କଷ୍ଟମ୍ ଡ୍ୟୁଟି ବା ସୀମା ଶୁଳ୍କ ଏକ ପ୍ରାଚୀନ ଟିକସ ବ୍ୟବସ୍ଥା। ପ୍ରାଚୀନ କାଳରୁ ଔପନିବେଶିକ ଶାସନ ପର୍ଯ୍ୟନ୍ତ କୌଣସି ରାଜ୍ୟରେ ବିଦେଶୀ ବ୍ୟବସାୟୀ ନିଜ ଉତ୍ପାଦର ବିକ୍ରିବଟା କରିବା ପାଇଁ ଆସିବା ସମୟରେ ଏକ ସାମାଜିକ ପ୍ରଥା ବା ‘କଷ୍ଟମ୍’ ହିସାବରେ କିଛି ଉପହାର ବା ଭେଟି ସ୍ବଇଚ୍ଛାରେ ଉକ୍ତ ରାଜ୍ୟର ରାଜା ବା ଶାସକଙ୍କୁ ପ୍ରଦାନ କରୁଥିଲେ। ସମୟକ୍ରମେ କିଛି ରାଜ୍ୟର ଶାସକ ଏହି ସ୍ୱେଚ୍ଛାକୃତ ଉପହାରକୁ ବିଦେଶୀ ବ୍ୟବସାୟୀଙ୍କ ସାମଗ୍ରୀ ମୂଲ୍ୟ ସହିତ ତୁଳନା କରି ଏକ ନିର୍ଦ୍ଦିଷ୍ଟ ବାଧ୍ୟତାମୂଳକ ଶୁଳ୍କ ବ୍ୟବସ୍ଥା ପ୍ରଚଳନ କଲେ। ଏହିଭଳି ଏକ ବ୍ୟବସ୍ଥା ଖ୍ରୀଷ୍ଟପୂର୍ବ ୩୦୦ରୁ ଭାରତରେ ମୌର୍ଯ୍ୟ ସାମ୍ରାଜ୍ୟ ସମୟରେ ପ୍ରଚଳିତ ଥିଲା ବୋଲି କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ବର୍ଣ୍ଣାନା ଅଛି। କେବଳ ଭାରତ ନୁହେଁ, ବିଶ୍ୱର ବିଭିନ୍ନ ଐତିହାସିକ ସଭ୍ୟତା ଦ୍ବାରା ଏହି ପ୍ରକାର ବ୍ୟବସ୍ଥାର ପ୍ରଚଳନ ଥିଲା। ୧୩୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଇଂଲଣ୍ଡରେ ଏହି ଶୁଳ୍କକୁ ବିଭିନ୍ନ ଆଞ୍ଚଳିକ ମୁଖିଆମାନେ ବିଦେଶୀ ବଣିକମାନଙ୍କ ଠାରୁ ଆଦାୟ କରି ପ୍ରତିବଦଳରେ ସେମାନଙ୍କୁ ବ୍ୟାବସାୟିକ ସୁରକ୍ଷା ପ୍ରଦାନ କରୁଥିଲେ, କିନ୍ତୁ ଏହି ସମୟରେ ଇଂଲଣ୍ଡର ଶାସକ କିଙ୍ଗ୍ ଜନ୍ ଏହି ଶୁଳ୍କକୁ ଦେଶର ସରକାରଙ୍କ ଦ୍ବାରା ଆଦାୟ କରିବା ପାଇଁ ଆଇନଗତ ବ୍ୟବସ୍ଥା ପ୍ରଚଳନ କଲେ, ଯାହାକୁ ଆମେ ଆଧୁନିକ କଷ୍ଟମ୍ ଡ୍ୟୁଟି ବ୍ୟବସ୍ଥାର ଜନ୍ମ ବୋଲି କହିପାରିବା। ରାଜ୍ୟ ରାଜସ୍ବର ଅନ୍ୟାନ୍ୟ ପ୍ରମୁଖ ରୂପ ଯଥା ଉତ୍ପାଦ ଓ ଆୟ କର ପ୍ରାୟ ୪୦୦ ବର୍ଷ ପରେ ୧୭୦୦ ମସିହା ବେଳକୁ ଯାଇ ପ୍ରଚଳିତ ହେଲା।
