୧୯୪୬ ମସିହା ସେପ୍‌ଟେମ୍ବର ମାସ ୨୨ ତାରିଖ ‘ହରିଜନ’ରେ ଧର୍ମ ଓ ରାଜନୀତି ସମ୍ପର୍କରେ ପ୍ରକାଶିତ ଗାନ୍ଧୀଜୀଙ୍କ ଏକ ସାକ୍ଷାତ୍‌କାର ବେଶ୍ ଚର୍ଚ୍ଚାକୁ ଆସିଥିଲା। ୧୯୪୬ ମସିହା ପ୍ରଥମାର୍ଦ୍ଧରେ କ୍ୟାବିନେଟ ମିଶନ ଭାରତ ଆସି ଫେରିଗଲା ପରେ ଭାରତର ସ୍ୱାଧୀନତା ନେଇ ଏକ ସ୍ପଷ୍ଟ ସଂକେତ ମିଳିଯାଇଥିଲା। ସ୍ୱାଧୀନ ଭାରତରେ ଧର୍ମ ଓ ରାଜନୀତିର ସମ୍ପର୍କ ନେଇ ଗାନ୍ଧୀଙ୍କ ବିଚାର ଜାଣିବାକୁ ତେଣୁ ଅନେକ ଇଚ୍ଛୁକ ଥିଲେ। ଉକ୍ତ ଚର୍ଚ୍ଚିତ ସାକ୍ଷାତ୍‌କାର ଅନୁଷ୍ଠିତ ହୋଇଥିଲା ଦିଲ୍ଲୀରେ। ସାକ୍ଷାତ୍‌କାର ନେଇଥିଲେ ଜଣେ ବିଦେଶୀ ସାମ୍ବାଦିକ। ସାମ୍ବାଦିକ ପ୍ରଶ୍ନ କରିଥିଲେ, ‘ବାପୁ, ଆଗାମୀ ଭାରତରେ ଧର୍ମ ଓ ରାଜନୀତିକୁ ଆପଣ କେମିତି ଦେଖନ୍ତି?’ ଗାନ୍ଧୀଜୀଙ୍କ ଉତ୍ତର ଥିଲା- ‘ମୋତେ ଯଦି ଭାରତ ଶାସନ କରିବାର ନିରଙ୍କୁଶ କ୍ଷମତା ମିଳିଯାଏ ଏବଂ ମୁଁ ଏକଛତ୍ରବାଦୀ ହୋଇଯାଏ, ମୁଁ ରାଜନୀତିକୁ ଧର୍ମଠାରୁ ପୃଥକ କରିଦେବି। ମୋ ଧର୍ମ ପାଇଁ ମୁଁ ମୃତ୍ୟୁବରଣ କରିପାରେ। ଏକଥା କିନ୍ତୁ ମୋ ଧର୍ମର ଶପଥ ନେଇ ମୁଁ କହିଦେବାକୁ ଚାହେଁ, ଧର୍ମ ମୋର ବ୍ୟକ୍ତିଗତ ବିଶ୍ୱାସ। ଏଥିରେ ରାଷ୍ଟ୍ରର କିଛି କରିବାର ନାହିଁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସାଧାରଣ ଲୋକଙ୍କ ମଙ୍ଗଳ, ସ୍ୱାସ୍ଥ୍ୟ, ଶିକ୍ଷା, ସୂଚନା ପ୍ରଦାନ କଥା ରାଷ୍ଟ୍ର ଦେଖିବ। ବୈଦେଶିକ ସମ୍ପର୍କ ଏବଂ ଅର୍ଥନୀତି ହେଉଛି ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ବିଷୟ। ଏମିତି ଅନେକ ଜନହିତକର କାର୍ଯ୍ୟ ଧର୍ମନିରପେକ୍ଷ ଭାବେ ସରକାର ଏବଂ ରାଷ୍ଟ୍ର କରିବାର ଅଛି।

Advertisment

ପ୍ରଶ୍ନକର୍ତ୍ତାଙ୍କୁ ଲକ୍ଷ୍ୟ କରି ଗାନ୍ଧୀଜୀ ପୁଣି କହିଲେ, ‘ତୁମେ ମୋ ଜୀବନଶୈଳୀ ଦେଖିଛ। ମୁଁ କ’ଣ ଖାଉଛି, କେଉଁଠି ବସୁଛି, କେଉଁଠି ଶୋଉଛି ଏବଂ ସାଧାରଣ ଲୋକଙ୍କ ସହ ମୁଁ କିପରି ବ୍ୟବହାର କରୁଛି, ତୁମେ ବହୁତ ନିକଟରୁ ତାକୁ ଅନୁଧ୍ୟାନ କରିଛ। ମୋ ଦିନଚର୍ଯ୍ୟା ସମସ୍ତଙ୍କୁ ଜଣା। ମୋ କାର୍ଯ୍ୟ ହିଁ ମୋର ଏକ ବିସ୍ତାରିତ ଖୋଲା ସାମ୍ରାଜ୍ୟ। ଏଥିରେ ଗୁପ୍ତ କିଛି ରହିନାହିଁ।’
