ଜାନକୀଶ ବଡ଼ପଣ୍ଡା

Advertisment

ଭାରତବର୍ଷର ବିଭିନ୍ନ ଦେବସ୍ଥଳୀରେ ଭକ୍ତଙ୍କୁ ମାଗଣା ପ୍ରସାଦ ଯୋଗାଇ ଦିଆଯାଉଥିବାରୁ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମାଗଣାରେ ମାଟି-କୁଡୁଆରେ ମହାପ୍ରସାଦ ଯୋଗାଇବାକୁ ଓଡ଼ିଶା ସରକାର ଯୋଜନା କରିଛନ୍ତି। ଏ ବାବଦରେ ବର୍ଷକୁ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ, ଯାହା ବଦାନ୍ୟ ବ୍ୟକ୍ତିଙ୍କ ଦାନରୁ ଭରଣା କରାଯିବ ଓ ଏଥିପାଇଁ ସରକାରଙ୍କ ଉପରେ ଆର୍ଥିକ ଚାପ ନ ପଡ଼ିଲେ ବି ଦୈନିକ ପ୍ରାୟ ୧୦ ହଜାର ମାଟିକୁଡୁଆ ସହିତ ଅତିରିକ୍ତ ୩୦ ହଜାର ଓଳି ବା ଛୋଟ କୁଡୁଆ ଆବଶ୍ୟକ ପଡ଼ିବ। ଭକ୍ତ ଓ ଦର୍ଶନାର୍ଥୀଙ୍କୁ ସ୍ବଳ୍ପ ମୂଲ୍ୟରେ ଉଚ୍ଚ ମାନର ଶ୍ରୀମହାପ୍ରସାଦ ସୁବିଧାରେ ମିଳିବାକୁ ସମସ୍ତେ ସ୍ବାଗତ କରୁଥିଲା ବେଳେ, ମାଗଣାରେ କୁଡୁଆରେ ମହାପ୍ରସାଦ ବଣ୍ଟନ ପ୍ରସ୍ତାବକୁ ଏକ ଅଦୂରଦର୍ଶୀ ପରିକଳ୍ପନା କୁହାଯାଇପାରେ। 
କୁଡୁଆ ହେଉଛି ମାଟିରେ ହାତ ଦ୍ବାରା ତିଆରି ଏଭଳି ଏକ ପାତ୍ର, ଯାହା ଅବଢ଼ା ପ୍ରସ୍ତୁତି ଓ ପରିବେଷଣ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। କୁଡୁଆକୁ ଓଳି, ସରା, ବଢ଼ା, ତାଡ଼ ଇତ୍ୟାଦି ମଧ୍ୟ କୁହାଯାଏ। ପୁରୀ ଶ୍ରୀମନ୍ଦିର, ଭୁବନେଶ୍ବର ଲିଙ୍ଗରାଜ, ଅନନ୍ତ ବାସୁଦେବ ମନ୍ଦିର ଓ ପୁରୀ ନିକଟସ୍ଥ ବ୍ରହ୍ମଗିରିରେ ଥିବା ଅଲାରନାଥ ମନ୍ଦିରରେ କୁଡୁଆରେ ପ୍ରସାଦ ରନ୍ଧନ କରାଯାଏ। କିଛି ମନ୍ଦିରରେ ପିତ୍ତଳ ତିଆରି ହଣ୍ଡାହାଣ୍ଡିରେ ରୋଷେଇ କରାଯାଇ ଭୋଗ ଅର୍ପଣ ପରେ ପ୍ରସାଦକୁ କୁଡୁଆରେ ଭର୍ତ୍ତି କରି ଭକ୍ତଙ୍କୁ ବିକ୍ରି କରାଯାଉଥିବାର ଦେଖାଯାଉଛି। 
ଶ୍ରୀମନ୍ଦିରରେ ପ୍ରତ୍ୟହ ପାଞ୍ଚ ପ୍ରକାରର ତାଡ଼, ଛଅ ପ୍ରକାର ହାଣ୍ଡି ବ୍ୟବହାର ବିଧି ରହିଛି। ତା’ ଛଡ଼ା ଛଅ ପ୍ରକାର କୁଡୁଆ, ଛଅ ପ୍ରକାର ଓଳି, ଚାରି ପ୍ରକାର ସରା ବ୍ୟବହାର ହେଇଥାଏ। ଏହା ବ୍ୟତୀତ ଆଉ କେତେ ପ୍ରକାର ଆଟିକା, ପଲମ ଓ ଦୀପ-ଦୀପାଳି ଇତ୍ୟାଦି ବ୍ୟବହାର କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କର ‘ରତ୍ନହାଣ୍ଡି ଜାଗିରି’ ଭୋଗ ଦଖଲ କରୁଥିବା କୁମ୍ଭକାର ବିଶୋଇମାନେ ସେହି ଜାଗିରିରୁ ସଂଗ୍ରହ କରୁଥିବା ରତ୍ନମାଟିକୁ ବ୍ୟବହାର କରି ରତ୍ନହାଣ୍ଡି ତିଆରି କରନ୍ତି। ରତ୍ନହାଣ୍ଡି ହେଉଛି ନାଲି ରଙ୍ଗର ମାଟିପାତ୍ର। ନୀଳାଦ୍ରି ମହୋଦୟ ନିର୍ଦ୍ଦେଶରେ ଶ୍ରୀମନ୍ଦିର ରୋଷଘରକୁ କେବଳ ନାଲି ରଙ୍ଗର ମାଟି ହାଣ୍ଡି ପ୍ରବେଶ କରିଥାଏ। ଶଙ୍ଖ, ଚକ୍ର, ଗଦା ଓ ପଦ୍ମ- ଏହି ଚାରିଟି ସାଂକେତିକ ଆଧାରରେ କୁଡୁଆର ସୃଷ୍ଟି। 
ଗତ ମାସରେ ଲୁହା କଡ଼େଇରେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତି ହେଉଥିବାର ଖବର ପ୍ରଘଟ ହେବା ପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଓ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶ୍ରୀମନ୍ଦିରର ଶହ ଶହ ବର୍ଷର ପରମ୍ପରାକୁ ଭଙ୍ଗ କରାଯାଇ ଲୁହା କଡ଼େଇରେ ପ୍ରସାଦ ରନ୍ଧନକୁ ସମସ୍ତେ ସମାଲୋଚନା କରିଥିଲେ। ଅଥଚ କେହି ପ୍ରଶ୍ନ କରି ନ ଥିଲେ ଯେ କୁଡୁଆ କ’ଣ ନିଅଣ୍ଟ ପଡୁଛି କି? ଏହାର ସମାଧାନ କିପରି ସମ୍ଭବ ଓ ମାଗଣା ମହାପ୍ରସାଦ ବଣ୍ଟନ ପାଇଁ ଅତିରିକ୍ତ ମାଟି କୁଡୁଆ କିପରି ମିଳିପାରିବ? 
