ଗୌରଚନ୍ଦ୍ର ତ୍ରିପାଠୀ

ମହାରାଣୀଙ୍କ ଅନ୍ତଃପୁର ନିକଟରେ ରୋଷଶାଳା ଏବଂ ତା’ପାଖରେ ରାଜ୍ୟର ଘୋଡ଼ାଶାଳ। ବୃଦ୍ଧ ହନୁମାଙ୍କଡ଼ର ଶତ ବାରଣ ସତ୍ତ୍ୱେ ରାଜାଙ୍କ ବଗିଚାର ଯୁବ ମାଙ୍କଡ଼ଦଳ ପ୍ରତିଦିନ ରୋଷଶାଳାରେ ପଶି ଉତ୍ପାତ କରନ୍ତି। ଶେଷରେ ପରିଣାମ ଭୟଙ୍କର ହେବାର ସତର୍କସୂଚନା ଦେଇ ବୃଦ୍ଧ ମାଙ୍କଡ଼ ଜଙ୍ଗଲକୁ ଚାଲିଗଲା। ଦିନେ ଯୁବ ମାଙ୍କଡ଼ଙ୍କ ଦୁଷ୍ଟାମିରେ କ୍ରୋଧିତ ହୋଇ ମୁଖ୍ୟ ପାଚକ ସେମାନଙ୍କ ଉପରକୁ ଏକ ଜ୍ବଳନ୍ତ କାଠଫାଳିଆ ଫୋପାଡ଼ିଲେ ଯାହା ଲକ୍ଷ୍ୟଭ୍ରଷ୍ଟ ହୋଇ ପଡ଼ିଲା ଘୋଡ଼ାଙ୍କ ଖାଇବାପାଇଁ ଉଦ୍ଦିଷ୍ଟ ନଡ଼ାଗଦାରେ। ଘୋଡ଼ାଙ୍କ ଦେହରେ ବି ନିଆଁ ଲାଗିଲା। ରାଜ୍ୟର ମୁଖ୍ୟ ଚିକିତ୍ସକ ପରାମର୍ଶ ଦେଲେ, ପୋଡ଼ାଘା’ର ଏକମାତ୍ର ଉପଚାର ହୁଏ ମାଙ୍କଡ଼ଙ୍କ ଚର୍ବିରୁ। ଉପଚାର ପାଇଁ ମାଙ୍କଡ଼ବଂଶ ନିପାତ ପାଇଲେ। ଦୂରଦୃଷ୍ଟିସମ୍ପନ୍ନ ବୃଦ୍ଧ ମାଙ୍କଡ଼ର ପରାମର୍ଶ ଯଦି ଚପଳ ମାଙ୍କଡ଼ ଦଳ ମାନିନେଇଥାନ୍ତେ ତେବେ ଏସବୁ ହୋଇ ନଥାନ୍ତା।
ବାର୍ଦ୍ଧକ୍ୟ ଏକ ବରଦାନ; ଜ୍ଞାନ, ଅନୁଭୂତି, ଅଭିଜ୍ଞତା ଓ ଚେତନାର ପରିପ୍ରକାଶ। ବିଶ୍ବର ପ୍ରାୟ ପଚାଶ କୋଟି ଲୋକଙ୍କ ବୟସ ବର୍ତ୍ତମାନ ପଞ୍ଚଷଠି ବର୍ଷ କିମ୍ବା ତା’ଠାରୁ ଅଧିକ। ବିକଶିତ ଦେଶରେ, ବୟସ୍କଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ଦଶରୁ ପନ୍ଦର ପ୍ରତିଶତ। କିନ୍ତୁ ଅଧିକାଂଶ ବୟସ୍କ ବ୍ୟକ୍ତି ବାର୍ଦ୍ଧକ୍ୟକୁ ଗ୍ରହଣ କରିବା ପାଇଁ ମାନସିକ ଓ ଆଧ୍ୟାତ୍ମିକ ଭାବରେ ପ୍ରସ୍ତୁତ ନୁହନ୍ତି ଏବଂ ଏହାକୁ ଏକ ନକାରାତ୍ମକ ଅନୁଭୂତି ବୋଲି ଭାବନ୍ତି। ଅଧୁନା, ପରିଣତ ବୟସରେ ସମୟର ଅର୍ଥପୂର୍ଣ୍ଣ ବିନିଯୋଗ ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏକ ଆହ୍ୱାନରେ ପରିଣତ ହୋଇଛି। 
