ୍ଟେସନରେ ପହଞ୍ଚି ଯାଇଥିଲେ। ସେଇଠି ଗାନ୍ଧୀଜୀ ପଚାରିଥିଲେ- ଏ ପ୍ରଦେଶ ତ ଅତି ଗରିବ। ଏଠି କାମ କିପରି ହେବ? ସେଠାରେ ତାଙ୍କ ବକ୍ତବ୍ୟର ସାରା˚ଶ ଥିଲା ଯେ କୌଣସି ଗୋଟିଏ କାମରେ ଲାଗି ରୁହ। କ୍ଷେତ୍ର ସନ୍ନ୍ୟାସ ଗ୍ରହଣ କରିନିଅ, ମାତ୍ର ଜୀବନ୍ତ ହୋଇ ପଡ଼ି ରୁହ। ଯେତେ ବାଧା ବିଘ୍ନ ଆସିଲେ ବି ତିଳେ ହେଲେ ନିଜ ଲକ୍ଷ୍ୟ ପଥରୁ ଘୁଞ୍ଚନା। ସେହି ସମୟରେ ଗାନ୍ଧୀଙ୍କୁ ଦେଖା କରିବାକୁ ଆସିଥିଲେ ମୁମ୍ବାଇର ଗୁଜୁରାଟୀ ବ୍ୟବସାୟୀ ଜୀବନ ରାମଜୀ କଲ୍ୟାଣଜୀ କୋଠାରୀ। ଗାନ୍ଧୀଜୀଙ୍କ କଥା ଶୁଣି ସେ ଏହି କାମ ଲାଗି ସମସ୍ତ ସଞ୍ଚିତ ଧନ ଅର୍ପଣ କରିବାର ପ୍ରତିଶ୍ରୁତି ଦେଲେ। ଗାନ୍ଧୀଜୀ କୁଆଡ଼େ ତାଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ସେ କେବଳ ଧନ ନୁହେଁ, ଜନ ମଧୢ ଚାହାନ୍ତି। ଗାନ୍ଧୀଙ୍କ କଥାରେ କି କୁହୁକ ଥିଲା କେଜାଣି କୋଠାରୀଜୀ ଭଦ୍ରକକୁ ନିଜ ଘର ଭଳି ଭାବି ସେହିଠାରେ ନିଜ ପତ୍ନୀଙ୍କ ସହିତ ମୃତ୍ୟୁ ପର୍ଯ୍ୟନ୍ତ କାମରେ ଲାଗି ରହିଲେ। ପୀରାହାଟ, ହରିପୁର, ସାହାପୁର, ଚାରବାଟିଆ ଓ କବିରପୁର ଇତ୍ୟାଦି ଅଞ୍ଚଳରେ ତାଙ୍କ ଦ୍ବାରା ରିଲିଫ ଓ ଥଇଥାନ କାମ ଚାଲିଲା। ଖଦି କାମ ମଧୢ ଚାଲିଲା। ଅନେକ ରଚନାତ୍ମକ କାମରେ ଉଭୟ ପତି ଓ ପତ୍ନୀ ଲାଗି ରହିଲେ।

ସାରା ବିଶ୍ବରେ ଗାନ୍ଧୀଙ୍କ ଜନ୍ମର ୧୫୦ତମ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଗାନ୍ଧୀ ସ୍ମୃତି ବହନ କରୁଥିବା ଏ ଅଞ୍ଚଳ ଲୋକଲୋଚନକୁ ଆସି ପାରି ନ ଥିଲା। ଏବେ ଏହି ସ୍ମୃତିର ସୁରକ୍ଷା ପାଇଁ ସାହାପୁର, ହରିପୁର, କବିରପୁର, ପୀରାହାଟ, ଜର୍ଦାପୁର ଓ ହାବୁଡ଼ା ସି˚ ଅଞ୍ଚଳର ଯୁବକମାନେ ଏକତ୍ର ହୋଇ ଗାନ୍ଧୀ ସେବା ସ˚ଗଠନ ନାମରେ ଏକ ଅନୁଷ୍ଠାନ ଗଢ଼ି ଏହାର ସ୍ମୃତି ରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏ ବିଷୟ ଇତିହାସରେ ସ୍ଥାନ ପାଇବା ନିହାତି ଉଚିତ।

ମୋ: ୯୪୩୭୮୧୮୨୩୩

ସମ୍ବନ୍ଧିତ ଖବର