ଜାନକୀଶ ବଡ଼ପଣ୍ଡା
ଚାଷୀ ଆତ୍ମହତ୍ୟାକୁ ଅପମୃତ୍ୟୁ ଭାବେ ଗ୍ରହଣ କରାଯାଇ ଏହା ପଛର କାରଣଗୁଡ଼ିକୁ ଅଣଦେଖା କରାଯାଉଛି। ଗତ ଖରିଫ୍ ଋତୁରେ ଅଚାନକ ବର୍ଷାଜନିତ ଫସଲ ହାନି ଓ ପରବର୍ତ୍ତୀ କାଳରେ ଚାଷୀ ନେଇଥିବା ଋଣ ଫେରସ୍ତ କରିପାରିବାର କ୍ଷୀଣ ସମ୍ଭାବନା, ପରିବାର ଚଳାଇବାର ଚିନ୍ତା ଓ ନିଜର ଯତ୍କିଞ୍ଚିତ ସାମାଜିକ ପ୍ରତିଷ୍ଠା ଉପରେ ପ୍ରଶ୍ନଚିହ୍ନ ଲାଗିଯିବା ଆଶଙ୍କାରେ ଯେ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି, ଏହା ସ୍ବୀକାର କରିନେଲେ ଏ ସବୁର ନିରାକରଣ ପାଇଁ ଉପାୟ ବାହାରି ପାରନ୍ତା। ଚାଷୀଙ୍କ ମୂଳ ସମସ୍ୟା ସମାଧାନ ହେଉନଥିବାରୁ ସେମାନେ ଆତ୍ମହତ୍ୟା କରୁଛନ୍ତି।
୨୦୧୪ ପରଠୁ କୁହାଯାଉଥିଲା ଯେ ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟରେ ଆତ୍ମହତ୍ୟା କରୁଥିବା ଚାଷୀଙ୍କ ସଂଖ୍ୟା ଓଡ଼ିଶା ଅପେକ୍ଷା ଅଧିକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରକାଶିତ ପରିସଂଖ୍ୟାନ ଓ ତଥ୍ୟରୁ ଏହା ଜଣାଯାଏ। କିନ୍ତୁ ଅନୁସନ୍ଧାନ କଲେ ଜଣାଯିବ ଯେ, ଆମ ରାଜ୍ୟରେ ମୁଖ୍ୟତଃ ଧାନ ଓ କପା ଚାଷୀ ଆତ୍ମହତ୍ୟା କରୁଥିଲାବେଳେ, ଅନ୍ୟ ରାଜ୍ୟମାନଙ୍କରେ ଆଧୁନିକତମ ବୈଷୟିକ କୃଷିପଦ୍ଧତି ଅବଲମ୍ବନ କରି ଅର୍ଥକରୀ ଫସଲ ଚାଷ କରୁଥିବା ଆଗୁଆ ଚାଷୀମାନେ ବିଫଳତା ଅର୍ଜନ କରି ଆତ୍ମହତ୍ୟାକୁ ବାଛି ନେଉଛନ୍ତି। ସେମାନେ ସାଧାରଣତଃ ବ୍ୟାଙ୍କରୁ ଅଧିକ ପରିମାଣର ଋଣ ନେଇଥାଆନ୍ତି, ଯାହା ଫସଲ କ୍ଷତି କାରଣରୁ ପରିଶୋଧ କରିହୁଏନା। ଋଣ ଭାର ବଢ଼ିଗଲେ, ବ୍ୟାଙ୍କ ପକ୍ଷରୁ ପରିଶୋଧ ପାଇଁ ଅତ୍ୟଧିକ ଚାପ, ଋଣ ଯନ୍ତାରେ ବୁଡ଼ିଯିବାର ଆଶଙ୍କା