ଜାନକୀଶ ବଡ଼ପଣ୍ଡା

Advertisment

ସଦ୍ୟ ସମାପ୍ତ ରଥଯାତ୍ରାକୁ ସବୁ ଦୃଷ୍ଟିରୁ ଭବ୍ୟ, ଦିବ୍ୟ ଓ ଶୃଙ୍ଖଳିତ କରିବାକୁ ସରକାରଙ୍କ ପକ୍ଷରୁ ଚଳିତ ରଥଯାତ୍ରାରେ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଶ୍ରୀକ୍ଷେତ୍ରରେ ଡ୍ରୋନ, ୨୭୫ଟି କୃତ୍ରିମ ବୁଦ୍ଧିମତ୍ତାସମ୍ପନ୍ନ କ୍ୟାମେରା, ୧୦ ହଜାର ସୁରକ୍ଷାକର୍ମୀ ମୁତୟନ ସହ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଥିଲେ ଯେ, ଅଘଟଣମୁକ୍ତ ଓ ତ୍ରୁଟିଶୂନ୍ୟ ରଥଯାତ୍ରା ହେବ। ତେଣୁ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିଲେ ନିଶ୍ଚୟ। ରଥଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ସରକାର ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ସ୍ତରୀୟ କମିଟି ମଧ୍ୟ ଗଠନ କରିଥିଲେ। କେଉଁଥିରେ କମ୍ କରି ନଥିଲେ ତ!
ତଥାପି, ରଥଯାତ୍ରା ଦିନ ତାଳଧ୍ବଜ ରଥ ଟଣାହେବା ମାତ୍ରେ ମୋଡ଼ ନେଲା। ନନ୍ଦିଘୋଷ ବିଧିରକ୍ଷା ପାଇଁ ଚକେ ଟଣାହୋଇ ପରଦିନକୁ ରଖାଗଲା। ପ୍ରସ୍ତୁତି ମୁତାବକ ଭିଡ଼ ନିୟନ୍ତ୍ରଣ ହେଲାନି; ବରଂ ରଥ ଚାରିପଟେ ବହୁସଂଖ୍ୟକ ପାସଧାରୀଙ୍କ ଉପସ୍ଥିତି କାରଣରୁ ରଥଟଣା ବିଳମ୍ବିତ ହୋଇ ଅଶାନ୍ତିର କାରଣ ହେଲା। ପରଦିନ ଶରଧାବାଲିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଡ଼ ଫିଟିଲାମାତ୍ରେ ବିଳମ୍ବିତ ରାତିରେ ଅଭାବନୀୟ ଦଳାଚକଟା ଘଟିଲା। ବହୁଲୋକ ଆହତ ହେଲେ ଓ ତିନି ଜଣଙ୍କ ମୃତ୍ୟୁ ହେଲା। ଶରଧାବାଲିରେ ଦଳାଚକଟା ପରେ ବାହୁଡ଼ାରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ଶ୍ବାସରୁଦ୍ଧ ଓ ସଂଜ୍ଞାହୀନ ହୋଇ ଡାକ୍ତରଖାନା ବୁହାହେଲେ, ଅନେକ ଠେଲାପେଲାରେ ଆହତ ହେଲେ। ସନ୍ଧ୍ୟା ସୁଦ୍ଧା ଦେଢ଼ଶହରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଆଶୁଚିକିତ୍ସା ଦେବାକୁ ପଡ଼ିଲା। ସୁନାବେଶ ଦିନ ଭୁବନେଶ୍ବର-ପୁରୀ ରାଜପଥରେ ଘଣ୍ଟା ଘଣ୍ଟା ଧରି ଗାଡ଼ିମଟର ଠିଆ ହୋଇ ରହିଲା। ଅସହାୟ ପୁଲିସ ପକ୍ଷରୁ କେବଳ ସୂଚନା ଦିଆଗଲା ସିନା, ଗାଡ଼ି ଧରି କେହି ଶ୍ରୀକ୍ଷେତ୍ର ଆସିବାକୁ ବାରଣ କରାଗଲା ନାହିଁ। ପତିତପାବନ ଯାତ୍ରାର ଶେଷ ଦିନରେ ମେଘନାଦ ପାଚେରି ଡେଇଁ ଅନଧିକାର ଶ୍ରୀମନ୍ଦିର ପ୍ରବେଶ କଲେ ଚାରି ଜଣ ଯୁବକ। ସେମାନେ ପରିକ୍ରମା ମାର୍ଗରୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ। ସିସିଟିଭି, ନିୟନ୍ତ୍ରଣ କକ୍ଷ, ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କିଛି ବି ‘ଭିଡ଼କୁ ନୁହେଁ’ ବୋଲି ପ୍ରମାଣିତ ହେଲା। ଯାହା ଘଟିଗଲା, ତାହା ସରକାରୀ କର୍ମଚାରୀଙ୍କ ଅପାରଗତା ବୋଲି କହିବାରେ କାହାରି ବି ଦ୍ବିଧା ନାହିଁ। ଲୋକଙ୍କୁ ଦୋଷ ଦେଇ, ଜଗନ୍ନାଥଙ୍କ ଇଚ୍ଛା କହି ପୁଲିସ ନିଜର ଅସାମର୍ଥ୍ୟ ଘୋଡ଼ାଇ ପାରିବନି।
ସରକାରୀ ଅବ୍ୟବସ୍ଥା ଓ କର୍ତ୍ତବ୍ୟ ସମ୍ପାଦନରେ ନିଷ୍ଠାହୀନତାକୁ କେବଳ ଦୋଷ ଦେଲେ ହେବନି। ଆଜକୁ ୨୪ ବର୍ଷ ତଳେ ବିଶିଷ୍ଟ ଚିନ୍ତକ ଚିତ୍ତରଂଜନ ଦାସଙ୍କ ଚୈତନ୍ୟ ଉଦ୍ରେକକାରୀ ପ୍ରବନ୍ଧ ‘ଜଗନ୍ନାଥୀକରଣର ରୋଗଟା’ରୁ କିଛି ଧାଡ଼ି ଉଦ୍ଧାର କରୁଛି- “ଜଗନ୍ନାଥଙ୍କୁ ଆମର ବୋଲି କହୁଥିବା ମନୁଷ୍ୟମୃଗମାନେ ଆପଣାକୁ ବି ଜଣେ ଜଣେ ଜଗନ୍ନାଥ ପରି ଦେଖନ୍ତି। ଏବଂ, ସେହି ଦେଖିବାରେ ଏପରି ଏକ ଉତ୍ତେଜକ ପୁଲକ ଭର୍ତ୍ତିହୋଇ ରହିଥାଏ ଯେ, ତାହାରି ଦ୍ବାରା ପରିଚାଳିତ ହୋଇ ସେମାନେ ନିଜକୁ ହିଁ ସବାଆଗ ଦେଖନ୍ତି ଓ ତା’ପରେ ଯାଇ ଜଗନ୍ନାଥଙ୍କୁ ଦେଖନ୍ତି।... ଭଗବାନଙ୍କୁ ସାମନ୍ତରୂପେ କଳ୍ପନା କରିବାର ପଛରେ ସଚରାଚର କେତେକ ମଣିଷଙ୍କର ସାମନ୍ତବାଦ ଅଭିଳାଷମାନେ ହିଁ ମୁଖ୍ୟ ଉତ୍‌ପ୍ରେରକ ରୂପେ କାର୍ଯ୍ୟ କରିଆସିଛନ୍ତି।...” 
ଶ୍ରୀ କ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରାରେ ଅସମ୍ଭବ ଭିଡ଼, ବସ୍ତୁବାଦୀ ଜୀବନର ସକଳ ଆଧୁନିକତା ଭିତରେ ବି ମଣିଷଙ୍କ ଭିତରେ ଭକ୍ତିଭାବ ବଢ଼ିଯାଇଥିବାର ଧାରଣା ସୃଷ୍ଟି କରୁଛି, ଯାହା ଏକାନ୍ତ ବାସ୍ତବ ହୋଇ ନପାରେ। ଏହାର କାରଣ ଭିଡ଼ ଭିତରେ ପ୍ରକୃତ ଓ କୃତଜ୍ଞ ଭକ୍ତଙ୍କ ସହିତ ଫେସବୁକିଆ ଲୋକ, ମାଗଣା ଯୋଜନାର ଉପଭୋକ୍ତା, କଦଳୀ ବିକା ଦିଅଁ ଦେଖାରେ ପ୍ରବୃତ୍ତ ଲୋକ, ଚୌର୍ଯ୍ୟ ବୃତ୍ତିଯୁକ୍ତ ଲୋକ, ସିଏ ଗଲା ମୁଁ ବି ଯିବି ଭଳି ମନୋଭାବଧାରୀ ମାନଙ୍କ ସମାବେଶ ଘଟିଥାଏ। କ୍ୟାମେରା ସିନା ଲୋକଙ୍କୁ ଗଣିପାରିବ, ପ୍ରକୃତ ଭକ୍ତଙ୍କ କଳନା କରିପାରିବନି। ଭକ୍ତଟିଏ ରଥାରୂଢ଼ ଦାରୁଦେବତାଙ୍କୁ କଳ୍ପନା ଚକ୍ଷୁରେ ଦର୍ଶନ କରି ପାଉଥିବା ମୁଗ୍‌ଧ ଅନୁଭବ ସେଲ୍‌ଫି-ପ୍ରିୟ ଶ୍ରଦ୍ଧାଳୁ ପକ୍ଷରେ ଅକଳ୍ପନୀୟ। ନିଜକୁ ସାମନ୍ତ ମନେ କରୁଥିବା ଅହଙ୍କାରୀ ଶାସକ, ପ୍ରଶାସକ, ସେବକ ଓ ସମବେତ ଶ୍ରଦ୍ଧାଳୁମାନେ ବୁଝନ୍ତି ନାହିଁ ଯେ ଚଉଦ ଭୁବନ ବାରତା ଜାଣିଥିବା, ଚକ୍ରରେ ଆରତ ଛେଦନ କରଥିବା ଜଗବନ୍ଧୁ ହିଁ ଏକମାତ୍ର ସାମନ୍ତ!
ଶ୍ରୀଜଗନ୍ନାଥ ସଂସ୍କୃତି ଓଡ଼ିଶାର ଆଧ୍ୟାତ୍ମିକ-ସାଂସ୍କୃତିକ ଐତିହ୍ୟର ଏକ ଅଂଶ। ଶ୍ରୀଜଗନ୍ନାଥଙ୍କ ଜନ୍ମବେଦୀ ଯାତ୍ରା ଓ ପ୍ରତ୍ୟାବର୍ତ୍ତନ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଶକ୍ତି ଓ ଶାନ୍ତି ପ୍ରଦାନ କରେ। ଏହି ଅବସରରେ ପାଳିତ ସମସ୍ତ ପରମ୍ପରା ଓଡ଼ିଆ ସଂସ୍କୃତିକ ଗଭୀରତା ତଥା ଶ୍ରୀଜଗନ୍ନାଥଙ୍କ ସାର୍ବଜନୀନତାର ପ୍ରମାଣ। ଶ୍ରୀକ୍ଷେତ୍ରରେ ରଥଯାତ୍ରା ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଲୀଳାର ଅଂଶ। ଏହା ଭକ୍ତମାନଙ୍କ ପାଇଁ ଆନନ୍ଦପୂର୍ଣ୍ଣ ଓ ଆଧ୍ୟାତ୍ମିକ ଅନୁଭବ ହୋଇଥିଲେ ହେଁ, ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତିର ତତ୍ତ୍ବ ଓ ଆଧ୍ୟାତ୍ମିକତା ସମ୍ପର୍କିତ ପ୍ରଚାର-ପ୍ରସାର ଅପେକ୍ଷା ଦର୍ଶନାର୍ଥୀଙ୍କ ସୁଖଦ ଯାତ୍ରା, ସୁରକ୍ଷା, ଉପଲବ୍‌ଧ ସେବା ବନ୍ଦୋବସ୍ତକୁ ପ୍ରାଧାନ୍ୟ ଦିଅନ୍ତି। ଅଧିକ ରେଳଗାଡ଼ି, ପାର୍କିଂ ବ୍ୟବସ୍ଥା କରାଯାଏ ଏବଂ ଯାତ୍ରୀମାନେ ଛୁଟିଦିନ ପର୍ଯ୍ୟଟକଙ୍କ ଭଳି ଛୁଟି ଆସନ୍ତି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ସୋରିଷ ପକାଇବାକୁ ଜାଗା ରହେନା। ଏଭଳି ପରିସ୍ଥିତିରେ ସାମାନ୍ୟତମ ହଇଚଇ ସୃଷ୍ଟି ହେଲେ, ଦଳାଚକଟା ସ୍ବାଭାବିକ, ଯାହା ବାରମ୍ବାର ଘଟିଥାଏ, ଏଥର ବି ଘଟିଲା।  
ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଦ୍ୱାପର ଯୁଗର ରସରାଜ ଭଗବାନ ଶ୍ରୀକୃଷ୍ଣ। ଗୋପୀମାନଙ୍କ ସହିତ ବୃନ୍ଦାବନରେ ରାସଲୀଳା କରୁଥିଲେ ସେ। ଏଣୁ ଆଡ଼ପମଣ୍ଡପ ବିବର୍ତ୍ତିତ ହୋଇଯାଏ ରାସମଣ୍ଡପରେ। ମହାପ୍ରଭୁ ଜନ୍ମବେଦୀରେ ଥିବା ସମୟରେ ଗୋପୀମାନଙ୍କ ସହିତ ରାସ ରସରେ ମଗ୍ନ ହୁଅନ୍ତି। ଯେଉଁମାନେ ଭକ୍ତିପୂର୍ବକ ରାସଲୀଳା ଦର୍ଶନ କରନ୍ତି, ସେମାନେ ଅନନ୍ତ ପୂଣ୍ୟର ଅଧିକାରୀ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଅଥଚ ଶ୍ରଦ୍ଧାଳୁଙ୍କ ପାଖରେ ଏହି ସୂଚନା ନଥାଏ। 
ସମଗ୍ର ରଥଯାତ୍ରରେ ସମବେତ ଭକ୍ତଗଣ କ’ଣ ଆଧ୍ୟାତ୍ମିକ ଓ ଭକ୍ତିଭାବରେ ତଲ୍ଲୀନ ହେବାକୁ ଦୂରଦୂରାନ୍ତରୁ ଛୁଟି ଆସିଥାନ୍ତି? ତାହା ହେଉଥିଲେ, ପକେଟମାର, ଛିନତାଇ ଓ ମହିଳାଙ୍କ ପ୍ରତି ଅସଦାଚରଣ ଘଟୁନଥାନ୍ତା। ପ୍ରବଳ ଗହଳି ଭିତରେ ପୁଲିସ ନିରବଦ୍ରଷ୍ଟା ସାଜିବା ଛଡ଼ା ଅସାମାଜିକମାନଙ୍କୁ ଧରିବା ସମ୍ଭବ ହୁଏନା। କେବଳ ପାପମୋଚନ ଆଶାରେ ଆଡ଼ପମଣ୍ଡପରେ ସାନ୍ଧ୍ୟଦର୍ଶନ ପାଇଁ ପ୍ରବଳ ଭିଡ଼ ହୁଏ। ପାପ କରି ତୁରନ୍ତ ପାପ ମୋଚନ ସୁଯୋଗ ନେବାକୁ ଉତ୍ସାହିତ ହୁଅନ୍ତି କିଛି ଦର୍ଶନାର୍ଥୀ। ଏମାନଙ୍କ ପ୍ରାଦୁର୍ଭାବ-ମୁକ୍ତ ଦର୍ଶନ ସୁବିଧା ପାଇଁ ଜଣେ ବ୍ୟକ୍ତି ପଦସ୍ଥ ପୁଲିସ ଅଧିକାରୀ ବନ୍ଧୁଙ୍କ ସାହାଯ୍ୟ ମାଗିବାରୁ ସେ ନିଜର ଅସହାୟତା ପ୍ରକାଶ କରି ପ୍ରଶ୍ନ କଲେ ଯେ, “ଭିଡ଼ରେ ପଶି ଦେବଦର୍ଶନ ନକଲେ କ’ଣ ତାଙ୍କ କୃପାରୁ ବଞ୍ଚିତ ରହିଯିବେ ଆପଣ? ନିଜ ଆଖି ଆଗରେ ଆପଣଙ୍କ ପରିବାରର ମହିଳାଙ୍କ ପ୍ରତି ଅସଦାଚରଣ ହେଉଥିବାର ଦେଖି ନିରୁପାୟ ରହିବାର ସାଧନା ଯଦି କରିଛନ୍ତି, ଭିଡ଼ ଭିତରେ ପଶି ଦର୍ଶନ କରନ୍ତୁ।” କଥାଟି ହୁଏତ ଅସତ୍ୟ ନୁହେଁ। ଏସବୁ ନିଶ୍ଚୟ ବିଲକ୍ଷଣ, ଯାହା କେହି ବି ଚାହୁଁ ନଥିବେ, ଅଥଚ ଗହଳି ଭିତରେ ଘଟିଥାଏ।
ଜନସଂଖ୍ୟା ବଢୁଛି, ଗମନାଗମନ ସାଧନ ମଧ୍ୟ ବଢ଼ିଛି। ରୋଜଗାର ବଢୁଛି, ପର୍ଯ୍ୟଟନ ପାଇଁ ମନ ବଳୁଛି ଲୋକଙ୍କର। ପୁଣ୍ୟ ଅର୍ଜନ ଓ ପାପ ଧୋଇବାର ଆଶା ଦେଖାଉଛନ୍ତି ପ୍ରବଚକ। ରଥଯାତ୍ରରେ ଭାଗନେଲେ ପାପକ୍ଷୟ, ପୁଣ୍ୟ ଅର୍ଜନ ସହିତ ପର୍ଯ୍ୟଟନ ଆନନ୍ଦ ଲାଭ ଆଶାରେ ଶ୍ରୀକ୍ଷେତ୍ରରେ ଗହଳି ବଢୁଛି, ଯାହା କେହି ବି ଅସ୍ବୀକାର କରି ପାରିବେ ନାହିଁ। କୌଣସି ବି ନିର୍ବାଚିତ ଶାସକ ଓ ଦାୟିତ୍ବବାନ ପ୍ରଶାସକ ଲୋକଙ୍କୁ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରକୁ ଏତେ ସଂଖ୍ୟାରେ ନଆସିବାକୁ କହିବାର ଦୁଃସାହସ କରିପାରିବେନି। କାଳେ, ପ୍ରଚାରିତ ହୋଇଯିବ ଯେ, ସରକାର ଭିଡ଼କୁ ନୁହଁ! ସେଥିପାଇଁ ତ ପ୍ରସ୍ତୁତି ବିଷୟରେ ପ୍ରଚାର କରାଯାଏ। ବ୍ୟକ୍ତିଗତ ମୋଟରଗାଡ଼ିରେ ନଆସି କେବଳ ବସ୍ ଓ ରେଳ ଯୋଗେ ପୁରୀ ଆସିବାକୁ ନିୟମ କରାଯାଏ ନାହିଁ। ଭିଡ଼ ନିୟନ୍ତ୍ରଣ କରିବାର ସମସ୍ତ ନିଷ୍ଠାପର କଳା କୌଶଳ ଯେତେବେଳେ ବିଫଳ ହୋଇଯାଏ, ସେତେବେଳେ ଦଳାଚକଟାକୁ ଶ୍ରୀ ଜଗନ୍ନାଥଙ୍କ ଇଚ୍ଛା କହି ନିଜର ବିଫଳତା ଉପରେ ମଲମ ବୋଳାଯାଏ। 
ନୈଷ୍ଠିକ ହିନ୍ଦୁଙ୍କ ବ୍ୟତୀତ ଅନ୍ୟମାନେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରି ଦର୍ଶନ କରିପାରୁ ନଥିବାରୁ ତ ପତିତପାବନ ଯାତ୍ରା! ଏଣୁ ସଭିଏଁ ରଥଯାତ୍ରାରେ ଭାଗନେବା କେତେଦୂର ସମୀଚୀନ? ‘ବସୁଧୈବ କୁଟୁମ୍ବକମ୍’ ଉଦ୍‌ଘୋଷକଗଣ ଅନ୍ୟମାନଙ୍କ ପାଇଁ ସ୍ବାର୍ଥତ୍ୟାଗ କରନ୍ତି ନାହିଁ କାହିଁକି? ପ୍ରଶାସନିକ ଅଧିକାରୀମାନେ ଜଗବନ୍ଧୁଙ୍କ ସେବାରେ ନିଷ୍ଠାପର ଭାବେ ଅଙ୍ଗୀକାରବଦ୍ଧ, ସମର୍ପିତ କର୍ତ୍ତବ୍ୟ ସମ୍ପାଦନ କରନ୍ତି କି? ଶାସକ, ପ୍ରଶାସକ, ଧନୀ, ମାନୀ ଓ ସେବାୟତମାନେ ନିଜକୁ ସାମନ୍ତ ମନେ କରି ଅହଙ୍କାରଗହଣା ବିମଣ୍ଡିତ ହୋଇ ସେବକର ଅଭିନୟ କରନ୍ତି ନାହିଁ କି? 
ଶ୍ରୀଜଗନ୍ନାଥ ଧାମରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ଯେ ପର୍ଯ୍ୟଟନ ସାମଗ୍ରୀ ନୁହନ୍ତି, ସେ ସ୍ବୟଂ ପରଂବ୍ରହ୍ମ; ଏହା ସେବକ, ଭକ୍ତ, ଶାସକ ଓ ପ୍ରଶାସକଙ୍କ ଆଚରଣ ଓ ଉଚ୍ଚାରଣରେ ପ୍ରତିଫଳିତ ହେଲେ ହୁଏତ ଆଗାମୀ ରଥଯାତ୍ରାଗୁଡ଼ିକ ଅଧିକ ଶୃଙ୍ଖଳିତ ହେବ ଓ ଦଳାଚକଟା ଆଶଙ୍କା କମିବ। କିନ୍ତୁ କସ୍ମିନ୍ କାଳେ କିଛି ଆଧ୍ୟାତ୍ମିକତାବିହୀନ ପର୍ଯ୍ୟଟକଙ୍କ ବିଶୃଙ୍ଖଳିତ ଭିଡ଼ କାରଣରୁ ଅଘଟଣମୁକ୍ତ ହେବା ସମ୍ଭବ ହେବନାହିଁ। ଦେଶର ଲୋକସଂଖ୍ୟା ଆଗାମୀ ଦିନରେ ୧୭୫ କୋଟି ଛୁଇଁବାର ଥିବାରୁ, ସରକାର ଭିଡ଼ ନହେବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଆପଣାଇବାର ସାହସ କରନ୍ତୁ। ଏହା ହିଁ ରାଜଧର୍ମ। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୯୯୦୩୭