ଜାନକୀଶ ବଡ଼ପଣ୍ଡା

Advertisment

ପ୍ରତି ବର୍ଷ ବଢୁଥିବା ମୁଦ୍ରାସ୍ଫୀତି ହାର, ଜୀବନଯାପନ ଖର୍ଚ୍ଚ ଓ ଦେଶର ଅର୍ଥନୈତିକ ସ୍ଥିତିକୁ ବିଚାରକୁ ନେଇ ଅଷ୍ଟମ ବେତନ କମିସନଙ୍କ ସୁପାରିସ ଆଧାରରେ ଦରମା ବଢ଼ିବା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ହାତକୁ ପ୍ରତି ମାସରେ ପୂର୍ବାପେକ୍ଷା ଅଧିକ ଅର୍ଥ ଆସିବାକୁ ଯାଉଛି। ତାଙ୍କ ଦେଖାଦେଖି ସମସ୍ତ ରାଜ୍ୟରେ ସରକାରୀ, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ଦରମା ବଢ଼ିବା ସୁନିଶ୍ଚିତ। କଥା ସେତିକିରେ ଅଟକି ଯିବ ନାହିଁ। ସରକାର ତତ୍ପରତା ପ୍ରଦର୍ଶନ କରି କୁଶଳୀ, ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ବଢ଼ାଇବେ। କର୍ମଚାରୀଙ୍କ ଦରମା ଓ ଶ୍ରମିକଙ୍କ ମଜୁରି ବଢ଼ିଲେ, କାରଖାନା ପରିଚାଳନା ଖର୍ଚ୍ଚ ବଢ଼ିଯିବ; ଯାହାର ଭରଣା କରିବାକୁ ସମସ୍ତ ଶିଳ୍ପଜାତ ଉତ୍ପାଦର ଦର ବଢ଼ିବ- ଯାହା ମଧ୍ୟରେ ସାମିଲ ରହିବ ରାସାୟନିକ ସାର ଓ କୀଟନାଶକ। ପରିଣାମରେ ଫସଲର ସର୍ବନିମ୍ନ ମୂଲ୍ୟ ମଧ୍ୟ ବଢ଼ିବ। ଯାହାର ମୂଲ୍ୟ ଶହେ ଟଙ୍କା ଥିଲା, ତାହା ୨୦-୫୦ ପ୍ରତିଶତ ବଢ଼ିଗଲେ, ନା ସରକାରୀ କର୍ମଚାରୀ ବର୍ଦ୍ଧିତ ବେତନର ଲାଭ ପାଇବେ, ନା ଚାଷୀ କୃଷିଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧିର ଲାଭ ପାଇବେ। ଅଥଚ ସମସ୍ତଙ୍କ ହାତକୁ ଆସୁଥିବ ପୂର୍ବାପେକ୍ଷା ଅଧିକ ଅର୍ଥ। ଭାରତୀୟ ଅର୍ଥନୀତିର ଆକାର ସିନା ବଢ଼ିବ, ଏଥିରେ କେହି ଲାଭବାନ ହୋଇ ପାରିବେ କି? ଖରା, ବର୍ଷା, ଶୀତ କାକର ସହି ଚାଷ ଜମିରେ ଖାଦ୍ୟାନ୍ନ ଫଳାଇବାକୁ ଚାଷୀଙ୍କୁ ଆଗ୍ରହୀ କରିବାକୁ ଏଭଳି ଦରବୃଦ୍ଧି କେତେଦୂର ସହାୟକ ହେବ? ଏଭଳି ବିଷ ଚକ୍ରରୁ ଚାଷୀ କିପରି ଉଦ୍ଧାର ପାଇପାରିବ?