ଆଗାମୀ ଦିନରେ ମାଟି କୁଡୁଆ ଅଭାବ ହେତୁ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟାପକ ବିଭ୍ରାଟ ହେବାର ଆଶଙ୍କା ରହିଛି। ଏଣୁ ପ୍ରଶାସନ ଏହାର ଶୀଘ୍ର ସମାଧାନ କରନ୍ତୁ ବୋଲି ମହାସୁଆର ନିଯୋଗ ଦାବି କରିଥିଲା ବେଳେ ସେମାନେ କାହିଁକି ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ମହାପ୍ରସାଦ ରାନ୍ଧୁଥିଲେ ବୋଲି ପ୍ରଶ୍ନ କରି ସମାଲୋଚନା କରିଛି କୁମ୍ଭକାର ନିଯୋଗ। କୁଡୁଆ ଅଭାବ ପାଇଁ ପ୍ରଶାସନକୁ ଦାୟୀ କରିଛି ଶ୍ରୀମନ୍ଦିର କୁମ୍ଭକାର ନିଯୋଗ। 
ପୁରୀର ଟିକରପଡ଼ା, ଗୋପାଳପୁର, କୁମ୍ଭାରପଡ଼ା ଓ ପୁରୀ ନିକଟବର୍ତ୍ତୀ ନିର୍ଦ୍ଦିଷ୍ଟ ଗ୍ରାମାଞ୍ଚଳରୁ ମାଟିକୁଡୁଆ ଶ୍ରୀମନ୍ଦିରକୁ ଆସିଥାଏ। ତେବେ ଏହି ପାରମ୍ପରିକ ମାଟିକୁଡୁଆ ପ୍ରସ୍ତୁତ କରିବାକୁ କୁମ୍ଭକାର ଯୁବପିଢ଼ି ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହା ପଛରେ ଏକାଧିକ କାରଣ ରହିଛି। ପ୍ରଥମେ, କୁଡୁଆ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ପରିମାଣର ମାଟି ଆଉ ମିଳୁନାହିଁ। ଉପଯୁକ୍ତ ମାଟି ବିଭିନ୍ନ ସ୍ଥାନରୁ ସଂଗ୍ରହ ଓ ପରିବହନ କରି ଆଣିବା ବ୍ୟୟସାପେକ୍ଷ। ଦ୍ବିତୀୟରେ ଗଢ଼ା ହୋଇଥିବା କୁଡୁଆଗୁଡ଼ିକୁ ଭାଟିରେ ପୋଡ଼ିବା ପାଇଁ ଆବଶ୍ୟକ ଜାଳେଣି ଦର ବଢ଼ିଚାଲିଛି। ତୃତୀୟରେ କୁଡୁଆ ପ୍ରସ୍ତୁତି ଏକ କଷ୍ଟସାଧ୍ୟ କାର୍ଯ୍ୟ ଓ ପରିଶ୍ରମ ଅନୁଯାୟୀ ଏହାର ବଜାର ମୂଲ୍ୟ ସେମାନଙ୍କୁ ମିଳୁନାହିଁ। ତେଣୁ ଯୁବ କୁମ୍ଭକାରମାନେ କୁଡୁଆ ତିଆରି ପାଇଁ ଅନିଚ୍ଛୁକ। ଏହିସବୁ କାରଣରୁ ଆଗକୁ ଏହି ସମସ୍ୟା ବଢ଼ିବ ସିନା, ଉପଯୁକ୍ତ ପଦକ୍ଷେପ ନ ନେଲା ଯାଏଁ କେବେହେଁ କମିବା ସମ୍ଭବ ନୁହେଁ। ଏ ନେଇ କୁମ୍ଭକାର ନିଯୋଗ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ପ୍ରସ୍ତାବ ଦେଇ ଆସିଛନ୍ତି ଯେ, ରାଜ୍ୟ ସରକାର କୁଡୁଆ ତିଆରି ପାଇଁ ଏକ କାରଖାନା ପ୍ରତିଷ୍ଠା କଲେ ଆବଶ୍ୟକ ପରିମାଣର କୁଡୁଆ ସେଠାରେ ତିଆରି ହେବ, ଶ୍ରୀମନ୍ଦିରରେ କୁଡୁଆକୁ ନେଇ ସମସ୍ୟା ରହିବ ନାହିଁ। 
