ବିଜୟାନନ୍ଦ ପଟ୍ଟନାୟକ

ମନ୍ଦିର ଭିତରେ ପରିଚିତ ମହିଳା ଜଣକ ଠାକୁରଙ୍କୁ ଚାହିଁ କାନ୍ଦି କାନ୍ଦି ନିରବରେ ନିଜର ଦୁଃଖ ଜଣାଉଥିବା ଦେଖି ସାଧୁ ପଚାରିଲେ, ‘ଆରେ ମା’ କ’ଣ ଅସୁବିଧା ହୋଇଛି କି? ତୁମେ ତ ସବୁବେଳେ ମନ୍ଦିର ଆସ, ହେଲେ କେବେ ଏମିତି କାନ୍ଦି କାନ୍ଦି ଠାକୁରଙ୍କୁ କିଛି ଗୁହାରି କରିବା କାଇଁ ତ ମୁଁ ଦେଖି ନାହିଁ। 
ମହିଳା ଜଣକ କହିଲେ, ‘ବାବା ମୁଁ ସବୁବେଳେ ମନ୍ଦିର ଆସେ। କେବଳ ଏଇ ମନ୍ଦିର ନୁହେଁ, ସହରରେ ଥିବା ପାଞ୍ଚଟିଯାକ ମନ୍ଦିରର ସବୁ ଠାକୁର-ଠାକୁରାଣୀଙ୍କ ପାଖକୁ ଯାଏ। ପୂଜା କରେ, ଧୂପ-ଦୀପ ଓ ଫୁଲ ଦିଏ। ପୂଜାରେ କେବେ କିଛି ଅବହେଳା କରେନାହିଁ। ଭାରି ଭଲରେ ଆମର ସଂସାର ଚାଲିଥିଲା। ଆମ ଖୁସିର ସଂସାରରେ କାହାର ନଜର ଲାଗିଗଲା କେଜାଣି! ଗୋଟେ ବଡ଼ ଅସୁବିଧା ପଡ଼ିଗଲା। ସେଥିପାଇଁ ଠାକୁରଙ୍କୁ ଗୁହାରି କରୁଛି ଯେ ପ୍ରଭୁ ଆଜି ମୋ ପରିବାରକୁ ବିପଦରୁ ଉଦ୍ଧାର କର।’
ସହରର ସମସ୍ତ ମନ୍ଦିରର ପୂଜକମାନେ ଭଦ୍ର ମହିଳାଙ୍କୁ ଭଲ ଭାବରେ ଜାଣନ୍ତି। ପର୍ବପର୍ବାଣି ହେଉ କି ମନ୍ଦିରର ବାର୍ଷିକ ଉତ୍ସବ କି ଅଷ୍ଟପ୍ରହରୀ ବା ହୋମ-ଯଜ୍ଞ; ସବୁ ସମୟରେ ସବୁଠି ତାଙ୍କର ଉପସ୍ଥିତି। ଖାଲି ଆସନ୍ତି ନାହିଁ; ମନ୍ଦିରକୁ, ନନାମାନଙ୍କୁ, ମନ୍ଦିର ଆଗରେ ବସିଥିବା ଭିକାରିମାନଙ୍କୁ ଭଲ ଦାନ ଦକ୍ଷିଣା ଆଦି ଦିଅନ୍ତି। ପୂଜାପାର୍ବଣରେ ନନାମାନେ ସ୍ବତନ୍ତ୍ର ଭାବେ ପ୍ରସାଦ ନେଇ ମହିଳାଙ୍କ ଘରେ ଦେଇଆସନ୍ତି। ମନ୍ଦିର ପରିସରର ଭିଡ଼ ଭିତରେ ତାଙ୍କୁ ଆଉ ଧାଡ଼ିରେ ଠିଆ ହେବାକୁ ପଡ଼େନାହିଁ। ନନାମାନେ ଆଗ ଆସି ମହିଳାଙ୍କ ହାତରୁ ଥାଳି ନେଇ ପୂଜା କରି ଦେଇଦିଅନ୍ତି। ପ୍ରତି ମନ୍ଦିରକୁ ମାସକୁ ଦଶ ହଜାର ଟଙ୍କା, ତା’ ଛଡ଼ା ଅତିଥି ଅଭ୍ୟାଗତଙ୍କୁ ଚର୍ଚ୍ଚା ଓ ମନ୍ଦିରରେ ଭୋଜିଭାତର ଆୟୋଜନ‌େର ପ୍ରମୁଖ ଦାୟିତ୍ବ ମହିଳା ଜଣକ ତୁଲାନ୍ତି। ସେଥିପାଇଁ ତାଙ୍କର ସ୍ବତନ୍ତ୍ର ପରିଚୟ। ସମସ୍ତେ କୁହନ୍ତି, ମା’ ଭାରି ଲକ୍ଷ୍ମୀବନ୍ତ, ଦୟାଳୁ, ଈଶ୍ବରବିଶ୍ବାସୀ, ଦାନୀ, ପରୋପକାରୀ ଇତ୍ୟାଦି ଇତ୍ୟାଦି। ସାଧୁ ପଚାରିଲେ, ‘ମା’ ତୋ’ର ଅସୁବିଧା କ’ଣ ହେଲା?’
