କାଲି ଭଳି ଲାଗୁଛି। ନୂଆ ସରକାରକୁ ଆଜି ଏକ ବର୍ଷ ପୂରିଛି। ଗତକାଲି ଥିଲା ପବିତ୍ର ସ୍ନାନ ପୂର୍ଣ୍ଣିମା। ମୁଁ ସ୍ନାନବେଦୀରେ ମହାପ୍ରଭୁଙ୍କୁ ଆଖିରେ ଆଖି ମିଳାଇ ସାରା ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କଲି। ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିଦ୍ୟମାନ ପ୍ରଭୁଙ୍କୁ ଅପଲକ ନୟନରେ ଦେଖିଲି। ଆତ୍ମସନ୍ତୋଷ ଓ ଖୁସି ମନରେ ମହାପ୍ରଭୁଙ୍କ ଠାରୁ ମେଲାଣି ନେଲି। ମହାପ୍ରଭୁ ଆମ ସମସ୍ତଙ୍କର ମାଲିକ, ଆମେ ସମସ୍ତେ ତାଙ୍କର ସେବକ। ତାଙ୍କର ଆଶୀର୍ବାଦ ହିଁ ଆମର ଶକ୍ତି।
ପୁରୀରୁ ଭୁବନେଶ୍ୱର ଫେରିବା ବେଳେ ମନେ ପଡୁଥିଲା ମୋ ଜୀବନର ସୁଖଦୁଃଖ ଓ ଅଙ୍ଗେନିଭା କଥା। ରାଜନୈତିକ ସଂଘର୍ଷ, ଜୟ-ପରାଜୟ ତଥା ସଫଳତା-ବିଫଳତାର କାହାଣୀ। ବର୍ଷକରେ ସରକାରରେ ମୋ ନେତୃତ୍ୱ। ତିକ୍ତ-ମଧୁର ଅନୁଭୂତି। ବର୍ଷକରେ ଆମେ କଲୁ କ’ଣ? ୪ ବର୍ଷରେ ଆମର ଆଉ କ’ଣ କରିବାକୁ ବାକି ରହିଲା? ୨୦୩୬ ଆମର ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ସମୟରେ ଆମର ଲକ୍ଷ୍ୟ ପୂରଣ ପାଇଁ କ’ଣ କ’ଣ ପଦକ୍ଷେପ ଆଜିଠାରୁ ଆବଶ୍ୟକ? ୨୦୪୭ ମସିହା ଆମ ଦେଶ ଯେତେବେଳେ ସ୍ୱାଧୀନତାର ଶତାବ୍ଦୀ ପାଳନ କରିବ, ଦେଶକୁ ବିଶ୍ୱ ଦରବାରରେ ଶ୍ରେଷ୍ଠ କରିବାରେ ଓଡ଼ିଶାର କ’ଣ ଓ କେତେବଡ଼ ଭୂମିକା ରହିବ ତାକୁ ନେଇ ମୋ ମନରେ ଅନେକ କଳ୍ପନା, ଯୋଜନା ତଥା ସଂକଳ୍ପ ଉଙ୍କି ମାରୁଥିଲା।
ଠିକ୍ ବର୍ଷେ ତଳେ ଆଜି ଦିନରେ ଭୁବନେଶ୍ୱର ଜନତା ମଇଦାନରେ ଶପଥ ଗ୍ରହଣ ଉତ୍ସବ ପରେ ଲୋକସେବା ଭବନ ଆସି ଆମେ ପ୍ରଥମ କ୍ୟାବିନେଟ୍ ବୈଠକ କଲୁ। ୨୪ ମିନିଟ୍‌ରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭକ୍ତ ମଧ୍ୟରେ ପ୍ରାଚୀର ସୃଷ୍ଟି କରୁଥିବା ଓଡ଼ିଆ ଭାବାବେଗ ବିରୋଧୀ ୪ ଦ୍ୱାରରୁ ୩ ଦ୍ୱାର ବନ୍ଦ ନିଷ୍ପତ୍ତିକୁ ବଦଳାଇ ୪ ଦ୍ୱାର ଖୋଲିବାର ନିର୍ଣ୍ଣୟ ନେଲୁ। ମହାପ୍ରଭୁଙ୍କ ପାଇଁ ୫୦୦ କୋଟିର କର୍ପସ ଫଣ୍ଡ କଲୁ। ଆମ ସୁଭଦ୍ରା ସ୍ୱରୂପ ମା’ ଭଉଣୀଙ୍କ ପାଇଁ ସୁଭଦ୍ରା ଯୋଜନା ତଥା