ଜାନକୀଶ ବଡ଼ପଣ୍ଡା

Advertisment

ଆନ୍ଧ୍ର ପ୍ରଦେଶର ବୃହତ୍ତମ ସହର ବିଶାଖାପାଟଣାରେ ଏବେ କାର୍ଯ୍ୟକ୍ଷମ ରହିଥିବା ସମୁଦ୍ର ତଟ ବିମାନ ବନ୍ଦରଟି ଭାରତୀୟ ନୌସେନା ଅଧୀନରେ ଥିବା ଏପରି ଏକ ସାମରିକ ବିମାନ ବନ୍ଦର, ଯାହାର କିଛି ଅଂଶ ସୀମିତ-ଅନ୍ତର୍ଜାତୀୟ ବେସାମରିକ ବିମାନ ସେବା ପାଇଁ ବ୍ୟବହାର କରାଯାଇ ଆସୁଛି। ଆଗାମୀ ଦିନରେ ଏହି ସାମରିକ ବିମାନ ବନ୍ଦରକୁ କେବଳ ନୌସେନା ବ୍ୟବହାର ପାଇଁ ଛାଡ଼ିଦେବାକୁ ସ୍ଥିର ହୋଇଥିବାରୁ, ବିଶାଖାପାଟଣା ଠାରୁ ୪୪ କିଲୋମିଟର ଦୂର ଭୋଗପୁରମ୍‌ରେ ‘ଅନ୍ତର୍ଜାତୀୟ ବିମାନବନ୍ଦର’ ନିର୍ମାଣ ଚାଲିଛି। ବଙ୍ଗୋପସାଗର ଉପକୂଳରେ ଏହି ନୂତନ ସବୁଜ ବିମାନବନ୍ଦର ପ୍ରାଥମିକ ଭାବେ ୩,୮୦୦ ମିଟର (୧୨,୫୦୦ ଫୁଟ) ଦୀର୍ଘ ରନ୍‌ୱେ ସହିତ ବର୍ଷକ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ପରେ, ରନ୍‌ୱେର ଲମ୍ବ ବଢ଼ାଯାଇ ପାରିବ। ୫,୩୧୧ ଏକର ଜମିରେ ବିମାନ ବନ୍ଦର ନିର୍ମାଣ କରିବାକୁ ଯୋଜନା ହୋଇଥିଲେ ବି ମାତ୍ର ୨,୭୦୩ ଏକର ଜମି ଅଧିଗ୍ରହଣ କରାଯାଇଛି। ଏ ବର୍ଷ ଡିସେମ୍ବର ମାସ ସୁଦ୍ଧା ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇ ବିମାନ ସେବା ଆରମ୍ଭ ହେବାକୁ ଯାଉଛି।
ଆଲୋଚ୍ୟ ଭୋଗପୁରମ୍ ବିମାନବନ୍ଦର ସହିତ ଆମ ଶ୍ରୀକ୍ଷେତ୍ରରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ମଧ୍ୟରେ କିଛି ସମାନତା ରହିଛି। ଉଭୟେ ନୂଆ ଓ ସବୁଜ ବିମାନ ବନ୍ଦର। ଉଭୟଙ୍କ ଅବସ୍ଥିତି ବଙ୍ଗୋପସାଗର କୂଳରେ ଏବଂ ନିର୍ମାଣ ସମାପ୍ତି ପରେ ଦୁଇ ବିମାନ ବନ୍ଦରରୁ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ ଉଡ଼ାଣ କରାଯିବ। କିନ୍ତୁ ବଡ଼ ତଫାତ ରହିବ ଆୟତନ ଓ ଆକାର ଦୃଷ୍ଟିରୁ। ପୁରୀରେ ମାତ୍ର ୧,୧୬୪ ଏକର ଜମିରେ କ୍ଷୁଦ୍ର ବିମାନ ବନ୍ଦରଟିଏ ପ୍ରତିଷ୍ଠା ହେବାକୁ ଯାଉଥିଲାବେଳେ, ପୁରୀ ଅପେକ୍ଷା ଦୁଇ ଗୁଣ ଅଧିକ ଜମିରେ ପ୍ରତିଷ୍ଠା ହେଉଛି ଭୋଗପୁରମ୍‌ ବିମାନ ବନ୍ଦର। 
ନିକଟ ଅତୀତରେ ନିର୍ମାଣାଧୀନ ବିମାନ ବନ୍ଦର ପାଇଁ ଯେଭଳି ମହତ୍ତ୍ବାକାଂକ୍ଷୀ ପରିକଳ୍ପନା ଆଧାରରେ ଜମି ଅଧିଗ୍ରହଣ ହୋଇ ସାରିଛି, ତାହାର ତଥ୍ୟ ଚକିତ କରିବାକୁ ଯଥେଷ୍ଟ। ଆମ ଦେଶର କିଛି ଗୁରୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ବିମାନ ବନ୍ଦରର ଆୟତନ ବହୁତ ବଡ଼- ଯେପରି ନୋଇଡା (୧୩ ହଜାର ଏକର), ହାଇଦ୍ରାବାଦ (୫,୫୦୦), ଦିଲ୍ଲୀ (୫,୧୦୬), ବେଙ୍ଗାଲୁରୁ (୪,୪,୦୦) ଇତ୍ୟାଦି। ନିର୍ମାଣ ଓ ସଂପ୍ରସାରଣ ଚାଲିଥିବା କିଛି ଅନ୍ତର୍ଜାତୀୟ ବିମାନବନ୍ଦରର ଆୟତନ ଏହିଭଳି: ପୁଣେ- ୬ ହଜାର ଏକର, ଚେନ୍ନାଇ (ଦ୍ବିତୀୟ)- ୫ ହଜାର ଏକର, ନାଭି ମୁମ୍ବାଇ- ୨,୯୦୦ ଏକର, ରାଜକୋଟ- ୨,୫୩୪ ଏକର, କେରଳର ସାବରିମାଲା- ୨,୫୭୦ ଏକର, ଗୋଆର ପାନାଜୀ- ୨,୧୩୨ ଏକର, ପଶ୍ଚିମବଙ୍ଗର କଲ୍ୟାଣୀ- ୧,୫୦୦ ଏକର। ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ବିମାନ ବନ୍ଦର ସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣ ବହୁତ ବଡ଼ ସମସ୍ୟା ସୃଷ୍ଟି କରୁଥିବାର ଉଦାହରଣ ଓଡ଼ିଶାର ଭୁବନେଶ୍ବର, ଝାରସୁଗୁଡ଼ା ଓ ରାଉରକେଲାରେ ଦେଖିବାକୁ ମିଳିଥିଲେ ହେଁ ଓଡ଼ିଶା ସରକାର ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ମାତ୍ର ୧,୧୬୪ ଏକର ଜମି ଅଧିଗ୍ରହଣ କରି କର୍ତ୍ତବ୍ୟ ଶେଷ କରିଛନ୍ତି। ଏହାକୁ ଅଦୂରଦର୍ଶିତା ଓ ସୁବିଧାବାଦୀ-ମାନସିକତା ବୋଲି କୁହାଯାଇ ପାରିବ। ଭବିଷ୍ୟତରେ ଦ୍ବିତୀୟ ରନ୍‌ୱେ ନିର୍ମାଣ ବେଳେ କିମ୍ବା ରନ୍‌ୱେର ଲମ୍ବ ବୃଦ୍ଧି ଆବଶ୍ୟକ ହେଲେ, ଅଧିକ ଜମି ଅଧିଗ୍ରହଣ କରିବାରେ ଅନେକ ପ୍ରତିବନ୍ଧକ ଆସୁଥିବା କାରଣରୁ ପୁରୀରେ ଏବେ ଠାରୁ ଅନ୍ତତଃ ୨ ହଜାର ଏକର ଜମି ଅଧିଗ୍ରହଣ କରାଯାଇ ଚାରି ପଟେ ଝାଉଁ ଜଙ୍ଗଲ ସୃଷ୍ଟି