ଓଡ଼ିଶାର ଖାଉଟିଙ୍କ ପାଇଁ ବାର୍ଷିକ ହାରାହାରି ୧୩ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍ ଆଳୁ ଆବଶ୍ୟକ ହେଉଥିଲା ବେଳେ ଆମ ରାଜ୍ୟରେ ସର୍ବାଧିକ ୩ ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦିତ ହେଉଛି। ଏତିକି ମାତ୍ର ଆଳୁ ସାଇତି ରଖିବା ପାଇଁ ଆବଶ୍ୟକ ସଂଖ୍ୟକ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ବେପାରୀମାନଙ୍କୁ ଅମଳ ସମୟରେ କୁଇଣ୍ଟାଲ ପିଛା ୫୦୦ରୁ ୭୦୦ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି। ଏପରି ଅଭାବୀ ବିକ୍ରି ଲାଭଜନକ ହେଉ ନଥିବାରୁ ଆଳୁ ଚାଷ କରିବା ଲାଗି ଚାଷୀମାନଙ୍କ ଭିତରେ ଆଗ୍ରହ କମିଯାଉଛି।
ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବା ପାଇଁ ୨୦୧୫ ମସିହାରେ ତତ୍କାଳୀନ ସରକାର ଆରମ୍ଭ କରିଥିଲେ ବହୁ ପ୍ରଚାରିତ ଆଳୁ ମିସନ୍। ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନୀଳନକ୍ସା ଅଙ୍କନ କରାଗଲା, ଆର୍ଥିକ ଖସଡ଼ା ପ୍ରସ୍ତୁତ ହେଲା। ଆଶା ସୃଷ୍ଟି ହେଲା, ସତେ ଯେପରି ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ୩-୪ ବର୍ଷ ମଧ୍ୟରେ ସ୍ବାବଲମ୍ବୀ ହୋଇଯିବ। କିନ୍ତୁ ଏହି ପ୍ରଚାରସର୍ବସ୍ବ ମିସନ୍ ସମ୍ପୂର୍ଣ୍ଣ ବିଫଳ ହେବାରୁ ଚାଷୀମନେ କ୍ଷତି ସହିଲେ ଓ ଏତେ ମାତ୍ରରେ ବିତସ୍ପୃହ ହୋଇଗଲେ ଯେ, ଓଡ଼ିଶା ପୁନର୍ବାର ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଲା।
ଯୋଜନା ମୁତାବକ ଆଳୁ ମିସନ୍ର ଲକ୍ଷ୍ୟ ହାସଲ ହୋଇ ପାରିଥିଲେ ୨୦୧୯-୨୦ ବର୍ଷ ବେଳକୁ ଓଡ଼ିଶା ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଥାଆନ୍ତା। କିନ୍ତୁ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ମନ ବଳାଇଥିବା ଉଦ୍ୟୋଗୀମାନଙ୍କୁ ସହଯୋଗ ନ କରି ଅଧିକାରୀମାନେ ହଇରାଣ କଲେ। ଫଳରେ, ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ ହୋଇପାରିଲା ନାହିଁ। ରାଜ୍ୟର ଯୁବ ଉଦ୍ୟୋଗୀମାନେ ବ୍ୟାଙ୍କମାନଙ୍କରୁ ଋଣ ନେଇ ଯେଉଁ କେତୋଟି ଶୀତଳଭଣ୍ଡାର