ଅନ୍ନଦାତା କୃଷକ ଭାଇ-ଭଉଣୀଙ୍କ ପାଇଁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସବସିଡି ମାଧ୍ୟମରେ ଧାନ କୁଇଣ୍ଟାଲର ଦାମ ୩,୧୦୦ ଟଙ୍କାରେ ପହଞ୍ଚାଇବାକୁ ନିର୍ଣ୍ଣୟ କଲୁ। ପୂରା କ୍ୟାବିନେଟ୍ ସହ ସେଦିନ ରାତି ପୁରୀରେ ରହିଲୁ। ମହାପ୍ରଭୁଙ୍କ ମଙ୍ଗଳଆଳତି ସହ ୪ ଦ୍ୱାର ଖୋଲିଲା।
ଆଜି ଯେତେବେଳେ ସେହି ଦିନଗୁଡ଼ିକର ଏକ ବର୍ଷ ପୂର୍ତ୍ତି ହେଉଛି ମୋ ନେତୃତ୍ୱରେ ବର୍ଷକରେ କ’ଣ କ’ଣ ଜନହିତକର କାମ ହୋଇଛି ତା’ର ଚର୍ଚ୍ଚା ହେବା ସ୍ୱାଭାବିକ। ଆମର ସଂକଳ୍ପ ପତ୍ରରେ ଆମେ ଯେଉଁ ଯେଉଁ ସଂକଳ୍ପକୁ ଜନତା ଦରବାରରେ ଉପସ୍ଥାପିତ କରିଥିଲୁ ସେଥିପାଇଁ ମୋ ସରକାର ଓ ମୁଁ ଉତ୍ତରଦାୟୀ।
ବର୍ଷକରେ ଆମ କାମର ହିସାବ ଦେବା ମୋ ସରକାର ଏବଂ ବ୍ୟକ୍ତିଗତ ଭାବରେ ମୋର ଦାୟିତ୍ୱ। ମାତ୍ର ହିସାବ ଦେବା ଆଗରୁ ଗୋଟିଏ କଥା କହିବି, ଏ ଜାତିର ନମସ୍ୟ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ କହିଥିଲେ, ଉତ୍କଳେ ନେତାର ନାହିଁ ପ୍ରୟୋଜନ-ଉତ୍କଳର ନେତା ସ୍ୱୟଂ ନାରାୟଣ। ମୁଁ ଆଦିବାସୀ ଘରରେ ଜନ୍ମ। ଦାରିଦ୍ର୍ୟ-ଅନାଟନ-ଅଭାବ ଓ ଅସୁବିଧାକୁ ସାମନା କରି ଆଗକୁ ବଢ଼ିଛି। ଯେବେ ପଡ଼ିଛି ଆହୁରି ଦୃଢ଼ତା ଓ ଆତ୍ମବିଶ୍ୱାସର ସହ ଉଠି ଛିଡ଼ା ହୋଇଛି। ଆମର ମହାପ୍ରଭୁ ଆଦିବାସୀ ଓ ଗରିବଙ୍କ ଦେବତା। ବୋଧହୁଏ ମୋ ଭଳି ଗରିବ ଆଦିବାସୀ ପରିବାରରୁ ଆସିଥିବା ସାଧାରଣ-ସରଳ ମଣିଷଟିଏ ହାତରେ ତାଙ୍କର ସେବାପାଇଁ ସୁଯୋଗ ଦେଇଥିବାରୁ ତାଙ୍କର ସେବକ ଭାବରେ ତାଙ୍କରି ହିଁ କାମ କରୁଛି। ଏହି ଭାବାବେଗ ସହ ଏହି ଆଲେଖ୍ୟ ତାଙ୍କୁ ହିଁ ସମର୍ପଣ କରୁଛି।
ଓଡ଼ିଶାର ପ୍ରିୟ ଭାଇଭଉଣୀମାନେ। ଆଜି ଓଡ଼ିଶାରେ ବିଜେପି ଶାସନ ଆସିବାର ପ୍ରଥମ ବର୍ଷପୂର୍ତ୍ତି ସତ। ମାତ୍ର ଏହା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଶାସନର ୧୧ ବର୍ଷ ପୂର୍ତ୍ତି ମଧ୍ୟ ହୋଇଛି। ନରେନ୍ଦ୍ର ମୋଦୀ ତାଙ୍କ ଶାସନରେ ପୂର୍ବ ଭାରତକୁ ପ୍ରାଥମିକତା ଦେଇଛନ୍ତି ଏବଂ ଓଡ଼ିଶା ପୂର୍ବଭାରତ ବିକାଶର ପ୍ରବେଶ ପଥ ହୋଇଛି। ଦିଲ୍ଲୀ ଓ ଭୁବନେଶ୍ୱରରେ ବିଜେପି ଶାସନ ନୁହେଁ, ଆମେ ଏହାକୁ ଡବଲ ଇଂଜିନ୍ ସରକାର ବୋଲି କହୁଛୁ। ଓଡ଼ିଶାକୁ ମୋଦୀଜୀ ସାରା ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ପ୍ରାଧାନ୍ୟ ଦେବା କାରଣରୁ ଓଡ଼ିଶା ଜାତୀୟ ସ୍ତରରେ ବି ନାଁ କରିଛି।
