ଅସ୍ପୃଶ୍ୟତା ଦୂରୀକରଣ ଏବଂ ହିନ୍ଦୁ ମନ୍ଦିରରେ ଦଳିତ ପ୍ରବେଶ ନେଇ ଗାନ୍ଧୀଜୀ ଏକ ନଅମାସିଆ ଭାରତ ଭ୍ରମଣ କାର୍ଯ୍ୟକ୍ରମ ୧୯୩୩ ନଭେମ୍ବର ୭ ତାରିଖରେ ୱାର୍ଦ୍ଧାରୁ ଆରମ୍ଭ କରିଥିଲେ। ଏହାର ନାମ ଥିଲା ‘ହରିଜନ ଯାତ୍ରା।’ ହରିଜନ ଯାତ୍ରାରେ ଗାନ୍ଧୀଜୀଙ୍କ ସହ କସ୍ତୁରବା’ ଯୋଗ ଦେଇ ପାରି ନ ଥିଲେ। ସେତେବେଳେ ସେ ଜେଲ୍‌ରେ ଥିଲେ। ଯାତ୍ରା ଆରମ୍ଭ ବେଳେ କସ୍ତୁରବା’ କହିଥିଲେ, ‘ବାପୁ, ଆପଣ ନିୟମିତ ମୋ ପାଖକୁ ଚିଠି ଦେବେ। ଚିଠିରେ ଗୀତା ବାଣୀ ସମ୍ପର୍କରେ ଲେଖିବେ। ନିଜ ଦେହ କଥା ଲେଖିବେ।’
‘ହରିଜନ ଯାତ୍ରା’ ଭିତରେ ପ୍ରତି ସୋମବାର ଗାନ୍ଧୀ ଚିଠି ଦେଉଥିଲେ କସ୍ତୁରବା’ଙ୍କୁ। ସୋମବାର ଥାଏ ଗାନ୍ଧୀଙ୍କର ମୌନ ବ୍ରତର ଦିନ। କସ୍ତୁରବା’ଙ୍କୁ ଦେଉଥିବା ଗାନ୍ଧୀଙ୍କର ସବୁ ଚିଠି ଦୀର୍ଘ ଥିଲା।
କସ୍ତୁରବା’ଙ୍କୁ ଗାନ୍ଧୀଜୀଙ୍କ ପ୍ରଥମ ଚିଠି ଥିଲା ୧୯୩୩ ଡିସେମ୍ବର ୨୫ ତାରିଖରେ। ସ୍ଥାନ ଥିଲା ଆନ୍ଧ୍ର ପ୍ରଦେଶର ଛୋଟ ଗାଁ ସୀତାନଗରମରେ ଥିବା ଗାନ୍ଧୀ ଆଶ୍ରମ। ଗାନ୍ଧୀ ଚିଠି ଲେଖିଲେ, ‘ବା’, ମୁଁ ଶୁଣୁଛି ତୁମେ ପ୍ରତିଦିନ ଜେଲ୍‌ରେ ଗୀତା ପଢୁଛ। ତୁମକୁ କିଏ ଏହାର ଭାବାର୍ଥ ବୁଝାଉଛି? ମୁଁ ଆଜି ତୁମକୁ ଗୀତାର ୯ମ, ୧୦ମ, ୧୧ଶ ଏବଂ ୧୨ଶ ଅଧ୍ୟାୟରେ ଭକ୍ତି ଏବଂ ଭକ୍ତ ସମ୍ପର୍କରେ ଦିଆଯାଇଥିବା ମହତ୍ତ୍ବପୂର୍ଣ୍ଣ ବର୍ଣ୍ଣନା ସରଳ ଭାଷାରେ କହୁଛି। ଭଗବାନ ଶ୍ରୀକୃଷ୍ଣ କହନ୍ତି, ଯିଏ ତାଙ୍କୁ ଶ୍ରଦ୍ଧା କରେ; କାହାର ସାହାଯ୍ୟ ନ ନେଇ ଯିଏ ତାଙ୍କର ଅହରହ ଅନ୍ବେଷଣରେ ଥାଏ, ସିଏ ପୁରୁଷ ହେଉ ବା ମହିଳା, ସିଏ ତା’ର ଆପଣାର ହୋଇ ଯାଆନ୍ତି। ପ୍ରକୃତ ଭକ୍ତର ଲକ୍ଷଣ ଓ ଗୁଣର ବର୍ଣ୍ଣନା ଦେଇ ଈଶ୍ୱର କହନ୍ତି, ଭକ୍ତର କାହା ପ୍ରତି କୁଚିନ୍ତା ନଥାଏ। ସେ ସମସ୍ତଙ୍କର ବନ୍ଧୁ ହୋଇଥାଏ। ସମସ୍ତଙ୍କ ପ୍ରତି ତା’ର କରୁଣା ଭାବ ଥାଏ। କୌଣସି ବ୍ୟକ୍ତି ବା ବସ୍ତୁ ପ୍ରତି ତା’ର ବ୍ୟକ୍ତିଗତ ଆସକ୍ତି ବା