ଗୌରଚନ୍ଦ୍ର ତ୍ରିପାଠୀ

Advertisment

୧୮୫୪ ମସିହା ତୃତୀୟ ପ୍ଲେଗ ମହାମାରୀକୁ ନେଇ ଏଇ କାହାଣୀ। ଜଣେ ବିଜ୍ଞ ବ୍ୟକ୍ତି ଇଂଲଣ୍ଡରୁ ଭାରତ ଆସୁଥିବା ସମୟରେ ଜାହାଜରେ ପ୍ଲେଗ ସହିତ ତାଙ୍କର ଅକସ୍ମାତ ଭେଟ ହେଲା। ଭାରତ ଗସ୍ତର କାରଣ ପଚାରିବାରୁ ପ୍ଲେଗ ଉତ୍ତର ଦେଲା, ଏକ ଲକ୍ଷ ଲୋକଙ୍କର ସେ ପ୍ରାଣନାଶ କରିବ। ଫେରନ୍ତା ରାସ୍ତାରେ ଦୁଇଜଣଙ୍କର ପୁନଃ ସାକ୍ଷାତ ହେଲା। ଭଦ୍ରବ୍ୟକ୍ତି ଉତ୍‌କ୍ଷିପ୍ତ ହୋଇ ପ୍ଳେଗକୁ ସ୍ପଷ୍ଟୀକରଣ ମାଗିଲେ, ଲକ୍ଷେ ଲୋକଙ୍କ ପ୍ରତିଶ୍ରୁତି ଦେଇ ତୁମେ କୋଟିଏ ଲୋକଙ୍କ ପ୍ରାଣ ନେଲ କେମିତି? ପ୍ଲେଗ ଉତ୍ତର ରଖିଲା, ମୁଁ ତ କେବଳ ଲକ୍ଷେ ଲୋକଙ୍କୁ ମାରିଛି, ଅନ୍ୟ ସମସ୍ତେ ଭୟରେ ମରିଛନ୍ତି। ନିକଟ ଅତୀତରେ ଛବିଶ ଜଣ ପର୍ଯ୍ୟଟକଙ୍କ ଜୀବନନାଶ ଘଟାଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣର ମୂଳ ଲକ୍ଷ୍ୟ ଥିଲା ଜନମାନସରେ ଭୟର ସୃଷ୍ଟି। ଭୟ ଏତେ ଭୟଙ୍କର ଥିଲା ଯେ ଦୁଇଦିନ ମଧ୍ୟରେ କାଶ୍ମୀର ଉପତ୍ୟକା ପର୍ଯ୍ୟଟକ ଶୂନ୍ୟ ହୋଇଯାଇଥିଲା। 
ମନସ୍ତତ୍ତ୍ୱବିତ୍‌ଙ୍କ ମତରେ ଭୟ ଏକ ପ୍ରାଥମିକ ସୁରକ୍ଷାତ୍ମକ ଭାବନା ଯାହା ମନରେ ଭାବପ୍ରବଣ ପ୍ରତିକ୍ରିୟା ସୃଷ୍ଟି କରାଏ। ‘ଦି ଡିଭାଇନ୍ ମ୍ୟାଟ୍ରିକ୍ସ’ ପୁସ୍ତକର ଲେଖକ ଗ୍ରେଗ୍ ବ୍ରାଡେନ୍ ତିନିଟି ସାର୍ବଜନୀନ ଭୟ ସମ୍ପର୍କରେ କୁହନ୍ତି: ପରିତ୍ୟାଗ, ଆତ୍ମ-ମୂଲ୍ୟବୋଧ ଓ ବିଶ୍ୱାସର ଅଭାବବୋଧ। ଭୟର ସୃଷ୍ଟି ହୁଏ ଆଶଙ୍କାରୁ, ଯେମିତିକି କିଛି ଗୋଟେ ଭୟଙ୍କର ଘଟିବାକୁ ଯାଉଛି। ସମାଜରେ ବର୍ଦ୍ଧିତ ଆତ୍ମହତ୍ୟାର ଏହା ହିଁ ମୁଖ୍ୟ କାରଣ। ଆମେ ସେହି ଘଟଣାକୁ ନେଇ ଚିନ୍ତିତ ରହୁ ଯାହା ଏ ପର୍ଯ୍ୟନ୍ତ ଘଟିନାହିଁ। 
