‘ନୂଆ ଭାରତ’ର କଳ୍ପନା କେତେ ସ୍ଥାୟୀ?

ଅରୁଣ ସିହ୍ନା

୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଦିବ୍ୟଦର୍ଶୀ ତଥା କର୍ମଚଞ୍ଚଳ ନେତୃତ୍ବ’ ଅଧୀନରେ ପୁରାତନ ଭାରତ ଏକ ‘ନୂଆ ଭାରତ’କୁ ରୂପାନ୍ତରିତ ହେବାରେ ଲାଗିଛି ବୋଲି ଆମକୁ କୁହାଯାଉଛି। ଏବଂ ସେହି ‘ନୂଆ ଭାରତ’ ସମସ୍ତଙ୍କ ପାଇଁ ସମୃଦ୍ଧି ଆଣିଦେଉଛି। କାରଣ ନବ ଭାରତର ରେଳଗାଡ଼ିକୁ ଗତିଶୀଳ କରାଉଥିବା ଆତ୍ମା ହେଉଛି ‘ସବ୍‌କା ସାଥ୍‌, ସବ୍‌କା ବିକାଶ’। ତେଣୁ ପ୍ଲାଟଫର୍ମରେ କେହି ବି ଅଟକି ରହିବେ ନାହିଁ!

ଏ କଥା କ’ଣ ସତ? ପ୍ଲାଟଫର୍ମରେ କେହି ବି କ’ଣ ଅଟକି ନାହାନ୍ତି? ଭାରତୀୟ ଅର୍ଥନୀତି ନିରୀକ୍ଷଣ କେନ୍ଦ୍ର (ସିଏମ୍‌ଆଇଇ)ର ସୂଚନା ଅନୁସାରେ, ଦେଶରେ ବିଗତ ପାଞ୍ଚ ବର୍ଷ ଭିତରେ କାର୍ଯ୍ୟକ୍ଷମ ବୟସ (୧୫ରୁ ୫୯ ବର୍ଷ) ଅନ୍ତର୍ଗତ ଲୋକଙ୍କ ମଧ୍ୟରୁ କର୍ମନିଯୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ମୋଦୀ ସରକାରଙ୍କ ଆଠ ବର୍ଷର ଶାସନକାଳ ଭିତରେ ସହରାଞ୍ଚଳରେ ପ୍ରତିବର୍ଷ ୧୫ରୁ ୨୯ ବର୍ଷ ଭିତରର ହାରାହାରି ୨୦ ପ୍ରତିଶତ ଯୁବଗୋଷ୍ଠୀ ବେକାର ହୋଇ ରହିଛନ୍ତି। ତେଣୁ ବିପୁଳ ସଂଖ୍ୟାରେ ଭାରତୀୟ ଯୁବକ ଓ ମଧ୍ୟ-ବୟସ୍କ, ପୁରୁଷ ଓ ମହିଳା ‘ନୂଆ ଭାରତ’ର ବୁଲେଟ୍‌ ଟ୍ରେନ୍‌ରୁ ବଞ୍ଚିତ ହୋଇ ପ୍ଲାଟଫର୍ମରେ ଅଟକି ରହିନାହାନ୍ତି କି?

ଅପରପକ୍ଷେ, ଯେଉଁମାନେ ଟ୍ରେନ୍‌ ଧରିଛନ୍ତି, ସେମାନଙ୍କ ଅବସ୍ଥା ଏବେ କ’ଣ? ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ ପରି ଉଚ୍ଚାରଣ ସମସ୍ତଙ୍କ ପାଇଁ ସମୃଦ୍ଧିର ବାର୍ତ୍ତା ଆଣିପାରେ, ମାତ୍ର ତାହା ଅର୍ଥ ନୁହେଁ ଯେ ସମସ୍ତଙ୍କର ସମାନ ସମୃଦ୍ଧି ହେଉଛି। ଦିବ୍ୟଦ୍ରଷ୍ଟା ମୋଦୀ କୌଣସି ଶ୍ରେଣୀବିହୀନ ଟ୍ରେନ୍‌ ଚଳାଉନାହାନ୍ତି। ଟ୍ରେନ୍‌ରେ ବିଭିନ୍ନ ପ୍ରକାର ଶ୍ରେଣୀ ରହିଛି। ଉଦ୍ୟୋଗପତି, ବ୍ୟବସାୟୀ, ଷ୍ଟାର୍ଟଅପ୍‌ ପ୍ରୋତ୍ସାହନକାରୀ ଏବଂ ଆପ୍‌-ଭିତ୍ତିକ ବ୍ୟବସାୟୀଙ୍କ ପରି ‘ଧନ ନିର୍ମାତା’ଙ୍କ ପାଇଁ ଶ୍ରେଷ୍ଠ କମ୍ପାର୍ଟମେଣ୍ଟ୍‌ ରହିଛି। ଉଚ୍ଚ ବେତନଭୋଗୀ ଘରୋଇ ଓ ସରକାରୀ ଅଧିକାରୀ ଏବଂ ଧନୀ କୃଷକଙ୍କ ପରି ଉପଭୋକ୍ତାମାନଙ୍କ ପାଇଁ ମଧ୍ୟମ ଶ୍ରେଣୀ କମ୍ପାର୍ଟମେଣ୍ଟ୍‌ ରହିଛି ଏବଂ ପଛ ତଥା ନିମ୍ନ ଶ୍ରେଣୀର ବଗିଗୁଡ଼ିକରେ କୁଶଳୀ ଓ ଅଣକୁଶଳୀ ଶ୍ରମଜୀବୀ ଗୋଷ୍ଠୀ ରହିଛନ୍ତି। ତେବେ ଶ୍ରେଷ୍ଠ ଓ ମଧ୍ୟମ ଶ୍ରେଣୀ ବଗିଗୁଡ଼ିକ ତୁଳନାରେ ପଛରେ ଥିବା ନିମ୍ନଶ୍ରେଣୀର ବଗି ସଂଖ୍ୟା ଯଥେଷ୍ଟ ଅଧିକ।

କଠୋର ‘ଆର୍ଥିକ ସଂସ୍କାର’ ଲାଗୁ କରାଇବାକୁ ଭିତ୍ତି କରି ମୋଦୀଙ୍କ ‘ନୂଆ ଭାରତ’ ନିଜକୁ ମନମୋହନଙ୍କ ନୂଆ ଭାରତ (ଯାହାକୁ ସେମାନେ ପୁରାତନ ଭାରତ ବୋଲି ଦର୍ଶାଉଛନ୍ତି)ଠାରୁ ଭିନ୍ନ ବୋଲି ଦର୍ଶାଉଛି। ଆର୍ଥିକ ସଂସ୍କାର କହିଲେ ସେଭଳି ଅର୍ଥନୀତିକୁ ବୁଝାଏ ଯହିଁରେ ସର୍ବନିମ୍ନ ସରକାରୀ ହସ୍ତକ୍ଷେପ ରହିଥିବ (ସରକାର ନିଜର ନିୟନ୍ତ୍ରଣ ହ୍ରାସ କରିଚାଲନ୍ତି) ଏବଂ ବେପାର କରିବାର ସର୍ବାଧିକ ସୁବିଧା ଉପଲବ୍‌ଧ ଥିବ (ବ୍ୟବସାୟ ପ୍ରତିଷ୍ଠାନମାନେ ସ୍ବଳ୍ପ କର ଦିଅନ୍ତି ଓ ଶ୍ରମିକମାନଙ୍କୁ ଭଡ଼ାରେ ଆଣି ଇଚ୍ଛାମତେ ବିଦା କରିବାର ସ୍ବାଧୀନତା ଉପଭୋଗ କରନ୍ତି)। ବ୍ୟବସାୟ ପ୍ରତିଷ୍ଠାନମାନେ ସେମାନଙ୍କୁ ମିଳିଥିବା ସ୍ବାଧୀନତା ଉପଯୋଗ କରି ଧନ ନିର୍ମାତା ହେବେ ବୋଲି ଆଶା କରାଯାଏ। ସେମାନେ ଯାହା ବି ସମ୍ପତ୍ତି ଅର୍ଜନ କରନ୍ତୁ, ସେଥିରେ ପ୍ରତ୍ୟେକଙ୍କର କିଛି ଭାଗ ରହିବ ବୋଲି ମଧ୍ୟ ଆଶା କରାଯାଏ। ମାତ୍ର ତାହା ହେଉଛି କି?

