ଗତ ଜୁନ ମାସରେ ସରକାରୀ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ପ୍ରାଙ୍ଗଣରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ସେଥିରେ ବର୍ଣ୍ଣିତ ମୂର୍ତ୍ତି ସ୍ଥାପନ ପାଇଁ ଅନୁମୋଦନର ପ୍ରକ୍ରିୟା ପଢ଼ିଲେ ପିଲାଦିନେ ଶୁଣିଥିବା ‘କଲୁରୀ ବେଣ୍ଟ କଥା’ ଗଳ୍ପଟି ମନେ ପଡ଼େ। ଏବେକାର ପିଲାମାନେ ଏହି ଗଳ୍ପଟି ବୋଧହୁଏ ଶୁଣିବାର ସୁଯୋଗ ପାଇନଥିବେ।
ଏହି ଗଳ୍ପଟିର ବିଷୟବସ୍ତୁ ଗୋଟିଏ କୁଆର ପାଚିଲା କଳାରାଟିଏ ଖାଇବାର ଲାଳସା ଓ କୁଆଟିକୁ କଲରା ସେବନରୁ ବଂଚିତ କରିବା ପାଇଁ କଲରାର ସ୍ବତ୍ବାଧିକାରିଣୀ ଚତୁର ବୃଦ୍ଧାର ଚକ୍ରାନ୍ତ ଓ ସମନ୍ବିତ ଯୋଜନା ଉପରେ ଆଧାରିତ। ପାଚିଲା କଲରାଟିଏ ଗଛରେ ଦେଖି କୁଆ ସେଇଟିକୁ ଖାଇବା ପାଇଁ କଲରା ଗଛର ମାଲିକାଣୀଙ୍କ ନିକଟରେ ନିଜର ଇଚ୍ଛା ପ୍ରକଟ କଲା। ମାଲିକାଣୀ ବୁଢ଼ୀ କୁଆର ଅନୁରୋଧକୁ ସିଧା ପ୍ରତ୍ୟାଖାନ କରିବା ପରିବର୍ତ୍ତେ କଲରା ଖାଇବା ପୂର୍ବରୁ କୁଅ ପାଣିରେ ମୁହଁ ଧୋଇ ଆସିବା ପାଇଁ ପରାମର୍ଶ ଦେଲା। କୁଆ କୂଅ ପାଖକୁ ଯାଇ ବୁଢ଼ୀ କଥା କହି ପାଣି ମାଗିଲା। କୂଅ ସବୁ କଥା ଶୁଣି ପାଣି କାଢ଼ିବା ପାଇଁ କୁମ୍ଭାର ପାଖକୁ ଯାଇ କଳସଟିଏ ଆଣିବା ପାଇଁ ପରାମର୍ଶ ଦେଲା। କୁଆ କୁମ୍ଭାର ଘରକୁ ଗଲା। କୁଆଠାରୁ ବୁଢ଼ୀ କଥା ଶୁଣି କୁମ୍ଭାର କୁଆକୁ ବିଲରୁ ମାଟି ଆଣିବାକୁ ପଠାଇଲା। ବିଲ କୁଆର କଥା ଶୁଣି ମାଟି ଖୋଲିବା ପାଇଁ କୁଆକୁ ମିରିଗ ପାଖରୁ ଶିଙ୍ଗଟିଏ ଆଣିବାକୁ କହିଲା। କୁଆ ମିରିଗ ପାଖରେ ପହଞ୍ଚି ସବୁକଥା କହି ମାଟି ଖୋଳିବା ପାଇଁ ଶିଙ୍ଗ ମାଗିଲାରୁ ମିରିଗ କହିଲା, ‘ମତେ ଭାରି ଭୋକ କରୁଛି ମୋ ପାଇଁ କାଳୀ ଗାଈ କ୍ଷୀର ଆଣି ଦେ। ମୁଁ ପିଇଲା ପରେ ଶିଙ୍ଗ ଦେବି।’ କୁଆ ଜଙ୍ଗଲରୁ ବାହାରି କାଳୀ ଗାଈ ପାଖରେ ପହଞ୍ଚି କ୍ଷୀର ମାଗିଲା। ଗାଈ କହିଲା, ‘ମୋ ପାଇଁ ଘାସ ଆଣି ଦେ। ମୁଁ ଘାସ ଖାଇଲେ କ୍ଷୀର ଦେବି।’ କୁଆ ବିଚରା ଘାସ ପାଇଁ ବିଲ ହିଡ଼କୁ ଦୌଡ଼ିଲା। ହିଡ଼ ପଚାରିଲା, ଘାସ କାଟିବାକୁ ଦାଆ ଆଣିଛୁ? କୁଆ ହତୋତ୍ସାହିତ ନହୋଇ କମାର ପାଖକୁ ଯାଇ ଦାଆ ମାଗିଲା। କମାର ସମସ୍ତ କଥା ଶୁଣି ଜାଣିପାରିଲା ଯେ ବୁଢ଼ୀ କୁଆକୁ କଲରା ନ ଦେବାପାଇଁ ଏହି ଫନ୍ଦି କରିଛି। କଲରାଟି ଦେବାକୁ ଇଚ୍ଛା ଥିଲେ ବୁଢ଼ୀ ବିନା ସର୍ତ୍ତରେ ତାହା କୁଆକୁ ଦେଇ ପାରିଥା’ନ୍ତା କିମ୍ବା ପୋଖରୀରେ ମୁହଁ ଧୋଇ ଆସିବା ପାଇଁ କହିଥା’ନ୍ତା। ତାହା ନ କରି କୁଅ ପାଣିରେ ମୁହଁ ଧୋଇବାକୁ କହି ବୁଢ଼ୀ ପରୋକ୍ଷ ଭାବେ କଲରାଟି ନଦେବାର ବ୍ୟବସ୍ଥା କରିଛି। ବୁଢ଼ୀ ସହିତ କମାରର ଭଲ ସଂପର୍କ ଥିଲା, ତେଣୁ ସେ କୁଆକୁ ତା’ ଉଦ୍ୟମରେ ସଫଳ ହେବାରୁ ବଂଚିତ କରିବା ପାଇଁ ଦାଆଟି ଦେବା ପୂର୍ବରୁ ତାକୁ ନିଆଁରେ ତତାଇ କୁଆକୁ ନେବାପାଇଁ କହିଲା। କଲରା ଖାଇବା ଲୋଭରେ କୁଆ ତତଲା ଦାଆଟିକୁ ତା’ ଥଣ୍ଟରେ ଥୋଇଦେବା ପାଇଁ କମାରକୁ କହିଲା। ବିନା ଦ୍ବିଧାରେ କମାର ତତଲା ଦାଆଟି କୁଆ ଥଣ୍ଟ ଉପରେ ଥୋଇବାକ୍ଷଣି କୁଆ ଯନ୍ତ୍ରଣାରେ ଛଟପଟ ହୋଇ ସେହିଠାରେ ଟଳିପଡ଼ିଲା। ତା’ର କଲରା ଖାଇବା ଇଚ୍ଛା ପୂରଣ ହୋଇ ପାରିଲା ନାହିଁ। କଥାଟି ଏଇଠି ସମାପ୍ତ ହୋଇଛି।
ଗଳ୍ପଟିରେ ବର୍ଣ୍ଣିତ ଘଟଣାବଳୀକୁ ଅନୁଶୀଳନ କଲେ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ କୁଆକୁ ତା’ର ଇପ୍ସିତ ଜିନିଷଟି ନ ଦେବାପାଇଁ ଏକ ସଂଘବଦ୍ଧ ଉଦ୍ୟମ କରାଯାଇଥିଲା। ବିଚରା କୁଆଟି ସେହି ଚକ୍ରାନ୍ତ ବିଷୟରେ ଜାଣିପାରି ନଥିଲା। କଲରା ଖାଇବା ପାଇଁ କୁଆକୁ ଯେପରି ବିଭିନ୍ନ ଲୋକ ଓ ପ୍ରାଣୀଙ୍କ ପାଖକୁ ଯିବାକୁ ପଡ଼ିଲା ଏବଂ ଶେଷକୁ ସେ ଦୁଃଖଦ ପରିଣତି ଭୋଗିଲା ଠିକ୍ ସେହିଭଳି ବର୍ତ୍ତମାନ କୌଣସି ବିଦ୍ୟାଳୟରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ବାର ଦୁଆର ତେର ପିଣ୍ଡା ହୋଇ ଶେଷକୁ ହତାଶ ହେବାକୁ ପଡ଼ିବ।
ଗତ ଜୁନ ମାସ ୨୨ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟ ପ୍ରାଙ୍ଗଣରେ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଯେଉଁ ନିୟମାବଳୀ ଧାର୍ଯ୍ୟ କରାଯାଇଛି ସେଥିରେ କେବଳ ଯେଉଁ ବ୍ୟକ୍ତିମାନଙ୍କର ଜାତି ଗଠନରେ ଅଥବା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ସୃଷ୍ଟି କରିବାରେ କିମ୍ବା ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଯଥେଷ୍ଟ ଅବଦାନ ଥିବ, ସେହିପରି ବ୍ୟକ୍ତିମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇପାରିବ। ସେଥିପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଏହାର ଅର୍ଥ ଭାଷା ଓ ସାହିତ୍ୟ ବ୍ୟତୀତ ଅନ୍ୟ କ୍ଷେତ୍ରରେ ଦେଶରେ ପ୍ରତିଷ୍ଠା ଲାଭ କରିଥିବା ବରପୁତ୍ର ଯଥା ପଠାଣି ସାମନ୍ତ ବା ପ୍ରାଣକୃଷ୍ଣ ପରିଜାଙ୍କ ଭଳି ଯଶସ୍ବୀ ବିଦ୍ବାନ ଅଥବା ବହୁ ତ୍ୟାଗ ସ୍ୱୀକାର କରି ବିଦ୍ୟାଳୟ ଗଠନ କରିଥିବା ବ୍ୟକ୍ତି ଓ ଆଦର୍ଶ ଶିକ୍ଷକମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସମ୍ଭବ ହୋଇ ନ ପାରେ। ଏହି ନିଷ୍ପତ୍ତି ନେବାକୁ ପ୍ରଧାନଶିକ୍ଷକ ଓ ପରିଚାଳନା କମିଟିକୁ ସ୍ବାଧୀନତା ଦିଆଯାଇଥିଲେ ଆଞ୍ଚଳିକ ସ୍ତରରେ ଶିକ୍ଷା ଓ ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ଥିବା ଆଦର୍ଶ ବ୍ୟକ୍ତିମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବାରେ ବାଧା ସୃଷ୍ଟି ହୋଇ ନଥା’ନ୍ତା। କିନ୍ତୁ ସରକାର ଏଥିପାଇଁ ଏକ ଦୀର୍ଘ ପ୍ରକ୍ରିୟା ଉଦ୍ଭାବନ କରିଛନ୍ତି।
ଏବେ ଦେଖିବା ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଯେଉଁ ପ୍ରକ୍ରିୟା ଧାର୍ଯ୍ୟ କରାଯାଇଛି ସେଥିରେ କିପରି କଲୁରୀ ବେଣ୍ଟିୟ ଚିନ୍ତାଧାରା ପ୍ରତିଫଳିତ ହୋଇଛି। ବିଦ୍ୟାଳୟରେ କୌଣସି ବରପୁତ୍ରଙ୍କ ମୂର୍ତ୍ତି ସ୍ଥାପନ ପାଇଁ ଇଚ୍ଛୁକ ବ୍ୟକ୍ତି କିମ୍ବା ଅନୁଷ୍ଠାନ ନିର୍ଦ୍ଧାରିତ ଫର୍ମରେ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ କରିବେ। ପ୍ରଧାନ ଶିକ୍ଷକ ସେହି ପ୍ରସ୍ତାବକୁ ପରୀକ୍ଷା ନିରୀକ୍ଷା କରି ବିଦ୍ୟାଳୟର ପରିଚଳନା କମିଟିର ଅନୁମୋଦନ ପାଇଁ ପଠାଇବେ। ପରିଚାଳନା କମିଟି ସନ୍ତୁଷ୍ଟ ହେଲେ ସର୍ବସମ୍ମତି କ୍ରମେ ପ୍ରସ୍ତାବଟି ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖକୁ ଯିବ। ପରିଚାଳନା କମିଟିର ଅନୁମୋଦନକୁ ଗ୍ରହଣଯୋଗ୍ୟ ବୋଲି ଯଦି ସେ ବିଚାର କରିବେ ତେବେ ପ୍ରସ୍ତାବଟି ଜିଲ୍ଲାପାଳଙ୍କ ନିକଟକୁ ଯିବ। ଜିଲ୍ଲାପାଳ ସେଥିପାଇଁ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରିବେ। ସେ କମିଟିରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ପୁଲିସ ଅଧୀକ୍ଷକ, ଉପ ଜିଲ୍ଲାପାଳ, ବିଡିଓ କିମ୍ବା ନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଓ ତହସିଲଦାର ସଭ୍ୟ ରହିବେ। ଜିଲ୍ଲାପାଳ ଚାହିଁଲେ ଅଧିକ ସଭ୍ୟ ମଧ୍ୟ ନେଇ ପାରନ୍ତି। ଜିଲ୍ଲାସ୍ତରୀୟ କମିଟି ଯଦି ସର୍ବସମ୍ମତି କ୍ରମେ ପରିଚାଳନା କମିଟିର ମତାମତ ସହ ରାଜି ହୁଅନ୍ତି ତେବେ ଜିଲ୍ଲାପାଳ ଅନୁମୋଦନ ସହ ପ୍ରସ୍ତାବଟିକୁ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟକୁ ପଠାଇବେ। ଶିକ୍ଷା ନିର୍ଦ୍ଦେଶକଙ୍କ ସ୍ତରରେ ପ୍ରସ୍ତାବଟି ସମୀକ୍ଷା ହୋଇ ସରକାର ଅର୍ଥାତ୍ ସଚିବଙ୍କ ପାଖକୁ ଯିବ। ସଚିବ ପ୍ରସ୍ତାବ ସପକ୍ଷରେ ଆସିଥିବା ମତାମତଗୁଡ଼ିକୁ ତର୍ଜମା କରି ସନ୍ତୁଷ୍ଟ ହେଲେ ପ୍ରସ୍ତାବଟି ମନ୍ତ୍ରୀଙ୍କ ବିଚାର ପାଇଁ ଯିବ। ମନ୍ତ୍ରୀଙ୍କ ସମ୍ମତି ମିଳିଲା ପରେ ମୂର୍ତ୍ତି ସ୍ଥାପନ ପାଇଁ ପ୍ରଧାନଶିକ୍ଷକ ସଂପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନକୁ ଜଣାଇବେ। ଏହି ଲମ୍ବା ପ୍ରକ୍ରିୟା କେତେ ଦିନ ମଧ୍ୟରେ ସମାପ୍ତ ହେବ କିମ୍ବା ପ୍ରସ୍ତାବ ଗୋଟିଏ ସ୍ତରରୁ ଆଉ ଗୋଟିଏ ସ୍ତରକୁ ଯିବା ପାଇଁ ସର୍ବୋଚ୍ଚ ସମୟସୀମା କେତେ ହେବ ତାହା ଧାର୍ଯ୍ୟ କରାଯାଇନାହିଁ। ଏଥିରେ ଯେଉଁ ଅଧିକାରୀମାନଙ୍କୁ ସଂପୃକ୍ତ କରାଯାଇଛି ସେମାନଙ୍କର ନିଜ ନିଜ ପଦର କାର୍ଯ୍ୟଭାର ଯଥେଷ୍ଟ ଅଧିକ ଓ ଗୁରୁତ୍ବପୂର୍ଣ୍ଣ। ସେମାନେ ସେଥିରୁ ଅବ୍ୟାହତି ନେଇ ମୂର୍ତ୍ତି ସ୍ଥାପନ ଭଳି ଗୋଟିଏ କାର୍ଯ୍ୟକ୍ରମ ପାଇଁ କେତେ ସମୟ ଦେଇପାରିବେ ଏବଂ ସେହି କାର୍ଯ୍ୟ ପାଇଁ ତାଙ୍କର ପ୍ରତିବଦ୍ଧତା କେତେ ରହିବ ତାହା ଅନୁମେୟ। ନିୟମ ପ୍ରଣୟନକାରୀମାନେ ଏ ବିଷୟରେ ଯେ ଅଜ୍ଞ ତାହା କୁହାଯାଇପାରିବ ନାହିଁ। ଏକ ନକାରାତ୍ମକ ଚିନ୍ତାଧାରାର ବଶବର୍ତ୍ତୀ ହୋଇ ସେମାନେ ଦେଶର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟକୁ ଠିକ୍ ଭାବେ ହୃଦୟଙ୍ଗମ କରିବାକୁ ସମର୍ଥ ହୋଇ ପାରି ନ ଥିବା ଭଳି ଜଣାପଡୁଛି।
ଯେଉଁମାନେ ଏପରି ନିୟମ କରୁଛନ୍ତି ସେମାନେ ଦେଶର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ପ୍ରତିମୂର୍ତ୍ତି, ବିଶେଷ କରି ଶିକ୍ଷାନୁଷ୍ଠାନ ମାନଙ୍କରେ କାହିଁକି ପ୍ରତିଷ୍ଠା କରାଯାଏ ତାହା ଜାଣିବା ଆବଶ୍ୟକ। ପାଷାଣ ଅଥବା ଧାତୁରେ ନିର୍ମିତ ମୂର୍ତ୍ତିଟିଏ ଏକ ନିର୍ଜୀବ ବସ୍ତୁ ହୋଇପାରେ, କିନ୍ତୁ ତାହା ଯେ ଗୋଟିଏ ଦେଶର ଗୌରବମୟ ଇତିହାସ, ଦେଶପ୍ରେମ, ସଂସ୍କୃତି ଓ ପରମ୍ପରାରକୁ ଜୀବିତ ରଖି ପିଢ଼ି ପରେ ପିଢ଼ିଙ୍କୁ ସେମାନଙ୍କର ପୂର୍ବପୁରୁଷଙ୍କ ବୀରତ୍ବ ଓ ବଳିଦାନର ଗାଥା ଶୁଣାଇ ଉଦ୍‌ବୁଦ୍ଧ କରୁଥାଏ ଏବଂ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥାଏ ଏ କଥା କିଏ ଅସ୍ୱୀକାର କରିପାରିବ କି? ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ଥାପିତ ପ୍ରାତଃ ସ୍ମରଣୀୟ ବ୍ୟକ୍ତିଙ୍କର ପ୍ରତିମୂର୍ତ୍ତି ପିଲାମାନଙ୍କୁ ସଫଳ ମଣିଷ ହେବାକୁ ନିରନ୍ତର ପ୍ରେରଣା ଯୋଗାଇଥାଏ।
ବହୁ ବଦାନ୍ୟ ବ୍ୟକ୍ତି ବିଦ୍ୟାଳୟରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସହଯୋଗ କରନ୍ତି। ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ତାଙ୍କର ସହଯୋଗୀମାନେ ପୁରୀ ଠାରେ ସ୍ବାଭିମାନ ମଞ୍ଚ ନାମରେ ଏକ ଅନୁଷ୍ଠାନ ଗଢ଼ି ସାରା ଓଡ଼ିଶା ବୁଲି ବୁଲି ବିଦ୍ୟାଳୟ ମାନଙ୍କରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରୁଛନ୍ତି। ଏଥିପାଇଁ ସେ କୌଣସି ସରକାରୀ ସାହାଯ୍ୟ ମାଗନ୍ତି ନାହିଁ। ଅନୁରୂପ ବ୍ୟକ୍ତି ଓ ଅନୁଷ୍ଠାନ ମାନେ ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଥାଇ ପାରନ୍ତି। ମୂର୍ତ୍ତି ସ୍ଥାପନ ପାଇଁ ଏଭଳି ଅବାସ୍ତବ ନିୟମ ଦ୍ବାରା ସେମାନଙ୍କର ଏହି ସାଧୁ ଉଦ୍ୟମ ବାଧାପ୍ରାପ୍ତ ହେବ। ବିନା ସ୍ୱାର୍ଥରେ ଓଡ଼ିଶାର ବରପୁତ୍ରମାନଙ୍କ ବିଷୟରେ ନୂତନ ପିଢ଼ିର ପିଲାମାନଙ୍କୁ ପରିଚିତ କରିବାପାଇଁ ସେମାନଙ୍କର ଏହି ସାଂସ୍କୃତିକ ଅଭିଯାନରେ ପୂର୍ଣ୍ଣଚ୍ଛେଦ ପଡ଼ିଯିବ। ଓଡ଼ିଆ ପିଲା କିଛି ଦିନ ପରେ ମଧୁବାବୁ ବା ଗୋପବନ୍ଧୁଙ୍କ ପରି ଆଧୁନିକ ଓଡ଼ିଶାର ଜନକମାନଙ୍କ ବିଷୟରେ ଜାଣିବାର ସୁଯୋଗ ରହିବନି। ଓଡ଼ିଶାର ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀ ନାଗରିକମାନେ ଏ ପ୍ରସଙ୍ଗର ଗୁରୁତ୍ବକୁ ବୁଝି ଆଲୋଚିତ ନିୟମାବଳୀରେ ସଂଶୋଧନ ପାଇଁ ସରକାରଙ୍କୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଏ। ଅନ୍ତତଃ ପକ୍ଷେ ରାଜ୍ୟ ସଂସ୍କୃତି ବିଭାଗ ଓଡ଼ିଶାର ବରପୁତ୍ରମାନଙ୍କର ଏକ ତାଲିକା ପ୍ରସ୍ତୁତ କରୁ ଯେଉଁମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଅନୁମତି ଆବଶ୍ୟକ ହେବ ନାହିଁ।
ମୋ: ୯୪୩୭୨୭୭୩୧୩