ଜରୁରୀକାଳୀନ ସ୍ଥିତିରେ ଯେତେବେଳେ ଲ୍ୟାଣ୍ଡଲାଇନ ଅଚଳ ହୋଇଯାଏ, ମୋବାଇଲ ନେଟୱର୍କ କାମ କରେ ନାହିଁ ଏବଂ ସଂଚାର ବ୍ୟବସ୍ଥାର ସମସ୍ତ ମାଧ୍ୟମ ଠପ୍‌ ହୋଇଯାଏ ସେତେବେଳେ କାମରେ ଆସେ ହାମ ରେଡିଓ। ବନ୍ୟା, ବାତ୍ୟା, ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଅଥବା ମାନବକୃତ ବିପର୍ଯ୍ୟୟ ହେଉ ବା କୌଣସି ବଡ଼ ଦୁର୍ଘଟଣା, ଯେ କୌଣସି ପ୍ରକାର ଜରୁରୀକାଳୀନ ସ୍ଥିତିରେ ଯୋଗାଯୋଗ ସମ୍ପର୍କ ସ୍ଥାପନ ପାଇଁ ସାହାଯ୍ୟ କରନ୍ତି ପ୍ରଶିକ୍ଷିତ ଓ ଲାଇସେନ୍‌ସପ୍ରାପ୍ତ ହାମ ରେଡିଓ ସଞ୍ଚାଳକ। ଏମାନଙ୍କୁ ହାମ ରେଡିଓ ଅପରେଟର ମଧ୍ୟ କୁହାଯାଏ। ଏମାନେ ସରକାରଙ୍କ ସହ ରିଲିଫ ଓ ଉଦ୍ଧାରକାରୀ ଦଳଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ କରାଇଥାନ୍ତି। ଫଳରେ ପ୍ରଶାସନ ତଥା ସରକାରଙ୍କ ପାଖରେ ପ୍ରଭାବିତ ଅଂଚଳ ସମ୍ପର୍କରେ ଠିକ୍‌ ତଥ୍ୟ ପହଞ୍ଚେ। ଜରୁରୀକାଳୀନ ପରିସ୍ଥିତି ସମୟରେ ହାମ ରେଡିଓ ଅପରେଟରମାନେ ବ୍ୟକ୍ତିଗତ ଲାଭ ବିଷୟରେ ନ ଭାବି ନିଃସ୍ବାର୍ଥପର ଭାବେ ଲୋକ ଓ ସରକାରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି।

Advertisment

ବିପର୍ଯ୍ୟୟ ସମୟରେ ଉଦ୍ଧାରକାରୀ ଦଳ ଓ ମେଡିକାଲ ଟିମ୍‌ ପାଖରେ ହାମ ରେଡିଓ ଅପରେଟରମାନେ ତଥ୍ୟ ପହଞ୍ଚାନ୍ତି। ହାମ ରେଡିଓ ଅପରେଟରଙ୍କୁ ଅନ୍ୟ କୌଣସି ସଂଚାର ବ୍ୟବସ୍ଥା ଉପରେ ନିର୍ଭର କରିବାକୁ ପଡ଼େ ନାହିଁ। ସେମାନେ ନିଜ ରେଡିଓ ଜରିଆରେ ଯେକୌଣସି ସ୍ଥାନରୁ ସୂଚନା ଆଦାନ ପ୍ରଦାନ କରିପାରନ୍ତି। ସେମାନେ ବିଭିନ୍ନ ଶବ୍ଦ, ଲିଖିତ ସୂଚନା, ଫଟୋ ଓ ତଥ୍ୟ ମଧ୍ୟ ପଠାଇବାକୁ ସକ୍ଷମ। ରେଡିଓ ଫ୍ରିକ୍ବେନ୍‌ସ ଜରିଆରେ ସେମାନେ ଯେକୌଣସି ସହର, ଅଂଚଳ, ଦେଶ ଏପରିକି ମହାକାଶ ସହ ସମ୍ପର୍କ ସ୍ଥାପନ କରିପାରିବେ।

