ରଙ୍ଗାଜୀବ ଗଙ୍ଗାଧର

ମଣୀନ୍ଦ୍ର କୁମାର ମେହେର

ରଙ୍ଗାଜୀବର ଆକ୍ଷରିକ ଅର୍ଥ ହେଉଛି ଯିଏ ରଙ୍ଗକୁ ଜୀବିକା ଭାବରେ ଗ୍ରହଣ କରିଛି, କିମ୍ବା ରଙ୍ଗ ଓ ତୂଳୀ ସାହାଯ୍ୟରେ ଚିତ୍ରାଙ୍କନ କରି ଜୀବନ ନିର୍ବାହ କରୁଛି। ଏହି ଦୁଇଟି ଦୃଷ୍ଟିକୋଣରୁ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜୀବନ ଓ ସାହିତ୍ୟ କୃତିକୁ ଅଧ୍ୟୟନ କଲେ ତାଙ୍କୁ ‘ରଙ୍ଗାଜୀବ ଗଙ୍ଗାଧର’ ବୋଲି କହିବା କେତେ ଯୁକ୍ତିସ˚ଗତ ତାହା ଅନୁଭବ କରିହୁଏ। ଗଙ୍ଗାଧରଙ୍କ ଜନ୍ମ ହୋଇଥିଲା ବୁଣାକାର ପରିବାରରେ। ଭୁଲିଆ ଜାତିର ଚୈତନ୍ୟ ମେହେର ଓ ସେବତୀ ଦେବୀଙ୍କ ସେ ଥିଲେ ଦିବ୍ୟ-ଆକା˚କ୍ଷା-ସ˚ଭୂତ ସନ୍ତା। ପରିବାରର କୌଳିକ କୀର୍ତ୍ତିଠାରୁ ନିଜକୁ ସେ କିପରି ଅବା ବିଚ୍ଛିନ୍ନ କରି ରଖିପାରିଥା’ନ୍ତେ? ଯେତେବେଳେ ତାଙ୍କର ନାମଲେଖା ହୁଏ ସରକାରୀ ସ୍କୁଲ୍‌ରେ, ସେତେବେଳେ ଦାରିଦ୍ର୍ୟ-ନିପୀଡ଼ିତ ଚୈତନ୍ୟ ଶିକ୍ଷକଙ୍କ ଆଗରେ ନିବେଦନ କରିଥିଲେ ଯେ ପୁଅ ଗୋଟିଏ ଓଳି ସ୍କୁଲ୍‌କୁ ଆସିବ ଓ ଆଉ ଗୋଟିଏ ଓଳି ବସ୍ତ୍ରବୟନରେ ତାଙ୍କୁ ସାହାଯ୍ୟ କରିବ। ଏପରି ଅନୁରୋଧରୁ ପ୍ରତିପାଦିତ ହୋଇଯାଏ ତିନିଟି ବିଷୟ। ପ୍ରଥମଟି ହେଲା କବି ପରିବାରର ଦାରିଦ୍ର୍ୟ ଥିଲା ଉଦ୍‌ବେଗଜନକ। ଦ୍ବିତୀୟଟି ହେଲା ଗଙ୍ଗାଧରଙ୍କ ଶିକ୍ଷାଲାଭ ସକାଶେ ରହିଥିଲା ଅଦମ୍ୟ ଉତ୍ସାହ। ତୃତୀୟଟି ହେଲା ଗଙ୍ଗାଧର ଥିଲେ ପିତାମାତାଙ୍କ ସ୍ନେହାଧୀନ ଓ ଆଜ୍ଞାଧୀନ ବିନମ୍ର ଉତ୍ତରାଧିକାରୀ। ଏହା ବ୍ୟତୀତ ଆଉ ଏକ ଅନ୍ତର୍ସତ୍ୟ ହେଲା- ବସ୍ତ୍ରବୟନ ପ୍ରତି ଗଙ୍ଗାଧରଙ୍କ ଗଭୀର ଅନୁରକ୍ତି ଓ ବସ୍ତ୍ରବୟନରେ ତାଙ୍କର ଶିଳ୍ପୀ-ହାତର ଅସାମାନ୍ୟ ସିଦ୍ଧି। ଗଙ୍ଗାଧରଙ୍କ ପ୍ରସ୍ତୁତ ସୂତାବସ୍ତ୍ର ଥିଲା ଚିକ୍କଣ ଓ କଳାପୂର୍ଣ୍ଣ। ଗଙ୍ଗାଧରଙ୍କ ପ୍ରଥମ ରଚନା ‘ରସ ରତ୍ନାକର’ ଠାରୁ ଆରମ୍ଭ କରି ‘ଭାରତୀ ଭାବନା’ ପର୍ଯ୍ୟନ୍ତ ଯାହା ସବୁ ସୁସ˚ରକ୍ଷିତ ହୋଇ ରହିଛି, ତାହା ଦେଖିବା ବେଳେ ମନେହୁଏ ଗଙ୍ଗାଧରଙ୍କ ଦ୍ବାରା ବୁଣାଯାଇଥିବା ବସ୍ତ୍ର ଖଣ୍ତିଏ ସେପରି ସ˚ରକ୍ଷିତ ହୋଇ ରହିପାରିଥା’ନ୍ତା କି! ଯେଉଁ ମାଧ୍ୟମରେ ଗଙ୍ଗାଧରଙ୍କ ବସ୍ତ୍ରବୟନର ଶୈଳ୍ପିକ-ସିଦ୍ଧି ଅନୁଭବ କରିବା ସମ୍ଭବ ତାହା ହେଲା ତାଙ୍କର କାବ୍ୟିକ-ସିଦ୍ଧି। ଯେଉଁ ଶୃଙ୍ଖଳା, ସ˚ଯମ ଓ ଏକାଗ୍ରତା ବସ୍ତ୍ରବୟନରେ ତାଙ୍କୁ କରିଥିଲା ସୁନିପୁଣ, ସେହି ନୈପୁଣ୍ୟର ସୌନ୍ଦର୍ଯ୍ୟ ଫୁଟିଉଠିଛି ତାଙ୍କ କାବ୍ୟ-ଶିଳ୍ପ ମଧ୍ୟଦେଇ।

