ଜିତଶତ୍ରୁ ମହାନ୍ତି

Advertisment

ଗଛ ସହିତ ଆମର ସମ୍ପର୍କ ନିବିଡ଼ ଓ ନିରନ୍ତର। ଆମ ପ୍ରାଣବାୟୁର ନିରବଚ୍ଛିନ୍ନ ଯୋଗାଣକାରୀ ଏହି ଗଛ। ତେଣୁ ଏହା ବିନା ବଞ୍ଚିବା ଅସମ୍ଭବ। ଏଭଳି କୌଣସି ବୃକ୍ଷ ନାହିଁ, ଯାହା ଅଦରକାରୀ। ଭାରତୀୟ ସମାଜରେ ଅନେକ ବୃକ୍ଷ ପୂଜା ପାଆନ୍ତି। ବୃକ୍ଷ ସଂରକ୍ଷଣ ଲାଗି ଏହା ଥିଲା ପ୍ରାଚୀନ ଭାରତୀୟମାନଙ୍କ ଏକ ଉପାୟ। କିନ୍ତୁ ବିଡ଼ମ୍ବନା ହେଲା, ଆଧୁନିକ ବିକାଶ ପ୍ରକ୍ରିୟାରେ ବୃକ୍ଷ ସମ୍ପଦ ଧ୍ୱସ୍ତବିଧ୍ୱସ୍ତ। ଏହାର ପରିଣାମ ସ୍ୱରୂପ, ପୃଥିବୀ ଅଧିକରୁ ଅଧିକ ଉତ୍ତପ୍ତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଜନିତ ବିଭୀଷିକା କାରଣରୁ ମାନବ ଜାତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ତେଣୁ, ଗଛ ଲଗାଇବାକୁ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ଉଦ୍ୟମମାନ ଦେଖିବାକୁ ମିଳୁଛି।
ଅନେକ ଦେଶ ଜଳବାୟୁ ଅନୁଯାୟୀ ବିଭିନ୍ନ ସମୟରେ ବୃକ୍ଷ ରୋପଣକୁ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ରୂପେ ପାଳନ କରୁଛନ୍ତି। ଉଦାହରଣ ସ୍ବରୂପ, ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ା ଏପ୍ରିଲ ମାସ ଶେଷ ଶୁକ୍ରବାର, ଜର୍ମାନି ଏପ୍ରିଲ ୨୫, ଚେକ୍ ଗଣତନ୍ତ୍ର ଅକ୍‌ଟୋବର ୨୦, ଇଂଲାଣ୍ଡ ଡିସେମ୍ବର ପ୍ରଥମ ସପ୍ତାହାନ୍ତ, ଜୋର୍ଡାନ ଜାନୁଆରି ୧୫, କଳମ୍ବିଆ ଏପ୍ରିଲ ୨୯, କୋଷ୍ଟାରିକା ଜୁନ୍ ୧୫, କ୍ବିବା ଜୁନ୍‌ ୨୧, ଚୀନ ମାର୍ଚ୍ଚ ୧୨, ବ୍ରାଜିଲ ସେପ୍‌ଟେମ୍ବର ୨୧, ଅଷ୍ଟ୍ରେଲିଆ ଜୁଲାଇ ଶେଷ ସପ୍ତାହାନ୍ତ ଦିବସରେ ଆନୁଷ୍ଠାନିକ ଭାବେ ବୃକ୍ଷ ରୋପଣ କରନ୍ତି। ପୃଥିବୀର ପ୍ରାୟ ସମସ୍ତ ଦେଶ ଓ ଅଞ୍ଚଳରେ ଗଛ ଲଗା ପର୍ବ ପାଳିତ ହେଉଥିବାରୁ ବର୍ଷ ତମାମ ପୃଥିବୀର କେଉଁଠି ନା କେଉଁଠି ବୃକ୍ଷ ରୋପଣ ଚାଲିଥାଏ। ୧୯୫୦ ମସିହାରୁ ଆମ ଦେଶରେ ଜୁଲାଇ ମାସ ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳିତ ହୋଇଆସୁଅଛି। ଏହି ସମୟରେ ସମଗ୍ର ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ପ୍ରଥମ ଚରଣ ସକ୍ରିୟ ଥିବାରୁ ଗଛ ଲଗାଇଲେ ବଞ୍ଚିବା ଓ ବଢ଼ିବା ସହଜ ଓ ଶୀଘ୍ର ହୋଇଥାଏ। ବୃକ୍ଷର ଆବଶ୍ୟକତା ନେଇ ସୃଷ୍ଟ ସଚେତନତା କାରଣରୁ ବୃକ୍ଷ ରୋପଣ ସଂପ୍ରତି ଏକ ଗଣପର୍ବରେ ପରିଣତ ହେଲାଣି। ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ସ୍ୱେଚ୍ଛସେବୀ ସଂସ୍ଥା ସହିତ ଜନସାଧାରଣ ବ୍ୟକ୍ତିଗତ ଉଦ୍ୟମରେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ସଭାସମିତି, ବକ୍ତୃତା ଓ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାଧ୍ୟମରେ ଏହାର ପ୍ରଚାର ପ୍ରସାର କରାଯାଉଛି। 
ପୃଥିବୀର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣରେ ଅନେକ ସଫଳତା ମିଳିଲାଣି। ସାହାରା ମରୁଭୂମିର ମରୁ ଅଞ୍ଚଳର କ୍ରମ ବିସ୍ତାରକୁ ରୋକିବା ନିମନ୍ତେ ୧୧ଟି ଆଫ୍ରିକୀୟ ଦେଶ ଦ୍ୱାରା ୧୫ କିଲୋମିଟର ଓସାରର ୭,୭୭୫ କିଲୋମିଟର ଦୀର୍ଘ ବିରାଟ ସବୁଜ ପ୍ରାଚୀର ପ୍ରକଳ୍ପ ପ୍ରଶଂସନୀୟ। ଏହା ଛଡ଼ା ‘ପ୍ରକୃତି ସଂରକ୍ଷଣ ସଂସ୍ଥା’ ଦ୍ବାରା ୧୦୦ କୋଟି ଚାରା ରୋପଣ କରାଯାଇ ସାରିଲାଣି। ‘ବିଶ୍ୱ ଅର୍ଥନୀତି ଫୋରମ’ ପକ୍ଷରୁ ୨୦୩୦ ମସିହା ସୁଦ୍ଧା ୧ ଲକ୍ଷ କୋଟି ଚାରା ରୋପଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଇଥିଓପିଆରେ ମୁଣ୍ଡ ପିଛା ୪୦ ଗଛ ହିସାବରେ ୪୦୦ କୋଟି ଚାରା ରୋପଣ କରାଯାଇଛି। ଜର୍ମାନିରେ ୨୦୩୦ ମସିହା ସୁଦ୍ଧା ୩୫ କୋଟି ହେକ୍ଟର ଆୟତନ ବିଶିଷ୍ଟ ଅଞ୍ଚଳରେ ବୃକ୍ଷ ରୋପଣ କରାଯିବ, ଯାହା ଜଙ୍ଗଲ ଶୂନ୍ୟ ଓ ଅବକ୍ଷୟର ଶିକାର ଅଞ୍ଚଳକୁ ସୁରକ୍ଷା ଓ ସବୁଜିମା ଦେବ। 
ଆମ ଦେଶରେ ଏକ ମହତ୍ତ୍ବାକାଂକ୍ଷୀ ଯୋଜନା ‘‘ମା’ଙ୍କ ନାମରେ ଗୋଟିଏ ଗଛ’’ ଗତ ବର୍ଷ ବିଶ୍ୱ ପରିବେଶ ଦିବସରେ ଆରମ୍ଭ ହୋଇଛି। ଧରିତ୍ରୀ ମାତାର ସୁରକ୍ଷା ପାଇଁ ଏହା ଉଦ୍ଦିଷ୍ଟ। ଏହି ଯୋଜନାରେ ଗତ ସେପ୍‌ଟେମ୍ବର ମାସ ସୁଦ୍ଧା ୮୦ କୋଟି ଚାରା ଲଗାସରିଛି। ଏହା ବ୍ୟତୀତ ‘ନଗର ବନ ଯୋଜନା’ ଓ ‘ସବୁଜ ଭାରତ ମିସନ’ ଭଳି ପ୍ରକଳ୍ପ ଆମ ଦେଶରେ କାର୍ଯ୍ୟକାରୀ ହେଉଛି। ସେମିତି ବେସରକାରୀ ସଂସ୍ଥା ‘ଇଶା ଫାଉଣ୍ଡେସନ’ର ସବୁଜ ହାତ ଓ ମହାରାଷ୍ଟ୍ରର ବାରମତି ସ୍ଥିତ କୃଷି ଉନ୍ନୟନ ଟ୍ରଷ୍ଟ ଦ୍ୱାରା ନିୟୁତ ବୃକ୍ଷ ପ୍ରକଳ୍ପର ପ୍ରୟାସ ଉଲ୍ଲେଖନୀୟ। ସେମିତି ବ୍ୟକ୍ତିଗତ ଉଦ୍ୟମରେ ବୃକ୍ଷ ରୋପଣର ଉଜ୍ଜ୍ବଳ ଦୃଷ୍ଟାନ୍ତମାନ ମିଳିବାରେ ଲାଗିଛି। ଝାଡ଼ଖଣ୍ଡର ଜନଜାତି ସଂପ୍ରଦା‌ୟର ମହିଳା ଚାମି ମୁର୍ମୁ, ତାମିଲନାଡୁର ବସ୍‌ କଣ୍ଡକ୍ଟର ଯୋଗୀନାଥନ, ମହାରାଷ୍ଟ୍ରର ଅଟୋରିକ୍ସା ଚାଳକ ପୁରୁଷୋତ୍ତମ ଓ ଆସାମର ଦିନ ମଜୁରିଆ ଯାଦବ ପାଏଙ୍ଗଙ୍କ ବୃକ୍ଷରୋପଣ ନିଶା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।
