ଏକ ସଂସଦୀୟ କମିଟି ଏବେ ମତ ଦେଇଛନ୍ତି ଯେ ଆଇଏଏସ୍ ପରୀକ୍ଷାରେ ସଫଳ ହେଉଥିବା ପ୍ରାର୍ଥୀମାନଙ୍କ ଭିତରୁ ପ୍ରାୟ ୭୦% ଟେକ୍‌ନିକାଲ ବିଷୟରେ ପାଠ ପଢ଼ିଥିବା ଛାତ୍ରଛାତ୍ରୀ; ଅର୍ଥାତ୍ ଆଇଏଏସ୍‌ ବା ଆଇପିଏସ୍ ଆଦି ଭଳି ଭାରତର ସବୁଠୁଁ ବଡ଼ ଚାକିରି ପାଉଥିବା ଛାତ୍ରଛାତ୍ରୀ ହେଉଛନ୍ତି ଡାକ୍ତର ବା ଇଂଜିନିଅର। ଇତିହାସ, ରାଜନୀତି ବିଜ୍ଞାନ, ଆଇନ, ସାଧାରଣ ପ୍ରଶାସନ ଆଦି ବିଷୟରେ ଡିଗ୍ରିଧାରୀମାନେ ପୂର୍ବ ପରି ସେତେ ଅଧିକ ସଫଳ ହେଉ ନାହାନ୍ତି। ସଂସଦୀୟ କମିଟି ତା’ର ରିପୋର୍ଟରେ କହିଛି ଯେ ୨୦୧୧ ମସିହାରେ ଏହି ପରୀକ୍ଷାରେ ସଫଳ ହୋଇଥିବା ମୋଟ ୧୦୦୧ ପ୍ରାର୍ଥୀଙ୍କ ମଧ୍ୟରୁ ୪୬ ଜଣ ଥିଲେ ‘ଟେକନୋକ୍ରାଟ୍‌’ ଓ ୧୪୨ ଜଣ ଥିଲେ ଡାକ୍ତର, ୨୦୧୪ରେ ମୋଟ ୧୦୯୧ଙ୍କ ମଧ୍ୟରୁ ୪୦୮ ଥିଲେ ‘ଟେକନୋକ୍ରାଟ୍‌’ ଓ ୧୫୬ ଜଣ ଡାକ୍ତର; ଅଥଚ ୨୦୧୭ରେ ମୋଟ ୧୦୫୦ ସଫଳ ପ୍ରାର୍ଥୀଙ୍କ ମଧ୍ୟରୁ ‘ଟେକନୋକ୍ରାଟ’ଙ୍କ ସଂଖ୍ୟା ବଢ଼ି ହୋଇଥିଲା ୬୮୯ ଓ ଡାକ୍ତର ଥିଲେ ୫୯ ଜଣ। ୨୦୨୦ରେ ମୋଟ ୮୮୩ଙ୍କ ମଧ୍ୟରୁ ୧୪୧ ଜଣ ‘ଟେକନୋକ୍ରାଟ’ ଓ ୩୩ ଜଣ ଥିଲେ ଡାକ୍ତର।

Advertisment

ସଂସଦୀୟ କମିଟି ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ଯେ ଏହା ଦ୍ୱାରା ଦେଶ ଅନେକ ଇଞ୍ଜିନିଅର, ଆଇ.ଟି. ପ୍ରଫେସନାଲ ଓ ଡାକ୍ତରଙ୍କୁ ହରାଉଛି। ସେମାନେ ପାଇଥିବା ଶିକ୍ଷାନୁସାରେ ଇଞ୍ଜିନିଅର ବା ଡାକ୍ତର ନ ହୋଇ ଅମଲା ହେଉଛନ୍ତି। ତେବେ, ଆଇଏଏସ୍‌ ବା ଆଇପିଏସ୍ ଆଦିର କ୍ଷମତା ଓ ପ୍ରତିପତ୍ତି ସେମାନଙ୍କୁ ଆକୃଷ୍ଟ କରୁଥିବାରୁ ସେମାନେ ଏଭଳି ପରୀକ୍ଷାରେ ବସୁଛନ୍ତି। ତେଣୁ, ଯେଉଁ ଉଦ୍ଦେଶ୍ୟରେ ସେମାନେ ପାଠ ପଢ଼ିଥିଲେ ଓ ଯେଉଁଥି ପାଇଁ ଦେଶ ସେମାନଙ୍କୁ ପାଠ ପଢ଼ାଇଥିଲା, ସେଥିରେ ସେମାନେ ଅଂଶ ଗ୍ରହଣ ନ କରି ଯେଉଁ କାମରେ ସେମାନେ ନ ହେଲେ ଚଳିବ, ସେହି କାମରେ ପଶୁଛନ୍ତି। ଦେଖା ଯାଉଛି ଯେ କେତେକ ଡାକ୍ତର ଆଇପିଏସ୍ ହୋଇ ଜିଲ୍ଲାର ଏସ୍‌.