ଗତବର୍ଷ ଟମାଟୋ ଦର କେଜି ପ୍ରତି ଦୁଇ ଶହ ଟଙ୍କା ଛୁଇଁଥିଲା। ଗଣମାଧ୍ୟମରେ ଏଭଳି କିଛି ଖବର ପ୍ରକାଶ ପାଇଥିଲା, ‘ଦୋକାନର ତାଲା ଭାଙ୍ଗି ଟମାଟୋ ଓ ଅଦା ଲୁଟିନେଲେ ଚୋର’; ‘୬୦ ଟଙ୍କାରେ ଟମାଟୋ କିଣିବାକୁ ୫ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା!’; ‘ମାଆ ପାଇଁ ଟମାଟୋ ଉପହାର, ଦୁବାଇରୁ ଆସିଲା ୧୦ କି.ଗ୍ରା. ଟମାଟୋ’; ‘ଟମାଟୋ ବିକି ଏକ ମାସରେ କୋଟିପତି ହେଲେ ଚାଷୀ, ଗୋଟିଏ ଦିନରେ ୧୮ ଲକ୍ଷ ରୋଜଗାର’ ଇତ୍ୟାଦି। ଏ ବର୍ଷ ଅକ୍‌ଟୋବର ୭ ତାରିଖ ‘ସମ୍ବାଦ’ର ପ୍ରଥମ ପୃଷ୍ଠାର ଅନ୍ୟତମ ମୁଖ୍ୟ ଶୀର୍ଷକ ଥିଲା, ‘ସେଞ୍ଚୁରି ମାରିଲା ଟମାଟୋ।’ ଗରିବର କମଳା କୁହାଯାଉଥିବା ଟମାଟୋ ଏବେ ଗରିବଙ୍କ ପାଇଁ ଅପହଞ୍ଚ ହେଲାଣି। ମଧ୍ୟବିତ୍ତ ପରିବାର ଆଉ ବଜାରରୁ ଟମାଟୋ କିଣିବାକୁ ସାହସ କରିପାରୁ ନାହାନ୍ତି। ଆମ ଦେଶରେ ବିଲାତି ବାଇଗଣ ବା ଟମାଟୋ, ପିଆଜ ବା ଓନିଅନ୍‌ ଓ ଆଳୁ ବା ପଟାଟୋକୁ ସଂକ୍ଷେପରେ TOP (ଟପ୍) ପରିବା କୁହାଯାଉଛି। ଆଳୁ ଓ ପିଆଜ ଦର ଚଢ଼ା ରହିଥିଲାବେଳେ ଟମାଟୋର ବଜାର ଦର ହଠାତ୍‌ ଏମିତି ବଢ଼ିଯିବା ଚିନ୍ତାଜନକ ହୋଇଛି। ମଧ୍ୟବିତ୍ତ ପରିବାର ଏବେ ଦାରୁଣ ସଙ୍କଟରେ।
ପୂର୍ବେ ଟମାଟୋ ଶୀତ ଋତୁ ଫସଲ ଥିଲା ଏବଂ ଆମେ କେବଳ ଶୀତଦିନେ ଏହାକୁ ଖାଉଥିଲେ। ଲୋକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ସହିତ ଖାଦ୍ୟ ରୁଚି ଓ ଖାଦ୍ୟ ଶୈଳୀରେ ପରିବର୍ତ୍ତନ ଯୋଗୁଁ ଟମାଟୋ ଚାହିଦା ବର୍ଷସାରା ଲାଗି ରହିଲା। ଆଜିକାଲି ବଜାରରେ ବର୍ଷସାରା ଟମାଟୋ ମିଳୁଛି। ଆମ ରାଜ୍ୟରେ ସାଧାରଣତଃ ଡିସେମ୍ବର ମାସ ଠାରୁ ମାର୍ଚ୍ଚ ଯାଏ ସିନା ଟମାଟୋ ଅମଳ ହୋଇ ବଜାରକୁ ଆସିଥାଏ, କିନ୍ତୁ ବର୍ଷର ଅନ୍ୟ ମାସମାନଙ୍କରେ ବାହାର ରାଜ୍ୟରୁ ଓ ଆମ ରାଜ୍ୟର କିଛି ଥଣ୍ଡା ଅଞ୍ଚଳରୁ ଏହା ଆମଦାନି ହୋଇ ଆସିଥାଏ। ଭାରତୀୟ ଉପମହାଦେଶର ଭୌଗୋଳିକ ଓ କୃଷି-ଜଳବାୟୁର ବିଭିନ୍ନତା କାରଣରୁ ଆଞ୍ଚଳିକ ଭିତ୍ତିରେ କେଉଁଠି ନା କେଉଁଠି ପ୍ରାକୃତିକ ଭାବେ ଟମାଟୋ ଚାଷ କରାଯାଇ ପାରୁଥିବାରୁ ଖାଉଟିଙ୍କୁ ବର୍ଷସାରା ଟମାଟୋ କିଣିବାକୁ ମିଳେ। ତେବେ, ବଜାର ଚାହିଦା ଅଧିକ ରହିଲେ ଓ ଉତ୍ପାଦନ କମିଗଲେ ଦରଦାମ ବଢ଼ି ଯାଇଥାଏ।
