ସୁଠାମ ଶରୀର ବନାମ ସୁନ୍ଦର ସ୍ବାସ୍ଥ୍ୟ

ମିହିର ପ୍ରତାପ ଦାସ

ସନ୍‌ ରୋଡନ୍‌, ଡାଲାସ ମାକାଭର, ଜର୍ଜ ପିଟରସନ, ମାଇକ୍‌ ହର୍ନ, ଆସ୍‌ଲି ଗିଅରହାର୍ଟ, ସେନ୍‌ଥିଲ କୁମାରନ, ରିଚ୍‌ ପିଆନା: ଏମାନଙ୍କ ମଧ୍ୟରେ ସାଦୃଶ୍ୟ କ’ଣ?

ଏମାନେ ସମସ୍ତେ ପ୍ରସିଦ୍ଧ ପେସାଦାର ‘ବଡି ବିଲ୍‌ଡର୍‌’, ଯେଉଁମାନେ ନିଜ ଦେଶ ଏବଂ ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କ ସୁଠାମ ଶରୀର ଲାଗି ଅନେକ ପ୍ରଶଂସା ଓ ସମ୍ମାନ ଜିଣିବାରେ ସଫଳ ହୋଇଥିଲେ, କିନ୍ତୁ ଏକ ଦୁର୍ଭାଗ୍ୟଜନକ ବିଡ଼ମ୍ବନା ହେଲା ଏମାନେ ସମସ୍ତେ ତାରୁଣ୍ୟରେ (ଅର୍ଥାତ୍‌ ଚାଳିଶ ବର୍ଷ ବା ତା ଆଖପାଖ ବୟସରେ) ହୃଦ୍‌ଘାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ଏହି ତାଲିକା ଅନେକ ଦୀର୍ଘ ଏବଂ ସଂପ୍ରତି ସୁଠାମ ଓ ପେଶୀବହୁଳ ଶରୀର ଲାଭ କରିବାର ନିଶାରେ ସାରା ପୃଥିବୀରେ ଯୁବ ସମାଜ ବିଭୋର ହୋଇ ଉଠୁଥିବା ବେଳେ ଏଭଳି ଘଟଣାର ସଂଖ୍ୟାରେ ଆହୁରି ବୃଦ୍ଧି ଘଟିବାରେ ଲାଗିଛି।

ଏହାର କାରଣ ‘ଅାନାବୋଲିକ୍‌ ଷ୍ଟେରଏଡ୍‌’ର ମାତ୍ରାଧିକ ବ୍ୟବହାର ବୋଲି ଚିକିତ୍ସା ବିଜ୍ଞାନୀମାନେ କହିଥାଆନ୍ତି। କିନ୍ତୁ ଏହି ପରିପ୍ରେକ୍ଷୀରେ ଚିନ୍ତାଜନକ କଥାଟି ହେଲା, ମାଂସପେଶୀରେ ଦ୍ରୁତ ଏବଂ ଘଞ୍ଚ ଅଭିବୃଦ୍ଧି ସମ୍ଭବ କରୁଥିବା ଏହି ଦ୍ରବ୍ୟ ଏବେ ବିଭିନ୍ନ ଜିମ୍‌ ବା ବ୍ୟାୟାମଶାଳାରେ ଏକ ବିଷମୟ ପରିବେଶ ସୃଷ୍ଟି କଲାଣି, ଯାହାର ଠିକଣା ପ୍ରୟୋଗ ବିଧି ସଂପର୍କରେ ଜାଣି ନ ଥିବା ପ୍ରଶିକ୍ଷକମାନେ ଅନେକ ତରୁଣଙ୍କ ଶରୀରକୁ ଗଢ଼ିବା ବଦଳରେ ଭାଙ୍ଗିବାରେ ଲାଗିଛନ୍ତି।