ପି. ହେଉଛନ୍ତି। ଏସ୍‌.ପି. ହେବା ସହ ଡାକ୍ତରୀ ପାଠର କ’ଣ ସମ୍ପର୍କ; ତାହା ବୁଝିବାକୁ ଅଧିକାଂଶ ଅକ୍ଷମ।
ଏବେ ଦ୍ବିତୀୟ ପ୍ରଶ୍ନ ହେଲା ଏତେ ସଂଖ୍ୟକ ଡାକ୍ତର ବା ଇଞ୍ଜିନିଅର ଆଦି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି କେମିତି? ଏହାର ଏକ ମୁଖ୍ୟ କାରଣ ହେଲା ଏହି ପରୀକ୍ଷାର ପଦ୍ଧତି। ଏବେ ଯେଉଁ ସିଭିଲ ସର୍ଭିସ ପରୀକ୍ଷା ହେଉଛି, ସେଥିରେ ଦୁଇଟି ପେପର୍‌ ରହୁଛି ୩୦୦ ମାର୍କର; ଯେଉଁଗୁଡ଼ିକ ହେଲା ରଚନା ଓ ଭାରତୀୟ ଭାଷା। ଅବଶ୍ୟ ଏହି ପରୀକ୍ଷାରେ ଯେତେ ନମ୍ବର ରଖିଲେ ମଧ୍ୟ ଉଚ୍ଚ ସ୍ଥାନ ପାଇବାରେ ଏହା ସହାୟକ ହୁଏ ନାହିଁ; କେବଳ ଏହି ଦୁଇଟି ବିଷୟରେ ଏକ ସର୍ବନିମ୍ନ ନମ୍ବର ପରୀକ୍ଷାର୍ଥୀମାନେ ରଖିବା ଦରକାର। ତା’ ପରେ ଚାରିଟି ସାଧାରଣ ବିଜ୍ଞାନ ପେପରରେ ପରୀକ୍ଷା ହୁଏ। ପ୍ରତ୍ୟେକ ପେପର୍‌ରେ ୩୦୦ ନମ୍ବର ଥାଏ। ଏହା ଛଡ଼ା ଦୁଇଟି ଅତିରିକ୍ତ ବିଷୟ ମଧ୍ୟ ଥାଏ; ଯେଉଁଥିରେ ୨୫୦ କରି ୫୦୦ ନମ୍ବର ଦିଆଯାଇଥାଏ। ଏହାଛଡ଼ା ସାକ୍ଷାତକାର ପରୀକ୍ଷାରେ ୨୫୦ ନମ୍ବର ଦିଆଯାଇଥାଏ।

ଏଠାରେ ଲକ୍ଷ୍ୟ କରାଯାଇପାରେ ଯେ ଯେଉଁ ସାଧାରଣ ଜ୍ଞାନ (ଜି.ଏସ୍‌.) ବିଷୟରେ ପରୀକ୍ଷା କରାଯାଇଥାଏ, ସେଥିରେ ଇତିହାସ, ଆଇନ, ଉଦ୍ୟାନ ବିଜ୍ଞାନ ତଥା ଅନ୍ୟାନ୍ୟ ଅନେକ ବିଷୟରେ ପରୀକ୍ଷା କରାଯାଇଥାଏ। ତାହା ସମସ୍ତଙ୍କ ପାଇଁ ସମାନ। କେବଳ ପାର୍ଥକ୍ୟ ଆସିଯାଏ ଅତିରିକ୍ତ ବିଷୟଗୁଡ଼ିକର ପରୀକ୍ଷାରେ; ଯେଉଁ ବିଷୟଗୁଡ଼ିକ ପୂର୍ବରୁ କୁହାଯାଇଥିଲା ଭଳି ୨୫୦ କରି ମାର୍କର। ଏହି ୫୦୦ ମାର୍କ ପାଇଁ ପ୍ରାର୍ଥୀମାନେ ସ୍ବ-ନିର୍ବାଚିତ ଅଲଗା ଅଲଗା ବିଷୟରେ ପରୀକ୍ଷା ଦେଇଥାନ୍ତି। ଏହି ୫୦୦ ନମ୍ବରର ପରୀକ୍ଷା ଗୁରୁତ୍ବପୂର୍ଣ୍ଣ, କାରଣ ଏହି ଦୁଇ ପେପର୍‌ରେ ଜଣେ ପ୍ରାର୍ଥୀ ଅଧିକ ନମ୍ବର ରଖିଲେ ଅନ୍ୟମାନଙ୍କୁ ଅତିକ୍ରମ କରି ଯାଇପାରନ୍ତି। ଉଲ୍ଲେଖଯୋଗ୍ୟ କଥା ହେଲା, ବିଜ୍ଞାନ, ‘ଟେକନୋଲୋଜି’ ବା ‘ବୈଷୟିକ ଜ୍ଞାନ’ ଅଥବା ଡାକ୍ତରୀ ଆଦି ବିଷୟମାନଙ୍କରେ ଯେତେ ପରିମାଣରେ ନମ୍ବର ମିଳେ, ଇତିହାସ, ରାଜନୀତି ବିଜ୍ଞାନ, ସମାଜ ବିଜ୍ଞାନ, ସାଧାରଣ ପ୍ରଶାସନ ଓ ଅନ୍ୟାନ୍ୟ ‘ଅାର୍ଟ‌୍ସ’ ବା ‘କଳା’ ବିଷୟରେ ସେତେ ଅଧିକ ନମ୍ବର ମିଳି ନ ଥାଏ। କୁହାଯାଉଛି ଯେ ବୈଷୟିକ ଜ୍ଞାନ ବିଷୟକ ପେପର୍‌ରେ ୧୦୦ରୁ ୯୦ରୁ ଅଧିକ ନମ୍ବର ରଖିବା ସମ୍ଭବ ହୋଇଥିଲା ବେଳେ ରାଜନୀତି ବିଜ୍ଞାନ ବା ଇତିହାସ ବା ସମାଜ ବିଜ୍ଞାନ ଆଦି ବିଷୟକ ପେପର୍‌ରେ ଏତେ ଅଧିକ ନମ୍ବର ରଖିବା ସମ୍ଭବ ହୁଏନାହିଁ। ମୁଖ୍ୟତଃ ଏଇଥି ପାଇଁ ଇଂଜିନିଅରିଂ ଓ ଡାକ୍ତରୀ ପଢ଼ିଥିବା ପିଲାମାନେ ତୁଳନାତ୍ମକ ଭାବେ ଅଧିକ ସଂଖ୍ୟାରେ କୃତକାର୍ଯ୍ୟ ହେଉଛନ୍ତି। ସିଭିଲ ସର୍ଭିସ୍‌ ପରୀକ୍ଷାରେ ପ୍ରତିଦ୍ୱନ୍ଦ୍ୱିତା ଏତେ ତୀବ୍ର ହୋଇଥାଏ ଯେ ଜଣେ ଗୋଟିଏ ନମ୍ବର ଅଧିକ ରଖିଲେ ବାସ୍ତବରେ ୭/୮ ଜଣକ ଉପରେ ରହିଥାଏ।

ସିଭିଲ ସର୍ଭିସ ପରୀକ୍ଷା ପଦ୍ଧତିର ଆମୂଳଚୂଳ ପରିବର୍ତ୍ତନ ହେବା ଆବଶ୍ୟକ ଓ ସାଧାରଣ ଲୋକଙ୍କ ସେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରେ ଯେଉଁ ଗୁଣ ରହିବା ଦରକାର, ସେ ସଂପର୍କିତ ପାଠ ସେ ପଢ଼ିଥିବା ଦରକାର ଓ ତାକୁ ସେହି ବିଷୟରେ ପରୀକ୍ଷା କରାଯିବା ଉଚିତ। ସେଭଳି ହେଲେ ପ୍ରଶାସନିକ ଅଧିକାରୀମାନଙ୍କ ଦକ୍ଷତା ମଧ୍ୟ ବୃଦ୍ଧି ପାଇବ।