ବୈଦିକ ଯୁଗରେ, ବୃଦ୍ଧାବସ୍ଥା ଖୁସିର ବିଷୟ ଥିଲା; ଦୀର୍ଘାୟୁ ହେବା ଜୀବନଶକ୍ତି ଓ ସୌଭାଗ୍ୟର ଏକ ସଙ୍କେତ ଭାବରେ ବିବେଚନା କରାଯାଉଥିଲା। ଅଥର୍ବ ବେଦରେ ଶହେ ବର୍ଷ ବଞ୍ଚିବାର କାମନାର ଉଲ୍ଲେଖ କରାଯାଇଛି। ଆମ ସଂସ୍କୃତିରେ ଆଶୀର୍ବାଦ ଦିଆଯାଏ, ’ଦୀର୍ଘାୟୁ ଭବଃ।’ ମହାଭାରତରେ ବୃଦ୍ଧାବସ୍ଥାକୁ ସମ୍ମାନ ଦେବା ସହ ଏକ ଦାୟିତ୍ୱବୋଧ ଭାବେ ଚିତ୍ରଣ କରାଯାଇଛି, ଯାହା ବୟସ୍କ ବ୍ୟକ୍ତିଙ୍କ ଜ୍ଞାନ ଓ ଅଭିଜ୍ଞତାକୁ ପରିପ୍ରକାଶ କରିଥାଏ। ରାମାୟଣ ରଣାଙ୍ଗନରେ ମୃତ୍ୟୁର ଅପେକ୍ଷାରତ ଜ୍ଞାନବୃଦ୍ଧ ରାବଣଙ୍କ ନିକଟକୁ ପ୍ରଭୁ ଶ୍ରୀରାମ, କନିଷ୍ଠ ଲକ୍ଷ୍ମଣଙ୍କୁ ପଠାଇଛନ୍ତି ଜୀବନଦର୍ଶନର ଜ୍ଞାନପ୍ରାପ୍ତି ପାଇଁ। ଟାଓବାଦରେ ବୃଦ୍ଧାବସ୍ଥାକୁ ଜ୍ଞାନ ଓ ଆଧ୍ୟାତ୍ମିକ ବିକାଶର ଏକ ସୁଯୋଗ ଭାବରେ ଗ୍ରହଣ କରାଯାଇଥାଏ। ବୈରାଗବାଦ ଉଦ୍ଦେଶ୍ୟମୟ ଓ ଅର୍ଥପୂର୍ଣ୍ଣ ଜୀବନଯାପନ ଉପରେ ଗୁରୁତ୍ବ ଆରୋପ କରେ, ଯାହାର ସୂଚନା ଦାର୍ଶନିକ ମାର୍କସ୍ ସିସେରୋଙ୍କ ଲିଖିତ “ଅନ୍ ଓଲ୍‌ଡ ଏଜ୍” ପୁସ୍ତକରେ ଦେଖିବାକୁ ମିଳେ। 
ଦାର୍ଶନିକ ଜେ. କୃଷ୍ଣମୂର୍ତ୍ତିଙ୍କ ମତରେ ବୃଦ୍ଧାବସ୍ଥାର ଅର୍ଥ ହେଉଛି, ମନର ପରିପକ୍ବତା। ତେଣୁ ବାର୍ଦ୍ଧକ୍ୟରେ ମନ ଆତ୍ମ-ସୁରକ୍ଷା ପାଇଁ ପରିବର୍ତ୍ତନର ବିରୋଧାଭାସ କରେ। ଅଧିକାଂଶ ଦାର୍ଶନିକ ବୃଦ୍ଧାବସ୍ଥାକୁ ମାନସିକ ଶାନ୍ତି ସ୍ଥାପନର ସମୟ ଭାବେ ବିବେଚନା କରନ୍ତି। ବୃଦ୍ଧ ବ୍ୟକ୍ତିଙ୍କ ଠାରେ ଉପଲବ୍‌ଧ ଆଉ ଦୁଇଟି ସଦ୍‌ଗୁଣ ହେଉଛି ଲୋକଙ୍କୁ ଭଲ ପାଇବାର କ୍ଷମତା ଓ ବିନମ୍ରତା। ଏହି ଅଭିବ୍ୟକ୍ତିର ପ୍ରତିଫଳନ ଦାର୍ଶନିକ ସୋପେନହାଉରଙ୍କ ଚିନ୍ତାଧାରାରେ ଦେଖିବାକୁ ମିଳେ। ବାର୍ଦ୍ଧକ୍ୟ ସକ୍ରିୟ ଜୀବନଯାପନର ସୁଯୋଗକୁ ବିସ୍ତାର କରେ; ଯୁବପିଢ଼ି ସହିତ ବୌଦ୍ଧିକ ଓ ଭୌତିକ ଅଭିଜ୍ଞତା ବାଣ୍ଟିବାର ସୁଯୋଗ ପ୍ରଦାନ କରେ। ବୟାନବେ ବର୍ଷ ବଞ୍ଚିଥିବା ମହାନ ଚିତ୍ରକର ପାବ୍ଲୋ ପିକାସୋଙ୍କ ଜୀବନ, ଏହାର ଜ୍ବଳନ୍ତ ଉଦାହରଣ। ମନସ୍ତତ୍ତ୍ବବିତ୍‌ ଏରିକ୍ ଏରିକ୍ସନ୍ ମନ୍ତବ୍ୟ ରଖନ୍ତି, ଜୀବନର ସଫଳତା ପାଇଁ ଆମେ କ’ଣ ‘ଧରି ରଖିବା’, ‘କ’ଣ ଛାଡ଼ିବା’ ଓ ‘କିପରି’ ସେ ଜ୍ଞାନ ବାର୍ଦ୍ଧକ୍ୟରେ ହିଁ ଉଜ୍ଜୀବିତ ହୋଇଥାଏ। ବୟସକୁ ଅସ୍ବୀକାର କରି, ବଞ୍ଚିବା ପାଇଁ ଏକ ସୁସ୍ଥ ଓ ସକାରାତ୍ମକ ସଂଘର୍ଷର ଫଳ ସ୍ବରୂପ ଜର୍ମାନ୍‌ କବି ଓ ଦାର୍ଶନିକ ଗୋଏଥ ଗମ୍ଭୀର ଭାବେ ଅସୁସ୍ଥ ଥିବା ଅବସ୍ଥାରେ କାଳଜୟୀ ନାଟକ ‘ଫାଉଷ୍ଟ’ର ଦ୍ବିତୀୟ ଭାଗ ଲେଖିଥିଲେ। ‘ରେସନାଲ-ଇମୋଟିଭ ବିହେଭିଅର ଥେରାପି’ର ପ୍ରତିଷ୍ଠାତା ଆଲବର୍ଟ ଏଲିସ୍ ଅଶୀ ବର୍ଷ ବୟସରେ “ଅପଟିମାଲ ଏଜିଂ: ଗେଟ୍‌ ଓଭର, ଗେଟିଂ ଓଲ୍‌ଡର” ରଚନା କରିଥିଲେ। ତାଙ୍କ ପୁସ୍ତକ ବୟସ୍କ ବ୍ୟକ୍ତି ଖୁସି ରହିବା ପାଇଁ ସକାରାତ୍ମକ ଚିନ୍ତାଧାରା ଉପରେ ଧ୍ୟାନ ଦେବାକୁ କହେ। ବୃଦ୍ଧାବସ୍ଥାରେ, ନାଜି ଯନ୍ତ୍ରଣା ଶିବିର ଫେରନ୍ତା ଭିକ୍ଟର ଫ୍ରାଙ୍କଲ୍ ‘ଉଦ୍ଦେଶ୍ୟମୂଳକ’ ଜୀବନ ଯାପନର ପରାମର୍ଶ ଦେବାକୁ ଯାଇ କୁହନ୍ତି, ‘କାହିଁକି ବଞ୍ଚିବା’ ବଦଳରେ ‘କେବଳ ବଞ୍ଚିବା’ ପାଇଁ ବଞ୍ଚିବାରେ ଜୀବନ ଏକ ‘ଅସ୍ତିତ୍ବହୀନ ଶୂନ୍ୟତାରେ ବଞ୍ଚିବା’ ପରି ହୋଇଯାଏ।