ସନ୍ଥକବି କବୀର ଥିଲେ ଝୋଲିଆ ଜାତିର। ସେହିପରି ତାମିଲ ଭାଷାର କବି ତିରୁଭଲ୍ଲଭର ମଧ୍ୟ ଏହି ବୁଣାକାର ସ˚ପ୍ରଦାୟର ଥିଲେ। ଏଥିରୁ ପ୍ରମାଣିତ ହୋଇଯାଏ ଯେ ସମଗ୍ର ଭାରତବର୍ଷର ବା ପୃଥିବୀର ମହାନ ସାହିତ୍ୟଶିଳ୍ପୀମାନଙ୍କ ମଧ୍ୟରୁ କେତେଜଣ ନିଜ ପରିବାରର କୌଳିକ ବୃତ୍ତିକୁ ଜୀବିକା ନିର୍ବାହର ମାଧ୍ୟମ ଭାବରେ ଗ୍ରହଣ କରିନେଇଥିଲେ। ଗଙ୍ଗାଧରଙ୍କୁ କେବଳ ଏହି ଦୃଷ୍ଟିରୁ ଯଦି ରଙ୍ଗାଜୀବ ବୋଲି ସମ୍ବୋଧନ କରାଯାଏ, ତେବେ ତାହା ସର୍ବଜନଗ୍ରାହ୍ୟ ହୋଇପାରିବ ନିଶ୍ଚୟ। ଆଉ ଏକ ଦୃଷ୍ଟିରୁ ତାଙ୍କୁ ରଙ୍ଗାଜୀବ ବୋଲି ସମ୍ବୋଧନ କରିବା ମଧ୍ୟ ହେଉଛି ଏକ ଗୌରବାବହ ଉପଲବ୍ଧି। ସେ ରଙ୍ଗ ଓ ତୂଳୀ ସାହାଯ୍ୟରେ ଯଦିଓ ଚିତ୍ରାଙ୍କନରେ ପଟୁତା ପ୍ରଦର୍ଶନ କରିପାରି ନ ଥିଲେ, ତଥାପି କାବ୍ୟକବିତା ରଚନାରେ ସେ ହେଲେ ଜଣେ ଏପରି ଧୁରୀଣ ଶିଳ୍ପୀ, ଯିଏ ହୃଦୟର ରଙ୍ଗ ଓ ହାତର ତୂଳୀ ସାହାଯ୍ୟରେ ନିର୍ମାଣ କରିଯାଇଛନ୍ତି ଗୋଟିଏ ପରେ ଗୋଟିଏ କାବ୍ୟକବିତା। ସେ ପ୍ରକୃତିକବି ଭାବରେ ମଧ୍ୟ ଯେଉଁ ସୁଖ୍ୟାତି ଅର୍ଜନ କରିପାରିଛନ୍ତି ତାହାର ଅନ୍ତରାଳରେ ପ୍ରଚ୍ଛନ୍ନ ହୋଇ ରହିଛି ଏହି ରଙ୍ଗାଜୀବ ପଣିଆର ପବିତ୍ର ପ୍ରଭାବ। ଏହା ପୂର୍ବରୁ ଓଡ଼ିଶାର ବନ, ଗିରି, ପର୍ବତ, ଝରଣା ଯଦିଓ ଓଡ଼ିଆ କାବ୍ୟଗ୍ରନ୍ଥରେ ଚିତ୍ରିତ ହୋଇଥିଲା, କିନ୍ତୁ ପାଠକମାନଙ୍କ ସହିତ ସେମାନଙ୍କର ଅପୂର୍ବ ଭାବ-ସମ୍ବନ୍ଧର ପ୍ରତିଷ୍ଠା ହୋଇପାରି ନଥିଲା। ଗଙ୍ଗାଧରଙ୍କ ‘ତପସ୍ବିନୀ’, ‘ପ୍ରଣୟ ବଲ୍ଲରୀ’, ‘କୀଚକବଧ’, ‘ଇନ୍ଦୁମତୀ’ରେ ତାହା ପ୍ରତିଷ୍ଠିତ ହେଲା।

