ସୁସ୍ଥ ଶରୀର ଉପରେ ଅଭିନେତ୍ରୀ ନିକିତା ଦତ୍ତ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି। ଦଶ ବର୍ଷ ହେଲା ବିଭିନ୍ନ ମାରାଥନରେ ନିଜକୁ ସାମିଲ କରି ନିକିତା ପ୍ରମାଣ କରିଛନ୍ତି ଯେ ସ୍ବାସ୍ଥ୍ୟ ନେଇ ଉଚ୍ଚାରଣ ଅପେକ୍ଷା ଆଚରଣକୁ ସେ ବେଶୀ ଗୁରୁତ୍ବ ଦିଅନ୍ତି। ଫିଟ୍ନେସ୍ ପ୍ରତି ତାଙ୍କର ଆଗ୍ରହକୁ ସେ ପ୍ରାୟତଃ ସାମାଜିକ ଗଣମାଧ୍ୟମରେ ନିଜ ଅନୁଗାମୀମାନଙ୍କୁ ତାଙ୍କର ବ୍ୟାୟାମ ଓ ସୁସ୍ଥ ଅଭ୍ୟାସ ବାବଦରେ ଅବଗତ କରାଇଥା’ନ୍ତି।
ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିକିତା ସୁସ୍ଥ ଜୀବନଶୈଳୀ ପ୍ରତି ତାଙ୍କ ପ୍ରତିବଦ୍ଧତା ସମ୍ପର୍କରେ ବଖାଣିଥିଲେ। ତାଙ୍କର ନିୟମିତ ଖାଦ୍ୟ ବିଷୟରେ ପଚରାଯିବାରୁ ସେ ତତ୍କାଳ ପ୍ରସ୍ତୁତ ହେଉଥିବା ନୁଡଲ୍ସ ଓ ସଂରକ୍ଷିତ ଖାଦ୍ୟ ଆଦୌ ଗ୍ରହଣ କରନ୍ତି ନାହିଁ ବୋଲି କହିଥିଲେ। ୧୩ ବର୍ଷ ହେଲା ସେ କୌଣସି ପ୍ରକାର ନୁଡଲ୍ସ ତ ଛୁଇଁନାହାନ୍ତି, ଏଥି ସହିତ ଖଣ୍ଡେ ବିସ୍କୁଟ ମଧ୍ୟ ଖାଇନଥିବା ପ୍ରକାଶ କରିଛନ୍ତି। ସେହିପରି କୌଣସି ପ୍ରକାର ମୁଖରୋଚକ ଶୁଷ୍କ ଖାଦ୍ୟ ମଧ୍ୟ ଖାଇବାକୁ ସେ ପସନ୍ଦ କରନ୍ତିନି। ପ୍ୟାକେଟ୍ ଖାଦ୍ୟଗୁଡ଼ିକ ଯେତେ ସ୍ବାଦିଷ୍ଠ ଓ ସ୍ବାସ୍ଥ୍ୟପ୍ରଦ ବୋଲି ଦାବି କରାଯାଉଥିଲେ ବି ସେଥିରେ କିଛି ନା କିଛି ପ୍ରିଜରଭେଟିଭ୍ ମିଶିଥିବ, ଯାହା ସ୍ବାସ୍ଥ୍ୟ ପକ୍ଷେ ଅହିତକର ବୋଲି ତାଙ୍କ ଧାରଣା। ତେଣୁ ପ୍ୟାକେଟ୍ ସାମଗ୍ରୀ ତାଙ୍କ ଖାଦ୍ୟର ଅଂଶବିଶେଷ ନୁହେଁ ବୋଲି ସେ କହିଛନ୍ତି। ତାଙ୍କର ଏଭଳି ବିବୃତି କେବଳ ଫିଟ୍ନେସ୍ ପ୍ରତି ତାଙ୍କର ସମର୍ପିତ ଭାବକୁ ପ୍ରଦର୍ଶନ କରୁନାହିଁ, ବରଂ ତାହା ତାଙ୍କ ପ୍ରଶଂସକମାନଙ୍କ ପାଇଁ ପ୍ରେରଣା ଯୋଗାଉଛି। ହାତ ପାଆନ୍ତାରେ ସବୁ ପ୍ରକାର ଖାଦ୍ୟ ମିଳୁଥିବା ଯୁଗରେ ସ୍ବାସ୍ଥ୍ୟ ପ୍ରତି ତାଙ୍କର ଦୃଷ୍ଟିକୋଣ ଏକ ସତେଜ ପରିବର୍ତ୍ତନ। ଶସ୍ୟଯୁକ୍ତ ଖାଦ୍ୟ ଓ ନିୟମିତ ବ୍ୟାୟାମକୁ ପ୍ରାଥମିକତା ଦେଇ ସେ ପ୍ରମାଣ କରିଛନ୍ତି ଯେ ସଠିକ୍ ମାନସିକତା ଓ ସମର୍ପଣ ବଳରେ ସୁସ୍ଥ ଜୀବନ ଜିଇବା ସମ୍ଭବ।