ସାକ୍ଷାତ୍‌କାର ନେଇଥିବା ସାମ୍ବାଦିକଙ୍କ ଦ୍ବିତୀୟ ପ୍ରଶ୍ନ ଥିଲା, ‘ବାପୁ, ସ୍ୱାଧୀନ ଭାରତରେ ନାରୀ ଆନ୍ଦୋଳନ, ରାଜନୈତିକ, ଅର୍ଥନୈତିକ ତଥା ନୈତିକ ଆନ୍ଦୋଳନ ଏବଂ ଧାର୍ମିକ ଆନ୍ଦୋଳନ ଭିତରେ କେଉଁ ଆନ୍ଦୋଳନ ବେଶୀ ପ୍ରଭାବଶାଳୀ ହେବ?’ ଗାନ୍ଧୀଜୀଙ୍କ ଉତ୍ତର ଥିଲା, ‘ଏ ସବୁ ଆନ୍ଦୋଳନ ସାମାଜିକ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ। ନାରୀ ଜାଗୃତି, ସାମାଜିକ ଏବଂ ଆର୍ଥିକ ସମତା ପାଇଁ ଏ ସବୁ ଆନ୍ଦୋଳନ ଜରୁରି। କିନ୍ତୁ ଏଥିରେ ଶୁଦ୍ଧତା ଓ ନୈତିକତା ରହିବା ଉଚିତ। ଧାର୍ମିକ ଆନ୍ଦୋଳନ କିନ୍ତୁ ଅନ୍ୟ ସମସ୍ତ ସାମାଜିକ ଆନ୍ଦୋଳନଠାରୁ ନିଆରା। ଏହା କେବଳ ଶନିବାର କିମ୍ବା ରବିବାର ପ୍ରାର୍ଥନା ଅଧିକାର ଦାବି ନେଇ ନ ହୋଇ, ଧାର୍ମିକ ନୀତି ଓ ସିଦ୍ଧାନ୍ତ ଜୀବନର ପ୍ରତି କ୍ଷଣରେ କିପରି ପ୍ରୟୋଗ କରିହେବ ଏଥିପାଇଁ ହେବା ଦରକାର। କୌଣସି ଧର୍ମ ବିଭାଜନର କଥା କେବେ କହି ନାହିଁ; ଏହା କେବଳ ସଂଯୋଗ ଓ ସହାବସ୍ଥାନର କଥା ହିଁ କହିଛି।

ସାମ୍ବାଦିକଙ୍କ ଅନ୍ୟ ଏକ ପ୍ରଶ୍ନ ଥିଲା, ‘ବାପୁ, ଅପଣ ଆପଣଙ୍କ ଆତ୍ମଜୀବନୀରେ ରାଜନୀତି ଧର୍ମଠାରୁ ପୃଥକ ନ ହେବା କଥା କହିଛନ୍ତି। ଧର୍ମ ବିନା ଯେ ରାଜନୀତି ସମ୍ପର୍କରେ ଆପଣ ଚିନ୍ତା କରି ପାରିବେ ନାହିଁ, ଏପରି ଏକ ସିଦ୍ଧାନ୍ତ ଉପରେ ଗୁରୁତ୍ୱ ଦେଇଛନ୍ତି। ଆତ୍ମଜୀବନୀରେ ଲେଖିଥିବା ସେଇ ମତରେ ଆପଣ ଏବେ କାଏମ ଅଛନ୍ତି, ନା ଇଏ ଏବେ ଆପଣଙ୍କର ଏକ ପରିବର୍ତ୍ତିତ ମନ୍ତବ୍ୟ? ତେବେ ଆପଣଙ୍କ ପୁରୁଣା ମନ୍ତବ୍ୟ ଅନୁଯାୟୀ ଯଦି ଧର୍ମ ଓ ରାଜନୀତି ଏକାଠି ହୋଇଯିବେ, ଭାରତ ପରି ବହୁଧର୍ମୀ ତଥା ବିଭିନ୍ନ ଧାର୍ମିକ ବିଭିଧତାରେ ପୂର୍ଣ୍ଣ ଥିବା ସମାଜ ପ୍ରତି କୌଣସି ଗୋଟିଏ ରାଜନୈତିକ ନୀତି ଗ୍ରହଣୀୟ ହେବ କି?’