ଏହା ସମସ୍ତେ ଜାଣନ୍ତି ଯେ ‘ଆନାବଲିକ୍‌ ଷ୍ଟେରଏଡ୍‌’ ମାଂସପେଶୀରେ ଦ୍ରୁତ ବୃଦ୍ଧି ଘଟାଇଥାଏ; ତେଣୁ ଯେହେତୁ ହୃତ୍‌ପିଣ୍ଡଟି ମଧ୍ୟ ମାଂସପେଶୀରେ ଗଢ଼ା, ଏହାର ବ୍ୟବହାର ହୃତ୍‌ପିଣ୍ଡର ଆକାର ବୃଦ୍ଧି କରିବାର ଯଥେଷ୍ଟ ସମ୍ଭାବନା ଥାଏ। ଅକାଳରେ ମୃତ୍ୟୁବରଣ କରୁଥିବା ‘ବଡି ବିଲ୍‌ଡର’ମାନଙ୍କ ହୃଦ୍‌ଘାତର କାରଣ ପ୍ରାୟତଃ ଏହା ହିଁ ହୋଇଥିବା ଦେଖିବାକୁ ମିଳୁଛି। ରିଚ୍ ପିଆନାଙ୍କ ହୃତ୍‌ପିଣ୍ଡର ଆକାର ସାଧାରଣ ତୁଳନାରେ ତିନି ଗୁଣ ବଡ଼ ହୋଇ ଯାଇଥିଲା ଏବଂ ଯକୃତ୍‌ର ଆକାରରେ ମଧ୍ୟ ବୃଦ୍ଧି ଘଟିଥିଲା।‌ କହିବା ବାହୁଲ୍ୟ ଯେ ସୁଠାମ ଶରୀର ଲାଗି ହେଉଥିବା ପ୍ରତିଦ୍ବନ୍ଦ୍ବିତାରେ ଭାଗ ନେଉଥିବା ଖେଳାଳିମାନେ ପ୍ରାୟତଃ ‘ଆନାବୋଲିକ୍‌ ଷ୍ଟେରଏଡ୍‌’ ନିଅନ୍ତି ଏବଂ ତାହା ସ୍ବୀକାର ମଧ୍ୟ କରନ୍ତି।

ଅନ୍ୟାନ୍ୟ କ୍ରୀଡ଼ା ସ୍ପର୍ଦ୍ଧା ଭଳି ସୁଠାମ ଶରୀର ପ୍ରତିଦ୍ବନ୍ଦ୍ବିତାରେ ଷ୍ଟେରଏଡ୍‌ ବ୍ୟବହାରକୁ ନିଷେଧ କରାଯାଇ ନ ଥାଏ। ତେବେ, ବିଚକ୍ଷଣ ପ୍ରଶିକ୍ଷକମାନେ ଏହାର ବ୍ୟବହାରର ନିର୍ଦ୍ଦିଷ୍ଟ ‘ସାଇକଲ୍‌’ ବା ଧାରା ବାବଦରେ ସଂପୂର୍ଣ୍ଣ ଅବଗତ ରହି ସେମାନଙ୍କ ପାଖରେ ତାଲିମ ନେଉଥିବା ଖେଲାଳିମାନଙ୍କ ଠାରେ ସତର୍କତାର ସହିତ ଏହାକୁ ପ୍ରୟୋଗ କରନ୍ତି। କିନ୍ତୁ ଅଧିକ ମାଂସପେଶୀ ଠୁଳ କରିବାର ଅଦମ୍ୟ ନିଶା ଅନେକଙ୍କୁ ଉଚିତ ଠାରୁ ଅଧିକ ପରିମାଣର ଷ୍ଟେରଏଡ୍‌ ସେବନ କରିବାକୁ ପ୍ରରୋଚିତ କରୁଥିବାରୁ ତାହା ବିପଦର କାରଣ ହୋଇଥାଏ।

ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସୁଠାମ ଶରୀର ପ୍ରତିଦ୍ବନ୍ଦ୍ବିତାରେ ଅଂଶଗ୍ରହଣ କରୁଥିବା ଖେଳାଳିମାନେ ଦୈନିକ ହାରାହାରି ୪୦୦୦ ବା ତହିଁରୁ ଅଧିକ କାଲୋରିର ଖାଦ୍ୟ ଖାଆନ୍ତି, ଯାହା ସେମାନଙ୍କର ଦୀର୍ଘ ସମୟର ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାୟାମ ଲାଗି ଆବଶ୍ୟକ। କିନ୍ତୁ ଏହା ଦ୍ବାରା ଯେଉଁ ମାଂସପେଶୀ ଗଠିତ ହୁଏ, ତାହା ପ୍ରତିଦ୍ବନ୍ଦ୍ବିତା ସ୍ତରୀୟ ହୋଇପାରୁ ନ ଥିବାରୁ ସେମାନେ ଅନେକ ପ୍ରକାର ‘ପ୍ରୋଟିନ୍‌ ସପ୍ଲିମେଣ୍ଟ’, ‘ବିସିଏଏ’, ମଲ୍‌ଟି ଭିଟାମିନ୍‌ ଓ ‌େ‌ଷ୍ଟରଏଡ୍‌ ଗ୍ରହଣ କରନ୍ତି। କେବଳ ସେତିକି ନୁହେଁ, ପ୍ରତିଦ୍ବନ୍ଦ୍ବିତା ଦିନ ମାଂସପେଶୀକୁ ନିଖୁଣତାର ସହିତ ପ୍ରଦର୍ଶନ କରିବା ଲାଗି ସେମାନେ ଔଷଧ ଖାଇ କୃତ୍ରିମ ଉପାୟରେ ଶରୀରରୁ ଜଳ ନିଷ୍କାସନ ମଧ୍ୟ କରନ୍ତି। ସୁତରାଂ, ଏଭଳି ପ୍ରକରଣରେ ଶରୀର ଚାପଗ୍ରସ୍ତ ଓ ଅତ୍ୟାଚାରିତ ହୋଇଥାଏ। ତେଣୁ ବିଚକ୍ଷଣ ଓ ସୁଶିକ୍ଷିତ ପ୍ରଶିକ୍ଷକ ଏବଂ ଉପଯୁକ୍ତ ଡାକ୍ତରୀ ତତ୍ତ୍ବାବଧାନ ଅଧୀନରେ ଏହାକୁ କରା ନ ଗଲେ ଅସ୍ବାଭାବିକ ଘଟଣାମାନ ଘଟିବାର ଆଶଙ୍କା ରହିଛି।