ଅସଂଖ୍ୟ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଆଜିକାଲି ଗଛ ଲଗାଇବା ପର୍ବ ପାଳନର ନିଶା ଘାରିଛି; କିନ୍ତୁ କେତେକ କ୍ଷେତ୍ରରେ ଏହା ଲୋକ ଦେଖାଣିଆ ତ ଆଉ ଅଧାପନ୍ତରିଆ ହୋଇ ରହିଯାଉଛି। କେବଳ ଚାରା ରୋପଣ କରାଯାଉଛି, କିନ୍ତୁ ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ବ ଦିଆଯାଉନାହିଁ। ଅନେକ ରାଷ୍ଟ୍ର ମଧ୍ୟ ପ୍ରତିଦ୍ୱନ୍ଦ୍ବିତା ପ୍ରମତ୍ତ ହୋଇ ଗଛ ଲଗାଉଛନ୍ତି, କିନ୍ତୁ ସେଗୁଡ଼ିକ କିଭଳି ବଢୁଛି ତା’ ଉପରେ ନିଘା ନାହିଁ। ଆମେ ଜାଣିବାରେ ଇଥିଓପିଆ ଗୋଟିଏ ଦିନରେ ୩୫ କୋଟି ଗଛ ଲଗାଇ ବିଶ୍ୱ ରେକର୍ଡ ହାସଲ କରିଛି। ତୁର୍କୀ ୨୦୧୯ ମସିହା ନଭେମ୍ବର ୧୧ ତାରିଖରେ ୧୧ ନିୟୁତ ଚାରା ରୋପଣ କରିଥିଲା, ଅଥଚ ତହିଁରୁ କେବଳ ୧୦ ପ୍ରତିଶତ ବଞ୍ଚିଥିଲା ବୋଲି ଖବର ପ୍ରକାଶିତ ହେଲା।
ଆମ ଦେଶରେ ଦୀର୍ଘ ୭୫ ବର୍ଷର ବନ ମହୋତ୍ସବର କିଛି ସୁଫଳ ମିଳିଛି ଓ ସାଧାରଣ ଲୋକେ ଏ ନେଇ ସଚେତନ ହୋଇଛନ୍ତି ଏବଂ ଅନେକ ସ୍ଥାନରେ ବୃକ୍ଷଛେଦନକୁ ସଂଘବଦ୍ଧ ଭାବେ ପ୍ରତିରୋଧ କରାଯାଉଛି। ୨୦୨୩ ମସିହାରେ ଭାରତୀୟ ବନ ଅନୁସନ୍ଧାନ ସଂସ୍ଥା ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଗତ ୨୦୨୧ ମସିହାରୁ ଅରଣ୍ୟ ଆଚ୍ଛାଦନରେ ୧୫୬.୪୧ ବର୍ଗ କିଲୋମିଟର ବୃଦ୍ଧି ଘଟିଥିବା ବେଳେ ଜଙ୍ଗଲ ବାହାରେ ଥିବା ବୃକ୍ଷ ସମ୍ପଦରେ ୧୨୮୯.୪୦ ବର୍ଗକିଲୋମିଟର ଯୋଡ଼ି ହୋଇଛି। ଓଡ଼ିଶାରେ ମଧ୍ୟ ବନାଂଚଳରେ ୧୫୧.୮୯ ଓ ବୃକ୍ଷାଂଚଳରେ ୪୦୬.୬୮ ବର୍ଗକିଲୋମିଟର ବୃଦ୍ଧି ଘଟିଛି। ଏହା ଯେ ସରକାର ଓ ବିଭିନ୍ନ ଅନୁଷ୍ଠାନର ଉଦ୍ୟମ ତଥା ଜନସାଧାରଣଙ୍କ ସହଯୋଗ କ୍ରମେ ସମ୍ଭବ ହୋଇଛି, ତାହା କହିବା ବାହୁଲ୍ୟ ମାତ୍ର। ଏଭଳି ଉଦ୍ୟମ ଜାରି ରହିଲେ ଏକ ସବୁଜିମା ଭରା ଭାରତ ବାସ୍ତବତାରେ ପରିଣତ ହେବ।
(ବନ ମହୋତ୍ସବ ଅବଦରରେ)
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୦୨୩୩