ବିଂଶ ଶତାବ୍ଦୀରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବର୍ଷ ବର୍ଷ ଧରି ନିଜର ପ୍ରଭୁତ୍ବ ବଳରେ ବୃହତ୍‌ ଶକ୍ତି ଆମେରିକା ସାରା ପୃଥିବୀରେ ଏମିତି ଘୋଟି ଯାଇଥିଲା ଯେ ସେ ଶତାବ୍ଦୀଟି ଆମେରିକାର ଶତାବ୍ଦୀ ଭାବେ ଅଭିହିତ ହେଲା। ଏବେ କିନ୍ତୁ ପୃଥିବୀ ଅଧିକରୁ ଅଧିକ ବହୁ ଧ୍ରୁବ ବା ମେରୁ ବିଶିଷ୍ଟ ହେବାକୁ ପସନ୍ଦ କରୁଥିବାରୁ ଆଗର ଆମେରିକୀୟ ଆଧିପତ୍ୟର ବେଳକାଳ ସରିଗଲାଣି କିମ୍ବା ସରିବା ସରିବା ଉପରେ ବୋଲି ମତମାନ ପ୍ରକାଶ ପାଉଛି। ଆମେରିକାର ସେ ବିଂଶ ଶତାବ୍ଦୀୟ ପରାକ୍ରମ ପ୍ରତିଷ୍ଠା କରିବାରେ ଅନ୍ୟମାନଙ୍କ ଭିତରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରାଜନୀତି ବିଜ୍ଞାନୀ, କୂଟନୀତିଜ୍ଞ, ବିଦ୍ବାନ୍‌, ବିଶ୍ବ ବ୍ୟାପାର ବିଶାରଦ, ଲେଖକ, ରାଜନେତା ଓ ପରାମର୍ଶଦାତା ହେନରୀ କିସିଞ୍ଜର। କୁହାଯାଏ ବିଶ୍ବ ରାଜନୀତିର ଏମିତି କୌଣସି ପ୍ରସଙ୍ଗ ନ ଥିଲା ଯାହା ବାବଦରେ ତାଙ୍କର ଅଗାଧ ଦଖଲ ନ ଥିଲା ଏବଂ ସମ୍ପର୍କିତ କୌଣସି ବିଷୟ ଯଦି ତାଙ୍କୁ ଜଣାନଥିଲା ତା’ର କାରଣ ଏଇଆ ଯେ ତାହା ଆଦୌ ଜାଣିବା ଯୋଗ୍ୟ ନ ଥିଲା। କରି କରାଇ ପାରୁଥିବା କିସିଞ୍ଜରଙ୍କର ଦମ୍ଭ ଏଭଳି ଥିଲା ଯେ ସିଏ କହିପାରୁଥିଲେ- ବ୍ୟସ୍ତ ହୁଅନ୍ତୁନି, ଆସନ୍ତା ସପ୍ତାହରେ ବିଶ୍ବ କୌଣସି ସଂକଟର ସମ୍ମୁଖୀନ ହେବାକୁ ଯାଉନାହିଁ; କାହିଁକି ନା ସପ୍ତାହ ସାରା ମୋ କାର୍ଯ୍ୟନିର୍ଘଣ୍ଟଟି ଏମିତିଆ ଯେ ମତେ ଟିକେ ବି ଫୁରସତ୍‌ ମିଳିବ ନାହିଁ।

Advertisment

ମାର୍କ୍ସ, ଆଇନଷ୍ଟାଇନ ଓ ଫ୍ରଏଡ୍‌ ଏ ତିନି ଇହୁଦୀ ଅସାମାନ୍ୟ ପ୍ରସିଦ୍ଧି ଅର୍ଜନ କରିଥିଲେ ନିଜ ନିଜର ଅସାଧାରଣ ପ୍ରତିଭା ଓ ପ୍ରଭାବ ଯୋଗୁଁ। ଅନ୍ୟ ଇହୁଦୀ ପ୍ରତିଭାମାନଙ୍କର ଦୀର୍ଘ ତାଲିକାରେ ନିଶ୍ଚୟ ଅନ୍ତର୍ଭୁକ୍ତ ହେବେ କିସିଞ୍ଜର, ଯାହାଙ୍କର ଜନ୍ମ ଘଟିଥିଲା ଶହେ ବର୍ଷ ତଳେ ଜର୍ମାନୀରେ। ମାତ୍ର ପନ୍ଦର ବର୍ଷ ବୟସରେ ୧୯୩୮ ମସିହାରେ ତାଙ୍କୁ ଜର୍ମାନୀ ଛାଡ଼ିବାକୁ ପଡ଼ିଥିଲା ନାଜି ଜର୍ମାନୀର ଇହୁଦୀମାରଣ ମନୋଭାବ ଓ ଇହୁଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ କାରଣରୁ। ସମୟ କ୍ରମେ ସିଏ ଆମେରିକାରେ ପହଞ୍ଚି ବସବାସ କଲେ। ପେଟପାଟଣା ପାଇଁ କ୍ଷୌର କର୍ମରେ ସହାୟକ ଏକ ବ୍ରସ୍ କାରଖାନାରେ ସିଏ କାମ କରିଥିଲେ ଓ ପରେ ଆମେରିକୀୟ ସେନାରେ ଯୋଗ ଦେଇଥିଲେ। ତାହା ଥିଲା ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ/ପାଖାପାଖି ସମୟ। ଶିକ୍ଷା ଲାଭ ପାଇଁ ହାର୍ଭାର୍ଡରେ ଥିଲା ବେଳେ ତାଙ୍କ ଉଚ୍ଚତର ଗବେଷଣାର ବିଷୟ ଥିଲା ଶାନ୍ତି, ବୈଧତା ଓ ସନ୍ତୁଳନ ଉପରେ। ତା’ ଆଗରୁ ସେଠି ସିଏ ସ୍ନାତକ ସନ୍ଦର୍ଭ ଲେଖିଥିଲେ ‘ଇତିହାସର ଅର୍ଥ’; ଯାହା ମୋଟାମୋଟି ଭାବେ ଥିଲା ସ୍ପେଙ୍ଗ୍‌ଲର୍‌, ଟୟ୍‌ନବୀ ଓ କାଣ୍ଟ୍‌ଙ୍କ ଇତିହାସ-ଦର୍ଶନ ଆଧାରିତ ପ୍ରାୟ ୪୦୦ ପୃଷ୍ଠାର ଓ ୩୫,୦୦୦ ଶବ୍ଦ ସମ୍ବଳିତ ଚମତ୍କାର ଅନୁଶୀଳନ। ସିଏ କହୁଥିଲେ ଇତିହାସର ଅର୍ଥ ଆବିଷ୍କାର କରାଯାଏ, ବଡ଼ପାଟିରେ ଘୋଷଣା କରାଯାଏନି।

ଜର୍ମାନୀର ଓସ୍‌ୱାଲଡ୍‌ ସ୍ପେଙ୍ଗ୍‌ଲର୍‌ଙ୍କ କହିବା ମୁତାବକ ମାନବ ସଭ୍ୟତା-ସଂସ୍କୃତିର ପ୍ରକୃତି ଜୈବ ସତ୍ତା ସମ ହୋଇଥିବାରୁ ତାହା ଆୟୁଷ ଦୃଷ୍ଟିରୁ ସୀମିତ। ଇଂଲଣ୍ଡର ଆର୍ନଲଡ୍‌ ଟୟ୍‌ନବୀଙ୍କ ମତରେ ସଭ୍ୟତାର ଆଧାର ହେଲା ଆହ୍ବାନ ଓ ପ୍ରତ୍ୟୁତ୍ତର ଏବଂ ଅତି ଅସୁବିଧା ସମୟରେ ହିଁ ସୃଜନଶୀଳ ମୁଷ୍ଟିମେୟ ଲୋକ ସଭ୍ୟତାର ନିଅଁ ପକାଇଥାନ୍ତି। ପୁଣି ଆଉ ଜଣେ ଜର୍ମାନ ଦାର୍ଶନିକ ଇମାନୁଏଲ୍‌ କାଣ୍ଟ ସର୍ବଦା ଭାବୁଥିଲେ ନୈତିକତାର ମୂଳଦୁଆ ହେଉଛି ହେତୁ ଏବଂ ଏକ ସର୍ବଜନୀନ ଇତିହାସ ବିନା ସତ ବିଶ୍ବ ଶାନ୍ତି ସମ୍ଭବ ନୁହେଁ। କିସିଞ୍ଜର ମଧ୍ୟ ହାର୍ଭାର୍ଡରେ ଅଧ୍ୟାପନା କରିଥିଲେ। ତାଙ୍କର ଅନେକ ଲେଖା ଓ ଆଲୋଚନା ଏତେ ଇତିହାସ ମନସ୍କ ଥିଲା ଯେ ଅନେକ ଆକ୍ଷେପ କରୁଥିଲେ ସିଏ ଇତିହାସ ବିଭାଗରେ ନ ପଢ଼େଇ ‘ସରକାର’ ବିଭାଗରେ ପଢ଼ଉଛନ୍ତି କାହିଁକି? ତା’ର ଉତ୍ତରରେ କିସିଞ୍ଜର କହୁଥିଲେ ‘ସରକାର’ ତର୍ଜମା ଇତିହାସ ଚର୍ଚ୍ଚାକୁ ବାଦ ଦେଇ ଅସମ୍ପୂର୍ଣ୍ଣ ଓ ଅସମ୍ଭବ। ସେଇ ଶିକ୍ଷାୟତନୀୟ ଜୀବନକାଳ ଭିତରେ ସିଏ ‘‘କନ୍‌ଫ୍ଲୁଏନ୍‌ସ’’ ନାମକ ମର୍ଯ୍ୟାଦାବନ୍ତ ପତ୍ରିକା ବାହାର କରୁଥିଲେ, ଯେଉଁଥିପାଇଁ ଲେଖା ଦେଉଥିଲେ ପ୍ରଖ୍ୟାତ ଜର୍ମାନୀ ଜାତ ଆମେରିକୀୟ ଐତିହାସିକ ହାନ୍ନା ଆରେଁ ଓ ବିଶିଷ୍ଟ ଫରାସୀ ସମାଜ ବିଜ୍ଞାନୀ ରେମୋଁ ଆରୋଁ। ହାନ୍ନା ଏକଛତ୍ରବାଦର ଉତ୍ପତ୍ତି ବିଶ୍ଳେଷଣ କରି ଓ ଆରୋଁ ମଧ୍ୟମ ମାର୍ଗର ରାଜନୀତିକ ଦର୍ଶନ ଆଲୋଚନା କରି ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିଭିନ୍ନ ସମୟରେ। ନିଜର ଅନ୍ୟତମ ହାର୍ଭାର୍ଡ ସନ୍ଦର୍ଭରେ କିସିଞ୍ଜର ଯେଉଁ କି˚ବଦନ୍ତି ସ୍ରଷ୍ଟାଙ୍କୁ ଉଲ୍ଲେଖ କରିଥିଲେ ସେମାନଙ୍କ ଭିତରେ ଥିଲେ ଡେକାର୍ଟ, ଦସ୍ତୋଭସ୍କି, ହେଗେଲ୍‌, ହ୍ୟୁମ୍‌, ସକ୍ରେଟିସ୍‌, ସ୍ପିନୋଜା, ଦାନ୍ତେ, ହୋମର୍‌, ମିଲଟନ୍‌ ଓ ଭର୍ଜିଲ୍‌। କିନ୍ତୁ, ନିଜ କାର୍ଯ୍ୟକା‌ପରେ ଅ‌େନକ ବେଳେ ଏମାନଙ୍କୁ କିସିଞ୍ଜର ଭୁଲିଗଲା ଭଳି ଲାଗୁଥିଲେ।

