ଗୌରଚନ୍ଦ୍ର ତ୍ରିପାଠୀ

କଲେଜ ସହପାଠିନୀ ମଞ୍ଜୁଳାକୁ ସେଦିନ ଟ୍ରେନ୍‌ର ପାଖ ସିଟରେ ପାଇ ମୁଁ ଚମକି ପଡ଼ିଲି। ଚାଳିଶ ବର୍ଷ ପରେ ଦେଖାସାକ୍ଷାତ। ଟ୍ରେନ୍‌ ଠାରୁ ଅଧିକା ବେଗରେ ସେ କହିଚାଲିଲା, ଏବେ ସେ ହାଇଦ୍ରାବାଦରେ ଝିଅର ବିଶ୍ବବିଦ୍ୟାଳୟ ନିକଟରେ ଏକ ଭଡ଼ାଘର ନେଇ ରହୁଛି, କାହିଁକି ନା ଝିଅର ଭଲମନ୍ଦ ବୁଝି ପାରିବ। ସେ ଜଣେ ଦାୟିତ୍ବବାନ୍‌ ମା’। ଝିଅର ସ୍କୁଲ ପଢ଼ା ସମୟରେ ସେ ଝିଅ ପାଖରେ ରାତିସାରା ବସି ହୋମୱାର୍କ ସାରୁଥିଲା; ତା’ରି ଅବଦାନ ଯୋଗୁଁ ପ୍ରତ୍ୟେକ ଶ୍ରେଣୀରେ ଝିଅ ଗଣିତ, ବିଜ୍ଞାନ, ସମାଜବିଜ୍ଞାନର ପ୍ରଦର୍ଶନୀରେ ପ୍ରଥମ ପୁରସ୍କାର ପାଉଥିଲା। ତା’ ସ୍ୱାସ୍ଥ୍ୟ ପାଇଁ ସେ ଏତେ ସଚେତନ ଥିଲା ଯେ ଦ୍ବାଦଶ ଶ୍ରେଣୀ ଯାଏ ଝିଅ ସହିତ ସବୁଦିନ ସ୍କୁଲ ଯାଉଥିଲା ଏବଂ ରିସେସ୍‌ରେ ନିଜ ହାତରେ ତାକୁ ଖୁଆଇବା ପରେ ହିଁ ଘରକୁ ଫେରୁଥିଲା। ଏବେ ବି ସେ ଜଗିବସିଛି, ଯେମିତିକି ଝିଅର କେହି କିଛି କ୍ଷତି ନ ଘଟାନ୍ତି। ତା’ ଶେଷ ବାକ୍ୟ ଥିଲା, ଯେହେତୁ ସେ ଝିଅକୁ ପ୍ରାଣଠାରୁ ଅଧିକା ଭଲପାଉଛି ସେଥିପାଇଁ ନିୟନ୍ତ୍ରଣରେ ରଖିଛି, ‘ସ୍ବାଧୀନ’ ହେବାପାଇଁ ତ ସାରା ଜୀବନ ତା’ ଆଗରେ ପଡ଼ିଛି। 
ମନସ୍ତତ୍ତ୍ୱବିତ୍ ଆନ୍ ଡନ୍ନେଓଲ୍‌ଡ କୁହନ୍ତି ଏହି ମାତ୍ରାଧିକ ବା ଅତି ଅଭିଭାବକତ୍ୱ ହିଁ ‘ହେଲିକପ୍ଟର ପ୍ୟାରେଣ୍ଟିଂ’। ମୁଣ୍ଡ ଉପରେ ଘୂରୁଥିବା ଏକ ହେଲିକପ୍ଟର ପରି, ଅଭିଭାବକମାନେ ପିଲାଙ୍କ ଚତୁର୍ଦିଗରେ ଘୂରିବୁଲୁଥାନ୍ତି ଏବଂ ସେମାନଙ୍କ ଜୀବନର ପ୍ରତ୍ୟେକ ଦିଗକୁ କଡ଼ାକଡ଼ି ଭାବରେ ନିୟନ୍ତ୍ରଣ କରନ୍ତି- ଶିକ୍ଷା ଅତିରିକ୍ତ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବନ୍ଧୁତା ଓ କ୍ୟାରିଅର ପସନ୍ଦ ପର୍ଯ୍ୟନ୍ତ। ପିଲାଙ୍କ ଶିକ୍ଷାଗତ ପ୍ରଗତିକୁ ନିରନ୍ତର ଯାଞ୍ଚ କରିବା, ସହପାଠୀ କିମ୍ବା ଶିକ୍ଷକଙ୍କ ସହ ହୋଇଥିବା ବିବାଦରେ ହସ୍ତକ୍ଷେପ କରିବା, ଦିନର ପ୍ରତ୍ୟେକ ମୁହୂର୍ତ୍ତର କାର୍ଯ୍ୟକଳାପ ସହିତ ନିଜକୁ ସୂଚିବଦ୍ଧ କରିବା ଏବଂ ସେମାନଙ୍କ ପିଲାଙ୍କ ପକ୍ଷରୁ ନିଷ୍ପତ୍ତି ନେବା ଏହି ଆଚରଣର ଅନ୍ତର୍ଭୁକ୍ତ।
ହେଲିକପ୍ଟର ପ୍ୟାରେଣ୍ଟିଂ ଗଭୀର ପ୍ରେମ, ଭୟ ଓ ସୁରକ୍ଷା ଦେବା ଇଚ୍ଛାର ଭିତ୍ତିଭୂମୀ ଉପରେ ଅବସ୍ଥାପିତ। ପିଲାଙ୍କଠାରେ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବାରେ ଅକ୍ଷମତାର ଭାବନା, ଆଧୁନିକ ପ୍ରତିଯୋଗିତାମୂଳକ ପରିସ୍ଥିତିରେ ପିଲାଙ୍କ ସଫଳତା ସୁନିଶ୍ଚିତ କରିବାର ଚାପ, ଅର୍ଥନୈତିକ ଅସ୍ଥିରତା, ଚାକିରି ବଜାରରେ ସଙ୍କଟ ଆଦି ଅଭିଭାବକମାନଙ୍କୁ ସନ୍ତାନଙ୍କ ଜୀବନକୁ ପରିଚାଳନା କରିବାକୁ ପ୍ରୋତ୍ସାହିତ କରେ।
