ଗୌରାଙ୍ଗ ଚରଣ ପରିଡ଼ା

୧୯୨୬ ମସିହା ଅକ୍‌ଟୋବର ମାସରେ ବୁଲା କୁକୁର ପ୍ରସଙ୍ଗ ଅହମଦାବାଦରେ ଏକ ବୃହତ୍ ବିତର୍କର ପ୍ରସଙ୍ଗ ଥିଲା। ବିଶିଷ୍ଟ ଶିଳ୍ପପତି ଅମ୍ବାଲାଲ ସରାଭାଇ ତାଙ୍କ ନିଜ କମ୍ପାନି ପରିସର ମଧ୍ୟରେ ଷାଠିଏଟି ପାଗଳା କୁକୁରଙ୍କୁ ହତ୍ୟା କରିବା ଖବର ପ୍ରସାରିତ ହେବା ପରେ ଏଇ ବିତର୍କ ଆରମ୍ଭ ହୋଇଯାଇଥିଲା। ଅନେକ ପତ୍ରପ୍ରେରକ ଚିଠି ଲେଖି ଗାନ୍ଧୀଜୀଙ୍କ ମତାମତ ଚାହିଁଥିଲେ। ଅହମଦାବାଦ ହ୍ୟୁମାନିଟାରିଆନ ଲିଗ୍‌ର କିଛି ସଦସ୍ୟ ସାବରମତି ଆଶ୍ରମରେ ଗାନ୍ଧୀଙ୍କୁ ସାକ୍ଷାତ କରି ଏକ ଆବେଦନ ପତ୍ର ବି ଦେଇଥିଲେ। ସେମାନେ ଲେଖିଥିଲେ, ‘ବାପୁ, ସେଠ୍ ଅମ୍ବାଲାଲ ଜଣେ ଜୈନ ଧର୍ମାବଲମ୍ବୀ। ଜୈନ ଧର୍ମ ଅହିଂସା କଥା କୁହେ। ଏପରିକି କାମୁଡ଼ିବାକୁ ଆସୁଥିବା ସାପକୁ ନ ମାରିବା କଥା ଜୈନ ଧର୍ମଗୁରୁ ରାଇଚାନ୍ଦ ଭାଇ କହନ୍ତି। ଆମେ ଯେତେବେଳେ ସେଠ୍ ଅମ୍ବାଲାଲଙ୍କୁ ସାକ୍ଷାତ କରି କୁକୁରଙ୍କ ହତ୍ୟା ସମ୍ପର୍କରେ ପ୍ରଶ୍ନ କଲୁ, ସେ ହତ୍ୟା ଘଟଣା ଘଟେଇଥିବା ସ୍ୱୀକାର କଲେ ଏବଂ ଦୁଃଖ ପ୍ରକାଶ ବି କଲେ। କିନ୍ତୁ ସେ ଏକ ସଫେଇ ଦେଇ କହିଥିଲେ, କମ୍ପାନି ପରିସର ଭିତରେ ବୁଲୁଥିବା କିଛି କୁକୁର ହିଂସ୍ର ହୋଇଯାଇଥିଲେ ଏବଂ କିଛି କୁକୁରଙ୍କ ପାଖରେ ଜଳାନ୍ତକ ରୋଗର ଲକ୍ଷଣ ଦେଖାଯାଇଥିଲା। ସେମାନେ କମ୍ପାନିରେ କାମ କରୁଥିବା ଶ୍ରମିକମାନଙ୍କ ପ୍ରତି ବିପଦ ଥିଲେ। ତେଣୁ ପାଗଳା କୁକୁରଙ୍କୁ ମାରିଦେବା ଶ୍ରମିକ ଓ ତାଙ୍କ ପରିବାରର ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ଥିଲା।’