ପ୍ରଶ୍ନକର୍ତ୍ତାଙ୍କୁ ଗାନ୍ଧୀଜୀ ଖୁବ୍ ସହଜ ଭାବେ ଉତ୍ତର ଦେଲେ, ‘ହଁ, ମୁଁ ମୋ ପୁରୁଣା ମତ ସହ ଏବେ ମଧ୍ୟ ଏକମତ ଅଛି। ଆଜକୁ କୋଡ଼ିଏ ବର୍ଷ ତଳେ ମୋର ଆତ୍ମଜୀବନୀ ‘ଦି ଷ୍ଟୋରି ଅଫ୍ ମାଇଁ ଏକ୍ସପେରିମେଣ୍ଟସ୍ ଉଇଥ୍ ଟ୍ରୁଥ୍’ରେ ଧର୍ମ ଓ ରାଜନୀତି ନେଇ ଯେଉଁ ସୈଦ୍ଧାନ୍ତିକ ମନ୍ତବ୍ୟ ଥିଲା, ମୁଁ ଆଜି ବି ସେଥିରୁ ଅଲଗା ହୋଇନି। ମୁଁ ଭାବେ, ଉଭୟ ବ୍ୟକ୍ତି ଏବଂ ସରକାର ନୀତିବାଦୀ ହେବା ଦରକାର ଯେଉଁ ନୀତିବାଦ, ସହିଷ୍ଣୁତା ଓ ଆଧ୍ୟାତ୍ମିକତା କଥା ପ୍ରତ୍ୟେକ ବ୍ୟାବହାରିକ ଧର୍ମ ଆମକୁ ଶିଖେଇଛି। ଏ ମୂଲ୍ୟବୋଧ ପୁରୁଣା ହେଲେ ବି, ସବୁ ସମୟ ପାଇଁ ଗ୍ରହଣୀୟ। ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ, ମୁଁ ମୋ ଆତ୍ମଜୀବନୀରେ ଯେଉଁ ଧର୍ମ କଥା କହିଛି ଏହା ସାମ୍ପ୍ରଦାୟିକତା କିମ୍ବା ମୌଳବାଦୀ ଧାର୍ମିକତା ନୁହେଁ। ମୁଁ କେବଳ ସର୍ବଧର୍ମ ସମାନତ୍ୱ କଥା କହିଛି। ରାଜନୈତିକ ଜୀବନ ଯେ ଆଧ୍ୟାତ୍ମିକ ହେଉ, ଏହା ଚାହିଁଛି ଏବଂ ମୁଁ ଯେଉଁ ରାମଙ୍କ କଥା କହିଛି ଏହା ନିର୍ଗୁଣ ରାମଙ୍କ ସମ୍ପର୍କରେ କହିଛି। ମୋ ରାମରାଜ୍ୟ ହେଉଛି ଏ ଧରାପୃଷ୍ଠରେ ଈଶ୍ୱରୀୟ ସମ୍ରାଜ୍ୟର ପ୍ରତିଷ୍ଠା। ଇଏ ମୋର ଧର୍ମର ସଂଜ୍ଞା। ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତି ଯେତିକି ରାଜନୈତିକ, ନିଜର ବ୍ୟକ୍ତିଗତ ବିଶ୍ୱାସ ନେଇ ସେତିକି ଧାର୍ମିକ। ଧର୍ମ ଏବଂ ବିଶ୍ୱାସ ନିମନ୍ତେ ଗଣତନ୍ତ୍ରରେ ସ୍ୱାଧୀନତା ଥାଏ। ରାଜନୀତି ଯେମିତି ଦେଶର ମଙ୍ଗଳ କଥା ବୁଝେ, ଠିକ୍ ସେମିତି ଧର୍ମ ଜଣେ ବ୍ୟକ୍ତିକୁ ସତ୍ୟ ଓ ଈଶ୍ୱରଙ୍କ ସନ୍ଧାନ ନେଇ ସାହାଯ୍ୟ କରେ। ଏ ଦୁଇଟି ଜିନିଷର ଜୀବନରେ ଆବଶ୍ୟକତା ରହିଛି। ଗୋଟିକର ଆବଶ୍ୟକତା କିନ୍ତୁ ଅନ୍ୟଟିର ଅନୁପସ୍ଥିତିରେ ନୁହେଁ।’