ଡେଭଲପମେଣ୍ଟ ସାଇକୋଲୋଜି ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ ଅତ୍ୟଧିକ ନିୟନ୍ତ୍ରଣକାରୀ ପିତାମାତାଙ୍କ ପିଲାମାନେ ଦୈନନ୍ଦିନ ଜୀବନର ଆହ୍ୱାନକୁ ମୁକାବିଲା କରିବାରେ ଅକ୍ଷମ ହୁଅନ୍ତି। ‘ହେଲିକପ୍ଟର ପ୍ୟାରେଣ୍ଟିଂ’ ପିଲାର ସୁସ୍ଥ ବିକାଶକୁ ପ୍ରତିହତ କରେ। ଜର୍ନାଲ ଅଫ୍ ଚାଇଲ୍‌ଡ ଆଣ୍ଡ ଫ୍ୟାମିଲି ଷ୍ଟଡିଜ୍‌ରେ ପ୍ରକାଶିତ ଅନ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି, ଏହା ପିଲାଙ୍କ ଚିନ୍ତା ଓ ଅବସାଦର ମୁଖ୍ୟ କାରଣ ସାଜିବା ସହ ଭାବନା ଓ ଆଚରଣକୁ ନିୟନ୍ତ୍ରଣ କରିବାର କ୍ଷମତାକୁ ନଷ୍ଟ କରେ।
ଭଅଁରକୁ ଅତି ଆଦରରେ ହାତ ମୁଠାରେ ରଖିବାର ଅର୍ଥ ନୁହେଁ ଯେ ଅଣନିଃଶ୍ବାସୀ ହେବାଯାଏ ଚାପିଧରିବା। ଅଭିଭାବକତ୍ବର ଦାୟିତ୍ବ ତୁଲାଇବାକୁ ଯାଇ ପିଲାଙ୍କ ହୃଦୟର କୋମଳତା, ମାନସିକ ପରିପକ୍ବତା, ସ୍ନେହ, ମମତା, ଦୟା, କ୍ଷମା ପରି ବିଭିନ୍ନ ସୂକ୍ଷ୍ମ ଚେତନାର ବିକାଶ ପୂର୍ବରୁ ହିଁ ସେସବୁକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଉଛି।
ବିଫଳତା ଓ ଆହ୍ବାନ ପିଲାମାନଙ୍କୁ ଜୀବନ ଯୁଦ୍ଧର ମୁକାବିଲା ପାଇଁ କୌଶଳ ଶିଖାଏ ଏବଂ ଭରସା ଦିଏ ଯେ ସେମାନେ ନିଜେ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିର ପରିଚାଳନା କରିପାରିବେ। ତେଣୁ ପିଲାଙ୍କୁ ବିଫଳ ହେବାକୁ ଦେବା, ନିଜସ୍ୱ ନିଷ୍ପତ୍ତି ନିଜେ ନେବା, ନିଜ ସମସ୍ୟାର ନିଜେ ସମାଧାନ କରିବା, ଭୁଲ୍‌ରୁ ଶିଖିବା ପାଇଁ ସୁଯୋଗ ଦେବା, ନିୟନ୍ତ୍ରଣମୁକ୍ତ କରିବା ଓ ଦାୟିତ୍ୱବାନ କରାଇବା ଦ୍ବାରା ହିଁ ସେମାନଙ୍କଠାରେ ଆତ୍ମନିର୍ଭରଶୀଳତା ଓ ସୃଜନଶୀଳତାର ବିକାଶ ହୋଇପାରିବ। ସମସ୍ତ ସୁବିଧା ସୁଯୋଗ ସୁବର୍ଣ୍ଣ ଥାଳିରେ ଅଜାଡ଼ି ଦେବାର ପ୍ରୟାସରୁ ନିବୃତ୍ତ ରହି, ସଂଘର୍ଷକୁ ସାମ୍ନା କରିବାର ଶକ୍ତିର ସଞ୍ଚାର ମାଧ୍ୟମରେ ହିଁ ଦକ୍ଷ, ଆତ୍ମବିଶ୍ୱାସୀ ଓ ଦୃଢ଼ ବ୍ୟକ୍ତିତ୍ୱ ଗଠନ କରାଯାଇ ପାରିବ। ପିଲାଙ୍କ ପାଇଁ ପଥ ପ୍ରସ୍ତୁତ କରିବା ନୁହେଁ, ପିଲାଙ୍କୁ ପଥ ପାଇଁ ପ୍ରସ୍ତୁତ କରିବା ଅଭିଭାବକମାନଙ୍କ ଲକ୍ଷ୍ୟ ହେବା ଉଚିତ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