ଜାନକୀଶ ବଡ଼ପଣ୍ଡା
ଅର୍ଦ୍ଧ ଶତାବ୍ଦୀ ଧରି ଆନ୍ଧ୍ରରୁ ଆମ୍ବ, ବିହାରରୁ ଲିଚୁ, ଉତ୍ତରପ୍ରଦେଶରୁ ପିଜୁଳି, ପଶ୍ଚିମବଙ୍ଗରୁ ଆଳୁ ଓ ଫୁଲ ନ ଆସିଲେ ଆମର ଚଳୁ ନ ଥିଲା। ଏବେ କିନ୍ତୁ ଓଡ଼ିଶାରୁ ଅନ୍ୟାନ୍ୟ ରାଜ୍ୟ, ଏପରିକି ବିଦେଶକୁ ରପ୍ତାନି ହେଲାଣି ଆମ୍ବ, ପିଜୁଳି, ଫୁଲ ଓ ବିଭିନ୍ନ ପ୍ରକାର ପରିବା। ଆମେ ସମସ୍ତେ ଜାଣୁ ଯେ ଉଦ୍ୟାନ କୃଷି ଏବଂ ଆନୁଷଙ୍ଗିକ କୃଷି-ଉତ୍ପାଦଗୁଡ଼ିକୁ ଯଥାଶୀଘ୍ର ବ୍ୟବହାର କରା ନ ଗଲେ, ପଚନଶୀଳତା କାରଣରୁ ସେଗୁଡ଼ିକ ନଷ୍ଟ ହୋଇଯାଏ। ଏଣୁ ‘ଶୀତଳ ଶୃଙ୍ଖଳ ଭିତ୍ତିଭୂମି’ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନେକ ପଚନଶୀଳ ଖାଦ୍ୟଶସ୍ୟ ତଥା ପ୍ରାଣୀଜ ଉତ୍ପାଦ ଅଧିକ ଦିନ ଧରି ତାଜା ରଖିବା ପାଇଁ ଦକ୍ଷ ସଂରକ୍ଷଣ, ପରିବହନ ଓ ବଣ୍ଟନ ବ୍ୟବସ୍ଥା ସହିତ ତାପ-ନିୟନ୍ତ୍ରିତ ଯୋଗାଣ ଶୃଙ୍ଖଳ ଆବଶ୍ୟକ, ଯାହା ଆମେ ପର୍ଯ୍ୟାପ୍ତ ଭାବେ କରିପାରି ନାହେଁ। ବିଗତ ସରକାରଙ୍କ ଅମଳରେ ଓଡ଼ିଶାର ଅଧିକାଂଶ ଶୀତଳ ଭଣ୍ଡାର ବନ୍ଦ ହୋଇଯାଇଥିଲା। ଆଳୁ ମିସନ ମାଧ୍ୟମରେ ଯେଉଁ କିଛି ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଲା, ସେଥିରେ ବିଭିନ୍ନ କାରଣରୁ ତାଲା ପଡ଼ିଗଲା। ନୂଆ ସରକାର ଆସିବା ପରେ ସେଗୁଡ଼ିକର ପୁନରୁଦ୍ଧାର ହେଉଛି।
ଏକ ତଥ୍ୟ ଅନୁଯାୟୀ, ୨୦୨୨ ମସିହାରେ ଦେଶର ଶୀତଳ ଶୃଙ୍ଖଳ ବଜାର ଆକାର ଥିଲା ୧ ଲକ୍ଷ ୮୧ ହଜାର ୪୯୦ କୋଟି ଟଙ୍କା, ଯାହା ବୃଦ୍ଧି ପାଇ ୨୦୨୮ ମସିହା ସୁଦ୍ଧା ୩ ଲକ୍ଷ ୭୯ ହଜାର ୮୭୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଅର୍ଥାତ୍ ୨୦୨୩-୨୮ ମଧ୍ୟରେ ଶୀତଳ ଶୃଙ୍ଖଳ ବଜାର ଅଭିବୃଦ୍ଧି ହାର ୧୨.୩ ପ୍ରତିଶତ ରହିପାରେ। ୨୦୩୬ ମସିହା ସୁଦ୍ଧା ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ପୂରଣ ପାଇଁ ଏହି ଅଭିବୃଦ୍ଧି ହାର ୨୦ ପ୍ରତିଶତ କରାଯିବା ଦରକାର। ଆମେ ଉପଲବ୍ଧି କଲେଣି ଯେ, ଶୀତଳ ଶୃଙ୍ଖଳ ଏବଂ ଅମଳ ପରବର୍ତ୍ତୀ ଭିତ୍ତିଭୂମିରେ ଉନ୍ନତି ନହେଲେ, ଶୀଘ୍ର ନଷ୍ଟ ହୋଇଯାଉଥିବା କୃଷି ଉତ୍ପାଦଗୁଡ଼ିକୁ ଅଧିକ ଦିନ ଯାଏ ସାଇତି ରଖି ହେବ ନାହିଁ, ରପ୍ତାନି ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇବ ନାହିଁ। କ୍ଷୁଧାଶୂନ୍ୟ, ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରି ସମସ୍ତ ପ୍ରକାରର କ୍ଷୁଧା ଓ କୁପୋଷଣ ଦୂର କରିବା ସହିତ ଚାଷୀଙ୍କ ଉତ୍ପାଦକତା ଓ ଆୟକୁ ଦ୍ୱିଗୁଣିତ କରିବା ଦେଶର ଲକ୍ଷ୍ୟ ହୋଇଥିବାରୁ, ଏହା ଜରୁରି।
ଓଡ଼ିଶା ଏକ ସମୃଦ୍ଧ, ବିବିଧତାସମ୍ପନ୍ନ ଏବଂ ବିଶ୍ୱସ୍ତରୀୟ କୃଷି-ଭିତ୍ତିକ ଅର୍ଥନୀତିରେ ପରିଣତ ହେଉଛି। ଏହି ପରିବର୍ତ୍ତନର ମୂଳରେ ରହିଛି ଉଚ୍ଚ-ମୂଲ୍ୟସମ୍ପନ୍ନ ଉଦ୍ୟାନ କୃଷି; ଯାହା ଫଳ, ପନିପରିବା ଓ ଫୁଲ ଚାଷ ଆଧାରିତ। ଜଳସେଚନରେ ପ୍ରଯୁକ୍ତିବିଦ୍ୟା ଏବଂ ସମୂହ ପଞ୍ଜୀକୃତ ଚାଷୀ ସଂଗଠନଗୁଡ଼ିକ ସୁଦୃଢ଼ ହେବା ଫଳରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ବିଶ୍ୱସ୍ତରୀୟ ରପ୍ତାନି ମାନଦଣ୍ଡ ପୂରଣ କରୁଥିବା ଓଡ଼ିଶାର ଫୁଲ ଫଳ ବିଦେଶୀ ବଜାରରେ ଆଦୃତ ହେଉଛି। ଓଡ଼ିଶାରୁ ଉନ୍ନତ ମାନର ଆମ୍ରପାଲି ଆମ୍ବ, ଡ୍ରାଗନ ଫଳ, କଫି ଓ ତାଜା ପନିପରିବା ଦୁବାଇ, ଲଣ୍ଡନ, ଆବୁଧାବି, ଫ୍ରାନ୍ସ, ସ୍ୱିଡେନ, ବେଲଜିଅମ ଓ ଜର୍ମାନୀ ଭଳି ଦେଶକୁ ରପ୍ତାନି କରାଯାଉଛି। କୃଷିଜାତ ଦ୍ରବ୍ୟର ଏହି ନବକଳେବର, ଓଡ଼ିଶାକୁ ଭାରତର ପରବର୍ତ୍ତୀ ଉଦ୍ୟାନ କୃଷିର ପ୍ରମୁଖ ଶକ୍ତିକେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବାର ସ୍ପଷ୍ଟ ସଙ୍କେତ ଦେଉଛି। ଯେଉଁଠି ଦିନେ ଚାଷ କେବଳ ବଞ୍ଚିବାର ମାଧ୍ୟମ ଥିଲା, ତାହା କ୍ରମଶଃ ଗୁଣବତ୍ତା, ପ୍ରତିଯୋଗିତା ଓ ବଜାରରେ ନେତୃତ୍ୱ ନେବାର ମାଧ୍ୟମ ପାଲଟୁଛି। ଉନ୍ନତ ଭିତ୍ତିଭୂମି, ବଜାର-ଭିତ୍ତିକ ଯୋଗାଣ ଶୃଙ୍ଖଳ, ସ୍ଥାନୀୟ ବଜାର ଓ ରପ୍ତାନି ବଜାର ସଂଯୋଗ ସହିତ ଇ-ନାମ, ଗୋ-ସୁଗମ ଭଳି ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଦ୍ୱାରା ଏହା ସମ୍ଭବ ହେଉଛି। ଜଳବାୟୁ-ସହନଶୀଳ ପଦ୍ଧତିରେ ଫୁଲଚାଷ କରାଯାଇ ଅର୍କିଡ, ଇଉଷ୍ଟୋମା ଭଳି ଦାମୀ ଫୁଲ ଉତ୍ପାଦନ ଓ ରପ୍ତାନିରେ ସଫଳତା ମିଳିଛି। ଅନେକ ଚାଷୀ ଏବେ କୃଷି-ଉଦ୍ୟୋଗୀ।
ଆମ ଦେଶ ଅଧିକାଂଶ କୃଷିଜାତ ସାମଗ୍ରୀ ଉତ୍ପାଦନରେ ବଳକା ସ୍ଥିତିରେ ରହିଥିଲେ ବି ଶୀତଳ ଭଣ୍ଡାର, ପଣ୍ୟାଗାର, ପ୍ରକ୍ରିୟାକରଣ ଓ ରପ୍ତାନି କ୍ଷେତ୍ରରେ ପୁଞ୍ଜିନିବେଶ ସ୍ବଳ୍ପ। ଓଡ଼ିଶାର ସ୍ଥିତି ଏସବୁ କ୍ଷେତ୍ରରେ ଅତ୍ୟନ୍ତ ଦୟନୀୟ ରହି ଆସିଛି। ଖଣିଭିତ୍ତିକ ଶିଳ୍ପରେ ପୁଞ୍ଜିନିବେଶ ହେଉଥିଲା ବେଳେ, କୃଷିକ୍ଷେତ୍ରରେ ପ୍ରାୟ ନାହିଁ କହିଲେ ଚଳେ। ଧାନ ଚାଷ କଲେ କୃଷକ ପରିବାରଙ୍କ ହାରାହାରି ମାସିକ ଆୟ ୫,୧୧୨ ଟଙ୍କାରୁ ବଢ଼ିବା ଅସମ୍ଭବ। ଧାନ କ୍ରୟ ମୂଲ୍ୟ ଉପରେ ଇନପୁଟ ସବସିଡି ଦେଲେ ଭୋଟ ମିଳିପାରେ, କିନ୍ତୁ ଚାଷୀଙ୍କ ରୋଜଗାର ବଢ଼ାଇ ହେବନି। ସେଥିପାଇଁ ଧାନ, ମକା ସହିତ ବିଭିନ୍ନ ଅର୍ଥକରୀ ଫସଲ, ଫଳ, ଫୁଲ, ପରିବା ଚାଷ କରାଯିବା ଜରୁରି। ଶୀଘ୍ର ନଷ୍ଟ ହୋଇଯାଉଥିବା ଅଧିକାଂଶ ଉଦ୍ୟାନ-କୃଷି ଉତ୍ପାଦ ଅନୁକୂଳ ପାଣିପାଗ କାରଣରୁ ଅଧିକ ପରିମାଣରେ ଅମଳ ହେଲେ, କୃଷକମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ନପାଇ କୃଷିରୁ ମୁହଁ ଫେରାଉଛନ୍ତି। ପର୍ଯ୍ୟାପ୍ତ ପ୍ରକ୍ରିୟାକରଣ ଓ ଶୀତଳ ଭଣ୍ଡାର ସୁବିଧା ଉପଲବ୍ଧ ହେଲେ ଏଭଳି କ୍ଷତିକୁ ରୋକାଯାଇ ପାରନ୍ତା। ପୁଞ୍ଜି ନିବେଶକାରୀଙ୍କୁ ଉତ୍ପାଦନ, ଭଣ୍ଡାରଣ, ବିତରଣ ଓ ଯୋଗାଣ କରିବାର ସ୍ୱାଧୀନତା ମିଳିଲେ କୃଷି କ୍ଷେତ୍ରରେ ଘରୋଇ ନିବେଶକାରୀ ଆକୃଷ୍ଟ ହୁଅନ୍ତେ। ଏହା ଫଳରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ନିବେଶ ବଢ଼ନ୍ତା ଏବଂ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ)ର ଆଧୁନିକୀକରଣ ପାଇଁ ସହାୟତା ମିଳିପାରନ୍ତା। ଏଥିପାଇଁ ସରକାର ନିୟାମକ ବ୍ୟବସ୍ଥାକୁ ଉଦାର କରିବା ଆବଶ୍ୟକ। କିଛି ବର୍ଷ ତଳେ, ଶୀତତାପ ନିୟନ୍ତ୍ରିତ ଗାଡ଼ିରେ ପରିବା ସଂଗ୍ରହ ଓ ପରିବହନ, ବିକ୍ରି କେନ୍ଦ୍ର ବ୍ୟବସ୍ଥା ମାଧ୍ୟମରେ ଯୋଗାଣ ଶୃଙ୍ଖଳ ଆରମ୍ଭ କରାଯାଇଥିଲେ ହେଁ ଆନ୍ତରିକତା ଓ ନିରନ୍ତରତା ଅଭାବରୁ ମହତ୍ତ୍ବାକାଙ୍କ୍ଷୀ ଯୋଜନା ଦିଗଭ୍ରଷ୍ଟ ହୋଇଯାଇଥିଲା। ଏବେ ତାହାର ପୁନରାବୃତ୍ତି ହେବ ନାହିଁ ବୋଲି ଆଶା କରିବା।
ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନାରେ ସମନ୍ୱିତ ଶୀତଳ ଭଣ୍ଡାର ଶୃଙ୍ଖଳ ଏବଂ ମୂଲ୍ୟଯୁକ୍ତ ଭିତ୍ତିଭୂମି ଯୋଜନା ସମଗ୍ର ଦେଶରେ ଲାଗୁ ହୋଇଛି। ନଷ୍ଟ ହୋଇଯାଉଥିବା ଉତ୍ପାଦକୁ ସଂରକ୍ଷିତ କରିପାରିଲେ, ଏହା କେବଳ କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହେବ ନାହିଁ ବରଂ ଫଳ ଓ ପନିପରିବା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିପାରିବ। ଏହା କେବଳ ଖାଦ୍ୟ ପ୍ରକ୍ରିୟାକରଣ ଭିତ୍ତିଭୂମିର ଅଭିବୃଦ୍ଧି କରିବ ନାହିଁ ବରଂ କୃଷି ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବ, ଗ୍ରାମାଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାରର ସୁଯୋଗ ସୃଷ୍ଟି କରିବ, କୃଷକମାନଙ୍କୁ ଲାଭଜନକ ମୂଲ୍ୟ ପ୍ରଦାନ କରିବ, ଉପଭୋକ୍ତା ଓ ସହଯୋଗୀ କ୍ଷେତ୍ରଗୁଡ଼ିକୁ ମଧ୍ୟ ଲାଭ ଦେବ। ଡବଲ ଇଞ୍ଜିନ ସରକାର ଏହି ଯୋଜନାରୁ ଲାଭ ଉଠାଇବା ଉଚିତ।