କରାଯିବା ଜରୁରି। ଯେଉଁ କ୍ଷେତ୍ରର ଭଗବାନ ‘ବଡ଼ ଠାକୁର’, ମନ୍ଦିର ‘ବଡ଼ଦେଉଳ’, ରାଜରାସ୍ତା ‘ବଡ଼ଦାଣ୍ଡ’ ଓ ଭୋଗ ‘ମହାପ୍ରସାଦ’, ସେହି କ୍ଷେତ୍ରର ବିମାନବନ୍ଦର ଯେ କ୍ଷୁଦ୍ର ହେବ, ତାହା ଓଡ଼ିଆ ଅସ୍ମିତା ପାଇଁ କେବଳ ଅପମାନଜନକ ନୁହେଁ, ବରଂ ବିକଶିତ ଓଡ଼ିଶା ବିରୁଦ୍ଧରେ ଏକ ଷଡ୍‌ଯନ୍ତ୍ର ବୋଲି କହିହେବ। ଭବିଷ୍ୟତରେ ପୁରୀ ବିମାନ ବନ୍ଦରକୁ ଅଧିକ ଆସନବିଶିଷ୍ଟ ବଡ଼ ବିମାନ ଯେପରି ଚଳାଚଳ କରି ନ ପାରିବ, ସେଥିପାଇଁ ମସୁଧା କରାଯାଉ ନାହିଁ ତ! 
ଭୁବନେଶ୍ବର ବିମାନବନ୍ଦର ଆୟତନ ବୃଦ୍ଧି ସମ୍ଭବ ହୋଇ ନ ପାରିବାରୁ ଜାନୁଆରି ପହିଲା ୨୦୨୧ରେ ପୁରୀରେ ଏକ ବିକଳ୍ପ ବିମାନ ବନ୍ଦର ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ବିମାନ ବନ୍ଦର ପ୍ରାଧିକରଣ ମଞ୍ଜୁରି ଦେବା ପରେ, ରାଜ୍ୟ ସରକାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରଦାନ କରିଥିଲେ। ଚଳିତ ଦଶନ୍ଧିରେ ଭୁବନେଶ୍ବର ବିମାନ ବନ୍ଦର କ୍ଷମତା ପୂର୍ଣ୍ଣ ମାତ୍ରାରେ ଉପଯୋଗ ହୋଇଯିବ। ତେଣୁ ବିକଳ୍ପ ବିମାନ ବନ୍ଦରର ଆବଶ୍ୟକତା ଥିବାରୁ ଏଥି ପାଇଁ ସବୁଠୁ ଉତ୍ତମ ସ୍ଥାନ ଭାବେ ପୁରୀକୁ ବଛା ଯାଇଥିଲା। ସବୁ କିଛି ଆଗେଇ ଚାଲିଥିଲା ବେଳେ, ଏବେ ହଠାତ୍ ପ୍ରସ୍ତାବିତ ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ବାଧା ଦିଆଯିବାକୁ ଉଦ୍ୟମ କରାଯାଇଛି। ମୂଳରୁ ଖର୍ବକାୟ କରି ଦିଆଯାଇଥିବା ପ୍ରସ୍ତାବିତ ବିମାନ ବନ୍ଦରର ଅପମୃତ୍ୟୁ ପାଇଁ ଏହାକୁ ଏକ ଷଡ୍‌ଯନ୍ତ୍ର ବୋଲି ମଧ୍ୟ କୁହାଯାଇପାରେ। 
କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ବାଧା ଦିଆଯିବାର ଉଦ୍ୟମ ବିଷୟରେ ସମସ୍ତେ ଜାଣିବା ଦରକାର। ପୁରୀରେ ବିମାନ ବନ୍ଦର ସହିତ ୬ ଲେନ୍‌ ବିଶିଷ୍ଟ ଏକ୍‌ସପ୍ରେସ ୱେ ନିର୍ମାଣ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଉପଦେଷ୍ଟା କମିଟି (ଏଫ୍‌.