୧୯୪୬ ମସିହା ଏପ୍ରିଲ ମାସରେ ଗାନ୍ଧୀଜୀ ସେବାଗ୍ରାମ ଛାଡ଼ି କାବିନେଟ ମିସନଙ୍କ ସହ ସାକ୍ଷାତ୍‌ ପାଇଁ ଦିଲ୍ଲୀ ଆସିବା ପରେ ଆଉ ସେବାଗ୍ରାମ ଫେରି ନଥିଲେ। ଅନ୍ତରୀଣ ସରକାର ଗଠନ, ନୂଆଖାଲି ଦଙ୍ଗା, ଦେଶ ବିଭାଜନ, ଭାରତ ସ୍ୱାଧୀନତା, ଏପରି କ୍ରମାଗତ ଭାବେ ଘଟି ଯାଇଥିବା ଅନେକ ଘଟଣା ଭିତରେ ସେ ବ୍ୟସ୍ତ ରହି ଯାଇଥିଲେ। ଆଶ୍ରମକୁ ଫେରିବାର ତେଣୁ ଅବସର ନ ଥିଲା। ୧୯୪୮ ମସିହା ଜାନୁଆରି ୨୦ ତାରିଖରେ ବିରଳା ଭବନର ପ୍ରାର୍ଥନା ସଭାରେ ମଦନଲାଲ ଦ୍ୱାରା ବୋମା ବିସ୍ଫୋରଣ ପରେ ଗାନ୍ଧୀଜୀ ନିଷ୍ପତ୍ତି ନେଇଥିଲେ ଯେ ସେ ୧୯୪୮ ମସିହା ଜାନୁଆରି ୩୧ରେ ସେବାଗ୍ରାମ ଫେରିଯିବେ; ଆଶ୍ରମରେ ସେଠି ସେ କିଛି ଦିନ ବିଶ୍ରାମ ନେବେ। ଏବଂ ପରେ ପାକିସ୍ତାନ ଯାଇ ଲାହୋର, କରାଚି ଏବଂ ସିନ୍ଧରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ବିରୋଧରେ ପଦଯାତ୍ରା କରିବେ। ମହମ୍ମଦ ଅଲ୍ଲି ଜିନ୍ନା ଏ ପଦଯାତ୍ରାରେ ସାମିଲ ହେବେ ବୋଲି ସମ୍ମତି ଦେଇଥିଲେ। ପଦଯାତ୍ରା ପାଇଁ ପାକିସ୍ତାନ ସରକାରଙ୍କଠାରୁ ତୁରନ୍ତ ଅନୁମତି କିନ୍ତୁ ମିଳି ନ ଥିଲା। ଗାନ୍ଧୀ ତେଣୁ ଅନୁମତି ଅପେକ୍ଷାରେ ଥିଲେ।

Advertisment

ଅଥଚ ଦିଲ୍ଲୀ ଛାଡ଼ିବାର ନିର୍ଦ୍ଧାରିତ ଗୋଟିଏ ଦିନ ପୂର୍ବରୁ, ଅର୍ଥାତ୍‌ ୧୯୪୮ ମସିହା ଜାନୁଆରି ୩୦ ତାରିଖ ସନ୍ଧ୍ୟାରେ ବିରଳା ହାଉସରେ ପ୍ରାର୍ଥନା ସଭାକୁ ଗାନ୍ଧୀଜୀ ଗଲା ବେଳେ ନାଥୁରାମ ଗଡ଼ସେ ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଦେଲା। ଗାନ୍ଧୀ ହତ୍ୟା ମାମଲାରେ ନାଥୁରାମ ସମେତ ସମସ୍ତ ଅଭିଯୁକ୍ତଙ୍କ ବିଚାର ହୋଇଥିଲା ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ। ନିଜ ସପକ୍ଷରେ କହିବାକୁ ନାଥୁରାମକୁ ସୁଯୋଗ ଦିଆଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣ ସହ ବିଚାର ପରେ ନାଥୁରାମ ଏବଂ ତା’ର ଅନ୍ୟ ଜଣେ ସାଥୀ ନାରାୟଣ ଅପ୍ତେକୁ ଫାଶୀ ଦଣ୍ଡ ମିଳିଥିଲା। ଫାଶୀ ଦଣ୍ଡକୁ ପଞ୍ଜାବ ହାଇକୋର୍ଟ କାଏମ ରଖିଥିଲେ। ହତ୍ୟାକାରୀଙ୍କ ଅପିଲକୁ ମଧ୍ୟ ପ୍ରିଭି କାଉନସିଲ ବିଚାର ନିମନ୍ତେ ଗ୍ରହଣ କରି ନଥିଲେ। ସ୍ୱାଧୀନ ଭାରତର ନ୍ୟାୟ ପ୍ରକ୍ରିୟାରେ ଏହା ପ୍ରଥମ ଏକ ଗୁରୁତ୍ୱପୂର୍ଣ୍ଣ ମକଦ୍ଦମା ଥିଲା। ନାଥୁରାମର ଫାଶୀ ନିମନ୍ତେ ପ୍ରସ୍ତୁତି ଚାଲିଥିବା ବେଳେ ଗାନ୍ଧୀଜୀଙ୍କ ତୃତୀୟ ପୁତ୍ର ରାମଦାସଙ୍କ ଦୁଇଟି ଚିଠି ବେଶ୍ ଚର୍ଚ୍ଚାକୁ ଆସିଥିଲା। ରାମଦାସଙ୍କର ପ୍ରଥମ ଚିଠି ଥିଲା ଭାରତର ତତ୍କାଳୀନ ପ୍ରଥମ ଓ ଶେଷ ଗଭର୍ନର ଜେନେରାଲ ସି. ରାଜଗୋପାଳାଚାରୀଙ୍କ ପାଖକୁ। ରାମଦାସ ତାଙ୍କ ଚିଠିରେ ଗଭର୍ନର ଜେନେରାଲଙ୍କୁ ପ୍ରାର୍ଥନା କରି ଲେଖିଥିଲେ, ‘ନାଥୁରାମକୁ ମୃତ୍ୟୁ ଦଣ୍ଡରୁ ମୁକ୍ତ କରାଯାଉ। କାରଣ ବାପୁଜୀ ମୃତ୍ୟୁ ଦଣ୍ଡ ସପକ୍ଷରେ ନ ଥିଲେ। ମୃତ୍ୟୁ ଦଣ୍ଡର ଉଚ୍ଛେଦ ସେ ଚାହୁଁଥିଲେ। ବାପୁଙ୍କ ଯୁକ୍ତି ଥିଲା, ଅନ୍ୟ ଦଣ୍ଡରେ ସଂଶୋଧନର ସୁଯୋଗ ଥାଏ, କିନ୍ତୁ ମୃତ୍ୟୁଦଣ୍ଡରେ ତାହା ନ ଥାଏ।

ସେଥିରେ ରାମଦାସ ପୁଣି ଲେଖିଥିଲେ: ନାଥୁରାମ ଏବଂ ତାଙ୍କ ସାଥୀମାନେ ଆଦରି ନେଇଥିବା ହିଂସାରେ ଉଭୟ ଭାରତ ଏବଂ ହିନ୍ଦୁ ଧର୍ମର କିଛି ଲାଭ ହେବନାହିଁ। ସୁତରାଂ ସେମାନଙ୍କୁ ଏକ ସୁଧାର ଗୃହ ବା ପଶ୍ଚାତ୍ତାପ ଗୃହ (ପେନିଟେନିସିଆରି)ରେ ରଖି ପ୍ରାୟଶ୍ଚିତ୍ତ କରିବାର ସୁଯୋଗ ମିଳିବା ଉଚିତ।
ରାମଦାସଙ୍କ ଦ୍ବିତୀୟ ଚିଠି ନାଥୁରାମ ଗଡ଼ସେ ପାଖକୁ ଥିଲା। ରାମଦାସ ଲେଖିଥିଲେ: ‘ଭାଇ ନାଥୁରାମ, ତମେ ନିଜକୁ ଖୁବ୍ ତାର୍କିକ ଏବଂ ନ୍ୟାୟବନ୍ତ ବୋଲି ଦାବି କରୁଛ। ସାରା ଜୀବନ ଶାନ୍ତି ଓ ଅହିଂସା ପ୍ରତି ଉତ୍ସାର୍ଗୀକୃତ ଥିବା ଜଣେ ବ୍ୟକ୍ତିକୁ ହତ୍ୟା କରିବା କେତେ ଦୂର ନ୍ୟାୟୋଚିତ, ତମେ ଜାଣ। ଦୁର୍ଭାଗ୍ୟ ଯେ ତମେ ହତ୍ୟା କରି ଗର୍ବ ଅନୁଭବ କରୁଛ। ମୁଁ କିନ୍ତୁ ତୁମର ମୁକ୍ତି ପାଇଁ ମହାମହିମ ଗଭର୍ନର ଜେନେରାଲଙ୍କୁ ଆବେଦନ କରିଛି ଏବଂ ଦଣ୍ଡ ଲାଘବ କରିବାର କାରଣ ଦେଇଛି। ମୁଁ ତୁମକୁ ଜେଲରେ ସାକ୍ଷାତ୍‌ କରିବାକୁ ବି ସରକାରଙ୍କ ଠାରୁ ଅନୁମତି ମାଗିଛି। ତୁମ ସହ ସାକ୍ଷାତ୍‌ ପାଇଁ ମୁଁ ବହୁତ ଆଗ୍ରହୀ। ମୁଁ ମୋ ବାପାଙ୍କ ହତ୍ୟାକାରୀର ମୁହଁରୁ ହତ୍ୟା ପାଇଁ ଅନୁତାପ କରୁଥିବାର କଥା ଶୁଣିବାକୁ ଚାହେଁ, ଯଦିଓ ଏ ଆଶା ନିରର୍ଥକ ବୋଲି ମଧ୍ୟ ମୁଁ ଜାଣେ। ତମେ ନିଜକୁ ଈଶ୍ୱରଙ୍କ ନିକଟରେ ସମର୍ପି ଦିଅ, ଭଲ ହେବ। ଭାରତ ମାତା ଓ ହିନ୍ଦୁ ଧର୍ମର ପ୍ରକୃତ ସୁରକ୍ଷା ପାଇଁ ଏଇଆ ହିଁ ଶୁଭଙ୍କର ହେବ।’

ରାମଦାସଙ୍କ ଚିଠିର ଶେଷ କଥା ଥିଲା, ‘ଜେଲରେ ସାକ୍ଷାତ୍‌ ପରେ ଆମେ ଦୁଇ ଜଣ ଏକାଠି ବସି ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟର ଶ୍ଳୋକ ୭୩ ଆବୃତ୍ତି କରିବା, ଯେଉଁଠି ଯୁଦ୍ଧ କ୍ଷେତ୍ରରେ ସମସ୍ତ ପ୍ରବଚନ ଶୁଣିବା ପରେ ଅର୍ଜୁନ ଭଗବାନଙ୍କ ନିକଟରେ ନିଜକୁ ସମର୍ପି ଦେଇ କହିଥିଲେ- ‘ନଷ୍ଟୋ ମୋହଃ ସ୍ମୃତିର୍ଲବ୍‌ଧା ତ୍ବତ୍ ପ୍ରସାଦାନ୍ମୟାଚ୍ୟୁତ, ସ୍ଥିତୋସ୍ନି ଗତସନ୍ଦେହଃ କରିଷ୍ୟେ ବଚନଂ ତବ।’ ଅର୍ଥାତ୍‌ ହେ ଅଚ୍ୟୁତ, ଆପଣଙ୍କ କୃପାରୁ ମୋର ମୋହ ନଷ୍ଟ ହୋଇଗଲା ଏବଂ ମୁଁ ସ୍ମୃତି ପ୍ରାପ୍ତ ହେଲି। ମୁଁ ସନ୍ଦେହ ରହିତ ହୋଇ ସ୍ଥିତ ହୋଇଛି। ଏବେ ମୁଁ ଆପଣଙ୍କର ଆଜ୍ଞା ପାଳନ କରିବି। ପ୍ରଖ୍ୟାତ ଐତିହାସିକ ରବର୍ଟ ପାଇନ୍ ରାମଦାସଙ୍କ ଏହି ପତ୍ରାଳାପକୁ ତାଙ୍କ ବହୁଚର୍ଚ୍ଚିତ ପୁସ୍ତକ ‘ଦି ଲାଇଫ ଆଣ୍ଡ ଡେଥ୍ ଅଫ୍ ମହାତ୍ମା ଗାନ୍ଧୀ’ରେ ଲିପିବଦ୍ଧ କରିଛନ୍ତି। ନାଥୁରାମ ସହ ରାମଦାସଙ୍କ ସାକ୍ଷାତ୍‌ ସମ୍ପର୍କରେ ସରକାରୀ ଅନୁମତି ନେଇ ବି ବେଶ୍ କଥା ଚର୍ଚ୍ଚାକୁ ଆସିଥିଲା। ନେହରୁ ଓ ସର୍ଦ୍ଦାର ପଟେଲଙ୍କ ଭିତରେ ଏଥି ନେଇ ଅନେକ ପତ୍ର ବିନିମୟ ହୋଇଥିଲା। ଉଭୟଙ୍କ ମତ ଥିଲା ଯେ ଯେଉଁ ହତ୍ୟାକାରୀ ଜଘନ୍ୟ ଅପରାଧ କରି ସେଥିରେ ଅନୁତପ୍ତ ନହୋଇ ଗର୍ବ ଅନୁଭବ କରୁଛି, ତା’ ସହ ରାମଦାସ ସାକ୍ଷାତ୍‌ କରି ତାକୁ ଅହିଂସା ଧର୍ମରେ ଦୀକ୍ଷିତ କରିବାର ଇଚ୍ଛା କେମିତି ଏକ ଅବାସ୍ତବ କଳ୍ପନା ପରି ଲାଗୁଛି। ଦୁର୍ଗାଦାସଙ୍କ ସଂକଳିତ ‘ପଟେଲସ କରେସ୍ପଣ୍ଡେନ୍‌ସ’ (ପଟେଲଙ୍କ ଚିଠିପତ୍ର) ଅଷ୍ଟମ ଖଣ୍ଡରେ ଏହାର ଉଲ୍ଲେଖ ରହିଛି। ନାଥୁରାମର ରାଜକ୍ଷମା ପାଇଁ ରାମଦାସଙ୍କ ପ୍ରାର୍ଥନାକୁ ଗଭର୍ନର ଜେନେରାଲ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ଏବଂ ନାଥୁରାମ ସହ ସାକ୍ଷାତ୍‌ ପାଇଁ ରାମଦାସଙ୍କୁ ମଧ୍ୟ ଭାରତ ସରକାର ଅନୁମତି ଦେଇ ନଥିଲେ।

୧୯୩୪ ମସିହାରୁ ଗାନ୍ଧୀଙ୍କ ଉପରେ ଅନେକ ଥର ଆକ୍ରମଣ ଉଦ୍ୟମ ହୋଇଥିଲା। ସେତେବେଳେ ଭାରତ ବିଭାଜନ ପ୍ରଶ୍ନ ଆସି ନଥିଲା ଏବଂ ଗାନ୍ଧୀ କେବଳ ସତ୍ୟାଗ୍ରହ ଓ ଅସ୍ପୃଶ୍ୟତା ତଥା ନିଶା ନିବାରଣ ପରି ରଚନାତ୍ମକ କାର୍ଯ୍ୟରେ ବ୍ୟସ୍ତ ଥିଲେ। ସେ ସବୁ ଘଟଣାରେ ନାଥୁରାମ ସମ୍ପୃକ୍ତ ଥିଲା। ୧୯୪୬ ମସିହା ଜୁନ୍ ୨୯ ତାରିଖରେ ଗାନ୍ଧୀଙ୍କ ଉପରେ ଏକ ସାଂଘାତିକ ଆକ୍ରମଣ ପରେ ଜୁନ୍ ୩୦ ତାରିଖ ପୁନାରେ ଗାନ୍ଧୀଜୀଙ୍କ ଏକ ଆବେଗିକ ମନ୍ତବ୍ୟ ଥିଲା, ‘ଈଶ୍ୱର ମୋତେ ବହୁ ଥର ମୃତ୍ୟୁମୁଖରୁ ବଂଚେଇ ସାରିଲେଣି। ମୁଁ କେବେ କାହାର କିଛି କ୍ଷତି କରିନାହିଁ। ମୋର ଯେ କିଏ ଶତ୍ରୁ ଅଛନ୍ତି, ମୁଁ ଭାବେ ନାହିଁ। ମୁଁ ଜାଣି ପାରୁନାହିଁ, ମୋ ଜୀବନ ନେବାକୁ ଲୋକେ ଏତେ ଇଚ୍ଛୁକ କାହିଁକି! ମୁଁ ଏକ ଆଦର୍ଶ ଓ ବିଚାର ନେଇ ବଂଚିଛି। ଅହିଂସାକୁ ମୋର ଧର୍ମ କରି ନେଇଛି।’
୧୯୪୮ ମସିହା ଜାନୁଆରି ୩୦ ତାରିଖରେ ଆତତାୟୀର ତିନିଟି ଗୁଳି ଗାନ୍ଧୀଜୀଙ୍କୁ ହତ୍ୟା କରିଦେଲା ସତ, ଗାନ୍ଧୀ କିନ୍ତୁ ବଞ୍ଚିଛନ୍ତି। କାରଣ ଗାନ୍ଧୀ ଏକ ବିଚାର।
ମୋ: ୯୮୬୧୪୬୯୩୨୮