କିଛିଦିନ ତଳେ ଦିଲ୍ଲୀରେ ‘ନିତି ଆୟୋଗ’ର ଗୁରୁତ୍ୱପୂର୍ଣ୍ଣ ବୈଠକ ମୋଦୀଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଁ ଏଥିରେ ଓଡ଼ିଶାର କାର୍ଯ୍ୟକ୍ରମ-କେନ୍ଦ୍ର ସରକାରଙ୍କ ଠାରୁ ଅପେକ୍ଷା ଆଲୋଚନା ସମୟରେ ଦୁଇଟି ପ୍ରସଙ୍ଗ ଗୁରୁତ୍ୱର ସହ ଉଲ୍ଲେଖ କରିଥିଲି। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ମହିଳା ସଶକ୍ତୀକରଣକୁ ଆଗକୁ ନେଇ ଆମେ ଓଡ଼ିଶାରେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟିର ଲକ୍ଷ୍ୟ ହାସଲ କରିବା କଥା କହିଥିଲି। ଦେଶର ୨୦୪୭ର ଲକ୍ଷ୍ୟ ପୂର୍ବରୁ ଆମ ରାଜ୍ୟର ୨୦୩୬ ମସିହା ସୁଦ୍ଧା ବଡ଼ ଲକ୍ଷ୍ୟର କଥା ଉଲ୍ଲେଖ କରିଥିଲି। ମୋଦୀଜୀ ତାଙ୍କ ଭାଷଣ ସମୟରେ ମୁଁ ଉଲ୍ଲେଖ କରିଥିବା ଏହି ଦୁଇ ପ୍ରସଙ୍ଗକୁ ଉଲ୍ଲେଖ କରି ଆମ କାମକୁ ସମ୍ମତି ପ୍ରଦାନ କରିଥିଲେ।
ବର୍ଷକ ପୂର୍ବରୁ ନିର୍ବାଚନ ପରେ ଏନଡିଏ ସାଂସଦମାନଙ୍କୁ ଉଦ୍‌ବୋଧନ ଦେଇ ଓଡ଼ିଶା ଦେଶର ଗ୍ରୋଥ୍ ଇଂଜିନ୍ ହେବ ବୋଲି କହିଥିଲେ ମୋଦୀଜୀ। ଏହା ଭିତରେ ମୋଦୀଜୀ ଓଡ଼ିଶାକୁ ବର୍ଷକରେ ପାଞ୍ଚ ଥର ଆସିବା ପରେ ପୁଣି ଆସନ୍ତା ୨୦ ତାରିଖରେ ରାଜ୍ୟ ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସଦୟ ସମ୍ମତି ପ୍ରଦାନ କରିଛନ୍ତି। ଓଡ଼ିଆ ଜନତାଙ୍କ ସ୍ନେହ, ଶ୍ରଦ୍ଧା, ଶୁଭେଚ୍ଛା ଓ ଦେଶର ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କର ଓଡ଼ିଶା ପ୍ରତି ଅଧିକ ସମ୍ବେଦନଶୀଳତା ଆମକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବ ବୋଲି ମୁଁ ମୋର ପ୍ରିୟ ରାଜ୍ୟବାସୀଙ୍କୁ ଭରସା ଦେଉଛି।
