ପୂଜାପାର୍ବଣ, ହୋମଯଜ୍ଞ, ଦେବାଳୟରେ ଦୀପଦାନ କଲାବେଳେ, ଏମିତିକି ଅନ୍ତିମ ସଂସ୍କାର ବେଳେ ଲୋଡ଼ାହୁଏ ଗୁଆଘିଅ। ଏହାର ହାଲୁକା ହଳଦୀ ରଙ୍ଗ, ଚମତ୍କାର ବସ୍ନା ଓ ପବିତ୍ରତା ଆନମନା କରେ ସଭିଙ୍କୁ। ଶ୍ରୀମନ୍ଦିର ସମେତ ଆମର ସମସ୍ତ ଦେବାଳୟରେ ଥାଏ ବିଶୁଦ୍ଧ ଗୁଆଘିଅର ଆଦର।
ଦେଶ ବିଦେଶରେ ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ୱର ମନ୍ଦିର (ଟିଟିଡି) ପ୍ରସିଦ୍ଧି ଅର୍ଜନ କରି ଆସିଛି। ପ୍ରଭୁଙ୍କ ପ୍ରସାଦ ଲଡୁର ଚାହିଦା କାହିଁରେ କ’ଣ। ଲଡୁ ତିଆରି କରିବାକୁ ବାର୍ଷିକ ପ୍ରାୟ ପାଞ୍ଚ ହଜାର ଟନ୍ ବିଶୁଦ୍ଧ ଗୁଆଘିଅ କିଣନ୍ତି ମନ୍ଦିର କର୍ତ୍ତୃପକ୍ଷ। ନିୟମିତ ତଦାରଖ ବିନା କିପରି ଏତେ ପରିମାଣର ଘିଅ ନିଃସନ୍ଦେହରେ କିଣାଯାଉଥିଲା, ତାହା ଏକ ଆଶ୍ଚର୍ଯ୍ୟ। ପ୍ରସିଦ୍ଧ ଦୁଗ୍ଧ ଉତ୍ପାଦକ ଓ ବିକ୍ରୟକାରୀମାନେ ପାଇକାରୀ ଦରରେ କିଲୋ ପ୍ରତି ପ୍ରାୟ ୫୦୦ ଟଙ୍କାରେ ଘିଅ ବିକ୍ରି କରୁଥିଲା ବେଳେ, ତାମିଲନାଡୁର ଏକ ଘରୋଇ ଦୁଗ୍ଧ ସଂସ୍ଥା ‘ଏ ଆର ଡାଏରି ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍’ ମାତ୍ର ୩୨୦ ଟଙ୍କା ମୂଲ୍ୟରେ ଘିଅ ଯୋଗାଉଥିଲା। ମନ୍ଦିର ପ୍ରଶାସନ ଏହାର ରହସ୍ୟ ଜାଣିପାରୁ ନଥିଲେ କିପରି? ରାଜ୍ୟ ସରକାର କ’ଣ ସବୁ ଜାଣି ବି ଅଜଣା ରହୁଥିଲେ? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି।
ଭାରତରେ ଅପମିଶ୍ରିତ ଘିଅ ପ୍ରସ୍ତୁତିରେ ପ୍ରଥମ ଆବଶ୍ୟକ ଉପାଦାନ ନିଶ୍ଚୟ ନିରୁତା ଗୋମହିଷାଦି ଦୁଗ୍ଧ। ଏହି ଦୁଗ୍ଧରୁ ପ୍ରସ୍ତୁତ ଘିଅ ଓ ତୈଳବୀଜରୁ ପ୍ରସ୍ତୁତ ଖାଦ୍ୟୋପଯୋଗୀ ତେଲ ମୂଲ୍ୟ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ। ବିଶୋଧିତ ପାମ୍, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ବର୍ତ୍ତମାନ ପାଇକାରୀ ମୂଲ୍ୟ ଲିଟର ପିଛା ପ୍ରାୟ ୧୨୦-୧୨୫ ଟଙ୍କାରେ ମିଳୁଥିଲାବେଳେ ରାଇ/ସୋରିଷ ଓ ଚିନାବାଦାମ ତେଲ ମୂଲ୍ୟ ହେଉଛି ୧୩୫-୧୫୦ ଟଙ୍କା। ହେଲେ ଘିଅ ମୂଲ୍ୟ ସର୍ବନିମ୍ନ ୫୦୦ ଟଙ୍କା। ମୂଲ୍ୟରେ ରହୁଥିବା ପାର୍ଥକ୍ୟ କାରଣରୁ ଘିଅ କାଳେକାଳେ ଅସାଧୁ ବେପାରୀମାନଙ୍କ ଦ୍ୱାରା ଅପମିଶ୍ରିତ ହୋଇ ଆସିଛି। ତେବେ, ପୂର୍ବରୁ ଗୁଆଘିଅରେ ବନସ୍ପତି ତେଲ, ଘିଅ ମିଶାଯାଉଥିବାର ଅଭିଯୋଗ ଆସୁଥିଲେ ବି, ପଶୁଚର୍ବିରୁ ପ୍ରସ୍ତୁତ ତେଲ ମଧ୍ୟ ଅପମିଶ୍ରଣରେ ବ୍ୟବହାର ହେଲାଣି, ଏହା ଜାଣି ସମସ୍ତେ ବ୍ୟଥିତ।
ପ୍ରତିଷ୍ଠିତ ଦୁଗ୍ଧ ସମବାୟ ଫେଡେରେସନ୍ ଯଥା: ଗୁଜୁରାଟର ଅମୁଲ୍, କର୍ଣ୍ଣାଟକର ନନ୍ଦିନୀ ଓ ତାମିଲନାଡୁର ଆଭିନ୍ କିମ୍ବା ହାଟସୁନ୍ ଆଗ୍ରୋ, ଡୋଡଲା ଡାଏରି ଓ ହେରିଟେଜ୍ ଫୁଡ୍ସ ଭଳି ଘରୋଇ ଦୁଗ୍ଧ ସଂସ୍ଥା ଚାହାନ୍ତି ନାହିଁ ଯେ, ତାଙ୍କର ଉତ୍ପାଦିତ ସମସ୍ତ ଘିଅକୁ ଗୋଟିଏ ଅନୁଷ୍ଠାନ କିଣିନେଉ। ସେମାନେ ଏହାକୁ ସର୍ବାଧିକ ଖୁଚୁରା ଉପଭୋକ୍ତାଙ୍କୁ ବିକ୍ରି କରିବାକୁ ଚାହାନ୍ତି। ତେବେ, ଯେଉଁ ଦୁଗ୍ଧ ସଂସ୍ଥାମାନେ ଆଇସ୍କ୍ରିମ୍ ଉତ୍ପାଦନ କରନ୍ତି, ସେମାନେ ଘିଅ ବିକ୍ରି ଅପେକ୍ଷା ନିଜର ଉତ୍ପାଦିତ ଲହୁଣିକୁ ଆଇସ୍କ୍ରିମ୍ ପ୍ରସ୍ତୁତିରେ ବ୍ୟବହାର କରି ଅଧିକ ଲାଭ କରିଥାଆନ୍ତି। ଅମୁଲ୍ ମାସକୁ ହାରାହାରି ୯,୦୦୦-୧୦,୦୦୦ ଟନ୍ ଘିଅ ଚାହିଦା ମୁତାବକ ଛୋଟ ପ୍ୟାକେଟ୍ରେ ବିକ୍ରି କଲାବେଳେ, ନନ୍ଦିନୀ ପ୍ରାୟ ୩,୦୦୦ ଟନ୍ ଓ ଆଭିନ୍ ପ୍ରାୟ ୧,୫୦୦ ଟନ୍ ଘିଅ ବିକ୍ରି କରନ୍ତି। ପାଞ୍ଚ ବର୍ଷ ପୂର୍ବେ ପତଞ୍ଜଳି ଆୟୁର୍ବେଦ ମାସକୁ ୨,୫୦୦ ଟନ୍ ଘିଅ ବିକୁଥିଲା। ଏମାନେ ୯୧୦ ଗ୍ରାମ୍ ବା ଏକ ଲିଟର ଘିଅକୁ ବିକ୍ରୟ କର ଯୋଡ଼ି ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍ପି) ୬୦୦ରୁ ୭୫୦ ଟଙ୍କାରେ ବିକନ୍ତି। ଆମ ଦେଶରେ ଆହୁରି ଅନେକ ଘରୋଇ ଦୁଗ୍ଧ ସଂସ୍ଥା ଅଛନ୍ତି, ଯେଉଁମାନେ କି ‘ଟିଟିଡି’ ଭଳି ଏକକାଳୀନ ଅଧିକ ପରିମାଣର ଓ ନିୟମିତ ଭାବେ ଆବଶ୍ୟକ କରୁଥିବା ଗ୍ରାହକଙ୍କୁ ସେମାନଙ୍କ ଚାହିଦା ମୁତାବକ ଘିଅ ଶସ୍ତାରେ ଯୋଗାଇ ଦେଇଥାନ୍ତି।
ତିରୁପତିରେ ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛ ତେଲ ଥିବାର ନମୁନା ପରୀକ୍ଷା କରି ରିପୋର୍ଟ ଦେଇଛି ଗୁଜରାଟରେ ଥିବା ରାଷ୍ଟ୍ରୀୟ ଡାଏରି ବିକାଶ ବୋର୍ଡର ପଶୁଧନ, ଖାଦ୍ୟ ବିଶ୍ଳେଷଣ ଓ ଅଧ୍ୟୟନ କେନ୍ଦ୍ରର ପ୍ରୟୋଗଶାଳା। ଏହାକୁ ନେଇ ରାଜନୀତି ଉଷ୍ମ ହେଲାବେଳେ, ଦାରୁଣ ଧକ୍କା ପାଇଛନ୍ତି ଭକ୍ତ ସମାଜ। ଏହା କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ଆସ୍ଥା ଓ ଭାବନାକୁ ଆଘାତ ଦେଇଛି।
ବର୍ତ୍ତମାନ ମଇଁଷି କ୍ଷୀରରୁ ପ୍ରସ୍ତୁତ ଘିଅ ପାଇକାରୀ ବଜାରରେ କିଲୋଗ୍ରାମ ପିଛା ୪୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗାଈ କ୍ଷୀରରୁ ପ୍ରସ୍ତୁତ ଘିଅ କିଲୋଗ୍ରାମ ପିଛା ୪୭୦ ଟଙ୍କାରେ ବିକ୍ରି ହେଉଛି। ପ୍ୟାକେଜିଂ ଓ ପରିବହନ ଖର୍ଚ୍ଚ ମିଶାଇଲେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ସର୍ବନିମ୍ନ ୪୮୫-୪୯୫ ଟଙ୍କାରୁ କମିବା ଅସମ୍ଭବ। ତଥାପି, ତାମିଲନାଡୁର ଡିଣ୍ଡିଗୁଲସ୍ଥିତ ଏ ଆର ଡାଏରି ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ ‘ଟିଟିଡି’କୁ କିଲୋ ପିଛା ୩୨୦ ଟଙ୍କା ଦରରେ ଶୁଦ୍ଧ ଘିଅ ଯୋଗାଉଥିଲା କିପରି? ଟେଣ୍ଡର୍ ପ୍ରକ୍ରିୟାରେ ଭାଗ ନେଇ ସବୁଠୁ କମ୍ ମୂଲ୍ୟରେ ଏହା ‘ଟିଟିଡି’କୁ ଘିଅ ଯୋଗାଇ ଆସୁଥିଲା। ଏଣୁ ବୋଧହୁଏ ଆର୍ଥିକ କ୍ଷତି ସହିବା ଅପେକ୍ଷା ଅପମିଶ୍ରିତ ଘିଅ ଯୋଗାଇବାର ନିଷ୍ପତ୍ତି ନେଇଥାଇପାରେ। ସବୁଠୁ ବିପଜ୍ଜନକ କଥାଟି