ଗୌରଚନ୍ଦ୍ର ତ୍ରିପାଠୀ

Advertisment

‘ଲିଭ-ଇନ ରିଲେସନସିପ୍‌ର ଲୋମଟାଙ୍କୁରା କାଣ୍ଡ। ପ୍ରଥମେ ପ୍ରେମିକାକୁ ତଣ୍ଟିଚିପି ହତ୍ୟା, ପରେ ଶବକୁ ପୋଡ଼ି ସୁଟକେସରେ ଭର୍ତ୍ତି କରି ଫିଙ୍ଗିଲା ପ୍ରେମିକ।’ ଶ୍ରଦ୍ଧା ୱାକର, ନିକି ଯାଦବ ଓ ମେଘା ତୋରବୀଙ୍କ ଲିଭ-ଇନ ହତ୍ୟା ଖବର ମନରୁ ଲିଭିବା ପୂର୍ବରୁ, ନିକଟରେ ଦିଲ୍ଲୀରେ ଶିଳ୍ପା ପାଣ୍ଡେଙ୍କର ଏହି ହତ୍ୟା ଖବର ପାଠକଙ୍କ ହୃଦୟକୁ ଗଭୀର ଭାବରେ ଆନ୍ଦୋଳିତ କରିଛି। ଏହି ହତ୍ୟା ଘଟଣାସବୁ ବ୍ରିଟିସ ପପ୍‌ ଗାୟକ ନଜାରେଥଙ୍କ ଜନପ୍ରିୟ ବାଲାଡ୍‌ ସଙ୍ଗୀତ ‘ଲଭ୍ ହର୍ଟସ, ଲଭ୍ ସ୍କାର୍‌ସ, ଲଭ୍ ଵୁଣ୍ଡ୍‌ସ ଆଣ୍ଡ୍‌ ମାର୍କସ୍‌’ (ପ୍ରେମ ଆହତ କରେ, କ୍ଷତ ସୃଷ୍ଟି କରେ, ଆଘାତ ଦିଏ ଓ ଚିହ୍ନ ଛାଡ଼ିଯାଏ) ସହିତ ଯୋଡ଼ି ଦେଇଛି ଆଉ ଏକ ବାକ୍ୟ ‘ଲଭ୍ କିଲ୍‌ସ ଠୁ’ (ପ୍ରେମ ମୃତ୍ୟୁ ବି ପ୍ରଦାନ କରେ)। 
ପ୍ରଶ୍ନ ଉଠେ, ଲିଭ-ଇନ ସମ୍ପର୍କ କ’ଣ? ଅତି ସହଜ ଭାବରେ କହିଲେ, ଏହା ହେଉଛି ଏମିତି ଏକ ସହବାସ ବ୍ୟବସ୍ଥା ଯେଉଁଠି ଯୁବକଯୁବତୀ ଯୋଡ଼ି ଦୀର୍ଘ ସମୟ ଯାଏ, ଏକା ଛାତ ତଳେ ବିବାହିତ ଦମ୍ପତିଙ୍କ ପରି ଜୀବନଯାପନ କରନ୍ତି। ଲିଭ-ଇନ ସମ୍ପର୍କ ଆମ ଦେଶର ସହରୀ ସଭ୍ୟତାରେ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି, ଯାହାକି ଆମ ପାରମ୍ପରିକ ବିବାହ ବ୍ୟବସ୍ଥା ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି। ଏ ସମ୍ପର୍କିତ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ୭୫ ଶତକଡ଼ା ଯୁବକଯୁବତୀ ପରସ୍ପର ବୁଝାମଣା ଓ ଉତ୍ତମ ବୈବାହିକ ଜୀବନଯାପନ ପାଇଁ ଲିଭ-ଇନ ସମ୍ପର୍କରେ ରହିବା ପାଇଁ ଚାହିଥାନ୍ତି। 
ଆଜିର ଯୁବପିଢ଼ି ପାଇଁ ବିବାହ, ବିଚ୍ଛେଦ, ଶିକ୍ଷା, ବୃତ୍ତି ପରି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିଗତ। ପାରମ୍ପରିକ ବୈବାହିକ ଦାୟିତ୍ୱବୋଧ ପ୍ରତି ଉଦାସୀନ ମନୋଭାବ, ଆର୍ଥିକ ସୁରକ୍ଷା, ପାରିବାରିକ କଳହ, କ୍ରମବର୍ଦ୍ଧିଷ୍ଣୁ ବ୍ୟକ୍ତିବାଦ ଆଦି ଲିଭ-ଇନ ସମ୍ପର୍କ ବୃଦ୍ଧିର ମୁଖ୍ୟ କାରଣ। ଆନ୍ଥୋନି ଗିଡେନ୍‌ସଙ୍କ ଆଧୁନିକତା ସିଦ୍ଧାନ୍ତ (ଥିଓରି ଅଫ ମଡର୍ନିଟି) ଅନୁସାରେ ବ୍ୟକ୍ତିର ପରିପୂର୍ଣ୍ଣତା ତା’ ଅନ୍ତରଙ୍ଗ ଭାବନା ପ୍ରତି ମିଳୁଥିବା ସମ୍ମତି ଉପରେ ନିର୍ଭର କରିଥାଏ। ତେଣୁ ବ୍ୟକ୍ତି ସ୍ୱାଧୀନତା ଓ ସମାନତାରେ ବିଶ୍ୱାସ ରଖୁଥିବା ଆଜିର ଯୁବପିଢ଼ି ଠାରେ ଲିଭ-ଇନ ସମ୍ପର୍କ ପ୍ରତି ଅଧିକା ଆଗ୍ରହ ସୃଷ୍ଟି ହେବା ସ୍ୱାଭାବିକ।
ଲିଭ-ଇନ ସମ୍ପର୍କ ଆମ ଦେଶ ପାଇଁ କିଛି ନୂଆ ଘଟଣା ନୁହଁ। ବେଦରେ ବର୍ଣ୍ଣିତ ଆଠଟି ବିବାହ ପ୍ରକାରଭେଦ ମଧ୍ୟରୁ ‘ଗନ୍ଧର୍ବ ବିବାହ’ ଅନ୍ୟତମ, ଯାହାର ତୁଳନା ଲିଭ-ଇନ ସମ୍ପର୍କ ସହ କରାଯାଇପାରେ। ‘ମନୁସ୍ମୃତି’ ଗ୍ରନ୍ଥ, କାଳୀଦାସଙ୍କ ‘ଅଭିଜ୍ଞାନ ଶକୁନ୍ତଳମ୍‌’ ନାଟକ, ଗୁଣଧ୍ୟାଙ୍କ କାହାଣୀ ସଂକଳନ ‘ବୃହତକଥା’, ଭାସଙ୍କ ‘ଅଭିମାରକ’ ମଞ୍ଚନାଟକ ଓ ଦାଣ୍ଡିଙ୍କ ‘ଦଶ କୁମାର ଚରିତ’ କାବ୍ୟରେ ‘ଗନ୍ଧର୍ବ ବିବାହ’ ବର୍ଣ୍ଣିତ ହୋଇଛି ଏବଂ ବାତ୍ସ୍ୟାୟନଙ୍କ ‘କାମସୂତ୍ର’ ପୁସ୍ତକ, ବୌଦ୍ଧାୟନଙ୍କ ‘ଧମ୍ମସୂତ୍ର’ ସଂହିତାରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ଗନ୍ଧର୍ବ ବିବାହକୁ ପ୍ରାଥମିକତା ଦିଆଯାଇଛି। ମହାଭାରତ କାବ୍ୟରେ କଣ୍ବ ମୁନୀ ଗନ୍ଧର୍ବ ବିବାହକୁ ସମର୍ଥନ କରି କହିଛନ୍ତି, ‘ଦୁଇଟି ପ୍ରାଣର ମିଳନ ପାଇଁ କୌଣସି ଔପଚାରିକତାର ଆବଶ୍ୟକତା ନାହିଁ।’ ବାଇବେଲ ଗ୍ରନ୍ଥ, ବିଶେଷ ରୂପେ ‘ବୁକ୍ ଅଫ୍ ଜେନେସିସ’ରେ ଆଦାମ ଓ ଇଭଙ୍କ ମିଳନ ପାଇଁ କୌଣସି ପ୍ରଥା, ପରମ୍ପରାର ଆଶ୍ରୟ ନିଆ ଯାଇନାହିଁ। ଆଧୁନିକ ଭାରତରେ, ‘ମୈତ୍ର କାରାର’ ପ୍ରଥା ଗୁଜରାଟରେ ବହୁକାଳରୁ ପ୍ରଚଳିତ ଅଛି, ଯାହା ବିନା ବିବାହରେ ସହବାସକୁ ସମର୍ଥନ କରେ। ଆମ ରାଜ୍ୟରେ, ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ସମାଜରେ ପ୍ରଚଳିତ ‘ଧାଙ୍ଗିଡ଼ି ବସା’ ପ୍ରଥା, ଝାଡ଼ଖଣ୍ଡ ରାଜ୍ୟର ‘ଧୁକୁ’ ବିବାହ ପ୍ରଥା ଓ ଛତିଶଗଡ଼ ବସ୍ତର ଅଞ୍ଚଳର ‘ଘୋଟୁଲ’ ବିବାହପ୍ରଥାକୁ ଲିଭ-ଇନ ସମ୍ପର୍କ ଭାବେ ବର୍ଣ୍ଣନା କରାଯାଇପାରେ। ଗ୍ରିକ୍‌ ସାହିତ୍ୟର ଇଲିଆଡ୍‌ କାବ୍ୟରେ ହେକ୍ଟର ଓ ନାୟିକା ଆନ୍ଦ୍ରୋମେଚଙ୍କ ସହବାସ ଲିଭ-ଇନ ସମ୍ପର୍କ ନୁହେଁ ତ ଆଉ କ’ଣ? ୧୯୨୯ ମସିହାରେ ଦାର୍ଶନିକ ବର୍ଟ୍ରାଣ୍ଡ ରସେଲଙ୍କ ‘ମ୍ୟାରେଜ ଆଣ୍ଡ ମରାଲ୍‌ସ’ ପୁସ୍ତକରେ ପରୀକ୍ଷାମୂଳକ ବିବାହ (ଟ୍ରାଏଲ୍‌ ମ୍ୟାରେଜ) ସପକ୍ଷରେ ଯୁକ୍ତି ଉପସ୍ଥାପନ କରାଯାଇଛି। ଇତିହାସର ପୃଷ୍ଠାରେ କ୍ଲିଓପାଟ୍ରା ଓ ମାର୍କ ଆଣ୍ଟୋନୀଙ୍କ ସହବାସ ଲିଭ-ଇନ ସମ୍ପର୍କର ଆଉ ଏକ ଦୃଷ୍ଟାନ୍ତ ହୋଇପାରେ। 