ହ୍ୟୁମାନିଟାରିଆନ ଲିଗ୍ ସଦସ୍ୟମାନେ ଏକଥା ବି ଲେଖିଥିଲେ, ‘ବାପୁ, ଆମେ ଯେତେବେଳେ ପୌର ପରିଷଦର କର୍ତ୍ତୃପକ୍ଷଙ୍କୁ ବୁଲା କୁକୁରଙ୍କ ସୁରକ୍ଷା ଓ ଥଇଥାନ ସମ୍ପର୍କରେ ପ୍ରଶ୍ନ କଲୁ, ସେମାନେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କଥା ବି କହିଛନ୍ତି। କୁକୁରଙ୍କ ହତ୍ୟା ଓ ତାଙ୍କର ବନ୍ଧ୍ୟାକରଣ ଧର୍ମ ଦୃଷ୍ଟିରୁ କ’ଣ ପାପ ନୁହେଁ? ଯେହେତୁ ସେଠ୍ ଅମ୍ବାଲାଲ ଆପଣଙ୍କର ଜଣେ ସମର୍ପିତ ଅନୁଗାମୀ, ଆମେ ତେଣୁ ତାଙ୍କର ଏ ଅମାନବତା ସମ୍ପର୍କରେ ଆପଣଙ୍କ ଠୁ ଉତ୍ତର ଚାହୁଁଚୁ।’
ବୁଲା କୁକୁର ପ୍ରତି ହେଉଥିବା ହିଂସା, କୁକୁରଙ୍କ ସୁରକ୍ଷା ଓ ଥଇଥାନ ପ୍ରସଙ୍ଗରେ ଅହମଦାବାଦ ହତ୍ୟା ଘଟଣା ପରେ ଗାନ୍ଧୀଜୀ କିଛି ପ୍ରବନ୍ଧ ୧୯୨୬ ମସିହା ଅକ୍‌ଟୋବର ୧୦ ତାରିଖରୁ ଦୀର୍ଘ ଆଠ ସପ୍ତାହ ଧରି କ୍ରମାଗତ ଭାବେ ଗୁଜରାଟୀ ‘ନବଜୀବନ’ ଓ ‘ୟଙ୍ଗ ଇଣ୍ଡିଆ’ରେ ଲେଖିଥିଲେ। ପ୍ରବନ୍ଧଗୁଡ଼ିକର ଶିରୋନାମା ଥିଲା, ‘ଇଜ୍ ଦିସ୍ ହ୍ୟୁମାନିଟି?’ (ଏହା କ’ଣ ମାନବିକତା?)
ଗାନ୍ଧୀଜୀ ଲେଖିଥିଲେ, ‘ଅମ୍ବାଲାଲଙ୍କ କମ୍ପାନି ପରିସରରେ ବୁଲା କୁକୁରଙ୍କ ହତ୍ୟା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ପଶୁଙ୍କ ପ୍ରତି ସଂଗଠିତ ହେଉଥିବା ଯେ କୌଣସି ନିଷ୍ଠୁରତା ତଥା ଅତ୍ୟାଚାରକୁ ମୁଁ ନାପସନ୍ଦ କରେ। ହତ୍ୟାକୁ ପାପ ବୋଲି କହେ। ସେଥିପାଇଁ ପଶୁ ବଳି ବିରୁଦ୍ଧରେ ମୁଁ ସ୍ୱର ଉତ୍ତୋଳନ କରୁଛି। ଅହିଂସା କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ଧର୍ମର ଏକାଧିପତ୍ୟ ନୁହେଁ। ଅହିଂସାର ବ୍ୟବହାର ସାବଧାନତା ସହ ହେବା ବି ଉଚିତ। ଅହିଂସା ପାଳିବା ପାଇଁ ମନରେ ସ୍ୱଚ୍ଛ ଚିନ୍ତା, ଭୟଶୂନ୍ୟତା, ବିନମ୍ରତା ଓ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ରହିବା ଜରୁରି। ଏମାନେ ଅହିଂସାର ଉପାଦାନ। ସବୁ ଅଣହତ୍ୟା କିନ୍ତୁ ଅହିଂସା ନୁହେଁ। ଗର୍ବ ଅହଂକାର ଯୁକ୍ତ ଯେ କୌଣସି ଅହିଂସା ହିଂସ୍ର ହୋଇଥାଏ।’
ଗାନ୍ଧୀଜୀ କିଛି ଚିଠିର ଉଲ୍ଲେଖ କରି ଲେଖିଥିଲେ- ଜଣେ ପତ୍ରପ୍ରେରକ ଲେଖିଛନ୍ତି, ତାଙ୍କର ତିନି ଏକର ଜମିରେ ହୋଇଥିବା ଫସଲକୁ ମାଙ୍କଡ଼ ଖାଇ ନଷ୍ଟ କରି ଦେଉଛନ୍ତି। ଏଥିରୁ ସେ ବର୍ଷକ ପାଇଁ ଖାଦ୍ୟ ପାଆନ୍ତି। ମାଙ୍କଡ଼ ମାରିଦେଲେ କ’ଣ ହିଂସା ହେବ କି ବୋଲି ସେ ମୋତେ ପ୍ରଶ୍ନ ପଚାରିଛନ୍ତି? ସେ ଏକାପରି ପ୍ରଶ୍ନ ମଧ୍ୟ ଅଛି ଅନ୍ୟ ଜଣେ ପତ୍ର ପ୍ରେରକଙ୍କର- ମୋ ପିଲାକୁ କାମୁଡ଼ିବାକୁ ଆସୁଥିବା ସାପକୁ ମୁଁ ଯଦି ମାରିଦିଏ, ଏହା କ’ଣ ପାପ ହେବ ବାପୁ? ମଶାଙ୍କୁ ମାରିବା, ସ୍କୁଲରେ ପଶି ହତ୍ୟା କରୁଥିବା ବ୍ୟକ୍ତିକୁ ହତ୍ୟା କରିବା, ଏ କ’ଣ ହିଂସା? ଏମିତି ଅନେକ ପଶ୍ନ କରାଯାଇଥିଲା ଗାନ୍ଧୀଙ୍କୁ।
ଏସବୁ ବିଚଳିତ କଲାପରି ପ୍ରଶ୍ନ ଥିଲା। ଗାନ୍ଧୀଜୀ ଏ ସବୁ ପ୍ରଶ୍ନର ଉତ୍ତରରେ ଲେଖିଥିଲେ, ‘ସ୍ୱାସ୍ଥ୍ୟ ପାଇଁ ମଶା ମାରିବା ପାପ ନୁହେଁ। ପିଲାକୁ କାମୁଡ଼ିବାକୁ ଆସୁଥିବା ସାପକୁ ହତ୍ୟା କରିବା ବି ପାପ ନୁହେଁ। ଜଳାନ୍ତକ ରୋଗରେ ସଂକ୍ରମିତ ପାଗଳା କୁକୁର ପ୍ରତି ନିର୍ଦ୍ଦୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ପାପ ନୁହେଁ।’
ଗାନ୍ଧୀଜୀ କିନ୍ତୁ ବୁଲା କୁକୁରଙ୍କ ସୁରକ୍ଷା ଓ ସେବା ପାଇଁ କାଞ୍ଜିଆହୁଦା (କାଞ୍ଜି ହାଉସ) କିମ୍ବା ବନ୍ଧ୍ୟାକରଣକୁ ସମର୍ଥନ କରି ନ ଥିଲେ। ଏହା ବୁଲା କୁକୁରଙ୍କ ପ୍ରତି ହେଉଥିବା ଅତ୍ୟାଚାର ସମାଧାନର ଯେ ବିକଳ୍ପ ନୁହେଁ, ଗାନ୍ଧୀଙ୍କର ଦୃଢ଼ୋକ୍ତି ଥିଲା। ଗାନ୍ଧୀଜୀଙ୍କ ଉକ୍ତି ଥିଲା, ଗୋଟିଏ ନିର୍ଦ୍ଦିଷ୍ଟ ଜାଗା ଭିତରେ କିଛି କୁକୁରଙ୍କୁ ଆବଦ୍ଧ କରି ଆଶ୍ରୟ ଦେବା ଅଧିକ ବିପଦପୂର୍ଣ୍ଣ ହୋଇଥାଏ। ଯଦି ସେଠାରେ କୌଣସି ଏକ କୁକୁର ଜଳାନ୍ତକରେ ସଂକ୍ରମିତ ହୋଇଯାଏ, ସମସ୍ତେ ସଂକ୍ରମିତ ହେବାର ସମ୍ଭାବନା ଥାଏ।