ଭଦ୍ର ମହିଳା କହିଲେ, ‘ବାବା ଆପଣ ଆଜି ଖବରକାଗଜ ପଢ଼ିନାହାନ୍ତି କି?’
ବାବା କହିଲେ, ‘ହଁ ପଢ଼ିଛି ତ! ହେଲେ କୋଉ ଘଟଣାଟା ଖୋଲି କରି କହୁନୁ?’
ମହିଳା ସାମାନ୍ୟ ଅପ୍ରସ୍ତୁତ ଦିଶିଲେ। ତା’ ପରେ ଧୀରେ କହିଲେ, ‘କାଲି ଆମ ଘରକୁ ଭିଜିଲାନ୍‌ସ ବାବୁମାନେ ଆସିଥିଲେ। ଘରଦ୍ବାର ସବୁ ତନଖି କରି କାଗଜପତ୍ର, ସୁନାଗହଣା, ଟଙ୍କାପଇସା, ଗାଡ଼ି ଇତ୍ୟାଦି ଘରେ ଯାହା ଥିଲା ସବୁ ଜବତ କରିଦେଲେ; ତା’ର ଫଟୋ ଉଠାଇ ଟିଭି ଓ ଖବରକାଗଜବାଲାଙ୍କୁ ଦେଲେ। ଆମ ବାବୁଙ୍କୁ ଗିରଫ କରି ଜେଲ ପଠାଇ ଦେଇଛନ୍ତି। କାଲିଠୁ ସବୁ ଟିଭିରେ ବାଜୁଛି। ଆଜି ସବୁ ଖବରକାଗଜରେ ବାହାରିଛି। କାଲି ରାତିରୁ ବନ୍ଧୁବାନ୍ଧବଙ୍କ ଫୋନ ଛୁଟିବାରେ ଲାଗିଛି। କାହାକୁ କ’ଣ ଅବା କହିବୁ। ଲାଜରେ ମୁଣ୍ଡ ଟେକି ହେଉନାହିଁ। ପିଲାମାନେ ଆଜି କଲେଜ ଯାଇ ନାହାନ୍ତି। ସେଥି ପାଇଁ ମନ୍ଦିର ଆସିଛି, ଠାକୁରଙ୍କୁ ଦୁଃଖ ଜଣାଉଛି! ଏ‌େତ ପୂଜାପାଠ, ଧର୍ମକର୍ମର ଫଳ କ’ଣ ଏଇଅା?
ଏବେ ସାଧୁଙ୍କର ମନେ ପଡ଼ିଗଲା ସକାଳର ଖବରକାଗଜର ପ୍ରଥମ ପୃଷ୍ଠାରେ ବାହାରିଥିବା ଖବର, ‘ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍‌ସ ହାତରେ ଧରା ପଡ଼ି ଇଞ୍ଜିନିଅର ଜେଲ୍ ଗଲେ’। ଇଞ୍ଜିନିଅର ବାବୁଙ୍କ ଘରୁ ବାହାରିଥିଲା ନଗଦ କୋଟିଏ ଟଙ୍କା, ୨ କେଜି ସୁନା, ୮ଟି ପ୍ଲଟ୍‌ ଓ ୫ଟି କୋଠାର କାଗଜପତ୍ର, ୪ଟି ଗାଡ଼ି’’ ଇତ୍ୟାଦି ଇତ୍ୟାଦି। 
ସାଧୁ ବାବାଙ୍କୁ ଭଦ୍ରମହିଳା ପଚାରୁଥିଲେ, ମୁଁ କେତେ ପୂଜାପାଠ, ଦାନ-ଧର୍ମ କରିନାହିଁ କହନ୍ତୁ! ତାହା ହେଲେ ଭଗବାନ ଆମକୁ ଏତେ ବଡ଼ ଦଣ୍ଡ ଦେଲେ କାହିଁକି? ଠାକୁରଙ୍କ ଉପରେ ଆସ୍ଥା ରଖି ଲାଭ କ’ଣ?
