ଗତ ୧୧ ତାରିଖ ‘ସମ୍ବାଦ’ରେ ଗୋଟିଏ ଖବର ପ୍ରକାଶ ପାଇଥିଲା। ସେଥିରେ ଉଲ୍ଲେଖ ଥିଲା: “ରାଜଧାନୀ ଉପକଣ୍ଠ ପାଞ୍ଚ ପଞ୍ଚାୟତର ଚାଷୀମାନେ ମେଳିବାନ୍ଧି ୨୫ ଷଣ୍ଢଙ୍କୁ ସୁରକ୍ଷିତ ଭାବେ ଗୋଶାଳାରେ ଛାଡ଼ିଛନ୍ତି। ଧାନ ଓ ଅନ୍ୟାନ୍ୟ ପରିବା ଫସଲ ଉଜାଡୁଥିବା ଏଭଳି ଆହୁରି ବହୁ ବୁଲାଷଣ୍ଢ ସେହି ଅଞ୍ଚଳରେ ବୁଲୁଛନ୍ତି ଏବଂ ସେମାନଙ୍କୁ ମଧ୍ୟ କାବୁ କରି ଗୋଶାଳାରେ ଛାଡ଼ିବାକୁ ଉଦ୍ୟମ ଚାଲିଛି। ଖବର ପାଇ ଦାରୁଠେଙ୍ଗସ୍ଥିତ ରାମରାଜ୍ୟ ଗୋଶାଳାର କର୍ମଚାରୀମାନେ ଆସି ଷଣ୍ଢଙ୍କୁ ଟ୍ରକ୍ ଓ ଟ୍ରାକ୍ଟରରେ ଲଦି ନେଇ ଯାଇଥିଲେ।” ଏହି ଛୋଟିଆ ଖବରଟି ଚାଷୀଙ୍କ ପାଇଁ ଗୋଟିଏ ବଡ଼ ଓ ମହତ୍ତ୍ବପୂର୍ଣ୍ଣ ଖବର।
ଦେଶର ଚାଷୀଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀ। ଏମାନେ କେବଳ ଫସଲ ଚାଷ କରି ଦୁଇଗୁଣା ରୋଜଗାର ବଢ଼ାଇବା ଅସମ୍ଭବ; ଧାନ କିମ୍ବା ଗହମ ଚାଷରୁ ତ କଦାପି ନୁହେଁ। ଚାଷୀମାନେ ଫସଲ ଚାଷ ସହିତ ମାଛଚାଷ, ଗୋପାଳନ, କୁକୁଡ଼ା ପାଳନ, ଛତୁଚାଷ ଓ ମାଂସ ପାଇଁ ପଶୁପାଳନ ଇତ୍ୟାଦି କଲେ ଯାଇ ଦୁଇଗୁଣା ରୋଜଗାର ଓ ଲାଭ ପାଇବା ସମ୍ଭବ ହେବ। ସେଥିରେ ଯଦି ବୁଲାଗୋରୁ, ମାଙ୍କଡ଼ ଓ ହାତୀଙ୍କ ଉପଦ୍ରବ ଲାଗି ରହିବ, ଚାଷୀ ପକ୍ଷରେ ଚାଷ କରିବା ଅସମ୍ଭବ ହୋଇ ପଡ଼ିବ। 
ବୁଲାଗୋରୁଙ୍କ ଉତ୍ପାତ ଓଡ଼ିଶା ସମେତ ଭାରତର ପ୍ରାୟ ସବୁ ଅଞ୍ଚଳର ଏକ ସମସ୍ୟା। ଦୁଇ ଷଣ୍ଢଙ୍କ ମଧ୍ୟରେ ଲଢ଼େଇ କାରଣରୁ କିଛିସମୟ ପାଇଁ ରାସ୍ତାରେ ଚଳପ୍ରଚଳ ଠପ୍‌ ହୋଇଯାଏ, ମାରଣା ଷଣ୍ଢ ଆକ୍ରମଣରେ ଅନେକେ ମୃତାହତ ହୁଅନ୍ତି। ବୁଲା ଗୋରୁଗାଈଙ୍କ କାରଣରୁ ରାଜରାସ୍ତାରେ ଦୁର୍ଘଟଣା ଘଟେ ଓ ଏମାନେ ବାଡ଼ ଭାଙ୍ଗି ଫସଲ ଖାଇଯାଉଥିବାର ଚାଷୀମାନେ ଅଭିଯୋଗ କରନ୍ତି। ଏହାର ସମାଧାନ ହେବା ଅତ୍ୟାବଶ୍ୟକ। ଗୋଧନର ବିକାଶ ଓ ପର୍ଯ୍ୟାପ୍ତ ପରିଚାଳନା କରା ନଗଲେ, କୃଷକଙ୍କ ଆୟ ଦୁଇଗୁଣା ବଢ଼ିବା ପ୍ରାୟତଃ ଅସମ୍ଭବ। ଏଥିପାଇଁ କିଛି ସ୍ଥାନରେ ପ୍ରଶାସନିକ ହସ୍ତକ୍ଷେପ କରାଯାଉଥିଲେ ବି ସମସ୍ୟାର ଯୋଜନାବଦ୍ଧ ସମାଧାନ ହୋଇପାରିନି। ଉତ୍ତରପ୍ରଦେଶ ସରକାର ବୁଲା ଗୋରୁଗାଈଙ୍କ ଥଇଥାନ ପାଇଁ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରିବା ଫଳରେ ରାଜ୍ୟରେ ୫୬,୮୫୩ ଜଣ ବ୍ୟକ୍ତି ୧.୦୩ ଲକ୍ଷରୁ ଅଧିକ ପରିତ୍ୟକ୍ତ ଗାଈଙ୍କୁ ପୋଷ୍ୟଗାଈ ରୂପେ ଗ୍ରହଣ କରିଛନ୍ତି। ସେଠାରେ ୫,୩୮୪ଟି ‘ଗୋ-ସଂରକ୍ଷଣ କେନ୍ଦ୍ର’ କାର୍ଯ୍ୟକ୍ଷମ କରାଯାଇଛି, ଯେଉଁଠାରେ ୬,୫୦,୦୫୨ ଗାଈଙ୍କୁ ରଖାଯାଇଛି। ସେମାନଙ୍କ ଖାଦ୍ୟ ପାଇଁ ୩,୫୪୮ ଘାସ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ଆଗ୍ରହୀ କୃଷକ ଓ ପଶୁପାଳକଙ୍କୁ ବୁଲା ଗୋରୁଗାଈ ପାଳିବା ପାଇଁ ଗୋରୁ ପିଛା ମାସିକ ୯୦୦ ଟଙ୍କା ପ୍ରୋତ୍ସାହନ ଅର୍ଥ ଦିଆଯାଉଛି। ‘ପୋଷଣ ମିସନ’ ମାଧ୍ୟମରେ ପୁଷ୍ଟିହୀନ ଶିଶୁ ଥିବା ପରିବାରଗୁଡ଼ିକୁ ପ୍ରାୟ ୨୦,୦୦୦ ଗାଈ ଦିଆଯାଇଛି। ଇତିମଧ୍ୟରେ ଗୋଶାଳାରେ ଆଶ୍ରିତ ବୁଲାଗୋରୁଙ୍କ ସଂଖ୍ୟା ୧୦ ଲକ୍ଷ ଉପରକୁ ଗଲାଣି। ଆଉ କିଛି ରାଜ୍ୟରେ ଚାଷୀଙ୍କ ପାଖରୁ ଗୋମୂତ୍ର ଓ ଗୋବର କିଣି ନେଉଛନ୍ତି ସରକାର। ଫଳରେ ଚାଷୀମାନେ ନିଜର ଗୋରୁଗାଈଙ୍କୁ ଗୁହାଳରେ ରଖି, ସେମାନଙ୍କୁ ଖୁଆଇ ଯତ୍ନ ନେଉଛନ୍ତି। ଏହିସବୁ ଖର୍ଚ୍ଚାନ୍ତ ପଦକ୍ଷେପ ସରକାର ନେଉଥିଲେ ବି ଏହା ସମସ୍ୟାର ସବୁଦିନିଆ ସମାଧାନ ନୁହେଁ। 