ଭାରତରେ ବ୍ରିଟିସ୍ ଔପନିବେଶିକ ଶାସନ ସମୟରେ ୧୭୮୬ ମସିହାରେ କଲିକତାରେ ଏହାର ପ୍ରଥମ ରାଜସ୍ବ ବୋର୍ଡ ପ୍ରତିଷ୍ଠା କରାଯାଇଥିଲା। ୧୮୦୮ ମସିହାରେ ଏହି ବୋର୍ଡରେ କିଛି ସଂଶୋଧନ କରି ନୂତନ ବାଣିଜ୍ୟ ବୋର୍ଡ ପ୍ରତିଷ୍ଠା କରାଗଲା। ୧୮୫୭ ମସିହାରେ ସିପାହି ବିଦ୍ରୋହ ପରେ ୧୮୫୮ ମସିହାରେ ବ୍ରିଟିସ୍ ପାର୍ଲାମେଣ୍ଟ ଦ୍ବାରା ‘ଗଭର୍ନମେଣ୍ଟ ଅଫ ଇଣ୍ଡିଆ ଆକ୍ଟ’ ପାରିତ ହେଲା ଏବଂ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନି ବଦଳରେ ବ୍ରିଟିସ୍ ସରକାରଙ୍କ ପ୍ରତ୍ୟକ୍ଷ ଶାସନ ବ୍ୟବସ୍ଥା ଲାଗୁ ହେଲା। ଏହାର ଏକ ବର୍ଷ ପରେ ‘ୟୁନିଫର୍ମ ଟାରିଫ ଆକ୍ଟ’ ପ୍ରଣୟନ ହେବା ସହିତ ସମଗ୍ର ଭାରତରେ ଏକ ସମାନ ଶୁଳ୍କ ଆଇନ ପ୍ରଚଳିତ ହେଲା। ଏହି ଆଇନ ଅନୁସାରେ ଶୁଳ୍କର ହାର ୧୦% ଥିଲା, ଯାହା ୧୮୬୪ ମସିହାରେ ୭.୫%କୁ ହ୍ରାସ ପାଇଥିଲା। ଭାରତରେ ଆମଦାନି ଶୁଳ୍କ ବୟନ ଶିଳ୍ପ ଇତିହାସ ସହ ଜଡ଼ିତ ଥିଲା। ବ୍ରିଟିସ୍ ଉତ୍ପାଦକମାନେ ସେମାନଙ୍କର ଉତ୍ପାଦକୁ ଭାରତକୁ ରପ୍ତାନି କରିବାକୁ ଚାହୁଁଥିଲେ ଏବଂ ସେମାନଙ୍କ ଚାପ ହେତୁ ୧୮୭୭ ମସିହାରେ କପା ସାମଗ୍ରୀ ଉପରେ ଥିବା ଶୁଳ୍କ ଉଚ୍ଛେଦ କରାଯାଇଥିଲା। ଏହି ସମୟରେ ‘ସି କଷ୍ଟମ୍ସ ଆକ୍ଟ’ ପାରିତ ହୋଇଥିଲା ଏବଂ ୧୮୮୪ ମସିହାରେ ‘ଇଣ୍ଡିଆନ୍ ଟାରିଫ ଆକ୍ଟ’ ପ୍ରଣୟନ ପରେ ପୁଣି କପା ସାମଗ୍ରୀ ଉପରେ ୫% ଆମଦାନି ଶୁଳ୍କ ଲାଗୁ କରାଯାଇଥିଲା। ସୂତା ସାମଗ୍ରୀ ଉପରେ ଉତ୍ପାଦ ଶୁଳ୍କ ଲାଗୁ କରାଯିବାରୁ ଭାରତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଶେଷରେ ୧୯୨୫ ମସିହାରେ ଏହାକୁ ଉଚ୍ଛେଦ କରିଦିଆଯାଇଥିଲା। ପରେ କଷ୍ଟମ୍ ଡ୍ୟୁଟି ୭.୫%କୁ ବୃଦ୍ଧି କରାଯାଇଥିଲା। ୧୯୨୪ ମସିହାରେ ଲ୍ୟାଣ୍ଡ କଷ୍ଟମ୍ସ ଆକ୍ଟ ପାରିତ ହୋଇଥିଲା। ସେହିପରି ଇଣ୍ଡିଆନ୍ ଏଆର୍ସିପ୍ସ ଆକ୍ଟ, ୧୯୧୧ ଏବଂ ଇଣ୍ଡିଆନ୍ ଏଆରକ୍ରାଫ୍ଟ ଆକ୍ଟ, ୧୯୩୪ ଏଆର କଷ୍ଟମ୍ସ ଅନ୍ତର୍ଭୁକ୍ତ ହୋଇଥିଲା।
ଭାରତର ସ୍ବାଧୀନତା ପରେ ଉତ୍ପାଦନ ଶିଳ୍ପ ବୃଦ୍ଧି ପାଇଲା ଏବଂ ବାଣିଜ୍ୟ ବିସ୍ତାର ହେଲା କିନ୍ତୁ ୧୯୬୨ ମସିହା ପର୍ଯ୍ୟନ୍ତ ସ୍ବାଧୀନ ଭାରତର ଆମଦାନି-ରପ୍ତାନି ବାଣିଜ୍ୟ ଉପରୋକ୍ତ ବ୍ରିଟିସ୍ ପ୍ରଣିତ ତିନିଟି ଆଇନ ଅନୁଯାୟୀ କାର୍ଯ୍ୟକାରୀ ହେଉଥିଲା। ୧୯୬୨ ମସିହାରେ ଉପରୋକ୍ତ ତିନିଟି ଆଇନକୁ ଏକୀକୃତ କରି ‘କଷ୍ଟମ ଆକ୍ଟ, ୧୯୬୨’ ଏବଂ ୧୯୭୫ ମସିହାରେ ‘କଷ୍ଟମ୍ସ ଟାରିଫ୍ ଆକ୍ଟ’ ପାରିତ ହୋଇଥିଲା ଯାହାକୁ ଆଧାର କରି ଭାରତର ସମସ୍ତ ଆମଦାନି-ରପ୍ତାନି ବ୍ୟବସାୟକୁ ନିୟନ୍ତ୍ରଣ କରାଯାଉଛି। କଷ୍ଟମ୍ ଡ୍ୟୁଟି ଆନ୍ତର୍ଜାତିକ ସୀମା ଦେଇ ଆମଦାନି କିମ୍ବା ରପ୍ତାନି ହେଉଥିବା ସାମଗ୍ରୀ ଉପରେ ଲାଗୁ ହୋଇଥିବା ଟିକସ ବା ଶୁଳ୍କକୁ ସୂଚିତ କରେ। ବାଣିଜ୍ୟକୁ ନିୟନ୍ତ୍ରଣ, ଘରୋଇ ଶିଳ୍ପଗୁଡ଼ିକର ସୁରକ୍ଷା, ରାଜସ୍ବ ବୃଦ୍ଧି ଏବଂ ବେଳେବେଳେ କିଛି ଦ୍ରବ୍ୟର ଗତିବିଧି ନିୟନ୍ତ୍ରଣ କରିବାରେ କଷ୍ଟମ୍ ଡ୍ୟୁଟି ବିଭାଗ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପରିବର୍ତ୍ତିତ ବିଶ୍ବ ବ୍ୟବସ୍ଥା, ରାଜନୈତିକ ସ୍ଥିତି ଓ ରାଷ୍ଟ୍ରୀୟ ଆବଶ୍ୟକତାକୁ ଆଧାର କରି କଷ୍ଟମ୍ ଡ୍ୟୁଟି ନିୟମରେ ଅନେକ ପରିବର୍ତ୍ତନ ହୋଇଆସିଛି। ଭାରତରେ କଷ୍ଟମ୍ ଡ୍ୟୁଟି ବିଭାଗ କେନ୍ଦ୍ରୀୟ ଅର୍ଥ ମନ୍ତ୍ରାଳୟର ରାଜସ୍ୱ ବିଭାଗ ଅଧୀନସ୍ଥ କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ନିୟନ୍ତ୍ରଣରେ କାର୍ଯ୍ୟ କରୁଛି। ଦେଶର ରାଜସ୍ୱରେ କଷ୍ଟମ୍ ଡ୍ୟୁଟିର ଯଥେଷ୍ଟ ଅବଦାନ ରହିଛି।
ବିଶ୍ବ ସ୍ତରରେ ମାତ୍ର ୧୭ଟି ଦେଶର ପ୍ରତିନିଧିଙ୍କୁ ନେଇ ସୀମା ଶୁଳ୍କ ସହଯୋଗ ପରିଷଦ ବା କଷ୍ଟମ୍ସ କୋ-ଅପରେସନ୍ କାଉନ୍ସିଲ୍ (ସିସିସି) ୨୬ ଜାନୁଆରି ୧୯୫୩ ମସିହାରେ ଗଠିତ ହୋଇଥିଲା। ବେଲଜିଅମ୍ର ବ୍ରସଲ୍ସ ସହରରେ ଅବସ୍ଥିତ ଏହି ସଂଗଠନର ୩୦ ବର୍ଷ ପୂର୍ତ୍ତି ଅବସରରେ ୧୯୮୩ ମସିହାରୁ ୨୬ ଜାନୁଆରିକୁ ଅନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ ଭାବରେ ସାରା ବିଶ୍ବରେ ପାଳନ କରାଯାଉଛି। କିନ୍ତୁ ୨୬ ଜାନୁଆରି ଭାରତରେ ଗଣତନ୍ତ୍ର ଦିବସ ଭାବରେ ପାଳିତ ହେଉଥିବାରୁ ଭାରତ ସରକାର ଜାନୁଆରି ୨୭ ତାରିଖକୁ ଆନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ ରୂପେ ପାଳନ କରନ୍ତି। ସୀମା ଶୁଳ୍କ ସହଯୋଗ ପରିଷଦ ୧୯୯୪ ମସିହାରୁ ବିଶ୍ବ ସୀମା ଶୁଳ୍କ ସଂଗଠନ ବା ‘ୱାର୍ଲଡ୍ କଷ୍ଟମ୍ ଅର୍ଗାନାଇଜେସନ୍’ (ଡବ୍ଲ୍ୟୁସିଓ) ଭାବରେ ପରିଚିତ ହେଲା। ବର୍ତ୍ତମାନ ୧୮୨ ସଭ୍ୟ ଥିବା ଡବ୍ଲ୍ୟୁସିଓ ଏହାର ସଭ୍ୟ ରାଷ୍ଟ୍ରମାନଙ୍କର ସୀମା ଶୁଳ୍କ ବିଭାଗ ସହିତ ସମନ୍ବୟ ରକ୍ଷା କରି ବୈଶ୍ବିକ ଆମଦାନି-ରପ୍ତାନି ବ୍ୟବସାୟରେ ସନ୍ତୁଳନ ରକ୍ଷା କରିବା ପାଇଁ ବିଭିନ୍ନ ନୀତି ପ୍ରଣୟନ କରୁଛି। ୧୯୬୬ ମସିହାରେ ପାରାଦ୍ବୀପ ବନ୍ଦର କାର୍ଯ୍ୟକ୍ଷମ ହେବା ସହ ଓଡ଼ିଶାରେ କଷ୍ଟମ୍ସ ବିଭାଗ କାର୍ଯ୍ୟ କରିବା ଆରମ୍ଭ କରିଥିଲା। ୧୯୮୩ ଉତ୍କଳ ଦିବସ ଅବସରରେ ଓଡ଼ିଶା ପାଇଁ ଭୁବନେଶ୍ବର ଠାରେ କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ଆୟୁକ୍ତଙ୍କ କାର୍ଯ୍ୟାଳୟ ଉଦ୍ଘାଟିତ ହେଲା ଏବଂ ୧ ଅଗଷ୍ଟ ୨୦୧୭ରେ ଓଡ଼ିଶାର ତିନିଟି ବନ୍ଦର, ତିନିଟି ଇନ୍ଲ୍ୟାଣ୍ଡ କଣ୍ଟେନର୍ ଡିପୋ (ଆଇସିଡି) ଏବଂ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ସ୍ବତନ୍ତ୍ର ଭାବରେ ସୀମା ଶୁଳ୍କ ଆୟୁକ୍ତଙ୍କ କାର୍ଯ୍ୟାଳୟ କାମ କରିବା ଆରମ୍ଭ କରିଥିଲା।
ମୋ: ୯୪୩୭୦୨୧୮୯୩