ଓଡ଼ିଶାରେ ଫୁଟ୍ବଲ୍ ଖେଳର ଅତୀତ ବିଂଶ ଶତାବ୍ଦୀର ପ୍ରଥମ ଦଶକ ଅର୍ଥାତ୍ ୧୯୧୦ ମସିହା ପର୍ଯ୍ୟନ୍ତ ଗଡ଼ିଯାଏ। ସେହି ସମୟରେ ଫୁଟ୍ବଲ୍ ଖେଳକୁ ପ୍ରୋତ୍ସାହନ ଦେବା ସକାଶେ କୌଣସି ସଂଗଠନ ବା କ୍ଲବ୍ ଆଦି ନ ଥିଲେ। ତେବେ, ରେଭେନ୍ସା କଲେଜ ଆଦ୍ୟ ପର୍ଯ୍ୟାୟରେ କିଛି ଦକ୍ଷ ଫୁଟ୍ବଲ୍ ଖେଳାଳିଙ୍କୁ ସୃଷ୍ଟି କରିଥିଲା, ଯେଉଁମାନଙ୍କ ମଧ୍ୟରେ ଥିଲେ ସତ୍ୟବ୍ରତ ପଟ୍ଟନାୟକ, ଲଳିତ ମୋହନ ଘୋଷ, ଡି. କେଲକର ଏବଂ ପ୍ୟାରୀ ଶଙ୍କର ରାୟ ଇତ୍ୟାଦି। ପରବର୍ତ୍ତୀ କାଳରେ ରେଭେନ୍ସାରୁ ଫେଲୁ ମହାପାତ୍ର, ବିଜୁ ପଟ୍ଟନାୟକ, ଜର୍ଜ ପଟ୍ଟନାୟକ, ସିଜୁ ପଟ୍ଟନାୟକ, ନୀଳମଣି ମହାନ୍ତି, ବ୍ରହ୍ମାନନ୍ଦ ମହାପାତ୍ର, ଭ୍ରମରବର ସାହୁଙ୍କ ଭଳି କିଛି ଦକ୍ଷ ଖେଳାଳି ବାହାରି ଫୁଟ୍ବଲ୍ ଦୃଶ୍ୟପଟକୁ ଆସିଥିଲେ। ସେହି ସମୟରେ ଓଡ଼ିଶା ମେଡିକାଲ ସ୍କୁଲ (ବର୍ତ୍ତମାନର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ) ଏବଂ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂ ଭଳି ବୈଷୟିକ ଶିକ୍ଷାନୁଷ୍ଠାନରୁ ମଧ୍ୟ କେତେକ ଦକ୍ଷ ଖେଳାଳି ବାହାରି ଥିଲେ।
୧୯୩୦ ମସିହାରେ ଯାଇ ଫୁଟ୍ବଲ୍ ଓଡ଼ିଶାରେ କିଛିଟା ପ୍ରସିଦ୍ଧି ଲାଭ କଲା। ସେତେବେଳେ କଟକ ସହର ସହିତ ପୁରୀ, ଖୋର୍ଦ୍ଧା ରୋଡ୍, ବାରିପଦା, ବାଲେଶ୍ବର, ସମ୍ବଲପୁର ଏବଂ ବ୍ରହ୍ମପୁର ଭଳି ଉପକୂଳ ଓଡ଼ିଶାର କିଛି ସହରରେ ସ୍କୁଲଗୁଡ଼ିକ ଏହି ଖେଳ ପ୍ରତି ଆଗ୍ରହ ଦେଖାଇଲେ। ସେମିତି ମୟୂରଭଞ୍ଜ ବା କେନ୍ଦୁଝର ଭଳି ଗଡ଼ଜାତ ଅଞ୍ଚଳଗୁଡ଼ିକରେ ମଧ୍ୟ ଏହା କିଛିଟା ଜନାଗ୍ରହ ସୃଷ୍ଟ କଲା। ସେଇ ସମୟରେ ବାରିପଦା ଓ ବ୍ରହ୍ମପୁରରେ କିଛି ଟୁର୍ନାମେଣ୍ଟ ମଧ୍ୟ ଅନୁଷ୍ଠିତ ହେଲା, ଯାହା ମଧ୍ୟରୁ ଉପକୂଳବର୍ତ୍ତୀ ସହରର ସ୍କୁଲ ସ୍ତରୀୟ ଟୁର୍ନାମେଣ୍ଟ ମଧ୍ୟରେ ଗୁପ୍ତା କପ୍ ଏବଂ ସୟଦ୍ ମେମୋରିଆଲ ସିଲ୍ଡର ନାମ ଉଲ୍ଲେଖଯୋଗ୍ୟ। ଏହି ଖେଳରେ ସୟଦ୍ ସେମିନାରି ସ୍କୁଲର ଜୟରାମ ସ୍ବାଇଁ ଏବଂ ପ୍ୟାରୀମୋହନ ଏକାଡେମିର ମୁସା ଖାଁଙ୍କ ଚମକପ୍ରଦ ପ୍ରଦର୍ଶନ ଖୁବ୍ ପ୍ରଶଂସାଭାଜନ ହୋଇପାରିଥିଲା।
୧୯୩୯ ମସିହାରୁ ୧୯୪୫ ପର୍ଯ୍ୟନ୍ତ କାଳଖଣ୍ଡ ଥିଲା ଦ୍ବିତୀୟ ବିଶ୍ବଯୁଦ୍ଧର ସମୟ। ସେତିକି ବେଳେ ଓଡ଼ିଶାରେ କ୍ୟାମ୍ପ ପକାଇଥିବା ବ୍ରିଟିସ୍ ସୈନିକମାନେ ଚିତ୍ତ ବିନୋଦନ ପାଇଁ ଫୁଟ୍ବଲ୍ ଖେଳୁଥିଲେ; ଯେଉଁ ଅବସରରେ ବ୍ରିଟିସ୍ ସେନାଙ୍କ ଟିମ୍ ‘ଆର୍ଏଏଫ୍ ନୋମାର୍ଡ’, ‘ଆରଏଏଫ ଲିବରେଟରସ୍’ ଏବଂ ‘ସିକ୍ସ ୟୁଡବ୍ଲ୍ୟୁ’ ଇତ୍ୟାଦି ସହ ଓଡ଼ିଆ ଖେଳାଳିମାନେ ମ୍ୟାଚ୍ମାନ ଖେଳିବାର ସୁଯୋଗ ପାଇଥିଲେ ଓ ବ୍ରିଟିସ୍ ସୈନିକମାନଙ୍କ ଠାରୁ ବିଭିନ୍ନ କୌଶଳ ଶିକ୍ଷା କରି ପାରିଥିଲେ। ସେହି ସମୟରେ ବାରିପଦାରେ ଅନୁଷ୍ଠିତ ହେଉଥିଲା ପୂର୍ଣ୍ଣଚନ୍ଦ୍ର ମେମୋରିଆଲ ସିଲ୍ଡ, ଯାହା ବେଶ୍ ଖ୍ୟାତି ଲାଭ କରିଥିଲା। ବାରିପଦା ଟିମ୍ର ବ୍ରଜ ଦାସ, ଜଗନ୍ନାଥ ବେହେରା ଏବଂ ବଙ୍କିମ ଦାସ ଇତ୍ୟାଦି ସେତେବେଳେ ଖୁବ୍ ସୁନାମ ଅର୍ଜନ କରିଥିଲେ। ତତ୍କାଳୀନ କଲିକତାର ଆରିୟାନ୍ସ କ୍ଲବରେ ପ୍ରଥମ ଓଡ଼ିଆ ଭାବେ ବ୍ରଜ ଦାସ ଦୀର୍ଘ କାଳ ଧରି ଖେଳିଥିଲେ। ସେମିତି ବ୍ରହ୍ମପୁରରେ ହେଉଥିଲା ଫିଆଜ ମେମୋରିଆଲ ସିଲ୍ଡ ଟୁର୍ନାମେଣ୍ଟ। ଏହି ଟୁର୍ନାମେଣ୍ଟରେ ହାଇଦ୍ରାବାଦ, ବିଶାଖାପାଟଣା, ବାଙ୍ଗାଲୋର ଏବଂ ମାଡ୍ରାସର ଦଳମାନ ଭାଗ ନେଉଥିଲେ।
ତେବେ, ୧୯୪୫-୪୬ ବେଳକୁ କଟକ ଫୁଟ୍ବଲ୍ର ପ୍ରାଣକେନ୍ଦ୍ରରେ ପରିଣତ ହୋଇଥିଲା। ସେହି ସମୟରେ ଉପର ବର୍ଣ୍ଣିତ ଶିକ୍ଷାନୁଷ୍ଠାନଗୁଡ଼ିକ ଛଡ଼ା ଟାଉନ୍ କ୍ଲବ୍, ରୋଭର୍ସ କ୍ଲବ୍, ମହମ୍ମଡାନ ସ୍ପୋଟିଂ, ଓଡ଼ିଶା ପୁଲିସ, ବେଙ୍ଗଲ-ନାଗପୁର ରେଲୱେ, ଖୋର୍ଦ୍ଧା ରୋଡ ଟିମ୍ ବେଶ୍ ଟାଣୁଆ ଦଳ ଭାବେ ପରିଚିତି ହାସଲ କରିଥିଲେ। ସେହି ସମୟରେ ଯୋସେଫ୍ ଏବଂ କାଲାଡିଅସଙ୍କ ଭଳି କିଛି ଖେଳାଳି ରୋଭର୍ସ କ୍ଲବ୍ରେ ଯୋଗ ଦେଇ ତାକୁ ବେଶ୍ ଶକ୍ତିଶାଳୀ କରିଦେଇଥିଲେ। ଏଠାରେ ସ୍ମରଣଯୋଗ୍ୟ ଯେ ଓଡ଼ିଶାରେ ଫୁଟ୍ବଲ୍ ପ୍ରତି ଆଗ୍ରହ ବୃଦ୍ଧି କରିବା ଲାଗି ଉତ୍କଳ ଗୌରବ ମଧୁସୂଦନ ଦାସ ‘ଆର୍ଟ ୱାର୍କ୍ ସିଲ୍ଡ’ ଟୁର୍ନାମେଣ୍ଟ ଆରମ୍ଭ କରାଇଥିଲେ। ସ୍ବାଧୀନତା ପରେ ଅର୍ଥାତ୍ ୧୯୪୮ ମସିହାରେ ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍ ଗଠିତ ହେଲା, ଯାହା ଅଧୀନରେ ଫୁଟ୍ବଲ୍, ହକି, ବ୍ୟାଡ୍ମିଣ୍ଟନ୍, ଭଲି, ଟେବୁଲ ଟେନିସ୍ ଭଳି କ୍ରୀଡ଼ାମାନ ରହିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ଆସୋସିଏସନ୍ର ସଭାପତି ହୋଇ ବିଭିନ୍ନ ଖେଳ ଶୃଙ୍ଖଳା ଲାଗି ଜଣେ ଲେଖାଏଁ ସେକ୍ରେଟାରି ରଖାଇଲେ। ତେବେ ୧୯୬୧ ମସିହାରେ ଫୁଟ୍ବଲ୍ ସହିତ ଅନ୍ୟ ଖେଳ ସବୁ ଆଥଲେଟିକ୍ସ ଆସୋସିଏସନ୍ରୁ ଅଲଗା ହୋଇ ପୃଥକ୍ ସଂଗଠନମାନ ଗଠନ କଲେ ଯେଉଁ କ୍ରମରେ ଓଡ଼ିଶା ଫୁଟ୍ବଲ୍ ଆସୋସିଏସନ୍ ଜନ୍ମଲାଭ କଲା।
ଓଡ଼ିଶାର କିଛି ଅତ୍ୟନ୍ତ ବିଚକ୍ଷଣ ଖେଳାଳିଙ୍କ ମଧ୍ୟରେ ଜଣେ ଥିଲେ ସେଣ୍ଟର ଫରୱାର୍ଡ ଏସ୍ କେ ମଜିଦ୍ (ବଚନ)। ରେଭେନ୍ସା କଲେଜରେ ପଢୁଥିବା ବେଳରୁ ସେ ବିଭିନ୍ନ ଟୁର୍ନାମେଣ୍ଟରେ ଖେଳି ପ୍ରଚୁର ପ୍ରଶଂସା ଅର୍ଜନ କରିଥିଲେ। ୧୯୪୫ ମସିହା ବେଳକୁ ବଚନ କଟକର ମହମ୍ମଡାନ ସ୍ପୋଟିଂ କ୍ଲବ୍ରେ ଏବଂ ପରେ କଲିକତାର ମହମ୍ମଡାନ ସ୍ପୋଟିଂ କ୍ଲବ ପାଇଁ ଖେଳିଥିଲେ। ୧୯୪୮ ମସିହାରେ କଲିକତା ଫୁଟ୍ବଲ୍ ଲିଗ୍ରେ ମହମ୍ମଡାନ ସ୍ପୋର୍ଟିଂ ଚମ୍ପିଆନ ହେଲା। ସେତିକି ବେଳେ ବଚନ ସେହି ଦଳରେ ଖେଳୁଥିଲେ। ସେମିତି ୧୯୫୧ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ‘ଏସିଆନ୍ ଗେମ୍ସ’ରେ ଭାରତ ଏକାଦଶ ଲାଗି ଓଡ଼ିଶାର ଏସ୍.କେ. ମଜିଦ୍ ଖେଳିବାର ସୌଭାଗ୍ୟ ଅର୍ଜନ କରିଥିଲେ। ସେ ଅନେକ ବାର ସନ୍ତୋଷ ଟ୍ରଫି ଓ ଇଣ୍ଡିଆ ଟିମ୍ରେ ଖେଳିଛନ୍ତି। ଜଣେ ସେଣ୍ଟର ଫରୱାର୍ଡ ଭାବେ ତାଙ୍କର ଚମକପ୍ରଦ ପ୍ରଦର୍ଶନ ବାବଦରେ ଏବେ ବି ଆଲୋଚନା ହୋଇଥାଏ।
ଏହିଭଳି ଭାବେ ଯେଉଁ ଭିତ୍ତି ପଡ଼ିଥିଲା ତା’ ଉପରେ ଛିଡ଼ା ହୋଇଥିବା ଫୁଟ୍ବଲ୍ ଖେଳ ସପ୍ତମ ଦଶକର ଶେଷ ଭାଗ ପର୍ଯ୍ୟନ୍ତ ଓଡ଼ିଶାରେ ବେଶ୍ ଜମୁଥିଲା। ତା’ ପରେ ତାର ଅବକ୍ଷୟ ଘଟିବା ଆରମ୍ଭ ହୋଇଥିଲା।
ମୋ-୭୯୭୮୮୭୫୯୦୭