୧୯୩୨ ମସିହାରେ ଗାନ୍ଧୀଜୀ ୟେରୱାଡ଼ା ଜେଲ୍ରେ ଥିବାବେଳେ ମୀରା ବେନ୍ଙ୍କ ଠାରୁ ଏକ ଚିଠି ପାଇଥିଲେ। ତାଙ୍କର ଦେହ କେମିତି ଅଛି ଓ ହାତ ବିନ୍ଧା କମିଛି କି ନାହିଁ ବୋଲି ମୀରା ଚିଠିରେ ପଚାରିଥିଲେ। ଜେଲ୍ ଆସିବା ବେଳେ ଗାନ୍ଧୀଙ୍କର ଦେହ ଭଲ ନ ଥିଲା। ତାଙ୍କ ଡାହାଣ ହାତ ବିନ୍ଧୁଥିଲା।
ଚିଠିର ଉତ୍ତର ଦେଇ ୧୯୩୨ ଏପ୍ରିଲ ୮ ତାରିଖରେ ଗାନ୍ଧୀ ଏକ ଚିଠି ଦେଲେ ମୀରାଙ୍କ ପାଖକୁ। ଉତ୍ତରରେ ଥିଲା, ‘ଶ୍ରଦ୍ଧେୟା ମୀରା, ମୋ ହାତ ବିନ୍ଧା କମି ନାହିଁ। ବିନ୍ଧି ବିନ୍ଧି ହାତ ବଧିରା ହୋଇଯାଉଛି। ଅଚଳ ହେଲା ପରି ଲାଗୁଛି। ସେ ହାତରେ କିଛି କାମ କରି ହେଉନି। ମୁଁ କିନ୍ତୁ ଏଥିରେ ଦୁଃଖିତ କିମ୍ବା ଆଶ୍ଚର୍ଯ୍ୟ ହେଉନି। ଏହା ବାର୍ଦ୍ଧକ୍ୟର ସଂକେତ। ବାର୍ଦ୍ଧକ୍ୟ ଏମିତି ଅତର୍କିତ ଭାବେ ଆସିଥାଏ। ବେଳେବେଳେ ଏମିତି କିଛି ଅକ୍ଷମତା ବି ଦେଖାଦିଏ। ଏଥିପାଇଁ ବ୍ୟସ୍ତ ହେବା ଦରକାର ନାହିଁ। ସତର୍କ ରହିବା କିନ୍ତୁ ଜରୁରି।’
ଗାନ୍ଧୀଜୀ ପୁଣି ଲେଖିଥିଲେ, ‘ମୀରା, ଏ ଶରୀର ଈଶ୍ୱରଙ୍କ ଦାନ। ଜନସେବା ପାଇଁ ଈଶ୍ୱର ଆମକୁ ଏହା ଦେଇଛନ୍ତି। ମଣିଷ ଶରୀର ହେଉଛି ଈଶ୍ୱରଙ୍କ ମନ୍ଦିର। ବିଜ୍ଞତା ଓ ଅନୁଭୂତିରେ ପୂର୍ଣ୍ଣ ବାର୍ଦ୍ଧକ୍ୟ ବି ସେବା ପାଇଁ ଉଦ୍ଦିଷ୍ଟ। ଠିକ୍ ଏକ ପାଚିଲା ସ୍ୱାଦିଷ୍ଠ ଫଳ ପରି। ଅନେକ ଫଳ ପାଚିଲେ ସୁନ୍ଦର ଓ ସ୍ୱାଦଯୁକ୍ତ ହୋଇଥାଆନ୍ତି। ଏ ଜାତୀୟ ଫଳରେ ସେତେବେଳେ ଫଳର ସମସ୍ତ ଉତ୍ତମ ଗୁଣ ଭରି ରହିଥାଏ।’
