ଚଳିତ ବର୍ଷ ଜୁନ୍ ଦୁଇ ତାରିଖରେ ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସମଗ୍ର ଭାରତବାସୀଙ୍କୁ ସ୍ତବ୍‌ଧ କରିଦେଇଥିଲା। ଏହି ଦୁର୍ଘଟଣାରେ ତିନି ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲା। ବାର ଶହ ଲୋକ ଅାହତ ହେଲେ। ଏହି ଦୁର୍ଘଟଣାରେ ଅାତ୍ମୀୟସ୍ବଜନଙ୍କୁ ହରାଇଥିବା ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ଭିତରୁ ଏକ-ତୃତୀୟାଂଶ ‘ପୋଷ୍ଟ୍ ଟ୍ରମାଟିକ୍ ଷ୍ଟ୍ରେସ୍ ଡିସ୍ଅର୍ଡର’ (‘ପି.ଟି.ଏସ୍‌.ଡି.’)ରେ ପୀଡ଼ିତ ହୋଇଥିଲେ; ‘ପି.ଟି.ଏସ୍‌.ଡି.’ର ଅର୍ଥ ହେଲା ଅତର୍କିତ ଆଘାତ ପାଇବା ପରେ ଜଣେ ବ୍ୟକ୍ତି ଠାରେ ସୃଷ୍ଟି ହେଉଥିବା ବିକାର। ମୃତ୍ୟୁକୁ ଅତ୍ୟନ୍ତ ପାଖରେ ଦେଖିଥିବା ଏହି ଯାତ୍ରୀମାନେ ଅାଦୌ ଶୋଇ ପାରୁ ନଥିଲେ, ଅାଖି ବନ୍ଦ କଲେ ଦୁର୍ଘଟଣାର ଦୃଶ୍ୟମାନ ଅାଖି ଅାଗରେ ବାରମ୍ବାର ନାଚି ଉଠୁଥିଲା, ଶୋଇ ପଡ଼ିଲେ ସ୍ବପ୍ନ ଦେଖି ସେମାନେ ଚିତ୍କାର କରୁଥିଲେ। ବନ୍ଧୁଙ୍କୁ ହରାଇଥିବା ଜଣେ ଯୁବକ ତାଙ୍କ ନାମ ଧରି ଡାକି ଚାଲିଥିଲେ। କେତେକ ବ୍ୟକ୍ତି ଭୀତତ୍ରସ୍ତ ହୋଇ ସଂପୂର୍ଣ୍ଣ ନିରବତାର ସହିତ କେବଳ ଶୂନ୍ୟ ଦୃଷ୍ଟିରେ ଉପରକୁ ଚାହିଁ ରହିଥିଲେ। କେବଳ ଯାତ୍ରୀମାନେ ନୁହନ୍ତି, ଉଦ୍ଧାର କାର୍ଯ୍ୟରେ ଲାଗିଥିବା ‘ନେସନାଲ ଡିଜାଷ୍ଟର୍ ରେସ୍‌ପନ୍‌ସ ଫୋର୍ସ’ର ଅନେକ କର୍ମଚାରୀ ଏଭଳି ଭୟାବହ ଦୃଶ୍ୟ ଦେଖି ‘ପିଟିଏସ୍‌ଡି’ର ଶିକାର ହୋଇ ମନୋଚିକିତ୍ସକଙ୍କ ନିକଟକୁ ଯାଇଥିଲେ। ବହୁତ ଦିନ ପର୍ଯ୍ୟନ୍ତ ସେମାନେ ରକ୍ତର ଗନ୍ଧ ଅନୁଭବ କରିଥିଲେ ଏବଂ ଆହତ ଯାତ୍ରୀମାନଙ୍କର ବିକଳ ଚିତ୍କାର ସେମାନଙ୍କୁ ଅହରହ ଶୁଭୁଥିଲା।