“ସର୍ବ ବସ୍ତୁ ଭୟାନ୍ୱିତଂ ଭୁବି।’’ ଭର୍ତ୍ତୃହରିଙ୍କ ବୈରାଗାଷ୍ଟକମ ପୁସ୍ତକରେ ଉଲ୍ଲେଖ ଅଛି, ବିଶ୍ବ ଭୟମୟ। ଗ୍ରୀକ୍‌ କିଂବଦନ୍ତିରେ ‘ଭୟର ସ୍ୱର୍ଗୀୟ ଆବେଗ’ର ବର୍ଣ୍ଣନା ରହିଛି, ଯାହା କାର୍ଥାଜ ସହରର ଧ୍ୱଂସର କାରଣ ସାଜିଥିଲା। ଆତଙ୍କଗ୍ରସ୍ତ ସହରବାସୀ ପରସ୍ପରକୁ ଆକ୍ରମଣ, ଆହତ ଓ ହତ୍ୟା କରିଥିଲେ। କପୋଳକଳ୍ପିତ କୋକୁଆ ଭୟର ସୃଷ୍ଟିପୂର୍ବକ ପ୍ରଭୁ ଶ୍ରୀକୃଷ୍ଣ ଗର୍ବ, ଔଦ୍ଧତ୍ୟ ଓ ଅହଂକାର ପ୍ରମତ୍ତ ଯଦୁବଂଶକୁ ବିନାଶ କରିଥିଲେ। ରାଜନୈତିକ ଭାବେ ଭୟର ସାମୂହିକ ଉନ୍ମାଦ ସୃଷ୍ଟିର ଅନେକ ଉଦାହରଣ ଇତିହାସ ପୃଷ୍ଠାରେ ଦେଖିବାକୁ ମିଳେ। ବହୁଳ ବ୍ୟବହୃତ ‘ଆତଙ୍କବାଦ’ ଶବ୍ଦର ବ୍ୟବହାର ସର୍ବପ୍ରଥମେ ଫରାସୀ ବିପ୍ଳବୀ ରୋବେସପିୟରଙ୍କ ଆତଙ୍କର ରାଜତ୍ୱକୁ ସୂଚିତ କରିଥିଲା। ନାଜି ଜର୍ମାନୀରେ ଯୁଦ୍ଧ ହିଁ ଦେଶକୁ ସୁରକ୍ଷିତ ରଖିପାରିବାର ଭୟ ସୃଷ୍ଟି କରାଇ ଗଣ ନରସଂହାର କରାଯାଇଥିଲା। ଷ୍ଟାଲିନ ଓ ମାଓଙ୍କ ପରି କମୁନିଷ୍ଟ ଏକଛତ୍ରବାଦୀ ଭୟ ମାଧ୍ୟମରେ ହିଁ ଦେଶବାସୀଙ୍କୁ ନିୟନ୍ତ୍ରଣ କରୁଥିଲେ। ହିଟଲରଙ୍କ ‘ହୋଲୋକଷ୍ଟ’, ଷ୍ଟାଲିନଙ୍କ ‘ଗୁଲାଗ୍’ ଓ ‘ଦା ଗ୍ରେଟ ପର୍ଜ’, ମଧ୍ୟପ୍ରାଚ୍ୟରେ ମୁସଲିମ ଦେଶ ବିରୋଧରେ ଇସ୍ରାଏଲର ଧ୍ବଂସଲୀଳା, ପାକିସ୍ତାନ ଓ ବାଂଲାଦେଶ ଭଳି ଦେଶମାନଙ୍କ ଦ୍ୱାରା ନିଜନିଜ ଦେଶରେ ଚାଲିଥିବା ଦମନଲୀଳା ଏବଂ ପଡ଼ୋଶୀ ଦେଶରେ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ଭୟ ସଂସ୍କୃତିର ଜ୍ବଳନ୍ତ ଉଦାହରଣ। କ୍ଷମତା ପାଇଁ ଭୟର ସଂସ୍କୃତିର ବ୍ୟବହାର ବିଶ୍ବରେ ଏବେ ଏକ ସାଧାରଣ ଘଟଣା। ‘ଭୟର ଆତଙ୍କ’ ଗ୍ରାମରୁ ସହର ଚତୁର୍ଦିଗ ପରିବ୍ୟାପ୍ତ। ମିଥ୍ୟା ଖବରର ପ୍ରସ୍ତୁତି ଚାଲିଛି। ଏକ ଭୟଙ୍କର ବିଶ୍ୱର ପ୍ରୟୋଜିତ ଧାରଣାକୁ ପ୍ରଚାର ଓ ପ୍ରସାରରେ କିଛି ଗଣମାଧ୍ୟମ ଆହୋରାତ୍ର ନିମଜ୍ଜିତ। ଜାତି, ଧର୍ମ, ବର୍ଣ୍ଣ ଓ ଭାଷାଗତ ବିବିଧତାର ସୁଯୋଗ ନେଇ ଭୟ ଭାବନାକୁ ଅସ୍ଥିମଜ୍ଜାଗତ କରିବା ପାଇଁ ସାମାଜିକ ଗଣମାଧ୍ୟମ ଅଙ୍ଗୀକାରବଦ୍ଧ। ଫଳସ୍ବରୂପ ସାଧାରଣ ଜନତା ଏବେ ସୁଖୀ ବିଶ୍ୱରେ ଦୁଃଖୀ ଲୋକ ପାଲଟିଛନ୍ତି। 
ଚଳଚ୍ଚିତ୍ର ନିର୍ମାତା ଆଲଫ୍ରେଡ ହିଚକକ୍ ବିଶ୍ୱାସ କରୁଥିଲେ, ଅପ୍ରିୟ ହୋଇଥିଲେ ମଧ୍ୟ ଭୟକୁ ଯଦି କଳାତ୍ମକ ଦୃଷ୍ଟିଭଙ୍ଗୀରେ ଗ୍ରହଣ କରାଯାଏ, ତାହା ଆନନ୍ଦ ପ୍ରଦାନ କରିଥାଏ। ଭୟ ହେଉଛି ସବୁଠାରୁ ବଡ଼ ପ୍ରେରଣାଦାୟକ ଆବେଗ। ‘ଦି ଗିଫ୍‌ଟ ଅଫ୍ ଫିୟର’ ପୁସ୍ତକର ଲେଖକ ଗାଭିନ୍ ଡି ବେକରଙ୍କ ମତରେ, ‘ଭୟ ଶକ୍ତି ପ୍ରଦାନ କରେ ଓ ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିବାରେ ସକ୍ଷମ କରାଏ।’ କଠୋପନିଷଦରେ କୁହାଯାଇଛି, ଭୟ ହିଁ ସୃଷ୍ଟିର ସକଳ ଶକ୍ତିର ପରିଚାଳକ। ଭୟ ଯୋଗୁଁ ହିଁ ଆମର ବିକାଶ ସମ୍ଭବ ହୁଏ। ବୁର୍କ ଭୟକୁ ଉତ୍କୃଷ୍ଟତାର ଭାବନା ସହିତ ସମ୍ପୃକ୍ତ କରନ୍ତି ଏବଂ ସାର୍ତ୍ର ଏହାକୁ ସ୍ୱାଧୀନ ଚିନ୍ତାଧାରାର ପରିପ୍ରକାଶ ଭାବେ ଗ୍ରହଣ କରନ୍ତି। ପ୍ରଶାସନର ଭୟ ସମାଜକୁ ଶୃଙ୍ଖଳିତ କରାଏ; ପିତାମାତାଙ୍କ ପ୍ରତି ଭୟ ସନ୍ତାନସନ୍ତତିଙ୍କୁ ଦାୟିତ୍ୱବାନ କରାଏ। ସ୍ଥଳ ବିଶେଷରେ ଭୟ ରୋମାଞ୍ଚକର ଅନୁଭୂତି ଦେଇଥାଏ, ଯେମିତିକି ରୋଲର-କୋଷ୍ଟର ଯାତ୍ରା। ଦାର୍ଶନିକ ସ୍ପିନୋଜାଙ୍କ ମତରେ, ‘ଭୟ ବିନା କୌଣସି ଆଶା ନାହିଁ ଏବଂ ଆଶା ବିନା କୌଣସି ଭୟ ନାହିଁ।’ ଯେହେତୁ ଭୟ ଆମ ଆତ୍ମ-ସୁରକ୍ଷା ସହିତ ଜଡ଼ିତ, ତେଣୁ ଏହାର ମୁକାବିଲା ପାଇଁ ଆମେ ପୂର୍ବରୁ ପ୍ରସ୍ତୁତ ହେଇଥାଉ ଏବଂ ଆମେ ଭୟର ଆଖିରେ ଆଖି ମିଶାଇ ଦୃଢ଼ତାର ସହ ମୁକାବିଲା କରୁ। ସେନେକା ସେହି କଥା କୁହନ୍ତି, ‘ବିପଦର ଆଗମନକୁ ପୂର୍ବରୁ ଅପେକ୍ଷା କରିଥିବା ବ୍ୟକ୍ତି, ବିପଦ ପଡ଼ିଲେ ତା’ର ଶକ୍ତ ମୁକାବିଲା କରିପାରନ୍ତି।’ 
ମନରେ ଭୟ ରହିବା ଉଚିତ, କିନ୍ତୁ ସକାରାତ୍ମକ ଭାବେ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୁଜଭେଲ୍‌ଟଙ୍କ ମତରେ, ଭୟ ହିଁ ଆମକୁ ଭୟଭୀତ କରାଏ। ବାରମ୍ବାର ପରମାଣୁ ଅସ୍ତ୍ରପ୍ରୟୋଗର ଚେତାବନୀକୁ ଭ୍ରୂକ୍ଷେପ ନକରି ଆମ ଦେଶ ପଡ଼ୋଶୀ ଶତ୍ରୁ ରାଷ୍ଟ୍ରକୁ ସମୟୋଚିତ ଉଚିତ ଶିକ୍ଷା ଦେଲା ପରି, ଆମେରିକାବାସୀଙ୍କୁ ଭରସା ଦେବା ସହ ସବୁ ପ୍ରତିକୂଳ ପରିସ୍ଥିତି ସହ ମୁକାବିଲା କରିବାର ପ୍ରତିଶ୍ରୁତି ଦେବାକୁ ଯାଇ ରୁଜଭେଲ୍‌ଟ ଏହି ବକ୍ତବ୍ୟ ଦେଇଥିଲେ। କହିବା ବାହୁଲ୍ୟ, ଖ୍ରୀଷ୍ଟଧର୍ମ ଗ୍ରନ୍ଥର ପ୍ରଥମ ପୁସ୍ତକ ଜେନେସିସରୁ ଶେଷ ପୁସ୍ତକ ରିଭିଲେସନ ଯାଏ ‘ଭୟ ନ କରିବାର’ ବାର୍ତ୍ତା ବାରମ୍ବାର ଦିଆଯାଇଛି। ବିଷ୍ଣୁ ସହସ୍ରନାମରେ ଉଲ୍ଲେଖ ଅଛି, ‘ୟେ ନମସ୍ୟନ୍ତି ଗୋବିନ୍ଦଂ, ନ ତେଷାମବିଧତେ ଭୟମ।’ ଈଶ୍ବର ଓ ସ୍ବକର୍ମ ବ୍ୟତୀତ ଆଉ କାହାକୁ ଭୟ, ସର୍ବଦା ବର୍ଜନୀୟ। ଭୟରେ ଭୟାତୁର ନ ହେବା ହିଁ ଭୟ ଉପରେ ବିଜୟ ପ୍ରାପ୍ତିର ଏକମାତ୍ର ଉପଚାର। ‘ଅପରେସନ ସିନ୍ଦୂର’ ଏହାର ଜ୍ବଳନ୍ତ ଉଦାହରଣ। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