୨୦୧୯ରେ ବେକାରି, ଦାରିଦ୍ର୍ୟ କିମ୍ବା ଦେବାଳିଆ ଅବସ୍ଥା ଯୋଗୁଁ ପ୍ରତି ଘଣ୍ଟାରେ ଜଣେ ଭାରତୀୟ ଆତ୍ମହତ୍ୟା କରିଥିଲେ (ଚେତନ କୁମାର, ସେପ୍ଟେମ୍ବର ୨୦୨୦)। ସେହିପରି ୨୦୧୮ରୁ ୨୦୨୦ ଭିତରେ ପାଖାପାଖି ୨୫,୦୦୦ ଭାରତୀୟ ବେକାର ରହିବା ଅଥବା ଋଣ ଶୁଝି ନପାରିବା କାରଣରୁ ଆତ୍ମହତ୍ୟା କରିଥିଲେ (ଇମ୍ରାନ ସିଦ୍ଦିକି, ଫେବ୍ରୁଆରି ୨୦୨୨)। ଯେଉଁମାନେ ତଥାପି ବେକାର ଅଛନ୍ତି, ସେମାନଙ୍କ ପାଇଁ ପ୍ରତିବାଦ ବିକ୍ଷୋଭ କରିବା ଅନ୍ୟତମ ପନ୍ଥା ହେବା ସ୍ବାଭାବିକ- ରେଳବାଇ ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି ରହିଥିବା ଅଭିଯୋଗ ଆଣି ୨୦୨୨ ଜାନୁଆରିରେ ହଜାର ହଜାର ବିକ୍ଷୋଭକାରୀ ରେଳଡବା ଜାଳି ଦେଇଥିଲେ। ନିକଟରେ ଅଗ୍ନିବୀର ଯୋଜନାକୁ ବିରୋଧ କରି ବିକ୍ଷୋଭ ଦେଖାଦେଇଥିଲା। ସରକାରୀ ଚାକିରି କରିଥିବା ବ୍ୟକ୍ତିମାନଙ୍କ ପାଇଁ ପରିସ୍ଥିତି ଆଉ ସେତେ ଭଲ ନାହିଁ। ଗତ ମେ’ ମାସରେ ହରିୟାଣା ସରକାର ୨,୨୧୨ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ସେବାକୁ ହଟାଇ ନେଇଛନ୍ତି। ସେମାନଙ୍କୁ ମହାମାରୀ ବେଳେ ନିଯୁକ୍ତ କରାଯାଇଥିଲା, ଯେଉଁମାନଙ୍କର ଏବେ ଆଉ ଆବଶ୍ୟକତା ନାହିଁ। ଅର୍ଥାତ୍ ‘ୟୁଜ୍ ଆଣ୍ଡ୍ ଥ୍ରୋ’ର ଏକ ଉତ୍କୃଷ୍ଟ ଉଦାହରଣ। ସେମିତି ଦିଲ୍ଲୀରେ ବିଭିନ୍ନ ମେଡିକାଲ କଲେଜ ଓ ଅନୁଷ୍ଠାନରେ କାମ କରୁଥିବା ଶହ ଶହ ନର୍ସ, ପାରା ଚିକିତ୍ସାକର୍ମୀ ଓ ଲାବରେଟୋରି ଟେକ୍ନିସିଆନ୍ମାନଙ୍କର ନିଯୁକ୍ତି ଚୁକ୍ତି ଶେଷ ହୋଇଯାଇଛି। ଥାଳି ବାଡ଼େଇ ସେମାନଙ୍କୁ ବଧେଇ ଜଣେଇବା ପରିବର୍ତ୍ତେ ଆମେ ସେମାନଙ୍କୁ ବିଦା କରିଦେଉଛନ୍ତି।