ଜଣେ ବ୍ୟକ୍ତି କୌଣସି ଭୟଙ୍କର ଦୁର୍ଘଟଣା ବା ଦୁଃଖଦ ଘଟଣା ଆଦିର ସମ୍ମୁଖୀନ ହେଲେ ବା ଅନ୍ୟ କୌଣସି ବ୍ୟକ୍ତିର ଯନ୍ତ୍ରଣା ସହିତ ପ୍ରତ୍ୟକ୍ଷ ଭାବରେ ସାମନାସାମନି ହେଲେ ତା’ର ମାନସିକ ସ୍ବାସ୍ଥ୍ୟ ଏ ସବୁର ନକାରାତ୍ମକ ପ୍ରଭାବ ଦ୍ବାରା ଆକ୍ରାନ୍ତ ହୁଏ, ଯାହା ହେଉଛି ‘ପି.ଟି.ଏସ୍‌.ଡି.’। ବନ୍ୟା, ବାତ୍ୟା, ଭୂମିକମ୍ପ ଅାଦି ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ବିଭୀଷିକା, ଅାତଙ୍କବାଦୀ ଅାକ୍ରମଣ ଠାରୁ ଆରମ୍ଭ କରି ଡକାୟତି, ଅପହରଣ, ପାରିବାରିକ ହିଂସା, ଧର୍ଷଣ ଇତ୍ୟାଦି ମଧ୍ୟ ‘ପି.ଟି.ଏସ୍‌.ଡି.’ ସୃଷ୍ଟି କରିଥାଏ ଯଦ୍ଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ଏହା ଏକ ଜଟିଳ ବିକାର। ଊନବିଂଶ ଶତାବ୍ଦୀରେ ଯୁଦ୍ଧରେ ଭାଗ ନେଇଥିବା ସୈନିକମାନଙ୍କ ଠାରେ ଏହିପରି ବିକାର ପ୍ରଥମେ ପରିଲକ୍ଷିତ ହୋଇଥିଲା।
ଏହାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ଠାରେ ଅବାଞ୍ଛିତ ଯନ୍ତ୍ରଣାଦାୟକ ସ୍ମୃତିମାନ ବାରମ୍ବାର ପୁନରୁଜ୍ଜୀବିତ ହୋଇଥାଏ। କଷ୍ଟଦାୟକ ଭାବନାଗୁଡ଼ିକ ମନକୁ ଏତେ ବେଶୀ ଆବୋରି ରହେ ଯେ ଯେତେ ଚେଷ୍ଟା କଲେ ମଧ୍ୟ ତହିଁରୁ ମୁକ୍ତି ମିଳେନାହିଁ। ଭାବନାଗୁଡ଼ିକ ଅଥୟ କରୁଥିବାରୁ ଅନେକ ବ୍ୟକ୍ତି ସେଭଳି ଭାବନାରୁ ମୁକ୍ତ ହେବାକୁ ଚେଷ୍ଟା କରି ମଧ୍ୟ ପାରନ୍ତି ନାହିଁ। ଯେଉଁ ପରିବେଶ, ସ୍ଥାନ, ବ୍ୟକ୍ତି ବା କାର୍ଯ୍ୟକଳାପ ଦ୍ୱାରା ସେହି ଘଟଣାର ସ୍ମୃତି ପୁନରୁଜ୍ଜୀବିତ ହେବାର ସମ୍ଭାବନା ଥାଏ, ସେହି ବ୍ୟକ୍ତି ସେସବୁକୁ ଏଡ଼ାଇ ଯିବାକୁ ବା ସେ ସବୁ ଠାରୁ ସଂପୂର୍ଣ୍ଣ ଦୂରେଇ ରହିବାକୁ ଚେଷ୍ଟା କରେ। ଭୟାବହ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଦୁର୍ଘଟଣା ଘଟିଥିବା ସ୍ଥାନ ଦେଇ ଗଲେ ବା ଧର୍ଷଣର ଶିକାର ହୋଇଥିବା ଯୁବତୀ ଧର୍ଷଣକାରୀ ବ୍ୟବହାର କରିଥିବା ପରଫ୍ୟୁମ୍‌ର ବାସ୍ନା ପାଇଲେ ବିଚଳିତ ହୋଇ ‘ପି.ଟି.ଏସ୍‌.ଡି.’ର ଲକ୍ଷଣ ଦେଖାଇ ପାରନ୍ତି। କୌଣସି ଟୋପି ପିନ୍ଧା ଅାତତାୟୀର ଗୁଳିରେ ପିତାଙ୍କର ମୃତ୍ୟୁକୁ ନିଜ ଅାଖି ସାମନାରେ ଦେଖିଥିବା ଛୋଟ ପିଲା ବଡ଼ ହେଲା ପରେ ମଧ୍ୟ ସେହିପରି ଟୋପି ଦେଖି ବ୍ୟତିବ୍ୟସ୍ତ ହୋଇ ଉଠନ୍ତି।
ଅନେକ ସମୟରେ ଏଥିରେ ପୀଡ଼ିତମାନଙ୍କ ଠାରେ ଭାବାବେଗ ଓ ବିଚାରର ପରିବର୍ତ୍ତନ ଦେଖାଯାଏ ଓ ସେମାନଙ୍କ ଠାରେ ନକାରାତ୍ମକ ଦୃଷ୍ଟିଭଙ୍ଗୀ ସୃଷ୍ଟି ହୁଏ, ଅସହାୟତା ଓ ନିରାଶା, ଅାବେଗିକ ଶୂନ୍ୟତା, ଉତ୍ତମ ସାମାଜିକ ସମ୍ପର୍କ ସ୍ଥାପନ କରିବାରେ ଅସାମର୍ଥ୍ୟ, ପରିବାର, ଅାତ୍ମୀୟସ୍ବଜନ ଏବଂ ସାଙ୍ଗସାଥିଙ୍କ ପ୍ରତି ଅନାସକ୍ତି, ପୂର୍ବରୁ ଭଲ ଲାଗୁଥିବା କାର୍ଯ୍ୟକଳାପ ପ୍ରତି ବିମୁଖତା ଅାଦି ଏହି ବିକାରର ଲକ୍ଷଣ। ଏଥିରେ ସ୍ମୃତି ଶକ୍ତି କମିଯାଏ। ଏପରିକି କେତେକ ବ୍ୟକ୍ତି ସେହି ଭୟଙ୍କର ଘଟଣା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ମଧ୍ୟ ଭୁଲି ଯାଆନ୍ତି।
କେବଳ ଭାବାବେଗ ନୁହେଁ, ବ୍ୟକ୍ତିର ଶାରୀରିକ ଏବଂ ଅାବେଗିକ ପ୍ରତିକ୍ରିୟାରେ ମଧ୍ୟ ବିପୁଳ ପରିବର୍ତ୍ତନ ଘଟିଥାଏ। ବିନା କାରଣରେ ମଧ୍ୟ ସେ ଅଘଟଣ ଘଟିବ ବୋଲି ଅାଶଙ୍କା ଜର୍ଜର ହୁଅନ୍ତି, ସମ୍ଭାବ୍ୟ ବିପଦରୁ ରକ୍ଷା ପାଇବା ପାଇଁ ଅାବଶ୍ୟକତାଠୁ ଅଧିକ ସତର୍କ ହୁଅନ୍ତି, ଆଖପାଖରେ ଘଟୁଥିବା ଅଧିକାଂଶ ଘଟଣାକୁ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଦେଖନ୍ତି, ଏକାଗ୍ରତା ହରାନ୍ତି। ସେହି ଭଳି ହଠାତ୍ ରାଗିଯାଇ ଗାଳି ଦେବା, ଚିଡ୍‌ଚିଡ୍‌ ହେବା, ଅଯଥା ଲଜ୍ଜା ଓ ଅପରାଧବୋଧର ଶିକାର ହେବା ପରି ଲକ୍ଷଣମାନ ମଧ୍ୟ ସେମାନଙ୍କ ଠାରେ ପରିଲକ୍ଷିତ ହୁଏ। ଏହା ସହିତ ଅବସାଦ, ଉଦ୍‌ବିଗ୍ନତା, ଅାତ୍ମହତ୍ୟା ପ୍ରବଣତା, ଖାଦ୍ୟ ଗ୍ରହଣ ଜନିତ ସମସ୍ୟା ଏବଂ ନିଶାଦ୍ରବ୍ୟ ପ୍ରତି ଅଧିକ ଆସକ୍ତି ମଧ୍ୟ ଦେଖା ଦିଏ। କେତେକ କ୍ଷେତ୍ରରେ ଦୁର୍ଘଟଣା ସମୟରେ ସଂପୂର୍ଣ୍ଣ ସ୍ବାଭାବିକ ଜଣାପଡ଼ୁଥିବା ବ୍ୟକ୍ତିମାନଙ୍କ ଠାରେ ଏହାର ତିନି ଚାରି ମାସ ପରେ ଏହି ଲକ୍ଷଣଗୁଡ଼ିକର ଅାବିର୍ଭାବ ଘଟିପାରେ। କେତେକ ଲୋକ କିଛି ସପ୍ତାହ ବା ମାସ ଭିତରେ ଏ ପ୍ରକାର ବିକାରଗ୍ରସ୍ତ ଅବସ୍ଥାରୁ ସ୍ବାଭାବିକ ହୋଇଯାଉଥିବା ବେଳେ କେହି କେହି ବର୍ଷ ବର୍ଷ ଧରି ଏଥିରେ ପୀଡ଼ିତ ରହନ୍ତି।
ବହୁ ପ୍ରତିଷ୍ଠିତ ବ୍ୟକ୍ତି ‘ପି.ଟି.ଏସ୍‌.ଡି.’ର ଶିକାର ହୋଇଥିବା କଥା ସ୍ବୀକାର କରନ୍ତି। ହିନ୍ଦୀ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ଶାହାରୁଖ ଖାଁ ସୁଟିଂ ସମୟରେ ମାଂସପେଶୀରେ ଅାଘାତ ପାଇ ପ୍ରବଳ ଯନ୍ତ୍ରଣା ଭୋଗୁ ଥିବାରୁ ବା ଅଭିନେତ୍ରୀ ମନୀଷା କୋଇରାଲାଙ୍କର ବିବାହ ବିଚ୍ଛେଦ ଘଟିବା ପରେ ଅଥବା ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ନିଜର ଲିଙ୍ଗଗତ ପରିଚୟ ଏବଂ ଅନୁରକ୍ତିକୁ ନେଇ ଅବସାଦର ଶିକାର ହୋଇଛନ୍ତି, ଯାହାକୁ ‘ପି.ଟି.ଏସ୍‌.ଡି.’ ବୋଲି କୁହାଯାଇପାରେ।
ନାରୀ ଶିକ୍ଷାକୁ ସମର୍ଥନ କରି ପନ୍ଦର ବର୍ଷ ବୟସ୍କା ପାକିସ୍ତାନୀ ବାଳିକା ମାଲାଲା ୟୁସୁଫଜାଇଙ୍କୁ ଜଣେ ତାଲିବାନୀ ଯୁବକ ମୁଣ୍ଡରେ ଗୁଳି ମାରିଲା। ବାରମ୍ବାର ଅସ୍ତ୍ରୋପଚାର ପରେ ସେ ବଞ୍ଚିଲେ ସତ କିନ୍ତୁ ଏହା ପରେ ଅନେକ କାଳ ଧରି ସେ ଅବସାଦ ଓ ‘ପି.ଟି.ଏସ୍‌.ଡି.’ର ଶିକାର ହେଲେ। ଅବଶ୍ୟ କିଛି ଦିନ ପରେ ନାରୀ ଶିକ୍ଷା ସପକ୍ଷରେ ତାଙ୍କର ସ୍ବର ପୁଣି ଶାଣିତ ହେଲା ଏବଂ ସେ ମାତ୍ର ସତର ବର୍ଷ ବୟସରେ ଶାନ୍ତି ଲାଗି ନୋବେଲ ପୁରସ୍କାର ପାଇଲେ। ଅାମେରିକାର ଲୋକପ୍ରିୟ ଗାୟିକା ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ଲେଡି ଗାଗା ଊଣେଇଶ ବର୍ଷ ବୟସରେ ଜଣେ ଚିହ୍ନା ଲୋକଙ୍କ ଦ୍ୱାରା ବାରମ୍ବାର ଧର୍ଷଣର ଶିକାର ହୋଇ ‘ପି.ଟି.ଏସ୍‌.ଡି.’ ଦ୍ୱାରା ଅାକ୍ରାନ୍ତ ହୋଇଥିଲେ। ରାଜକୁମାରୀ ଡାଏନାଙ୍କ ଦୁର୍ଘଟଣାରେ ମୃତ୍ୟୁ ହେବା ଘଟଣାକୁ ତାଙ୍କ ସାନ ପୁଅ ମାତ୍ର ବାର ବର୍ଷ ବୟସ୍କ ହ୍ୟାରୀ ଗ୍ରହଣ କରି ନ ପାରି ‘ପି.ଟି.ଏସ୍‌.ଡି.’ ଦ୍ବାରା ଆକ୍ରାନ୍ତ ହୋଇଥିଲେ। ଏହି ଦୁଃଖ ଓ ଯନ୍ତ୍ରଣାରୁ ମୁକୁଳିବା ପାଇଁ ସେ ନିଶା ଦ୍ରବ୍ୟର ଅାଶ୍ରୟ ନେଇଥିଲେ ମଧ୍ୟ। ଅାମେରିକାର ‘ଟକ୍ ସୋ’ର ସଂଚାଳିକା ଅତ୍ୟନ୍ତ ପ୍ରଭାବଶାଳୀ ଓପରା ୱିନଫ୍ରେ ବାଲ୍ୟ ଜୀବନରେ ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲେ। ଅନାଦର, ଉପେକ୍ଷା, ଦାରିଦ୍ର୍ୟ ଓ ପାରିବାରିକ ହିଂସା ତାଙ୍କୁ ଭୀତତ୍ରସ୍ତ କରି ରଖିଥିଲା ଏବଂ ସେ ‘ପି.ଟି.ଏସ୍‌.ଡି.’ ଦ୍ବାରା ଅାକ୍ରାନ୍ତ ହୋଇଥିଲେ। ପରେ ଶିକ୍ଷକମାନଙ୍କର ପ୍ରଚୁର ସ୍ନେହ, ଶ୍ରଦ୍ଧା ଓ ସେମାନଙ୍କ ସହିତ ଗଢ଼ି ଉଠିଥିବା ସୁସମ୍ପର୍କ ତାଙ୍କୁ ଜୀବନରେ ସଫଳ ହେବା ପାଇଁ ଅନୁପ୍ରାଣିତ କରିଥିଲା। ଅାମେରିକାର ‘ଟ୍ରମା’ ବିଶେଷଜ୍ଞ ଡକ୍ଟର ବ୍ରୁସ ଡି ପେରୀଙ୍କ ସହିତ ମିଳିତ ଭାବରେ ସେ ଏକ ପୁସ୍ତକ ରଚନା କରିଛନ୍ତି, ଯାହାର ନାମ ହେଉଛି ‘ହ୍ବାଟ୍‌ ହାପେନ୍‌ଡ ଟୁ ୟୁ? କନଭର୍ସେସନ୍‌ସ ୱିଥ୍‌ ଟ୍ରମା, ରିଜିଲିଏନ୍‌ସ ଏଣ୍ଡ ହିଲିଂ’।
ବାଲ୍ୟ କାଳରେ ପାଇଥିବା ମାନସିକ ଅାଘାତ ଶିଶୁର ମସ୍ତିଷ୍କରେ କିପରି ନକାରାତ୍ମକ ପ୍ରଭାବ ପକାଏ ଏବଂ ପରବର୍ତ୍ତୀ କାଳରେ ଏହାର ପ୍ରଭାବ କେତେ ଅଧିକ କ୍ଷତିକାରକ ହୋଇଥାଏ, ତାହା ଉପରେ ତିରିଶି ବର୍ଷର ଅନୁଧ୍ୟାନ ଓ ଗବେଷଣା ପରେ ଡକ୍ଟର ପେରୀ ଏହି ପୁସ୍ତକ ରଚନା କରିଛନ୍ତି। ଅସାମାଜିକ ଓ ଅଦ୍ଭୁତ ବ୍ୟବହାର ଦେଖାଉଥିବା ପିଲାମାନଙ୍କୁ ସେମାନେ ଏଭଳି କାହିଁକି କରୁଛନ୍ତି ବୋଲି ନ ପଚାରି ସେମାନଙ୍କ ବାଲ୍ୟ କାଳରେ କ’ଣ କ’ଣ ସବୁ ଘଟିଛି ବୋଲି ପ୍ରଶ୍ନ କରାଯିବା ଅଧିକ ସମୀଚୀନ ଓ ଅାବଶ୍ୟକ ବୋଲି ଡକ୍ଟର ପେରୀ କହନ୍ତି। କାରଣ ତାଙ୍କ ମତରେ ସକାରାତ୍ମକ ବ୍ୟବହାର, ସୁସମ୍ପର୍କ ସ୍ଥାପନ, ସ୍ନେହ, ସମ୍ମାନ ଓ ଶ୍ରଦ୍ଧା ପ୍ରଦାନ ଦ୍ବାରା ଏଭଳି ଅସାମାଜିକ ହୋଇ ପଡ଼ିଥିବା ପିଲାମାନଙ୍କ ବ୍ୟବହାରକୁ ବଦଳାଇ ଦିଆଯାଇପାରେ। ମନୋବିଜ୍ଞାନୀମାନଙ୍କ ମତରେ ଅନେକ ସମୟରେ ଭୟାନକ ଘଟଣାର ସମ୍ମୁଖୀନ ହେବା ପରେ କେତେ ଜଣ ବ୍ୟକ୍ତିଙ୍କ ଠାରେ ଜୀବନ ପ୍ରତି ସକାରାତ୍ମକ ଅାଭିମୁଖ୍ୟ ଦେଖାଯାଇଥାଏ। ନିଜର ବ୍ୟକ୍ତିଗତ ସାମର୍ଥ୍ୟ ପ୍ରତି ବିଶ୍ବାସ, ନୂତନ ସମ୍ଭାବନା ନେଇ ଆଶା, ସୁସଂପର୍କର ମୂଲ୍ୟ, ଜୀବନକୁ ଏବଂ ଜୀବନରେ ପାଇଥିବା ଜିନିଷ ପ୍ରତି ଗଭୀର କୃତଜ୍ଞତା ଭଳି ଭାବ ଏମାନଙ୍କ ଠାରେ ଦେଖାଯାଇଥାଏ।
‘ପି.ଟି.ଏସ୍‌.ଡି.’ ଏକ ଜଟିଳ ମାନସିକ ସମସ୍ୟା ହୋଇଥିବାରୁ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଔଷଧ ସହିତ ‘ସାଇକୋଥେରାପି’, ‘କାଉନସେଲିଂ’, ସିବିଟି, ଏକ୍‌ସପୋଜର ଥେରାପି, ସେଲଫ୍ ହିପ୍‌ନୋସିସ୍ ମାଧ୍ୟମରେ ଚିକିତ୍ସା କରନ୍ତି। ଏକା ପରି ଭୟାନକ ଅନୁଭବର ଶିକାର ହୋଇଥିବା ଲୋକମାନଙ୍କୁ ଏକାଠି କରି ମଧ୍ୟ ଚିକିତ୍ସା କରାଯାଏ। ଏହାକୁ ‘ଗ୍ରୁପ୍ ଥେରାପି’ ବୋଲି କୁହାଯାଏ। ଏହି ଚିକିତ୍ସା ବ୍ୟବସ୍ଥାରେ ପ୍ରତ୍ୟେକ ପୀଡ଼ିତ ବ୍ୟକ୍ତି ନିଜ ଦୁଃଖଦାୟକ କାହାଣୀକୁ ଅନ୍ୟମାନଙ୍କ ସମ୍ମୁଖରେ କହିବା ସହିତ ସେହି ଭୟାନକ ସ୍ଥିତିର ମୁକାବିଲା ସକାଶେ ଅବଲମ୍ବନ କରିଥିବା କୌଶଳ ଓ ରଣନୀତି ବିଷୟରେ ଅାଲୋଚନା କରିଥାନ୍ତି। ତେବେ, ଭଲ କଥା ହେଲା ‘ପି.ଟି.ଏସ୍‌.ଡି.’ର ଚିକିତ୍ସା ସମ୍ଭବ, ତେବେ ଚିକିତ୍ସା ସମୟରେ ପରିବାରର ସଦସ୍ୟ ଏବଂ ଅାତ୍ମୀୟମାନଙ୍କ ଶ୍ରଦ୍ଧା, ସମର୍ଥନ ଓ ସହଯୋଗ ରହିବା ନିତାନ୍ତ ଅାବଶ୍ୟକ।
ଅବସରପ୍ରାପ୍ତ ପ୍ରଫେସର
ମୋ: ୯୪୩୭୫୭୭୨୧୧