ଅମଳ ପରବର୍ତ୍ତୀ କ୍ଷତିକୁ ହ୍ରାସ କରି ଚାଷୀଙ୍କ ଆୟ ବୃଦ୍ଧି ଏବଂ ପୁଷ୍ଟି ସୁରକ୍ଷା ସୁନିଶ୍ଚିତ କରୁଥିବାରୁ ଫୁଲ, ଫଳ ଓ ପନିପରିବା ଚାଷରେ ଶୀତଳ ଶୃଙ୍ଖଳ ପରିଚାଳନା ଗୁରୁତ୍ୱପୂର୍ଣ୍ଣ। ‘ସମନ୍ୱିତ ଶୀତଳ ଶୃଙ୍ଖଳ’ ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରେ, ଫଳ ଓ ପନିପରିବା ଭଳି ଶୀଘ୍ର ଶଢ଼ିଯାଉଥିବା ଉଦ୍ୟାନ ଉତ୍ପାଦକୁ ନଷ୍ଟ ହେବାରୁ ରୋକିପାରେ, ପ୍ରାକୃତିକ ଭାବେ ପାଚିବା ପ୍ରକ୍ରିୟାକୁ ମନ୍ଥର କରେ, ଜୀବାଣୁ ଅଭିବୃଦ୍ଧିକୁ ବାଧା ଦିଏ ଏବଂ ଜଳୀୟ ଅଂଶ ହ୍ରାସ ହେବାକୁ ନଦେଇ ଉତ୍ପାଦର ଜୀବନକାଳ ବୃଦ୍ଧି କରେ। ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଶୀତଳ ସଂରକ୍ଷଣ ଭିତ୍ତିଭୂମୀ ଉଦ୍ୟୋଗୀ ଏବଂ କୃଷକ ଉତ୍ପାଦକ ସଙ୍ଗଠନମାନଙ୍କୁ ରିହାତି ଓ ଅନ୍ୟାନ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଶୀତଳ ଭଣ୍ଡାରଗୁଡ଼ିକର ଆର୍ଥିକ ସ୍ଥିତିକୁ ଉନ୍ନତ କରିବା ପାଇଁ ସ୍ୱତନ୍ତ୍ର, ସବସିଡିଯୁକ୍ତ ବିଦ୍ୟୁତ୍ ଦର ସ୍ଥିର କରାଯାଇଛି। ‘‘ସମୃଦ୍ଧ ଶୀତଳ ଶୃଙ୍ଖଳ ଏବଂ ମୂଲ୍ୟ ବୃଦ୍ଧି ଭିତ୍ତିଭୂମି’’ ପରି ଯୋଜନା ମାଧ୍ୟମରେ ପ୍ରାକ-ଶିତଳୀକରଣ ବ୍ୟବସ୍ଥା ଠାରୁ ଆରମ୍ଭ କରି ଗ୍ରାହକଙ୍କୁ ଯୋଗାଣ ହେବା ପର୍ଯ୍ୟନ୍ତ ଶୀତଳ ଶୃଙ୍ଖଳ ସୁବିଧା ବ୍ୟବସ୍ଥା କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ପ୍ରତି ସବଡିଭିଜନରେ ଅନ୍ତତଃ ଗୋଟିଏ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ବ୍ୟବସ୍ଥା ହୋଇଛି। ଏହି ସମସ୍ତ ସୁବିଧାର ଉପଯୋଗ କରିବା ପାଇଁ ସ୍ବତନ୍ତ୍ର ‘କୃଷି-ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ କରାଯିବା ଉଚିତ; ଯାହାଫଳରେ ଉଦ୍ୟୋଗୀମାନେ କୃଷିକ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ପ୍ରୋତ୍ସାହିତ ହେବେ।
