ଆମରି କଥା, ଇଭେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ

ନାରାୟଣ ମିଶ୍ର

ଦ୍ବାରମୁହଁର ଘଣ୍ଟି ଶବ୍ଦ ଶୁଣି କବାଟ ଖୋଲିବା ମାତ୍ରେ ଦୁଇ ଜଣ ୨୦/୨୫ ବର୍ଷୀୟା ଝିଅ ଏକ ସଙ୍ଗେ ‘ସାର‌୍‌ ନମସ୍କାର, ଭିତରକୁ ଯାଇପାରୁ କି’ ବୋଲି କହିଲେ। ମୁଁ ଏକୁଟିଆ ଥିଲି ଏବ˚ ସମୟ ଦିନ ଦୁଇଟା ତିରିଶ, ପ୍ରଚଣ୍ତ ଖରାରେ ଚତୁର୍ଦ୍ଦିଗ ନିଆଁ ଜଳିବା ପରି ଲାଗୁଥାଏ। ତଥାପି ଆଗନ୍ତୁକ ଦ୍ବୟଙ୍କୁ ଘରକୁ ଡାକି ଡ୍ରଇ˚ରୁମ୍‌ର ସୋଫାରେ ବସିବାକୁ କହି ମୁଁ ନିକଟରେ ବସି ଆସିବାର କାରଣ ପଚାରିଲି। ସେମାନେ କହିଲେ- ‘ଆପଣଙ୍କ ଫାଟକ ନିକଟରେ ଲାଗିଥିବା To Let (ବା ଆପଣଙ୍କର ଭଡ଼ା ଲାଗିବାକୁ ଘର ଖାଲି ଅଛି) ବୋର୍ଡ ଦେଖି ଆସିଥିଲୁ; ଆମର ଘର ଦରକାର।’ ମୁଁ କହିଲି- ‘ଆମର ଦୁଇଟି ଘର ଖାଲି ଅଛି; ଗୋଟିଏ ଵାନ୍‌ ବେଡ୍‌ରୁମ୍‌ ବାଲା ଓ ଅନ୍ୟଟି, ଟୁ-ବେଡ୍‌ ରୁମ୍‌- ଆପଣ ବୋଧେ ଵାନ୍‌ ବେଡ୍‌ରୁମ୍‌ ଘର ଖୋଜୁଛନ୍ତି।’ ସେମାନେ କହିଲେ- ‘ଆମେ ମାତ୍ର ଦୁଇଜଣ ହେଲେ ବି ଆମର ଟୁ-ବେଡ୍‌ରୁମ୍‌ ବାଲା ଘର ଦରକାର।’ ମୁଁ କହିଲି- ‘ତୁମେ ତ ଦୁଇଜଣ ଵାନ୍‌ ବେଡ୍‌ରୁମ୍‌ରେ ରହିପାରିବ, ଦୁଇଟା ଅଲଗା ଅଲଗା ରୁମ୍‌ ନେଇ ଅଯଥା କାହିଁକି ଅଧିକା ଭଡ଼ା ଦେବ?’ ସେମାନେ କହିଲେ- ‘ଏଇଥିପାଇଁ ଯେ, ମୋ ଗେଷ୍ଟମାନେ ତାଙ୍କୁ ବା ତାଙ୍କ ଗେଷ୍ଟମାନେ ମୋତେ ଡିଷ୍ଟର୍ବ କରିବେ ନାହିଁ।’ ଗେଷ୍ଟ କଥା ଶୁଣି ମୁଁ ପଚାରିଲି- ‘କ’ଣ ତୁମର କେବଳ ଝିଅ ପିଲା ଗେଷ୍ଟ ଆସିବେ ନା ପୁଅ ପିଲା ଗେଷ୍ଟ ବି ଆସିବେ?’ ସେମାନେ କହିଲେ- ‘ମୁଖ୍ୟତଃ ପୁଅ ପିଲା ଗେଷ୍ଟ ହିଁ ଆସିବେ ଏବ˚ ଆବଶ୍ୟକ ପଡ଼ିଲେ ଦୁଇ ତିନି ଦିନ ଏଠାରେ ରହି ବି ପାରନ୍ତି।’

