ଗୌରାଙ୍ଗ ଚରଣ ପରିଡ଼ା
୧୯୪୭ ଅଗଷ୍ଟ ୧୫ ତାରିଖରେ କ୍ଷମତା ହସ୍ତାନ୍ତର ଓ ସ୍ୱାଧୀନତା ଦିବସ ଉତ୍ସବ ଖୁବ୍ ଜାକଜମକରେ ଦିଲ୍ଲୀ ସମେତ ଦେଶସାରା ପାଳିତ ହେଉଥିବାବେଳେ ଗାନ୍ଧୀଜୀ ସେଦିନ କଲିକତାର ଏକ ପରିତ୍ୟକ୍ତ ଘରେ ବସି ଅରଟରେ ସୂତା କାଟୁଥିଲେ; ପ୍ରାର୍ଥନା କରୁଥିଲେ, ଗୀତା ପଢୁଥିଲେ।
କଲିକତାରେ ଯେଉଁ ଘରେ ଗାନ୍ଧୀଜୀ ରହୁଥିଲେ, ତାହା ଥିଲା ବେଲିଆଘାଟ ଅଞ୍ଚଳର ମିଆଁବାଗାନରେ। ତିନିବଖୁରିଆ ଘର। ଗତ ଦଙ୍ଗାରେ ଘରର ଦ୍ୱାର ଓ ଝରକା ଭାଙ୍ଗି ଯାଇଥିଲା। ଘରଟି ଥିଲା ଜଣେ ମୁସଲିମ ମହିଳାଙ୍କର। ଏଥିରେ ବିଜୁଳି ଆଲୁଅ ନ ଥିଲା। କିନ୍ତୁ ଘରଟିର ସଂଭ୍ରାନ୍ତ ନାଁଟିଏ ଥିଲା- ‘ହାଇଦରି ମାନସନ’। ଗାନ୍ଧୀଙ୍କ ସାଙ୍ଗରେ ରହୁଥିଲେ ମନୁ, ଆଭା, ସୁହାର୍ଡେ ଓ ହୋରେସ୍ ଆଲେକଜାଣ୍ଡର।
ପୂର୍ବ ଦିନ କିଛି ସାମ୍ବାଦିକ ଗାନ୍ଧୀଙ୍କୁ ସାକ୍ଷାତ କରି ପ୍ରଶ୍ନ କରିଥିଲେ, ‘ବାପୁ, ସ୍ୱରାଜ ପାଇଁ ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଆପଣ ଯେଉଁ ସଂଗ୍ରାମ କରୁଥିଲେ ତା’ର ଉପଲବ୍ଧିରେ ଆପଣ ଖୁସି ନାହାନ୍ତି କାହିଁକି? ଆପଣଙ୍କ ବାର୍ତ୍ତା କ’ଣ?’ ଗାନ୍ଧୀଙ୍କ ଉତ୍ତର ଥିଲା, ‘ମୁଁ ପୂର୍ଣ୍ଣ ସ୍ୱରାଜ କଥା କହୁଛି। ପୂର୍ଣ୍ଣ ସ୍ୱରାଜ ଅର୍ଥ ପୂର୍ଣ୍ଣ ସ୍ୱାଧୀନତା। ରାଜନୈତିକ ସ୍ୱାଧୀନତା ପୂର୍ଣ୍ଣ ସ୍ୱରାଜର ଏକ ଅଂଶ ମାତ୍ର। ଆଜି କିନ୍ତୁ ସେମିତି କିଛି ବଦଳୁ ନାହିଁ। ଯେଉଁ ଚୌକିରେ ଇଂରେଜମାନେ ବସୁଥିଲେ ସେଠି ଭାରତୀୟମାନେ ବସିବେ। ଯେଉଁଠି ୟୁନିଅନ ଜାକ୍ ଉଡୁଥିଲା ସେଠି ତ୍ରିରଙ୍ଗା ଉଡ଼ିବ। ମୁଁ କିନ୍ତୁ ସମୃଦ୍ଧ ଭାରତ ପାଇଁ ଆଉ ଦୁଇଟି ସ୍ୱାଧୀନତା ଚାହିଁଛି। ସେ ହେଉଛି ଆର୍ଥିକ ସ୍ୱାଧୀନତା ଓ ନୈତିକ ସ୍ୱାଧୀନତା। ଧାରାପୃଷ୍ଠରେ ଈଶ୍ୱରୀୟ ଶାସନର ଉଦାହରଣ ଭାରତ ହେବ।’