ଏ.ସି.)ର ମଞ୍ଜୁରି ଦିଆ ଯାଉନାହିଁ। କମିଟି ଦର୍ଶାଇଛି ଯେ ପ୍ରସ୍ତାବିତ ବିମାନ ବନ୍ଦର ନିକଟରେ ବିଲୁପ୍ତପ୍ରାୟ ଅଲିଭ ରିଡଲେ କଇଁଛ ଅଣ୍ଡା ଦିଅନ୍ତି। ଏଥି ସହିତ ଇରାୱାଡ଼ି ଡଲ୍‌ଫିନମାନଙ୍କର ଏହା ବାସସ୍ଥାନ। ଏଣୁ ପରିବେଶ ଦୃଷ୍ଟିରୁ ଉପକୂଳ ଅଞ୍ଚଳର ଏହା ଏକ ସମ୍ବେଦନଶୀଳ ସ୍ଥାନ। ଏହା ମଧ୍ୟ ଆଇଏନ୍‌ଏସ୍‌ ଚିଲିକା ନୌସେନା ଘାଟି ଓ ସେଣ୍ଟ୍ରାଲ ଏସିଆନ୍ ଫ୍ଲାଏୱେର ନିକଟତର। ତେଣୁ ଏହି ପ୍ରକଳ୍ପ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟର ମଧ୍ୟ ମତାମତ ନିଆଯିବା ଆବଶ୍ୟକ ବୋଲି କୁହାଯାଇଛି। ଗତ ନଭେମ୍ବର ୨୮ ତାରିଖରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଭୁବନେଶ୍ବରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ରିପୋର୍ଟକୁ ‘ଏଫ୍‌.ଏ.ସି.’ ଗମ୍ଭୀରତାର ସହ ନେଇ ଏହା ଉପରେ ରାଜ୍ୟ ସରକାରଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ମଞ୍ଜୁରିକୁ ସ୍ଥଗିତ ରଖି ପୁରୀ ଉପକୂଳରେ ଅଲିଭ ରିଡଲେ କଇଁଛ ଓ ଇରାୱାଡ଼ି ଡଲ୍‌ଫିନଙ୍କ ବାସସ୍ଥାନ ଏବଂ ସେମାନଙ୍କର ଗମନାଗମନ ପଥ ସଂପର୍କରେ ବିସ୍ତୃତ ଅନୁଧ୍ୟା‌ନ ରିପୋର୍ଟ ଦେବାକୁ ‘ଏଫ୍‌.ଏ.ସି.’ ନିର୍ଦ୍ଦେଶ ଦେଇଛି। 
୨୦୨୪ ମସିହା ଜୁନ୍‌ ୭ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ‘ଏଫ୍‌.ଏ.ସି.’ ନିକଟରେ ମଞ୍ଜୁରି ନିମନ୍ତେ ପଠାଇ ଥିଲେ। ଏହି ପ୍ରକଳ୍ପ ପାଇଁ ୨୭.୮୮ ହେକ୍‌ଟର ଜଙ୍ଗଲ ଜମି ବ୍ୟବହାର ନିମନ୍ତେ ତଥା ୧୩ ହଜାରରୁ ଅଧିକ ଗଛ କଟାଯିବାର ଆବଶ୍ୟକତା ଦର୍ଶାଇ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ। ଏହି ପ୍ରକଳ୍ପକୁ ‘ସମନ୍ବିତ ପ୍ରକଳ୍ପ’ ଭାବେ ଉପସ୍ଥାପନ କରାନଯାଇ ଭୁବନେଶ୍ବର ବିମାନ ବନ୍ଦରରୁ ପୁରୀର ପ୍ରସ୍ତାବିତ ବିମାନ ବନ୍ଦର ପର୍ଯ୍ୟନ୍ତ ୬ ଲେନ୍‌ ବିଶିଷ୍ଟ ଏକ୍‌ସପ୍ରେସ୍ ହାଇୱେ ଓ ପୁରୀ ବିମାନ ବନ୍ଦର ସଂପର୍କରେ ପୃଥକ ମଞ୍ଜୁରି ମଗାଯାଇଥିଲା। ଅନୁମତି ଯେଭଳି ସୁବିଧାରେ ମିଳିଯିବ ତାହାକୁ ଦୃଷ୍ଟିରେ ରଖି କୁଆଡ଼େ ତଥ୍ୟ ଉପସ୍ଥାପନ କରାଯାଇଥିଲା ବୋଲି ମତ ଦେଇଛନ୍ତି ‘ଏଫ୍‌.ଏ.ସି.’। 
ପାଠକମାନେ ଜାଣନ୍ତି ଯେ, ନୌସେନା ଅଧୀନରେ ଥିବା ଗୋଆ ଓ ବିଶାଖାପାଟଣା ବିମାନ ବନ୍ଦରରୁ ଆନ୍ତର୍ଜାତିକ ବିମାନସେବା ଆଜି ବି ଉପଲବ୍‌ଧ ହେଉଛି ଏବଂ ପୁରୀ-କୋଣାର୍କ ବେଳାଭୂମିରେ ଡଲ୍‌ଫିନ ଓ କଇଁଛଙ୍କ ଚଳପ୍ରଚଳ ହୁଏ ନାହିଁ। ତଥାପି ‘ଏଫ୍‌.ଏ.ସି.’ର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆପତ୍ତି ଦର୍ଶାଯାଇଛି ଓ ବିକଳ୍ପ ବିମାନବନ୍ଦର ନିର୍ମାଣ ଉପରେ ପ୍ରଶ୍ନ ଚିହ୍ନ ଲଗାଯାଉଛି। ସମୁଦ୍ର କୂଳରେ, ଏପରିକି ସମୁଦ୍ର ବକ୍ଷରେ ବିଶ୍ବର ପ୍ରତିଷ୍ଠିତ ବିମାନ ବନ୍ଦରଗୁଡ଼ିକର ରନ୍‌ୱେ ନିର୍ମିତ ହୋଇଛି। ବୈଷୟିକ ଦୃଷ୍ଟିରୁ ସମୁଦ୍ରତଟ ବିମାନ ବନ୍ଦର ଅଧିକ ନିରାପଦ ମନେ କରାଯାଏ। 
କେନ୍ଦ୍ର ସରକାରଙ୍କ ବିମାନବନ୍ଦର ସମ୍ପର୍କିତ ନୀତି ଅତ୍ୟନ୍ତ ଅସ୍ପଷ୍ଟ। ଯଦି ଭୁବନେଶ୍ବର ବିମାନ ବନ୍ଦରର ସଂପ୍ରସାରଣ ଅସମ୍ଭବ, ତେବେ, ଏଠାରେ ନୂଆ ଟର୍ମିନାଲ୍ ନିର୍ମାଣ ଓ ଭିତ୍ତିଭୂମି ଉନ୍ନୟନ କରାଯାଉଛି କାହିଁକି? ଯଦି ପୁରୀରେ ନୂଆ ବିମାନ ବନ୍ଦର ନିର୍ମାଣ କରାଗଲେ ପରିବେଶ କ୍ଷତିଗ୍ରସ୍ତ ହେବ, ତେବେ ପରିବେଶ ଓ ସାମାଜିକ କ୍ଷତି ଆକଳନ କର୍ତ୍ତୃପକ୍ଷ ବିମାନ ବନ୍ଦର ନିର୍ମାଣ ସପକ୍ଷରେ ମତାମତ ଦେଇଥିଲେ କିପରି? ଚିଲିକା ହ୍ରଦ ଭିତରେ ନୌଚାଳକ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଅନୁମତି ଦେଲା ବେଳେ ‘ଏଫ୍‌.ଏ.ସି.’ ପକ୍ଷରୁ କଇଁଛ ଓ ଡଲ୍‌ଫିନଙ୍କ ସୁରକ୍ଷା ଚିନ୍ତା କାହିଁକି କରାଯାଇ ନ ଥିଲା? ଅଲିଭ ରିଡଲେ କଇଁଛ ଓ ଇରାୱାଡ଼ି ଡଲ୍‌ଫିନଙ୍କ ବାସସ୍ଥାନ ଓ ସେମାନଙ୍କର ଗମନାଗମନ ପଥ ସଂପର୍କରେ ବିସ୍ତୃତ ଅନୁଧ୍ୟା‌ନ ରିପୋର୍ଟ କ’ଣ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଉପଦେଷ୍ଟା କମିଟି (ଏଫ୍‌.