ଜଣେ କ୍ଷୁଦ୍ର ଚାଷୀ, ଯେ କି ବର୍ଷକୁ ଦୁଇ ଥର ଧାନ ଚାଷ କରନ୍ତି, ତାଙ୍କର ଉଦାହରଣ ନେବା। କେନାଲ ଯୋଗେ ଜଳସେଚିତ ତାଙ୍କର ଦୁଇ ଏକର ଚାଷ ଜମିରୁ ସେ ଏକର ପିଛା ୩୦ କୁଇଣ୍ଟାଲ୍ ହାରରେ ବର୍ଷକୁ ଦୁଇ ଥର ଧାନ ଚାଷ କରି ୩୦x୨x୨=୧୨୦ କୁଇଣ୍ଟାଲ୍ ଅମଳ କରିବେ। ଏହାକୁ ବିକିଲେ, ସେ ଏମଏସପି ଦର ଅନୁଯାୟୀ ୨ ଲକ୍ଷ ୭୬ ହଜାର ଟଙ୍କା ପାଇବେ ଓ ଏକର ପିଛା ୩୦ ହଜାର ଟଙ୍କା ହାରରେ ଦୁଇ ଏକର ଜମିରେ ଉଭୟ ଖରିଫ୍ ଓ ରବି ଋତୁରେ ବିନିଯୋଗ କରିଥିବା ସମୁଦାୟ ୧ ଲକ୍ଷ ୨୦ ହଜାର ଟଙ୍କା ବାଦ ଦେଲା ପରେ ତାଙ୍କ ହାତରେ ଅବଶିଷ୍ଟ ୧ ଲକ୍ଷ ୫୬ ହଜାର ଟଙ୍କା ରହିବ। ଓଡ଼ିଶା ସରକାର କୁଇଣ୍ଟାଲ୍ ପିଛା ୮୦୦ ଟଙ୍କା ଇନ୍‌ପୁଟ୍ ରିହାତି ଦେଉଥିବାରୁ ସେ ସମସ୍ତ ଧାନ ସରକାରଙ୍କୁ ବିକିଲେ, ହୁଏତ ଅଧିକ ୯୬ ହଜାର ଟଙ୍କା ପାଇବେ। ଅତଏବ, ଦୁଇ ଏକର ଜଳସେଚିତ ଚାଷ ଜମି ଥିବା ଜଣେ ଚାଷୀ ପରିବାରର ବାର୍ଷିକ ରୋଜଗାର କେବେହେଁ ଅଢ଼େଇ ଲକ୍ଷ ବା ମାସିକ ୨୧ ହଜାର ଟଙ୍କାରୁ ଅଧିକ ନୁହେଁ। ଚାଷୀ ପରିବାରର ସଦସ୍ୟମାନେ ଧାନ ଚାଷ ସହିତ ଗାଈ, ମତ୍ସ୍ୟ ଓ କୁକୁଡ଼ା ପାଳନ, ପନିପରିବା ଓ ଅର୍ଥକାରୀ ଫସଲ ଚାଷ କଲେ ପରିବାରର ରୋଜଗାର ବଢ଼ିବା ସମ୍ଭବପର। ତଥାପି, ବଜାରରୁ ତେଲ-ଲୁଣ କିଣିବାଠାରୁ ମୋବାଇଲ୍-ଟିଭି ଦେୟ, ପିଲାଙ୍କ କ୍ରମବର୍ଦ୍ଧିଷ୍ଣୁ ପାଠପଢ଼ା ଖର୍ଚ୍ଚ ତୁଲାଇବା ସମ୍ଭବ ହୋଇ ପାରିବନି। ଜଣେ ଅଣକୁଶଳୀ ଶ୍ରମିକ ମାସକୁ ୨୫ ଦିନ କାମ କରି ୧୨ ହଜାର ଟଙ୍କା ଓ ସରକାରୀ କାର୍ଯ୍ୟାଳୟରେ ନିଯୁକ୍ତ ସବୁଠୁ ତଳିଆ କର୍ମଚାରୀ ମାସିକ ୪୦ ହଜାର ଟଙ୍କା ପାଉଥିଲା ବେଳେ, ଦୟନୀୟ ଆର୍ଥିକ ପରିସ୍ଥିତିକୁ ସାମ୍ନା କରୁଥିବା ଚାଷୀ ପରିବାରଙ୍କୁ ଅନ୍ନଦାତା କହି ଆମେ ତାଙ୍କୁ ତାଚ୍ଛଲ୍ୟ କଲାଭଳି ମନେ ହୁଏ।
