ଜାନକୀଶ ବଡ଼ପଣ୍ଡା

ଭାରତ ୨୦୨୪-୨୫ ଆର୍ଥିକ ବର୍ଷରେ ୫.୯୪ ଲକ୍ଷ ମେଟ୍ରିକ୍ ଟନ୍ ଡାଲି ଜାତୀୟ ଶସ୍ୟ ରପ୍ତାନି କରି ୫,୩୯୭.୮୬ କୋଟି ଟଙ୍କାର ବୈଦେଶିକ ମୁଦ୍ରା ରୋଜଗାର କରିଥିଲା। ସେହି ସମୟରେ ଭାରତ ପ୍ରାୟ ୪୨,୬୨୯ କୋଟି ଟଙ୍କା ମୂଲ୍ୟର ଡାଲି ଜାତୀୟ ଶସ୍ୟ ମଧ୍ୟ ଆମଦାନି କରିଥିଲା। ଏହି ଆମଦାନି ପରିମାଣ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୬୨ ପ୍ରତିଶତ ବଢ଼ିଯାଇଛି। ଏଣୁ, ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଆମେ ଯଦି ଡାଲି ଆମଦାନି କରିବାକୁ ବାଧ୍ୟ ହେଉଛେ, ରପ୍ତାନି କାହିଁକି କରୁଛେ? ଏହାର ଉତ୍ତରରେ କୁହାଯାଇ ପାରିବ ଯେ, ଋତୁକାଳୀନ ଡାଲି ଉତ୍ପାଦନ ବଢ଼ିଯିବା, ବିଦେଶରେ ଚାହିଦା ଓ ଦରବୃଦ୍ଧି, ବାଣିଜ୍ୟ ଚୁକ୍ତି, ଜଳବାୟୁ ନିର୍ଭରଶୀଳ କୃଷି ବ୍ୟବସ୍ଥା ଓ ଅମଳ-ପରବର୍ତ୍ତୀ ସଂରକ୍ଷଣ ଅସୁବିଧା ଯୋଗୁଁ ଆମେ ମଧ୍ୟ ଡାଲି ରପ୍ତାନି କରିଥାଉ। ସେଥିପାଇଁ କେନ୍ଦ୍ର ସରକାର ଏହାର ଉତ୍ପାଦନ ଓ ବେପାର ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଭାବେ ହରଡ଼ ଓ ମସୁର ଭଳି କିଛି ନିର୍ଦିଷ୍ଟ ଡାଲି ଉପରୁ ଆମଦାନି ଶୁଳ୍କ ହ୍ରାସ ଭଳି ପଦକ୍ଷେପ ନେଉଛନ୍ତି। ୨୦୨୭-୨୮ ବେଳକୁ ଯେଭଳି ଏହି କ୍ଷେତ୍ରରେ ଦେଶ ଆତ୍ମନିର୍ଭର ହୋଇପାରିବ, ସେଥିପାଇଁ ପ୍ରଚେଷ୍ଟା ହେଉଛି।
ଗତ ମଇ ୨୮ ତାରିଖରେ ଖରିଫ୍ ଋତୁ ପାଇଁ ୧୪ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଘୋଷଣା କରାଯାଇଛି। ଏହା ସେସବୁ ଫସଲର ହାରାହାରି ଉତ୍ପାଦନ ଖର୍ଚ୍ଚର ଦେଢଗୁଣରୁ ଅଧିକ। ଧାନ ଫସଲ ପାଇଁ କୁଇଣ୍ଟାଲ ପ୍ରତି ମାତ୍ର ୬୯ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ବିରି ପାଇଁ ୪୦୦, ହରଡ଼ ୪୫୦, ରାଶି ୫୭୯ ଓ ଅଳସୀ ପାଇଁ ୮୨୦ ଟଙ୍କା ବୃଦ୍ଧି କରାଯାଇଛି। ଫସଲ ଚାଷ ପାଇଁ କରାଯାଉଥିବା ହାରାହାରି ଖର୍ଚ୍ଚକୁ ଦେଖି ଏମ୍‌ଏସ୍‌ପି ଏଭଳି ବୃଦ୍ଧି କରାଯାଇଛି। ଉଦ୍ଦେଶ୍ୟ ହେଉଛି ଯେ ଚାଷୀମାନେ ସବୁ ପ୍ରକାର ଜମିରେ ଧାନ ଚାଷ ନକରି ଅଣଧାନ, ବିଶେଷକରି ଡାଲି, ତୈଳବୀଜ ଓ ମାଣ୍ଡିଆ ଚାଷ ପାଇଁ ଅଧିକ ଆଗ୍ରହ ପ୍ରକାଶ କରନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ନେଇଥିବା ଏହି ନିଷ୍ପତ୍ତି ୧୪ଟି ଖରିଫ ଫସଲର ଏମଏସ୍‌ପି ବୃଦ୍ଧି କରିଛି, ଯେଉଁଥିରେ ୪ଟି ଡାଲି ଓ ୫ଟି ତୈଳବୀଜ ଫସଲ ରହିଛି।
୨୦୨୧-୨୨ ଆର୍ଥିକ ବର୍ଷରେ, ଭାରତରେ ଡାଲି ଚାହିଦା ୨୬୭.୨ ଲକ୍ଷ ଟନ୍ ଥିଲାବେଳେ, ଉତ୍ପାଦନ ହୋଇଥିଲା ୨୭୩ ଲକ୍ଷ ଟନ୍। ସେଥିରୁ ଆମେ କିଛି ଡାଲି ରପ୍ତାନି କରିଥିଲେ ହେଁ ଆମଦାନି କରିଥିଲେ ୨୬.୯୯ ଲକ୍ଷ ଟନ୍। ୨୦୨୩-୨୪ରେ ଭାରତର ଡାଲି ଆମଦାନି ୪୭.୩୮ ଲକ୍ଷ ଟନରେ ପହଞ୍ଚିଥିଲା। ୨୦୨୪-୨୫ ସୁଦ୍ଧା ଉତ୍ପାଦନ ବିଶେଷ ନ ବଢ଼ି ଚାହିଦା ବଢ଼ିଥିବାରୁ, ଭାରତ ବିଦେଶରୁ ଡାଲି ଜାତୀୟ ଶସ୍ୟ ଆମଦାନି କରିବାକୁ ବାଧ୍ୟ ହୋଇଥିଲା। ‘ନିତି’ ଆୟୋଗ ଆକଳନ କରିଛନ୍ତି ଯେ, ୨୦୨୯-୩୦ ମସିହା ସୁଦ୍ଧା ଡାଲିର ଚାହିଦା ୩୨୬.୪ ଲକ୍ଷ ଟନ୍‌କୁ ବୃଦ୍ଧି ପାଇବ। ଏଣୁ, ସରକାର ଡାଲି ଉତ୍ପାଦନ ପାଇଁ ପ୍ରୟାସ କରିବା ଓ ଚାଷୀଙ୍କ ପାଇଁ ଲାଭଦାୟକ ମୂଲ୍ୟ ପ୍ରଦାନ କରିବା ପାଇଁ ‘ପିଏମ୍ ଆଶା’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତାହା ସହିତ ଘରୋଇ ଚାହିଦା ପୂରଣ କରିବା ପାଇଁ ଆମେ କାନାଡା, ମ୍ୟାଁମାର୍‌, ଅଷ୍ଟ୍ରେଲିଆ, ମୋଜାମ୍ବିକ୍ ଓ ତାଞ୍ଜାନିଆରୁ ଡାଲି ଆମଦାନି କରିଆସୁଛନ୍ତି। 
ଆମ ଓଡ଼ିଶାରେ, ଡାଲିର ଚାହିଦା ଉତ୍ପାଦନଠାରୁ ଯଥେଷ୍ଟ ଅଧିକ। ଫଳରେ ଏହି ଅଭାବ ପୂରଣ କରିବା ପାଇଁ ଆମକୁ ଅନ୍ୟ ରାଜ୍ୟରୁ, ମୁଖ୍ୟତଃ ମହାରାଷ୍ଟ୍ରରୁ ଡାଲି ଆମଦାନି କରିବାକୁ ପଡ଼ିଥାଏ। ଓଡ଼ିଶା ବାର୍ଷିକ ପ୍ରାୟ ୪ ଲକ୍ଷ ଟନ୍ ଡାଲି ଆବଶ୍ୟକ କରୁଥିବା ବେଳେ, ପ୍ରାୟ ୧.୫ ଲକ୍ଷ ଟନ୍ ଉତ୍ପାଦନ କରେ। ଓଡ଼ିଶାରେ ଡାଲିର ହାରାହାରି ଉତ୍ପାଦକତା ମଧ୍ୟ ଜାତୀୟ ହାରାହାରି ତୁଳନାରେ କମ୍ ରହୁଥିବାରୁ, ଉନ୍ନତ କିସମ ବିହନ ବ୍ୟବହାର, ଜଳସେଚନ ଓ ଚାଷ ପଦ୍ଧତିର ଆବଶ୍ୟକତା ଅନୁଭୂତ ହୁଏ। ତେବେ, ଚାହିଦା ତୁଳନାରେ ଉତ୍ପାଦନ କମ୍ ହେଉଥିବାରୁ, ଓଡ଼ିଶାରେ ଡାଲିର ମୂଲ୍ୟ ଉଚ୍ଚା ରହେ। ଏହା ମଧ୍ୟ ଅପପୁଷ୍ଟି ଏବଂ ମାତୃ ଓ ଶିଶୁ ମୃତ୍ୟୁହାର ବଢ଼ିବାର ଅନ୍ୟତମ ମୁଖ୍ୟ କାରଣ। 