ତେବେ ହାମ ରେଡିଓ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି। ସବୁ ହାମ ରେଡିଓ ଅପରେଟରଙ୍କୁ ଗୋଟିଏ ବିଶେଷ କୋଡ୍‌ ଦିଆଯାଇଥାଏ ଯାହା ରେଡିଓ ଜରିଆରେ ସମ୍ପର୍କ ସ୍ଥାପନ ସମୟରେ ଅପରେଟରଙ୍କ ପରିଚୟ ଭଳି କାମ କରେ। ଏହି ବିଶେଷ କୋଡ୍‌କୁ ‘କଲ୍‌ ସାଇନ୍‌’ କୁହାଯାଏ। ହାମ ରେଡିଓ ଅପରେଟର ହେବ ପାଇଁ କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ କମ୍ୟୁନିକେସନରୁ ଏକ ଲାଇସେନ୍‌ସ ନେବାକୁ ପଡ଼ିଥାଏ। ଲାଇସେନ୍‌ସ ନେବାକୁ ହେଲେ ଏକ ପାଠ୍ୟକ୍ରମ ଅନୁଯାୟୀ କୋର୍ସ କରିବାକୁ ପଡ଼େ। ଏହି ପାଠ୍ୟକ୍ରମରେ ଇଲେକ୍ଟ୍ରୋନିକ ରେଡିଓର କେତେକ ଥିଓରି ଓ ମର୍ସ କୋଡ୍‌ ବ୍ୟତୀତ ହାମ ରେଡିଓକୁ ନେଇ ଥିବା ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ନିୟମ ସମ୍ପର୍କରେ ପଢ଼ିବାକୁ ହୁଏ। ଏହା ପରେ ଏକ ପରୀକ୍ଷା ଦେବାକୁ ହୁଏ। ଦେଶର ବିଭିନ୍ନ ଅଂଚଳରେ ଥିବା ୱାୟରଲେସ ମନିଟରିଂ ଷ୍ଟେସନରେ ଏହି ପରୀକ୍ଷା ହୋଇଥାଏ। ଏଥିରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମିନିଷ୍ଟ୍ରି ଅଫ କମ୍ୟୁନିକେସନର ୱାୟରଲେସ ପ୍ରସେସିଙ୍ଗ ସେଣ୍ଟର ହାମ ରେଡିଓ ଲାଇସେନ୍‌ସ ପ୍ରଦାନ କରେ। ବୈଧ ହାମ ରେଡିଓ ଲାଇସେନ୍‌ସ ବିନା କୌଣସି ୱାୟରଲେସ ଉପକରଣର ବ୍ୟବହାର କରିବା ଏକ ଅପରାଧ।

ହାମ ରେଡିଓର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସିବିଏସ୍‌ସି ପାଠ୍ୟକ୍ରମରେ ଏହାକୁ ସାମିଲ କରାଯାଇଛି। ହାମ ରେଡିଓର ପ୍ରଚାର ପ୍ରସାର ପାଇଁ ଏମପି ଲାଡରୁ ଅର୍ଥ ଖର୍ଚ୍ଚ କରାଯାଇ ପାରିବାର ପ୍ରାବଧାନ ରହିଛି। ଓଡ଼ିଶା ତୁଳନାରେ ଦକ୍ଷିଣ ଭାରତରେ ହାମ ରେଡିଓ ଅପରେଟରଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରେ ସ୍ଥାନୀୟ ସରକାର ହାମ ରେଡିଓ ଅପରେଟରମାନଙ୍କୁ ଉତ୍ସାହିତ କରୁଛନ୍ତି। ଆସନ୍ତା ନଭେମ୍ବର ମାସରେ ଗୁଜୁରାଟରେ ଆୟୋଜିତ ହେବାକୁ ଯାଉଥିବା ଜାତୀୟ ହାମ ଫେଷ୍ଟିଭାଲର ମୁଖ୍ୟ ପ୍ରଯୋଜକ ହେଉଛନ୍ତି ଗୁଜୁରାଟ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ।

ଓଡ଼ିଶା ଭଳି ଏକ ବିପର୍ଯ୍ୟୟପ୍ରବଣ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାରେ ହାମ ରେଡିଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଓଡ଼ିଶାରେ ଖୁବ୍‌ କମ୍‌ ସଂଖ୍ୟକ ସକ୍ରିୟ ହାମ ରେଡିଓ ଅପରେଟର ଅଛନ୍ତି। ଅତୀତରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଦ୍ୱାରା ରାଜ୍ୟର କେତେକ ଅଞ୍ଚଳରେ ହାମ ରେଡିଓ ସ୍ଥାପନ କରାଯାଇଥିଲେ ମଧ୍ୟ ସଚେତନତା ଓ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ନଷ୍ଟ ହୋଇଯାଇଛି। ଫନି ବାତ୍ୟା ସମୟରେ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ, ଓଡ଼ିଶାକୁ ପଶ୍ଚିମବଙ୍ଗର ହାମ ରେଡିଓ ଅପରେଟରମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଲା। ଏହା ପରେ ମଧ୍ୟ ସରକାରୀ ସ୍ତରରେ ହାମ ରେଡିଓ ସମ୍ପର୍କରେ ସାଧାରଣରେ ସଚେତନତା ସୃଷ୍ଟି, ଭିତ୍ତିଭୂମି ସୁଦୃଢ଼ କରିବା ତଥା ହାମ ରେଡିଓ ଅପରେଟରମାନଙ୍କୁ ଉତ୍ସାହିତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରାଯାଇ ନାହିଁ।
ମୋ: ୯୮୬୧୩୦୭୨୮୦