ବିଶ୍ୱ ଟମାଟୋ ଉତ୍ପାଦନର ଏକ-ଦଶମାଂଶ ଭାରତରେ ଉତ୍ପାଦିତ ହୋଇଥାଏ। ଆମର ମୁଣ୍ଡପିଛା ବାର୍ଷିକ ହାରାହାରି ଟମାଟୋ ଖର୍ଚ୍ଚ ୫ କେଜିରୁ କମ୍‌। ଏଣୁ, ସମଗ୍ର ଦେଶର ବାର୍ଷିକ ଆବଶ୍ୟକତା ପ୍ରାୟ ୭୦ ଲକ୍ଷ ଟନ୍‌। ଏଥିରେ ଅମଳ ପରବର୍ତ୍ତୀ ନଷ୍ଟ ହେଉଥିବା ପ୍ରାୟ ୨୫ ଲକ୍ଷ ଟନ୍‌ ଟମାଟୋ ପରିମାଣକୁ ମିଶାଇଲେ, ଅନ୍ତତଃ ୯୫ ଲକ୍ଷ ଟନ ଉତ୍ପାଦନ ହେବା ଆବଶ୍ୟକ। ଚାଷୀମାନେ କିନ୍ତୁ ୧୦ ଲକ୍ଷ ହେକ୍ଟର ଜମିରୁ ବାର୍ଷିକ ୨୦୪ ଲକ୍ଷ ଟନ୍‌ ଟମାଟୋ ଅମଳ କରନ୍ତି। ଏଥିରୁ ମଧ୍ୟପ୍ରଦେଶର ଅବଦାନ ପ୍ରାୟ ୧୨ ପ୍ରତିଶତ ଓ ତାହାର ତଳକୁ ଯଥାକ୍ରମେ ଥାଆନ୍ତି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ଓଡିଶା ଓ ଛତିଶଗଡ଼। ଆମ ଓଡ଼ିଶାର ଅବଦାନ ଦେଶରେ ଉତ୍ପାଦିତ ଟମାଟୋ ପରିମାଣର ମାତ୍ର ୫ ପ୍ରତିଶତ। କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପକ ଭାବେ ମୁଖ୍ୟତଃ ଶୀତ ଦିନେ ଟମାଟୋ ଚାଷ କରାଯାଇଥାଏ। କୋରାପୁଟ ଓ କନ୍ଧମାଳ ଜିଲ୍ଲାର ଅପେକ୍ଷାକୃତ ଥଣ୍ଡା ଜଳବାୟୁରେ ଅଦିନିଆ ଟମାଟୋ ଚାଷ କରାଯାଇଥାଏ। ଏହାଛଡ଼ା, ପଲିଥିନ-ଘରେ ବର୍ଷ ସାରା ହାଇବ୍ରିଡ୍‌ ଟମାଟୋ ଚାଷ କରାଯାଉଛି। ବର୍ଷାଦିନେ ମଧ୍ୟ ନିର୍ଦ୍ଦିଷ୍ଟ କିସମର ଟମାଟୋ ଉତ୍ପାଦନ ହୋଇପାରୁଛି। ଅମଳ ପରବର୍ତ୍ତୀ ପରିଚାଳନା ବିଜ୍ଞାନ ସହଯୋଗରେ ଟମାଟୋକୁ ଅଧିକ ଦିନ ସାଇତାଯାଉଛି ଓ ଶୀତଳ ଶୃଙ୍ଖଳା ମଧ୍ୟରେ ବଜାରରେ ଉପଲବ୍‌ଧ ହେଉଛି। 
ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ମୂଲ୍ୟଶୃଙ୍ଖଳ ଅନୁଧ୍ୟାନରୁ ଜଣାଯାଇଛି ଯେ ଚାଷୀମାନେ କିଲୋପ୍ରତି ୭ ଟଙ୍କା ଦରରେ ଟମାଟୋ ବିକ୍ରି କଲେ, ଖାଉଟି ପାଖରେ ପହଞ୍ଚିଲା ବେଳକୁ ତାହାର ମୂଲ୍ୟ ୨୧ ଟଙ୍କା ହୋଇଯାଏ। ଅନେକ ସମୟରେ ଚାଷୀ ଶସ୍ତାରେ ଟମାଟୋ ବିକିବାକୁ ବାଧ୍ୟ ହେଲେ, ବଜାର ଦର କମିଯାଏ। ଅତୀତରେ ଉଚିତ ମୂଲ୍ୟ ନପାଇ ଚାଷୀ ଆତ୍ମହତ୍ୟା କରିଛନ୍ତି, ଟମାଟୋ ଚାଷରୁ ମୁହଁ ଫେରାଇ ନେଇଛନ୍ତି। କେଜି ପ୍ରତି ମାତ୍ର ଏକ ଟଙ୍କାରେ ବିକିବାକୁ ବାଧ୍ୟ ହୋଇ ଟମାଟୋ ଚାଷୀ ଏତେ କଷ୍ଟ କରି, ଖତ ଓ ସାର କିଣି ଉତ୍ପାଦନ କରିଥିବା ଫସଲକୁ ରାସ୍ତାରେ ଢାଳିଛନ୍ତି। ବେଳେବେଳେ, ବଜାର ଦର ଅତିଶୟ କମିଗଲେ, ଚାଷୀମାନେ ଟମାଟୋ ନ ତୋଳି କ୍ଷେତରେ ଗୋରୁ ଗାଈ ଛାଡ଼ି ଦେଇଛନ୍ତି। ଗୋଟିଏ ଏକର ଚାଷ ପାଇଁ ୬୦ ହଜାର ଟଙ୍କା ଖର୍ଚ୍ଚ କଲେ ଅମଳ ହୁଏ ୧୦ ହଜାର କେଜି ଟମାଟୋ। ଏଣୁ କେଜି ପ୍ରତି ସର୍ବନିମ୍ନ ୧୦ ଟଙ୍କା ନପାଇଲେ ଚାଷୀ କାହିଁକି ବା ଚାଷ କରିବେ? ଯଦି ଚାଷୀ ଟମାଟୋ କେଜି ପ୍ରତି ୧୦ ଟଙ୍କା ପାଇବେ ଓ ଖାଉଟି ୩୦ ଟଙ୍କା ଦେଇ କିଣି ପାରିବେ, ଚାଷୀମାନେ ପନିପରିବା ଚାଷ ପ୍ରତି ଆଗ୍ରହୀ ହେବେ। କେବଳ ପରିବା କାହିଁକି, ବିଭିନ୍ନ ଡାଲି ଫସଲ, ଆଳୁ-ପିଆଜ, ଫଳ ଚାଷ ମଧ୍ୟ କରିବେ। 
ବାସ୍ତବରେ, ସମସ୍ତ ପ୍ରକାର ଫସଲ ଅମଳ ପ୍ରକୃତିର ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ଋତୁ ଆଧାରିତ। ଟମାଟୋ ଏଥିରୁ ବାଦ ନୁହେଁ। ଖରିଫ ଋତୁରେ ମଇ ଠାରୁ ଜୁଲାଇ ମାସ ଯାଏ ଲଗାଯାଉଥିବା ଟମାଟୋ ଜୁଲାଇ ଠାରୁ ନଭେମ୍ବର ମାସ ଯାଏ ଅମଳ ଦେଉଥିଲାବେଳେ, ରବି ଋତୁରେ ଅକ୍‌ଟୋବର ଠାରୁ ଫେବ୍ରୁଆରି ମାସ ଯାଏ ଲଗାଯାଉଥିବା ଟମାଟୋ ଫଳ ଧରେ ଡିସେମ୍ବର ଠାରୁ ଜୁନ ମାସ ଯାଏ। ସେଇଥିପାଇଁ ଆମ ଦେଶରେ ଟମାଟୋର ସର୍ବାଧିକ ବଜାର ଦର ଥାଏ ଜୁଲାଇରେ; ପଛକୁ ପଛ ଚଢ଼ା ଦର ରହେ ଯଥାକ୍ରମେ ଅକ୍‌ଟୋବର, ମଇ ଓ ଜୁନ୍‌ ମାସରେ। ଆମ ଦେଶରୁ ଟମାଟୋ ମଧ୍ୟ ବିଦେଶକୁ ରପ୍ତାନି କରାଯାଏ। ସବୁଠୁ ଅଧିକ ରପ୍ତାନି କରାଯାଉଥିବା ମାସଗୁଡ଼ିକ ଯଥାକ୍ରମେ ନଭେମ୍ବର, ଡିସେମ୍ବର, ସେପ୍‌ଟେମ୍ବର, ଅକ୍‌ଟୋବର ଓ ଜୁଲାଇ। ଖରିଫ ଋତୁରେ ଆମ ଦେଶରେ ପ୍ରାୟ ୫୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଟମାଟୋ ଉତ୍ପାଦନ ହେଉଥିଲାବେଳେ, ରବି ଋତୁରେ ଉତ୍ପାଦନ ହୁଏ ୧୫୪ ଲକ୍ଷ ମେଟ୍ରିକ୍‌ ଟନ୍‌।