ମୋଦୀ ସରକାର ସର୍ବଦା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଉଚ୍ଚ ଅଭିବୃଦ୍ଧି ହାର କଥା କୁହନ୍ତି। ମାତ୍ର ଆର୍ଥିକ ଅଭିବୃଦ୍ଧି ସହ ନିଯୁକ୍ତିରେ କେତେ ସମାନୁପାତିକ ଅଭିବୃଦ୍ଧି ଘଟିଛି, ତାହା ସରକାର କେବେ କହନ୍ତି ନାହିଁ। କାରଣ ନିଯୁକ୍ତି ସମ୍ପର୍କିତ ତଥ୍ୟ ଅତ୍ୟନ୍ତ ନୈରାଶ୍ୟଜନକ। ଏକ ସୁସ୍ଥ ତଥା ସମୃଦ୍ଧଶାଳୀ ଅର୍ଥନୀତିର ମୂଳ ମାପଦଣ୍ଡ ହେଉଛି କୃଷିକ୍ଷେତ୍ରର ଶ୍ରମକୁ ଉଦ୍ୟୋଗ ତଥା ବାଣିଜ୍ୟକୁ ସ୍ଥାନାନ୍ତର କରିବା, ଅର୍ଥାତ୍‌ ଗାଁରୁ ସହରକୁ ନେଇଯିବା। ବର୍ଷ ବର୍ଷ ଧରି ଏହି ଧାରା ପ୍ରଚଳିତ ହୋଇ ଆସୁଥିଲା। ମାତ୍ର ମୋଦୀ ସରକାରଙ୍କ ଅମଳରେ ତାହା ସଂପୂର୍ଣ୍ଣ ବିପରୀତମୁଖୀ ହୋଇଯାଇଛି। ସହରରେ କୌଣସି କାମଧନ୍ଦା ନପାଇ ଶ୍ରମିକମାନେ ଗାଁକୁ ଲେଉଟି କୃଷିକାର୍ଯ୍ୟ କରୁଛନ୍ତି। କୃଷିକ୍ଷେତ୍ରରେ ମାତ୍ରାଧିକ ଶ୍ରମିକ ହେବା ଦ୍ବାରା ସେମାନଙ୍କର ପାରିଶ୍ରମିକ ମଧ୍ୟ କମିଯାଉଛି। ତଥାପି ସେମାନେ ନାଚାର, କାରଣ ଆଦୌ କାମ ନମିଳିବା ଅପେକ୍ଷା କିଛି କରିବା ଶ୍ରେୟସ୍କର। ଅର୍ଥଶାସ୍ତ୍ରୀମାନେ ଏଭଳି ସ୍ଥିତିକୁ ନିଯୁକ୍ତିର ‘ସଂରଚନାତ୍ମକ ବ୍ୟୁତ୍‌କ୍ରମ’ ବୋଲି ଆଖ୍ୟା ଦେଇଛନ୍ତି।

ତେବେ ସହରରେ ରହିଯାଇଥିବା କର୍ମଜୀବୀମାନେ କ’ଣ ପାଉଛନ୍ତି? ସେମାନଙ୍କର ନିମ୍ନ ବେତନ ସାଙ୍ଗକୁ ସବୈତନିକ ଛୁଟି ନାହିଁ କି ବେମାର ଛୁଟି ନାହିଁ, ଭବିଷ୍ୟନିଧି ପାଣ୍ଠି ନାହିଁ କି ଅବସରକାଳୀନ ଭତ୍ତା ନାହିଁ, ଚିକିତ୍ସା ପ୍ରତିପୂର୍ତ୍ତି ନାହିଁ କି ଦୁର୍ଘଟଣା ଓ ଜରୁରୀ ସମୟରେ ସହାୟତା ରାଶି ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ଗୌରବଶାଳୀ ଶବ୍ଦରେ ‘ୟୁନିକର୍ଣ୍ଣ’ କମ୍ପାନୀମାନଙ୍କ କଥା କହିଥା’ନ୍ତି। ମାତ୍ର ସେହି ୟୁନିକର୍ଣ୍ଣମାନେ ଯୋଗାଉଥିବା ନିଯୁକ୍ତିର ମାନ ଅତ୍ୟନ୍ତ ଶୋଚନୀୟ। ଗଣମାଧ୍ୟମ ସଂସ୍ଥା ‘ମିଣ୍ଟ୍‌’ ଦ୍ବାରା ସଂଗୃହୀତ ତଥ୍ୟାନୁଯାୟୀ, ୟୁନିକର୍ଣ୍ଣମାନେ ୨୮ ଲକ୍ଷ ଲୋକଙ୍କୁ ଚାକିରି ଯୋଗାଇଛନ୍ତି, ଯେଉଁଥିରୁ ମାତ୍ର ୨.୭୨ ଲକ୍ଷ କର୍ମଚାରୀଙ୍କ ନାମ ଇପିଏଫ୍‌ଓରେ ପଞ୍ଜୀକୃତ ହୋଇଛି। ଅର୍ଥାତ୍‌ ୯୦ ପ୍ରତିଶତରୁ ଅଧିକ କର୍ମଚାରୀ ପେନ୍‌ସନ୍‌ ଓ ବୀମା ଆଦି ସୁବିଧାରୁ ବଞ୍ଚିତ।

