ଗାନ୍ଧୀ ଦୃଷ୍ଟି: କ୍ଷମତା ଓ ରାଜନୀତି

ଗୌରାଙ୍ଗ ଚରଣ ପରିଡ଼ା

‘କ୍ଷମତା ହାସଲ କ’ଣ ରାଜନୀତିର ଏକମାତ୍ର ଉଦ୍ଦେଶ୍ୟ?’ ଏପରି ଏକ ପ୍ରଶ୍ନ ଗାନ୍ଧୀଜୀଙ୍କୁ ଅନେକ ସମୟରେ ପଚରା ଯାଇଥିଲା। ଚମ୍ପାରଣ ସତ୍ୟାଗ୍ରହ ଏବଂ ଅସହଯୋଗ ଆନ୍ଦୋଳନ ବେଳେ ଗାନ୍ଧୀ ଯେତେବେଳେ ରାଜନୈତିକ ଭାବେ ବେଶୀ ସକ୍ରିୟ ଥିଲେ, ସେତେବେଳେ ତାଙ୍କୁ ଏ ପ୍ରଶ୍ନ କରାଯାଇଥିଲା। ୧୯୨୦ ମସିହା ଅକ୍‌ଟୋବର ‘ୟଙ୍ଗ ଇଣ୍ଡିଆ’ରେ ଗାନ୍ଧୀ ଏହାର ପ୍ରଥମ ଉତ୍ତର ରଖିଥିଲେ। ଗାନ୍ଧୀ ଲେଖିଥିଲେ, ‘ବ୍ୟାପକ ଅର୍ଥରେ ଦେଖିଲେ, ଗଣତନ୍ତ୍ରରେ ରାଜନୀତି ଏକ ସାମାଜିକ କାର୍ଯ୍ୟ। ମୁଁ ରାଜନୈତିକ ଜୀବନକୁ ଆସିବାକୁ ବାଧ୍ୟ ହେଲି, କାରଣ ମୁଁ ଅନୁଭବ କଲି, ରାଜନୀତିରେ ଅଂଶ ଗ୍ରହଣ ନ କଲେ ସାମାଜିକ କାର୍ଯ୍ୟ କରିବା ସମ୍ଭବ ନୁହେଁ। ଗଣତନ୍ତ୍ରରେ ଜୀବନର କୌଣସି କର୍ତ୍ତବ୍ୟ ରାଜନୀତିର ବାହାରେ ନାହିଁ। ଗଣତାନ୍ତ୍ରିକ ସମାଜ ହିଁ ରାଜନୈତିକ ସମାଜ ହୋଇଥାଏ। ଆମେ ସମସ୍ତେ ଏଠି ତେଣୁ ରାଜନୈତିକ ବ୍ୟକ୍ତି। କିନ୍ତୁ ରାଜନୀତି କେବଳ କ୍ଷମତା ପ୍ରାପ୍ତି ନିମନ୍ତେ ନୁହେଁ। କିମ୍ବା ରାଜନୈତିକ କ୍ଷମତା ଲୋକଙ୍କ ସେବା ଓ ବିକାଶ ପାଇଁ ଏକମାତ୍ର ଉପାୟ ବି ନୁହେଁ। ହୁଏତ ଅନେକ ଉପାୟ ଭିତରୁ ଏହା ଏକ ଉପାୟଟିଏ ମାତ୍ର।’

ରାଜନୈତିକ କ୍ଷମତାକୁ ଆଉ ଟିକିଏ ଅଧିକ ବିଶ୍ଳେଷଣ କରି ଗାନ୍ଧୀ ଲେଖିଥିଲେ, ରାଜନୈତିକ କ୍ଷମତାକୁ ଅନେକ ସମୟରେ ଦଣ୍ଡର ଭୟ ଦେଖାଇ ଏହା ଏକ ସମୃଦ୍ଧ ଶକ୍ତି ବୋଲି ପ୍ରଦର୍ଶିତ କରାଯାଇଥାଏ। ଏହା କିନ୍ତୁ ଠିକ୍‌ ନୁହଁ। ପ୍ରେମ ଓ ଆଶ୍ୱାସନାରେ ରାଜନୈତିକ କ୍ଷମତା ଯେତେବେଳେ ଶକ୍ତ ଓ ସମୃଦ୍ଧ ହୁଏ, ଏହା ସେବେ ପ୍ରକୃତ କ୍ଷମତା ହୋଇଥାଏ ଏବଂ ଦୀର୍ଘସ୍ଥାୟୀ ମଧ୍ୟ ହୋଇଥାଏ। କିନ୍ତୁ କ୍ଷମତା ଓ ପଦ ହାସଲକୁ ଏକମାତ୍ର ଉପଲବ୍‌ଧି ନ ଭାବି ରାଜନୀତିକୁ ସାମାଜିକ ତଥା ନୈତିକ ବିକାଶର ମାଧ୍ୟମ ଭାବେ ଗ୍ରହଣ କରିବା ଦରକାର। ସତ କଥା ହେଲା, ପ୍ରତ୍ୟେକ ମଣିଷର ରାଜନୈତିକ କ୍ଷମତା ଭୋଗ କରିବାର ଇଚ୍ଛା ଥାଏ। ଅଧିକ ସମ୍ପତ୍ତିର ମାଲିକ ହୋଇଗଲେ ଏଇ ଇଚ୍ଛା କିନ୍ତୁ ଅଧିକ ବଢ଼ି ଯାଇଥାଏ।’

କ୍ଷମତା ରାଜନୀତି ସମ୍ପର୍କରେ ଥରେ ଏକ ଗମ୍ଭୀର ବିତର୍କ ୧୯୩୧ ମସିହା ‘ୟଙ୍ଗ ଇଣ୍ଡିଆ’ରେ ଆରମ୍ଭ ହୋଇଥିଲା। ଏହା ଜୁଲାଇରୁ ଅଗଷ୍ଟ ପର୍ଯ୍ୟନ୍ତ ଦୁଇ ମାସ ଧରି ବିଭିନ୍ନ ଲେଖା ମାଧ୍ୟମରେ ଚାଲିଥିଲା। ଏଥିରେ ଗାନ୍ଧୀଜୀଙ୍କ ସହ ସତ୍ୟମୂର୍ତ୍ତି ନାମକ ଜଣେ ବିଦ୍ୱାନ୍ ସତ୍ୟାଗ୍ରହୀ ଭାଗ ନେଇଥିଲେ। ବିତର୍କର ବିଷୟ ଥିଲା, ‘ପାୱାର ନଟ୍ ଆନ୍ ଏଣ୍ଡ୍‌’- କ୍ଷମତା ଅନ୍ତ ନୁହଁ। ଏ ବିଷୟ ଗାନ୍ଧୀ ନିଜେ ସ୍ଥିର କରିଥିଲେ। ଗୋଲ ଟେବୁଲ ବୈଠକ ଯିବା ପୂର୍ବରୁ ଗାନ୍ଧୀ ଦେଇଥିବା ଏକ ବକ୍ତବ୍ୟରୁ ଏ ବିତର୍କ ଆସିଥିଲା। ପ୍ରଥମେ ବିତର୍କରେ ଭାଗ ନେଇ ଶ୍ରୀଯୁକ୍ତ ସତ୍ୟମୂର୍ତ୍ତି କହିଥିଲେ, ‘ବାପୁ, ମୁଁ ଆପଣଙ୍କ ସହ ତର୍କ କରୁଛି ବୋଲି କ୍ଷମା ଦେବେ। ମୁଁ କିନ୍ତୁ ରାଜନୀତିରେ କ୍ଷମତା ହାସଲକୁ ସର୍ବଶେଷ ପ୍ରାପ୍ତି ବୋଲି ଭାବେ। କ୍ଷମତା ଇଚ୍ଛା ଏବଂ ରାଜନୀତି ଯେ ପୃଥକ, ମୁଁ ଏହା ଭାବେ ନାହିଁ। ଜଣେ ମନ୍ତ୍ରୀ ବା ଜନପ୍ରତିନିଧି ନିଶା ନିବାରଣ, ଖଦି ପ୍ରସାର ଓ ସ୍ବଦେଶୀକୁ ଆଇନ କରି ଯେତେ ଶୀଘ୍ର ସମ୍ଭବ କରିପାରିବେ, ତାହା ପିକେଟିଙ୍ଗ ବା ସତ୍ୟାଗ୍ରହରେ କରିବା ସମ୍ଭବ ନୁହେଁ। ରାଜନୈତିକ କ୍ଷମତାର ସ୍ୱତନ୍ତ୍ର ବଳ ଥାଏ।’

