ଗୌରାଙ୍ଗ ଚରଣ ପରିଡ଼ା
୧୯୪୫ ମସିହା ଏପ୍ରିଲ ୧୧ ତାରିଖରେ କସ୍ତୁରବା ଟ୍ରଷ୍ଟର ଏକ କର୍ମୀ ସମ୍ମିଳନୀ ବମ୍ବେରେ ଆୟୋଜିତ ହୋଇଥିଲା। ଗାନ୍ଧୀଜୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଲୋଚନା ଶେଷରେ ଏକ ଦୀର୍ଘ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଗାନ୍ଧୀଙ୍କୁ ଏଥିରେ ଏକ ପ୍ରଶ୍ନ ଥିଲା, ‘ବାପୁ, ଭାରତର ବଡ଼ ଶତ୍ରୁ କିଏ?’ ଗାନ୍ଧୀଜୀ ଉତ୍ତର ଦେଇଥିଲେ, ‘ଆମର ବଡ଼ ଶତ୍ରୁ ହେଉଛି ଦାସତ୍ବ। ଏ ଦାସତ୍ବ କିନ୍ତୁ ବ୍ରିଟିସ ପରାଧୀନତାର ଦାସତ୍ବ ନୁହେଁ। ଏ ଦାସତ୍ବ ହେଉଛି ଅନ୍ଧବିଶ୍ୱାସର ଦାସତ୍ବ ଯାହା ବ୍ରିଟିସ ଆସିବା ପୂର୍ବରୁ ଏଠି ଥିଲା। ଏବଂ ହଜାର ହଜାର ବର୍ଷ ଧରି ଯାହା ଆମକୁ ଯେପରି ଏକ ଦୃଢ଼ ଫାଶ ପକାଇ ବନ୍ଦୀ କରି ରଖିଛି। ଅବଶ୍ୟ ଆଉ କିଛି ଦିନ ପରେ ଆମେ ବ୍ରିଟିସ ପରାଧୀନତାରୁ ମୁକ୍ତ ହେବା, ଅଥଚ ଅନ୍ଧବିଶ୍ୱାସ ଓ କୁପ୍ରଥାର ଦୁଃଖରୁ କେବେ ମୁକୁଳିବା, ତା’ର ସଠିକ୍ ସମୟ କହି ହେଉନି।’
ଗାନ୍ଧୀଜୀଙ୍କୁ ଅନ୍ୟ ଏକ ପ୍ରଶ୍ନ ଥିଲା, ‘ବାପୁ, ଅନ୍ଧବିଶ୍ୱାସ, କୁପ୍ରଥା ଓ କୁସଂସ୍କାର ଏଠି ଦୀର୍ଘ ଦିନ ତିଷ୍ଠି ରହିବାର କାରଣ କ’ଣ?’ ଗାନ୍ଧୀ ତୁରନ୍ତ ଉତ୍ତର ଦେଇଥିଲେ, ‘ଏହାର କାରଣ ହେଉଛି ଦାରିଦ୍ର୍ୟ, ଭୟ ଏବଂ ଭାରତ ପରି ଏ ବିରାଟ ଦେଶରେ ସମ୍ପ୍ରଦାୟ ତଥା ଜାତିର ଚଳଣି ଓ ପରମ୍ପରାରେ ରହିଥିବା ଭିନ୍ନତା। ଶାସ୍ତ୍ରରେ ଲେଖାଥିବା ସବୁ କଥାକୁ ଆମେ ଅନ୍ଧ ଭାବେ ଗ୍ରହଣ କରିନେଉ। କେଉଁଟା ଦରକାରୀ ଓ କେଉଁଟା ଅଦରକାରୀ ତାହା ଯୁକ୍ତିର ସହ ବାଛି ପାରୁନୁ।’