ରାଜ୍ୟ ଉଦ୍ୟାନ ବିଭାଗ ପକ୍ଷରୁ ଜଳବାୟୁ ଉପଯୋଗୀ ସ୍ବତନ୍ତ୍ର ଫଳ ବଗିଚା, ଫୁଲ ମିସନ, ଛତୁ ମିସନ, ଉଦ୍ୟାନ କୃଷି ମିସନ ଇତ୍ୟାଦି ଯୋଜନା କାର୍ଯ୍ୟକାରୀ ହେଉଥିବା ସତ୍ତ୍ବେ ବିଷୟ-ବିଶେଷଜ୍ଞଙ୍କ ଅଭାବରୁ ଆଗ୍ରହୀ ଚାଷୀମାନେ ଉଦ୍ୟାନ କୃଷି ବିଭାଗର ସୂଚନା ଏବଂ ଉପଯୁକ୍ତ ପରାମର୍ଶ ପାଇପାରୁ ନାହାନ୍ତି। ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାର ପ୍ରଦାନ କରୁଥିବା ପ୍ରୋତ୍ସାହନ, ରିହାତି ଓ ବୈଷୟିକ ସୂଚନା ଦେବାକୁ ରାଜ୍ୟ ଉଦ୍ୟାନ-କୃଷି ବିଭାଗରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଓଡ଼ିଶାରେ ଫଳ, ପନିପରିବା, ଫୁଲ ଚାଷ ପାଇଁ ଉପଯୁକ୍ତ ପରିବେଶ ସାଙ୍ଗକୁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିଲେ ବି ଚାଷୀମାନଙ୍କୁ ସହାୟତା ଦେବାକୁ ଉଦ୍ୟାନ କୃଷି ବିଭାଗରେ ବହୁ ବର୍ଷ ହେଲାଣି ଅଧିକାରୀ ମରୁଡ଼ି ଲାଗି ରହିଛି। ନିର୍ଦ୍ଦେଶକ ପଦରେ ବୈଷୟିକ ବିଶେଷଜ୍ଞ ନ ରହି ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଗଲେ, ଓଡ଼ିଶାର ଉଦ୍ୟୋଗୀ ଓ ଚାଷୀ ଏଭଳି ଉପାଦେୟ ଯୋଜନାର ଲାଭ ଉଠାଇବେ କିପରି?
ଗହଳିଆ ଆମ୍ବ ତୋଟା ଏବେ ବିଲୁପ୍ତ ପ୍ରାୟ। ଚାଷଯୋଗ୍ୟ, ଏପରିକି ଗୋଚର ଜମିର କିସମକୁ ‘ଘରବାରି’ କିସମରେ ପରିଣତ କରାଚାଲିଛି। ଏହା ବନ୍ଦ ହେବା ଦରକାର। ପ୍ରତ୍ୟେକ ରାଜସ୍ବ ଗ୍ରାମରେ ଉନ୍ନତ ଫଳ ବଗିଚା ସୃଷ୍ଟି କରି ଗଛର ମାଲିକାନା ଗରିବ ଲୋକଙ୍କୁ ପ୍ରଦାନ କଲେ, ବୃକ୍ଷରୋପଣର ଉଦ୍ଦେଶ୍ୟ ସଫଳ ହେବ। କିଛି ଗରିବ ଲୋକ ରୋଜଗାର ପାଇବା ସହିତ ପଶୁପକ୍ଷୀଙ୍କୁ ଖାଦ୍ୟ ମିଳିଯିବ। ସେମାନଙ୍କ ମାଧ୍ୟମରେ ଦ୍ରୁତ ଜଙ୍ଗଲ ଅଭିବୃଦ୍ଧି ହେବ, ଆଦିବାସୀଙ୍କ ଅପପୁଷ୍ଟି କମିବ, ଜୈବିକ ଫଳ ଉତ୍ପାଦନ ବଢ଼ିପାରିବ। ଶୀତଳ ଶୃଙ୍ଖଳ କ୍ଷେତ୍ରରେ ସୌର ଶକ୍ତିର ବର୍ଦ୍ଧିତ ବ୍ୟବହାର ଅପୂର୍ବ ସମ୍ଭାବନା ସୃଷ୍ଟି କରିଛି। ଦରକାର କେବଳ ସରକାରଙ୍କ ପ୍ରତିବଦ୍ଧତା ଏବଂ ଉଦ୍ୟୋଗୀ କୃଷକଙ୍କୁ ସହଯୋଗର ହାତ ବଢ଼ାଇବାର ଆଗ୍ରହ। ଆଶା, ଏ ଦିଗରେ ଅଧିକ ଉଦ୍ୟମ ହେବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୯୯୦୩୭