୧୯୩୮ ମସିହା ମାର୍ଚ୍ଚ ୩୧ ତାରିଖରେ ଡେଲାଙ୍ଗ ବେରବୋଇରେ ଅଧିବେଶନ ଶେଷ କରି ଗାନ୍ଧୀଜୀ କଲିକତା ଚାଲି ଯାଇଥିଲେ। କଲିକତାରୁ ଦୁଇ ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨ ତାରିଖରେ ରାଜକୁମାରୀ ଅମୃତ କୌରଙ୍କ ପାଖକୁ ସେ ଏକ ଚିଠି ଲେଖିଲେ। ସେ ଲେଖାଥିଲା, ‘ଶ୍ରଦ୍ଧେୟା ଅମୃତ, ତମେ ଡେଲାଙ୍ଗ ଆସି ପାରିଲନି। ଆମେ ତୁମକୁ ଅନେକ ମନେ ପକେଇଲୁ। ଡେଲାଙ୍ଗ ଆସିଥିଲେ ତୁମେ ଅନେକ ଭଲ ଜିନିଷ ସେଠି ଦେଖିଥାନ୍ତ; ଭଲ କଥା ଶିଖି ପାରି ଥାଆନ୍ତ। ମୋ ସହ ଡେଲାଙ୍ଗରେ ପ୍ରଭାବତୀ ଏବଂ ଜୟପ୍ରକାଶ (ଜୟ ପ୍ରକାଶ ନାରାୟଣ) ରହୁଥିଲେ। ସବୁ ସେଠାରେ ଠିକ୍ ଚାଲିଥିବା ବେଳେ, ଅଧିବେଶନ ଭିତରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ କସ୍ତୁରବାଙ୍କ ପ୍ରବେଶ ମୋତେ ଖୁବ୍ ବ୍ୟଥିତ କରି ଦେଇଥିଲା। ବା’ଙ୍କ ନିର୍ବୋଧତାକୁ ମୁଁ ଏ ପର୍ଯ୍ୟନ୍ତ ବୁଝି ପାରିନାହିଁ। ସେ ପୂରା ଘଟଣା ଏ ଚିଠିରେ କହିବା ସମ୍ଭବ ନୁହେଁ। ମୋ ଦେହର ରକ୍ତଚାପ ଡେଲାଙ୍ଗରେ ଅସ୍ୱାଭାବିକ ଭାବେ ବଢ଼ି ଯାଇଥିଲା। ଏବେ ରକ୍ତଚାପ ପ୍ରାୟ ସ୍ଥିର ଅଛି- ୧୭୫-୮୦। ଦେହର ଓଜନ କିନ୍ତୁ ପଞ୍ଚ ପାଉଣ୍ଡ କମି ଯାଇଛି। ଅଧିବେଶନରୁ ଫେରିବା ପରେ ମୁଁ ଏବେ ଦୀର୍ଘ ମୌନ ବ୍ରତରେ ରହିଛି। କମ୍ କଥା ହେଉଛି। ଦେହରେ ହୋଇଥିବା କ୍ଷତି ଭରଣା ହେବା ପର୍ଯ୍ୟନ୍ତ ଆଉ କିଛିଦିନ ଏଇ ମୌନ ପାଳନ କରିବି। ବେଶୀ କଥା ନ ହୋଇ ଚୁପ୍ ରହିଲେ ରକ୍ତ ଚାପ ମୋର କମିଯାଉଛି। ପ୍ରାର୍ଥନା କରୁଛି ତୁମେ ଶୀଘ୍ର ଭଲ ହୋଇଯାଅ। ପ୍ରାକୃତିକ ଚିକିତ୍ସାରେ ରୁହ। ବାପୁ।’

Advertisment

୧୯୨୧ ମସିହାରେ ସପ୍ତାହରେ ଦିନେ ମୌନ ବ୍ରତରେ ରହିବେ ବୋଲି ଘୋଷଣା କଲାବେଳେ ଗାନ୍ଧୀ ଏହକୁ ପ୍ରଥମେ ଆଧ୍ୟାତ୍ମିକତା ସହ ଯୋଡ଼ି ଦେଇଥିଲେ। ଦକ୍ଷିଣ ଆଫ୍ରିକାର ଟ୍ରେପିସ୍‌ଟ ମଠରୁ ଏହା ସେ ଶିଖିଥିଲେ। ନାଟାଲର ସେ ମଠରେ ଅସମ୍ଭବ ନିରବତା ଦେଖି ଗାନ୍ଧୀ ଯେତେବେଳେ ଏହାର କାରଣ କ’ଣ ବୋଲି ପ୍ରଶ୍ନ କଲେ, ମଠାଧୀଶ କହିଥିଲେ, ‘ମୌନ ରହିଲେ ହିଁ ଅନ୍ତରାତ୍ମାର ସ୍ୱର ଶୁଣି ହେବ ଏବଂ ପ୍ରତି କ୍ଷଣରେ ଈଶ୍ୱର ଦେଉଥିବା ସନ୍ଦେଶକୁ ଜାଣି ହେବ। ମୌନବ୍ରତ ସହ ଅଧ୍ୟାତ୍ମିକ ଆଧାରକୁ ଗାନ୍ଧୀଜୀ ବି କେବେ ଅସ୍ବୀକାର କରି ନ ଥିଲେ। ୧୯୩୯ ମସିହା ଅକ୍‌ଟୋବର ମାସରେ ମାଡ୍ରାସର ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଟି. ଏସ୍. ଏସ୍. ରାଜନ, ମହାଦେବ ଦେଶାଇଙ୍କୁ ଏକ ପତ୍ର ଲେଖି ଜଣାଇଲେ, ‘ମହାଦେବ ଭାଇ, ମୁଁ ଏଇ କିଛିଦିନ ତଳେ ସେବାଗ୍ରାମ ଆଶ୍ରମରେ ରହିଥିଲି। ସେତେବେଳେ ଗାନ୍ଧୀଜୀ ଅଧିକାଂଶ ସମୟ ମୌନ ରହୁଥିଲେ। ଦିନେ ସାକ୍ଷାତ୍‌ ସମୟରେ ସେ ମୋତେ ଛୋଟ ଏକ ଟୁକୁରା କାଗଜରେ ଲେଖି କହିଦେଲେ, ମୌନ ବ୍ରତ ତାଙ୍କର ସ୍ୱାସ୍ଥ୍ୟ ପାଇଁ ନିହାତି ଦରକାର। ଗାନ୍ଧୀଜୀଙ୍କ ଏଇ କିଛି ଶବ୍ଦ ମୋତେ ଅନେକ ଚିନ୍ତାରେ ପକାଇ ଦେଇଛି। ରକ୍ତଚାପ ଏବଂ ଶାରୀରିକ ସୁସ୍ଥତା ପାଇଁ ମୌନ ରହିବାର ବୈଜ୍ଞାନିକ ସମ୍ପର୍କ କ’ଣ ଏ ସମ୍ପର୍କରେ ଗାନ୍ଧୀଜୀଙ୍କର ବ୍ୟକ୍ତିଗତ ଅନୁଭୂତି ଜାଣିବାକୁ ଚାହିଁଥିଲି। କିନ୍ତୁ ପଚାରି ପାରି ନ ଥିଲି। ମୋର ଏଥିନେଇ କିଛି ପ୍ରଶ୍ନ ଅଛି। ଏହାର ଉତ୍ତର ଗାନ୍ଧୀଜୀ ତାଙ୍କ ‘ହରିଜନ’ ପତ୍ରିକାରେ ଲେଖି ଜଣାଇବେ ବୋଲି ଆଶା ରଖିଛି। ମୁଁ କିନ୍ତୁ ଏଥିନେଇ ଆପଣକୁ ବାଧ୍ୟ କରୁନି। ମୋର ପ୍ରଥମ ପ୍ରଶ୍ନ ହେଲା, ମୌନ ରହିଲେ ରକ୍ତ ଚାପ କ’ଣ କମିଯାଏ? ଏ ବ୍ରତ ଶେଷ ପରେ ଦେହରେ କାମ କରିବାକୁ ଫୂର୍ତ୍ତି ଆସେ କି? ମାନସିକ ଶାନ୍ତି ସହ ମୌନବ୍ରତର କିଛି କ’ଣ ସମ୍ପର୍କ ଅଛି? ମୌନବ୍ରତ ବାପୁଙ୍କୁ ନିଶ୍ଚୟ ଶାରୀରିକ ତଥା ମାନସିକ ଉପଶମ ଦେଉଥିବ ନଚେତ ଏପରି ଏକ କଷ୍ଟଦାୟକ କଟକଣାକୁ ସେ ନିଜ ଉପରେ ଜାଣି ଜାଣି ପ୍ରୟୋଗ କରୁ ଥାଆନ୍ତେ କାହିଁକି?’