ଏବେ ଲିଙ୍ଗ ନିର୍ବିଶେଷରେ ଯୁବ ବର୍ଗ ସୁଠାମ ଶରୀର ଲାଭ କରିବାର ଅଭିଳାଷ ଦ୍ବାରା ମୋହଗ୍ରସ୍ତ। ସେହି କାରଣରୁ ଆମ ଦେଶ ଏବଂ ବିଦେଶରେ ମଧ୍ୟ ‘ଜିମ୍‌’ଗୁଡ଼ିକରେ ଅଳ୍ପ ଶିକ୍ଷିତ ପ୍ରଶିକ୍ଷକମାନେ ତୁରନ୍ତ ଫଳ ପ୍ରଦର୍ଶନ କରାଇବା ସକାଶେ ନିର୍ବିଚାରରେ ଅନେକ ବିପଜ୍ଜନକ ଷ୍ଟେରଏଡ୍‌ର ପ୍ରୟୋଗ କରନ୍ତି। ଉଦାହରଣ ସ୍ବରୂପ ‘ଟ୍ରେବୋଲୋନ’ ନାମକ ଷ୍ଟେରଏଡ୍‌, ଯାହା ପଶୁମାନଙ୍କୁ ତାଗଡ଼ା କରିବା ଲାଗି ବ୍ୟବହୃତ ହୋଇଥାଏ, ଏବେ ଅନେକ ‘ଜିମ୍‌’ରେ ସନ୍ତର୍ପଣରେ ପ୍ରବେଶ କଲାଣି। ପ୍ରକାଶ ଥାଉ କି ୧୮୯୬ ମସିହାରେ ଅଷ୍ଟ୍ରେଲିଆର ଶରୀର-ବିଜ୍ଞାନୀମାନେ ପ୍ରଥମେ ପ୍ରାଣୀଜ ହରମୋନକୁ ଇଞ୍ଜେକସନ ଜରିଆରେ ବ୍ୟବହାରର ଧାରା ଆରମ୍ଭ କରିଥିଲେ। ୧୯୪୦ରୁ ୧୯୫୦ ମସିହା ମଧ୍ୟରେ ମାଂସପେଶୀର ବୃଦ୍ଧି ପାଇଁ ଟେଷ୍ଟଷ୍ଟୋରନ ହରମୋନର ବ୍ୟବହାର ଆରମ୍ଭ ହେଲା। ଉଲ୍ଲେଖଯୋଗ୍ୟ ଯେ ଟେଷ୍ଟଷ୍ଟୋରନ ପୁରୁଷମାନଙ୍କ ଶରୀରରେ ପ୍ରା‌କୃତିକ ଭାବେ ଉପଲବ୍‌ଧ ହରମୋନ, ଯାହା ପୁରୁଷଙ୍କ ପୌରୁଷ ତଥା ଶରୀର ଅଭିବୃଦ୍ଧିରେ ସହାୟକ ହୋଇଥାଏ। କିନ୍ତୁ ସୁଠାମ ଶରୀର ଲାଗି ଅଧିକ ଟେଷ୍ଟଷ୍ଟୋରନର ଆବଶ୍ୟକତା ପଡ଼ିଲା। ଏବେ ଟେଷ୍ଟଷ୍ଟୋରନର ଇଂଜେକ୍‌ସନ ନେବା ଏକ ସାଧାରଣ ବ୍ୟାପାର ହେଲାଣି ଏବଂ ବିପଜ୍ଜନକ ‌ରାସାୟନିକ ଦ୍ରବ୍ୟର ବ୍ୟବହାର ବଢ଼ିବାରେ ଲାଗିଛି।

ସୁଠାମ ଶରୀର ଲାଗି ପର୍ଯ୍ୟାପ୍ତ ଉତ୍ତମ ଓ ସନ୍ତୁଳିତ ଆହାର ଏବଂ ବ୍ୟା‌ୟାମ ଲୋଡ଼ା। କିନ୍ତୁ ଏବେ ତାହା ସହିତ ଅନେକ ରାସାୟନିକ ଦ୍ରବ୍ୟ ଓ ସପ୍ଲିମେ‌ଣ୍ଟ ମିଶିଲାଣି। ତେଣୁ ଅନେକ ସୁଠାମ ଶରୀରଧାରୀ ବିଭିନ୍ନ ପ୍ରକାର ଘାତକ ରୋଗର ଶିକାର ହେଉଛନ୍ତି। ଏକ ବିଡ଼ମ୍ବନା ହେଲା ଅଧିକାଂଶ ଯୁବକଯୁବତୀ ସୁଠାମ ଶରୀରଧାରୀଙ୍କୁ ‘ଫିଟ୍‌ନେସ୍‌’ର ଉଦାହରଣ ଭାବେ ଦେଖନ୍ତି। କିନ୍ତୁ ପ୍ରକୃତରେ ଏମାନେ ସୁଠାମ ଶରୀରର ଅଧିକାରୀ ହୋଇଥାଆନ୍ତି ସିନା, ସର୍ବଦା ଭଲ ବା ସୁନ୍ଦର ସ୍ବାସ୍ଥ୍ୟର ଅଧିକାରୀ ହୋଇ ନ ଥାଆନ୍ତି। ତେଣୁ ଯୁବକଯୁବତୀମାନେ ଏହି ଦିଗ ପ୍ରତି ଧ୍ୟାନ ଦେଇ ସୁଠାମ ଶରୀର ଲାଭ କରିବା ସହିତ ନିରୋଗ ରହିବା ଉପରେ ଗୁରୁତ୍ବ ଦେବା ଆବଶ୍ୟକ।
ମୋ: ୯୯୩୭୮୬୩୫୨୮

ସମ୍ବନ୍ଧିତ ଖବର