ଗାନ୍ଧୀଜୀ ତାଙ୍କ ଉତ୍ତରରେ ଲେଖିଥିଲେ, ‘ ଶ୍ରୀଯୁକ୍ତ ସତ୍ୟମୂର୍ତ୍ତିଙ୍କ ଯୁକ୍ତି ମୋ ମତକୁ ଆହୁରି ସ୍ପଷ୍ଟ କରିଦେବାକୁ ସହାୟକ ହୋଇଛି। ମୁଁ ସ୍ୱୀକାର କରେ ଯେ ରାଜନୈତିକ କ୍ଷମତା ଜାତୀୟ ଜୀବନକୁ ଶୃଙ୍ଖଳିତ ଏବଂ ବିକଶିତ କରିଥାଏ। କିନ୍ତୁ ଜାତୀୟ ଜୀବନ ଯେତେବେଳେ ଆତ୍ମଶୃଙ୍ଖଳିତ ଏବଂ ନୀତିବାଦୀ ହୋଇଯାଏ, ସେତେବେଳେ ବାହ୍ୟ ନିୟନ୍ତ୍ରଣର ଆବଶ୍ୟକତା ନ ଥାଏ। ଶାସକ ସେତେବେଳେ ଗୌଣ ହୋଇଥାଏ। ଡାଭିଡ ଥୋରୋ’ ସେଇଥିପାଇଁ କହିଥିଲେ, କମ୍ ଶାସନ କରୁଥିବା ସରକାର ହିଁ ସର୍ବୋତ୍ତମ ସରକାର।’

ସତ୍ୟମୂର୍ତ୍ତିଙ୍କ ଆଇନ ମାଧ୍ୟମରେ ସଂସ୍କାର ଆଣିବା ଯୁକ୍ତି ସହ ଗାନ୍ଧୀଜୀ ସମ୍ପୂର୍ଣ୍ଣ ଏକମତ ନ ଥିଲେ। ଗାନ୍ଧୀଙ୍କ ଯୁକ୍ତି ଥିଲା, ଆଇନ ସଂସ୍କାରକୁ ତ୍ୱରାନ୍ୱିତ କରେ, ଏହା ସତ, କିନ୍ତୁ ସଂସ୍କାର ସମ୍ପର୍କରେ ଲୋକଙ୍କୁ ସଚେତନ ନ କରି ଆସିଥିବା ଆଇନ ସର୍ବଦା ଫଳପ୍ରସୂ ହୋଇ ନଥାଏ। ସଚେତନ ନାଗରିକଙ୍କ ଦାବିକୁ ନେଇ ଯେଉଁ ଆଇନ ଆସିଥାଏ ତାହା ହିଁ ସଫଳ ହୋଇଥାଏ। ସାମୂହିକ ସଚେତନତା ସୃଷ୍ଟି କରିବା କାର୍ଯ୍ୟ କେବଳ ସ୍ୱାର୍ଥହୀନ ଜନସେବକ ଏବଂ ନିଷ୍ଠାପର ରାଜନେତାମାନଙ୍କର କାର୍ଯ୍ୟ। ସଂସ୍କାର ପାଇଁ ଜନଜାଗରଣ ସୃଷ୍ଟି କରି ପାରିଲେ, କୌଣସି ପାଦ ନ ଥାଇ ବି ଜଣେ ନେତାଙ୍କର ଏହା ପ୍ରକୃତ କ୍ଷମତା ହୋଇଥାଏ। ସେଥିପାଇଁ ରାଜନେତାମାନେ ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଉଚିତ। ମହିଳାମାନେ ବେଶୀ ସଂଖ୍ୟାରେ ରାଜନୀତିରେ ଯୋଗଦେବା ଦରକାର।
ପ୍ରବନ୍ଧରେ ଗାନ୍ଧୀଜୀଙ୍କ କ୍ଷୋଭ ଥିଲା,ରାଜନୈତିକ କ୍ଷମତା ପାଇଁ ଜ୍ୱରର ତାତି ଯେମିତି ବଢୁଛି, କ୍ଷମତାଧାରୀଙ୍କ ଭିତରେ ଦୁର୍ନୀତିର ସଂକ୍ରମଣ ସେମିତି ବୃଦ୍ଧି ପାଉଛି। କ୍ଷମତା ମଧ୍ୟ ଅନେକ ସମୟରେ ଶାସକଙ୍କୁ ଅନ୍ଧ ଓ ବଧିର କରି ଦେଉଛି। ଏହା କେବଳ ଭାରତର ସ୍ଥିତି ନୁହଁ, ଏହା ଏବେ ସମଗ୍ର ବିଶ୍ୱର ସ୍ଥିତି।