ଏ କଥା ଶୁଣି ମୁଁ ଡରିଗଲି; କାରଣ ଏବେ ଅନେକ ଘରେ ଅଜଣା ପୁଅଝିଅ ଏକାଠି ରହିବା ପରେ ନାନା ପ୍ରକାର ଗଣ୍ତଗୋଳ ହେଉଛି, ପୁଲିସ୍‌ ଆସୁଛି ଓ ସେମାନଙ୍କ ସହ ଘର ମାଲିକ ବି ଥାନାକୁ ଯାଉଛନ୍ତି। ଏ ସବୁ ମୁଁ ସେମାନଙ୍କୁ ବି କହିଦେଲି ଏବ˚ ତା’ସହ ଘର ଭଡ଼ା ମୁଁ ଦେବାକୁ ଉଚିତ୍‌ ମନେ କରୁନାହିଁ ବୋଲି ବି କହିଦେଲି। ସେମାନଙ୍କ ମଧୢରୁ ଜଣେ କହିଲା- ‘କାହିଁକି ଦେବେନି? ଟୁ ଲେଟ୍‌ ବୋର୍ଡ ମାରିଛନ୍ତି, ଆମକୁ କାହିଁକି ଦେବେନି? ଦେଖନ୍ତୁ ଆପଣ ଗ୍ରସେରି ଦୋକାନ ଖୋଲିଛନ୍ତି, ଦୋକାନରେ ଡାଲି ବସ୍ତା ଥୁଆ ହୋଇଛି, ଅଥଚ ଆପଣ ଆମକୁ ଡାଲି ଦେବେନି କିନ୍ତୁ ଅନ୍ୟକୁ ଦେବେ ବୋଲି କହିପାରିବେନି! ବିବାହିତ ଲୋକଙ୍କୁ ଦେବେ, ଅଥଚ ଆମକୁ ଦେବେନି କାହଁକି? ଏବେ ତ ସୁପ୍ରିମ୍‌ କୋର୍ଟ ବୟସ୍କ ପୁଅ ଝିଅଙ୍କୁ ବିନା ବିବାହରେ ଏକାଠି ଲିଭି˚ ଟୁଗେଦର ନିୟମରେ ରହିବାକୁ ଅନୁମତି ଦେଇ ସାରିଛି- ତେଣୁ ପୁଲିସ୍‌ କାହିଁକି ଆସିବ?’ ମୁଁ ମନେ ମନେ ଭାବିଲି- ମୋ ଘର ଅଥଚ ଏମାନେ ଜବରଦସ୍ତି ରହିବେ, ଏଇଟା କ’ଣ ଗୋଟେ କଥା! ସାହସ ସଞ୍ଚୟ କରି ପଚାରିଦେଲି- ‘ଆପଣମାନେ କ’ଣ କରୁଛନ୍ତି।’

ସେମାନେ କହିଲେ- ‘ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ’। ମୁଁ କହିଲି ‘ତା’ମାନେ?’ ସେମାନେ କହିଲେ -‘ସରକାର ଯେମିତି ‘‘ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ’’ ବିଭାଗ ଖୋଲି ବନ୍ୟା, ବାତ୍ୟା ଇତ୍ୟାଦି ପ୍ରାକୃତିକ ଦୁର୍ବିପାକର ସାମନା କରୁଛନ୍ତି, ଆମେ ସେମିତି ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସ˚ସ୍ଥା ଖୋଲି ଲୋକଙ୍କର ବିବାହ, ବ୍ରତ, ଷୋଳପୂଜା ଇତ୍ୟାଦି ଉତ୍ସବ ପରିଚାଳନା ଦାୟିତ୍ବ ନେଉଛୁ। ଆମେ ଦୁଇଜଣ ସ˚ସ୍ଥାର ପ୍ରତିଷ୍ଠାତା ଓ ଏମ.ଡ଼ି ଏବ˚ ସି.ଇ.ଓ। ଆମ ସାଙ୍ଗରେ ଆଉ ଦୁଇଜଣ ଝିଅ ଓ ଚାରିଜଣ ପୁଅ ପିଲା ବି ଅଛନ୍ତି। ଏଇ ଧରନ୍ତୁ, ଆପଣଙ୍କ ପୁଅ ବା ଝିଅର ବିବାହ କରିବେ। ଆପଣ କେବଳ ଟଙ୍କା ଦେବେ ଓ ଚୁପ୍‌ ହୋଇ ଘରେ ବସିବେ। ନିମନ୍ତ୍ରଣ ପତ୍ର ଛାପିବା, ସେସବୁକୁ ବାଣ୍ଟିବା, ବରଯାତ୍ରୀଙ୍କୁ ନେବା ବା ପାଛୋଟି ଆଣିବା, ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରିବା, ବ୍ରାହ୍ମଣ ଠାରୁ ବାରିକ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ନିଜ କାମ କରାଇ ବିଦା କରିବା, ଝିଅ ବିଦା କରିବା, ଗାଡ଼ି ଓ ବିବାହ ମଣ୍ତପ ବ୍ୟବସ୍ଥା କରିବା ଇତ୍ୟାଦି ସବୁ ଦାୟିତ୍ବ ଆମ ଲୋକେ କରିବେ ଏବ˚ ତା’ ବି ଆପଣଙ୍କ ବଜେଟ୍‌ ଅନୁସାରେ ହେବ। ଘରେ କିଏ ମରିଗଲେ ବାର ଦିନ ପର୍ଯ୍ୟନ୍ତ (ଶବ ପୋଡ଼ା ଠାରୁ ଅଷ୍ଟ ପ୍ରହରୀ ପର୍ଯ୍ୟନ୍ତ) ସମସ୍ତ କାର୍ଯ୍ୟର ଦାୟିତ୍ବ ଆମେ ନେବୁ। ଆମ ଭିତରେ ବୟସ୍କ ବିବାହିତ ପୁରୁଷ ଓ ସ୍ତ୍ରୀ ବି ଅଛନ୍ତି। ଆମେ ଏକାଠି ଏକ ପରିବାର ପରି ସ˚ସ୍ଥା ଚଲାଇଛୁ। ଏବେ ବୁଝିପାରିଲେ ତ?’ ମୁଁ କହିଲି- ‘ତୁମେ ଦୁଇଜଣ ବିଭା ହେଲା ପରେ ଏ ସ˚ସ୍ଥା କେମିତି ଚଲାଇବ? ଅବଶ୍ୟ ଏଭଳି ପ୍ରଶ୍ନ ମୋର ପଚାରିବା କଥା ନୁହେଁ, ଏମିତି କୌତୂହଳବଶତଃ ପଚାରିଦେଲି।’ ସେ ଦୁଇଜଣଙ୍କ ମଧୢରୁ ଜଣେ କହିଲା- ‘ଆମେ ନିଷ୍ପତ୍ତି ନେଇସାରିଛୁ ବାହା ହେବୁ ନାହିଁ।