ହେଲା ଯେ, ଘିଅରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବାକୁ ଏହା ପାପ ଓ ଅପରାଧ ମନେ କରିନାହିଁ। ଯଦିଓ ନମୁନା ପରୀକ୍ଷଣ ରିପୋର୍ଟ ଆସିବା ପରେ ଏହାକୁ କଳା ତାଲିକାଭୁକ୍ତ କରାଯାଇଛି, ତଥାପି ଆମ ଦେଶର ସମସ୍ତ ଦୁଗ୍ଧ ସଂସ୍ଥା ଦ୍ବାର ପ୍ରସ୍ତୁତ ସମସ୍ତ ଦୁଗ୍ଧ ଉତ୍ପାଦର ନମୁନା ପରୀକ୍ଷଣ ହେବା ଆବଶ୍ୟକ ମନେହୁଏ।
ଏହି ପରିପ୍ରେକ୍ଷୀରେ କହି ରଖିବା ଉଚିତ ହେବ ଯେ, ସମଗ୍ର ବିଶ୍ବରେ ଉତ୍ପାଦନ ହେଉଥିବା କ୍ଷୀରର ୨୫ ପ୍ରତିଶତ ଅଂଶ ଭାରତର। ଦୈନିକ ୨,୩୧୦ ଲକ୍ଷ ମେଟ୍ରିକ୍ ଟନ୍ କ୍ଷୀର ଉତ୍ପାଦନ କରି ଭାରତ ପ୍ରଥମ ସ୍ଥାନରେ ରହିଛି ଓ ଆମେ ମୁଣ୍ଡପିଛା ଦୈନିକ ୪୬୦ ଗ୍ରାମ୍ କ୍ଷୀର ପାଉଥିଲାବେଳେ, ବିଶ୍ବ ଜନସମୁଦାୟ ପାଆନ୍ତି ୩୨୨ ଗ୍ରାମ୍। ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଗୁଜରାଟରେ ସର୍ବାଧିକ ପରିମାଣର ଘିଅ ଉତ୍ପାଦିତ ହେଉଥିଲାବେଳେ, ସମଗ୍ର ଦେଶରେ ବାର୍ଷିକ ୧ ଲକ୍ଷ ୭୦ ହଜାର ମେଟ୍ରିକ୍ ଟନ୍ ଘିଅ ଉତ୍ପାଦନ ହୁଏ। ଭାରତୀୟ ଖାଦ୍ୟମାନ ଓ ସୁରକ୍ଷା ନିୟନ୍ତ୍ରଣ ସଂସ୍ଥା (ଏଫ୍ଏସ୍ଏସ୍ଏଆଇ) ନିୟମିତ ଭାବେ ଘିଅର ଗୁଣବତ୍ତା ପରୀକ୍ଷା କରି ପ୍ରମାଣପତ୍ର ଦେଉଥିବାରୁ ଗ୍ରାହକମାନେ ଗୁଣ-ମାନ ଉପରେ ସନ୍ଦେହ ପ୍ରକାଶ କରନ୍ତି ନାହିଁ।
ଆମ ରାଜ୍ୟରେ ଥିବା ସର୍ବବୃହତ୍ ସମବାୟ ଦୁଗ୍ଧ ସଂସ୍ଥା ହେଲା ଓଡ଼ିଶା ମିଲ୍କ ଫେଡେରେସନ୍ ବା ସଂକ୍ଷେପରେ ‘ଓମ୍ଫେଡ୍’। ସେହିପରି ଘରୋଇ ମାଲିକାନାରେ ମଧ୍ୟ କିଛି ଦୁଗ୍ଧ ବିପଣନ ସଂସ୍ଥା ରହିଛି। ଏମାନେ, ଚାଷୀଙ୍କୁ ସଂଗଠିତ କରି ସେମାନଙ୍କ ଠାରୁ କ୍ଷୀର ସଂଗ୍ରହ କରନ୍ତି ଓ ପ୍ୟାକେଟ୍ରେ କ୍ଷୀର ବିକ୍ରି କରନ୍ତି। ସଂସ୍ଥା ପକ୍ଷରୁ ରାଜ୍ୟରେ ଗୋପାଳକ ସମବାୟ ସମିତି ମାଧ୍ୟମରେ କ୍ଷୀର ସଂଗ୍ରହ ପରେ ଶିତଳୀକରଣ କରାଯାଇ ନିକଟସ୍ଥ ପ୍ରକ୍ରିୟାକରଣ କେନ୍ଦ୍ରକୁ ଟ୍ୟାଙ୍କର୍ ଯୋଗେ ପଠାଯାଏ ଓ ସେଠାରେ ଲହୁଣୀ ବାହାର କରାଯାଇ ଘିଅ ଇତ୍ୟାଦି ପ୍ରସ୍ତୁତ ହୁଏ। ପ୍ରତ୍ୟେକ ସଂସ୍ଥା ନିଜର ବ୍ରାଣ୍ଡ୍ ଅନୁସାରେ ନିର୍ଦ୍ଦିଷ୍ଟ ତଥା ନିର୍ଦ୍ଧାରିତ ମାନର କ୍ଷୀର ଯୋଗାଇବାର ପ୍ରୟାସ କରୁଥିବାରୁ, ଚାହିଦା ଅନୁଯାୟୀ କ୍ଷୀର ବିକ୍ରି ପରିମାଣ କମାନ୍ତି କିମ୍ବା ବଢ଼ାଇଥାଆନ୍ତି। ପରିମାଣ କମାଇବାକୁ ପଡ଼ିଲେ, ଅତିରିକ୍ତ କ୍ଷୀରକୁ ଅନ୍ୟ ସଂସ୍ଥାକୁ ବିକ୍ରି କରନ୍ତି ଓ ବିଭିନ୍ନ ଉତ୍ପାଦ ଯଥା ପନିର୍, ଗୁଣ୍ଡ ଦୁଗ୍ଧ ଇତ୍ୟାଦି ପ୍ରସ୍ତୁତ କରନ୍ତି। ପରିମାଣ ବଢ଼ାଇବାକୁ ପଡ଼ିଲେ, ଗୁଣ୍ଡ ଦୁଗ୍ଧରୁ ଅଧିକ କ୍ଷୀର ଉତ୍ପାଦନ କରିଥାଆନ୍ତି। ସମିତି ମାଧ୍ୟମରେ କ୍ଷୀର ସଂଗ୍ରହ କରି ଆବଶ୍ୟକ ପରିମାଣର କ୍ଷୀର ବିକ୍ରି କରିବା ଅପେକ୍ଷା ଗୁଣ୍ଡ ଦୁଗ୍ଦରୁ କ୍ଷୀର ଉତ୍ପାଦନ କରିବା ଲାଭଜନକ ହେଉଥିବାରୁ, ଓଡ଼ିଶାର ସମସ୍ତ ଦୁଗ୍ଧ ବିପଣନ ସଂସ୍ଥା ପ୍ରାୟତଃ ଲହୁଣୀ ଓ ଘିଅ ଉତ୍ପାଦନ କରନ୍ତି ନାହିଁ। ବଦଳରେ ଅନ୍ୟ ରାଜ୍ୟରୁ ଗୁଣ୍ଡ ଦୁଗ୍ଧ, କ୍ଷୀର, ଲହୁଣୀ ଓ ଘିଅ କିଣିବାକୁ ଅଗ୍ରାଧିକାର ଦିଅନ୍ତି। ଓମଫେଡ୍ ମୁଖ୍ୟତଃ ଦେଶର ବୃହତ୍ ଦୁଗ୍ଧ ସମବାୟ ସଂସ୍ଥାରୁ ପାଇକାରୀ ମୂଲ୍ୟରେ ଘିଅ କିଣି ଗ୍ରାହକଙ୍କୁ ଖୁଚୁରା ଦରରେ ବନ୍ଦ ଡବା ଗୁଆଘିଅ ଭାବରେ ବିକ୍ରି କରିଥାଏ। ଏଣୁ, ଏହା ଯେ ନିରୁତା ଗୁଆଘିଅ, ହଲପ୍ କରି କହି ହେବନାହିଁ।
ଆମ ରାଜ୍ୟକୁ ଆମଦାନି ହେଉଥିବା ଦୁଗ୍ଧ, ଲହୁଣୀ ଓ ଘିଅର ଗୁଣ-ମାନ ପରୀକ୍ଷା କରିବାକୁ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଅତ୍ୟାଧୁନିକ ପରୀକ୍ଷାଗାର ନାହିଁ। ଏଣୁ, ଆମେ ଯେ ବିଶୁଦ୍ଧ ଗୁଆଘିଅ କିଣୁଛେ ଓ ସେଥିରେ ଠାକୁରଙ୍କ ଭୋଗ ବା ପ୍ରସାଦ ପ୍ରସ୍ତୁତ କରୁଛେ, ତାହା କହି ହେବନାହିଁ। ‘ଟିଟିଡି’ ପ୍ରସ୍ତୁତ ଲଡୁ ଭଳି ଆମ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ମହାପ୍ରସାଦରେ ବ୍ୟବହୃତ ଘିଅରେ ଯେ ଆପତ୍ତିଜନକ ଚର୍ବି ଓ ତେଲ ମିଶୁ ନାହିଁ, ତାହା ଓମ୍ଫେଡ୍ ପକ୍ଷରୁ ଭକ୍ତଜନଙ୍କୁ ସପ୍ରମାଣ ଆଶ୍ବସ୍ତ କରାଯିବା ଆବଶ୍ୟକ। କଟକରେ ଭେଜାଲ କ୍ଷୀର ପ୍ରସ୍ତୁତ ହେଉଥିବାର ଖବର ସମସ୍ତଙ୍କୁ ବିଚଳିତ କରିଛି। ‘ରୋହିଣୀ ମିଲ୍କ’ ବ୍ରାଣ୍ଡ୍ରେ ଏହି ନକଲି କ୍ଷୀର ବିକ୍ରି ହେଉଥିଲା। ଭୁବନେଶ୍ବରର ଏକ ନମ୍ବର ହାଟରେ ନକଲି ମିଲ୍କ ପାଉଡର୍ ବିକ୍ରି ହେଉଥିବାର ଶୁଣାଯାଉଛି। ଏହାକୁ ଅସାଧୁ ଗୋପାଳକମାନେ କିଣିନେଇ ଗାଈ କ୍ଷୀରରେ ମିଶାଇ ବିକୁଥିବାର ଅଭିଯୋଗ ଆସୁଛି। ଏଭଳି ଅସାଧୁ କାରବାର ଉପରେ ରୋକ୍ ଲାଗିବା ଦରକାର। ଜୈବ କୃଷି ଓ ଗୁଆଘିଅ ଉତ୍ପାଦନ ପାଇଁ ଆମକୁ ଗୋପାଳନକୁ ପ୍ରୋତ୍ସାହନ ଦେବାକୁ ହେବ। ଆମକୁ ଆହୁରି ଅଧିକ ଦୁଗ୍ଧ ଉତ୍ପାଦନ, ନିୟମିତ ନମୁନା ପରୀକ୍ଷଣ, ଅପମିଶ୍ରଣକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ଓ ବ୍ୟାବସାୟିକ ସଚ୍ଚୋଟତା ଆଣିବାକୁ ହେବ। ଖାଦ୍ୟରେ ବିଷ ମିଶାଉଥିବା ବ୍ୟକ୍ତି ଓ ସଂସ୍ଥାର ବ୍ୟବସ୍ଥାପକଙ୍କୁ କଠୋର ଦଣ୍ଡ ବ୍ୟବସ୍ଥା ନ କଲା ଯାଏ, ଅପମିଶ୍ରଣ ଓ ଚଞ୍ଚକତା କମିବନି, ବଢ଼ିଚାଲିଥିବ।
ମୋ: ୯୪୩୮୨୯୯୦୩୭
ଆଶା ଓ ଆକାଶ: ତିରୁପତି ଲଡୁ ଓ ଗୁଆଘିଅ
ପୂଜାପାର୍ବଣ, ହୋମଯଜ୍ଞ, ଦେବାଳୟରେ ଦୀପଦାନ କଲାବେଳେ, ଏମିତିକି ଅନ୍ତିମ ସଂସ୍କାର ବେଳେ ଲୋଡ଼ାହୁଏ ଗୁଆଘିଅ। ଏହାର ହାଲୁକା ହଳଦୀ ରଙ୍ଗ, ଚମତ୍କାର ବସ୍ନା ଓ ପବିତ୍ରତା ଆନମନା କରେ ସଭିଙ୍କୁ। ଶ୍ରୀମନ୍ଦିର ସମେତ ଆମର ସମସ୍ତ ଦେବାଳୟରେ ଥାଏ ବିଶୁଦ୍ଧ ଗୁଆଘିଅର ଆଦର।
/sambad/media/media_files/n2ozlPEBvVgqjdzW17zd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)