ମୋଦୀଜୀଙ୍କ ଭାଷାରେ ଆମର ମୋଟ ୪ ଜାତି। ଜାତି-୧, ଗରିବ। ଜାତି-୨, କୃଷକ। ଜାତି-୩, ଯୁବପିଢ଼ି। ଜାତି-୪, ମହିଳା। ୨୦୧୪ରୁ ଦେଶରେ ଗାନ୍ଧୀ-ଦୀନଦୟାଲଙ୍କ ଗରିବ କଲ୍ୟାଣ ଓ ଅନ୍ତ୍ୟୋଦୟର ଶାସନ ଚାଲୁଛି। ଏବେ ସଦ୍ୟତମ ବିଶ୍ୱବ୍ୟାଙ୍କ ରିପୋର୍ଟ କହୁଛି ମୋଦୀଜୀଙ୍କ ନେତୃତ୍ୱରେ ଆମ ଦେଶରେ ‘ଗରିବୀ ହଟାଅ’ ସ୍ଲୋଗାନ ନୁହେଁ ‘ଗରିବ କଲ୍ୟାଣ’ ଦେଶବାସୀଙ୍କ ପାଇଁ ଜନ ଆଶୀର୍ବାଦ ହୋଇଛି। ‘ସବକା ସାଥ୍ ସବକା ବିକାଶ, ସବକା ପ୍ରୟାସ, ସବକା ବିଶ୍ୱାସ’ ଓଡ଼ିଶାରେ ବି ଆମ ଶାସନର ମୂଳ ମନ୍ତ୍ର ହୋଇଛି।
ସୁଭଦ୍ରାରେ ୧ କୋଟିରୁ ଅଧିକ ମହିଳା, ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଗରିବ ପରିବାରର ଝିଅମାନଙ୍କର ବିବାହକୁ ଜାକଜମକରେ କରିବାର ବ୍ୟବସ୍ଥା। ସ୍ୱୟଂସହାୟକ ଗୋଷ୍ଠୀର ବିକାଶ ମାଧ୍ୟମରେ ରାଜ୍ୟର ଅର୍ଥନୀତିକୁ ବଡ଼ କରିବାର ବଡ଼ ଯୋଜନା କ୍ରିୟାନ୍ୱିତ ହେଉଛି।
୮୦୦ ଟଙ୍କାର ଧାନ ଉପରେ ଇନପୁଟ ସବସିଡି ଦେଇ ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୩,୧୦୦ ଟଙ୍କା କରିବା ଆମର ବଡ଼ ନିଷ୍ପତ୍ତି। କୃଷି-ମତ୍ସ୍ୟପଶୁପାଳନ-ସମବାୟ ଓ ଜଳସେଚନ ଏହି ସବୁ ବିଭାଗର ଯୋଜନାକୁ ଏକୀକୃତ କରି ଚାଷୀମାନଙ୍କର ବଡ଼ ବିକାଶର କାମରେ ଲାଗିଛି ଆମ ସରକାର।
ଆଗରୁ ଶିଳ୍ପ ପ୍ରସ୍ତାବ ଆସୁଥିଲା। ଉପଯୁକ୍ତ ଉଦ୍ୟମ ଅଭାବରୁ ଫେରି ଯାଉଥିଲା। ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ମୋଦୀ ଯୋଗଦେଲେ ଓ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରି ସେମାନଙ୍କୁ ମୋଦୀ ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦେଲେ। ଏବେ ଆମ ରାଜ୍ୟକୁ ପାଖାପାଖି ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ସେଥିମଧ୍ୟରୁ ଅନେକଙ୍କର କାମ ଆରମ୍ଭ ହୋଇସାରିଲାଣି। ଆମର ନିଷ୍ଠାପର ଉଦ୍ୟମ, ଯେତେ ପ୍ରସ୍ତାବ ଆସୁଛି ସେସବୁ କମ୍ ସମୟରେ କିପରି କ୍ରିୟାନ୍ୱିତ ହୋଇପାରିବ ତା’ର ପ୍ରବନ୍ଧନ କରିବା ଓ ଆମ ଯୁବପିଢ଼ି ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା।
