ଗୌରାଙ୍ଗ ଚରଣ ପରିଡ଼ା

Advertisment

୧୯୨୧ ମସିହା ପର୍ଯ୍ୟନ୍ତ ଗାନ୍ଧୀଜୀ କେବେ ଓଡ଼ିଶା ଆସି ନ ଥିଲେ। ମା’ ପୁତୁଲି ବାଈଙ୍କ ଠାରୁ କିନ୍ତୁ ଓଡ଼ିଶା ଓ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଶୁଣିଥିଲେ। ପୁତୁଲି ବାଈ କହିଥିଲେ, ଓଡ଼ିଶା ହେଉଛି କୀର୍ତ୍ତିରାଜିରେ ପୂର୍ଣ୍ଣ ଜଗନ୍ନାଥଙ୍କ ଭୂଇଁ। ଏବଂ ପୁରୀ ହେଉଛି ସାଂସ୍କୃତିକ ସମନ୍ବୟର ପୁଣ୍ୟପୀଠ। ପୁତୁଲିବାଈ ଏସବୁ ଜଣେ ପ୍ରଣାମୀ ସମ୍ପ୍ରଦାୟର ସନ୍ଥଙ୍କ ଠାରୁ ଶୁଣିଥିଲେ।
ଓଡ଼ିଶା କେବେ ନ ଦେଖି, ଓଡ଼ିଶା ସମ୍ପର୍କରେ ଗାନ୍ଧୀ ତାଙ୍କର ପ୍ରଥମ ପ୍ରବନ୍ଧ ଲେଖିଥିଲେ ଦକ୍ଷିଣ ଆଫ୍ରିକାରେ। ପ୍ରବନ୍ଧଟି ‘ୟୁଜେସ୍ ଅଫ୍ ଆଡ୍‌ଭର୍ସିଟି’ ଶିରୋନାମାରେ ୧୯୦୩ ମସିହା ଅଗଷ୍ଟ ୨୦ ତାରିଖରେ ଦକ୍ଷିଣ ଆଫ୍ରିକାର ନାଟାଲ୍‌ରୁ ପ୍ରକାଶିତ ‘ଇଣ୍ଡିଆନ୍ ଓପିନିଅନ୍’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଉକ୍ତ ପ୍ରବନ୍ଧ ମହାଭାରତୀୟତା ଉପରେ ଆଧାରିତ ଥିଲା। ଗାନ୍ଧୀଜୀ ଲେଖିଥିଲେ, ‘ବିଦେଶରେ ଆମର ଏକମାତ୍ର ପରିଚୟ ହେଉଛି, ଆମେ ଭାରତୀୟ। ଏଠି ଜାତି, ଧର୍ମ, ଭାଷାର ପରିଚୟରୁ ସୃଷ୍ଟ ବିବିଧତା ତ୍ୟାଗ କରିବା ଦରକାର, ଠିକ୍ ଯେମିତି ପବିତ୍ର ଜଗନ୍ନାଥ ପୁରୀରେ ହୁଏ। ଜାତି, ଶ୍ରେଣୀ ନିର୍ବିଶେଷରେ ଲୋକେ ସେଠି କାନ୍ଧକୁ କାନ୍ଧ ମିଶାଇ ଜଗନ୍ନାଥ ଦର୍ଶନ କରନ୍ତି ଓ ଗୋଟିଏ ପାତ୍ରରୁ ପ୍ରଭୁଙ୍କ ପ୍ରସାଦ ଖାଆନ୍ତି। ସବୁ ବିଭିନ୍ନତା ସେତେବେଳେ ମାଟିରେ ମିଶି ଯାଇଥାଏ।’ ଚଉତିରିଶ ବର୍ଷୀୟ ପ୍ରବାସୀ ଭାରତୀୟ ଯୁବକ ମୋହନଦାସ କରମଚାନ୍ଦ ଗାନ୍ଧୀ ଏ ପ୍ରବନ୍ଧ ଲେଖିଲା ବେଳେ ଯେମିତି ଓଡ଼ିଶା ଓ ଜଗନ୍ନାଥ ସଂସ୍କୃତିର ଏକ ଅଘୋଷିତ ସାଂସ୍କୃତିକ ଦୂତ ହୋଇଯାଇଥିଲେ।
୧୯୧୫ ମସିହା ଜାନୁଆରିରେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଆସିବା ପରେ ଏଠି କିନ୍ତୁ ଓଡ଼ିଶା ସମ୍ପର୍କରେ ଭିନ୍ନ କଥା ଶୁଣିଥିଲେ। ସେଥିରେ ବେଶି ଥିଲା ଓଡ଼ିଶାର ଦାରିଦ୍ର୍ୟ ଓ ଅନାହାର ତଥା ପୁଷ୍ଟିହୀନତାଜନିତ ମୃତ୍ୟୁର କଥା। ୧୯୨୦ ମସିହା ମେ ୧୨ ତାରିଖରେ ଗାନ୍ଧୀ ତାଙ୍କ ନିଜ ସମ୍ପାଦିତ ‘ୟଙ୍ଗ୍ ଇଣ୍ଡିଆ’ରେ ଏକ ପ୍ରବନ୍ଧ ଲେଖିଥିଲେ। ପ୍ରବନ୍ଧର ଶୀର୍ଷକ ଥିଲା, ‘ଡିଷ୍ଟ୍ରେସ୍ ଇନ୍ ଓରିଶା’ (ଓଡ଼ିଶାରେ ଦୁଃଖ)।
ପ୍ରବନ୍ଧରେ ଗାନ୍ଧୀଜୀ ଉଲ୍ଲେଖ କରିଥିଲେ, ‘ସମଗ୍ର ଭାରତ ବର୍ଷରେ ଓଡ଼ିଶା ଏକ ପବିତ୍ର ତୀର୍ଥ ଭୂଇଁ। ଏଠି ମହାପ୍ରଭୁ ଜଗନ୍ନାଥ ଅଛନ୍ତି। ବର୍ତ୍ତମାନ କିନ୍ତୁ ଏହା ଈଶ୍ୱରଙ୍କ ଏକ ପରିତ୍ୟକ୍ତ ଅଞ୍ଚଳ ଭାବେ ପ୍ରତୀୟମାନ ହେଉଛି। ଜାତୀୟ ଚେତନା ଓଡ଼ିଶାରେ ଏବେ ବହୁତ କମ୍। ଅନେକ ଭାରତୀୟ ଓଡ଼ିଶା ସମ୍ପର୍କରେ ବେଶି ଜାଣନ୍ତି ନାହିଁ। ଓଡ଼ିଶା ସେମାନଙ୍କ ପାଇଁ କେବଳ ଏକ ଛୋଟ ଭୌଗୋଳିକ ଜାଗାଟିଏ ହୋଇଯାଇଛି। ଏଠି ଆଧୁନିକ ଶିକ୍ଷାର ବିକାଶ ହୋଇପାରିନି। କୁଶଳୀ ଶ୍ରମିକ ଏଠି ନାହାନ୍ତି। ଓଡିଶା ସୁଖୀ କି ଅସୁଖୀ ଜଣା ପଡୁନାହିଁ। ଓଡ଼ିଶାର ମୋର ଜଣେ ବନ୍ଧୁ ଓଡ଼ିଶା ସମସ୍ୟାରେ ଟିକିଏ ଆଗ୍ରହ ରଖିବାକୁ ମୋତେ ଏଇ କିଛି ସପ୍ତାହ ହେଲା ବାରମ୍ବାର ଅନୁରୋଧ କରିଥିଲେ। ସେ ଲେଖି ଜଣେଇଥିଲେ, ଓଡ଼ିଶାରେ ସମ୍ପ୍ରତି ଦୁର୍ଭିକ୍ଷ ପଡ଼ିଛି। ଖାଦ୍ୟ ଏଠି ଅଭାବ। ଲୋକମାନେ ଖାଦ୍ୟାଭାବରେ ମୃତ୍ୟୁବରଣ କରୁଛନ୍ତି। ଅନେକ ଲୋକ ଗଁା ଛାଡ଼ି ଚାଲିଯାଉଛନ୍ତି। ଯେଉଁମାନେ ରହିଯାଉଛନ୍ତି, ସେମାନେ ସମସ୍ତେ ହାଡ଼ର କଙ୍କାଳ ଯେମିତି।’
ଗାନ୍ଧୀ ତାଙ୍କ ପ୍ରବନ୍ଧରେ ପୁଣି ଲେଖିଥିଲେ, ‘ଓଡ଼ିଆ ବନ୍ଧୁ ଜଣଙ୍କ ଦେଇଥିବା ସେ ରିପୋର୍ଟକୁ ମୁଁ ବିଶ୍ୱାସ କରିପାରି ନ ଥିଲି। ବାସ୍ତବିକ ସ୍ଥିତି ଅନୁଧ୍ୟାନ କରି ସଠିକ୍ ସୂଚନା ଦେବାକୁ ଠକ୍କର ବାପାଙ୍କୁ ଓଡ଼ିଶା ପଠେଇଥିଲି। ପୁରୀ ଜିଲ୍ଲାର କିଛି ଗ୍ରାମର ସ୍ଥିତି ଅନୁଧ୍ୟାନ କରି ଠକ୍କର ବାପା ଯେଉଁ ରିପୋର୍ଟ ଦେଇଛନ୍ତି, ତାହା ଓଡ଼ିଶା ବନ୍ଧୁ ଦେଇଥିବା ରିପୋର୍ଟ ସହ ସମାନ। ଠକ୍କର ବାପା ଲେଖିଛନ୍ତି, ଓଡ଼ିଶାର ଧାନ ଉତ୍ପାଦନ କମିଯାଇଛି। ଭାରତର ଖାଦ୍ୟ ଭଣ୍ଡାର ବୋଲି ଓଡ଼ିଶାର ଯେଉଁ ପ୍ରତିଷ୍ଠା ଥିଲା, ସେ ପ୍ରତିଷ୍ଠା ଆଉ ନାହିଁ। ଓଡ଼ିଶା ପାଇଁ ଚାଉଳ ଆଉ ବାଲେଶ୍ୱର କିମ୍ବା ସମ୍ବଲପୁରରୁ ନ ଆସି କଲିକତାରୁ ଆସୁଛି। ଓଡ଼ିଶାର ଦାରିଦ୍ର୍ୟ ସ୍ଥିତି ଅତି ଗମ୍ଭୀର। ଓଡ଼ିଶା ପାଇଁ ସାହାଯ୍ୟ ଦରକାର। ସରକାର ରିଲିଫ୍ କୋଡ୍ ଅନୁଯାୟୀ ଯେଉଁ ରିଲିଫ୍ ଦେଉଛନ୍ତି, ତାହା ଯଥେଷ୍ଟ ନୁହେଁ। ଓଡ଼ିଶାର ଲୋକ ବହୁତ ଗରିବ।’
ଠକ୍କର ବାପାଙ୍କ ଠାରୁ ଏପରି ରିପୋର୍ଟ ପାଇବା ପରେ ଉଭୟ ‘ୟଙ୍ଗ୍ ଇଣ୍ଡିଆ’ ଓ ‘ନବଜୀବନ’ରେ ଗାନ୍ଧୀଜୀ ଏକ ଖୋଲା ଗଣଆବେଦନ କରିଥିଲେ। ସେ ଆବେଦନ ଖୁବ୍ ମାର୍ମିକ ଥିଲା। ଗାନ୍ଧୀ ଉଲ୍ଲେଖ କରିଥିଲେ- ଓଡ଼ିଶାର କାନ୍ଦ ଓ ଦୁଃଖ ଯଦି ଶୁଣି ପାରୁଥାଅ, ଓଡ଼ିଶାକୁ ମୁକ୍ତ ହସ୍ତରେ ସାହାଯ୍ୟ କର। ଏହା ଏକ ମହାବିପର୍ଯ୍ୟୟର ସମୟ। ଓଡ଼ିଶାର ଲୋକ ନିଜକୁ ନିଜେ ସାହାଯ୍ୟ କରିବା ଅବସ୍ଥାରେ ନାହାନ୍ତି। ବାହାରୁ କିଛି ସାହାଯ୍ୟ ବି ସେମାନେ ପାଉ ନାହାନ୍ତି। କାମ ଯୋଗାଇ ଦେବାକୁ ପରିବେଶଟିଏ ଓଡ଼ିଶାରେ ସୃଷ୍ଟି ହେବା ଦରକାର।’
୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅନୁରୋଧ କ୍ରମେ ପ୍ରଥମେ ଓଡ଼ିଶା ଆସିଥିଲେ ଗାନ୍ଧୀଜୀ। ଓଡ଼ିଶାରେ ସେ ସେବେ ସାତ ଦିନ ଥିଲେ। ଓଡ଼ିଶାର ଦାରିଦ୍ର୍ୟ ଯେ ଚମ୍ପାରଣ ଠାରୁ ଦୁର୍ବିଷହ, ତାହା ସ୍ବଚକ୍ଷୁରେ ଦେଖିଥିଲେ।