ଗାନ୍ଧୀ ତାଙ୍କ ପ୍ରବନ୍ଧରେ ଇଂଲାଣ୍ଡ୍‌ର ଉଦାହରଣ ଦେଇ ଲେଖିଥିଲେ, ‘ଲଣ୍ଡନ ସହରରେ ବୁଲା କୁକୁର ନଥାନ୍ତି। କୁକୁର ଘରେ ପାଳିବା ଓ ପୋଷିବା ନିମନ୍ତେ ସେଠି କଡ଼ା ଆଇନ ଅଛି। ଘରେ ପାଳିତ ସମସ୍ତ କୁକୁର ବେକରେ ମାଲିକର ନାମ ଓ ଠିକଣା ଥାଇ ଏକ ପରିଚୟ ପତ୍ର ବାନ୍ଧିବା, ସେଠି ବାଧ୍ୟତାମୂଳକ। ପରିଚୟ ପତ୍ର ନ ଥାଇ ବାହାର ବୁଲୁଥିବା କୁକୁରକୁ ସାଙ୍ଗେ ସାଙ୍ଗେ ମାରି ଦିଆଯାଇଥାଏ। କୁକୁର କିପରି ପୋଷିବାକୁ ହେବ ଏଥିନେଇ ବୈଜ୍ଞାନିକ ପଦ୍ଧତିରେ ପ୍ରଶିକ୍ଷଣର ବ୍ୟବସ୍ଥା ରହିଛି।’
ଗାନ୍ଧୀଜୀ ତାଙ୍କ ପ୍ରବନ୍ଧର ଉପସଂହାରରେ ପରାମର୍ଶ ଦେଇଥିଲେ, ‘ମଣିଷମାନଙ୍କ ପରି ବୁଲା କୁକୁରମାନଙ୍କର ବି ବଞ୍ଚିବାର ଅଧିକାର ଅଛି। ଏମାନେ ଏକ ମିତ୍ରପ୍ରେମୀ ଓ ବିଶ୍ୱାସୀ ପ୍ରାଣୀ। ଗାଁରେ ରହୁଥିବା କୁକୁରଙ୍କ ଅପେକ୍ଷା ସହରରେ ରହୁଥିବା କୁକୁରଙ୍କ ଅବସ୍ଥା ଏବେ ବେଶୀ ଖରାପ। ସହରୀ ମହାଜନ ବ୍ୟବସାୟୀମାନେ ତେଣୁ କୁକୁରଙ୍କୁ ନିଜର ଏକ ସୁରକ୍ଷିତ ସ୍ଥାନରେ ରଖି ପାଳିବାର ବ୍ୟକ୍ତିଗତ ଦାୟିତ୍ୱ ନେବା ଉଚିତ। ନିଜ ଉପାର୍ଜିତ ଆୟର କିଛି ଅଂଶ ସେମାନେ ଏଥିନେଇ ଖର୍ଚ୍ଚ କରିବା ଦରକାର। ଯନ୍ତ୍ରଣାର ଲାଘବ ପ୍ରକ୍ରିୟା ହିଁ ମାନବିକତା, ପ୍ରକୃତ ଅହିଂସା।’
ଦୁଃଖ ଯେ ବୁଲା କୁକୁରଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଭାରତରେ ଥିବା ଆଇନର ପ୍ରଭାବଶାଳୀ ପ୍ରୟୋଗ ହୋଇପାରୁ ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୪୬୯୩୨୮

Advertisment