ଓ ସାମାଜିକ ପ୍ରତିଷ୍ଠା ଉପରେ ପ୍ରଶ୍ନଚିହ୍ନ କାରଣରୁ ସେମାନେ ଆତ୍ମହତ୍ୟାକୁ ବାଛି ନିଅନ୍ତି। ତେବେ, ଆମ ରାଜ୍ୟର ସମସ୍ୟା ଏକାଭଳି ନୁହେଁ। ଓଡ଼ିଶାରେ ଆତ୍ମହତ୍ୟା କରୁଥିବା ଚାଷୀ ମୁଖ୍ୟତଃ ଭାଗଚାଷୀ। ଏମାନେ ହୁଏତ କୃଷି ଶ୍ରମିକ, ନାମମାତ୍ର କିମ୍ବା କ୍ଷୁଦ୍ର ଚାଷୀ। ଏମାନେ ସାହସୀ, କୁଶଳୀ, ପରିଶ୍ରମୀ ଓ ସଫଳ କୃଷି ଉଦ୍ୟୋଗୀ। ଦାରିଦ୍ର୍ୟ କାରଣରୁ ଏମାନେ ଅଧିକ ଭାବପ୍ରବଣ। ଅପେକ୍ଷାକୃତ ଅଧିକ ଭାବପ୍ରବଣ ଚାଷୀମାନେ ଅଦିନିଆ ବର୍ଷା, ବାତ୍ୟା, ବନ୍ୟା, ମରୁଡ଼ି, ରୋଗ-ପୋକ ଆକ୍ରମଣ, ବିଶେଷକରି ଅମଳ ସମୟରେ ଫସଲ ନଷ୍ଟ ହୋଇଗଲେ ବିବ୍ରତ ହୋଇଉଠନ୍ତି। ଓଡ଼ିଶାର ଅସ୍ମିତା ଶବ୍ଦକୋଷରେ ଆତ୍ମହତ୍ୟା ମହାପାପ ହୋଇଥିଲେ ହେଁ, ଏପରି ଏକ ଚରମ ପଦକ୍ଷେପ ନେଇ ଲକ୍ଷେ ଜୀବଙ୍କୁ ପୋଷୁଥିବା ଚାଷୀ ନିଜର ପରିବାର ସଦସ୍ୟଙ୍କୁ ଅଧିକ ଅସହାୟତା ଭିତରକୁ ଠେଲିଦିଅନ୍ତି କାହିଁକି?
ଏହି କାହିଁକିର ପ୍ରଥମ ଉତ୍ତରଟି ହେଲା ଜଳସେଚନ। ବର୍ଷା ଉପରେ ନିର୍ଭର କରି ଆଉ ଚାଷ କରିବା ସମ୍ଭବ ହେଉ ନଥିଲେ ହେଁ, ଆମ ଚାଷୀଭାଇମାନେ ଖରିଫ୍ ଋତୁରେ ସର୍ବାଧିକ ପରିମାଣ ଜମିରେ ଧାନଚାଷ କରୁଛନ୍ତି। ମରୁଡ଼ି ପଡ଼ିଲେ, ଅମଳ କମୁଛି। ବର୍ଷାର ଆଗମନ ଓ ପ୍ରସ୍ଥାନ ସମୟ ତଥା ପରିମାଣ ଅନିୟମିତ ହେଉଥିଲେ ବି ଆମେ ଜଳ ଭଣ୍ଡାର, ଜଳର ବିଭିନ୍ନ ଉତ୍ସ, ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସହିତ ପାଣିପମ୍ପଗୁଡ଼ିକୁ ସଜାଡୁ ନାହେଁ। କେନାଲ୍ଗୁଡ଼ିକ ଭାଙ୍ଗିରୁଜି ଗଲାଣି କିମ୍ବା ପୋତି ହୋଇ ପଡ଼ିଲାଣି। ଗ୍ରାମ୍ୟ ପୋଖରୀ, କଟା ଓ ବନ୍ଧ ଗୁଡ଼ିକ ପୋତି ହୋଇଗଲାଣି। ପୂର୍ବଭଳି ଗ୍ରାମବାସୀଙ୍କ ମଧ୍ୟରେ ମେଳ ନଥିବାରୁ ଜଳାଶୟରୁ ପାଣିନେଇ ଫସଲ ବଞ୍ଚାଇବା ସମ୍ଭବ ହେଉନି। କୃଷି ଓ ଜଳସେଚନ ବିଭାଗ ମଧ୍ୟରେ ତାଳମେଳ ରହୁନି। ଓଡ଼ିଶାର ଚାଷୀ ସମ୍ଭାବ୍ୟ ପାଣିପାଗ, ବଜାର ସୂଚନାକୁ ଅଣଦେଖା କରି ଓ ବୈଷୟିକ ପରାମର୍ଶକୁ ଗ୍ରହଣ ନକରି ଧାନଚାଷରେ ମାତିଛି, ଜମିର କିସମ ଅନୁଯାୟୀ ଡାଲି, ତୈଳବୀଜ ଓ ଶ୍ରୀଅନ୍ନ ଫସଲ ତଥା ଫଳଚାଷ ଆଡ଼କୁ ମନ ବଳାଉ ନାହିଁ।
ଦ୍ବିତୀୟ ସମସ୍ୟା ହେଲା ପ୍ରଚଳିତ ଆଇନ, ନିୟମ ଓ ଏହାର କୁପରିଣାମ। ଆମେ ଦେଖିବାକୁ ପାଉଛେ ଯେ, ଓଡ଼ିଶାରେ ଧାନର ବିକ୍ରି ମୂଲ୍ୟ କୁଇଣ୍ଟାଲ୍ ପ୍ରତି ୩,୧୦୦ ଟଙ୍କା ପ୍ରଦାନ କରାଯାଉଥିଲେ ବି ଅନୁପସ୍ଥିତ ଜମିମାଲିକଙ୍କ ବିମୁଖତାରୁ ଅନେକ ଚାଷଜମି ପଡ଼ିଆ ପଡ଼ିଛି। ଭାଗଚାଷୀମାନେ ଜମି ଅଧିକାର କରିନେବା ଆଶଙ୍କାରେ ଜମି ମାଲିକମାନେ ନିଜର ଜମିକୁ ଭାଗ ନଦେଇ ପଡ଼ିଆ ରଖିବାକୁ ପସନ୍ଦ କରୁଛନ୍ତି। ଭୂମିହୀନ କୃଷି ଶ୍ରମିକ, କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଜମି ମାଲିକଙ୍କ ସହିତ ମୌଖିକ ଚୁକ୍ତି କରି ଚାଷ କରିବାକୁ ବାଧ୍ୟ ହେଉଛନ୍ତି। ସର୍ବନିମ୍ନ ଖର୍ଚ୍ଚ କରି ସର୍ବାଧିକ ଉତ୍ପାଦନ ପାଇଁ ଆଗ୍ରହୀ ଭାଗଚାଷୀ ଜମିର ସ୍ବାସ୍ଥ୍ୟ ବିଷୟରେ ସଚେତନ ନୁହନ୍ତି। ଚାଷ କରୁନଥିଲେ ବି ଜମି ମାଲିକ ନିଜକୁ ଚାଷୀ ବୋଲାଇ ବ୍ୟାଙ୍କ ଓ ସମବାୟ ସମିତିରୁ ସ୍ବଳ୍ପ ସୁଧରେ କୃଷି ଋଣ ପାଉଥିଲାବେଳେ, ପ୍ରକୃତ ଚାଷୀ କେବଳ ପ୍ରଚଳିତ ଆଇନ କାରଣରୁ ଋଣ ପାଇବାରୁ ବଞ୍ଚିତ ହେବା ସହିତ ବିଭିନ୍ନ ସରକାରୀ ସହାୟତା, ଫସଲ ବୀମା କ୍ଷତିପୂରଣ ରାଶି ପାଇ ପାରୁନାହାନ୍ତି। ଚାଷ ଖର୍ଚ୍ଚ ତୁଲେଇବାକୁ ସେମାନେ ଉଚ୍ଚ ସୁଧରେ ମହାଜନଠାରୁ ଋଣ କରିବାକୁ ବାଧ୍ୟ ହେଉଛନ୍ତି। ଗତ ୫୦ ବର୍ଷରେ ୪୦ ଥର ପ୍ରକୃତିକ ଦୁର୍ବିପାକ ସାମ୍ନା କରୁଥିବା ଚାଷୀ ଅବା କେତେ ଦୁଃଖ ସହିପାରିବ! ବୋଝ ଉପରେ ନଳିତା ବିଡ଼ା ପରି ଗତ ଖରିଫ୍ ଋତୁର ଅଦିନିଆ ବର୍ଷାରେ ପାଚିଲା ଧାନ ଗଜାହୋଇ ଯାଉଥିବାର ଦେଖି ହୃଦ୍ଘାତରେ କିଛି ଚାଷୀଙ୍କ ପ୍ରାଣବାୟୁ ଉଡ଼ିଯାଇଛି ଏବଂ କିଛି ଆତ୍ମହତ୍ୟା କରିଛନ୍ତି।
ତୃତୀୟଟି ହେଲା ଋଣଯନ୍ତା। ଓଡ଼ିଶାର ଜଣେ କ୍ଷୁଦ୍ରଚାଷୀ ନିଜର ଦୁଇ ଏକର ଜମିରେ ଧାନ ଚାଷ କରିବାକୁ ଏକର ପିଛା ତିରିଶ ହଜାର ହାରରେ ଷାଠିଏ ହଜାର ଟଙ୍କା ଋଣ ପାଇ ପାରିବେ। ପାଣିପାଗ ଅନୁକୂଳ ରହିଲେ ଏକର ପିଛା ୩୦ କୁଇଣ୍ଟାଲ୍ ଧାନ ଅମଳ ହେଲେ, ସେ ସମୁଦାୟ ୧ ଲକ୍ଷ ୨୬ ହଜାର ଟଙ୍କା ଲାଭ କରି ଥାଆନ୍ତେ। ମାତ୍ର ଓଡ଼ିଶାରେ ହାରାହାରି ଅମଳ ପରିମାଣ ମାତ୍ର ୧୫ କୁଇଣ୍ଟାଲ୍। ଏଣୁ ଲାଭ ପରିମାଣ ୬୩ ହଜାରକୁ କମିଯାଏ। ଚାଷୀଙ୍କୁ କେବଳ ନିଜ ମାଲିକାନାରେ ଥିବା ଜମି ପାଇଁ ବ୍ୟାଙ୍କରୁ ଋଣ ମିଳେ। କିଛି ସ୍ଥାନରେ ଟ୍ରାକ୍ଟର, ଅମଳଯନ୍ତ୍ର, ସାର ଓ କୀଟନାଶକ ପ୍ରାୟତଃ ବେପାରୀମାନେ ବାକିରେ ଯୋଗାଇ ଦିଅନ୍ତି। ଫସଲ୍ ନଷ୍ଟ ହେଲେ ବା ଅମଳ କମିଗଲେ ବ୍ୟାଙ୍କ, ସମିତି, ଟ୍ରାକ୍ଟର ମାଲିକ ସମେତ ସମସ୍ତ ଋଣଦାତାଙ୍କ ତାଗିଦା ସାଙ୍ଗକୁ ଏଫ୍ଏକ୍ୟୁ, କଟନି-ଛଟନି, ମିଲର୍, ଅଭାବୀ ବିକ୍ରିର ଚକ୍ରବ୍ୟୂହ ଚାଷୀଙ୍କୁ ଋଣଯନ୍ତାରେ ପକାଇଥାଏ।
ଚତୁର୍ଥଟି ହେଲା ବ୍ୟବସ୍ଥାଗତ ବିଷମତା। ଫସଲ ବୀମା ନିୟମ ବଡ଼ ଜଟିଳ। ପ୍ରତି ପଞ୍ଚାୟତରେ ବିଗତ ତିନି ବର୍ଷର ହାରାହାରି ଅମଳ ପରିମାଣ ୧୫ କୁଇଣ୍ଟାଲରୁ କମ୍। ଏଣୁ ମିଳୁଥିବା ବୀମା କ୍ଷତିପୂରଣ ପରିମାଣ ସମୁଦ୍ରକୁ ଶଙ୍ଖେ। ଯଦି ବିପର୍ଯ୍ୟୟ କାରଣରୁ ଫସଲ ଉଜୁଡ଼ିଯାଏ, ସରକାର ମରୁଡ଼ି ଘୋଷଣା କରନ୍ତି ଏବଂ ବ୍ୟାଙ୍କମାନେ ସ୍ବଳ୍ପ ମିଆଦୀ ଫସଲ ଋଣକୁ ଦୀର୍ଘ ମିଆଦୀ କରି ଦିଅନ୍ତି। ଟ୍ରାକ୍ଟର କିଣିବା ପାଇଁ ଋଣର ପରିଶୋଧ ମିଆଦ ବଢ଼ାଇ ଦିଆଯାଏ। କିନ୍ତୁ, ଋଣଯନ୍ତାରୁ ମୁକ୍ତି ମିଳେନା। ଟ୍ରାକ୍ଟରର ଜୀବନ କାଳ ସରିଗଲେ ବି ଋଣ ରହିଯାଏ, ଏଥିପାଇଁ ବୀମା ବ୍ୟବସ୍ଥା ନଥାଏ। ଆଗାମୀ ବର୍ଷମାନଙ୍କରେ ଫସଲ ଉଜୁଡ଼ିଗଲେ, ସମସ୍ୟା ତିରୋଟ ହୁଏ। ରାସାୟନିକ ସାର କଳାବଜାରରେ ଚଢ଼ା ମୂଲ୍ୟରେ ବିକ୍ରି ହୁଏ। ସରକାରଙ୍କ ନିୟନ୍ତ୍ରଣ ଦେଖିବାକୁ ମିଳେନା। ପାଞ୍ଚ ଏକର ଚାଷ କରୁଥିବା ଚାଷୀ ପରିବାରର ରୋଜଗାର ଜଣେ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀଙ୍କ ମାସିକ ଦରମା ଅପେକ୍ଷା କମ୍। ଧାନ, ଗହମ ଚାଷ କଲେ ଚାଷୀ ଲାଭବାନ ହୁଏନା। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ଚାଷୀ ପିଛା ବାର୍ଷିକ ୧୦ ହଜାର ଟଙ୍କା, ଧାନର ସହାୟକ ମୂଲ୍ୟ ଉପରେ ଇନ୍ପୁଟ୍ ରିହାତି ଯେତେ ମିଳିଲେ ବି ଚାଷୀର ଆର୍ଥିକ ଉନ୍ନତି ଅସମ୍ଭବ। ଏଥିପାଇଁ ପ୍ରତି ବର୍ଷ ବିଭିନ୍ନ ଋତୁ ଅନୁସାରେ ଅର୍ଥକରୀ ଫସଲ ସହିତ ଆନୁସଙ୍ଗିକ କୃଷିକୁ ମଧ୍ୟ ଆଦରିବାକୁ ହେବ, ଯେଉଁଥିପାଇଁ ଚାଷୀଙ୍କୁ ପର୍ଯ୍ୟାପ୍ତ ବ୍ୟାଙ୍କ ଋଣ ମିଳେନା।
ପଞ୍ଚମ କାରଣ ହେଲା ବଜାର ଅବ୍ୟବସ୍ଥା। ଅନେକ ନିଷ୍ଠାବିହୀନ ମିଶନ କାରଣରୁ ଅଭାବୀ ବିକ୍ରି ବଢୁଛି, ଆବଶ୍ୟକତା ଅନୁସାରେ ଶୀତଳ ଭଣ୍ଡାର, ଗ୍ରାମୀଣ ଗୋଦାମ ନିର୍ମାଣ ହୋଇନି। ଚାଷୀମାନେ ଅସହାୟ।