ପୁରୀ ସହର ଆଖପାଖରେ ଥିବା କୁମ୍ଭାରଶାଳଗୁଡ଼ିକ ୨୦୧୯ ମସିହାର ପ୍ରଳୟଙ୍କରୀ ‘ଫନି’ ବାତ୍ୟାରେ ଭାଙ୍ଗି ଯାଇଥିଲା। ସେତେବେଳେ, ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ କୌଣସି ଆର୍ଥିକ ସାହାଯ୍ୟ ଦେଇନଥିଲେ। କୁଡୁଆ ତିଆରି ପାଇଁ ଏବେ ମାତ୍ର ୧୨ଟି ବଡ଼ ଭାଟି ରହିଥିଲା ବେଳେ, ଅଧିକ ୨୦୦ ଭାଟିର ଆବଶ୍ୟକତା ରହିଛି। କିଛି ବର୍ଷ ତଳୁ କୁଡୁଆ ସଙ୍କଟ ଦେଖାଦେଲାଣି। ଯଦି ସରକାର ଓ ପ୍ରଶାସନ କୁମ୍ଭକାରଙ୍କ ମୌଳିକ ସମସ୍ୟାର ସମାଧାନ କରିବା ସହ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ, କୁଡୁଆ ଉତ୍ପାଦନରେ ଅଭାବ ରହନ୍ତା ନାହିଁ। ଉପଯୁକ୍ତ ମାଟି ସଂଗ୍ରହ ଓ ପରିବହନ, ଜାଳେଣି କାଠ ଯୋଗାଣ ଏବଂ ଶାଳ, ଭାଟି ତଥା ଗୋଦାମ ନିର୍ମାଣ ଭଳି ଭିତ୍ତିଭୂମି ସୃଷ୍ଟି ବ୍ୟବସ୍ଥା ନ କରିବା ଯାଏ ଯେ କୁଡୁଆ ପ୍ରସ୍ତୁତି କ୍ରମଶଃ କମି ଆସିବ, ଏହା ସମସ୍ତେ ଜାଣନ୍ତି। ସେମାନଙ୍କ ମୌଳିକ ସମସ୍ୟା ଯେ ପର୍ଯ୍ୟନ୍ତ ସମାଧାନ ହୋଇନାହିଁ, ସେ ପର୍ଯ୍ୟନ୍ତ ଅଧିକ ମାଟି କୁଡୁଆ ତିଆରି କରିବା ଅସମ୍ଭବ ହୋଇଥିଲେ ବି ସରକାର କିପରି ମାଟି କୁଡୁଆରେ ମହାପ୍ରସାଦ ବଣ୍ଟନ ନିଷ୍ପତ୍ତି ନେଲେ, ତାହା ସମସ୍ତଙ୍କୁ ଚକିତ କରିଛି।
ସୌର ଶକ୍ତିରୁ ଉତ୍ପାଦିତ ବିଦ୍ୟୁତ୍ ବ୍ୟବହାର କରି ମୋଟର ଚାଳିତ କୁମ୍ଭାର ଚକକୁ ଘୂରାଇବା ଆଉ ନୂଆ କଥା ହୋଇ ରହିନାହିଁ। ଗୋଟିଏ ଘଣ୍ଟାରେ ୨୫ରୁ ଅଧିକ ଛୋଟ, ବଡ଼ ମାଟିପାତ୍ର ଗଢ଼ିବା ଏବେ ସହଜ ହୋଇଛି। ଏଭଳି ଗୋଟିଏ ପ୍ରକଳ୍ପ ପାଇଁ ପ୍ରାୟ ୬୦ ହଜାର ଟଙ୍କା ଖର୍ଚ୍ଚ ହୁଏ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ବିଜୁଳି ଯୋଜନାରେ ଆଜିକାଲି ସୌର ଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ କରିବା କ୍ରମଶଃ ଲୋକପ୍ରିୟ ହେଉଥିବାରୁ ରାଜ୍ୟ ସରକାର ଚାହିଲେ, ସମସ୍ତ ଯୁବ କୁମ୍ଭକାରଙ୍କୁ ଏହି ଯୋଜନାରେ ସାମିଲ କରି ମୋଟର ଚାଳିତ କୁମ୍ଭାର ଚକ ଯୋଗାଇ ପାରନ୍ତେ। 