୧୯୬୯ ମସିହାରୁ ୧୯୭୭ ମସିହା ଭିତରେ କିସିଞ୍ଜର ଥିଲେ ଆମେରିକୀୟ ବିଦେଶ ନୀତିର ପ୍ରମୁଖ ବିନ୍ଧାଣୀ। ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ଓ ବିଦେଶ ସଚିବ- ଏ ଦୁଇଟି ଯାକ ଭୂମିକା ତୁଲାଇଥିବା ଏକମାତ୍ର ବ୍ୟକ୍ତି ହେଉଛନ୍ତି ହେନରୀ କିସିଞ୍ଜର। ରାଷ୍ଟ୍ରପତି ରିଚାର୍ଡ ନିକ୍‌ସନଙ୍କ ସମୟରେ ଉଭୟ ଦାୟିତ୍ବ ନିର୍ବାହ କରିଥିବା କିସିଞ୍ଜର ରାଷ୍ଟ୍ରପତି ଜେରାଲ୍‌ଡ୍‌ ଫୋର୍ଡଙ୍କ ସମୟରେ ଥିଲେ ଦେଶର ପରରାଷ୍ଟ୍ର ସଚିବ। ୱାଟର୍‌ଗେଟ୍‌ ସ୍କାଣ୍ଡାଲ୍‌ ଯୋଗୁଁ ନିକ୍‌ସନଙ୍କୁ ନିଜ ପଦ ଛାଡ଼ିବାକୁ ପଡ଼ିଥିଲା; କିନ୍ତୁ ତାଙ୍କ ସହ କ୍ଷୀର-ନୀର ସମ୍ପର୍କ ଥିବା ବିଚକ୍ଷଣ କିସିଞ୍ଜର ବର୍ତ୍ତି ଯାଇଥିଲେ ଗଣମାଧ୍ୟମରେ ଥିବା ତାଙ୍କ ପରମ ମିତ୍ରଙ୍କ ସହଯୋଗରୁ। ଯେଉଁ ଆଠ ବର୍ଷ କଥା ଟିକକ ଆଗରୁ ସୂଚେଇ ଦିଆଯାଇଛି ସେଇ ସମୟଖଣ୍ଡ ମଧ୍ୟରେ ସୋଭିଏତ୍‌ ଦେଶ-ଆମେରିକା ସମ୍ପର୍କରେ ଉତ୍ତେଜନା ପ୍ରଶମିତ ହୋଇ ସ୍ବାଭାବିକତା ସ୍ଥାପିତ ହେବା- ଯାହା ‘ଦେନ୍ତାଁ’ ନାଁରେ ଅତି ଜଣାଶୁଣା, ୨୩ ବର୍ଷ ପରେ ଚୀନ୍‌-ଆମେରିକା ବନ୍ଧୁତ୍ବର ପୁନଃ ପ୍ରତିଷ୍ଠା, ମଧ୍ୟ-ପ୍ରାଚ୍ୟ ସଂକଟର ଘନଘନ ଯାତାୟାତ ଧର୍ମୀ ‘‘ସଟଲ୍‌’’ ଡିପ୍ଲୋମାସି ବାଟେ ସମାଧାନ, ଭିଏତ୍‌ନାମ ଯୁଦ୍ଧର ଅବସାନ ଓ ପଡ଼ୋଶୀ ଦକ୍ଷିଣ/ଲାଟିନ୍‌ ଆମେରିକୀୟ ରାଷ୍ଟ୍ରଙ୍କ ରାଜନୀତିରେ ଆମେରିକାର ବାରମ୍ବାର ହସ୍ତକ୍ଷେପ ପ୍ରଭୃତି ପଛରେ କିସିଞ୍ଜରଙ୍କ ଭୂମିକା ଯେତିକି ପ୍ରଭାବଶାଳୀ, ସେତିକି ବିବାଦ ବିମଣ୍ଡିତ। ଭିଏତ୍‌ନାମରେ ଯୁଦ୍ଧର ଅନ୍ତ ଘଟିଥିବାରୁ କିସିଞ୍ଜରଙ୍କୁ ଶାନ୍ତି ସକାଶେ ଯୁଗ୍ମ ନୋବେଲ୍‌ ପୁରସ୍କାର ମିଳିବା ଅନେକ ମହଲରେ ଭୀଷଣ ସମାଲୋଚନାର ଶରବ୍ୟ ହୋଇଥିଲା। ମତ ପ୍ରକାଶ ପାଇଥିଲା ତାଙ୍କ ହାତ ଓ ମସ୍ତିଷ୍କ ରକ୍ତରଞ୍ଜିତ। ପୁଣି ଭିଏତ୍‌ନାମ ଯେଉଁ ଢଙ୍ଗରେ ଆମେରିକାର ପ୍ରତିରୋଧ କରିଥିଲା, ସେଥିରୁ ସାରା ବିଶ୍ବକୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ସନ୍ଦେଶ ଯାଇଥିଲା। ପ୍ରଥମ; ଆମେରିକୀୟ ସାମ୍ରାଜ୍ୟବାଦର ସଫଳ ମୁକାବିଲାର ଅନ୍ୟ ନାମ, ଭିଏତ୍‌ନାମ ଭିଏତ୍‌ନାମ। ଦ୍ବିତୀୟ; ହୋ ହୋ ହୋଚିମିନ୍‌, ଉଇ ସାଲ୍‌ ଫାଇଟ୍‌/ ଉଇ ସାଲ ଉଇନ୍‌। ଆମେରିକା ସିନା ସମ୍ମାନଜନକ ଶାନ୍ତି କଥା କହିଥିଲା; କିନ୍ତୁ ଜିତିଥିଲା ଭିଏତ୍‌ନାମ, ଯେଉଁଥିପାଇଁ କିସିଞ୍ଜରଙ୍କୁ ଅନେକାଂଶରେ ଦାୟୀ ‌କରାଯାଇଥିଲା।

ଆନ୍ତର୍ଜାତିକ ସଂପର୍କ ଓ ବିଦେଶ ନୀତି ‌‌େକ୍ଷତ୍ରରେ ଯେଉଁ ସିଦ୍ଧାନ୍ତର ପ୍ରୟୋଗ ଆଉ ପ୍ରାଥମିକତା ପାଇଁ କିସିଞ୍ଜର ସୁଖ୍ୟାତି ସାଙ୍ଗକୁ କୁଖ୍ୟାତି ଅର୍ଜନ କରିଥିଲେ ତାହା ଥିଲା ବାସ୍ତବବାଦ ଏବଂ ସେଇ ବାଦକୁ ସୁହାଇଲା ଭଳି କୂଟନୀତିକ କଳା-କୌଶଳ। ଯେଉଁ ବାଦର ଅନ୍ୟ ନାମ ହେଉଛି ‘‘ରିଅଲ୍‌ ପଲିଟିକ୍‌’’। ସେ ସିଦ୍ଧାନ୍ତ କହେ ବିଶ୍ବ ରାଜନୀତିରେ ରାଷ୍ଟ୍ରମାନେ ନିଜ ଦେଶର କ୍ଷମତାର ସଂପ୍ରସାରଣ ଓ ଜାତୀୟ ସ୍ବାର୍ଥର ସଂରକ୍ଷଣକୁ ମୁଖ୍ୟତଃ ଦୃଷ୍ଟିରେ ରଖି ବିଦେଶ ନୀତି ଅବଲମ୍ବନ କରନ୍ତି, ଯେଉଁଥିରେ ସର୍ବାଗ୍ରେ ଥାଏ ବାସ୍ତବବାଦୀ ବିଚାର। ଆଦର୍ଶବାଦ ପାଇଁ ସେଥିରେ ଜାଗା ନ ଥାଏ କିମ୍ବା ଥିଲେ ଥାଏ ଅନେକ ପଛରେ, ଏକ ଗୌଣ ସ୍ଥାନରେ। ସେଭଳି ବିଚାରର ଅନେକ ବିରୋଧ କରନ୍ତେ କିସିଞ୍ଜର କହିଥିଲେ- ନୈତିକତା କେବେ ବି ଆଦର୍ଶବାଦୀଙ୍କ ଏକଚାଟିଆ ବ୍ୟାପାର ହୋଇ ନପାରେ; ବାସ୍ତବବାଦ ମଧ୍ୟ ଏକ ପ୍ରକାରର ଆଦର୍ଶ। କ୍ଷମତାକୁ କିସିଞ୍ଜର ଏତେ ପ୍ରାଧାନ୍ୟ ଦେଇଥିଲେ ଯେ ଅନେକ ପ୍ରଚାର କରିବାକୁ ଲାଗିଲେ ଯେ କିସିଞ୍ଜର ହିଁ ପ୍ରଥମେ କହିଥିଲେ- କ୍ଷମତା ଅଟଇ ଚରମ ଓ ଅନ୍ତିମ ଉଦ୍ଦୀପକ; କିନ୍ତୁ ତାହା ସତ ନ ଥିଲା।

ବିଶ୍ବ ରାଜନୀତିର କ୍ଷମତା କୈନ୍ଦ୍ରିକତା ସୂତ୍ର କଥା ଆଗରୁ ଅବଶ୍ୟ ଉଠାଇଥିଲେ ବିଶ୍ବ ବ୍ୟାପାର ବିଶାରଦ ହାନ୍‌ସ୍‌ ମର୍ଗେନ୍‌ଥାଉ ନିଜର ବହୁଚର୍ଚ୍ଚିତ ପୁସ୍ତକ ‘‘ପଲିଟିକ୍‌ସ ଆମଙ୍ଗ୍‌ ନେସନ୍‌ସ୍’’ରେ। ତାଙ୍କୁ କିସିଞ୍ଜର ନିଜର ଗୁରୁ ମାନୁଥିଲେ। ମ‌ର୍ଗେନ୍‌ଥାଉ କିନ୍ତୁ କିସିଞ୍ଜରଙ୍କ ଭିଏତ୍‌ନାମ ନୀତିକୁ ଦୋଷଯୁକ୍ତ କହିଥିଲେ। କିସିଞ୍ଜରଙ୍କ ସକାଶେ ଅନେକ ଭାବୁଥିଲେ ଆମେରିକାର ଶତ୍ରୁ ସାଜିବା ବିପଦଜନକ; କିନ୍ତୁ ମିତ୍ର ହେବା ଆହୁରି ମାରାତ୍ମକ। ଏ କଥା ମଧ୍ୟ ସବୁ ରାଷ୍ଟ୍ର ପ୍ରାୟ ଆପଣେଇ ନେଇଥାନ୍ତି ଯେତେବେଳେ ସେମାନେ ନିଜ ନିଜର ବିଦେଶ ନୀତି ଖସଡ଼ା ପ୍ରସ୍ତୁତ କରିଥାନ୍ତି- ଯେ, ଗୋଟିଏ ରାଷ୍ଟ୍ରର ଚିରସ୍ଥାୟୀ ଶତ୍ରୁ ବା ମିତ୍ର ନ ଥାନ୍ତି; ବରଂ ସ୍ଥାୟୀ ସ୍ବାର୍ଥ ଥାଏ। ଏହି ସୂତ୍ରଟି ରାଜନୀତିକ ବାସ୍ତବବାଦର ଆଉ ଏକ ଅଘୋଷିତ ମୂଳମନ୍ତ୍ର ଯାହା କିସିଞ୍ଜରଙ୍କ ନାଁ ସହ ଯୋଡ଼ା।

ନିକଟ ଅତୀତରେ, ଗଲା ଦୁଇ ବର୍ଷ ଭିତରେ କିସିଞ୍ଜର ରଚିତ ଦୁଇଗୋଟି ଗୁରୁତ୍ବପୂର୍ଣ୍ଣ ପୁସ୍ତକ ନେତୃତ୍ବ ଓ କୃତ୍ରିମ ବୁଦ୍ଧିମତ୍ତା ପ୍ରସଙ୍ଗକୁ ନେଇ। ନେତୃତ୍ବ ବାବଦରେ ବହିଟି ବର୍ଷେ ତଳେ ବାହାରିଛି ଯାହାର ଶୀର୍ଷକ- ‘‘ଲିଡରସିପ୍‌: ସିକ୍ସ ଷ୍ଟଡିଜ୍‌ ଇନ୍‌ ୱାଲର୍ଡ ଷ୍ଟ୍ରାଟେଜି’’। ସେଥିରେ ସିଏ ଛଅ ପ୍ରକାରର ନେତୃତ୍ବ ଉପାଦାନ ସହିତ ସେସବୁର ଛଅ ଜଣ ପ୍ରତିନିଧି ସ୍ଥାନୀୟ ବ୍ୟକ୍ତିତ୍ବଙ୍କର ଉଦାହରଣ ଦେଇଛନ୍ତି। ଉପାଦାନମାନ ହେଲା- ବିନମ୍ରତା, ଇଚ୍ଛାଶକ୍ତି, ସନ୍ତୁଳନ, ଉତ୍ତରଣ, ଉତ୍କର୍ଷ ଓ ଆତ୍ମପ୍ରତ୍ୟୟ। ବିନମ୍ରତାର ଉଦାହରଣ (ପଶ୍ଚିମ) ଜର୍ମାନୀର ‌େକାନରାଡ୍‌ ଆଦେନର୍‌ ଯିଏ ବିଶ୍ବ ଯୁଦ୍ଧ ବିଂଧ୍ବସ୍ତ ଜର୍ମାନୀକୁ ସଜାଡ଼ି ଦେଇଥିଲେ କ୍ଷମତାକୁ ଆସି ମୁଖ୍ୟତଃ ନିଜର ବିନମ୍ର ଗୁଣ ବଳରେ। ଫ୍ରାନ୍‌ସର ଚାର୍ଲ ଡି ଗଲ ଦୃଢ଼ ଇଚ୍ଛା ଶକ୍ତିକୁ ପାଥେୟ କରି ଫ୍ରାନ୍‌ସର ରାଜନୀତିକ ଓ ଅର୍ଥନୀତିକ ନବୀକରଣ ସୁନିଶ୍ଚିତ କରିଥିଲେ। ଆମେରିକାର ନିକ୍ସନ୍‌ ବିଶ୍ବ ରାଜନୀତି କ୍ଷେତ୍ରରେ ନେତୃତ୍ବର ଯେଉଁ କୌଶଳ ଆଦରି ନେଇଥିଲେ ତାହା ଥିଲା ଶୀତଳ ଯୁଦ୍ଧ କାଳୀନ ସନ୍ତୁଳନ। ଇଜିପ୍‌ଟର ଅନୱାର୍‌ ସାଦତ୍‌ ଥିଲେ ଉତ୍ତରଣ ଉପାଦାନର ପକ୍ଷଭୁକ୍ତ; କେମିତି ସବୁ ସତ୍ତ୍ବେ ରାଷ୍ଟ୍ରଟିଏ ବିଘ୍ନ ଅତିକ୍ରମ କରି ଅନ୍ୟ ରାଷ୍ଟ୍ର ସହ ସୁସମ୍ପର୍କ ସ୍ଥାପନ କରିବ। ଏବେ ସିଙ୍ଗାପୁର ଶିଳ୍ପ, ସହର ଓ ଅର୍ଥନୀତି ପରିସରମାନଙ୍କରେ ଉତ୍କର୍ଷ ହାସଲ କରି ପୃଥିବୀ‌େର ଏକ ମଡେଲ ରୂପେ ପରିଗଣିତ ହେଉଛି। ତା’ ପଛରେ ଅଛି ଲି କ୍ବାନ୍‌ ୟୁଙ୍କ ପ୍ରଭୂତ ଅବଦାନ। ଆଉ ଆତ୍ମପ୍ରତ୍ୟୟ ବଳରେ ଇଂଲଣ୍ଡର ମାର୍ଗାରେଟ୍‌ ଥାଚର ନିଜ ଦେଶକୁ ମୁଦ୍ରାସ୍ଫୀତି କବଳରୁ ଉଦ୍ଧାର କରି ବିଶ୍ବର ଏକ ଚଳଚଞ୍ଚଳ ବିତ୍ତୀୟ କେନ୍ଦ୍ରରେ ପରିଣତ ‌କରିପାରିଥିଲେ। କିସିଞ୍ଜର କାହିଁକି ନେତୃତ୍ବ ପ୍ରକରଣରେ ଭାରତ ଓ ଚୀନ୍‌ର ଉଦାହରଣ ଦେଲେନି ତାହା ଅନେକଙ୍କୁ ଚକିତ କରେ। ନେତୃତ୍ବ ସଂପର୍କରେ ତାଙ୍କର ଅତି ପ୍ରାସଙ୍ଗିକ ମନ୍ତବ୍ୟଟି ହେଲା- ନେତୃତ୍ବର କାମ ହେଲା ଲୋକେ ଯେଉଁଠି ଅଛନ୍ତି ସେଠୁ ସେମାନଙ୍କୁ ସେଇ ନୂଆ ଆୟତନକୁ ନେଇଯିବା ଯେଉଁଠିକି ସେମାନେ କେବେ ଯାଇନାହାନ୍ତି, ହେଲେ ମନେ ମନେ ଯିବାକୁ ଚାହୁଁଥାନ୍ତି।