ଏ ସବୁର ସମାଧାନ ପାଇଁ ଆମକୁ ପ୍ରଥମେ ଜଳସେଚନ ବ୍ୟବସ୍ଥାକୁ ବଢ଼ାଇବାକୁ ପଡ଼ିବ। ଗ୍ରାମ ସଭାରେ ଫସଲ ପର୍ଯ୍ୟାୟ ସ୍ଥିର କରିବେ କୃଷି ଓ ଜଳସେଚନ ବିଭାଗ। କୃଷି ଓ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ପଦରେ କୃଷି ବୈଷୟିକ ବ୍ୟକ୍ତିଙ୍କୁ ନିଯୁକ୍ତି ଓ ଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ଭୂସଂସ୍କାର ଓ ବନ୍ଦୋବସ୍ତ ବ୍ୟବସ୍ଥା ହେବା ଦରକାର। ଫଳରେ ଭାଗଚାଷୀମାନେ ସଂସ୍ଥାଗତ କୃଷି ଋଣ ପାଇପାରିବେ। ଋଣଛାଡ଼ ଭଳି ରାଜନୈତିକ ପଦକ୍ଷେପ ବଦଳରେ କୃତ୍ରିମ ଉପଗ୍ରହ ତଥ୍ୟ, ଅମଳ ହିସାବ ଓ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ଗ୍ରାମସଭାରେ ସ୍ବଚ୍ଛତା ରକ୍ଷା କରାଯାଇ କ୍ଷତିପୂରଣ ପ୍ରଦାନ କରାଯିବା ଉଚିତ। କ୍ଷତିଗ୍ରସ୍ତ ଚାଷୀ ନେଇଥିବା ଦୀର୍ଘମିଆଦୀ ଋଣ କିସ୍ତିକୁ କ୍ଷତିପୂରଣ ଭାବେ ସରକାର ସିଧାସଳଖ ବ୍ୟାଙ୍କ ଖାତାରେ ଜମା କରିଦେବା ଦରକାର।
ପୁଷ୍ଟି ସାଧନା ପାଇଁ ଫସଲ ଉତ୍ପାଦନ ଏକ ଜାତୀୟ ଆବଶ୍ୟକତା। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ରାଜନୀତି କରାଯାଉଥିଲେ ବି, ଏହା ସାମାଜିକ, ଆର୍ଥିକ ଓ କୃଷି ବୈଷୟିକ ସମସ୍ୟାର ପରିଣତି। ତିନିଟି ନୂତନ କୃଷି ଆଇନ ପ୍ରତ୍ୟାହାର ହେବା ପରଠାରୁ କୃଷି ଓ କୃଷକ କଲ୍ୟାଣ ପାଇଁ କିଛି ବି ଆଇନ ଆସିନାହିଁ। କୌଣସି ରାଜନୈତିକ ଦଳ ପକ୍ଷରୁ ଏଥିପାଇଁ ଗ୍ରହଣଯୋଗ୍ୟ ପ୍ରସ୍ତାବ ମଧ୍ୟ ଆସୁନାହିଁ। ଯେଉଁଦିନ ଚାଷୀମାନେ ଅନୁଭବ କରିବେ ଯେ ଆମେ ତାଙ୍କ ସହିତ ଅଛେ, ସେମାନେ ଆତ୍ମହତ୍ୟା ନକରି ସମ୍ମାନ ସହିତ ବଞ୍ଚିରହି ଲକ୍ଷେ ଜୀବଙ୍କୁ ଆହାର ଦେବାର ଆତ୍ମପ୍ରତ୍ୟୟ ଖୋଜି ପାଇବେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୯୯୦୩୭