ଜାନୁଆରି ୨୦୨୦ରେ ପ୍ରକାଶିତ ୨୦ତମ ପଶୁ-ଗଣନା ଅନୁଯାୟୀ ଭାରତରେ ବୁଲାଗୋରୁଙ୍କ ସଂଖ୍ୟା ପଚାଶ ଲକ୍ଷରୁ ଅଧିକ। ବୁଲାଗୋରୁଙ୍କ ସଂଖ୍ୟା ବଢୁଥିବାର ଅନେକ କାରଣ ମଧ୍ୟରୁ କିଛି ପ୍ରମୁଖ କାରଣ ହେଲା, ଗତ କିଛି ଦଶନ୍ଧି ଧରି ଦେଶୀ ଗାଈଙ୍କୁ ଆମେ ଅବହେଳା କରିଛେ ଓ ଅଧିକ କ୍ଷୀର ଦେଉଥିବା ଜର୍ସି ଆଦି ଗୋପାଳନକୁ ଅତ୍ୟଧିକ ଧ୍ୟାନ ଦେଇଛେ; ଯାନ୍ତ୍ରିକ କୃଷିକୁ ଆପଣେଇ ବଳଦ ବ୍ୟବହାର କମାଇଛେ ଓ ଗୋହତ୍ୟା ଉପରେ ପ୍ରତିବନ୍ଧ ଲଗାଇଛେ। ଫଳ ସ୍ବରୂପ ଦେଶୀ ଗାଈଗୋରୁ, ବିଶେଷତଃ ଷଣ୍ଢଙ୍କ ସଂଖ୍ୟା ବୃଦ୍ଧି ଘଟି ଏହି ସମସ୍ୟା ଅଧିକ ଉତ୍କଟ ହୋଇଛି।
ବୁଲା ଗୋରୁଗାଈଙ୍କ ମଧ୍ୟରେ ମୁଖ୍ୟତଃ ହଡ଼ା, ଷଣ୍ଢ, ଅଣ୍ଡିରା ବାଛୁରି ଓ କ୍ଷୀର ଦେଉନଥିବା ଗାଈ ଥାଆନ୍ତି। ସହରମାନଙ୍କରେ ରହୁଥିବା କିଛି ଲୋକ ନିଜର ଗୃହପାଳିତ ଗାଈଙ୍କୁ କ୍ଷୀର ଦୁହିଁ ସାରିବା ପରେ ଖୋଲା ସ୍ଥାନରେ ଚରିବା ପାଇଁ ଛାଡ଼ି ଦିଅନ୍ତି। ଏମାନେ ସହରରେ ଟ୍ରାଫିକ୍ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବା ସହିତ ସହରତଳି ଗାଁରେ ଚାଷ ହୋଇଥିବା ଫସଲ କିଆରିକୁ ଧସେଇ ପଶନ୍ତି। ଆଜିକାଲି, ବଳଦ ଅନାବଶ୍ୟକ ହୋଇଯାଉଥିବାରୁ ଅଣ୍ଡିରା ବାଛୁରିମାନଙ୍କୁ ଧରାଣ ନକରି, ରାସ୍ତାକୁ ଛାଡ଼ି ଦେଉଥିବାର ଦେଖିବାକୁ ମିଳୁଛି। ଫଳରେ ସେମାନେ ଷଣ୍ଢଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇ ସମସ୍ୟା ସୃଷ୍ଟି କରୁଛନ୍ତି। ସହରରେ ଷଣ୍ଢ ସମସ୍ୟା ଗୁରୁତର ହେଲେ ମ୍ୟୁନିସିପାଲିଟି ଓ ନଗର ନିଗମମାନେ ବୁଲାଗୋରୁଙ୍କୁ ଟ୍ରକ୍‌ରେ ବୋହିଆଣି ଦୂରଦୂରାନ୍ତ ଗ୍ରାମାଞ୍ଚଳରେ ଛାଡ଼ିଦେଉଛନ୍ତି। ଏଥିରେ ଗ୍ରାମାଞ୍ଚଳର ସମସ୍ୟା ବଢ଼ିଯାଉଛି। କିଛି ଗୋରୁଙ୍କୁ ଗୋଶାଳାମାନଙ୍କରେ ଯେ ରଖାଯାଉନାହିଁ, ତାହା ନୁହେଁ। କେନ୍ଦ୍ର ସରକାର କ୍ରମାଗତ ଭାବେ ‘ରାଷ୍ଟ୍ରୀୟ ଗୋକୁଲ ମିସନ’ ଅଧୀନରେ ଗୋଶାଳା ସଂଖ୍ୟା ବୃଦ୍ଧି ତଥା ସେଗୁଡ଼ିକୁ ସହାୟତା ପ୍ରଦାନ କରିଆସୁଥିଲେ ହେଁ ତାହା ଯଥେଷ୍ଟ ହେଉନାହିଁ। ଗୋହତ୍ୟା ଓ ଚାଲାଣ ଉପରେ ପ୍ରତିବନ୍ଧ ଲାଗୁ ହୋଇଥିବା ରାଜ୍ୟମାନଙ୍କରେ ଚାଷୀର ଆୟ ଉପରେ ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ପଡ଼ିଛି ଏବଂ ବୁଲା ଗୋରୁଗାଈଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଏମାନଙ୍କୁ ବିକ୍ରି କଲେ ଚାଷୀଙ୍କ ଜୀବନ ପ୍ରତି ବିପଦ। ମୂଳୁ ମାରିଲେ ଯିବ ସରି ନ୍ୟାୟରେ ସେମାନେ ଗୋପାଳନରୁ ଦୂରେଇ ଯାଉଛନ୍ତି କିମ୍ବା ଗୋରୁଙ୍କୁ ପଦାକୁ ଛାଡ଼ିଦେଉଛନ୍ତି। ସାରା ଜୀବନ ସେବା ଦେଇ ବାର୍ଦ୍ଧକ୍ୟରେ ନିରୀହ ପଶୁମାନେ ଦୟନୀୟ ଜୀବନ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି ଓ ମୃତ୍ୟୁବରଣ କରୁଛନ୍ତି।
ଦେଶୀ ଗାଈମାନେ ଆମ ପରିବେଶରେ, ସ୍ଥାନୀୟ ଉତ୍ପାଦିତ ଘାସ ଓ କୁଣ୍ଡା ତୋଡ଼ାଣି ଖାଇ ବଢ଼ିପାରନ୍ତି ଓ ରୋଗମୁକ୍ତ ରହନ୍ତି। ଏମାନଙ୍କ ଅଣ୍ଡିରା ବାଛୁରି ଭଲ ବଳଦ ଓ ମାଈ ବାଛୁରୀ ଭଲ ଗାଈ ହୁଅନ୍ତି। ଆମେ ଭ୍ରୂଣ ସ୍ଥାନାନ୍ତର ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଉତ୍ପାଦନକ୍ଷମ ବୁଲାଗାଈଙ୍କୁ ଜନ୍ମଦାତ୍ରୀ ଭାବରେ ବ୍ୟବହାର କରିପାରିବା। ଆଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଅଣ୍ଡିରା ବାଛୁରିମାନଙ୍କର ସଂଖ୍ୟାକୁ ନିୟନ୍ତ୍ରଣ କରିପାରିବା। ବିଦେଶୀ ପ୍ରଜାତିର ଗୋଧନ କ୍ଷେତ୍ରରେ ଏପରି ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକାରୀ ହୋଇସାରିଥିବାରୁ ସ୍ୱଦେଶୀ ଗୋଧନ କ୍ଷେତ୍ରରେ ମଧ୍ୟ ସମ୍ଭବ। କୃଷିକାର୍ଯ୍ୟରେ ବଳଦ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କୃଷି ନୀତି ପ୍ରଣୀତ ହେବା ସହିତ ବଳଦଟଣା ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ବିକାଶ ତଥା ଗ୍ରହଣୀୟତା ବୃଦ୍ଧି କରିବାକୁ ପଡ଼ିବ। ସେହିପରି ପଞ୍ଚାୟତ ସ୍ତରରେ ଗୋଶାଳା ଖୋଲାଯିବା ଆବଶ୍ୟକ। ଏହା ଫଳରେ ଯାନ୍ତ୍ରିକ କୃଷି ନୂଆ ଦିଗ ପାଇବ, ପେଟ୍ରୋ-ଡଲାର ସଞ୍ଚୟ ହେବ, ପରିବେଶ ଉପରେ ଚାପ କମିବ, ଗୋଧନ ବିକାଶ ଓ ଜୈବ କୃଷି ସଫଳତା ପାଇବ। ବାସ୍ତବରେ, ଆମ ଦେଶର କୃଷକଙ୍କ ବିକାଶ ପାଇଁ କେବଳ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼େଇଦେଲେ ହେବ ନାହିଁ; ତାହା ସହିତ ଆନୁସଙ୍ଗିକ କୃଷିକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ପଡ଼ିବ। ସମସ୍ୟାର ସଠିକ୍‌ ଆକଳନ କରି ସମାଧାନର ସୂତ୍ର ସୁଦୂରପ୍ରସାରୀ ନକଲେ, ତାହା ଆଉ ଏକ ନୂଆ ସମସ୍ୟାକୁ ଜନ୍ମ ଦେବା ସୁନିଶ୍ଚିତ। 
ସଦ୍ୟତମ ହାତୀ ଗଣନାରୁ ଜଣାଯାଉଛି ଯେ, ଓଡ଼ିଶାରେ ହାତୀ ସଂଖ୍ୟା ବଢୁଛି। ୨୦୧୭ ମସିହାରେ ହାତୀ ସଂଖ୍ୟା ଥିଲା ୧୯୭୬, ଯାହା ୨୦୨୪ରେ ପହଞ୍ଚିଛି ୨୦୯୮ରେ। ହାତୀ ଶିକାର, ବିଦ୍ୟୁତ୍ ଆଘାତରେ ମୃତ୍ୟୁ, ରେଳ ଧକ୍କା ସତ୍ତ୍ବେ ହାତୀବଂଶ ବଢ଼ିବା ରାଜ୍ୟର ଜଙ୍ଗଲ ସମ୍ପଦପାଇଁ ଏକ ଶୁଭ ଲକ୍ଷଣ, ଏଇଥିପାଇଁ ଯେ ହାତୀ ଜଙ୍ଗଲରୁ ଯାହା ଖାଏ, ତାହାଠାରୁ ବହୁ ଅଧିକ ଅଭିବୃଦ୍ଧି କରେ ଓ ସୁରକ୍ଷା ଦେଇଥାଏ। ଆଗରୁ ହାତୀମାନେ ମୁଖ୍ୟତଃ ମାଣ୍ଡିଆ, ଧାନ, ମକା, କାଙ୍ଗୁଲ ଓ କପା ଫସଲ ଖାଇ କ୍ଷେତ ଉଜାଡୁଥିଲେ। ଆଜିକାଲି ଏକର ଏକର ଚାଷଜମିରେ ହାତୀଙ୍କ ପାଟିକୁ ସ୍ବାଦିଷ୍ଠ କଦଳୀ, ଧାନ, ବିନ୍ ଜାତୀୟ ଫସଲ, ନଡ଼ିଆ ଓ ଗୁଆ ଚାଷ ହେଉଥିବାରୁ ଅନ୍ୟ ଫସଲରୁ ସେମାନେ ମୁହଁ ମୋଡ଼ିଲେଣି। ତେବେ, ହାତୀଙ୍କ ସଂଖ୍ୟାବୃଦ୍ଧି କାରଣରୁ ହାତୀ-ମଣିଷ ସଂଘର୍ଷରେ ଧନ ଜୀବନ ଓ ଫସଲ ନଷ୍ଟ ହେବା ଠିକ୍ ନୁହେଁ। ସେଥିପାଇଁ ହାତୀଙ୍କ ପାଇଁ ସେମାନଙ୍କ ପସନ୍ଦଯୋଗ୍ୟ ଜଙ୍ଗଲ, ତାହା ମଧ୍ୟରେ ଥିବା ସମତଳ ଭୂମିରେ ଜଳାଶୟ ସୃଷ୍ଟି କରାନଗଲେ, ହାତୀମାନେ ଜଙ୍ଗଲ ଛାଡ଼ି ଫସଲମୁହାଁ ହେବେ ଓ ଫସଲ ଉଜାଡ଼ି ଚାଲିବେ। ଏମିତିକି ଘରେ ଥିବା ଧାନ, ଚାଉଳ ବି ଖାଇଯିବେ, ମଣିଷ ଓ ଗୋରୁଙ୍କୁ କଚାଡ଼ି ମାରିଦେବେ। 
ମାଙ୍କଡ଼ ଉପଦ୍ରବ କାରଣରୁ ଚାଷୀମାନେ ଆଉ ଘର ବାଡ଼ିପଟେ ସଜନା କି ପିଜୁଳି ଗଛ ମଧ୍ୟ ଲଗାଉ ନାହାନ୍ତି। ଆମ୍ବ, ପିଜୁଳି ଓ ନଡ଼ିଆ ବଗିଚାକୁ ଧ୍ବସ୍ତବିଧ୍ବସ୍ତ କରିଦେଉଛନ୍ତି ଉଭୟ ହନୁ ଓ ପାତି ମାଙ୍କଡ଼। ଏମାନଙ୍କୁ ମାରିବା ଉଭୟ ଆଇନ ଓ ଧାର୍ମିକ ଦୃଷ୍ଟିରୁ ଅପରାଧ ହୋଇଥିବାରୁ, ଚାଷୀମାନେ ବିବ୍ରତ। ଲଙ୍ଗୁର ଜାତୀୟ ମାଙ୍କଡ଼ଙ୍କୁ ଉଭୟ ହନୁ ଓ ପାତି ମାଙ୍କଡ଼ ଡରୁଥିବାରୁ କେତେକ ରାଜ୍ୟରେ ଲଙ୍ଗୁରଙ୍କୁ ବ୍ୟବହାର କରାଯାଉଛି। 
ଆମେ ଯଦି ଏସବୁ ଜଙ୍ଗଲୀ ଜୀବଜନ୍ତୁଙ୍କ କବଳରୁ ଫସଲ ନିରାପଦ ରଖିବାକୁ ଚାହୁ, ଆମକୁ ଜଙ୍ଗଲ ବଞ୍ଚାଇବାକୁ ପଡ଼ିବ; ଯେଉଁଠି ହାତୀ ଓ ମାଙ୍କଡ଼ଙ୍କ ପାଇଁ ରହିଥିବ ପ୍ରଚୁର ପାନୀୟ ଜଳ ଓ ଖାଦ୍ୟ ସହିତ ଶାନ୍ତିରେ ବଞ୍ଚିବାର ସମସ୍ତ ଉପାଦାନ। ନହେଲେ, ଆମର ଅନ୍ନଦାତାଙ୍କୁ ‘ଇଜ୍ ଅଫ୍ ଡୁଇଙ୍ଗ ବିଜ୍‌ନେସ୍’ ପରିବେଶ ମିଳିବନି। ଏମିତିରେ ଚାଷୀ କାହିଁକି ଚାଷ କରିବେ!
ମୋ: ୯୪୩୮୨୯୯୦୩୭