ପୂର୍ବରୁ ଗାନ୍ଧୀଜୀ ତାଙ୍କର ଅନେକ ବ୍ୟକ୍ତିଗତ କଥାବର୍ତ୍ତା ବେଳେ ଦେଶସେବା ପାଇଁ ସେ ଯେ ଏକ ଦୀର୍ଘ ଜୀବନ, ନିର୍ଦ୍ଦିଷ୍ଟ ଭାବେ ୧୨୫ ବର୍ଷ ବଂଚିବାକୁ ଚାହାନ୍ତି, ପ୍ରକାଶ କରିଥିଲେ। ସେତେବେଳେ ତାଙ୍କର ଏଇ ଇଚ୍ଛା ଉପରେ କିଛି ବିତର୍କ ହୋଇ ନ ଥିଲା। ୧୯୪୨ ମସିହା ଅଗଷ୍ଟ ୮ ତାରିଖ ଭାରତଛାଡ଼ ପରିପ୍ରେକ୍ଷୀରେ ହୋଇଥିବା ଏଆଇସିସି ବୈଠକରେ ଗାନ୍ଧୀ ଯେତେବେଳେ ସ୍ୱରାଜ ପାଇଁ ୧୨୫ ବର୍ଷର ପୂର୍ଣ୍ଣ ଜୀବନ ଚାହାନ୍ତି ବୋଲି ପ୍ରକାଶ କଲେ, ଏହା ସେତେବେଳେ ଆଲୋଚନାକୁ ଆସିଥିଲା। ଗାନ୍ଧୀଜୀ କାହିଁକି ଓ କେମିତି ୧୨୫ ବର୍ଷ ବଂଚିବେ ବୋଲି ପ୍ରଶ୍ନ ହୋଇଥିଲା। ୧୯୪୫ ମସିହା ଜୁନ୍ ୧୨ ତାରିଖ ଏକ ସାମ୍ବାଦିକ ସମ୍ମିଳନୀରେ ୟୁନାଇଟେଡ୍ ପ୍ରେସ୍ର ସାମ୍ବାଦିକ ଏଇ ପ୍ରଶ୍ନ ଦୋହରାଇ ଗାନ୍ଧୀଙ୍କଠାରୁ ସ୍ପଷ୍ଟ ଉତ୍ତର ଚାହିଥିଲେ। ସେଦିନ ଗାନ୍ଧୀଜୀଙ୍କ ଉତ୍ତର ଥିଲା- ‘ମୁଁ ସ୍ପଷ୍ଟ କରିଦିଏ, ୧୨୫ ବର୍ଷ ପର୍ଯ୍ୟନ୍ତ ଯେ ଏକ ସକ୍ଷମ ଜୀବନଯାପନ କରି ହେବ, ଏ ଚିନ୍ତା ମୋର ମୂଳ ଚିନ୍ତା ନୁହଁ। ଏହା ଇଶୋପନିଷଦର ଦ୍ବିତୀୟ ମନ୍ତ୍ରରେ ଅଛି। ଟୀକାକାରମାନେ ଏହାର ଅର୍ଥ କରି ୧୨୦ରୁ ୧୨୫ ବର୍ଷ ମଣିଷ ଜୀବନର ଅବଧି ବୋଲି ବ୍ୟାଖ୍ୟା କରନ୍ତି। ମୁଁ ତେଣୁ ସର୍ବାଧିକ ୧୨୫ ବର୍ଷ ବଂଚିବାର କାମନା କରିଛି।’
ଗାନ୍ଧୀଜୀ ସେଦିନ ସ୍ପଷ୍ଟ ସୂଚେଇଦେଲେ, ‘ଆମ ଉପନିଷଦ କେବେ ନିରର୍ଥକ କଥା କହେନି। ମୁଁ ଜଣେ ସତ୍ୟାଗ୍ରହୀ ଭାବେ ହାଲ୍କା ମନ୍ତବ୍ୟଟିଏ ବି ଦେଇନି। ୧୨୫ ବର୍ଷର ଏକ ଦୀର୍ଘ ଜୀବନ ଜିଇଁବା ମୋର ଏକ ଗମ୍ଭୀର ଇଚ୍ଛା। ତିନି ମାସ ତଳେ ନିଖିଳ ଭାରତୀୟ ବୁଣାକାର ସଂଘ ସମ୍ମିଳନୀରେ ମୁଁ ଏକଥା କହିସାରିଛି। କିନ୍ତୁ ସତ କଥା ହେଲା, ବାର୍ଦ୍ଧକ୍ୟକୁ ସ୍ବଚ୍ଛନ୍ଦରେ ଅତିବାହିତ କରିବା ଏତେ ସହଜ ନୁହେଁ। ଏଥିରେ ଏକ ପ୍ରତିବନ୍ଧ ଥାଏ। ସେ ପ୍ରତିବନ୍ଧ ହେଉଛି ମୃତ୍ୟୁର ଭୟ, ଯାହା