ନିର୍ମାଣ କଲେ, ସେଗୁଡ଼ିକୁ ଉଚ୍ଚମାନର ନିରନ୍ତର ବିଦ୍ୟୁତ୍ ଯୋଗାଣ କରା ନଯିବାରୁ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଡିଜେଲ୍ ଜେନେରେଟର୍ ଚଳାଇବାକୁ ପଡ଼ିଲା। ଚାଷୀମାନେ, ନିଜ ଉତ୍ପାଦିତ ଆଳୁକୁ ଶୀତଳଭଣ୍ଡାରରେ ଅଧିକ ଭଡ଼ା ଗଣି ସାଇତିଲେ ବି ଲାଭ ବଦଳରେ କ୍ଷତି ସହିଲେ। ବିଳମ୍ବରେ ନିକୃଷ୍ଟ ମାନର ଆଳୁ ବିହନ ଯୋଗାଇ ଦିଆଯିବାରୁ ଅମଳ କମିଲା, ଚାଷୀ ହତୋତ୍ସାହିତ ହୋଇ ଆଳୁ ଚାଷ ଛାଡ଼ିଦେଲେ। ତେଣୁ ପ୍ରଥମ କଥା ହେଲା, କୃଷି ଓ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ପଦରେ ବୈଷୟିକ ଅଧିକାରୀଙ୍କୁ ନିଯୁକ୍ତି ନ ଦେଇ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଚାଲିଥିବା ଯାଏ ବାସ୍ତବରେ ଆଳୁ ଚାଷ ସମ୍ଭବ ହେବ ନାହିଁ।
ଆଳୁ ମିସନ୍ ଆରମ୍ଭ ହେବାର ୨୦ ବର୍ଷ ପୂର୍ବରୁ ଓଡ଼ିଶାରେ ଯେତେ ଆଳୁ ଉତ୍ପାଦନ ହେଉଥିଲା କ୍ରମଶଃ ତାହା ହ୍ରାସ ପାଇବାର ପ୍ରମୁଖ କାରଣ ଥିଲା ଯେ, ଉତ୍ପାଦିତ ଆଳୁକୁ ସଂରକ୍ଷିତ କରି ରଖିବା ପାଇଁ ଶୀତଳଭଣ୍ଡାରର ଅଭାବ। ଘନ ଘନ ବିଦ୍ୟୁତ୍ କାଟ୍, ଚଢ଼ା ବିଜୁଳି ଦର ଓ ଅନ୍ୟାନ୍ୟ କାରଣ ଯୋଗୁଁ ସମବାୟ ଭିତ୍ତିରେ ପ୍ରତିଷ୍ଠିତ ବହୁ ଶୀତଳଭଣ୍ଡାର ଅକାମୀ ହୋଇ ପଡ଼ିଥିଲା। ସେଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ଓ ଆଧୁନିକୀକରଣ କରାଗଲା ନାହିଁ। ସେଥିପାଇଁ ଚାଷୀମାନେ ଅଧିକ ଆଳୁ ଓ ପରିବାପତ୍ର ଉତ୍ପାଦନ କରିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ। ଓଡ଼ିଶାରେ ଖାଦ୍ୟ ମୁଦ୍ରାସ୍ଫୀତି ସର୍ବାଧିକ ରହିବାର ମୁଖ୍ୟ କାରଣ ହେଲା ଶୀତଳଭଣ୍ଡାର ଅଭାବ।
ପଶ୍ଚିମବଙ୍ଗ ଆଳୁ ନଦେଲେ ଓଡ଼ିଶାରେ କିଭଳି ହାହାକାରମୟ ପରିସ୍ଥିତି ସୃଷ୍ଟି ହୁଏ ତାହା ଏବେ ସାରା ଓଡ଼ିଶାର ଲୋକେ ଅନୁଭବ କରୁଛନ୍ତି। ଏବେ, ଉତ୍ତରପ୍ରଦେଶ ଓ ବଙ୍ଗ ଆଳୁ ଉପରେ ଭରସା କରାଯାଉଛି। କିନ୍ତୁ, କଥାରେ ଅଛି ପରା: ମାଗିଆଣିଲା ତିଅଣ ସୁଡୁକାଏ!
