ହରିୟାଣା ବିଧାନସଭା ନିର୍ବାଚନର ତିନିଟି ସମ୍ଭାବ୍ୟ ଫଳାଫଳ ହୋଇପାରେ। ପ୍ରଥମଟି ହେଲା ଶାସକ ବିଜେପି ବିରୋଧରେ ପବନ ବହିବ ଏବଂ କଂଗ୍ରେସ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବ। ଦ୍ବିତୀୟଟି ହେଉଛି ଏହି ପବନ ଏକ ନିର୍ବାଚନୀ ଝଡ଼ର ରୂପ ନେବ ଏବଂ କଂଗ୍ରେସକୁ ନିରଙ୍କୁଶ ବହୁମତ ମିଳିବ। ସେହିପରି ତୃତୀୟ ସମ୍ଭାବନା ହେଲା, କଂଗ୍ରେସ ସପକ୍ଷରେ ସୁନାମି ଆସିବ ଏବଂ ବିଜେପି ସହିତ ବାକି ଦଳଗୁଡ଼ିକ ଖୁବ୍‌ କମ୍‌ ଆସନରେ ସୀମିତ ରହିବେ। 
ଏହା କୌଣସି ନିର୍ବାଚନୀ ଭବିଷ୍ୟବାଣୀ ନୁହେଁ। ଏହି ତିନିଟି ସମ୍ଭାବନା ମଧ୍ୟରୁ କେଉଁଟି ସତ ହେବ ଏବଂ କେଉଁ ଦଳକୁ କେତେ ଆସନ ମିଳିବ, ତାହା ଆକଳନ କରିବାକୁ ଏଠାରେ କୌଣସି ପ୍ରୟାସ କରାଯାଇନାହିଁ। ଏହା ତ ରାଜନୀତିର ସାଧାରଣ ଜ୍ଞାନ, ଯାହା ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି। ଏହା ନିଃସନ୍ଦେହ ଯେ ଏହି ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି। ଗତ ନିର୍ବାଚନ ଭଳି ଏଥର ମଧ୍ୟ ଅଭୟ ଚୌତାଲାଙ୍କ ଆଇଏନ୍‌ଏଲ୍‌ଡି, ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି, ବିଏସ୍‌ପି କିମ୍ବା ଆମ୍‌ ଆଦମୀ ପାର୍ଟି ଓ ସ୍ବାଧୀନ ପ୍ରାର୍ଥୀଙ୍କର କୌଣସି ଭୂମିକା ରହିବନି। ଏ କଥା ମଧ୍ୟ ସମସ୍ତେ ଜାଣନ୍ତି ଯେ ଏହି ସିଧାସଳଖ ମୁକାବିଲାରେ କଂଗ୍ରେସ ଆଗରେ ରହିଛି। ଉପରୋକ୍ତ ତିନିଟି ସମ୍ଭାବନା ମଧ୍ୟରୁ ଯାହା ବି ସତ ହେଉ ପଛକେ, ଏଥିରୁ ସ୍ପଷ୍ଟ ଯେ ତିନିଟି ଯାକ ସ୍ଥିତିରେ କଂଗ୍ରେସ ହିଁ ସରକାର ଗଠନ କରିବାକୁ ଯାଉଛି। ହରିୟାଣାର ସାମ୍ପ୍ରତିକ ବିଧାନସଭା ନିର୍ବାଚନ ସେହି ନିର୍ବାଚନ ବର୍ଗରେ ଆସୁଛି, ଯାହାର ଫଳାଫଳ ନିର୍ବାଚନ ଘୋଷଣା ପୂର୍ବରୁ ହୋଇସାରିଥିଲା ପରି ଲାଗୁଛି। କେଉଁ ଦଳ କେଉଁ ପ୍ରାର୍ଥୀ ଛିଡ଼ା କରାଇଛି, କିଏ ନିଜର ଇସ୍ତାହାରରେ କ’ଣ କହିଛି ଏବଂ ନିର୍ବାଚନ ପ୍ରଚାରରେ କ’ଣ ରଣନୀତି ଆପଣେଇଛି, ତାହା ଉପରେ ନିର୍ଭର କରି ହୁଏତ ଆସନ ସଂଖ୍ୟାରେ ଟିକେ ଏପଟସେପଟ ହୋଇପାରେ। କିନ୍ତୁ ନିର୍ବାଚନର ମୌଳିକ ଫଳାଫଳରେ ପରିବର୍ତ୍ତନ ହେବା ସମ୍ଭାବନା ବହୁତ କମ୍‌ ଦେଖାଯାଉଛି। 
ବାସ୍ତବରେ ଏହି ନିର୍ବାଚନର ମୌଳିକ ଧାରା ଏକ ବର୍ଷ କିମ୍ବା ତାହାଠୁ ଅଧିକ ପୂର୍ବରୁ ନିଶ୍ଚିତ ହୋଇସାରିଥିଲା, ଯେତେବେଳେ ସରକାର ଓ ସମାଜ ଭିତରେ ଏକ ଫାଟ ସୃଷ୍ଟି ହୋଇଥିଲା। ସତ କହିବାକୁ ଗଲେ, ଲଗାତାର ଦ୍ବିତୀୟ ଥର ପାଇଁ ବିଜେପିର ସରକାର ଗଠନ ସହିତ ଜନସାଧାରଣଙ୍କ ମୋହଭଙ୍ଗ ଆରମ୍ଭ ହୋଇଯାଇଥିଲା। ବିଜେପି-ବିରୋଧୀ ଭୋଟକୁ ହାତେଇଥିବା ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି ଯେପରି ପଟ ପରିବର୍ତ୍ତନ କରି ବିଜେପି ସହ ସରକାର ଗଠନ କଲା, ସେବେ ଠାରୁ ହିଁ ଜନସାଧାରଣଙ୍କ ମନ ଆମ୍ବିଳା ହୋଇଯାଇଥିଲା। କ୍ଷମତା ଓ ସମାଜକୁ ଯୋଡୁଥିବା ବୈଧତାର ସୂତ୍ର କୃଷକ ଆନ୍ଦୋଳନ ବେ​ଳେ ଛିଣ୍ଡିଗଲା। ହରିୟାଣାର ବିଜେପି ସରକାର କୃଷକଙ୍କ ଆନ୍ଦୋଳନକୁ ରୋକିବା, ତାକୁ ଦମନ କରିବା ଏବଂ ତା’ ବିରୋଧରେ ଅପପ୍ରଚାର କରିବାର କୌଣସି ଅବସର ଛାଡ଼ିନଥିଲେ। ଏପଟେ କୃଷକ ଆନ୍ଦୋଳନ ସହିତ ଚାଷୀ ସମ୍ପ୍ରଦାୟ ସଂପୂର୍ଣ୍ଣ ଭାବେ ଛିଡ଼ା ହୋଇଥିଲା। ଶେଷରେ ଯେତେବେଳେ କୃଷକଙ୍କ ଆଗରେ କେନ୍ଦ୍ର ସରକାରଙ୍କୁ ନତମସ୍ତକ ହେବାକୁ ପଡ଼ିଲା, ସେତେବେଳେ ହରିୟାଣା ସରକାରଙ୍କ ଆତ୍ମସମ୍ମାନ ବି ହଜିଗଲା। ଯୌନ ଶୋଷଣ ମାମଲାରେ ମହିଳା କୁସ୍ତିଯୋଦ୍ଧାଙ୍କ ସଂଗ୍ରାମ ମଧ୍ୟ ସରକାରଙ୍କ ବଳକା ସମ୍ମାନକୁ ନଷ୍ଟ କରିଦେଲା। ରାଜ୍ୟରେ ତ ବେକାରି ସମସ୍ୟା ବ୍ୟାପକ ରହିଥିଲା, ତେବେ କେନ୍ଦ୍ର ସରକାରଙ୍କ ଅଗ୍ନି ବୀର ଯୋଜନା ଗ୍ରାମାଞ୍ଚଳ ଯୁବକମାନଙ୍କ ସ୍ବପ୍ନକୁ ଧୂଳିସାତ୍‌ କରିଦେଲା। ଅର୍ଥାତ୍‌ ନିର୍ବାଚନ ଆରମ୍ଭ ପୂର୍ବରୁ ମଧ୍ୟ କୃଷକ, ସୈନିକ ଓ କୁସ୍ତିଯୋଦ୍ଧାମାନେ ମିଳିମିଶି ବିଜେପିକୁ ପରାସ୍ତ କରିଦେଇଥିଲେ। 
ଚଳିତ ବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ରାଜ୍ୟର ପରିବର୍ତ୍ତିତ ରାଜନୈତିକ ସମୀକରଣର ଝଲକ ଦୃଶ୍ୟମାନ ହୋଇଥିଲା। ପାଞ୍ଚ ବର୍ଷ ତଳେ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସଠାରୁ ବିଜେପି ୩୦ ପ୍ରତିଶତ ଅଗ୍ରଣୀ ରହିଥିବା ବେଳେ ଗତ ନିର୍ବାଚନରେ ଉଭୟଙ୍କୁ ସମାନ ୫ଟି ଲେଖାଏ ଆସନ ମିଳିଥିଲା ଏବଂ ବିଜେପି ଠାରୁ କଂଗ୍ରେସ-ଆପ୍‌ ମେଣ୍ଟକୁ ଅଧିକ ଭୋଟ ମିଳିଥିଲା। ତେବେ ଲୋକସଭା ନିର୍ବାଚନରେ ଜାତୀୟ ଏଜେଣ୍ଡା ଓ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଯୋଗୁଁ ବିଜେପି ଶୋଚନୀୟ ପରାଜୟରୁ ରକ୍ଷା ପାଇଗଲା। କିନ୍ତୁ ବିଧାନସଭା ନିର୍ବାଚନରେ ରାଜ୍ୟ ସରକାରଙ୍କ ଖରାପ ପ୍ରଦର୍ଶନକୁ ଲୁଚାଇବା ପାଇଁ କୌଣସି ଉପାୟ ନାହିଁ। ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ବରେ ପ୍ରଥମ ପାଳି ବିଜେପି ସରକାର ଦୁର୍ନୀତି ହ୍ରାସ କରିବା ଓ ଯୋଗ୍ୟତା ଅନୁସାରେ ଚାକିରି ଦେବା କ୍ଷେତ୍ରରେ କିଛିଟା ବିଶ୍ବସନୀୟତା ହାସଲ କରିଥିଲା। କିନ୍ତୁ ଦୁଷ୍ୟନ୍ତଙ୍କ ସମର୍ଥନରେ ଗଠିତ ଦ୍ବିତୀୟ ପାଳିର ସରକାର ଦୁର୍ନୀତି, ଅହଂକାର ଓ ସମ୍ବେଦନହୀନତାର ଭାବମୂର୍ତ୍ତି ହାସଲ କଲା। ଅନ୍ତତଃ ବିଜେପିକୁ ମନୋହର ଲାଲ ଖଟ୍ଟରଙ୍କୁ ପଦରୁ ହଟାଇବାକୁ ପଡ଼ିଲା। ନୂତନ ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି ନିଶ୍ଚିତ ଭାବରେ ଚତୁରତା ଦେଖାଇ ବହୁ ଲୋକପ୍ରିୟ ଘୋଷଣାମାନ କରିଥିଲେ। ମାତ୍ର ସେତେବେଳକୁ ନେଡ଼ି ଗୁଡ଼ କହୁଣିକୁ ବହି ସାରିଥିଲା। ଜନସାଧାରଣ ସେମାନଙ୍କ ମନ ସ୍ଥିର କରି ସାରିଥିଲେ।