ଯେ କୌଣସି ଧାତୁ ପାତ୍ର ଅପେକ୍ଷା ମାଟିହାଣ୍ଡିରେ ପାକ ହୋଇଥିବା ଖାଦ୍ୟ ଅଧିକ ସୁସ୍ବାଦୁ ଓ ସ୍ବାସ୍ଥ୍ୟକର। କାରଣ ମାଟି ପାତ୍ରରେ ରୋଷେଇ ହୋଇଥିବା ଖାଦ୍ୟର ସୂକ୍ଷ୍ମ ପୋଷକ ତତ୍ତ୍ବ ନଷ୍ଟ ହୋଇ ନଥାଏ। ମାଟିପାତ୍ର କ୍ଷାରୀୟ ଗୁଣ ବହନ କରୁଥିବାରୁ ଅମ୍ଳ ପ୍ରଭାବକୁ ହ୍ରାସ କରି ଖାଦ୍ୟକୁ ସମତୁଲ ସ୍ତରକୁ ଆଣିଥାଏ, ଯାହା ସହଜରେ ହଜମ ହୋଇଥାଏ। ମାଟିପାତ୍ରରେ ରୋଷେଇ ଖାଦ୍ୟ ନିୟମିତ ଖାଉଥିବା ବ୍ୟକ୍ତି ମଧୁମେହ ଓ ଗଣ୍ଠି ଯନ୍ତ୍ରଣା ଭୋଗନ୍ତି ନାହିଁ। ତ୍ରୟୋଦଶ ଶତାବ୍ଦୀରେ ତୃତୀୟ ଅନଙ୍ଗଦେବଙ୍କ ସମୟରୁ ଶ୍ରୀଜିଉଙ୍କ ପାଇଁ ମହାପ୍ରସାଦ ଅନ୍ନ ଭୋଗ ମଣୋହି ବ୍ୟବସ୍ଥା ପ୍ରଚଳନ ହେବା ପର ଠାରୁ ହିଁ କୁଡୁଆରେ ରୋଷେଇ ଆରମ୍ଭ ହୋଇଥିଲା। ସେତେବେଳେ ଛତିଶା ନିଯୋଗରେ ସ୍ଥାନ ପାଇଥିଲା କୁମ୍ଭକାର ନିଯୋଗ। ସମୟ କ୍ରମେ ଛପନ ପଉଟି ଭୋଗର ପରିମାଣ ବୃଦ୍ଧି ପାଇବା ସହିତ ବଢ଼ି ଚାଲିଲା କୁଡୁଆର ଚାହିଦା। ବିପୁଳ ପରିମାଣର ମାଟିପାତ୍ର ଯୋଗାଇବାକୁ ଶ୍ରୀମନ୍ଦିର ପକ୍ଷରୁ କୁମ୍ଭାର ପଡ଼ା ଟିକରପଡ଼ା ଓ ନୂଆ ସାହିସ୍ଥିତ କୁମ୍ଭାରମାନଙ୍କୁ ଚୁକ୍ତିଭୁକ୍ତ କରାଯାଇଥିଲା।
ଶ୍ରୀମନ୍ଦିର ଭଣ୍ଡାର ଘରେ ମୂଲ୍ୟବାନ ରୁପା, କଂସା ଓ ପିତ୍ତଳ ନିର୍ମିତ ଧାତୁ ପାତ୍ରର ଅଭାବ ନ ଥିବା ସ୍ଥଳେ ମାଟି କୁଡୁଆର ବ୍ୟବହାର କାହିଁକି କରାଯାଏ, ତାହାର ବୈଜ୍ଞାନିକ କାରଣ ସଭିଏଁ ଜାଣିବା ଆବଶ୍ୟକ। ମାଟି କୁଡୁଆ ଅନ୍ୟାନ୍ୟ ରନ୍ଧନ ପାତ୍ର ଅପେକ୍ଷା ସ୍ବାସ୍ଥ୍ୟପ୍ରଦ ଓ ପବିତ୍ର। କୁଡୁଆ ରନ୍ଧା ଖାଦ୍ୟରେ ଭରପୁର ହୋଇ ରହିଥାଏ ଅଣୁ-ପୁଷ୍ଟିସାର। ଭାଟିରେ କୁଡୁଆକୁ ଏଭଳି ପୋଡ଼ାଯାଏ, ଯେପରିକି ଏହାର ରଙ୍ଗ ନାଲି ହୋଇଯିବ। ନାଲି