ଚରଖାର ସୂତା କଟା ଭିତରେ ଗାନ୍ଧୀ ସାମ୍ବାଦିକଙ୍କୁ କହିଲେ, ‘ଆଜି ଖୁସି ଯେତିକି, ଦୁଃଖ ବି ସେତିକି। ହିଂସାର ତାଣ୍ଡବ ଭିତରେ ଆମେ ମୁକ୍ତିର ସଂଗୀତ ଶୁଣିବାକୁ ଚାହୁଁଛୁ। ଅହିଂସା କିନ୍ତୁ ସବୁ ସକାରାତ୍ମକ ସାମାଜିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିଥାଏ।’
ଅଗଷ୍ଟ ପନ୍ଦରର ପୂର୍ବ ରାତିରୁ କଲିକତାରେ ଝିପିଝିପି ବର୍ଷା ଲାଗି ରହିଥିଲା। ରାତି ଦୁଇଟାରେ ଗାନ୍ଧୀଜୀ ଉଠି ଯାଇଥିଲେ ପ୍ରତିଦିନ ଉଠିବାର ପ୍ରାୟ ଘଂଟାଏ ଆଗରୁ। କଲିକତା କିନ୍ତୁ ଉତ୍ସବମୁଖର ହେବା ଆରମ୍ଭ ହୋଇଯାଇଥିଲା। ପିଲାମାନେ ରବୀନ୍ଦ୍ର ସଂଗୀତ ଗାନ କରି ସହର ବୁଲୁଥିଲେ। ସକାଳୁ ସକାଳୁ ଗାନ୍ଧୀଙ୍କଠୁ ଆଶୀର୍ବାଦ ନେବାକୁ ଦଳ ଦଳ ହୋଇ ଶୁଭେଚ୍ଛୁମାନେ ପହଂଚି ଯାଇଥିଲେ ହାଇଦରି ମାନସନରେ। ସେମାନଙ୍କ ଭିତରେ ସବୁ ବର୍ଗର ଲୋକ ଥିଲେ- ଛାତ୍ର, ଯୁବକ, ମହିଳା ଏବଂ ଅନେକ ରାଜନୈତିକ ଦଳର ବ୍ୟକ୍ତିସମୂହ। ଗାନ୍ଧୀଙ୍କ ଗୋଟିଏ ବାର୍ତ୍ତା ଥିଲା, ଆମେ ଅନେକ ସଂଗ୍ରାମ କରି ସ୍ୱାଧୀନତା ପାଇଛୁ। ୟାକୁ ଅତୁଟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ।
ଗାନ୍ଧୀଜୀ ବଙ୍ଗଳାର ମନ୍ତ୍ରୀମାନଙ୍କୁ ଭଲ ଉପଦେଶ ଦେଇଥିଲେ। ଗାନ୍ଧୀଙ୍କ ବାର୍ତ୍ତା ଥିଲା, ‘ଆଜିଠାରୁ ତୁମେମାନେ କଣ୍ଟାର ରାଜମୁକୁଟଟିଏ ପିନ୍ଧିଲ। ସତ୍ୟ ଓ ଅହିଂସା ପାଇଁ କାମ କରିବ। ନମ୍ର, ସହିଷ୍ଣୁ ହେବ। ବର୍ତ୍ତମାନ ତୁମେମାନେ ପ୍ରତି ପଦକ୍ଷେପରେ ପରୀକ୍ଷାର ସମ୍ମୁଖୀନ ହେବ। ମନେ ରଖିଥିବ, କ୍ଷମତା ବହୁତ ନିଷ୍ଠୁର। ଦୁର୍ନୀତିଗ୍ରସ୍ତ କରେଇବା କ୍ଷମତାର ଏକ ଗୁଣ। ଦୁର୍ନୀତି କେବେ କରିବନି। ଭୋଗ ଆଉ ବିଳାସରେ ଛନ୍ଦି ହୋଇଯିବନି। ମଦ ପିଇବନି। ଦାମିକା ଫର୍ଣ୍ଣିଚରରେ ଘର ସଜେଇବନି। ସରଳ ଜୀବନରେ ରହିବ। ଗାଁର ଗରିବ ସାଧାରଣ ଲୋକଙ୍କ ସେବା ପାଇଁ ଯେ ଏ କ୍ଷମତା ମିଳିଛି, ଯେମିତି ସ୍ମରଣ ଥିବ।’
ନିଜର ଅସୁସ୍ଥତା ସତ୍ତ୍ବେ ଗାନ୍ଧୀଜୀଙ୍କୁ ସାକ୍ଷାତ କରିଥିଲେ ପଶ୍ଚିମବଙ୍ଗର ନବନିଯୁକ୍ତ ରାଜ୍ୟପାଳ ରାଜ ଗୋପାଳଚାରି (ରାଜାଜୀ)। ଅହିଂସାରେ ଭାରତର ସ୍ୱାଧୀନତା ପୃଥିବୀର ଏକ ବିସ୍ମୟକର ଉପଲବ୍ଧି ଏବଂ ଗାନ୍ଧୀ ଏକ ବିସ୍ମୟ ପୁରୁଷ ବୋଲି ରାଜାଜୀ କହିବାରୁ ଜୋରରେ ହସି ଦେଇଥିଲେ ଗାନ୍ଧୀ। ରାଜାଜୀ ଦିଲ୍ଲୀର କ୍ଷମତା ହସ୍ତାନ୍ତରର ବିସ୍ତୃତ ସୂଚନା ଗାନ୍ଧୀଙ୍କୁ ଦେଇଥିଲେ।
ସନ୍ଧ୍ୟାରେ ରାସ ମୈଦାନର ସାଧାରଣ ସଭାରେ ଗାନ୍ଧୀଙ୍କ ପାଇଁ ସେଇ ଏକା ପ୍ରଶ୍ନ ଥିଲା, ‘ସ୍ୱାଧୀନତାର ସ୍ୱରୂପ କ’ଣ?’ ଏପରି ପ୍ରଶ୍ନ ସ୍ୱାଧୀନତା ପୂର୍ବରୁ ଗାନ୍ଧୀଙ୍କୁ ଅନେକ ଥର ପଚରା ଯାଇଥିଲା। ଗାନ୍ଧୀ ତା’ର ଉତ୍ତର ଦେଇଥିଲେ।
ଗାନ୍ଧୀ ଉଲ୍ଲେଖ କରିଥିଲେ, ‘ସ୍ୱାଧୀନତା ଅର୍ଥ ସମସ୍ତ ଭାରତୀୟଙ୍କ ସ୍ୱାଧୀନତା। ଶାସକମାନେ ଏଇ ସ୍ୱାଧୀନ ସାଧାରଣ ଭାରତୀୟଙ୍କ ଦ୍ୱାରା ନିର୍ବାଚିତ ଜଣେ ଜଣେ ପରିଚାଳକ ମାତ୍ର। ଲୋକଙ୍କ ଇଚ୍ଛା ଉପରେ ଏମାନେ ନିର୍ଭରଶୀଳ। ଲୋକଙ୍କ ଇଚ୍ଛା ପୂରଣ କରିବାକୁ ଶାସକମାନେ ସର୍ବଦା ପ୍ରସ୍ତୁତ ରହିବା ଉଚିତ। ଦେଇଥିବା ପ୍ରତିଶ୍ରୁତି ପାଳିବା ଦରକାର।’