ପୂର୍ବ ସ୍ତମ୍ଭରେ ସଂଶୋଧିତ କୃଷି ଆଇନ ପୁନର୍ବାର ପାରିତ କରିବାକୁ ମତ ରଖି ଚୁକ୍ତିଭିତ୍ତିକ ଚାଷ ଓ ସାନ-ବଡ଼ କମ୍ପାନି/ଷ୍ଟାର୍ଟଅପମାନେ କୃଷି ସାମଗ୍ରୀର ବ୍ୟବସାୟ କରିବା ବ୍ୟବସ୍ଥା ରହିଲେ, ଚାଷୀ ଲାଭବାନ ହେବେ ବୋଲି ମତ ପ୍ରକାଶ କରିଥିଲୁ। ଯଦି ରାଜନୈତିକ ଦଳ, କୃଷକ ସଙ୍ଗଠନ ଓ ଚାଷୀମାନେ ଏଭଳି ଆଇନକୁ ଆଜି ବି ବିରୋଧ କରୁଥାଆନ୍ତି, ତେବେ କୃଷକଙ୍କ ସ୍ବାର୍ଥରକ୍ଷା ପାଇଁ ବିକଳ୍ପ ତଥା ନୂତନ କୃଷି ବ୍ୟବସ୍ଥାର ପରିକଳ୍ପନା କରିବା ଜରୁରି। 
ଭାରତରେ ଉତ୍ପାଦିତ ତୈଳବୀଜ, ଡାଲି, ପରିବା, ଖାଦ୍ୟଶସ୍ୟ, ଫଳ ଓ ପ୍ରାଣୀଜ ପୁଷ୍ଟିସାର ଜାତୀୟ ଖାଦ୍ୟ ବିଶ୍ବ ବଜାରରେ ସିଂହଭାଗ ଅଧିକାର କରିପାରିବାର ବିପୁଳ ସମ୍ଭାବନା ରହିଛି। ଦେଶରେ ୫୫ ପ୍ରତିଶତ ଓ ଓଡ଼ିଶାରେ ମାତ୍ର ୩୦ ପ୍ରତିଶତ ଜମିରେ ଜଳସେଚନ ସୁବିଧା ଥାଇ ଆମେ ଯେତିକି ଖାଦ୍ୟ ଶସ୍ୟ ଉତ୍ପାଦନ କରୁଛେ, ଜଳସେଚିତ ଜମି ପରିମାଣ ବଢ଼ାଇ ୭୦ ପ୍ରତିଶତ କରିପାରିଲେ, ଆମେ ଖାଦ୍ୟ ଉତ୍ପାଦନ ଦୁଇଗୁଣ କରିପାରିବା। ଉତ୍ପାଦନ ବଢ଼ାଇ ଚାଷୀ ଅଧିକ ଲାଭ ପାଇଲେ ସେମାନେ ଉନ୍ନତ କୃଷି ପଦ୍ଧତି ଓ ବିହନ ବ୍ୟବହାର କରିବେ, ଯାହା ଆମର ସମର୍ଥ କୃଷି ବୈଜ୍ଞାନିକମାନେ ଯୋଗାଇ ଦେବେ। ଭାରତରେ ଉତ୍ପାଦିତ କୃଷିଜାତ ସାମଗ୍ରୀ ଶସ୍ତାରେ ମିଳିଲେ, ଆମେ ଦେଶରେ ସେଗୁଡ଼ିକର ପ୍ରକ୍ରିୟାକରଣ କରି ରପ୍ତାନି କରିପାରିବା ଏବଂ ବିଶ୍ବ ବାଣିଜ୍ୟ ଯୁଦ୍ଧରେ ବିଜୟୀ ହେବା। ଏଣୁ, ଫସଲର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କଲାବେଳେ, ତାହା ଯେପରି ସର୍ବନିମ୍ନ ରହିବ, ସେଥିପ୍ରତି ସିଏସିପି ଦୃଷ୍ଟିଦେବା ଆବଶ୍ୟକ। ଆମକୁ ମନେ ରଖିବାକୁ ହେବ ଯେ, ସମସ୍ତ ଉତ୍ପାଦିତ ଖାଦ୍ୟଶସ୍ୟ ସରକାର କିଣିବା ସମ୍ଭବ ନୁହେଁ କିମ୍ବା ସମ୍ଭବ ହେଲେ ବି ଅନୁଚିତ ବୋଲି ଅର୍ଥନୀତିଜ୍ଞମାନେ ମତ ଦିଅନ୍ତି। ତେବେ, ଏହା ସତ୍ୟ ଯେ କୃଷକ ଯଦି ଲାଭଜନକ ମୂଲ୍ୟ ନ ପାଇବେ, ନିଶ୍ଚୟ ଚାଷରୁ ମୁହଁ ଫେରାଇନେବେ। 
ଆମକୁ ପ୍ରଥମେ ଜଳସେଚନ ବ୍ୟବସ୍ଥାକୁ ବଢ଼ାଇବାକୁ ପଡ଼ିବ। ବିଭିନ୍ନ ନଦୀରେ ଆଡ଼ିବନ୍ଧ ନିର୍ମାଣ, ପୋତି ହୋଇ ଯାଉଥିବା କେନାଲ୍, କଟା, ପୋଖରୀ ଇତ୍ୟାଦିକୁ ବ୍ୟବସ୍ଥିତ କରିବା କାମ ସରକାରଙ୍କର। କୃଷି ଓ ଜଳସେଚନ ବିଭାଗ ମିଳିତ ଭାବେ ଗ୍ରାମସଭା କରି ଫସଲ ପର୍ଯ୍ୟାୟ ସ୍ଥିର କରିବାକୁ ହେବ। ସେହି ଅନୁସାରେ କେନାଲ୍, ଉଠା ଜଳସେଚନରୁ ଜଳ ନିୟନ୍ତ୍ରଣ ହେବ, ଡ୍ରୋନ ସାହାଯ୍ୟରେ ନାନୋ ୟୁରିଆ, ଡିଏପି, କୀଟ-ରୋଗନାଶକ ଔଷଧ ସିଞ୍ଚନ ତଥା ସର୍ବେକ୍ଷଣ କରାଯାଇ ପାରିବ। ରାଜ୍ୟରେ ନିୟମିତ ବ୍ୟବଧାନରେ ଭୂସଂସ୍କାର ଓ ବନ୍ଦୋବସ୍ତ କରାଯାଇ ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ଆଇନ ଆସିବା ଦରକାର, ଯେପରି ସେମାନେ ମଧ୍ୟ ସମବାୟ ସମିତି ଓ ବ୍ୟାଙ୍କରୁ କୃଷି ଋଣ ପାଇ ପାରିବେ। କୃତ୍ରିମ ଉପଗ୍ରହ ଓ ଡ୍ରୋନ ମାଧ୍ୟମରେ ସଂଗୃହିତ ତଥ୍ୟ ଓ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ପ୍ରତ୍ୟେକ କିଆରିରେ ଚାଷ ହୋଇଥିବା ଫସଲର ତଥ୍ୟ ଅନୁଶୀଳନ କରାଯିବ। ସେହି ଆଧାରରେ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀମାନେ ନେଇଥିବା ସ୍ବଳ୍ପମିଆଦୀ ଫସଲ ଓ ଦୀର୍ଘମିଆଦୀ ଋଣ ଯଥା: କୂପ ଖନନ, କୃଷି ଯନ୍ତ୍ରପାତି କ୍ରୟ, ଭୂଉନ୍ନୟନ ଭଳି ପ୍ରକଳ୍ପ ଋଣର କିସ୍ତିକୁ କ୍ଷତିପୂରଣ ଭାବେ ସରକାର ସିଧାସଳଖ ବ୍ୟାଙ୍କଖାତାରେ ଜମା କରିଦେବା ଦରକାର। 