ଏବେ ଆମକୁ ୩୨/୩୩ ବର୍ଷ ହେଲାଣି। ଏବେ ଲେଡିଜ୍‌ମାନେ ସୈନ୍ୟ ବିଭାଗରେ ରହିଲେଣି, ଅଟୋ ଠାରୁ ଉଡ଼ାଜାହାଜ ପର୍ଯ୍ୟନ୍ତ ଚଲେଇଲେଣି- ବିଭା ହେଲେ ନିଜ ଭିତରେ ଥିବା ପାରିବା ପଣିଆର ପୂର୍ଣ୍ଣ ବିକାଶ କଦାପି ହୋଇପାରିବ ନାହିଁ। କାରଣ ବିବାହ ପରେ ପୁଅ, ତା’ ବାପ ମା’ ଏବ˚ ତା’ ଭାଇଭଉଣୀ ସମସ୍ତେ ନବବିବାହିତ ବଧୂକୁ ରୋବଟ୍‌ ଭଳି ସମସ୍ତଙ୍କର ସବୁ କାର୍ଯ୍ୟ କରିବାକୁ ବାଧୢ କରିବେ। ସ୍ବାମୀ ବି ଚାହିଁବ ତା’ ସ୍ତ୍ରୀ ବିନା ଦରମାରେ ଚବିଶ ଘଣ୍ଟିଆ ଚାକରାଣୀ ଭଳି ରହୁ। ସ୍ମାର୍ଟ ହୋଇ ସ୍କୁଟି ଚଳାଇ ଯେ କୌଣସି ଚାକିରିକୁ ଯାଇ ଅଧିକା ଟଙ୍କା ଆଣୁ, ଏଣେ ଘର କାମ ବି କରୁ। ପିଲା ଜନ୍ମର କଷ୍ଟ ସହୁ, ପିଲାକୁ ପାଳୁ, ପାଠ ପଢ଼ୋଉ। ବଜାର ହାଟ ବି କରୁ। ସେ (ସ୍ବାମୀ) କେବଳ ଅଫିସ୍‌ କାମ କରୁ, ସାଙ୍ଗମାନଙ୍କ ସହ ବୁଲୁ ଏବ˚ ଖାଦ୍ୟ ପରଷା ସରିବା ପରେ କେଉଁ ଖାଦ୍ୟ କେମିତି ହୋଇଛି ଥଟ୍ଟା କରି ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କୁ ହସର ଖୋରାକ୍‌ ଯୋଗାଉ।’ ମୁଁ ସେ ଝିଅର ଭାଷଣ ବନ୍ଦ କରିବାକୁ ଯାଇ କହିଲି- ‘ଆପଣମାନଙ୍କ ଲାଗି କ’ଣ ବିବାହର ଆବଶ୍ୟକତା ହିଁ ନାହିଁ?’ ସେମାନେ କହିଲେ- ‘ଶାରୀରିକ ସ˚ପର୍କ ଜୀବନର ଲକ୍ଷ୍ୟ ନୁହେଁ, ଏହା ଏକ ସାମୟିକ ଆବଶ୍ୟକତା। ଏହାକୁ ଜୀବନର କର୍ମସମୂହ ଭିତରେ ପୂରଣ କରିହେବ ବା ପୂରାପୂରି ଛାଡ଼ି ଦେଇ ହେବ। ଆମେ କାହା ଉପରେ ନିର୍ଭର ନ କରି ପାଞ୍ଚ ସାତ ବର୍ଷ ଭିତରେ କୋଡ଼ିଏ ତିରିଶ ଜଣ ବେରୋଜଗାରୀ ପୁଅ ଓ ଝିଅଙ୍କର କର୍ମ ସ˚ସ୍ଥାନ ତିଆରି କରିବାର ଲକ୍ଷ୍ୟ ରଖିଛୁ। ଏବେ କୁହନ୍ତୁ: ଘର ଭଡ଼ା କେତେ ନେବେ ଓ କି କି ଡକ୍ୟୁମେଣ୍ଟ ଦରକାର।’
୨୭୮, ସ୍ବର୍ଗବ୍ରହ୍ମପୁର,
ରଘୁନାଥପୁର, ଜଗତ୍‌ସି˚ହପୁର

ସମ୍ବନ୍ଧିତ ଖବର