ଆମ ଦେଶରେ ଲିଭ-ଇନ ସମ୍ପର୍କ ଆଇନ ଅନୁମୋଦିତ। ଏହି ସମ୍ପର୍କକୁ ସ୍ୱୀକୃତି ପ୍ରଦାନ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ସହବାସର ଅବଧି, ବାସସ୍ଥାନ, ସାମାଜିକ ଗତିବିଧି, ଆର୍ଥିକ ସ୍ଥିତିର ବୁଝାମଣା, ସନ୍ତାନ ଜନ୍ମ ପରି କିଛି ମାନଦଣ୍ଡର ନିର୍ଦ୍ଧାରଣ କରାଯାଇଛି ଏବଂ ପାରମ୍ପରିକ ବିବାହରେ ମହିଳାଙ୍କୁ ମିଳୁଥିବା ଭରଣପୋଷଣ, ସମ୍ପତ୍ତି ଅଧିକାର, ସନ୍ତାନଙ୍କ ପୈତୃକ ସମ୍ପତ୍ତିରେ ଅଧିକାରର ସୁରକ୍ଷା ପ୍ରଦାନ କରାଯାଇଛି। 
ସଂସ୍କୃତି ଚିର ଗତିଶୀଳ; ଏକ ନିରନ୍ତର ପ୍ରବାହମାନ ଧାରା। ଶିଳ୍ପା ପାଣ୍ଡେ, ଶ୍ରଦ୍ଧା ୱାକର, ନିକି ଯାଦବ ଓ ମେଘା ତୋରବୀ ପରି ଅମାନୁଷିକ ଘଟଣା ସବୁକୁ ଯୋଡ଼ିବାର ଏକମାତ୍ର ସୂତ୍ର ହେଲା, ସେମାନଙ୍କ ସମ୍ପର୍କକୁ ପରିବାରର ପ୍ରତ୍ୟାଖାନ ଏବଂ ସମାଜରେ ନିନ୍ଦିତ ହେବାର ଭୟ। ନିଜନିଜର ସମ୍ପର୍କକୁ ସେମାନେ ପରିବାରର ନଜରରୁ ଲୁଚାଇ ରଖିଥିଲେ, ତେଣୁ ବିପଦ ସମୟରେ ସାହାଯ୍ୟ ମାଗି ପାରିଲେନି। ପାରମ୍ପରିକ ବିବାହ ଭାରତୀୟ ସଂସ୍କୃତିରେ ଭାବର, ଅନୁଭବର ଓ ଜନ୍ମ ଜନ୍ମାନ୍ତରର ଏକ ନୈସର୍ଗିକ ବନ୍ଧନ। କିନ୍ତୁ ଲିଭ-ଇନ ଆଧୁନିକ ସମାଜର ଏକ ନିଷ୍ଠୁର ସତ୍ୟ। ତେଣୁ ସମୟର ପରିବର୍ତ୍ତନ ସହ ସମାଜର ରକ୍ଷଣଶୀଳ, ରୁଢ଼ିବାଦୀ ଚିନ୍ତାଧାରାରେ ପରିବର୍ତ୍ତନ ଅପରିହାର୍ଯ୍ୟ। ରୁମିଙ୍କ ଭାଷାରେ, ‘ଜୀବନର ଧାରାର ଗତିରୋଧ କରନ୍ତୁନି; ପବନ ପରି ବିନା ଦ୍ବିଧାରେ ଗ୍ରହଣ କରିନିଅନ୍ତୁ।’ ଲିଭ-ଇନ ସମ୍ପର୍କକୁ ଗ୍ରହଣ କରିନେବା ବ୍ୟତୀତ ଆମ ଆଗରେ ଦ୍ବିତୀୟ ପନ୍ଥା ନାହିଁ। ତା’ ନହେଲେ, ଆଗାମୀ ଦିନରେ ମୁକ୍ତ ଆକାଶରେ ଉଡ଼ିବାର ସ୍ବପ୍ନରେ ବିଭୋର ହୋଇ ନୀଡ଼ ଛାଡ଼ିଥିବା ଏମିତି ଅନେକ ଝିଅ ପ୍ରେମିକର ସୁଟକେସରେ ବୁହା ହୋଇ ଘରକୁ ଫେରିବେ, ଏହା ନିଃସନ୍ଦେହ। 
(ମତାମତ ଲେଖକଙ୍କ ନିଜସ୍ବ) 
ମୋ: ୯୯୩୭୦୪୨୫୨୭