୫ ବର୍ଷରେ ଦେଢ଼ ଲକ୍ଷ ସରକାରୀ କର୍ମଚାରୀ ପଦ ପୂରଣ ପାଇଁ ଆମେ ସଂକଳ୍ପ ପତ୍ରରେ କହିଥିଲୁ। ତୃଣମୂଳ ସ୍ତରରେ ଯୋଜନା କ୍ରିୟାନ୍ୱୟନ ହେବାରେ ବଡ଼ ପ୍ରତିବନ୍ଧକ କର୍ମଚାରୀ ଅଭାବ। ଗତ ବର୍ଷକରେ ସ୍ୱଚ୍ଛ ନିର୍ମଳ ପ୍ରକ୍ରିୟାରେ ୨୭ ହଜାର କର୍ମଚାରୀ ପଦ ପୂରଣ କରିଛୁ। ଆଗାମୀ ବର୍ଷ ଆଉ ୪୦ ହଜାର ପଦ ପୂରଣ କରିବାର ଲକ୍ଷ୍ୟ ରଖିଛୁ।
୨୪ ବର୍ଷ ସରକାରରେ ପଛୁଆବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ନିଷ୍ପତ୍ତି ହୋଇପାରୁନଥିଲା। ଏବେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଛି। ଇତିମଧ୍ୟରେ ଇଂଜିନିୟରିଂ ଓ ମେଡିକାଲ ଶିକ୍ଷା କ୍ଷେତ୍ରରେ ସମାନ ସଂରକ୍ଷଣ ପାଇଁ ମୋ ପାଖକୁ ଅନେକ ଦାବି ଆସୁଛି। ଆମେ ତର୍ଜମା କରି ନିଶ୍ଚିତ ନିର୍ଣ୍ଣୟ କରିବୁ।
ଏବେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବା କାରଣରୁ ମାଗଣା ସ୍ୱାସ୍ଥ୍ୟସେବା ଲୋକଙ୍କ ପାଖରେ ପହଞ୍ଚିଛି। ଏଥିପାଇଁ ଆମର ପ୍ରବାସୀ ଶ୍ରମିକମାନେ ବିଶେଷ ଲାଭବାନ ହୋଇଛନ୍ତି। ଏବେ କେନ୍ଦ୍ରାପଡ଼ା ଗସ୍ତ ସମୟରେ ବିରୋଧୀ ଦଳର ଜଣେ ବିଧାୟକ ଓ ନେତୃବୃନ୍ଦ କେନ୍ଦ୍ରାପଡ଼ାର ପ୍ରବାସୀମାନଙ୍କର ଆୟୁଷ୍ମାନ ଯୋଜନା ପାଇଁ ଖୁସି ପ୍ରସଙ୍ଗ ଉଲ୍ଲେଖ କରୁଥିଲେ। ମୋଦୀଙ୍କୁ ଶ୍ରେୟ ଚାଲିଯିବ ବୋଲି ଗରିବ ଓଡ଼ିଆଙ୍କୁ କଷ୍ଟ ଦେଇ ରାଜନୈତିକ ସ୍ୱାର୍ଥ ହାସଲ କରିବା କଥାକୁ ମୁଁ ଗ୍ରହଣ କରିପାରୁନାହିଁ। ସ୍ୱାସ୍ଥ୍ୟ ସହ ଶିକ୍ଷା ଓ ଏଥିପାଇଁ ନୂତନ ଶିକ୍ଷା ନୀତି-୨୦୨୦ର କ୍ରିୟାନ୍ୱୟନ ପୂରା ନିଷ୍ଠାର ସହ ଚାଲିଛି।
୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଭତ୍ତା ରାଶି ୩,୫୦୦କୁ ବୃଦ୍ଧି କରାଯାଇଛି। ଆୟୁଷ୍ମାନ ଯୋଜନାରେ ୮୦ ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କୁ ବୟୋବନ୍ଦନା ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ଦେବାର ବ୍ୟବସ୍ଥା ହୋଇଛି।
ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ଉପାନ୍ତ ଓ ଦୁର୍ଗମ ଅଞ୍ଚଳର ବାସିନ୍ଦା ଯେଉଁମାନେ ମୋଟାମୋଟି ରାଜ୍ୟର ଗରିବମାନଙ୍କର ପ୍ରମୁଖ ଭାଗ, ସେମାନେ ଆମର ପ୍ରାଥମିକତାରେ ଅଛନ୍ତି ଏବଂ ଏକ ବର୍ଷର ସରକାରରେ ସେମାନଙ୍କର ସେବାପାଇଁ ଆମେ ଉଦ୍ୟମରେ କେବେ ଅବହେଳା କରିନାହୁଁ।
ମୋତେ ଜଣା ଆମ ରାଜ୍ୟରେ ପିଇବା ପାଣି ଏକ ସମସ୍ୟା ଭାବରେ ମୁଣ୍ଡ ଟେକିଛି। ଦକ୍ଷିଣ ଭାରତରୁ ଠିକାଦାର ଆଣି ସେମାନଙ୍କୁ ପ୍ୟାକେଜ ମାଧ୍ୟମରେ କାମ ପୂର୍ବ ସରକାର ଦେଇଥିଲେ। ପାଇପ ପାଣି ଯୋଗାଣ ଆମ ରାଜ୍ୟରେ ଏକ ବିଡ଼ମ୍ୱନା ହୋଇଛି। ଆମେ ଆମର ମା’ମାନଙ୍କର ଏହି ପ୍ରମୁଖ ଆବଶ୍ୟକତାକୁ ଯୁଦ୍ଧକାଳୀନ ଭିତ୍ତିରେ କ୍ରିୟାନ୍ୱିତ କରୁଛୁ। ୨୦୨୬ ସୁଦ୍ଧା ରାଜ୍ୟର ୯୦ ପ୍ରତିଶତ ଘରେ ଶୁଦ୍ଧ ପିଇବା ପାଣି ପାଇପ ଯୋଗେ ପହଞ୍ଚାଇବାର ବ୍ୟବସ୍ଥା କରୁଛୁ। ଉପାନ୍ତ ଅଞ୍ଚଳରେ ଗମନାଗମନ ପାଇଁ ସଡ଼କ ବ୍ୟବସ୍ଥାକୁ ଆମେ ଗୁରୁତ୍ୱ ଦେଇ କାମ କରୁଛୁ।
ମୋ ଦୁଆର ସମସ୍ତଙ୍କ ପାଇଁ ଖୋଲା। ଛୋଟିଆ କଥା, ଜଣେ ଭିକ୍ଷାବୃତ୍ତି କରୁଥିବା ଲୋକ ମୋ ବାସଭବନ ପାଖକୁ ଆସେ ଓ ମୋ ସୁରକ୍ଷାକର୍ମୀ ମୋତେ ଦେଖା କରିବାର ସୁଯୋଗ ଦେଇପାରିଲେନି। ବାରମ୍ବାର ଆସୁଥିବା ଏହି ବ୍ୟକ୍ତି ସମ୍ବନ୍ଧରେ ଜାଣିବା ପରେ ତାଙ୍କୁ ଡାକିଲି। ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ତାଙ୍କ ଆପତ୍ତି ଅଭିଯୋଗ ତର୍ଜମା କରି ସମାଧାନ କରିବାକୁ କହିଲି। ଅଭିଯୋଗ ଶୁଣାଣି ଓ ଲୋକଙ୍କ ସହ ମିଶିବା କାରଣରୁ ଆପଣ ମୋତେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଲୋକଙ୍କ ସରକାର କହୁଥିବାରୁ ହୃଦୟରୁ ଧନ୍ୟବାଦ ଦେଉଛି।
ମୁଁ ମୁଖ୍ୟମନ୍ତ୍ରୀ ଆସନରେ ବସି ଥାଇପାରେ। ମାତ୍ର ମୁଁ ଆପଣଙ୍କ ମଧ୍ୟରୁ ଆସିଥିବା ଜଣେ ସାଧାରଣ ଓଡ଼ିଆ। ଦୃଢ଼ ନିଷ୍ଠା, କଠିନ ପରିଶ୍ରମ ଓ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ମୋର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇ ରହୁଛି।
ଜୟ ଜଗନ୍ନାଥ।
(ମତାମତ ଲେଖକଙ୍କ ନିଜସ୍ବ)

Advertisment

ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର