ହେମଚନ୍ଦ୍ର ଏହିକିରେ ଶେଷ ପରିଣାମ
ନିଶ୍ଚୟ ଉତ୍କଳ ମାତା ପ୍ରତି ବିଧି ବାମ –
ଛଅ ବର୍ଷ କାଳ ରହିଲୁ ବିଲାତରେ
ଚାହିଁ ବସିଥୁଲୁ ଆଶାପୂର୍ଣ୍ଣ ନୟନରେ –
ଯୋଗ୍ୟ ପୁତ୍ର ଆସି ଦେଶ କରିବୁ ଉଜ୍ଜ୍ବଳ
ହା ବିଧି ମୁହୂର୍ତ୍ତେ ହେଲା ସକଳ ବିଫଳ –
ଢାଳି ଦେଇଥିଲେ ଭ୍ରାତା ସର୍ବ ଉପାର୍ଜନ
ରେ ହେମ! କେବଳ ତୋର ଶିକ୍ଷାର କାରଣ –
ଶୁଖିଯିବ ତାଙ୍କ ନେତ୍ରୁ ତପ୍ତ ଅଶ୍ରୁଧାର
ନିଭିବାର ନୁହେଁ ହୃଦୁ ଅନଳର ଗାର –
(ଫକୀରମୋହନ)
ବନ୍ଧୁ ପ୍ରଦୀପ ଚନ୍ଦ୍ର ଶତପଥୀଙ୍କ ସୌଜନ୍ୟରୁ ପ୍ରାପ୍ତ ଉପରୋକ୍ତ ପଦ୍ୟ। କିଏ ସେ ହେମଚନ୍ଦ୍ର? କେଉଁ ପ୍ରସଙ୍ଗରେ ବ୍ୟାସକବି ଫକୀରମୋହନ ଲେଖିଥିଲେ ଏହି ପଦ୍ୟ?
ଶତାଧିକ ବର୍ଷ ତଳର କଥା। ଓଡ଼ିଶାର ଇତିହାସରେ ଏକ ତାରକାର ଆବିର୍ଭାବ ହୋଇଥିଲା। କିନ୍ତୁ, ଦୁର୍ଭାଗ୍ୟ, କାଳର କରାଳ କବଳରେ ତାହା ସମ୍ପୂର୍ଣ୍ଣ ଲୀନ ହୋଇଗଲା। ତାହା ହୋଇ ନ ଥିଲେ କଟକ ଜିଲ୍ଲାର ସେଇ ପୁଣ୍ୟ ମାଟି ସତ୍ୟଭାମାପୁର, ଯାହା ଓଡ଼ିଶାକୁ ଦେଇଛି ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ, ହୁଏତ ଆଉ ଜଣେ ବରପୁତ୍ରଙ୍କ ମାତା ହେବାରେ ଗୌରବାନ୍ବିତ ହୋଇଥାଆନ୍ତା।
ଅଠେଇଶ ବର୍ଷୀୟ ଓଡ଼ିଆ ଯୁବକ ହେମଚନ୍ଦ୍ର ଶତପଥୀ ବିଲାତରୁ ବାରିଷ୍ଟରି (ବାର୍-ଏଟ୍-ଲ’) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦେଶକୁ ଫେରି ଆସିବାକୁ ସବୁ ଆୟୋଜନ କରି ସାରିଥିଲେ। ଏହି କୃତିତ୍ବ ଅର୍ଜନ କରିବାରେ ବିଶ୍ୱନାଥ ମିଶ୍ରଙ୍କ ପରେ ସେ ଥିଲେ ଦ୍ବିତୀୟ ଓଡ଼ିଆ। ଦୀର୍ଘ କାଳ ତଳୁ କଟକରେ ଛାଡ଼ି ଆସିଥିବା ଆତ୍ମୀୟସ୍ବଜନ, ବିଶେଷ କରି ପତ୍ନୀ ନିଶାମଣି ଏବଂ ଏକମାତ୍ର ଅଲିଅଳୀ କନ୍ୟା ସ୍ୱର୍ଣ୍ଣପ୍ରଭାଙ୍କୁ ଦେଖିବାକୁ ସେ ବ୍ୟାକୁଳ ହୋଇ ଉଠୁଥିଲେ। ମନରେ ଭବିଷ୍ୟତ ନେଇ ଆଶା ଓ ଆକାଂକ୍ଷାର ତରଙ୍ଗ। ଫେବ୍ରୁଆରି ୨୬, ୧୯୧୬ ମସିହା। ଲଣ୍ଡନରେ ଦୀର୍ଘ ଅବସ୍ଥାନଜନିତ ମାୟା ତୁଟାଇ, ସାଙ୍ଗସାଥୀମାନଙ୍କ ଠାରୁ ବିଦାୟ ନେଇ ବୋଧହୁଏ ଘୋଡ଼ା ଗାଡ଼ିରେ ଟିଲ୍ବରି ବନ୍ଦରରୁ ଜାହାଜ ଧରିବାକୁ ବାହାରି ଯାଇଥିବେ ହେମଚନ୍ଦ୍ର। ତାହା ଥିଲା ପ୍ରଥମ ବିଶ୍ବ ଯୁଦ୍ଧର ସମୟ। ହେମଚନ୍ଦ୍ର ଯାତ୍ରା କରୁଥିବା ଜାହାଜର ନାଁ ଥିଲା ‘ଏସ୍ଏସ୍ ମଲୋଜା’। ଯୁଦ୍ଧ କାରଣରୁ ବେଶୀ ଯାତ୍ରୀ ନ ଥିଲେ। ସମୁଦାୟ ୧୨୨ ଜଣ ଯାତ୍ରୀ, ଯାହା କି ଥିଲା ସମୁଦାୟ ସ୍ଥାନ ସଂଖ୍ୟାର ଏକ-ପଞ୍ଚମାଂଶରୁ ମଧ୍ୟ କମ୍। ଏହି ଯାତ୍ରୀମାନଙ୍କ ସହିତ ପ୍ରାୟ ୩୦୦ କର୍ମଚାରୀଙ୍କୁ ନେଇ ମଲୋଜା ବନ୍ଦର ଛାଡ଼ିଲା। ଫେବ୍ରୁଆରି ୨୭ ତାରିଖ, ରବିବାର। ସମୟ ପ୍ରାୟ ଦିନ ସାଢ଼େ ଦଶଟା। ସୁନ୍ଦର ଖରା, କିନ୍ତୁ ବେଶ୍ କୋହଲା ପାଗ। ସମୁଦ୍ର ସ୍ରୋତ (ଇଂଲିସ୍ ଚ୍ୟାନେଲ) ଥିଲା ପ୍ରଖର। ମଲୋଜା ଦ୍ରୁତ ଗତିରେ ଡୋଭର ଆଡ଼କୁ ଆଗେଇ ଚାଲିଥିଲା, ବାଟରେ କୋଇଲା ବୋଝେଇ ଜାହାଜ ‘ଏମ୍ପ୍ରେସ୍ ଫୋର୍ଟ ଉଇଲିୟମ’କୁ ଅତିକ୍ରମ କଲା। କିନ୍ତୁ, ଡୋଭର ଠାରୁ ପ୍ରାୟ ୪ କିଲୋମିଟର ଦୂରରେ ସମୁଦ୍ର ଗର୍ଭରେ ଥିବା ଏକ ଜର୍ମାନ୍ ବିସ୍ଫୋଟକ ବା ମାଇନ୍କୁ ଆଘାତ କରି ଭୟଙ୍କର ବିସ୍ଫୋରଣର ସମ୍ମୁଖୀନ ହେଲା। ତହିଁରେ ମଲୋଜାର ତାହାଣ ପାର୍ଶ୍ୱ ଭୀଷଣ କ୍ଷତିଗ୍ରସ୍ତ ହୋଇଗଲା। ଜରୁରୀକାଳୀନ ପରିସ୍ଥିତି ପାଇଁ ଜାହାଜରେ ଲାଇଫ୍ ବୋଟ ତ ଥିଲା, କିନ୍ତୁ ସେ ସବୁକୁ କାମରେ ଲଗାଇବା ଲାଗି ଜାହାଜ ପ୍ରାୟ ସ୍ଥିର ହେବା ଆବଶ୍ୟକ। ସେଥିପାଇଁ ଜାହାଜର କାପ୍ତାନ ବେଗକୁ କମାଇବା ପାଇଁ ଇଂଜିନକୁ ବିପରୀତ ଦିଗରେ ଚଳାଇବାକୁ ଆଦେଶ ଦେଲେ। ସେ ଭିତରେ ‘ଏମ୍ପ୍ରେସ୍ ଫୋର୍ଟ ଉଇଲିୟମ’ ମଲୋଜାର ଦୁର୍ଦଶା ଦେଖି ପାରି ତା’ର ସହାୟତା ପାଇଁ ଦ୍ରୁତ ଗତିରେ ଆଗେଇ ଆସୁଥିଲା। କିନ୍ତୁ ଦୁର୍ଭାଗ୍ୟ, ସେ ମଧ୍ୟ ଆଉ ଗୋଟାଏ ମାଇନ୍ ବିସ୍ଫୋରଣର ଶିକାର ହେଲା। କାପ୍ତାନଙ୍କ ଯୋଜନା ଥିଲା ମଲୋଜାର ଆଗୁଆ ବେଗ କମିଗଲା ପରେ ଇଞ୍ଜିନକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇ ଥାଆନ୍ତେ, ତାହା ନ ହେଲେ ମଲୋଜାର ବିପରୀତ ଗତି କ୍ରମେ ଦ୍ରୁତତର ହୋଇ ଚାଲିବ। କିନ୍ତୁ ହାୟ, ସେତେ ବେଳକୁ ଇଂଜିନ ରୁମ୍ ସଂପୂର୍ଣ୍ଣ ଜ୍ବଳନ୍ତ ଅବସ୍ଥାରେ ଏବଂ ତା’ ଭିତରକୁ ପ୍ରବେଶ କରି ଇଂଜିନ ବନ୍ଦ କରିବା ଆଉ ସମ୍ଭବ ନ ଥିଲା। ଏବେ କ୍ଷତିଗ୍ରସ୍ତ ଜାହାଜଟି ବାମ ପାର୍ଶ୍ୱକୁ ପ୍ରାୟ ୭୫ ଡିଗ୍ରି ଢଳି ସାରିଥିଲା। ଆଖପାଖରେ ଚଳାଚଳ କରୁଥିବା ଛୋଟବଡ଼ ଜାହାଜ ମଲୋଜାର ସହାୟତା କରିବାକୁ ଚାହିଁ ମଧ୍ୟ କିଛି କରିପାରି ନ ଥିଲେ। ସୁନ୍ଦର ଦିବାଲୋକରେ ଡୋଭରର ତଟରୁ ସବୁକିଛି ଦୃଶ୍ୟମାନ ହେଉଥିଲା। ଦର୍ଶକ ଥିଲେ ଅନେକ, କିନ୍ତୁ ସମସ୍ତେ ନିରୁପାୟ। ବିସ୍ଫୋରଣର ପ୍ରାୟ ୨୪ ମିନିଟ ପରେ ଜାହାଜଟି ସମୁଦ୍ର ଗର୍ଭରେ ଲୀନ ହୋଇଗଲା। ଦୁର୍ଘଟଣାରେ ହେମଚନ୍ଦ୍ରଙ୍କୁ ମିଶାଇ ୧୫୫ ଯାତ୍ରୀ ଓ କର୍ମଚାରୀ ଜୀବନ ହରାଇଲେ।
କେତେ ସମୟ ପରେ ହେମଚନ୍ଦ୍ରଙ୍କର ମୃତ ଶରୀରକୁ ଉଦ୍ଧାର କରାଯାଇଥିଲା, କିପରି ବା କାହା ଦ୍ୱାରା ତାହା ଚିହ୍ନଟ ହୋଇଥିଲା, ତାହା ଅଜଣା। ଓଡ଼ିଶାରେ ତାଙ୍କ ପରିବାରର କର୍ତ୍ତା, ବଡ଼ ଭାଇ ଶଶୀଭୂଷଣ କେବେ ଓ କିପରି ଏ ବିଷୟରେ ଅବଗତ ହେଲେ, ତାହା ବି ଜଣା ନାହିଁ। ସେ ସମୟରେ ଦୈନିକ ଖବରକାଗଜ ‘ସମାଜ’ର ଜନ୍ମ ହୋଇ ନଥିଲା। ସାପ୍ତାହିକ ପତ୍ରିକା ‘ଉତ୍କଳ ଦୀପିକା’ ଶନିବାରକୁ ଶନିବାର ପ୍ରକାଶିତ ହେଉଥିଲା। ତା’ର ଫେବ୍ରୁଆରି ୨୬ ତାରିଖ ସଂସ୍କରଣରେ ହେମଚନ୍ଦ୍ରଙ୍କର ବାରିଷ୍ଟରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସମ୍ବାଦ ଏବଂ ମାର୍ଚ୍ଚ ୧୧ ତାରିଖରେ ମଲୋଜାର ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ତାଙ୍କର ଶବ ସତ୍କାରକୁ ନେଇ ମଧ୍ୟ ଦୀର୍ଘ କାଳ ପର୍ଯ୍ୟନ୍ତ ଅସ୍ପଷ୍ଟତା ରହିଥିଲା। ‘ଉତ୍କଳ ଦୀପିକା’ର ଏପ୍ରିଲ ୧ ତାରିଖ ସଂସ୍କରଣ ଏହି ଅସ୍ପଷ୍ଟତା ଦୂର କରିଥିଲା। ତହିଁରେ ବାହାରି ଥିଲା: ‘ସଂପ୍ରତି ଅବଗତ ହୋଇଅଛି ଯେ ଆମ୍ଭମାନଙ୍କର ସ୍ୱଦେଶବତ୍ସଳ ଯୁବକ ଶ୍ରୀମାନ ଭୁବନାନନ୍ଦ ଦାସ ଡୋଭରକୁ ଯାଇ ହେମଚନ୍ଦ୍ରଙ୍କ ମୃତ ଦେହକୁ ବ୍ରାହ୍ମଣୋଚିତ ସତ୍କାର କରିଅଛନ୍ତି। ସୁଦୂର ବିଲାତରେ ଶ୍ରୀମାନ ଭୁବନାନନ୍ଦ ଜଣେ ସ୍ବଦେଶବାସୀର ଅନ୍ତିମ ସତ୍କାର କାର୍ଯ୍ୟ ସମାହିତ କରି ଦେଶବତ୍ସଳତାର ପରିଚୟ ପ୍ରଦାନ କରିଅଛନ୍ତି।’ ଉେଲ୍ଲଖଯୋଗ୍ୟ ଯେ ୧୯୧୬ ମସିହା ବେଳକୁ ଭୁବନାନନ୍ଦ ସ୍କଟଲାଣ୍ଡର ଗ୍ଲାସ୍ଗୋ ୟୁନିଭର୍ସିଟିରେ ଅଧ୍ୟୟନ କରୁଥିଲେ। ପରବର୍ତ୍ତୀ କାଳରେ ସେଇ ଭୁବନାନନ୍ଦ ଦାସ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ହୋଇଥିଲେ ଏବଂ କଟକସ୍ଥିତ ଇଞ୍ଜିନିଅରିଂ ସ୍କୁଲ ତାଙ୍କ ନାମରେ ନାମିତ।
ସାତ ସମୁଦ୍ର ପାରି ଏ ପଟେ ହେମଚନ୍ଦ୍ରଙ୍କୁ ଅପେକ୍ଷା କରି ରହିଥିଲେ ତାଙ୍କ ପତ୍ନୀ ନିଶାମଣି। ସେ ବୋଧହୁଏ ମାତ୍ର ଗୋଟିଏ ବର୍ଷର ଦାଂପତ୍ୟ ଜୀବନ ଅତିବାହିତ କରିଥିଲେ। ପରିବାରର କେହି କେହି କହନ୍ତି ଯେ ନିଶାମଣି ସେହି ଆକସ୍ମିକ ଦାରୁଣ ଦୁଃଖ ସହ୍ୟ କରି ନ ପାରି ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସେତେବେଳକୁ କନ୍ୟା ସ୍ବର୍ଣ୍ଣପ୍ରଭାର ବୟସ ମାତ୍ର ଛଅ ବର୍ଷ। ନିଶାମଣି ଥିଲେ ସଂଭ୍ରାନ୍ତ ପରିବାରର କନ୍ୟା। ପରବର୍ତ୍ତୀ ସମୟରେ ତାଙ୍କରି ଭାଇ ଚିନ୍ତାମଣି ଆଚାର୍ଯ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅଧିଷ୍ଠିତ ହୋଇଥିଲେ। ଗଭୀର ହାହୁତାଶମୟ ଜୀବନ ମଧ୍ୟରେ ନିଶାମଣି କନ୍ୟା ସ୍ବର୍ଣ୍ଣପ୍ରଭାଙ୍କୁ ଶିକ୍ଷାଦୀକ୍ଷା ଦେଇ ବଢ଼ାଇଥିଲେ। ମାତ୍ର ପଚାଶ ବର୍ଷ ବୟସରେ ତାଙ୍କର ମଧ୍ୟ ପରଲୋକ ଘଟିଥିଲା।
ହେମଚନ୍ଦ୍ରଙ୍କ ଭଳି ଜଣେ ଅସାଧାରଣ ପ୍ରତିଭା ୧୯୧୬ ମସିହାର ଆଜିର ଦିନରେ ଅକାଳରେ ମଉଳିଗଲେ ସତ, କିନ୍ତୁ ଚିହ୍ନରା ଜହୁରୀ ଫକୀରମୋହନଙ୍କ କବିତାରେ ସେ ଚିର ଅମ୍ଳାନ ହୋଇ ରହିଗଲେ।
ଲଣ୍ଡନ
ହେମଚନ୍ଦ୍ରଙ୍କୁ ହଜାଇ, ଖୋଜି ଓ ପାଇ
ପ୍ରେମାନନ୍ଦ ଦାଶ
/sambad/media/post_attachments/wp-content/uploads/2024/02/ffsjfjff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)