ଏବେ ‘ନୂଆ ଭାରତ’ରେ ‘ବେପାର କରିବାର ସର୍ବାଧିକ ସୁଗମତା’ କିପରି କାମ କରୁଛି ତାହାର ତର୍ଜମା କରାଯାଉ। ୨୦୧୭ ମସିହାରେ ଶିକ୍ଷା, ବିତ୍ତ, ସ୍ବାସ୍ଥ୍ୟ, ଖାଦ୍ୟ, ଭ୍ରମଣ, ଆତିଥ୍ୟ ଓ ସମ୍ଭାରତନ୍ତ୍ର ଆଦି କ୍ଷେତ୍ରରେ କାରିଗରି ଭିତ୍ତିକ ଷ୍ଟାର୍ଟଅପ୍‌ରେ ନିଯୁକ୍ତି ସୁଯୋଗ ସାଂଗଠନିକ କ୍ଷେତ୍ରର ୨୧.୩ ପ୍ରତିଶତ ରହିଥିଲା। ମାତ୍ର ୨୦୨୨ରେ ତାହା ୧୨.୯ ପ୍ରତିଶତକୁ ଖସି ଆସିଛି। ଭ୍ରମଣ ଓ ଆତିଥ୍ୟ ଷ୍ଟାଟ୍‌ଅପ୍‌ ‘ଓୟୋ’ ୨୦୧୭ରୁ ୨୦୨୨ ଭିତରେ ୧୫,୦୦୦ରୁ ୧୮,୦୦୦ ଯାଏ କର୍ମଚାରୀଙ୍କୁ ଛଟେଇ କରିଛି। ଏହି ସମୟ ଭିତରେ ଭଡ଼ାଗା଼ଡ଼ି କମ୍ପାନି ‘ଓଲା’ ତାହାର ୪,୨୦୦ କର୍ମଚାରୀଙ୍କ ଭିତରୁ ୨,୬୦୦ ଜଣଙ୍କୁ ବିଦା କରିଛି। ତେଣୁ ଶ୍ରମିକମାନେ ଗାଁରେ କାହିଁକି ଅଳ୍ପ ପାରିଶ୍ରମିକରେ ଖଟିବାକୁ ସହର ଛାଡୁଛନ୍ତି, ତାହାର ଆଉ କିଛି ପ୍ରମାଣ ଦରକାର କି? ଘରୋଇ କ୍ଷେତ୍ରରେ ଏପରି ନିଯୁକ୍ତିହୀନ ଅଭିବୃଦ୍ଧିର ଅର୍ଥ ହେଲା ଧନସମ୍ପଦ କେବଳ ଉଚ୍ଚ ଓ ମଧ୍ୟମ ବର୍ଗଙ୍କ ଭିତରେ ସଂଚାଳିତ ହେଉଛି, ଯେତେବେଳେକି ଜନସଂଖ୍ୟାର ସିଂହଭାଗ ଲୋକ ଉପଭୋକ୍ତା ବଜାରଠାରୁ ବାହାରେ ରହିଛନ୍ତି। ଏହାକୁ କ’ଣ ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ର ସଫଳତା ବୋଲି କୁହାଯିବ?

ଆମର ଏହି ଅଭିବୃଦ୍ଧି ଯେ ସଭିଙ୍କ ଅନ୍ତର୍ଭୁକ୍ତୀକରଣକୁ ସୁଗମ କରୁନାହିଁ ତାହାର ସ୍ପଷ୍ଟ ଚିତ୍ର ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ (୨୦୧୯-୨୧)ରୁ ମିଳିଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ମିଲିଥିବା ତଥ୍ୟ ଅନୁସାରେ, ଜନସଂଖ୍ୟାର ସାଢ଼େ ୭ ପ୍ରତିଶତଙ୍କର କାର୍‌ ରହିଥିବା ବେଳେ ୪୯.୭ ପ୍ରତିଶତ ଲୋକଙ୍କର ଦୁଇ ଚକିଆ ଗାଡ଼ି ରହିଛି। ତେବେ ୨୪.୭ ପ୍ରତିଶତ ଲୋକଙ୍କର ବାଇସାଇକେଲଟିଏ ମଧ୍ୟ ନାହିଁ। ସେହିପରି ୩୨ ପ୍ରତିଶତ ଲୋକଙ୍କ ଘରେ ଟିଭି ସେଟ୍‌ ନାହିଁ।