କାବ୍ୟକବିତା ରଚନା କରିବା ତାଙ୍କ ଜୀବିକା-ନିର୍ବାହର ମାଧ୍ୟମ ନଥିଲା। ତାହା ଥିଲା ତାଙ୍କ ଜୀବନ ଧାରଣର ଲକ୍ଷ୍ୟ ଏବ˚ ଆତ୍ମବିକାଶ ବା ଆତ୍ମଉନ୍ମୋଚନାର ଏକ ମହାନ ତପସ୍ୟା। ‘ରଙ୍ଗାଜୀବ ଗଙ୍ଗାଧର’ ବୋଲି ଉଚ୍ଚାରଣ କରିବା ଦ୍ବାର ରଙ୍ଗାଜୀବ ଶବ୍ଦଟିର ସ୍ବାତନ୍ତ୍ର୍ୟ ଓ ସୌନ୍ଦର୍ଯ୍ୟ କିପରି ଭିନ୍ନ ଭାବରେ ଉତ୍କୀର୍ଣ୍ଣ, ତାହା ଅନୁଭୂତ ହେବା ସଙ୍ଗେ ସଙ୍ଗେ ଗଙ୍ଗାଧରଙ୍କ ମହତ୍ତ୍ବ ମଧ୍ୟ ଏହାଦ୍ବାରା ପରିସ୍ଫୁଟିତ ହୋଇଯାଇଛି ସାର୍ଥକ ରୂପରେ, ଏହା କହିବା ବାହୁଲ୍ୟ ମାତ୍ର।

ପ୍ରଫେସର, ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ
ଫକୀରମୋହନ ବିଶ୍ବବିଦ୍ୟାଳୟ, ବାଲେଶ୍ବର

ସମ୍ବନ୍ଧିତ ଖବର