ଫସଲ ଉତ୍ପାଦନ ଏବେ ଜାତୀୟ ଆବଶ୍ୟକତା। ଆତ୍ମହତ୍ୟା ସମେତ ଚାଷୀଙ୍କ ବିବିଧ ପ୍ରସଙ୍ଗକୁ ନେଇ ରାଜନୈତିକ ରୁଟି ସେକା ଯାଉଥିଲେ ବି, ବାସ୍ତବରେ କୃଷି ଏକ ସାମାଜିକ, ଆର୍ଥିକ, ପରିଚାଳନାଗତ ଓ ବୈଷୟିକ ସମସ୍ୟା। ରାଷ୍ଟ୍ର ପକ୍ଷରୁ ଯେଭଳି ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବାସଗୃହ ଯୋଗାଇ ଦେବାର ପ୍ରୟାସ ଜାରି ରହିଛି, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ଭିତ୍ତିଭୂମି ତଥା ମାଗଣାରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି, ସେହିଭଳି ଖାଦ୍ୟ ଉତ୍ପାଦନ ପାଇଁ ମଧ୍ୟ ମାଗଣାରେ ମୃତ୍ତିକା ପରୀକ୍ଷା, ଉନ୍ନତ ମାନର ତଳି ଓ ବିହନ ଯୋଗାଣ, ଯାନ୍ତ୍ରିକ ଚାଷ ବ୍ୟବସ୍ଥା, ଚାଷୀଙ୍କ ଫସଲରେ ଡ୍ରୋନ ସାହାଯ୍ୟରେ ନିୟମିତ ଭାବେ ତରଳ ୟୁରିଆ, ଡିଏପି, କୀଟ-ରୋଗନାଶକ ଔଷଧ ସିଞ୍ଚନ ଇତ୍ୟାଦି କରିବା ଆବଶ୍ୟକ। ଯାନ୍ତ୍ରିକ ଚାଷ ପାଇଁ ଆବଶ୍ୟକ ଟ୍ରାକ୍ଟର, ଟିଲର୍, ଅମଳ ଯନ୍ତ୍ର, ଗ୍ରାମ୍ୟ ଗୋଦାମ ଇତ୍ୟାଦି ସେବା ମାଗଣାରେ ଯୋଗାଇ ଦିଆଯିବା ଦରକାର। ଯେଉଁଠାରେ ଉଦ୍ୟୋଗୀମାନେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ଆଗେଇ ଆସୁନାହାନ୍ତି, ସେଠାରେ ସରକାର ପ୍ରତିଷ୍ଠା କରିବା ଆବଶ୍ୟକ। ଚାଷୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଅର୍ଥ ପ୍ରଦାନ ନକରି, ସେହି ଅର୍ଥକୁ ଉପରୋକ୍ତ ବାବଦରେ ଦିଆଗଲେ, ଏକର ପିଛା ଅମଳ ହାର ବଢ଼ିବା ସୁନିଶ୍ଚିତ। ଚାଷୀଙ୍କ ଅଭିଯୋଗ ଯେ, ସେମାନେ ହଳବଳଦ ଭାଙ୍ଗିଦେଲେଣି, କୃଷି ଶ୍ରମିକଙ୍କ ମଜୁରି ବଢ଼ିଗଲାଣି, ଭାଗଚାଷୀ ଜମିର ଯତ୍ନ ନେଉ ନାହାନ୍ତି, କଳାବଜାରରୁ ଅଧିକ ମୂଲ୍ୟଦେଇ ସେମାନଙ୍କୁ ସାର, କୀଟ-ରୋଗ ନାଶକ ଔଷଧ କିଣିବାକୁ ପଡୁଛି ଏବଂ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବଜାର ଦର କମ୍‌ ରହୁଛି। ବେଡ଼ି ଉପରେ କୋରଡ଼ା ମାଡ଼ ଭଳି, ଅଭିଯୋଗ ଆସୁଛି ଯେ ଗ୍ରାମ ପଞ୍ଚାୟତର କୃଷି କର୍ମଚାରୀରୁ ଆରମ୍ଭ କରି ରାଜ୍ୟ ଓ ବ୍ଲକ ସ୍ତରୀୟ କୃଷି ଅଧିକାରୀ ଯାଏ ପଦ ଖାଲି ରହିଛି। ଅଧିକାଂଶ ଚାଷୀ ଆଧୁନିକତମ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁନଥିବାରୁ ସେମାନଙ୍କ ଉତ୍ପାଦନଶୀଳତା କମିଛି। ଏଣୁ, ଦେଶ ପକ୍ଷରେ ଏଭଳି ବ୍ୟବସ୍ଥା ଗ୍ରହଣ କରିବାକୁ ହେବ, ଯେପରିକି ଚାଷ ପାଇଁ ଖର୍ଚ୍ଚ କମିବ, ଅଧିକ ଅମଳ ମିଳିବ ଏବଂ ଭାରତରେ କୃଷିଜାତ ଦ୍ରବ୍ୟର ବଜାର ଦର ପୃଥିବୀର ସମସ୍ତ ଦେଶ ଅପେକ୍ଷା କମ୍‌ ରହିବ। ଫଳରେ, ଆମେ ବିଦେଶକୁ ଖାଦ୍ୟ ରପ୍ତାନି କରିବା ସହିତ ଚାଷୀଙ୍କୁ ଲାଭଜନକ ମୂଲ୍ୟ ଦେଇପାରିବା। 
ରାଷ୍ଟ୍ର ପକ୍ଷରୁ କୃଷି ବିକାଶ ପାଇଁ ସହଯୋଗ ଦିଆଯାଉଥିବାରୁ ବିଶ୍ବ ଓ ଦେଶର ଖାଦ୍ୟ ଆବଶ୍ୟକତା ଆଧାରରେ ଚାଷୀମାନେ ମୃତ୍ତିକା-ଜଳବାୟୁ ଅନୁକୂଳ ଲାଭଜନକ ଫସଲ କରିବାକୁ ଆଗ୍ରହ ପ୍ରକାଶ କରିବା ଆବଶ୍ୟକ। କେବଳ ଧାନ-ଗହମ ଚାଷ ନକରି ବିବିଧ ଫସଲ ଚାଷ କଲେ, ବଜାର ସେମାନଙ୍କୁ ଖୋଜିବ। ଆଧୁନିକତମ ପ୍ରଯୁକ୍ତିବିଦ୍ୟା ଯୁଗରେ ଚାଷୀମାନେ ପୁରୁଣାକାଳିଆ ଚାଷ ପଦ୍ଧତି ଅବଲମ୍ବନ କରି କମ୍‌ ଅମଳ, କମ୍‌ ରୋଜଗାର କରି ଦାରିଦ୍ର୍ୟ କଷାଘାତ ସହି ଆନ୍ଦୋଳନ କରୁଥିବେ କେତେ କାଳ? ଚାଷୀମାନେ ରାଜନୀତି ପଶାପାଲିର ଗୋଟି ହେବେ କି ଅନ୍ନଦାତା ବୋଲାଇବେ, ତାହା ସେମାନଙ୍କୁ ସ୍ଥିର କରିବାକୁ ପଡ଼ିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୯୯୦୩୭