ସ୍ବଳ୍ପ ଅବଧି ଲାଗି ଠିକାରେ ରଖିବା ଓ ବିଦା କରିବା ସଂସ୍କୃତିକୁ ଆମେ ଆମଦାନି କରିଛନ୍ତି। ଗତ ଫେବ୍ରୁଆରି ମାସରେ ଆସାମରେ ପ୍ରାୟ ୮,୩୦୦ ପଞ୍ଚାୟତ ଓ ଗ୍ରାମୀଣ ବିକାଶ ଠିକା କର୍ମଚାରୀ ବିକ୍ଷୋଭ କରିଥିଲେ। ସେମାନଙ୍କୁ ୧୨ରୁ ୧୪ ବର୍ଷ ଯାଏ ଠିକା ନିଯୁକ୍ତି ଦିଆଯାଇଥିବା ବେଳେ କୌଣସି ପ୍ରକାର ଭତ୍ତା ବା ସୁବିଧାସୁଯୋଗ ଦିଆଯାଉନାହିଁ; ପାରିଶ୍ରମିକରେ ମଧ୍ୟ ସଂଶୋଧନ କରାଯାଉନାହିଁ। ସେହିପରି ୨୦୧୮ରେ ୧୧୧ କୋଟି ଟଙ୍କାର ଲାଭ କରିଥିବା ଅନ୍ୟତମ ଲାଭଜନକ ସରକାରୀ ସଂସ୍ଥା ଭାରତୀୟ ଟେଲିଫୋନ୍ ଉଦ୍ୟୋଗର ୮୦ ଜଣ କର୍ମଚାରୀ (ମୁଖ୍ୟତଃ ମହିଳା ଓ ଦଳିତ)ଙ୍କୁ ୨୦୨୧ ଡିସେମ୍ବର ପହିଲାରୁ କମ୍ପାନିର କାରଖାନା ପରିସରକୁ ପ୍ରବେଶ ବାରଣ କରାଯାଇଛି ଏବଂ ସେମାନଙ୍କ ଚାକିରି ଆଉ ନାହିଁ ବୋଲି ପରେ ଜଣାଇ ଦିଆଯାଇଛି। ଗତ ଏପ୍ରିଲ ମାସରେ ଛତିଶଗଡ଼ରେ ମଧ୍ୟ ରାଜ୍ୟ ବିଦ୍ୟୁତ୍ ବିଭାଗର ପ୍ରାୟ ୨୦୦ ଜଣ ଠିକା କର୍ମଚାରୀ ବିକ୍ଷୋଭ କରୁଥିବାରୁ ସେମାନଙ୍କ ଉପରେ ଲାଠି ମାଡ଼ କରାଯାଇ ଗିରଫ କରାଯାଇଥିଲା। ଏଭଳି ସ୍ଥଳେ ସରକାରୀ କର୍ମଚାରୀ ହେବାର କୌଣସି ଗୁରୁତ୍ବ ନାହିଁ।
ଏ ପ୍ରକାର ସମସ୍ୟା ହେଉଛି ଦ୍ବିମୁଖୀ। ପ୍ରଥମତଃ ଖାଲି ପଡୁଥିବା ସରକାରୀ ପଦବିଗୁଡ଼ିକୁ ପୂରଣ କରାଯାଉନାହିଁ। ୨୦୨୧ ମସିହା, ଜୁଲାଇ ମାସ ସୁଦ୍ଧା ବିଭିନ୍ନ ସରକାରୀ ସ୍ତରରେ ୬୦ ଲକ୍ଷ ପଦ ଖାଲି ପଡ଼ିଥିଲା। ସେଥିରୁ କେବଳ କେନ୍ଦ୍ର ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗରେ ୯,୧୦,୫୧୩ଟି ପଦ ରହିଥିବା ବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ଦୁଇ ଲକ୍ଷ ପଦ ଖାଲି ପଡ଼ିଛି। ସେହିପରି ବ୍ିଭିନ୍ନ ରାଜ୍ୟର ପୁଲିସ ବିଭାଗରେ ୫,୩୧,୭୩୭ ଓ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୮,୩୭,୫୯୨ଟି ପଦ ଖାଲି ରହିଥିଲା। ସରକାର ଦେଢ଼ ବର୍ଷ ଭିତରେ ୧୦ ଲକ୍ଷ ଆଶାୟୀଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ତାହା ସମସ୍ୟାର ସମାଧାନ ପାଇଁ ଯଥେଷ୍ଟ ନୁହେଁ। ଏ ଦିଗରେ ଆମକୁ ଅଧିକ କିଛି କରିବାକୁ ହେବ। ଦ୍ବିତୀୟ କଥା ହେଲା, ଯେଉଁଠି ବି ଖାଲି ଥିବା ପଦ ପୂରଣ ହେଉଛି, ସେଠି ବିଶେଷ କରି ଠିକା ନିଯୁକ୍ତିକୁ ପ୍ରୋତ୍ସାହନ ଦିଆଯାଉଛି। ୨୦୧୪ ମସିହାରେ ୪୩% ସରକାରୀ କର୍ମଚାରୀ (ଅର୍ଥାତ୍ ୧୨.୩ ନିୟୁତ)ଙ୍କ ଅସ୍ଥାୟୀ ଅଥବା ଠିକା ନିଯୁକ୍ତି ରହିଥିଲା। ସେମାନଙ୍କ ମଧ୍ୟରୁ ୬.୯ ନିୟୁତ ହେଉଛନ୍ତି ଅଙ୍ଗନବାଡ଼ି କର୍ମୀଙ୍କ ଭଳି ବିଭିନ୍ନ କଲ୍ୟାଣମୂଳକ ଯୋଜନା ଅନ୍ତର୍ଗତ କର୍ମଚାରୀ, ଯେଉଁମାନଙ୍କୁ ବହୁତ କମ୍ ପାରିଶ୍ରମିକ ଦିଆଯାଇଥାଏ (ଅନେକାଂଶରେ ସର୍ବନିମ୍ନ ମଜୁରିଠୁ ବି କମ୍) ଏବଂ ସେମାନଙ୍କ ଲାଗି କୌଣସି ସାମାଜିକ ସୁରକ୍ଷା ମଧ୍ୟନାହିଁ। ୨୦୧୮ ସୁଦ୍ଧା ଏହି ବର୍ଗର ସରକାରୀ କର୍ମଚାରୀଙ୍କ ପରିମାଣ ୫୯%କୁ ବୃଦ୍ଧି ପାଇଥିଲା। ରାଷ୍ଟ୍ରାୟତ୍ତ ପବ୍ଲିକ ସେକ୍ଟର ଉଦ୍ୟୋଗ ବା ‘ପିଏସ୍ୟୁ’ଗୁଡ଼ିକରେ ଅସ୍ଥାୟୀ ଓ ଠିକାରେ ନିଯୁକ୍ତ କର୍ମଚାରୀଙ୍କ ପରିମାଣ ୧୯%ରୁ ବଢ଼ି ୩୭%ରେ ପହଞ୍ଚିଲାଣି। ଏଥି ସହିତ ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟାରେ ୨୫% ହ୍ରାସ ଘଟିଛି। ‘ଓଏନ୍ଜିସି’ ପରି ନାମକରା ‘ପିଏସ୍ୟୁ’ରେ ୨୦୨୦ ମାର୍ଚ୍ଚରେ ଠିକା କର୍ମଚାରୀଙ୍କ ସଂଖ୍ୟା ମୋଟ କର୍ମଚାରୀଙ୍କର ୮୧% ଥିଲା। ୨୦୨୦ରେ ଯେତେବେଳେ ମହାମାରୀ ଯୋଗୁଁ ଏକ ବିଶାଳ ଗଣ ବେରୋଜଗାରି ସମସ୍ୟା ଉପସ୍ଥିତ ହେଲା, ଉତ୍ତରପ୍ରଦେଶ ସରକାର ଗ୍ରୁପ୍ ବି ଓ ସି କର୍ମଚାରୀ (୨୦୨୦ରେ ୯ ଲକ୍ଷ ଥିଲେ)ଙ୍କ ନିଯୁକ୍ତିରେ ସଂଶୋଧନ ଆଣି ପାଞ୍ଚ ବର୍ଷିଆ ଠିକା ନିଯୁକ୍ତି କରାଇଲେ। ସେମାନଙ୍କୁ କୌଣସି ଭତ୍ତା