ଏ ସବୁ ଶୁଣୁଥିବା ବେଳେ ସାଧୁ ଭାବୁଥିଲେ ପୁରାଣର ସେହି କାହାଣୀ ବିଷୟରେ। ଦିନେ ଦସ୍ୟୁ ରତ୍ନାକରକୁ ନାରଦ ମୁନି ପଚାରି ଦେଇଥିଲେ ତୁମେ ଏ ସବୁ ହୀନ କାମ କାହା ପାଇଁ କରୁଛ? ଯେଉଁ ପରିବାର ଲୋକଙ୍କ ଲାଗି ଏ ସବୁ କରୁଛ, ସେମାନେ ତୁମ ପାପର ଭାଗୀଦାର ହେବେ ତ? ତହୁଁ ରତ୍ନାକର ଘରକୁ ଯାଇ ପରିବାରର ପ୍ରତ୍ୟେକଙ୍କୁ ଏ କଥା ଗୋଟି ଗୋଟି କରି ପଚାରନ୍ତେ ସମସ୍ତେ ନାସ୍ତିସୂଚକ ଉତ୍ତର ଦେଲେ। ତାହା ରତ୍ନାକରର ହୃଦୟରେ ପରିବର୍ତ୍ତନ ଆଣିଲା। କିନ୍ତୁ କଥା ହେଲା, ରତ୍ନାକରର ପାପର ଭାଗୀଦାର ସିନା କେହି ହୋଇ ନ ଥିଲେ, ତା’ର ଅପକର୍ମ ହେତୁ ତା’ ପରିବାର ଦୁର୍ନାମର ବୋଝ ତ ବୋହିବାକୁ ବାଧ୍ୟ ହୋଇଥିବ! 
ସାଧୁ ସଂବିତ ଫେରି ପାଇଲେ। ସେ ଶୁଣୁଥିଲେ ମହିଳା ଗୁଣୁଗୁଣୁ ଭାବେ କହି ଚାଲିଛନ୍ତି, ‘ପାଞ୍ଚ ବ‌ର୍ଷ ତଳେ ଧରା ପଡ଼ିଥିଲେ। ସସପେଣ୍ଡ ହେବା ପରେ ସଦବୁଦ୍ଧି ଉଦୟ ହେବ କ’ଣ ପୁଣି ସେହି କଥା! ଏବେ କାହାକୁ କହିବି? ଲାଜରେ ବାଟ ଚାଲିବା କଷ୍ଟକର!’ 
ସାଧୁ ଏଥର ସେ ସ୍ଥାନ ଛାଡ଼ିଲେ। ସେ ଭାବୁଥିଲେ ନିଜ କୃତକର୍ମର ଫଳ ମିଳିଲା ବେଳେ ଈଶ୍ବରଙ୍କ ଉପରେ ଅଭିମାନ କାହିଁକି? ଦସ୍ୟୁ ରତ୍ନାକରର ପରିବାରର ସଦସ୍ୟମାନେ ପାପର ଅଂଶୀଦାର ସିନା ହୋଇ ନ ଥିଲେ, ଲୁଣ୍ଠିତ ସଂପଦରୁ ଐଶ୍ବର୍ଯ୍ୟ ଭୋଗ କରିବାକୁ ତ କୁଣ୍ଠିତ ନ ଥିଲେ! ତେଣୁ ଅପବାଦର ବୋଝରୁ ମୁକ୍ତି ପାଇବାକୁ ଆକୁଳ କାହିଁକି?
ସାଧୁ ମନ୍ଦିର ଛାଡ଼ିଲା ବେଳେ ଗର୍ଭଗୃହ ଆଡ଼କୁ ଚାହିଁଦେଲେ। ଭିତରେ ଦୀପାଲୋକରେ ଈଶ୍ବରଙ୍କ ଚେହେରା ଝଲସି ଯାଉଥିଲା। ଠାକୁର ହସୁଥିଲେ! 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୨୬୯୯୬୫