ମାନସିକ ଚାପ ଓ ଆଭ୍ୟନ୍ତରୀଣ ଅସ୍ଥିରତା ସୃଷ୍ଟି କରିଥାଏ। ସେଇ ଚାପ ଓ ଭୟରୁ ମୁକ୍ତି ପାଇଁ ମୁଁ ପ୍ରାର୍ଥନା କଥା କହିଛି; କର୍ତ୍ତବ୍ୟ ପାଳନ କଥା କହିଛି। ଲୋକଙ୍କ ସହ ମିଶିବା କଥା ବାରମ୍ବାର କହିଛି। ଏବଂ ୧୯୨୦ ଦଶକରୁ ମୁଁ ନିରନ୍ତର ଭାବେ ରଚନାତ୍ମକ କାର୍ଯ୍ୟରେ ବ୍ୟସ୍ତ ରହିବାକୁ ପରାମର୍ଶ ଦେଇ ଆସୁଛି। ସ୍ୱାଧୀନତା ମିଳିଗଲେ ବି ରଚନାତ୍ମକ କାର୍ଯ୍ୟ ଜାରି ରହିବ। ଅସ୍ପୃଶ୍ୟତା ଦୂରୀକରଣ, ନିଶା ନିବାରଣ, ନାରୀ ସୁରକ୍ଷା, ସାମ୍ପ୍ରଦାୟିକ ସଂହତି ପାଇଁ ଅଭିଯାନ ଚାଲିବ। ଏ ସବୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟକ୍ରମ ନୁହେଁ, ଏହା ନିରନ୍ତର ପ୍ରକ୍ରିୟା। ବୟସ୍କ, ଯୁବକ ସମସ୍ତଙ୍କର ଏ କାର୍ଯ୍ୟକ୍ରମ।’
୧୯୧୩ ଏପ୍ରିଲ ୫ ତାରିଖରେ ‘ଇଣ୍ଡିଆନ୍ ଓପିନିଅନ୍’ ପତ୍ରିକାରେ ପ୍ରକାଶିତ ଏକ ପ୍ରବନ୍ଧର ଉଲ୍ଲେଖ କରି ସାମ୍ବାଦିକଙ୍କୁ ଗାନ୍ଧୀଜୀ କହିଲେ, ‘ମୁଁ ଦୀର୍ଘ ଜୀବନ ପାଇଁ ବୟସ୍କଙ୍କ ନିମନ୍ତେ ଏଇ ଲେଖାରେ କିଛି ପରାମର୍ଶ ଦେଇଥିଲି। ସେ ପରାମର୍ଶ ହେଉଛି, ଦିନଚର୍ଯ୍ୟା ତଥା ଆହାର ଭୋଜନରେ ନିୟନ୍ତ୍ରଣ। ଜଣେ ପତ୍ରପ୍ରେରକ ମୋତେ ପ୍ରଶ୍ନ କରିଥିଲେ: ବାପୁ, ବୟସ୍କ ନାଗରିକଙ୍କ ଖାଦ୍ୟାଭ୍ୟାସ କେମିତି ହେବା ଉଚିତ? ତା’ର ଉତ୍ତରରେ ମୁଁ କହିଥିଲି: ଗୋଟିଏ ନିର୍ଦ୍ଦିଷ୍ଟ ବୟସ ପରେ ମଣିଷ ଶରୀରର ଆଉ ଅଭିବୃଦ୍ଧି ହୁଏନି। ଆମେ ଯେଉଁ ପାରମ୍ପରିକ ଭାବେ ଅତ୍ୟଧିକ ଖାଦ୍ୟ ଖାଉଛୁ ତା’ର ୯୯% ଶରୀର ପାଇଁ ସେବେ ଆବଶ୍ୟକ ନଥାଏ। ତେଣୁ ଅଳ୍ପ ଖାଦ୍ୟ ଖାଇବାକୁ ଓ ସନ୍ଧ୍ୟା ପୂର୍ବରୁ ଥରେ ଖାଇବାକୁ ମୁଁ କହିଛି। ରାତିରେ ଭୋଜି ଖାଇବାକୁ ମନା କରିଛି ଏବଂ ନିୟମିତ ବ୍ୟବଧାନରେ ଉପବାସ ରହିବାକୁ ପରାମର୍ଶ ଦେଇଛି।’