ଏବେ ତୃତୀୟ ପ୍ରଶ୍ନ ହେଲା ଯଦି ଗୋଟିଏ ଚାକିରି ପାଇଁ ପରୀକ୍ଷା ହେଉଛି, ତେବେ କେତେକ ନିର୍ଦ୍ଦିଷ୍ଟ ବିଷୟରେ ସମସ୍ତଙ୍କୁ ପରୀକ୍ଷା ନ କରି ଅଲଗା ଅଲଗା ବିଷୟରେ ପରୀକ୍ଷା କରାଯାଉଛି କାହିଁକି? ସାଧାରଣତଃ ଯେଉଁ ଚାକିରି ପାଇଁ ଯେଉଁ ପାଠ ଆବଶ୍ୟକ; କେବଳ ସେହି ବିଷୟ ଉପରେ ପରୀକ୍ଷା କରାଯିବା ଉଚିତ; ଯେମିତିକି ପୁଲିସ ଚାକିରି ପାଇଁ ଯେଉଁ ପାଠର ଆବଶ୍ୟକତା ଅଛି, ସେହି ପାଠର ପରୀକ୍ଷା କରାଯିବା ଦରକାର। ପୁଲିସ ଚାକିରି ପାଇଁ ବା ଆୟକର ବିଭାଗର ପଦସ୍ଥ ଚାକିରି ପାଇଁ ଡାକ୍ତରୀ ପାଠର ପରୀକ୍ଷା କାହିଁକି ହେବ! ପୁଣି ରୋଗୀ ସେବା ପାଇଁ ଯେଉଁମାନେ ପାଠ ପଢ଼ୁଛନ୍ତି ଏବଂ ଦେଶ ଯେଉଁ ଶିକ୍ଷା ଲାଭ ପାଇଁ ସେମାନଙ୍କୁ ସୁଯୋଗ ଦେଇଛି, ସେମାନେ ରୋଗୀ ନ ଦେଖି କାହିଁକି ଏସ୍‌.ପି. ହେବେ? ବା ‘ପାଲି’ ଭାଷାରେ ଅଧିକ ନମ୍ବର ରଖି ଜଣେ କାହିଁକି କଲେକ୍ଟର ହେବେ? ଏ ଧରଣର ପଦର ଦାୟିତ୍ବ ସମ୍ଭାଳିବା ପାଇଁ ଆଇନ, ସଂବିଧାନ ଆଦି ବିଷୟମାନ ଆବଶ୍ୟକ। ହୁଏତ ଆପତ୍ତି ଉଠିପାରେ ଯେ ଏହି ବିଷୟ ଉପରେ ସମସ୍ତଙ୍କୁ ପରୀକ୍ଷା କରାଗଲେ ଯେଉଁମାନେ ମୂଳରୁ ସେହି ପାଠ ପଢ଼ିଛନ୍ତି, ସେମାନେ ଅଧିକ ସୁବିଧା ପାଇଯିବେ। କିନ୍ତୁ, କଥା ହେଲା, ଏହି ପାଠ ସହ ସିଭିଲ ସର୍ଭିସ ଚାକିରିର ବହୁ ସମ୍ପର୍କ ଥିବା ହେତୁ ସେହି ବିଷୟରେ ପରୀକ୍ଷା ହେବା ଦରକାର। ଯଦି କୌଣସି ବ୍ୟକ୍ତି ଏସ୍‌.ପି. ବା କଲେକ୍ଟର ହେବାକୁ ମୂଳରୁ ଚାହାଁନ୍ତି, ତେବେ ସେ ଏଥି ପାଇଁ ଆବଶ୍ୟକ ପାଠ ନ ପଢ଼ି, ଡାକ୍ତରୀ ବା ଇଞ୍ଜିନିୟରିଂ ଆଦି ପାଠ ପଢୁଛନ୍ତି କାହିଁକି?