ଏ ପରିପ୍ରେକ୍ଷୀରେ ନିଜର ଦୁର୍ବଳତାକୁ ହୃଦୟଙ୍ଗମ କରି ବିଜେପି ନେତୃତ୍ବ ଟିକେଟ୍‌ ବଣ୍ଟନରେ କଠୋର ତଥା ରଣନୀତିଗତ କାର୍ଯ୍ୟ କରିଛନ୍ତି। କିନ୍ତୁ ଏହା ଦଳରେ ମତଭେଦକୁ ବଢ଼ାଇ ଦେଇଛି। କଂଗ୍ରେସର ଟିକେଟ୍‌ ବଣ୍ଟନରେ ମଧ୍ୟ ବହୁ ବିବାଦ ଦେଖାଦେଇଥିଲା ଏବଂ ଦଳର ଆଭ୍ୟନ୍ତରୀଣ ବିଭାଜନ ସାମନାକୁ ଆସିଥିଲା। କିନ୍ତୁ ଏଥର ସେଭଳି କିଛି ବଡ଼ ଫରକ ଦେଖାଗଲା ଭଳି ଜଣାପଡୁନି। ଉଭୟ ବଡ଼ ଦଳ ନିଜର ଇସ୍ତାହାର ପ୍ରକାଶ କରିଛନ୍ତି। ବିଜେପିକୁ ମଧ୍ୟ ବେକାରି, ଅଗ୍ନି ବୀର ଓ ଚାଷୀଙ୍କୁ ଏମ୍‌ଏସ୍‌ପି ଆଦି ପ୍ରସଙ୍ଗ ସ୍ବୀକାର କରିବାକୁ ପଡ଼ିଛି। କିନ୍ତୁ ତୃଣମୂଳ ସ୍ତରରେ କୌଣସି ଇସ୍ତାହାରର ବହୁଳ ଆଲୋଚନା ଶୁଣିବାକୁ ମିଳୁନାହିଁ। ଶେଷରେ ବିଜେପି ପାଖରେ ହିନ୍ଦୁ-ମୁସଲମାନ କିମ୍ବା ଜାଠ-ଅଣଜାଠ ଜାତୀୟ ଧ୍ରୂବୀକରଣର କୌଶଳ ବାକି ରହିଛି। କିଛି ନିର୍ଦ୍ଦିଷ୍ଟ ବଛା ବଛା ଆସନ ଉପରେ ଏହାର କିଛି ପ୍ରଭାବ ପଡ଼ିପାରେ। କିନ୍ତୁ ଏଥର ଏହି ଧ୍ରୂବୀକରଣ ସମଗ୍ର ରାଜ୍ୟ ନିଷ୍ପତ୍ତି ଉପରେ କୌଣସି ପ୍ରଭାବ ପକାଉଥିବା ପରି ମନେ ହେଉନି। 
ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ବ୍ୟକ୍ତଗତ ଲୋକପ୍ରିୟତା, ସ୍ଥାନୀୟ ଜାତି ସମୀକରଣ ଓ ନିର୍ବାଚନ ପ୍ରଚାରର ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି। ଏହା ସାମଗ୍ରିକ ଫଳାଫଳକୁ ପରିବର୍ତ୍ତନ କରିନପାରେ, କିନ୍ତୁ ଏହା ଆସନ ସଂଖ୍ୟା ଉପରେ ନିଶ୍ଚୟ ପ୍ରଭାବ ପକାଇବ। ଶେଷ ବେଳକୁ ଯୋଉ ଦଳ ଆଗକୁ ବେଶୀ ଦେଖାଦେବ, ତାହାକୁ ଭୋଟ ମୂଲଚାଲ କରିବା ଲାଗି ବେଶୀ ଫାଇଦା ମିଳିବ। ଯଦି ଜାଠ ଓ ଅଣଜାଠ ଧ୍ରୂବୀକରଣରେ ବିଜେପି ଆଂଶିକ ଭାବରେ ସଫଳ ହୁଏ, ତେବେ ଏହା କଂଗ୍ରେସକୁ ସାମାନ୍ୟ ବହୁମତ ହାସଲ କରିବାରୁ ରୋକି ପାରିବ। କିନ୍ତୁ ଯଦି ଏହି ରଣନୀତି ସଫଳ ନ ହୁଏ ଏବଂ ଅନ୍ତିମ ଦିନଗୁଡ଼ିକରେ କଂଗ୍ରେସ ଅଳସୁଆ ଭଳି ଦେଖା ନ ଯାଏ, ତେବେ ଏହା ପବନକୁ ଝଡ଼ କିମ୍ବା ସୁନାମିରେ ପରିଣତ କରି ବହୁଳ ସଂଖ୍ୟାଗରିଷ୍ଠତା ହାସଲ କରିପାରିବ। 
ରାଷ୍ଟ୍ରୀୟ ସଂଯୋଜକ, 
ଭାରତ ଯୋଡ଼ୋ ଅଭିଯାନ