ବର୍ଷ ସାରା ଟମାଟୋ ଚାଷ ପାଇଁ, ଆମକୁ ନୂତନ କୌଶଳ ବ୍ୟବହାର କରିବାକୁ ପଡ଼ିବ ଓ ଦେଶର ଯେଉଁ ଅଞ୍ଚଳରେ ବର୍ଷା ଓ ଖରାଦିନେ ମଧ୍ୟ ଅଦିନିଆ ଫସଲ ଚାଷ କରାଯାଇ ପାରିବ, ତାହା ଚିହ୍ନଟ କରିବାକୁ ପଡ଼ିବ। ପଲିହାଉସକୁ ଥଣ୍ଡା ରଖି ସେଥିରେ ବର୍ଷସାରା ଶୀତଦିନିଆ ପନିପରିବା ଚାଷ କରାଯାଇପାରିବ। ଆମକୁ ରୋଗ ପୋକ ପ୍ରତିରୋଧକ ଓ ଅଧିକ ଦିନ ଯାଏ ସାଇତା ଯାଇ ପାରୁଥିବା କିସମର ବିହନ ବ୍ୟବହାର କରିବାକୁ ହେବ। ଟମାଟୋ ପାଣିପରିବା ହୋଇଥିବାରୁ, ସାଇତି ରଖିବା ବ୍ୟବସ୍ଥା କରିବାକୁ ହେବ। ନହେଲେ, ଟମାଟୋ ପଚି ନଷ୍ଟ ହେବ। ଟମାଟୋରୁ ପ୍ୟୁରି, ସସ୍, କେଚପ୍, ସ୍କ୍ୱାସ୍, ଆଚାର ପ୍ରସ୍ତୁତ କରିବାକୁ ଓଡ଼ିଶାରେ ବୃହତ୍ ପ୍ରକ୍ରିୟାକରଣ ଶିଳ୍ପସଂସ୍ଥା ନଥିବାରୁ, ବହୁଳ ଉତ୍ପାଦିତ ଶୀତଦିନିଆ ଟମାଟୋ ଚାଷ ଲାଭଜନକ ହୋଇପାରୁନି। 
ଚାହିଦା ଓ ଯୋଗାଣ ମଧ୍ୟରେ ସମ୍ପର୍କ ଓ ପ୍ରତିକୂଳ ପାଣିପାଗ କାରଣରୁ ଏବେ ଟମାଟୋ ଦର ଆକାଶ ଛୁଆଁ। ସମୟ ଆସିଛି, ଓଡ଼ିଶାର ଅଗ୍ରଣୀ ଚାଷୀମାନେ ପ୍ରତିବର୍ଷ ମଇ ମାସଠାରୁ ନଭେମ୍ବର ଯାଏ ଅଦିନ-ଟମାଟୋ ଉତ୍ପାଦନ ଓ ବିକ୍ରି କରି କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ଚାଷୀଙ୍କ ଭଳି କୋଟିପତି ନହେଲେ ବି ଅନ୍ତତଃ ଲକ୍ଷପତି ହୋଇପାରିବେ। ଏଥିପାଇଁ ସରକାରଙ୍କ ପକ୍ଷରୁ କୃଷକ ଉତ୍ପାଦକ ସଙ୍ଗଠନ ମାଧ୍ୟମରେ ଚାଷୀଙ୍କୁ ଅଧିକ ପ୍ରୋତ୍ସାହନ ସହିତ, ଶୀତଳଭଣ୍ଡାର, ଉପଯୁକ୍ତ ମୂଲ୍ୟରେ ଉଚ୍ଚମାନର ବିହନ, ରାସାୟନିକ ସାର, କୀଟ ଓ ରୋଗନାଶକ ଔଷଧ ମିଳିବାର ବ୍ୟବସ୍ଥା କରାଯିବା ଦରକାର। ସେହିପରି ତିରୋଟ ସମୟରେ ଭାରତ ସରକାର ବିଦେଶକୁ ରପ୍ତାନି ଉପରେ କଟକଣା ଜାରି କରିବା ଦରକାର। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଟମାଟୋ ପ୍ରକ୍ରିୟାକରଣ କୁଟୀର ଶିଳ୍ପ ପ୍ରତିଷ୍ଠା କଲେ ଓ ଖାଉଟିମାନେ ଟମାଟୋ ବଦଳରେ ଟମାଟୋ ପ୍ୟୁରି ବ୍ୟବହାରକୁ ଆଦରିନେଲେ ଦରବୃଦ୍ଧି କାରଣରୁ ହନ୍ତସନ୍ତ ହୁଅନ୍ତେ ନାହିଁ। 