କି ଅତିରିକ୍ତ ଲାଭ ମିଳିଲା ନାହିଁ। ପାଞ୍ଚ ବର୍ଷ ପରେ ଉପସ୍ଥାନ, ଦକ୍ଷତା ପ୍ରଦର୍ଶନ, ନୈତିକତା ଓ ଶୃଙ୍ଖଳା ଆଦି ମାନଦଣ୍ଡରେ ସେମାନେ ୬୦%ରୁ ଅଧିକ ନମ୍ବର ରଖିଲେ ସ୍ଥାୟୀ ନିଯୁକ୍ତି ପାଇଁ ଯୋଗ୍ୟ ହୋଇପାରିବେ ବୋଲି କୁହାଯାଇଛି। ସୁତରାଂ, ଯିଏ ପ୍ରଦର୍ଶନ ମୂଲ୍ୟାଙ୍କନରେ ଉତ୍ତୀର୍ଣ୍ଣ ନ ହେଲା, ସିଏ ବିଦା ହେବାଟା ଥୟ। କୌଣସି ମୃତ କର୍ମଚାରୀଙ୍କ ସ୍ଥାନରେ ଥଇଥାନ ହୋଇଥିବା ସମ୍ପର୍କୀୟଙ୍କୁ ମଧ୍ୟ ଏପରି ପ୍ରଦର୍ଶନ ମୂଲ୍ୟାଙ୍କନର ସାମନା କରିବାକୁ ହେବ। ୨୦୧୩ ମସିହା ଫେବ୍ରୁଆରିରେ ଏକ ମାମଲାରେ ମାନ୍ୟବର ସୁପ୍ରିମ କୋର୍ଟ ରାୟ ଶୁଣାଇଥିଲେ କି ସରକାରୀ ବିଭାଗର ଜଣେ ଠିକା କର୍ମଚାରୀ ସରକାରୀ କର୍ମଚାରୀ ଭାବେ ପରିଗଣିତ ହେବେ ନାହିଁ। ଏଭଳି ସ୍ଥିତିରେ ଯଦି ଅଧିକାଂଶ ସରକାରୀ କର୍ମଚାରୀ ଏପରି ଠିକା ନିଯୁକ୍ତିରେ ରହନ୍ତି, ତେବେ ସରକାରୀ ସଂସ୍ଥାଗୁଡ଼ିକର ଚରିତ୍ର ପୂର୍ବ ଭଳି ରହିବ ତ?
ଠିକା ନିଯୁକ୍ତିର ସଂପ୍ରସାରଣ ପରିବର୍ତ୍ତେ ଆମକୁ ସରକାରୀ ବା ସାର୍ବଜନୀନ ସେବା ଉପରେ ଗୁରୁତ୍ବ ଦେବାକୁ ହେବ। ଗତ କିଛି ଦଶନ୍ଧି ଧରି ଆମେ ସରକାରୀ ବା ସାର୍ବଜନୀନ ବ୍ୟବସ୍ଥାରେ ଖୁବ୍ କମ୍ ବିନିବେଶ କରିଛେ। ଫଳରେ, ଗତ କୋଭିଡ୍-୧୯ ସଂକଟ ବେଳେ ଆମ ସରକାରୀ ସ୍ବାସ୍ଥ୍ୟ ବିଭାଗ ନାଗରିକମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ପାରିଲା ନାହିଁ। କେବଳ ମହାମାରୀ ନୁହେଁ, ଅନ୍ୟାନ୍ୟ ପ୍ରସଙ୍ଗ ବି ରହିଛି। ସାର୍ବଜନୀନ ସେବା କ୍ଷେତ୍ରରେ ସଂପ୍ରସାରଣ ପାଇଁ ପ୍ରାବଧାନ ଆଣିଲେ ତାହା ଦକ୍ଷ ମାନବ ସମ୍ବଳଙ୍କ ଲାଗି ଉତ୍ତମ ମାନର ଚାକିରି ମଧ୍ୟ ସୃଷ୍ଟି କରିବ, ଯାହା ପରୋକ୍ଷରେ ସାମାଜିକ ସ୍ଥିରତା ଆଣିବ। ସାର୍ବଜନୀନ ସ୍ବାସ୍ଥ୍ୟ ସେବାରେ ବିକାଶ ଘଟାଇଲେ ସାମାଜିକ ସମ୍ପଦ ମଧ୍ୟ ବୃଦ୍ଧି ପାଇବ। ଅଧିକ ଆଇସିୟୁ ଶଯ୍ୟା ଥିଲେ କୋଭିଡ୍-୧୯ ସଂକଟର ଅଧିକ ସଫଳ ମୁକାବିଲା କରାଯାଇ ପାରିଥା’ନ୍ତା। ସର୍ବସାଧାରଣ ସ୍ବାସ୍ଥ୍ୟ ସେବା ପରି ମୌଳିକ ସେବାର ଉନ୍ନତି ହିଁ ଭାରତର ସହର ଓ ଗ୍ରାମାଞ୍ଚଳରେ ଜୀବନଧାରଣର ମାନ ଓ ଉତ୍ପାଦକତାରେ ଉନ୍ନତି ଆଣିବ। ଏହାର ବହୁବିଧ ସୁପ୍ରଭାବ ମଧ୍ୟ ପରିଲକ୍ଷିତ ହେବ।
ଏବେ ପୁନର୍ନବୀକରଣୀୟ ଶକ୍ତି ବା ଅକ୍ଷୟ ଉର୍ଜା ଉତ୍ପାଦନ କଥା ବିଚାର କରାଯାଉ। ଏଠାରେ ନିଯୁକ୍ତି ସୃଷ୍ଟିର ଉଲ୍ଲେଖନୀୟ ସମ୍ଭାବନା ରହିଛି। ଉଦାହରଣ ସ୍ବରୂପ, ଛାତ ଉପରେ ସୌର ଶକ୍ତି ଉତ୍ପାଦନ ଏବଂ ସୌର ଫଳକ ନିର୍ମାଣ ତଥା ତାର ରକ୍ଷଣାବେକ୍ଷଣ ପାଇଁ ମାନବ ସମ୍ବଳର ଚାହିଦା ବଢ଼ିବ। ସେହିପରି ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ବର୍ଜ୍ୟ ନିଷ୍କାସନ ଓ ବର୍ଜ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ମଧ୍ୟ ଅଧିକ ଲୋକ ବଳର ଆବଶ୍ୟକତା ରହିଛି। ଶୁଷ୍କ ବର୍ଜ୍ୟ ସଂଗ୍ରହ ଓ ଜୈବ ଅଣୁ ଖତ ଉତ୍ପାଦନ ପରି ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦିଆଗଲେ କୌଣସି ପୌର ନିଗମ ବାର୍ଷିକ ୩୦୦ ପାଖାପାଖି ନିଯୁକ୍ତି ସୃଷ୍ଟି କରିପାରିବ। ସେହିପରି ବିଦ୍ୟୁତ୍ଚାଳିତ ଯାନ ବ୍ୟବହାର ଉପରେ ଗୁରୁତ୍ବ ଦେଇ ସବୁଜ ଗମନାଗମନକୁ ଆପଣେଇଲେ ମଧ୍ୟ ନିଯୁକ୍ତି ପରିସର ବୃଦ୍ଧି ପାଇବ। ଏହା ଦ୍ବାରା ଉତ୍ପାଦନ ଓ ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ଶହେ ପାଖାପାଖି ସବୁଜ ନିଯୁକ୍ତି ସୃଷ୍ଟି ହୋଇପାରିବ। ଏଥି ସହିତ ଆମକୁ ସହରୀ କୃଷି ଉପରେ ପ୍ରାଧାନ୍ୟ ଦେବାକୁ ପଡ଼ିବ। ସହରର ଆୟତନ ଅନୁସାରେ ସ୍ଥାୟୀ କୃଷି, ଉଦ୍ୟାନୀକରଣ ଓ ଚାରା ପରିଚାଳନା ପାଇଁ ମଧ୍ୟ ୩୦ରୁ ୧୫୦ ଯାଏ ନିଯୁକ୍ତି ସୃଷ୍ଟି ହୋଇପାରିବ। ଏ ସବୁ ବ୍ୟତୀତ କେତେକ ‘ପିଏସ୍ୟୁ’ରେ ସଂସ୍କାର ଆଣିବା କଥା ମଧ୍ୟ ଚିନ୍ତା କରାଯାଇପାରେ। ହୋଲ୍ଡିଂ ଫାର୍ମଗୁଡ଼ିକ ମାଧ୍ୟମରେ ସରକାର ‘ପିଏସ୍ୟୁ’ଗୁଡ଼ିକୁ ଅଧିକ ସ୍ବାୟତ୍ତତା ପ୍ରଦାନ ପୂର୍ବକ ନିଜର ନିୟନ୍ତ୍ରଣ କ୍ଷମତାକୁ ବଜାୟ ରଖିପାରିଲେ, ଠିକଣା ପ୍ରେରଣା ମିଳିପାରିବ। ଏହା ଦ୍ବାରା ଭାରତୀୟ ‘ପିଏସ୍ୟୁ’ଗୁଡ଼ିକ ଚୀନା ଉଦ୍ୟୋଗ ପରି ବୃହତ୍ ଓ ଲାଭ ପ୍ରଦାୟୀ ହୋଇପାରିବ।
ସତ କଥା ହେଲା, ସରକାରୀ ଚାକିରିଗୁଡ଼ିକ ନିଜର ଉଜ୍ଜ୍ବଳତା ହରାଇ ବସିଛନ୍ତି। ତେଣୁ ବଡ଼ କାମ ହେଲା, ସରକାରୀ କ୍ଷେତ୍ର ପ୍ରତି ପ୍ରତିଭାମାନଙ୍କୁ ଆକର୍ଷିତ କରିବାକୁ ହେବ। ତେଣୁ, ବିଭିନ୍ନ ଭତ୍ତା ଓ ସୁବିଧା ପ୍ରଦାନ ଜନିତ ଖର୍ଚ୍ଚରୁ ନିବୃତ୍ତ ରହି ସରକାରୀ କ୍ଷେତ୍ରକୁ ତଳମୁହାଁ କରିବା ଅପେକ୍ଷା ତାହାକୁ ଅଧିକ ଆକର୍ଷଣୀୟ କରିବାକୁ ହେବ। ଆମର ସାର୍ବଜନୀନ ସେବାରେ ଅଧିକ ସଂଖ୍ୟକ ଡାକ୍ତର, ଶିକ୍ଷକ, ଯନ୍ତ୍ରୀ ଆବଶ୍ୟକ ଏବଂ ଅଳ୍ପ କିଛି ତଥ୍ୟ ରକ୍ଷାକାରୀ କିରାଣି ଲୋଡ଼ା। ତେଣୁ, ପ୍ରଥମ ପଦକ୍ଷେପ ସ୍ବରୂପ ପ୍ରାଶାସନିକ ସଂସ୍କାର ଆୟୋଗଙ୍କ ଦ୍ବାରା ପ୍ରସ୍ତାବିତ ସଂସ୍କାରଗୁଡ଼ିକୁ ଲାଗୁ କରାଯିବା ଦରକାର। ସାଂପ୍ରତିକ ସଂକଟର ମୁକାବିଲା ପାଇଁ ଏକ ଦକ୍ଷ ପ୍ରାଶାସନିକ ସେବା ଗଢ଼ିବାର ସମୟ ଉପନୀତ ହୋଇଛି ଯାହା କଲ୍ୟାଣକାରୀ ପ୍ରକ୍ରିୟାକୁ ଦୁର୍ନୀତିମୁକ୍ତ କରିବା ସହ ଆଧୁନିକ ଅର୍ଥନୀତିର ସୁପରିଚାଳନା କରିପାରିବ। ଏହା ଦ୍ବାରା ସରକାରୀ ସେବାର ମାନ ବୃଦ୍ଧି ହେବ। ଉନ୍ନତ ସାର୍ବଜନୀନ ସେବା ଯୋଗାଣ ଆମର ଜାତୀୟ ସ୍ବଭାବରେ ମିଶିଯିବା ଦରକାର।
ଲୋକସଭା ସାଂସଦ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/job.jpg)