ମାଡ୍ରାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏ ଚିଠିକୁ ମହାଦେବ ଦେଶାଇ ଗାନ୍ଧୀଜୀଙ୍କୁ ଦେଇଥିଲେ। ୧୯୩୯ ମସିହା ଅକ୍‌ଟୋବର ୨୮ ତାରିଖ ‘ହରିଜନ’ ପତ୍ରିକାରେ ଗାନ୍ଧୀ ଏହାର ଉତ୍ତର ଦେଇ ‘ଭରଚୁସ୍ ଅଫ୍ ସାଇଲେନ୍‌ସ’ (ମୌନର ମାହାତ୍ମ୍ୟ) ଶିରୋନାମାରେ ଏକ ପ୍ରବନ୍ଧ ଲେଖିଥିଲେ। ଗାନ୍ଧୀଜୀଙ୍କ ସେଥିରେ ଲେଖିଛନ୍ତି, ‘ଡାକ୍ତର ରାଜନଙ୍କ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ମୌନବ୍ରତରେ ରହିବାକୁ ମୋତେ ସେମିତି କିଛି ବିଶେଷ ଉଦ୍ୟମ କରିବାକୁ ପଡ଼େନି କିମ୍ବା ଏଥିପାଇଁ କିଛି କଷ୍ଟ ସହିବାକୁ ହୁଏନି। ଦିନ ସାରା ଲୋକଙ୍କ ସହ କଥା ହୋଇ ମୁଁ ଅନେକ ସମୟରେ କ୍ଳାନ୍ତ ହୋଇଯାଇଥାଏ। କେତେବେଳେ କାହା ସହ ଯୁକ୍ତି ତର୍କ କରି ବିରକ୍ତି ବି ଆସେ। କିଛି ସମୟ ଚୁପ୍ ରହିଗଲେ ମୋ ଥକାପଣ କମିଯାଏ। କେବଳ ପୂର୍ବରୁ ମୋ ସମୟ ନେଇ ମୋ ପାଖକୁ ଆସୁଥିବା ଅତିଥିଙ୍କ ସହ ମୁଁ ଏବେ କଥା ହେଉଛି। ଅନ୍ୟ କାହା ସାଙ୍ଗରେ ଆଉ କଥା ହେଉନି। କେବଳ ତାଙ୍କ ଠାରୁ ଶୁଣୁଛି। ଆଶ୍ରମର ଅନ୍ତେବାସୀଙ୍କ ସହ ବି ମୁଁ ବେଶୀ କଥା ହେଉନାହିଁ। ମୋ ଆଶାନୁରୂପ କିଛି କାମ ଆଶ୍ରମରେ ନ ହେଲେ ମୋତେ ଚିଡ଼ିଚିଡ଼ା ଲାଗୁଚି। ମୌନ ରହିବା ମୋ ପାଇଁ ଏବେ ଏକ ଭଲ ଚିକିତ୍ସା। ହଁ, ଡାକ୍ତର ରାଜନଙ୍କ ପାଇଁ ମୋ ଉତ୍ତର ହେଲା, ମୌନ ରହିଲେ ମୋ ଦେହର ଉଚ୍ଚ ରକ୍ତଚାପ ହ୍ରାସ ପାଇଥାଏ। ମୌନ ରହିବାକୁ ମୋ ଡାକ୍ତର ବନ୍ଧୁମାନେ ବି ମୋତେ ପରାମର୍ଶ ଦେଇଛନ୍ତି।’

ଡାକ୍ତର ରାଜନଙ୍କ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେଇ ଗାନ୍ଧୀ ସ୍ପଷ୍ଟ କରିଦେଲେ, ‘ମୋ ଅନୁଭୂତି ହେଲା, ମୌନ ଅବଲମ୍ବନ କଲେ ମୋ ଶରୀରର ରକ୍ତଚାପ ପ୍ରାୟତଃ ସ୍ୱାଭାବିକ ହୋଇଯାଉଛି। ମନ ଶାନ୍ତ ରହୁଛି। କାମ କରିବାରେ ଫୂର୍ତ୍ତି ଆସୁଛି। ମୌନ ନ ଥିଲା ବେଳେ ଯେତିକି କାର୍ଯ୍ୟ କରି ପାରୁଥିଲି, ମୌନ ଥିଲା ବେଳେ ତା’ ଠାରୁ ଅଧିକ କାର୍ଯ୍ୟ କରିପାରୁଛି। ସବୁଠାରୁ ବଡ଼ କଥା ହେଲା, ମୁଁ ଯେତେବେଳେ ମୌନ ରହିବାକୁ ନିଷ୍ପତ୍ତି ନିଏ ଠିକ୍ ସେହି ସମୟରୁ ହିଁ ମୋ ମନ ସମ୍ପୂର୍ଣ୍ଣ ଶାନ୍ତ ହୋଇଯାଏ। ମୁଁ ସମ୍ପୂର୍ଣ୍ଣ ବୋଝ ଶୂନ୍ୟ ହୋଇଗଲା ପରି ଲାଗେ। ମୋ ଉପରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବାର ଅନୁଭବ କରେ। ଡାକ୍ତରୀ ଔଷଧ ଖାଇ ଯେଉଁ ସ୍ନାୟୁ ରୋଗ ଭଲ ହୋଇ ନ ଥାଏ, ମୌନ ରହିବାରେ ସେ ରୋଗର ଉପଶମ ମିଳିଥାଏ।’ ଗାନ୍ଧୀଜୀ ତାଙ୍କ ପ୍ରବନ୍ଧରେ ମୌନର ମାହାତ୍ମ୍ୟ ସମ୍ପର୍କରେ କହିଲାବେଳେ କିଛି ସତର୍କତା ଜାରି କରିଥିଲେ। ଗାନ୍ଧୀଙ୍କ ସ୍ପଷ୍ଟୋକ୍ତି ଥିଲା, ମୌନବ୍ରତ ପାଳିବା ଇଚ୍ଛାକୃତ ହେବା ଦରକାର। ଏଥିପାଇଁ ଶ୍ରଦ୍ଧା ନ ଥିଲେ କରିବା ଉଚିତ ନୁହଁ। ଜେଲରେ ମୁଁ ଦେଖିଛି, ଅନେକ କଏଦୀ କଥା ହେବାକୁ ବନ୍ଧୁ ନ ପାଇ ଅନେକ ସମୟ ଚୁପ୍ ହୋଇ ରହିବାରେ କେମିତି ଅସ୍ଥିର ହୋଇ ଯାଆନ୍ତି। ସେମାନେ ଆକ୍ରମାଣତ୍ମକ ପ୍ରତିକ୍ରିୟା ଦେଖାନ୍ତି। ଡାକ୍ତରଙ୍କ ପରାମର୍ଶ ନେଇ ମୌନ ପାଳନ କଲେ ଭଲ। ମୌନବ୍ରତ ହେଉଛି ଗାନ୍ଧୀ ମାର୍ଗର ଏକ ଅଭିନବ ଅଂଶ।
ମୋ: ୯୮୬୧୪୬୯୩୨୮