ଅନିୟମିତ ବର୍ଷା ଯୋଗୁଁ ବହୁ ରାଜ୍ୟରେ ଟମାଟୋ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଛି। ସାରା ଦେଶରେ ଟମାଟୋ ଉତ୍ପାଦନ ହ୍ରାସ ପାଇଛି ଓ ବଜାରଗୁଡ଼ିକୁ ଯୋଗାଣ ପ୍ରଭାବିତ ହୋଇଛି। ଚଳିତ ମାସ ଟମାଟୋର ଅହେତୁକ ଦର ବୃଦ୍ଧି ଗ୍ରାହକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଟମାଟୋ ଦର ୧୦୦ ଟଙ୍କାରୁ ଅଧିକ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଦକ୍ଷିଣ ଭାରତରେ ମଧ୍ୟ ବର୍ଷା ଯୋଗୁଁ ପନିପରିବା ଫସଲ ବ୍ୟାପକ କ୍ଷତି ହୋଇଛି। ଏଣୁ କର୍ଣ୍ଣାଟକ, ଆନ୍ଧ୍ର ଓ ମହାରାଷ୍ଟ୍ରର ପାଇକାରୀ ବଜାରରେ ଟମାଟୋ ଦର ଉଚ୍ଚା ରହିଛି। 
ସମୟ ଆସିଛି, ପରିବର୍ତ୍ତିତ ଜଳବାୟୁକୁ ଧ୍ୟାନରେ ରଖି, ଆମକୁ ଫସଲ ଖସଡ଼ା ପ୍ରସ୍ତୁତ କରିବାକୁ ପଡ଼ିବ ଓ ପରିବର୍ତ୍ତନ ମଧ୍ୟ ଆଣିବାକୁ ପଡ଼ିବ। ବଦଳି ଯାଉଥିବା ପାଣିପାଗ, ଖରା-ବର୍ଷା-ଶୀତର ମିଞ୍ଜାସକୁ ଧ୍ୟାନ ଦେଇ ବିବିଧ ଫସଲ ଚାଷ କରିବାକୁ ହେବ। କେବଳ ଅଧିକ ଅମଳ ଦେଉଥିବା କିସମ ନୁହେଁ, ବରଂ କୃଷିବିଜ୍ଞାନୀଙ୍କୁ ଏପରି କିସମର ଟମାଟୋ ବିହନ ସୃଷ୍ଟି କରିବାକୁ ହେବ, ଯାହାର ପଚନଶୀଳତା ଅପେକ୍ଷାକୃତ କମ୍‌ ଓ ଯାହାକୁ ଶୀତଳ ଭଣ୍ଡାରରେ ଅଧିକ ଦିନ ସାଇତା ଯାଇପାରୁଥିବ। ଧାନ ଭଳି ଶସ୍ୟର ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସରକାର ମାତ୍ରାଧିକ ବୋନସ୍ ପ୍ରଦାନ କରି ନିଶ୍ଚିତ କ୍ରୟ କଲେ, ଚାଷୀମାନେ ବର୍ଷସାରା କେବଳ ଧାନଚାଷ କରିବାକୁ ଆଗ୍ରହୀ ହେବେ; ପଚନଶୀଳ ଟମାଟୋ, ପିଆଜ, ଆଳୁ ଓ ପନିପରିବା ଚାଷ ଛାଡ଼ିଦେବେ। ଏହିସବୁ ଫସଲ ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେବା। ଅପପୁଷ୍ଟ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଟମାଟୋ ଦୁରନ୍ତ ସ୍ବପ୍ନଟିଏ ହୋଇ ରହିଯିବ।
ମୋ: ୯୪୩୮୨୯୯୦୩୭