ନୟାଗଡ଼ ମୁଗ କହିଲେ, ଆମେ ଉଚ୍ଚମାନର ମୁଗଡାଲିକୁ ବୁଝୁ। ସ୍ଥାନୀୟ ମୁଗଡାଲିର ବାସ୍ନା, ସ୍ବାଦ ଓ ଗୁଣବତ୍ତା ଅତ୍ୟନ୍ତ ଆକର୍ଷଣୀୟ। ସେଠାରେ ଆବହମାନ କାଳରୁ ସ୍ଥାନୀୟ କିସମ ମୁଗ ଚାଷ ହୋଇ ଆସୁଛି। ସେଥିପାଇଁ ଓଡ଼ିଶା ସରକାରଙ୍କ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ନୟାଗଡ଼ରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ତଳୁ ଏକ ଡାଲି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରି ନୂଆ କିସମର ମୁଗଡାଲି ଉଦ୍ଭାବନ କରିବା ସହିତ ବିଭିନ୍ନ ଡାଲି ଜାତୀୟ ଫସଲକୁ ସ୍ଥାନୀୟ ଜଳବାୟୁରେ ପରୀକ୍ଷାମୂଳକ ଚାଷକରି ପ୍ରଶଂସା ସାଉଣ୍ଟିଥିଲେ। କିନ୍ତୁ ୩୬ ଏକର ପରିମିତ ଏହି ଗବେଷଣା କେନ୍ଦ୍ର ଏବେ ବନ୍ଦ ହୋଇଯାଇଛି। ଏହାକୁ କାର୍ଯ୍ୟକ୍ଷମ କରା ନଗଲେ, ଅଧିକ ଅମଳକ୍ଷମ ଡାଲିଜାତୀୟ ଫସଲ ଚାଷକୁ ପ୍ରୋତ୍ସାହନ ମିଳିବନି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଡାଲି ଉତ୍ପାଦନ ବୃଦ୍ଧି କରିବା ପାଇଁ ସାତଟି ଜିଲ୍ଲାରେ ଥିବା ଡାଲି ବିହନ କେନ୍ଦ୍ର ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା ବିକାଶ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଭାରତୀୟ ଡାଲି ଗବେଷଣା ସଂସ୍ଥାନ ଖୋର୍ଦ୍ଧାରେ ଏକ ଆଞ୍ଚଳିକ କେନ୍ଦ୍ର ସ୍ଥାପନ କରି ଗବେଷଣା କରୁଛନ୍ତି। ଏହା ବ୍ୟତିତ ଶୁଷ୍କାଞ୍ଚଳ ଆନ୍ତର୍ଜାତୀୟ କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ମଧ୍ୟ ଓଡ଼ିଶାର ଚାଷୀଙ୍କୁ ଜଳବାୟୁ-ଉପଯୋଗୀ ଡାଲି ଚାଷ କରିବାକୁ ପ୍ରୋତ୍ସାହନ ଦିଆଯାଉଛି। ଏସବୁ ସତ୍ତ୍ବେ, ଓଡ଼ିଶାରେ ଡାଲି ଫସଲ ଚାଷ ଜମି ପରିମାଣ ପ୍ରତି ବର୍ଷ କମିଚାଲିଛି ଏବଂ ଏବେ ପ୍ରାୟ ୨୭୫ ଲକ୍ଷ ହେକ୍ଟରରେ ପହଞ୍ଚିଛି।
ଭାରତରେ କେବଳ ଧାନଚାଷ ପାଇଁ ଦେଶର ମୋଟ ଜଳସମ୍ପଦର ୧୬.୬୭ ପ୍ରତିଶତ ଖର୍ଚ୍ଚ ହୁଏ। ଏକ କିଲୋଗ୍ରାମ ଧାନ ଓ ଗହମ ଉତ୍ପାଦନ ପାଇଁ ଯଥାକ୍ରମେ ୨,୦୦୦ ଓ ୧, ୪୫୦ ଲିଟର ଜଳ ଆବଶ୍ୟକ ହେଉଥିଲା ବେଳେ, ଏକ କିଲୋଗ୍ରାମ ମୁଗ ଓ ହରଡ଼ ଡାଲି ଉତ୍ପାଦନ ପାଇଁ ଯଥାକ୍ରମେ ୩୫୦ ଓ ୨୨୫ ଲିଟର ଜଳ ଆବଶ୍ୟକ ହୋଇଥାଏ। ଯଦି ଏକର ପ୍ରତି ହାରାହାରି ୧୫ କୁଇଣ୍ଟାଲ୍ ଧାନ, ୫ କୁଇଣ୍ଟାଲ୍ ମୁଗ ଓ ୬ କୁଇଣ୍ଟାଲ୍ ହରଡ଼ ଅମଳ ହୁଏ ଏବଂ ଫସଲ ଚାଷ ପାଇଁ ଏକର ପିଛା ୩୦, ୮ ଓ ୧୨ ହଜାର ଖର୍ଚ୍ଚ କରାଯାଏ, ତେବେ ଓଡ଼ିଶାର ଜଣେ ଚାଷୀ ଏକର ପିଛା ମୋଟ ଲାଭ କରିବେ ଯଥାକ୍ରମେ ୩୧,୫୦୦, ୩୫,୫୦୦ ଓ ୩୬,୦୦୦ ଟଙ୍କା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଧାନ ଅପେକ୍ଷା ଡାଲି ଫସଲରୁ ଅଧିକ ଲାଭ ମିଳେ ଏବଂ କମ୍ ଜଳ ବ୍ୟବହାର କରିବାକୁ ପଡ଼େ। ଡାଲି ଭଳି ତୈଳବୀଜ ଫସଲରେ ମୋଟାମୋଟି ସମାନ କଥା। ସେଇଥି ପାଇଁ ତ ଚଳିତ ଖରିଫ ଋତୁ ଲାଗି ୪ଟି ଡାଲି ଓ ୫ଟି ତୈଳବୀଜ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ବଢ଼ାଇ ଦେଇଛନ୍ତି ଏବଂ ପରୋକ୍ଷରେ ଚାଷୀଙ୍କୁ ବାର୍ତ୍ତା ଦେଇଛନ୍ତି ଯେ, ଅଧିକ ପରିମାଣରେ ଡାଲି ଓ ତୈଳବୀଜ ଫସଲ ଚାଷ କର। ଏହା ଦ୍ବାରା ଚାଷୀ ଅଧିକ ଲାଭ ପାଇବେ ଏବଂ ଭାରତକୁ ବିଦେଶରୁ ଏସବୁ ଫସଲ ଆମଦାନି କରିବାକୁ ପଡ଼ିବନି। ଫଳରେ ଲୋକମାନେ ଶସ୍ତାରେ ଡାଲି ପାଇବେ, ଅପପୁଷ୍ଟି ରହିବନି, କ୍ଷୁଧା ସୂଚକାଙ୍କରେ ସୁଧାର ଆସିବ।
ରାଜ୍ୟରେ ଏବେ ଡବଲ୍ ଇଞ୍ଜିନ୍ ସରକାର। କେନ୍ଦ୍ର ସରକାର ଯାହା ଚାହୁଁଛନ୍ତି, ରାଜ୍ୟ ସରକାର ସମାନ ଭାବେ ନ ଚାହିଁଲେ ବିକାଶର ନନ୍ଦିଘୋଷ ଆଗକୁ କିଭଳି ଗଡ଼ିବ! କେନ୍ଦ୍ର ସରକାର ଖରିଫ୍ ଧାନର ସଂଗ୍ରହ ମୂଲ୍ୟ କୁଇଣ୍ଟାଲ୍ ପ୍ରତି ୨୩୬୯ ଟଙ୍କା ରଖିଛନ୍ତି। କିନ୍ତୁ ଓଡ଼ିଶା ସରକାର ଉଭୟ ଖରିଫ୍ ଓ ରବି ଧାନ କ୍ରୟ ବେଳେ ୩,୧୦୦ ଟଙ୍କା ଦେଉଛନ୍ତି। ସରକାର ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ କେବଳ ଖରିଫ୍ ଧାନକୁ ଏଭଳି ବର୍ଦ୍ଧିତ ମୂଲ୍ୟରେ କିଣି, ରବି ଧାନ କ୍ରୟ କଲାବେଳେ କେନ୍ଦ୍ର ନିର୍ଦ୍ଧାରିତ ହାରରେ ଦେବା ଉଚିତ। ପଡ଼ୋଶୀ ଛତିଶଗଡ଼ରେ ଥିବା ଡବଲ୍ ଇଞ୍ଜିନ୍ ସରକାର ତାହା ହିଁ କରୁଛନ୍ତି। ଯଦି ଓଡ଼ିଶା ସରକାର ଚାଷୀଙ୍କଠାରୁ ଉଭୟ ଋତୁରେ ଉତ୍ପାଦିତ ସମସ୍ତ ତୈଳବୀଜ, ମୁଗ, ହରଡ଼ ଓ ବିରି ଭଳି ଶସ୍ୟ ଅଧିକ ମୂଲ୍ୟ ଦେଇ କିଣି ନିଅନ୍ତେ, ଓଡ଼ିଶା ମଧ୍ୟ କ୍ରମଶଃ ବଳକା ରାଜ୍ୟରେ ପରିଣତ ହୋଇ ପାରନ୍ତା। ଏଣୁ, ଓଡ଼ିଶା ସରକାର କେବଳ ଖରିଫ୍ ଧାନ କୁଇଣ୍ଟାଲ୍ ପ୍ରତି ୩,୧୦୦ ଟଙ୍କାରେ ଏବଂ ତୈଳବୀଜ ଓ ଡାଲି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଇନ୍‌ପୁଟ୍ ସବ୍‌ସିଡି ଦେଇ କିଣନ୍ତୁ। ଫଳରେ ଚାଷୀମାନେ ରବି ଧାନ ବଦଳରେ ଡାଲି, ତୈଳବୀଜ ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ ଆଡ଼କୁ ମୁହାଁଇବେ। ଏଥିରେ ଚାଷ ଜମିର ଉର୍ବରତା ଓ ଚାଷୀଙ୍କ ରୋଜଗାର ବଢ଼ିବ। 
କେନ୍ଦ୍ର କୃଷିମନ୍ତ୍ରୀ ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାରୁ ଆରମ୍ଭ କରି ଆହ୍ବାନ ଦେଇଥିଲେ ଯେ, କୃଷି ବୈଜ୍ଞାନିକମାନେ ଗବେଷଣାଗାରରୁ ବାହାରି ଚାଷୀଙ୍କ ପାଖକୁ ଯାଆନ୍ତୁ। ଓଡ଼ିଶା ସରକାର ନିଜର ଝୋଟ, ଆଖୁ, ମୁଗ ଗବେଷଣା କେନ୍ଦ୍ରଗୁଡ଼ିକୁ ବନ୍ଦ କିମ୍ବା ରୁଗ୍‌ଣ କରି କୃଷି ବୈଜ୍ଞାନିକ ଓ ଅଧିକାରୀଙ୍କୁ ନିଯୁକ୍ତି ଦେଉ ନଥିଲା ବେଳେ, ଚାଷୀଙ୍କୁ ନୂତନ କୃଷି ପ୍ରଣାଳୀ ସମ୍ବନ୍ଧିତ ଜ୍ଞାନ କୌଶଳ, ଉନ୍ନତ ବିହନ କିଭଳି ମିଳି ପାରିବ? ଓଡ଼ିଶାରେ ଏକର ପିଛା ଅମଳ ବଢ଼ାଇବାରେ ଯେତେ ସବୁ ପ୍ରତିବନ୍ଧକ ରହିଛି, ସେଗୁଡ଼ିକୁ ସରକାରଙ୍କୁ ହଟାଇବାକୁ ପଡ଼ିବ। ଆଶା, ରାଜ୍ୟ ସରକାର ଓଡ଼ିଶାର ଚାଷୀଙ୍କୁ ଜଳସେଚନ, ସାର, ଉନ୍ନତ ବିହନ ଓ ଆଧୁନିକତମ ଚାଷ କୌଶଳ ସହିତ କେନ୍ଦ୍ର ଅନୁରୂପ ସାହାଯ୍ୟର ହାତ ବଢ଼ାଇବେ। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୯୯୦୩୭