ସତ୍ୟମୂର୍ତ୍ତିଙ୍କୁ ଗାନ୍ଧୀଜୀ ସ୍ପଷ୍ଟ କରିଦେଲେ, ‘ଜନମତ ହିଁ ଗଣତନ୍ତ୍ରର ଏକ ଶକ୍ତ ଆଧାର। ଏହା କେବଳ ଶୁଦ୍ଧ ରାଜନୀତିରେ ତିଆରି ହୋଇ ପାରିବ। ରାଜନୈତିକ କ୍ଷମତା ଅନ୍ବେଷଣକାରୀଙ୍କ ଦ୍ୱାରା ଏହା ସମ୍ଭବ ନୁହେଁ। ମୁଁ କିନ୍ତୁ ଆଶ୍ଚର୍ଯ୍ୟ, ରାଜନୀତିକୁ ସେବା କହୁଥିବା ରାଜନେତାମାନେ ରାଜନୈତିକ କ୍ଷମତାକୁ ପ୍ରଥମ ଆବଶ୍ୟକତା କହି ସମାଜ ସେବାକୁ ଗୌଣ କରିଦେଇଛନ୍ତି। ମୁଁ ଯେଉଁ ଏକ ଆଦର୍ଶ ରାଷ୍ଟ୍ରର କଳ୍ପନା କରିଛି ସେଥିରେ ନୀତିପୂର୍ଣ୍ଣ ରାଜନୀତି ଏବଂ ତ୍ୟାଗଯୁକ୍ତ ସେବା ଏକ ପ୍ରାଥମିକ ଉପାଦାନ।’
ବିତର୍କର ଶେଷରେ ଗାନ୍ଧୀଜୀଙ୍କୁ ପ୍ରଶ୍ନକର୍ତ୍ତା ଅନ୍ୟ ଏକ ପ୍ରଶ୍ନ କଲେ, ‘ବାପୁ, ରାଜନୈତିକ ନେତାମାନେ ଆପଣଙ୍କ ଏ ଉପଦେଶ ମାନିବେ ବୋଲି ଆପଣ ଭାବୁଛନ୍ତି? ସ୍ୱାଧୀନତା ମିଳିବା ପରେ ଏହା ହୁଏତ ଆହୁରି ଅସମ୍ଭବ ହୋଇପାରେ।’ ଗାନ୍ଧୀଜୀ ଉତ୍ତର ଦେଇଥିଲେ, ‘ମୋ ଉପଦେଶ ସମସ୍ତେ ଯେ ମାନିବେ ମୁଁ କେବେ ଭାବିନାହିଁ। ପୁରୁଷ, ମହିଳା, ଯୁବକ, ଯୁବତୀ, ଧନୀ, ଦରିଦ୍ର ନିର୍ବିଶେଷରେ ଯଦି ସମସ୍ତେ ମୋ ଉପଦେଶ ମାନୁ ଥାଆନ୍ତେ, ଆଜି ସମସ୍ତେ ଚରଖାରେ ସୂତା କାଟୁ ଥାଆନ୍ତେ, ସ୍ୱାବଲମ୍ବୀ ହୋଇ ଥାଆନ୍ତେ, ସାମ୍ପ୍ରଦାୟିକ ସଂହତି ବଜାୟ ରଖିଥାଆନ୍ତେ, ଅସ୍ପୃଶ୍ୟତାର ସମ୍ପୂର୍ଣ୍ଣ ଦୂରୀକରଣ ହୋଇଯାଇଥାଆନ୍ତା, ବଡ଼ସାନର ଭେଦଭାବ ନ ଥାଆନ୍ତା। ପ୍ରକୃତ ଅର୍ଥରେ ଆମେ ସ୍ୱାଧୀନତା ଉପଭୋଗ କରୁଥାଆନ୍ତେ। କିନ୍ତୁ ମୋ ଉପଦେଶ କିଏ ମାନୁ ବା ନ ମାନୁ, ମୁଁ ନିଶ୍ଚୟ କହିବି ଏବଂ ଲେଖିବି। ଏକଥା ମୁଁ ଗୀତାରୁ ଶିଖିଛି।’
ଗାନ୍ଧୀଜୀଙ୍କ ଏ ଆବେଗିକ ଉକ୍ତି ୧୯୩୧ ମସିହା ଜୁଲାଇ ୧୯ ତାରିଖ ‘ନବଜୀବନ’ ପତ୍ରିକାରେ ପ୍ରକାଶ ପାଇଥିଲା।
ମୋ: ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର