ଆମେ ଜାଣିଛେ ଯେ ପ୍ରତ୍ୟେକ ସଂଖ୍ୟାର ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ଅଛି। ସଂଖ୍ୟାର ମୂଲ୍ୟ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଗଲେ ବଦଳେ ନାହିଁ। ଏହା ଗଣିତର ପାଠ। କିନ୍ତୁ ପ୍ରତ୍ୟେକ ସଂଖ୍ୟାର ପ୍ରଭାବ ସବୁ ବ୍ୟକ୍ତି ପାଇଁ, ସବୁ ଦେଶ ପାଇଁ ଓ ସବୁ ସମୟ ପାଇଁ ସମାନ ନୁହେଁ। କିଛି ସଂଖ୍ୟାର ପ୍ରଭାବ ଭଲ ତ କିଛି ସଂଖ୍ୟାର ପ୍ରଭାବ ଖରାପ। ନିର୍ଦ୍ଦିଷ୍ଟ ସଂଖ୍ୟାର ପ୍ରଭାବ ଦେଶକୁ ଦେଶ ଭିନ୍ନ ହୋଇଥାଏ। ଏହା ଗଣିତ ପାଠ ନୁହେଁ ବିଶ୍ୱାସର ପାଠ। ଏହା ଜ୍ଞାନ ନା ଅଜ୍ଞାନ ନା ବିଜ୍ଞାନ ତାହା ଆଲୋଚନା ସାପେକ୍ଷ। ସଂଖ୍ୟା ଉପରେ ଥିବା ଆସ୍ଥା ବା ବିଶ୍ୱାସ, ସଂଖ୍ୟାର ମଣିଷ ଜୀବନ ଉପରେ ପ୍ରଭାବକୁ ନେଇ ଯେଉଁ ବିଷୟର ଅଧ୍ୟୟନ କରାଯାଏ ତାକୁ ନ୍ୟୁମେରୋଲୋଜି ବା ଅଙ୍କ ଜ୍ୟୋତିଷ କୁହାଯାଏ। ଅଙ୍କ ଜ୍ୟୋତିଷରେ ବିଶ୍ୱାସ କରୁଥିବା ଲୋକମାନେ ସେମାନଙ୍କର ଗସ୍ତ କାର୍ଯ୍ୟକ୍ରମ, ଜିନିଷ କିଣାବିକା, ଲଟେରି ଟିକେଟ୍ କ୍ରୟ, ଗାଡ଼ି ନମ୍ବର ଚୟନ, ଘର ବା କ୍ୱାଟରସ୍ ନମ୍ବର ଚୟନ, ଶପଥ ପାଠ ଉତ୍ସବର ଦିନ ଚୟନ, ଗୃହ ପ୍ରବେଶ ଇତ୍ୟାଦି ନିଜର ଶୁଭ ନମ୍ବର ଅନୁଯାୟୀ କରିଥାନ୍ତି। ଏହି ଅଙ୍କ ଜ୍ୟୋତିଷ ବିଶ୍ୱାସ ବର୍ତ୍ତମାନ ଏତେ ବଢ଼ିଗଲାଣି ଯେ କିଛି ଲୋକ ତାଙ୍କ ଜୀବନସାଥୀ ବାଛିଲା ବେଳେ ବା ପୁଅଝିଅର ନାମକରଣ ବେଳେ ଅଙ୍କ ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ ଶୁଭ ନମ୍ବରକୁ ଆଖି ଆଗରେ ରଖି ନିଷ୍ପତ୍ତି ନେଉଛନ୍ତି। ଉଦାହରଣସ୍ବରୂପ କିଛି କ୍ରିକେଟ୍ ଓ ଫୁଟ୍ବଲ୍ ଖେଳାଳି ନିଜ ପାଇଁ ଶୁଭ ଭାବୁଥିବା ନମ୍ବର ଲେଖାଥିବା ଜର୍ସି ପରିଧାନ କରିଥାନ୍ତି। କିଛି ଲୋକ ଶୁଭ ଦିନ ଓ ସମୟ ଦେଖି ସିଜରିଆନ୍ ଅପରେସନ୍ କରି ପିଲା ଜନ୍ମ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଭିନ୍ନ ଦେଶରେ ଏହି ସଂଖ୍ୟାମାନଙ୍କର କି କି ପ୍ରଭାବ ରହିଛି ଆଲୋଚନା କରିବା। ଭାରତବର୍ଷରେ ହିନ୍ଦୁମାନେ ସଂଖ୍ୟା ୩, ୭ ଓ ୯କୁ ଶୁଭ ସଂଖ୍ୟା ବୋଲି ମାନନ୍ତି। ସେମାନଙ୍କର ବିଶ୍ୱାସ ଯେ ତିନିରେ ତ୍ରିମୂର୍ତ୍ତୀ (ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର), ତ୍ରିଫଳା (ଅଁଳା, ବାହାଡ଼ା, ହରିଡ଼ା), ତ୍ରିଲୋକ (ସ୍ୱର୍ଗ, ମର୍ତ୍ତ ଓ ପାତାଳ), ତ୍ରିଦେବୀ (ଲକ୍ଷ୍ମୀ, ସରସ୍ୱତୀ, ପାର୍ବତୀ), ତ୍ରିବେଣୀ (ଗଙ୍ଗା, ଯମୁନା ଓ ସରସ୍ୱତୀ), ତ୍ରିକାଳ (ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ)। ସେମାନଙ୍କର ଆହୁରି ବିଶ୍ୱାସ ଯେ ସାତରେ ଇନ୍ଦ୍ରଧନୁର ସାତରଙ୍ଗ, ପୃଥିବୀର ସପ୍ତାଶ୍ଚର୍ଯ୍ୟ, ସଙ୍ଗୀତର ସାତସୁର, ସପ୍ତାହର ସାତଦିନ, ସପ୍ତ ମହର୍ଷି, ସପ୍ତପଦିରେ ବିବାହ ସମ୍ପନ୍ନ। ସେହିପରି ନଅରେ ନବଗ୍ରହ, ନବରତ୍ନ, ନବରାତ୍ରି। ଏସବୁ ଶୁଭ ସଂଖ୍ୟା ବିଶ୍ୱାସ ହିନ୍ଦୁ ସଂସ୍କୃତି, ଧର୍ମ, ଶାସ୍ତ୍ର ସହିତ ଯୋଡ଼ିହୋଇରହିଛି। ଚୀନରେ ସଂଖ୍ୟା ଚାରିକୁ ଅଶୁଭ ବୋଲି ବିଚାର କରାଯାଏ। କାରଣ ସେମାନେ ଭାବନ୍ତି ଏହାର ଉଚ୍ଚାରଣ ମୃତ୍ୟୁର ଉଚ୍ଚାରଣ ସହ ସମାନ। ଗ୍ରୀସ ଓ ଇଟାଲୀରେ ସଂଖ୍ୟା ସତରକୁ ଅଶୁଭ ବୋଲି ଧରାଯାଏ। ଜାପାନରେ ସଂଖ୍ୟା ନଅକୁ ଅଶୁଭ ବୋଲି ଧରାଯାଏ। ଆମେରିକା ଏକ ଧନୀକ ଶକ୍ତିଶାଳୀ ରାଷ୍ଟ୍ର ହୋଇଥିଲେ ବି ବହୁ ଆମେରିକୀୟ ଅନ୍ଧବିଶ୍ୱାସରୁ ମୁକ୍ତ ନୁହନ୍ତି। ଏଠାରେ ସଂଖ୍ୟା ୧୩କୁ ଅଶୁଭ ବୋଲି ବିବେଚନା କରାଯାଏ। ସେଥିପାଇଁ ଆମେରିକାରେ କୌଣସି ଅଟ୍ଟାଳିକାରେ ୧୩ ନମ୍ବର ମହଲା ଦେଖିବାକୁ ମିଳେ ନାହିଁ। ହୋଟେଲରେ ୧୩ ନମ୍ବର କୋଠରି ନ ଥାଏ। ବସ୍, ଟ୍ରେନ୍, ଉଡାଜାହାଜରେ ସୁଦ୍ଧା ୧୩ ନମ୍ବର ସିଟ୍ ନ ଥାଏ। ଡାକ୍ତରଖାନାରେ ୧୩ ନମ୍ବର ୱାର୍ଡ କିମ୍ବା ବେଡ୍ ପାଇବେ ନାହିଁ। ଏହି ଅନ୍ଧବିଶ୍ୱାସ ପ୍ରଭାବରେ ପଞ୍ଜାବର ଚଣ୍ଡୀଗଡ଼ରେ ସେକ୍ଟର ୧୩ ଦେଖାଯାଉ ନ ଥିଲା। କାରଣ ଏହାର ଆର୍କିଟେକ୍ଟ ଲି କର୍ବଜିଅର ସଂଖ୍ୟା ୧୩କୁ ଭୟ କରୁଥିଲେ। ଏହା ଥିଲା ୧୯୬୬ ମସିହାର କଥା। ଦୀର୍ଘ ୫୪ ବର୍ଷ ପରେ ଅର୍ଥାତ ୨୦୨୦ ମସିହାରେ ସେକ୍ଟର ୧୩ ନାମକରଣ କରିବାକୁ ସରକାର ନିଷ୍ପତ୍ତି ନେଲେ ଏବଂ ମଣିମାଜ୍ରା ଏରିଆକୁ ସେକ୍ଟର ୧୩ କରାଗଲା।
ଭାରତୀୟ ରାଜନୀତିରେ ସଂଖ୍ୟା ୧୩ର ପ୍ରଭାବ ବଡ଼ ଚମତ୍କାର ଓ ଉଲ୍ଲେଖନୀୟ। ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱରେ ଏନ୍ଡିଏ ସରକାର ମାତ୍ର ୧୩ ଦିନ ତିଷ୍ଠି ରହିପାରିଥିଲା। ପୁଣି ନିର୍ବାଚନ ହେଲା। ବାଜପେୟୀ ପୁଣି ସରକାର ଗଢିଲେ ଏବଂ ଦ୍ୱିତୀୟ ଥର ଏହି ସରକାର ୧୩ ମାସ ତିଷ୍ଠି ରହିଲା। ପୁଣି ନିର୍ବାଚନ ହେଲା ଏବଂ ବାଜପେୟୀ ପୁଣି ସଂଖ୍ୟାଗରିଷ୍ଠତା ପାଇଲେ ଓ ପୂରା ସମୟ ସରକାର ଚଲାଇଲେ। ଏହାର ଅର୍ଥ ହେଲା ଯେ ଅଟଳ ବିହାରୀ ବାଜପେୟୀ ସଂଖ୍ୟା ୧୩ ଏକ ଅଶୁଭ ସଂଖ୍ୟା ବୋଲି ଯେଉଁ ଧାରଣା ଥିଲା ତାକୁ ଭୁଲ୍ ପ୍ରମାଣିତ କରିଦେଲେ। ଆଉ ଜଣଙ୍କ କଥା ଦେଖିବା। ସିଏ ହେଲେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ସିଏ କଂଗ୍ରେସ ଦଳର ସାଂସଦ ଥିଲେ। ତାଙ୍କୁ ଯେତେବେଳେ ଦିଲ୍ଲୀର ତାଲକଟୋରା ରୋଡରେ ୧୩ ନମ୍ବର ବଙ୍ଗଳା ଦିଆଗଲା ବହୁ ଶୁଭେଚ୍ଛୁ ତାଙ୍କୁ ସେଠାକୁ ଯିବାକୁ ବାରଣ କଲେ। ସେ କିନ୍ତୁ ଏହି ବାରଣକୁ ଖାତିର ନ କରି ସେହି ବଙ୍ଗଳାକୁ ଗ୍ରହଣ କଲେ ଏବଂ ପାର୍ଲାମେଣ୍ଟରେ ମଧ୍ୟ ୧୩ ନମ୍ବର ରୁମ ନେଇ ତାଙ୍କର ଅଫିସ୍ କଲେ। ବଡ଼ କଥା ହେଲା ସେହିଠାରୁ ହିଁ ସେ ରାଷ୍ଟ୍ରପତି ଭବନକୁ ଗଲେ। ତେଣୁ ୧୩ ସଂଖ୍ୟାକୁ କାହିଁକି ଅଶୁଭ କହିବା? କିଛି ଗାଡ଼ି ମାଲିକ ଅଧିକ ଟଙ୍କା ଦେଇ, ଚାପ ପକାଇ ଆର୍ଟିଓ ଠାରୁ ନିଜର ଶୁଭ ନମ୍ବର ନେଇ ଗାଡ଼ିରେ ଲଗାଇଥାନ୍ତି। ଏହା ସତ୍ତ୍ବେ ଏଭଳି ଅନ୍ଧବିଶ୍ୱାସର ଶିକାର ହୋଇଥିବା ଲୋକମାନେ ଦୁର୍ଘଟଣାରୁ ବର୍ତ୍ତିପାରନ୍ତି ନାହିଁ। ତେଣୁ ଏତିକି କୁହାଯାଇପାରେ ଯେ ସମସ୍ତ ସଂଖ୍ୟା ଶୁଭଙ୍କର। ଶୁଭ ଅଶୁଭ କେବଳ ଜଣଙ୍କ ମାନସିକତା ପ୍ରସୂତ।
ମୋ- ୯୪୩୮୪୨୩୫୮୫