ଏ ଧରଣର ଚାକିରି କ୍ଷେତ୍ରରେ ସଂବେଦନଶୀଳତା ଓ ମାନବିକତାର ଆବଶ୍ୟକତା ରହିଛି। ଜଣେ ସାଧାରଣ ମଣିଷ ପ୍ରତି ପ୍ରଶାସନିକ ଅଧିକାରୀଙ୍କ ମନୋବୃତ୍ତି କେମିତି ହେବା ଦରକାର ଓ ସେ ଦିଗରେ ପ୍ରାର୍ଥୀର ମାନସିକତା ଓ ଦକ୍ଷତା କେତେ, ତାହା ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ। ଏଣୁ ଏହି ବିଷୟ ଉପରେ ମଧ୍ୟ ପରୀକ୍ଷା ହେବା ଦରକାର। ଜଣେ ସାଧାରଣ ବ୍ୟକ୍ତି ଭେଟିବାକୁ ଚାହିଁଲେ ଜଣେ ଏସ୍‌.ପି. ବା କଲେକ୍ଟର ଅବା ଆୟକର ଅଧିକାରୀ ତାଙ୍କୁ ସାକ୍ଷାତ କରିବେ କି ନାହିଁ ଓ ଯଦି କରିବେ ଯଦି ସେଥିପାଇଁ କେତେ ସମୟ ଦେବେ ଇତ୍ୟାଦି ସମ୍ପର୍କରେ ମଧ୍ୟ ପରୀକ୍ଷା ହେବା ଦରକାର। ଏହି ଉଚ୍ଚ ପଦାଧିକାରୀ ମାନଙ୍କର ନିଷ୍ପତ୍ତି ନେବାର କ୍ଷମତା, ସାହସ, ସାଧୁତା ବା ଦୁର୍ନୀତି ସମ୍ପର୍କରେ ସେମାନଙ୍କର ଧାରଣା ଇତ୍ୟାଦି ବିଷୟରେ ମଧ୍ୟ ପରୀକ୍ଷା ହେବା ଆବଶ୍ୟକ। ଏହି ସବୁ ବିଷୟରେ ସେମାନଙ୍କର ଆଭିମୁଖ୍ୟ କ’ଣ ତାହା ଜାଣିବା ପାଇଁ ଯେଉଁ ଯେଉଁ ବିଦ୍ୟା ବା ଗୁଣର ଆବଶ୍ୟକତା ରହିଛି, ସେ ସବୁ ବିଷୟରେ ପରୀକ୍ଷା କରାଯିବା ଆବଶ୍ୟକ। ଏଥି ପାଇଁ ସ୍ୱତନ୍ତ୍ର ପାଠର ଆବଶ୍ୟକତା ଅଛି। ସେହି ପାଠ ସେମାନେ ପଢ଼ିଥିବା ଆବଶ୍ୟକ। ସମାଜ ଯେମିତି ବଦଳୁଛି, ତା’ ସହ ଖାପଖୁଆଇବା ପାଇଁ ଯେଉଁ ଯେଉଁ ଗୁଣର ଆବଶ୍ୟକତା ରହିଛି, ସେ ସବୁ ପ୍ରାର୍ଥୀଙ୍କ ନିକଟରେ ଅଛି କି ନାହିଁ, ସେ ବିଷୟରେ ମଧ୍ୟ ପରୀକ୍ଷା କରାଯିବ ଆବଶ୍ୟକ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଧରଣର ଚାକିରିମାନଙ୍କ ପାଇଁ କେତେ ବୟସର ପିଲାଙ୍କୁ ଗ୍ରହଣ କରାଯିବା ଆବଶ୍ୟକ, ତାହା ମଧ୍ୟ ଏକ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଇଂରେଜ ଶାସନ ବେଳେ ଏହି ସିଭିଲ ସର୍ଭିସ ପରୀକ୍ଷା ଆରମ୍ଭ ହୋଇଥିଲା। ସେତେବେଳେ ୧୮ବର୍ଷର ପିଲାମାନଙ୍କୁ ଏହି ପରୀକ୍ଷାରେ ମନୋନୀତ କରାଯାଉଥିଲା। ଏହାର କାରଣ ଥିଲା, ଅଳ୍ପ ବୟସରୁ ସେହି ଚାକିରି କରୁଥିବା ପିଲାମାନଙ୍କୁ ଯଥାଯଥ ତାଲିମ ଦେଇ ହେବ; ଯଦି ସାଧୁତା, ସାହସ, ନିଷ୍ଠା ଆଦି ସେହି ଚାକିରି ପାଇଁ ଆବଶ୍ୟକ ହୋଇଥାଏ, ତେବେ ମୂଳରୁ ପ୍ରାର୍ଥୀମାନଙ୍କୁ ସେହି ଦିଗରେ ତାଲିମ ଦିଆଯାଇପାରିବ। ଏବେ ଏହି ଚାକିରିକୁ ଏକ ପ୍ରଭାବଶାଳୀ ଓ ଅମିତ କ୍ଷମତାପୂର୍ଣ୍ଣ ଚାକିରି ହିସାବରେ ଦେଖାଯାଉଛି। ଦୀର୍ଘ କାଳ ଧରି ପ୍ରାର୍ଥୀମାନେ ଏହି ପରୀକ୍ଷା ବାରମ୍ବାର ଦେଉଛନ୍ତି; ଜଣେ ସାଧାରଣ ବର୍ଗର ପ୍ରାର୍ଥୀ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷ ଭିତରେ ୬ ଥର ଏହି ପରୀକ୍ଷା ଦେଇ ପାରୁଛନ୍ତି ଏବଂ ଏହି ସଂଖ୍ୟାକୁ ବୃଦ୍ଧି କରିବାକୁ ଦାବି ହେଉଛି, ଯାହାର ଉଦ୍ଦେଶ୍ୟ ହେଲା, ହେଉ ହେଉ କାଳେ ବିରାଡ଼ି କପାଳକୁ ଶିକା ଛିଡ଼ି ପଡ଼ିବ। କିନ୍ତୁ, ଦେଖାଯାଉଛି ଯେ ଅଧିକ ବୟସରେ ଏହି ଚାକିରିରେ ପଶୁଥିବା ବ୍ୟକ୍ତିମାନେ ଗୋଟିଏ ପ୍ରକାର ମାନସିକ ଅବସ୍ଥାର ବଶବର୍ତ୍ତୀ ହୋଇ ସାରିଥାଆନ୍ତି, ଯାହାକୁ ପ୍ରଶିକ୍ଷଣ ବଳରେ ବଦଳାଇବା ହୁଏ’ତ ସମ୍ଭବପର ହୋଇ ନ ପାରେ! ଏଣୁ କମ୍ ବୟସରୁ ପିଲାମାନଙ୍କୁ ଏହି ଚାକିରି ପାଇଁ ମନୋନୀତ କରାଯିବାରେ ଯଥାର୍ଥତା ଅଛି ଭଳି ମନେ ହୁଏ। ତେଣୁ ପରୀକ୍ଷା କଲା ବେଳେ ଏ ଦିଗଟି ପ୍ରତି ଦୃଷ୍ଟି ଦେଇ ସେଭଳି ପ୍ରଶ୍ନ ପତ୍ର ମଧ୍ୟ ତିଆରି କରାଯିବା ଆବଶ୍ୟକ। ଆରକ୍ଷଣ ଓ ବୟସ ଆଦି ପ୍ରସଂଗକୁ ଏହି ଚାକିରି କ୍ଷେତ୍ରରେ ଯୋଡ଼ା ଯିବା ଦ୍ୱାରା ଠିକ୍‌ ପ୍ରାର୍ଥୀ ଚୟନ ହୋଇପାରେନାହିଁ। ଜଣେ ଯେଉଁ ଜାତିର ହେଉ ନା କାହିଁକି ଅଳ୍ପ ବୟସର ହୋଇଥିବା ବେଳେ ତାକୁ ତାଲିମ ଦେଲେ ସେ ତାହା ଗ୍ରହଣ କରିନିଏ।

ସିଭିଲ ସର୍ଭିସ ପରୀକ୍ଷା ପଦ୍ଧତିର ଆମୂଳଚୂଳ ପରିବର୍ତ୍ତନ ହେବା ଆବଶ୍ୟକ ଓ ସାଧାରଣ ଲୋକଙ୍କ ସେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରେ ଯେଉଁ ଗୁଣ ରହିବା ଦରକାର, ସେ ସଂପର୍କିତ ପାଠ ସେ ପଢ଼ିଥିବା ଦରକାର ଓ ତାକୁ ସେହି ବିଷୟରେ ପରୀକ୍ଷା କରାଯିବା ଉଚିତ। ସେଭଳି ହେଲେ ପ୍ରଶାସନିକ ଅଧିକାରୀମାନଙ୍କ ଦକ୍ଷତା ମଧ୍ୟ ବୃଦ୍ଧି ପାଇବ।
ମୋ: ୯୪୩୭୦୨୦୨୯୦