ସଦ୍ୟ ବାଣିଜ୍ୟ ରିପୋର୍ଟ ଅନୁଯାୟୀ, ମହାମାରୀ କୋଭିଡ୍‌-୧୯ର ଆବିର୍ଭାବ ପରେ ନକାରାତ୍ମକ ପ୍ରଭାବ ପଡ଼ିଥିବା ସେବା ଓ ଦ୍ରବ୍ୟ କ୍ଷେତ୍ରରେ ପୁଣି ଥରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖାଦେଇଛି। ଅଧିକରୁ ଅଧିକ ଲୋକ ପର୍ଯ୍ୟଟନସ୍ଥଳୀ ବୁଲୁଛନ୍ତି, ଖାଉଛନ୍ତି, ବିପଣି ବା ବଜାର ଯାଉଛନ୍ତି, କାର୍‌-ବାଇକ୍‌ କିଣୁଛନ୍ତି ଏବଂ ଫ୍ରିଜ୍‌, ଵାସିଂ ମେସିନ୍‌ ଓ ଟିଭି ପରି ଯନ୍ତ୍ରାଂଶ ଖରିଦ କରୁଛନ୍ତି। ତେବେ ଏହି ଉପଭୋକ୍ତାମାନେ କିଏ? ସେମାନେ ହେଉଛନ୍ତି ସେହି ତଥାକଥିତ ‘ଧନ ନିର୍ମାତା’ ଓ ସୁଉଚ୍ଚ ବେତନଭୋଗୀ ମଧ୍ୟମ ଶ୍ରେଣୀ ବର୍ଗର, ଯେଉଁମାନେ ମୋଦୀଙ୍କ ‘ନୂଆ ଭାରତ’ ଟ୍ରେନ୍‌ର ଶ୍ରେଷ୍ଠ ଓ ମଧ୍ୟମ ଶ୍ରେଣୀ ବଗିଗୁଡ଼ିକ ଦଖଲ କରି ରହିଛନ୍ତି।

ଏଥିରୁ ସୁସ୍ପଷ୍ଟ ଯେ ‘ନୂଆ ଭାରତ’ର ଅର୍ଥନୈତିକ ନମୁନା ଜନସଂଖ୍ୟାର ବୃହତ୍ତର ଭାଗର ଆର୍ଥିକ ବହିର୍ଭୂତୀକରଣକୁ ସ୍ବାଗତ କରୁଛି। ଏହା ଦେଶ ପାଇଁ ଶୁଭଙ୍କର ନୁହେଁ। କାରଣ ଏହା ସାମାଜିକ ଅସ୍ଥିରତାକୁ ପ୍ରଶ୍ରୟ ଦେବ। ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ବିନା ଅର୍ଥନୀତିର ଅଭିବୃଦ୍ଧି ସମ୍ଭବ ନୁହେଁ। ଜନସଂଖ୍ୟାର ଏକ ବୃହତ୍ତର ଶ୍ରେଣୀର ଆର୍ଥିକ ବହିର୍ଭୂତୀକରଣ ଦେଶର ଅର୍ଥନୀତି ପାଇଁ ଆଦୌ ମଙ୍ଗଳକର ନୁହେଁ, କାରଣ ଏହା ଦ୍ବାରା ଚାହିଦା ସବୁବେଳେ ଉଚ୍ଚ ଓ ମଧ୍ୟମ ବର୍ଗ ପରିବାରରେ ସୀମିତ ରହିବ ଏବଂ ଜନସଂଖ୍ୟାର ସିଂହଭାଗକୁ ବିସ୍ତାରିତ ହେବ ନାହିଁ।
ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ନିଯୁକ୍ତିର ମାନରେ ଉନ୍ନତି ପାଇଁ ‘ନୂଆ ଭାରତ’ ମଡେଲ୍‌ର ପୁନଃକଳ୍ପନା ଆବଶ୍ୟକ, ଯାହା ମାଧ୍ୟମରେ ଜୀବନଧାରଣର ମାନ ଓ ଖାଉଟି ଅଭ୍ୟାସରେ ଉନ୍ନତି କରିହେବ। ଏହା ଦ୍ବାରା ‘ନୂଆ ଭାରତ’ ସ୍ଥାୟୀ ହୋଇପାରିବ।
[email protected]

ସମ୍ବନ୍ଧିତ ଖବର