ଏ.ସି.) କିମ୍ବା କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଭୁବନେଶ୍ବରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପାଖରେ ନାହିଁ ଯେ, ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ? ‘ସିଙ୍ଗଲ୍ ଉଇଣ୍ଡୋ’ ବ୍ୟବସ୍ଥା ନ କରି ତିନି ବର୍ଷ ଧରି ନାଟକ କରାଯାଉଥିଲା କାହିଁକି? ସନ୍ଦେହ ହୁଏ ଯେ, ବିମାନ ବନ୍ଦର ନିର୍ମାଣ କରିବାର ଇଚ୍ଛା ନ ଥାଇ କେବଳ ଘୋଷଣା କରାଯାଇ ବିଲ୍‌ଡର ଓ ଜମି ମାଫିଆଙ୍କୁ ଲାଭ ପହଞ୍ଚାଇବା ଉଦ୍ଦେଶ୍ୟରେ ପୁରୀରେ ବିମାନ ବନ୍ଦର ପ୍ରତିଷ୍ଠା କଥା ଘୋଷଣ କରାଯାଇଥିଲା। 
ପୂର୍ବୋଦୟ, ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ଡବଲ ଇଞ୍ଜିନ ସରକାର ଭୁବନେଶ୍ବର ବିମାନ ବନ୍ଦର ସକାଶେ ବିକଳ୍ପ ସ୍ଥାନ ନିରୂପଣ କରି ସେଠାରେ ଭବ୍ୟ ଅନ୍ତର୍ଜାତୀୟ ମାନର ବିମାନ ବନ୍ଦର ନିର୍ମାଣ କରିବେ ନା କେବଳ ବିବୃତି ଓ ଗଣମାଧ୍ୟମରେ ଦୀର୍ଘ ରାଜନୈତିକ ଜୀବନ ବଞ୍ଚିବାକୁ ଚାହିଁବେ? କେରଳ ରାଜ୍ୟରେ ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିଲା ବେଳେ, ଆମ ରାଜ୍ୟରେ ଯେଉଁ ଗୋଟିକ ‘ଏକୋଇର ବଳା ବିଶିକେସନ’, ତାହାର ବାମନ ରୂପକୁ ପୂଜା କରି ୨୦୩୬ ବେଳକୁ ଆମେ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତୁତ ହୋଇପାରିବା ତ! ଆଶା, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଗକୁ ଅଧିକ ଗମ୍ଭୀରତାର ସହିତ ବିମାନ ବନ୍ଦର ପ୍ରତିଷ୍ଠା ଓ ସଂପ୍ରସାରଣ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିବେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୯୯୦୩୭