‘କୃତ୍ରିମ ବୁଦ୍ଧିମତ୍ତାର ଯୁଗ ଓ ଆମ ମାନବୀୟ ଭବିଷ୍ୟତ’ ସମ୍ପର୍କିତ ପୁସ୍ତକଟି ଅନ୍ୟ ଦୁଇ ଜଣଙ୍କ ସହ ମିଶି କିସିଞ୍ଜର ଲେଖିଥିଲେ ୨୦୨୧ ମସିହାରେ। ସେଭଳି ବୁଦ୍ଧିମତ୍ତାର ପରିଣତି ପରମାଣବିକ ଅସ୍ତ୍ର ସମ୍ଭୂତ କୁପରିଣତି ଠାରୁ ଆହୁରି ଭୟାବହ ହୋଇପାରେ ବୋଲି ତାଙ୍କ ଆଶଙ୍କା। ମର୍ଗେନ୍‌ଥାଉଙ୍କ ଭଳି ତାଙ୍କର ବିଶ୍ବାସ ଯେ ବିଶ୍ବ ବ୍ୟାପାର ଓ ବିଦେଶ ନୀତି ଏମିତି ବିଷୟ ନୁହେଁ ଯେ ଯାହାକୁ ଆମେ କେବଳ ପ୍ରଯୁକ୍ତିବିତ (କିମ୍ବା ଡିଜିଟାଲ ଗରିଲା)ଙ୍କ ଫ୍ଲୋ ଚାର୍ଟ, ପରିସଂଖ୍ୟାନ ଓ ସୂଚନା ପ୍ରଜ୍ଞାନ ହାତରେ ସମର୍ପି ଦେଇ ଆଶ୍ବସ୍ତ ହୋଇ ରହିପାରିବା। ଆଗକୁ କୃତ୍ରିମ ବୁଦ୍ଧିମତ୍ତାର ମହାସମର, ଉଭୟ ଉଷ୍ଣ ଓ ଶୀତଳ, ଲାଗିଗଲେ ତାକୁ କେଉଁ ବୋତାମ ଟିପି ସମ୍ଭାଳି ହେବ? କିସିଞ୍ଜରଙ୍କ ଅତି ପ୍ରିୟ ବିଶ୍ବ ବ୍ୟବସ୍ଥା ଅବଧାରଣା ସେଠି କାମ ଦେବ ତ?

ଅନେକ ସମୟ‌େର ବିଭିନ୍ନ ମହଲରେ ଏକ ଧାରଣା ସୃଷ୍ଟି ହୁଏ- କିସିଞ୍ଜର ସତରେ ନିଜେ ଏକ ବାସ୍ତବତା ନା ଅତିକଥା ନା ବିସ୍ମୟ ନା ରୋବଟ୍‌ ସଂରଚିତ କୃତ୍ରିମ ପ୍ରକଳ୍ପ? ତଥ୍ୟାଧାର କହେ ସିଏ ଜଣେ ରକ୍ତମାଂସର ମଣିଷ, ଅସମ୍ଭବ ଧୀଶକ୍ତି ସଂପନ୍ନ, ଯିଏ ସଂପ୍ରତି ଶତକ ଅପରାଜିତ। ହେଲେ ଏକଦା ଜଣେ ଇହୁଦୀ ଭାବେ ଅତ୍ୟାଚାର ଓ ଉତ୍ପୀଡ଼ନର ଅସୁବିଧା ଭୋଗିଥିବା କିସିଞ୍ଜର କେମିତି ନିଜ ନୀତି ନୈତିକତାର ଦରଦ ଓ ଏକାନୁଭୂତିକୁ ଅଗ୍ରାଧିକର ଦେଲେ ନାହିଁ ତାହା ବାସ୍ତବରେ ଏକ ବଡ଼ ବିଡ଼ମ୍ବନା।
ମୋ: ୯୪୩୭୩୦୭୦୭୯