ଅନୁଗ୍ରହ ନ ଥାଏ। ଭକ୍ତର ଅହଂଭାବ ନଥାଏ। ସୁଖ ଦୁଃଖରେ ସେ ବିଚଳିତ ହୁଏ ନାହିଁ। ସେ କ୍ଷମାଶୀଳ ହୋଇଥାଏ। ଖୁସିରେ ଥାଏ। ସେ ତା’ର ପ୍ରତିଜ୍ଞା ରଖିଥାଏ। ଈଶ୍ୱରଙ୍କୁ ସେ ସ୍ୱୀକାର କରିଥାଏ। ଏଥିରେ ତର୍କ ଥାଏ। ଅନ୍ଧଭକ୍ତି ନଥାଏ। ଭକ୍ତର ଭୟ, କାମନା, ବ୍ୟସ୍ତତା ନ ଥାଏ। ହୃଦୟରେ ପବିତ୍ରତା ଥାଏ। ଉଭୟ ବନ୍ଧୁ ଓ ବୈରୀଙ୍କୁ ସେ ସମ୍ମାନ ଦେଇଥାଏ। ଗରମ ଓ ଶୀତକୁ ସହ୍ୟ କରିବାର ଶକ୍ତି ରଖିଥାଏ। କାହାକୁ କଷ୍ଟ ଦେଇ ନ ଥାଏ। ତା’ର ନିଜ ଘର ନ ଥାଏ। ଅର୍ଥାତ୍‌ ସିଏ ଯେଉଁଠି ରହେ ସେ ତା’ର ଘର ହୋଇଥାଏ। ସେ କେବେ ଅଦରକାରି କଥା କହେନି। ଭଗବାନ କହନ୍ତି, ଏ ସବୁ ଗୁଣ ଧାରଣ କରିଥିବା ବ୍ୟକ୍ତି ହିଁ ତାଙ୍କର ପରମ ଭକ୍ତ ହୋଇଥାଏ। ତମେ ମୁଁ, ଯିଏ ବି ନିଷ୍ଠାର ସହ ଚାହିଁବ, ସେ ଈଶ୍ୱରଙ୍କ ଭକ୍ତ ହୋଇ ପାରିବ। ଏଥିରେ ଅନ୍ୟ କାହାର ସାହାଯ୍ୟ ଦରକାର ନାହିଁ - ଇତି ବାପୁ।’
ଜେଲରେ କସ୍ତୁରବା’ଙ୍କ ଦେହ ବେଶୀ ସମୟ ଖରାପ ରହୁଥିଲା। ଦେହ ସାରା ଯନ୍ତ୍ରଣା ହେଉଥିଲା। ଦାନ୍ତ ବିନ୍ଧା କମୁ ନ ଥିଲା। ଦୁଃଖ ପ୍ରକାଶ କରି କିଏ ସମବେଦନା ଜଣାଉଥିଲେ କସ୍ତୁରବା’ କହୁଥିଲେ, ସ୍ୱରାଜ ସହଜରେ ଆସିବନି। କଷ୍ଟ ସହିବାକୁ ହେବ। ୧୯୩୪ ମସିହା ଜାନୁଆରି ୧ ତାରିଖ ପରବର୍ତ୍ତୀ ଚିଠିରେ ଗାନ୍ଧୀଜୀ କସ୍ତୁରବା’ଙ୍କୁ ସାହସ ଦେଇ ଲେଖିଦେଲେ, ‘ତମେ ପୋଟାସିଅମ ପରମାଙ୍ଗାନେଟ ପାଣି ସବୁଦିନ କୁଳି କର, ଦାନ୍ତ ବିନ୍ଧା କମିଯିବ। ଦେହର ଯନ୍ତ୍ରଣା ଉପରେ ଧ୍ୟାନ ଦିଅନି। ହଁ, ମୁଁ ତୁମକୁ ଗତ ଚିଠିରେ ଭକ୍ତର ଗୁଣ ସମ୍ପର୍କରେ କହିଥିଲି। ଆଜି ଗୀତାରେ ଥିବା ସେବା ଓ ଯଜ୍ଞ ସମ୍ପର୍କରେ କହିବି। ସେବା ବ୍ୟତୀତ ଭକ୍ତିର କିଛି ମୂଲ୍ୟ ନାହିଁ। ଅନେକ ଲୋକ ମୋତେ ପ୍ରଶ୍ନ କରିଛନ୍ତି, ସେବାରେ ସର୍ତ୍ତ ରହିବା ଦରକାର କି? ପ୍ରକୃତରେ ସର୍ତ୍ତ ଥିବା ସେବା ସେବା ନୁହେଁ। ସମ୍ପୂର୍ଣ୍ଣ ସମର୍ପଣ ଓ ତ୍ୟାଗ ହେଉଛି ସେବା। ସବୁ ସମ୍ପତ୍ତି, ଉପହାର ଦାନ କରିଦେଲେ ଈଶ୍ୱର ପୂରା ନମ୍ବର ଦିଅନ୍ତି। ଯଦି ଜଣେ କୋଟିଏ ଟଙ୍କା ଦେବାକୁ ସମର୍ଥ ଏବଂ ସେ ପଚାଶ ଲକ୍ଷ ଦିଏ ସେ ଈଶ୍ୱରଙ୍କ ଠାରୁ ପଚାଶ ନମ୍ବର ପାଏ। ଯଦି ଜଣଙ୍କ ପାଖରେ ଗୋଟିଏ ପଇସା ଥାଏ ଏବଂ ସେ ସମ୍ପୂର୍ଣ୍ଣ ଦେଇ ଦିଏ ସେ ଶହେରୁ ଶହେ ନମ୍ବର ପାଏ। ଏ ହେଉଛି ସେବାର ଧର୍ମ। ଏ ଧର୍ମ କୁହେ, ନିଜ ସ୍ୱାର୍ଥ ରଖି କିମ୍ବା ଭୟରେ ଯେଉଁ ସେବା କରାଯାଏ ତାହା ସେବା ନୁହେଁ। ଏବଂ କୌଣସି କାର୍ଯ୍ୟ (ଯଜ୍ଞ) ନ କରି ଖାଇବା ବି ଚୋରି ସହ ସମାନ। ମୋ ‘ଅନାଶକ୍ତି ଯୋଗ’ ଏବଂ ଗୀତାର ତୃତୀୟ, ନବମ ଓ ଦଶମ ଅଧ୍ୟାୟରେ ଏହାର ବର୍ଣ୍ଣନା ରହିଛି। ଗୀତା ପଢ଼ି କେବଳ ଏହାର ଶ୍ଳୋକ ଶିଖିବା ଗୀତା ପ୍ରବଚନର ଲକ୍ଷ୍ୟ ନୁହେଁ। ଏହାକୁ ଅନୁଭବ କରି ଜୀବନରେ ପ୍ରୟୋଗ କରିବା ହିଁ ଏହାର ଉଦ୍ଦେଶ୍ୟ। ତୁମେ ଜେଲ୍‌ ଭିତରେ ଜଘନ୍ୟ ଅପରାଧ କରି ଆସିଥିବା ମହିଳାଙ୍କ ପ୍ରତି ଦୟା ଦେଖାଉଥିବ। ନିୟମିତ ଅରଟରେ ସୂତା କାଟୁଥିବ। ଗୀତା ସମ୍ପର୍କରେ ଆଉ କିଛି ଅନ୍ୟ ଚିଠିରେ ଲେଖିବି - ବାପୁଙ୍କ ଆଶୀର୍ବାଦ।’
ହରିଜନ ଯାତ୍ରା ବେଳେ ଗୀତାର ପ୍ରବଚନ ଦେଇ ଜେଲ୍‌ରେ ଥିବା କସ୍ତୁରବା’ଙ୍କୁ ଏମିତି ଅନେକ ଚିଠି ଗାନ୍ଧୀଜୀ ଲେଖିଥିଲେ। ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ପଦଯାତ୍ରା ସମୟରେ ୧୯୩୪ ମେ’ ମାସରେ କସ୍ତୁରବା’ ଜେଲରୁ ଖଲାସ ହେବା ସମ୍ବାଦ ଗାନ୍ଧୀ ପାଇଥିଲେ। ଓଡ଼ିଶା ଆସି ଗାନ୍ଧୀଙ୍କ ସହ ଯୋଗ ଦେବାକୁ ଚାହିଁଥିଲେ ବି କସ୍ତୁରବା’ ଓଡ଼ିଶା ଆସି ପାରି ନଥିଲେ। ୧୯୩୪ ଜୁନ୍ ୭ ତାରିଖରେ ଗାନ୍ଧୀଜୀଙ୍କ ଓଡ଼ିଶା ପଦଯାତ୍ରା ଶେଷ ହୋଇ ଯାଇଥିଲା।
ଜଣେ ସଂଗ୍ରାମୀ ସ୍ୱାମୀ ତାଙ୍କର ସଂଗ୍ରାମୀ ସ୍ତ୍ରୀଙ୍କୁ କଠିନ ସମୟରେ ଆତ୍ମଶକ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଗୀତା ପ୍ରବଚନ ଦେବାର ଏ ଥିଲା ପ୍ରଥମ ଓ ଅନନ୍ୟ ଘଟଣା।
ମୋ: ୯୮୬୧୪୬୯୩୨୮