ଗାନ୍ଧୀଜୀ ଓଡ଼ିଶା ଆସିଥିଲେ ଆଠ ଥର। ସର୍ବମୋଟ ୭୯ ଦିନ ରହିଥିଲେ ଓଡ଼ିଶାରେ। ମାଇଲ ମାଇଲ ଧରି ପାଦରେ ଓଡ଼ିଶାର ଗଁାରୁ ସହର ସେ ବୁଲିଥିଲେ। ଗାନ୍ଧୀଙ୍କୁ ଯେତେବେଳେ ବାହାରେ ପ୍ରଶ୍ନ କରାଯାଇଥିଲା, ‘ବାପୁ, ଆପଣ ଏତେଥର ଓଡ଼ିଶା କାହିଁକି ଯାଉଛନ୍ତି?’ ଗାନ୍ଧୀଙ୍କ ଉତ୍ତର ଥିଲା, ‘ଓଡ଼ିଶା ମୋ ପାଇଁ ଏକ ତୀର୍ଥ ଭୂଇଁ। ଗରିବୀ ସତ୍ତ୍ବେ ଓଡ଼ିଶାର ଲୋକେ ବହୁତ ଭଦ୍ର, ଶିଷ୍ଟ। ମନ ବହୁତ ତାଙ୍କର ସ୍ୱଚ୍ଛ। ମୁଁ ଖାସ୍ ସେଇଥିପାଇଁ ବାରମ୍ବାର ଓଡ଼ିଶା ଯାଉଛି। ଏକ ସୁଖୀ ଓଡ଼ିଶା ଦେଖିବା ପାଇଁ ପ୍ରୟାସରେ ଅଛି। ଦାରିଦ୍ର୍ୟ ଦୂରୀକରଣର ଉପାୟ ଖୋଜୁଛି। ଯଦି ପାରୁଛ ମୋ ସହ ଓଡ଼ିଶା ଆସ। ପୁରୀ ଯିବା। ପୁରୀର ଜଳବାୟୁ ବେଶ୍ ସ୍ୱାସ୍ଥ୍ୟକର। ଦରିଦ୍ର ଲୋକକଙ୍କ ମଙ୍ଗଳରେ ସେଠି କିଛି କାର୍ଯ୍ୟ କରିବାକୁ ତୁମେ ପ୍ରେରଣା ପାଇବ।’
୧୯୩୮ ମସିହା ମାର୍ଚ୍ଚ ମାସରେ ଗାନ୍ଧୀ ସେବାସଂଘ ସମ୍ମିଳନୀରେ ଯୋଗଦେବାକୁ ଗାନ୍ଧୀଜୀ ସପରିବାର ଓଡ଼ିଶା ଆସିଥିଲେ। ସାତ ଦିନ ଧରି ଡେଲାଙ୍ଗ ବେରବୋଇରେ ଥିଲେ। ସୁଖୀ ଓଡ଼ିଶା ପାଇଁ ସମାଧାନର ଏକ ସୂତ୍ର ଦେଇ ବେରବୋଇ ସମ୍ମିଳନୀରେ ଗାନ୍ଧୀଜୀଙ୍କ ଉକ୍ତି ଥିଲା- ଓଡ଼ିଶାରେ ଲୋକଙ୍କ ପାଇଁ କାମ ନାହିଁ ବୋଲି ଓଡ଼ିଶା ଆଜି ଦରିଦ୍ର। ଅଳସୁଆମୀ ଏଠି କାର୍ଯ୍ୟ ଅଭାବରୁ ବଢ଼ିଛି। କାମ ଅନ୍ବେଷଣରେ କିଛି ଲୋକ ତେଣୁ କଲିକତା ଚାଲିଯାଉଛନ୍ତି। ମୋ ଇଚ୍ଛା, ସମସ୍ତେ ଏଠି ଚରଖାରେ ସୂତା କାଟନ୍ତୁ। ଗ୍ରାମ୍ୟ ଶିଳ୍ପ କରନ୍ତୁ। ଏଠି ବସିଥିବା ଗ୍ରାମ୍ୟଶିଳ୍ପ ମେଳାରୁ ହାତ କାମ ଶିଖନ୍ତୁ। ଆତ୍ମନିର୍ଭର ମଣିଷ ହୁଅନ୍ତୁ। ନିଜ ପାଇଁ ଖାଦ୍ୟ ଓ ବସ୍ତ୍ର ସୁନିଶ୍ଚିତ କରନ୍ତୁ। କାରଣ ମୋ କଳ୍ପିତ ସ୍ୱରାଜରେ ଅନାହାର ମୃତ୍ୟୁର ସ୍ଥାନ ନାହିଁ।
ଶେଷରେ ଗାନ୍ଧୀଜୀଙ୍କ ଏକ ଆବେଗିକ ଆବେଦନ ଥିଲା, ନିଶା ନ ଖାଇବା ଓ ମଦ ନ ପିଇବା କଥା କହିବାକୁ ମୁଁ ଓଡ଼ିଶା ଆସିଛି। ଇଏ ମୋ ସୁଖୀ ଓଡ଼ିଶାର ଯୋଜନା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୪୬୯୩୨୮