ରଙ୍ଗର କୁଡୁଆରେ ପ୍ରସାଦ ରନ୍ଧନ କଲେ, ରନ୍ଧନ ଯଥାଶୀଘ୍ର ସମାହିତ ହୁଏ, ସମସ୍ତ ଅଂଶ ସମାନ ଭାବେ ସିଦ୍ଧ ହୋଇଥାଏ ଓ ରନ୍ଧନ ପରେ ଦୀର୍ଘ ସମୟ ଗରମ ରହେ। ସମୟ କ୍ରମେ ଜଗନ୍ନାଥ ଧର୍ମ ଦର୍ଶନରେ ବିଭିନ୍ନ ଚିନ୍ତା ଚେତନା ଓ ଦର୍ଶନର ସମନ୍ବୟ ଘଟିଛି, ହେଲେ ସକଳ ବୈଚିତ୍ର୍ୟ ଓ ବିବିଧତାକୁ ଆତ୍ମସ୍ଥ କରି ଯୁଗ ଯୁଗ ଧରି ଅକ୍ଷୁଣ୍ଣ ରହିଛି ଜଗନ୍ନାଥ ସଂସ୍କୃତିର ମୌଳିକତା, ଯାହା ମଧ୍ୟରେ ରହିଛି ଗୋଟିଏ କୁଡୁଆରେ ଥରେ ମାତ୍ର ରନ୍ଧନ ପରମ୍ପରା। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ମୂଳ ତତ୍ତ୍ବକୁ ନ ବୁଝି, କୁଡୁଆରେ ପ୍ରସ୍ତୁତ ମହାପ୍ରଭୁଙ୍କ ମହାପ୍ରସାଦକୁ କେହି ଅବୈଜ୍ଞାନିକ ଓ ଅନ୍ଧବିଶ୍ୱାସ କହିପାରନ୍ତି; ମାତ୍ର ସେମାନେ ଜାଣିବା ଦରକାର ଯେ ଏହା ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଯେତିକି ଉପାଦେୟ, ପରିବେଶ ପାଇଁ ସେତିକି ଉପଯୋଗୀ। ପ୍ଲାଷ୍ଟିକ୍ ପ୍ରଦୂଷଣ ଯୁଗରେ ମାଟି କୁଡୁଆରେ ମହାପ୍ରସାଦ ରନ୍ଧନର ପ୍ରାସଙ୍ଗିକତା ପ୍ରଶ୍ନାତୀତ। କୁଡୁଆକୁ ଥରକ ପରେ ପୁନର୍ବାର ବ୍ୟବହାର କରାଯାଏ ନାହିଁ। ଏହା ପରିବେଶ ଅନୁକୂଳ ଓ ଏହାକୁ ଭଲ ଭାବେ ଗୁଣ୍ଡ କରି ମାଟିରେ ମିଶାଇ ଦେଲେ, ତାହା କିଛି ଦିନ ମଧ୍ୟରେ ପୁନର୍ବାର ମାଟି ହୋଇଯାଏ। ଧାତବ ପାତ୍ରରେ ରୋଷେଇ ପରେ ତାହାକୁ ପରିଷ୍କାର କରି ପୁନର୍ବାର ବ୍ୟବହାର କରାଗଲେ, ଅଧିକ ଜଳ ନଷ୍ଟ ହେବା ସହିତ, ପ୍ରସାଦ ସଂକ୍ରମିତ ହେବାର ଆଶଙ୍କା ରହିପାରେ; ଯାହା କୁଡୁଆ କ୍ଷେତ୍ରରେ ହେବନାହିଁ। ତେବେ, ମୃତ୍ତିକା କ୍ଷୟ ଭରଣା କରିବା ପାଇଁ କୁଡୁଆ ସମେତ ସମସ୍ତ ମାଟି ତିଆରି ପାତ୍ରଗୁଡ଼ିକୁ ସଂଗ୍ରହ କରି, ସେଗୁଡ଼ିକୁ ସମ୍ପୂର୍ଣ୍ଣ ଗୁଣ୍ଡ କରି ମାଟିରେ ପରିଣତ କରିବାର ବ୍ୟବସ୍ଥା ସହିତ ଯୁବ-କୁମ୍ଭକାରମାନଙ୍କ ଉପାଦେୟ ପ୍ରସ୍ତାବ ସରକାର ଗ୍ରହଣ କରିନେବା ଉଚିତ ହେବ। 
ମୋ: ୯୪୩୮୨୯୯୦୩୭