ଗାନ୍ଧୀ ସାମ୍ବାଦିକଙ୍କୁ କହି ଦେଇଥିଲେ, ‘ଯେହେତୁ ମୁଁ ପ୍ରାକୃତିକ ଚିକିତ୍ସା ଉପରେ ବିଶ୍ୱାସ କରେ, ମୁଁ ତେଣୁ ସାମୟିକ ଉପବାସକୁ ସୁସ୍ଥ ଶରୀର ଉପଚାର ଓ ରୋଗ ପ୍ରତିଷେଧକ ଭାବେ ଗ୍ରହଣ କରେ। ପ୍ରତ୍ୟେକ ଧର୍ମରେ ଉପାସ, ରୋଜା କଥା ବି ଅଛି। ଆମ ମୁନି, ଋଷିମାନେ ବି ଉପବାସର ଉପକାର କଥା କହି ଯାଇଛନ୍ତି। କମ୍ ଖାଇବା ଓ ପୁଷ୍ଟିକର ଖାଦ୍ୟ ଖାଇବା ସମ୍ପର୍କରେ କୁହାଯାଇଛି। କିନ୍ତୁ ବହୁ ଥର ଖାଇବା ଏକ ବ୍ରିଟିସ୍ ଅଭ୍ୟାସ। ଦିନକେ ସର୍ବାଧିକ ମାତ୍ର ଦୁଇ ଥର ଖାଇବା ଉଚିତ ବୋଲି ଇଂଲାଣ୍ଡ୍, ଆମେରିକାରେ କିଛି ସ୍ବେଚ୍ଛାସେବୀ ସଂସ୍ଥା ଏବେ ଅଭିଯାନ ଆରମ୍ଭ କରିଦେଲେଣି।’
ଗାନ୍ଧୀଙ୍କ ଭାଷଣର ଶେଷ ଅଂଶ ସେଦିନ ବେଶ୍ ଆବେଗପୂର୍ଣ୍ଣ ଥିଲା। ଗାନ୍ଧୀ କହିଥିଲେ, ‘ମୁଁ ୧୨୫ ବର୍ଷ ବଞ୍ଚିପାରିବି କି ନା ଜାଣେନି। ମୁଁ କିନ୍ତୁ ପ୍ରକୃତିର ସ୍ୱାଭାବିକ ପ୍ରକ୍ରିୟା ଓ ନିୟମକୁ ମାନି ଏଥିନେଇ ଉଦ୍ୟମ କରୁଛି, କାରଣ ମୁଁ ମୋର କାର୍ଯ୍ୟ ସ୍ଥିର କରିସାରିଛି ଏବଂ ବୟସର ଅଭିଜ୍ଞତା, ଅନୁଭୂତି ଓ ପ୍ରଜ୍ଞାର ପ୍ରୟୋଗ ଏଥିରେ କରିବାକୁ ଚାହୁଛି। ବାର୍ଦ୍ଧକ୍ୟ ମୋ ପାଇଁ ବୋଝ ନୁହେଁ, ଏହା ଏକ ସଂଚିତ ସମ୍ମାନଯୋଗ୍ୟ ସମ୍ପଦ।’
ମୋ: ୯୮୬୧୪୬୯୩୨୮
ଗାନ୍ଧୀ ଦୃଷ୍ଟି: ବାର୍ଦ୍ଧକ୍ୟ ବୋଝ ନୁହେଁ, ସମ୍ପଦ
୧୯୩୨ ମସିହାରେ ଗାନ୍ଧୀଜୀ ୟେରୱାଡ଼ା ଜେଲ୍ରେ ଥିବାବେଳେ ମୀରା ବେନ୍ଙ୍କ ଠାରୁ ଏକ ଚିଠି ପାଇଥିଲେ। ତାଙ୍କର ଦେହ କେମିତି ଅଛି ଓ ହାତ ବିନ୍ଧା କମିଛି କି ନାହିଁ ବୋଲି ମୀରା ଚିଠିରେ ପଚାରିଥିଲେ। ଜେଲ୍ ଆସିବା ବେଳେ ଗାନ୍ଧୀଙ୍କର ଦେହ ଭଲ ନ ଥିଲା।