ପ୍ରସଙ୍ଗକ୍ରମେ ଗାନ୍ଧୀ କିଛି ଉଦାହରଣ ଦେଲେ। କହିଲେ, ‘୧୯୩୨ ଜୁନ୍ ମାସରେ ମୁଁ ୟେରୱାଡ଼ା ଜେଲରେ ଥିବା ବେଳେ ବନ୍ଧୁ ଡାକ୍ତର ପ୍ରାଣଜୀବନ ମେହେଟାଙ୍କ ପରିବାରରୁ ଏକ ଚିଠି ପାଇଥିଲି। ଚିଠିରେ ଲେଖା ଥିଲା, ମେହେଟାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଭୂତ ଲାଗୁଛି। ବାହାର ଏକ ମୃତ ବ୍ୟକ୍ତିର ଆତ୍ମା ତାକୁ ଗ୍ରାସ କରିଯାଉଛି। ଏଣୁତେଣୁ ଗପୁଚି। ଭଲ ହେବାର ଉପାୟ କ’ଣ ଏଥିରେ ସେ ମୋତେ ପଚାରିଥିଲେ। ମୁଁ ଉତ୍ତରରେ ଲେଖିଥିଲି, କୌଣସି ଏକ ମୃତ ବ୍ୟକ୍ତିର ଆତ୍ମା (ସ୍ପିରିଟ) ଏକ ଜୀବିତ ବ୍ୟକ୍ତିର ଆତ୍ମାକୁ ସମ୍ପୂର୍ଣ୍ଣ କାବୁ କରିନେବା ତତ୍ତ୍ବରେ ମୁଁ ବିଶ୍ୱାସ କରେ ନାହିଁ। ଏମିତି ହୋଇଥିଲେ ଭାରତର ଲକ୍ଷ ଲକ୍ଷ ଲୋକ ଏହି ଭୂତ ପେଷଣରେ ପୀଡ଼ିତ ଥାଆନ୍ତେ। ଭୂତ ଆତ୍ମା ଅନ୍ୟ ଏକ ଶରୀରକୁ କାବୁ କରିନେବା ଦୃଶ୍ୟ ପୃଥିବୀର ଆଉ କେଉଁଠି ଦେଖିବାକୁ ମିଳେନି। ତେବେ ଭୂତ କଷଣରୁ ମୁକ୍ତିର ବାଟ ହେଉଛି ସୂତା କାଟିବା, ଲୁଗା ବୁଣିବା, ନିଜକୁ କାର୍ଯ୍ୟବ୍ୟସ୍ତ ରଖିବା। ଏଥି ସହ ଈଶ୍ୱରଙ୍କୁ ପ୍ରାର୍ଥନା କରିବା କଥା ମୁଁ ମୋ ଚିଠିର ଉତ୍ତରରେ ଲେଖିଥିଲି।’
ସାରା ଭାରତ ଭ୍ରମଣ ଭିତରେ ଗାନ୍ଧୀ ଯେଉଁ ଅନ୍ଧବିଶ୍ୱାସ ଓ କୁପ୍ରଥାକୁ ପ୍ରତ୍ୟକ୍ଷ କରିଥିଲେ ତାହାର ବର୍ଣ୍ଣନା କରି କହିଥିଲେ, “ଦାଣ୍ଡିଯାତ୍ରା ଶେଷ ପରେ ୧୯୩୦ ମସିହା ଏପ୍ରିଲ ମାସରେ ମୁଁ ଦାଣ୍ଡି ପାଖ ‘କରାଡ଼ି’ରେ ଏକ ଟେଣ୍ଟରେ ଥାଏ। ଦିନେ ଦେଖିଲି ପାଖ ଗାଁର କିଛି ଲୋକ ପଟୁଆର କରି ଏବଂ ‘ମହାତ୍ମା ଗାନ୍ଧୀ କୀ ଜୟ’ର ଧ୍ୱନି ଦେଇ ଆମ ଟେଣ୍ଟ ନିକଟକୁ ଆସିଲେ। ମୁଁ ଆଶ୍ଚର୍ଯ୍ୟ ହେଲି ଯେ ହଠାତ୍ ଏତେ ଲୋକ କିପରି ସତ୍ୟାଗ୍ରହରେ ଯୋଗ ଦେଇଦେଲେ। ପରୀକ୍ଷା କରି ଦେଖିବାକୁ ମୁଁ ବାହାରକୁ ଆସିଲି। ପଚାରିଲି, ‘ଆପଣମାନେ ମୋର ଜୟ ଧ୍ୱନି କାହିଁକି କରୁଛନ୍ତି?’ ଜଣେ ବ୍ୟକ୍ତି ଉତ୍ତର ଦେଲେ, ‘ମହାତ୍ମାଜୀ, ଆମ ଗାଁରେ ଜଳକଷ୍ଟ ଥିଲା। ମିଠା ପାଣିର ଅଭାବ ଥିଲା। ଖରା ଦିନ ଆସିଲେ କୂଅ ସବୁ ଶୁଖି ଯାଉଥିଲା। ଏ ବର୍ଷ ଆପଣ ଏଠି ରହିବା ଦିନଠୁ ଆମ ଗାଁର କୂଅମାନଙ୍କରୁ ପାଣି ଆଉ ଶୁଖିନି। ଆପଣଙ୍କ ମାହାତ୍ମ୍ୟ ଏବଂ ପଦସ୍ପର୍ଶ ଯୋଗୁଁ ଏପରି ବିସ୍ମୟ କେବଳ ସମ୍ଭବ ହୋଇ ପାରିଛି।’
ମୁଁ ସେ ଗାଁ ଲୋକଙ୍କୁ କହିଲି, ‘ତୁମେ ଗଛ ଉପରେ ବସିଥିବା କାଉଟିକୁ ଦେଖୁଛ? ଯଦି ଏବେ ଗଛର ଡାଳ ଭାଙ୍ଗିଯାଏ ଏବଂ କାଉକୁ ଏଥିପାଇଁ ଦୋଷ ଦିଆଯାଏ, ଏହା ଅନ୍ଧବିଶ୍ୱାସ। ଭୂତଳରେ କିଛି ପରିବର୍ତ୍ତନ ଯୋଗୁଁ ତୁମ ଗାଁର କୂଅ ପାଣିରେ ଭର୍ତ୍ତି ହୋଇପାରେ। ମୋ ପ୍ରାର୍ଥନା ଯେପରି ଈଶ୍ୱର ଶୁଣନ୍ତି ତୁମମାନଙ୍କ ପ୍ରାର୍ଥନା ସେମିତି ଈଶ୍ୱର ଶୁଣିଥିବେ। କୂଅ ନ ଶୁଖିବା ସହ ମୋର ଏଠି ଆସିବାର କିଛି ସମ୍ପର୍କ ନାହିଁ।’’
କର୍ମୀ ସମ୍ମିଳନୀରେ ଗାନ୍ଧୀଜୀଙ୍କୁ ଆଉ ଏକ ପ୍ରଶ୍ନ ଥିଲା, ‘ବାପୁ, ସବୁ ପ୍ରାଚୀନ ପରମ୍ପରା, ପୁରୁଣା ପ୍ରଥା କ’ଣ କୁପ୍ରଥା?’ ଗାନ୍ଧୀ ଉତ୍ତର ଦେଇଥିଲେ, ‘ଯେଉଁ ପ୍ରଥା ଅନୈତିକ ଓ ଅନିଷ୍ଟକାରୀ ହେଲେ ବି ଯେତେବେଳେ ଏହା ପ୍ରାଚୀନ କହି ଆମେ ତାକୁ ପାଳନ କରି ଚାଲିଥାଉ, ଏହା କୁପ୍ରଥା। ଏଇ ଯେମିତି ଆମେ ଦେବୀଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କଥା କହିପାରୁ ନଥିବା ନିରୀହ ପଶୁଙ୍କୁ ହତ୍ୟା କରୁଛୁ। ଏବଂ ହତ୍ୟାକୁ ନେଇ ଉତ୍ସବ ପାଳନ କରୁଛୁ।’
ଗାନ୍ଧୀ ଚମ୍ପାରଣର ଏକ ଅଙ୍ଗେନିଭା ଅନୁଭୂତି ବର୍ଣ୍ଣନା କରି କହିଲେ, ‘ଦୁର୍ଗା ପୂଜା ମାସରେ ଚମ୍ପାରଣର ଦେବୀ ପୀଠମାନଙ୍କରେ ବେଶୀ ପଶୁବଳି ଦିଆଯାଏ। ମୁଁ ସେଠି ଏକ ଗାଁରେ ନୀଳ ଚାଷୀମାନଙ୍କର ତଥ୍ୟ ସଂଗ୍ରହ ପାଇଁ ଥିବାବେଳେ ଏପରି ଏକ ବଳି ପ୍ରଥାର ଦୃଶ୍ୟ ଦେଖିଥିଲି। କିଛି ଲୋକ ଗୋଟିଏ ଛେଳିକୁ ଫୁଲ ମାଳ ପିନ୍ଧାଇ, ବାଜା ବଜାଇ ତାକୁ ବଳି ଦେବାକୁ ଦିଅଁଙ୍କ ପାଖକୁ ଆଣିଥିଲେ। ମୁଁ ସେ ଦେବୀ ପୀଠକୁ ଯାଇଥିଲି। ତାକୁ ବିରୁଦ୍ଧ କରିଥିଲି। ପୂଜାରୀଙ୍କ ସହ ଅନ୍ୟମାନେ କିନ୍ତୁ ଯୁକ୍ତି କରି କହିଥିଲେ, ବଳି ଦେଲେ ଦେବୀ ସନ୍ତୁଷ୍ଟ ହେବା କଥା ଧର୍ମଶାସ୍ତ୍ରରେ ଲେଖାଅଛି। ମୁଁ ତାଙ୍କୁ କହିଥିଲି, କେଉଁ ଧର୍ମଶାସ୍ତ୍ର ଜୀବହତ୍ୟା କଥା କହିନି। ମୁଁ ତାଙ୍କୁ ପ୍ରସ୍ତାବ ଦେଲି, ମୋତେ ଦେବୀଙ୍କ ପାଖରେ ବଳି ଦିଅ। ମୁଁ ରାଜି ଅଛି। ଏ ନିରୀହ ଛେଳିଠାରୁ ମୋ ରକ୍ତ ନିଶ୍ଚୟ ଭଲ। ମୁଁ ଜଣେ ନିରାମିଷାଶୀ। ମଦ କିମ୍ବା କୌଣସି ନିଶା ଖାଏନି। ମୋ ରକ୍ତରେ ଦେବୀ ନିଶ୍ଚୟ ସନ୍ତୁଷ୍ଟ ହେବେ। ବଳି ସେଦିନ ବନ୍ଦ ହୋଇଥିଲା। କେବଳ ଚମ୍ପାରଣ କାହିଁକି, କଲିକତା ସମେତ ଭାରତ ଅଧିକାଂଶ ସ୍ଥାନରେ ଏଇ ପଶୁ ବଳିପ୍ରଥା ଅଛି।
ଗାନ୍ଧୀ ସ୍ପଷ୍ଟ କରିଦେଇଥିଲେ ଯେ ଆଧୁନିକତାର ଦ୍ୱାହି ଦେଇ ସବୁ ପ୍ରାଚୀନ ପରମ୍ପରାକୁ କୁପ୍ରଥା କହିବା ମଧ୍ୟ ଠିକ୍ ନୁହେଁ। ସତ୍ୟ ବି ଏକ ପ୍ରାଚୀନତମ ବିଚାର। ଏହା କିନ୍ତୁ କୁପ୍ରଥା ନୁହେଁ।
ଗାନ୍ଧୀଜୀଙ୍କୁ ଶେଷ ପ୍ରଶ୍ନ ଥିଲା, ‘ବାପୁ, ଅନ୍ଧବିଶ୍ୱାସ, କୁପ୍ରଥା, କୁସଂସ୍କାର ବନ୍ଦ ହେବ କେମିତି’? ଗାନ୍ଧୀଜୀଙ୍କ ଉତ୍ତର ଥିଲା, ‘ଇଂରେଜ ଶାସନ ବିରୁଦ୍ଧରେ ଆମେ ଯେମିତି ଅସହଯୋଗ କରୁଛେ, ଠିକ୍ ସେପରି ଏଇ ଅନ୍ଧବିଶ୍ୱାସ, କୁପ୍ରଥା ବିରୁଦ୍ଧରେ ଅସହଯୋଗ କରିବା ଉଚିତ। ବାଲ୍ୟ ବିବାହ ବିରୁଦ୍ଧରେ ସଂଗ୍ରାମ ଆହୁରି ତୀବ୍ର ହେବା ଦରକାର।
ବ୍ୟକ୍ତିଗତ ଜୀବନଶୈଳୀ ଶୁଦ୍ଧ ଓ ଶୃଙ୍ଖଳିତ ହୋଇଗଲେ ଅନ୍ଧବିଶ୍ୱାସ ଆପେଆପେ ଅପସରି ଯିବ ବୋଲି ଗାନ୍ଧୀଜୀଙ୍କର ଶେଷ ମନ୍ତବ୍ୟ ଥିଲା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୪୬୯୩୨୮