୧୯୪୭ ମସିହା ଜୁନ୍‌ ୨୯ ତାରିଖ ‘ହରିଜନ’ରେ ଗାନ୍ଧୀଜୀ ଚେତାବନୀଟିଏ ଦେଇ କହିଦେଲେ, ‘ଧର୍ମ ଜାତୀୟତାର ଚିହ୍ନଟର ଉପାୟ ନୁହେଁ। ଧର୍ମକୁ ଆଧାର କରି କୌଣସି ଏକ ବ୍ୟକ୍ତିର ଜାତୀୟତା ସ୍ଥିରୀକୃତ ହୋଇ ପାରିବନି। କାରଣ ହେଉଛି, ବ୍ୟକ୍ତି ଓ ଭଗବାନଙ୍କ ମଧ୍ୟରେ ସମ୍ପର୍କ ନେଇ ଧର୍ମ ହେଉଛି ଏକ ବ୍ୟକ୍ତିଗତ ବ୍ୟାପାର। ଯେଉଁ ଧର୍ମ ଜଣେ ଗ୍ରହଣ କରିଥିଲେ ବି ପ୍ରଥମେ ସେ ଜଣେ ଭାରତୀୟ।’ ଅନେକ ସମୟରେ ପ୍ରଶ୍ନ ହୁଏ, ଗାନ୍ଧୀ ଜଣେ ରାଜନୈତିକ ନେତା ନା ଆଧ୍ୟାତ୍ମିକ ନେତା? ପ୍ରଶ୍ନ ଏଇଥି ପାଇଁ କରାଯାଏ କାରଣ ଗାନ୍ଧୀଜୀଙ୍କ ସମସ୍ତ ରାଜନୈତିକ କୌଶଳରେ ନୀତି, ନୈତିକତା, ଆଧ୍ୟାତ୍ମିକତା ଯୋଡ଼ି ହୋଇଥାଏ। ଗାନ୍ଧୀଜୀଙ୍କ ବିଶ୍ୱାସ, ନୈତିକତା ଯେପରି ବ୍ୟକ୍ତିର ଚିନ୍ତା ଓ କାର୍ଯ୍ୟକୁ ଶୁଦ୍ଧ କରିଥାଏ, ଠିକ୍ ସେମିତି ବି ଶୁଦ୍ଧ ରାଜନୀତି ପାଇଁ ଧାର୍ମିକ ନୈତିକତାର ଆବଶ୍ୟକତା ଥାଏ। ସେ ବ୍ୟକ୍ତି ହୁଅନ୍ତୁ ବା ଶାସକ। ଧର୍ମନିରପେକ୍ଷ ରାଷ୍ଟ୍ର ତତ୍ତ୍ୱରେ ବିଶ୍ୱାସ ରଖିଥିବା ଗାନ୍ଧୀ ଜଣେ ରାଜନୈତିକ ନୈତିକତାବାଦୀ।
୧୯୪୭ ମସିହା ନଭେମ୍ବର ୨ ତାରିଖର ସ୍ୱାଧୀନ ଭାରତରେ ଧର୍ମର ସାମ୍ପ୍ରତିକ ଗତି ନେଇ କ୍ଷୋଭ ପ୍ରକାଶ କରି ଜଣେ ବନ୍ଧୁଙ୍କ ପାଖକୁ ଗାନ୍ଧୀଜୀ ଏକ ପତ୍ର ଲେଖିଥିଲେ। ଏ ପତ୍ର ‘ହରିଜନବନ୍ଧୁ’ ପତ୍ରିକାରେ ପ୍ରକାଶ ପାଇଥିଲା। ଗାନ୍ଧୀଜୀ ଲେଖିଥିଲେ, ‘ମୁଁ କେଉଁଠି ଏବେ ଧର୍ମ ଦେଖୁନି। ଅଧର୍ମର ରାଜୁତି ଦେଖୁଛି। ଦୁଃଖ ଯେ ବିଦେଶୀ ଶକ୍ତି ବିରୋଧରେ ସଂଗ୍ରାମ କଲାବେଳେ ଏଠି ଯେଉଁ ବାହ୍ୟ ଶାନ୍ତି ଥିଲା, ସେ ଶାନ୍ତି ନାହିଁ।’
ମୋ: ୯୮୬୧୪୬୯୩୨୮