ବୟସ୍କବ୍ୟକ୍ତିଙ୍କ ପ୍ରତ୍ୟେକଟି ସକାଳ, ବ୍ୟକ୍ତିସ୍ବାର୍ଥରୁ ଊର୍ଦ୍ଧ୍ବକୁ ଯାଇ ‘ପରୋପକାରାୟ ସ୍ବର୍ଗାୟ’ର ଲକ୍ଷ୍ୟ ନେଇ ଆରମ୍ଭ ହେଉ, ଦିନଟି ଆନନ୍ଦର ସୂର୍ଯ୍ୟାଲୋକରେ ପ୍ଳାବିତ ହେବ। ଆଧ୍ୟାତ୍ମିକ ଚେତନାର ବିକାଶ ହିଁ ଠିକ୍‌ ଭାବରେ ଜୀବନକୁ ଜିଇଁବାର ମୂଳମନ୍ତ୍ର। ନିତ୍‌ସେଙ୍କ ମତରେ, ଆମେ ଦିନେ କ’ଣ ହେବାକୁ ଚାହୁଛୁ ଓ ଆଜି ଆମେ କ’ଣ, ସେହି ମଧ୍ୟରେ ଥିବା ବ୍ୟବଧାନ ମଧ୍ୟରେ , ବାର୍ଦ୍ଧକ୍ୟର ଯନ୍ତ୍ରଣା, ଚିନ୍ତା, ଈର୍ଷା ଏବଂ ଅପମାନର ଅନୁଭୂତି ଅପରିହାର୍ଯ୍ୟ। ସେ କୁହନ୍ତି, “ସବୁ ସତ୍ତ୍ୱେ ଜୀବନକୁ ହଁ କୁହନ୍ତୁ।” 
ଅଧିକାଂଶ ବୟସ୍କ ବ୍ୟକ୍ତି ଭାବନ୍ତି, ସବୁକିଛି ଶେଷ ହୋଇଯାଇଛି ଏବଂ ଜୀବନରେ ସେମାନଙ୍କର ଆଉ କିଛି କରିବାର ନାହିଁ। ସ୍ବପ୍ନ ଓ ବାସ୍ତବତା ମଧ୍ୟରେ ଥିବା ଗଭୀର ଘାଇ ଯୋଗୁଁ ସେମାନଙ୍କୁ ଜୀବନ ଯନ୍ତ୍ରଣାମୟ ଲାଗେ। ତେଣୁ ଆବଶ୍ୟକତା ରହିଛି ଜଞ୍ଜାଳମୟ ଯୌବନ କାଳରୁ ହିଁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ ବାର୍ଦ୍ଧକ୍ୟକୁ ଭବିଷ୍ୟତରେ ସାମ୍ନା କରିବାର ପ୍ରସ୍ତୁତି। ଯେଉଁ ବ୍ୟକ୍ତି ଜୀବନ ଯାତ୍ରାର ରାସ୍ତାରେ ଥିବା ସମସ୍ତ ଘାତପ୍ରତିଘାତର ପ୍ରତିହତ କରି ଆଗକୁ ବଢ଼ନ୍ତି, ନିଜ ଜୀବନର ଅର୍ଥ ଆବିଷ୍କାର କରିବାକୁ ଏବଂ ଜୀବନକୁ ହଁ କହିବାର ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରିବାକୁ ସାହସ କରନ୍ତି, ବାର୍ଦ୍ଧକ୍ୟରେ ସେ ହିଁ ସିସିଫସଙ୍କ ପରି ଆତ୍ମତୃପ୍ତିର ଉନ୍ମାଦନାରେ ଗର୍ଜନ କରିପାରନ୍ତି- ଜୀବନର ସମସ୍ତ ଦୁଃଖ, ନିର୍ଯାତନା ସତ୍ତ୍ବେ ମୁଁ କେବେ ବି ହାର ମାନିବିନି। ଜରାଗ୍ରସ୍ତ, ତଥାପି ଶରୀର, ମନ ଓ ଆତ୍ମାକୁ ଏକାକାର କରି ମୋ କର୍ମ ବଳରେ ଅମରତ୍ବ ପ୍ରାପ୍ତ କରିବି, ଜୀବନକୁ ଜୀବନ୍ତ ରଖିବି। ‘ଅହମ୍‌ ବ୍ରହ୍ମାସ୍ମି।’ 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