ଶୀତଳଭଣ୍ଡାର ବ୍ୟବସାୟୀ ସଂଘ ଶୀତଳଭଣ୍ଡାର ଚଳାଇ ରଖିବା ଅତ୍ୟନ୍ତ କଷ୍ଟସାଧ୍ୟ ହେଲାଣି ବୋଲି ଦର୍ଶାଇ ଚାଲିଛନ୍ତି। ଏଥିପାଇଁ, ସେମାନେ ଅଧିକ ରିହାତି ମଧ୍ୟ ଦାବି କରୁଛନ୍ତି। ୫ ହଜାର ମେଟ୍ରିକ୍ ଟନ୍ କ୍ଷମତାସମ୍ପନ୍ନ ଶୀତଳଭଣ୍ଡାରକୁ ଚଳାଇ ରଖିବା ପାଇଁ ବାର୍ଷିକ ପ୍ରାୟ ଦୁଇ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଥିରେ, ବ୍ୟାଙ୍କ ଋଣ ପରିଶୋଧ କରି, ନିୟମିତ ବିଦ୍ୟୁତ୍ ଦେୟ ପ୍ରଦାନ କରିବା ମଧ୍ୟ କଷ୍ଟସାଧ୍ୟ ହେଉଛି। ଆଳୁ ମିସନ୍ କାର୍ଯ୍ୟକାଳ ମଧ୍ୟରେ ଚାଷୀଙ୍କୁ ସବ୍ସିଡିଯୁକ୍ତ ନିମ୍ନମାନର ଆଳୁ ବିହନ, ପୁଣି ତାହାକୁ ବିଳମ୍ବରେ ଦିଆଯିବାରୁ ଚାଷୀଙ୍କ ଉତ୍ପାଦନ କମି ଯାଇଥିଲା। ଉତ୍ପାଦନ ସ୍ଥଳରେ ଶୀତଳଭଣ୍ଡାର ନଥିବାରୁ ଓ ଲାଭଜନକ ମୂଲ୍ୟରେ ବିକ୍ରି ନ ହେବାରୁ, ଆଳୁ ମିସନ୍ ଫେଲ୍ ହେଲା। ଚାଷୀଙ୍କ ଆର୍ଥିକ ଅବସ୍ଥା ଏତେ ଦୟନୀୟ ଯେ, ସେମାନେ ସହରରେ ଥିବା ଶୀତଳଭଣ୍ଡାର ଯାଏ ଟ୍ରକ୍ରେ ବୋହି, ଶୀତଳଭଣ୍ଡାର ଭଡ଼ା ଦେଇ ଉତ୍ପାଦିତ ଆଳୁକୁ ସାଇତିବା ଅସମ୍ଭବ। ସ୍ଥାନୀୟ ବେପାରୀଙ୍କ ସାହାଯ୍ୟ ନେଇ ପଶ୍ଚିମବଙ୍ଗ ଶୀତଳଭଣ୍ଡାର ମାଲିକ ଆମ ଚାଷୀଙ୍କ ବିଲମୁଣ୍ଡରୁ ଶସ୍ତାରେ ଏବେ ବି ଅମଳ ସମୟରେ ଆଳୁ କିଣି ନେଉଛନ୍ତି। ପଶ୍ଚିମବଙ୍ଗରେ ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ୍ ମୂଲ୍ୟ ଓଡ଼ିଶା ଅପେକ୍ଷା କମ୍। ଓଡ଼ିଶାରେ ବାରମ୍ବାର ବିଜୁଳି କାଟ, ଲୋ ଭୋଲ୍ଟେଜ୍ ଇତ୍ୟାଦି କାରଣରୁ ଓଡ଼ିଆ ଉଦ୍ୟୋଗୀ ନିରୁତ୍ସାହିତ ଥିଲାବେଳେ, ପଶ୍ଚିମବଙ୍ଗ ଉଦ୍ୟୋଗୀମାନେ ଓଡ଼ିଶାର ଆଳୁ ବେପାରୀଙ୍କ ସହ ବ୍ୟବସ୍ଥିତ ଢଙ୍ଗରେ ଯୋଗାଯୋଗ ରଖି ଆସୁଛନ୍ତି, ଯାହାକୁ ନୂଆ ନୂଆ ଶୀତଳଭଣ୍ଡାର ନିର୍ମାଣ କରିଥିବା ଓଡ଼ିଆ ଉଦ୍ୟୋଗୀ ଭେଦ କରିବା କଷ୍ଟ। ପ୍ରାୟ ଚାଳିଶରୁ ଅଧିକ ବେସରକାରୀ ଶୀତଳଭଣ୍ଡାର ବ୍ୟାଙ୍କ ଋଣ ସାହାଯ୍ୟରେ ନିର୍ମିତ ହୋଇ ସାରିଥିଲେ ବି ମୁଖ୍ୟତଃ ମଂଜୁର ହୋଇଥିବା ସବ୍ସିଡି ଦିଆଯାଇ ନଥିବାରୁ ସେହି ଋଣ ଏନ୍ପିଏ ବା ଅନାଦେୟ ଋଣ ପାଲଟିଛି। ବ୍ୟାଙ୍କମାନେ ଏପରି ଶୀତଳଭଣ୍ଡାରଗୁଡ଼ିକୁ ତାଲା ପକାଇ ଦେଇଛନ୍ତି ଓ ଉଦ୍ୟୋଗୀଙ୍କ ବିରୋଧରେ ଋଣ ଆଦାୟ ଟ୍ରିବୁନାଲ୍ରେ ମକଦ୍ଦମା କରିଛନ୍ତି। ଆଉ କିଛି ସ୍ଥଳରେ ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥାଙ୍କ ସହ ଦେୟକୁ ନେଇ ବିବାଦ କାରଣରୁ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି। ଏସବୁର ଗୋଟି ଗୋଟି ସମୀକ୍ଷା କରି ସମାଧାନ କରାଯାଇପାରିଲେ, ଦୁଇ-ତିନି ମାସ ମଧ୍ୟରେ ଅନ୍ତତଃ ୧୫ଟି ବେସରକାରୀ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ ହୋଇପାରନ୍ତା। ନୂଆ ଭଣ୍ଡାର ନିର୍ମାଣ ସମୟସାପେକ୍ଷ। ଏଣୁ, ଏକ ସଙ୍ଗେ ପୁରୁଣା ଭଣ୍ଡାରଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ସହିତ ନୂଆ ଭଣ୍ଡାର ମଧ୍ୟ ପ୍ରତିଷ୍ଠା କରାଯାଉ।
ସରକାରଙ୍କ ପକ୍ଷରୁ ଯେତେଗୁଡ଼ିଏ ଶୀତଳଭଣ୍ଡାର ନିର୍ମାଣ ହୋଇଛି, ସେଥିରୁ ଅଧିକାଂଶ ଚାଷୀଙ୍କୁ ସମ୍ପୃକ୍ତ ନକରି ଉତ୍ପାଦନସ୍ଥଳ ଠାରୁ ବହୁ ଦୂରରେ ରହିଛି। ବନ୍ଦ ରହିଥିବା ଶୀତଳଭଣ୍ଡାରରେ କୋଟି କୋଟି ଟଙ୍କାର ଯନ୍ତ୍ରପାତି ଖତ ଖାଉଛି ଓ ବ୍ୟାଙ୍କ ଋଣ ଅନାଦେୟ ରହିଛି। ତେଣୁ ଯେଉଁ ଯୁବକଯୁବତୀମାନେ ନିଜର ଜମିବାଡ଼ି ବିକି ମୂଳଧନ ଯୋଗାଡ଼ କରି ଶୀତଳଭଣ୍ଡାର ପ୍ରତିଷ୍ଠା କରିଥିଲେ, ସେଗୁଡ଼ିକୁ ଯଥାଶୀଘ୍ର ସଚଳ କରିବାର ସମୟ ଆସିଛି। ସେଥିପାଇଁ କୃଷି ସଚିବ, ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ, ଉଦ୍ୟାନକୃଷି ଓ ଶକ୍ତି ବିଭାଗ ଏବଂ ଉଦ୍ୟୋଗୀଙ୍କୁ ଏକାଠି ବସାଇ ଗୋଟିଗୋଟି କରି ସମାଧାନର ରାସ୍ତା ବାହାର କରିବାକୁ ପଡ଼ିବ। ଶୀତଳ ଭଣ୍ଡାରଗୁଡ଼ିକୁ ରାଜରାସ୍ତା ସହ ଯୋଡ଼ି, ସେଠାରେ ଗ୍ରାମ୍ୟ ଗୋଦାମ, ମଣ୍ଡି ଇତ୍ୟାଦି ନିର୍ମାଣ କରିବାକୁ ପଡ଼ିବ। ଆଳୁ ଚାଷ ହେଉଥିବା ଅଞ୍ଚଳରେ ଆବଶ୍ୟକ ସଂଖ୍ୟକ ଦଶ ମେଟ୍ରିକ୍ ଟନ୍ ଆଳୁ ରଖିବା ଭଳି ଶୀତଳ ଭଣ୍ଡାର ନିର୍ମାଣ ହେବା ଦରକାର, ଯେଉଁଠି ନିଜସ୍ବ ସୌରବିଦ୍ୟୁତ୍ ବ୍ୟବସ୍ଥା ହଇବ୍ରିଡ୍ ଆକାରରେ ରହିଥିବ। ସରକାର ପ୍ରଥମ ପାଞ୍ଚ ବର୍ଷ ପାଇଁ ଚାଷୀଙ୍କ ଠାରୁ ଆଳୁ କିଣିନେଲେ, ଚାଷୀ ଆଳୁ ଚାଷ କରିବାକୁ ଆଗ୍ରହୀ ହେବେ ଏବଂ ଆଳୁ ଅମଳ ପରେ ସେଠାରେ ରାଶି ଚାଷ ମଧ୍ୟ କରିବେ। ଗୋଟିଏ ଜମିରେ ଧାନ, ଆଳୁ ଓ ତୈଳବୀଜ ଚାଷ ହେବ। ଶୀତଳଭଣ୍ଡାର ସଂଖ୍ୟା ଓ ଆଳୁ ଉତ୍ପାଦନ ମଧ୍ୟରେ ତାଳମେଳ ରଖିବା ପାଇଁ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରିବାକୁ ପଡ଼ିବ। ଓଡ଼ିଶା-ବଙ୍ଗ ଆଳୁ ମହାଜନଙ୍କ ମଧ୍ୟରେ ଚାଲିଆସିଥିବା ଅନୈତିକ ମେଣ୍ଟ ଭାଙ୍ଗିବ।