ଗାନ୍ଧୀଜୀ ଉତ୍ତରରେ ତାଙ୍କ କଳ୍ପିତ ଏକ ସାଂସ୍କୃତିକ ସମାଜର ରୂପରେଖ ଦେଲେ। କହିଲେ, ‘ମୁଁ ଯେଉଁ ସାଂସ୍କୃତିକ ସମାଜ କଥା କହୁଛି ସେଠି ସ୍ୱାଧୀନତା ସର୍ବନିମ୍ନ ସ୍ତରରୁ ଆରମ୍ଭ ହୋଇଥାଏ। ବ୍ୟକ୍ତିର ସ୍ୱାଧୀନତାକୁ ପ୍ରାଧାନ୍ୟ ଦିଆଯାଇଥାଏ। ଗାଁ ଓ ପଂଚାୟତ ସ୍ୱାବଲମ୍ବୀ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ଅଭାବ ନେଇ ସଚେତନ ଥାଏ। ଦାବି ବି କରେ। ପଡ଼ୋଶୀକୁ ବାଦ ଦେଇ କୌଣସି ବ୍ୟକ୍ତିଗତ ଦାବି ସ୍ୱାର୍ଥପରତା ହୋଇଥାଏ।’
ଗାନ୍ଧୀ ଏକ ଶୋଷଣମୁକ୍ତ ସମାଜର ଚିତ୍ର ଦେଇ କହିଲେ, ‘ଏହା ଏପରି ଏକ ସମାଜ ଯେଉଁଠି ଭୟ ନ ଥିବ, ଶ୍ରମିକ ମାଲିକ ପରସ୍ପରକୁ ଠକୁ ନ ଥିବେ। ପ୍ରତି ଧର୍ମ ପାଇଁ ସମାନ ସ୍ଥାନଟିଏ ଥିବ। ବୃହତ୍ ଶିଳ୍ପ ଓ ମେସିନ ପ୍ରତି ଅହେତୁକ ଶ୍ରଦ୍ଧା ନ ଥିବ। ମେସିନର ପ୍ରୟୋଗ ଯେ ବ୍ୟାପକ ବେକାରି ସୃଷ୍ଟି କରିବ, ମୁଁ ନିଶ୍ଚିତ। ସ୍ବଦେଶୀ, ଗ୍ରାମୋଦ୍ୟୋଗ ହିଁ ସ୍ୱାଧୀନ ଭାରତର ମୂଳମନ୍ତ୍ର ହେବା ଦରକାର।’
ଗାନ୍ଧୀ ତାଙ୍କ ଉତ୍ତର ଶେଷରେ ଉଲ୍ଲେଖ କଲେ, ‘ମୁଁ କ୍ଷମତା ଏବଂ ସମ୍ପତି ବଣ୍ଟନ ଓ ବିକେନ୍ଦ୍ରୀକରଣ ସମ୍ପର୍କରେ କହିଛି। ଏ କଥା ବି କହିଛି, ଆର୍ଥିକ ଅସମାନତା ହିଁ ସବୁ ଅଶାନ୍ତିର କାରଣ ଏବଂ ଅନେକ ସଶସ୍ତ୍ର ବିଦ୍ରୋହ ଏହି ଅସମାନତାରୁ ଉପୁଜିଛି। ଏହା ସତ ଯେ ଭବିଷ୍ୟତ ଆମେ ନିର୍ମାଣ କରିବା, ଅଥଚ ଏବର ଏ ବର୍ତ୍ତମାନ ଆମର ଏବଂ ଆମେ ବର୍ତ୍ତମାନର। ଏ ମୋର ସ୍ୱାଧୀନତା ପାଇଁ ବାର୍ତ୍ତା।’
ଜଣେ ସାମ୍ବାଦିକଙ୍କ ପ୍ରଶ୍ନ ଥିଲା, ‘ବାପୁ, ଯଦି ଆପଣଙ୍କ ପରାମର୍ଶକୁ ପରବର୍ତ୍ତୀ ଶାସକ ନ ମାନନ୍ତି?’ ଗାନ୍ଧୀଙ୍କ ଉତ୍ତର ଥିଲା, ‘ସେମାନେ ନିଜକୁ ନିଜେ ଠକିବେ। ମୁଁ କିନ୍ତୁ ମୋ ସମାଧି ଭିତରୁ ତାଙ୍କୁ ମନେ ପକାଉଥିବି।’
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୪୬୯୩୨୮