ଓଡ଼ିଶା ସରକାର ଚାଷୀଙ୍କ ଠାରୁ ଚଳିତ ବର୍ଷ ଧାନ କୁଇଣ୍ଟାଲ ପିଛା ୩,୧୦୦ ଟଙ୍କା ଦେବାକୁ ସ୍ଥିର କରିଥିବାରୁ, ଚାଷୀମାନେ ଆଳୁ ଚାଷ ନ କରିବାର ଆଶଙ୍କା ବଢ଼ିଛି। ସରକାରଙ୍କୁ ଅନୁରୋଧ, ରବି ଋତୁରେ ଅଣଧାନ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ରବି ଧାନ କିଣନ୍ତୁ ନାହିଁ। ଖରିଫ୍ ଭଳି ରବି ଧାନ ୩,୧୦୦ ଟଙ୍କାରେ କିଣାଗଲେ, ଆଳୁ ସମେତ ଡାଲି, ତୈଳବୀଜ ଓ ପରିବା ଚାଷ ବନ୍ଦ ହୋଇଯିବ; ଧାନ ଛଡ଼ା ଆଉ ସବୁକିଛି ଆମଦାନି କରିବାକୁ ପଡ଼ିବ।
ସରକାର ପ୍ରତି ସବ୍-ଡିଭିଜନ୍ରେ ଶୀତଳଭଣ୍ଡାର ନିର୍ମାଣ ନ କରି, ଅଧିକ ଆଳୁ ଉତ୍ପାଦନ ହେଉଥିବା ସ୍ଥାନରେ ଉଦ୍ୟୋଗୀମାନଙ୍କ ମାଧ୍ୟମରେ ଅଧିକ ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ଉଚିତ। ଯଦି ଉଦ୍ୟୋଗୀ ଅନାଗ୍ରହୀ ହେଉଥିବାର ଦେଖାଯିବ, ସରକାର ତାହା ପ୍ରତିଷ୍ଠା କରି ସ୍ଥାନୀୟ ଆଗ୍ରହୀ ବ୍ୟବସାୟୀ କିମ୍ବା କୃଷକ ଉତ୍ପାଦକ ସଂସ୍ଥାଙ୍କ ହାତରେ ପରିଚାଳନା ଭାର ଦେଇଦେବା ଉଚିତ। ସେହିପରି ରାଜ୍ୟରେ ଉନ୍ନତ ଆଳୁ ବିହନ ଉତ୍ପାଦନ କରିବାକୁ ହେବ ଏବଂ ଅକ୍ଟୋବର ମାସ ସରିବା ପୂର୍ବରୁ ବିହନ ଯୋଗାଣ କରିବାକୁ ପଡ଼ିବ। ସମବାୟ ସମିତି ଓ ବ୍ୟାଙ୍କ ପକ୍ଷରୁ ଉଭୟ ଚାଷୀ ଓ ଶୀତଳଭଣ୍ଡାର ମାଲିକଙ୍କୁ ପର୍ଯ୍ୟାପ୍ତ ଋଣ ଦେବାକୁ ହେବ। ଫସଲ ବୀମା ସୁବିଧା ସହିତ ସାର ଯୋଗାଣ ବ୍ୟବସ୍ଥିତ କରାଗଲେ, ଆଳୁ ଚାଷ ବଢ଼ିବା ସହିତ କୃଷି ଶ୍ରମିକ ମଧ୍ୟ ବର୍ଷସାରା ଆମ ରାଜ୍ୟରେ କାମ ପାଇବେ। ଦାଦନ ସମସ୍ୟା କମିଯିବ। ସମସ୍ୟାକୁ ସୁଯୋଗରେ ପରିଣତ କରି ଆମେ ଓଡ଼ିଆ ଅସ୍ମିତା ପ୍ରଦର୍ଶନ କରିପାରିବା।
ମୋ: ୯୪୩୮୨୯୯୦୩୭
ଆଶା ଓ ଆକାଶ: ମାଗିଆଣିଲା ତିଅଣ ସୁଡୁକାଏ
ଓଡ଼ିଶାର ଖାଉଟିଙ୍କ ପାଇଁ ବାର୍ଷିକ ହାରାହାରି ୧୩ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍ ଆଳୁ ଆବଶ୍ୟକ ହେଉଥିଲା ବେଳେ ଆମ ରାଜ୍ୟରେ ସର୍ବାଧିକ ୩ ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦିତ ହେଉଛି।