ଗଲା ୧୪ ଅକ୍‌ଟୋବର, ୨୦୨୪ ଦିନ ଓଡ଼ିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ବାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅତ୍ୟନ୍ତ ସମୟୋପଯୋଗୀ ଓ ପ୍ରାସଙ୍ଗିକ; କେତେକ ଦୃଷ୍ଟିରୁ ଐତିହାସିକ ମଧ୍ୟ। ଏହି ବିଜ୍ଞପ୍ତି ଅନୁସାରେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ୨୦ ଜଣିଆ ଉଚ୍ଚ କ୍ଷମତାସଂପନ୍ନ ଟାସ୍କ୍‌ ଫୋର୍ସ ଗଠନ କରାଯାଇଅଛି, ଯାହା ଅନ୍ୟୂନ ୧୦ ଲକ୍ଷ କଷଣ ପ୍ରପୀଡ଼ିତ ଦାଦନ ଶ୍ରମିକଙ୍କ ଜୀବନରେ ଆଶ୍ବସ୍ତି ଆଣିବ ବୋଲି ଆଶା କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଟାସ୍କ୍‌ ଫୋର୍ସ ଦ୍ବାରା ବିଚାରଯୋଗ୍ୟ ଓ ଗ୍ରହଣୀୟ ହେବା ଭଳି କେତେକ ପରାମର୍ଶ ପ୍ରଦାନ କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ।
ସଂବିଧାନ ଅନୁଯାୟୀ ଭାରତୀୟ ନାଗରିକମାନେ ଦେଶର ଯେ କୌଣସି ପ୍ରାନ୍ତକୁ ଯିବା, ବସବାସ କରିବା ଓ ବୃତ୍ତି ଗ୍ରହଣ କରିବା ହେଉଛି ଏକ ମୌଳିକ ଅଧିକାର। ତେଣୁ ବିଭିନ୍ନ ରାଜ୍ୟ ଭଳି ଆମ ରାଜ୍ୟରୁ ମଧ୍ୟ ଶ୍ରମିକମାନଙ୍କ ଅନ୍ୟାନ୍ୟ ରାଜ୍ୟକୁ ବହିର୍ଗମନ ଚାଲୁ ରହିଥାଏ। ବିଭିନ୍ନ କାରଣରୁ ଲୋକେ ବାହାର ରାଜ୍ୟକୁ ଯାଆନ୍ତି; ଯେମିତି କି ଜୀବିକା ଅନ୍ବେଷଣ, ଉଚ୍ଚତର ମଜୁରି ଓ ଉଚ୍ଚ ମାନର ଜୀବନଯାପନର ଆକାଂକ୍ଷା ଓ ଆର୍ଥିକ ତଥା ସାମାଜିକ ସ୍ତରରେ ସ୍ବାବଲମ୍ବୀ ହେବାର ପ୍ରୟାସ। ତେବେ ଦେଖାଯାଏ ଯେ ଉତ୍ତମ ପାରିଶ୍ରମିକ ଓ କାର୍ଯ୍ୟସ୍ଥଳ, ଅନୁକୂଳ କାର୍ଯ୍ୟ ପରିବେଶ ଓ ଉନ୍ନତ ଜୀବନଯାପନର ସୁଯୋଗର ମିଛ ପ୍ରଲୋଭନ ଦେଖାଇ ସେମାନଙ୍କୁ ନିୟୋଜିତ କରାଯାଏ ସିନା, ଶୋଷଣ ଓ ନିର୍ଯାତନାର ଶିକାର କରାଯାଏ। ଏହାର ତାଲିକା ବେଶ୍‌ ଲମ୍ବା। ଏକତରଫା ସର୍ତ୍ତାବଳୀ ଜରିଆରେ ଶ୍ରମିକ ପ୍ରତିକୂଳ ପରିବର୍ତ୍ତନମାନ ଘଟାଇ (ନିଳାମ୍ବଳ ନିୟାଲ ଓ ଧାଙ୍ଗଡ଼ା ମାଝୀଙ୍କ ଘଟଣା, ୧୫ ଡିସେମ୍ବର, ୨୦୧୩) ବା ଆଇନାନୁମୋଦିତ ସୀମାଠାରୁ ଅଧିକ ସମୟ ଖଟାଇ ଅବା ଶ୍ରମିକଙ୍କ ରହିବାର କୌଣସି ବ୍ୟବସ୍ଥା ନ କରି କିଂବା ଆଇନ ଦ୍ବାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରିରୁ ବଞ୍ଚିତ କରି ବା ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ କାମ କଲେ ମିଳୁଥିବା ପାରିଶ୍ରମିକରୁ ବଞ୍ଚିତ କରି କିମ୍ବା ସପ୍ତାହରେ ଗୋଟିଏ ଦିନ ପୂରା ମଜୁରି ସହ ଛୁଟି ନ ଦେଇ ବା ଛୁଟି ଦିନରେ କାମ କଲେ ସୁଦ୍ଧା ମଜୁରିର ଦୁଇ ଗୁଣ ପ୍ରାପ୍ୟ ପ୍ରଦାନ ନ କରି ବା କାର୍ଯ୍ୟ ଓ ଆବାସ ସ୍ଥାନରେ ପାନୀୟ ଜଳ, ପରିମଳ ବ୍ୟବସ୍ଥା ଓ ଉତ୍ତମ ପରିବେଶ ଉପରେ ଦୃଷ୍ଟି ନ ଦେଇ ବା ଶ୍ରମିକମାନଙ୍କୁ ଅତ୍ୟଧିକ ଧୂଳି, ଉତ୍ତାପ, ବିଷାକ୍ତ ବାଷ୍ପ ଓ ବିଷାକ୍ତ ବର୍ଜ୍ୟବସ୍ତୁର ପ୍ରଭାବରୁ ମୁକ୍ତ ରହିବାର ବ୍ୟବସ୍ଥ‌ା ନ କରି ବା କାମ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଶ୍ରମିକ ମୃତାହତ ହେଲେ କି ଅକର୍ମଣ୍ୟ ହୋଇଗଲେ କ୍ଷତିପୂରଣ ନ ଦେଇ ବା ଦୁର୍ଘଟଣା ବିଷୟରେ ଶ୍ରମ ବିଭାଗର ଅଧିକାରୀଙ୍କୁ ଟିକିନିଖି ସୂଚନା ନ ଦେଇ ବା ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ଅବସ୍ଥାର ନିୟମିତ ଯାଞ୍ଚ ଓ ରୋଗ ହେଲେ ହସ୍‌ପିଟାଲ ନେବାର ବ୍ୟବସ୍ଥା ନ କରି ବା ସମାନ କାମ ପାଇଁ ମହିଳାମାନଙ୍କୁ ପୁରୁଷମାନଙ୍କ ସହ ସମାନ ମଜୁରି ନ ଦେଇ ବା ରାତିର ବିଳମ୍ବିତ ପ୍ରହର ଯାଏ ମହିଳାମାନଙ୍କୁ କାମ କରାଇ ଓ ମହିଳାମାନଙ୍କୁ ମାତୃତ୍ବକାଳୀନ ସୁବିଧାରୁ ବଞ୍ଚିତ କରି ନିଯୁକ୍ତିଦାତାମାନେ ଶ୍ରମିକମାନଙ୍କୁ ଘୋର ନିର୍ଯାତନାର ଆବର୍ତ୍ତ ମଧ୍ୟକୁ ଠେଲି ଦିଅନ୍ତି। 
ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ଉତ୍କଟ ଦାଦନ ସମସ୍ୟା ଓଡ଼ିଶାକୁ ଆକ୍ରାନ୍ତ କରି ରଖିଛି। ଏହି ସମସ୍ୟାର ନିରାକରଣ ପାଇଁ ଅନେକ ଆଇନ ପ୍ରଣୟନ, ବ୍ୟବସ୍ଥାରେ ସଂଶୋଧନ, ସମୟୋଚିତ ପ୍ରଶାସନିକ ପଦକ୍ଷେପମାନ ନିଆଯାଉଥିଲେ ମଧ୍ୟ ଆଶାନୁଯାୟୀ ଫଳ ମିଳିପାରି ନାହିଁ। ଏହା ନିଶ୍ଚିତ ଭାବେ ଏକ ଚିନ୍ତାର କାରଣ। 
କମ୍ ଓ ଅସମାନ ବର୍ଷା, ପର୍ଯ୍ୟାପ୍ତ ଜଳସେଚନର ଅଭାବ, ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ, ଭୂମିହୀନତା, ସମ୍ବଳହୀନତା, ବଡ଼ ପରିବାରଜନିତ ଅଭାବ, ସ୍ଥାନୀୟ ଅଞ୍ଚଳରେ ଉଦ୍ୟୋଗ ଓ ନିଯୁକ୍ତିର ଅଭାବ ଇତ୍ୟାଦି ହେଉଛି ଶ୍ରମିକ ସ୍ଥାନାନ୍ତରଣ ପଛରେ ଥିବା କେତେକ ବଡ଼ କାରଣ। ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ଏହି କାରଣଗୁଡ଼ିକ ପ୍ରାଂଜଳ ଭାବେ ଦୃଶ୍ୟମାନ ହୋଇଥାଏ। ଶ୍ରମିକମାନଙ୍କର ଅସଚେତନତା, ନିରକ୍ଷରତା, ଅନଗ୍ରସରତା ତଥା ଗ୍ରାମାଞ୍ଚଳରେ ବଳିଷ୍ଠ ଶ୍ରମ ସଂଗଠନର ଅଭାବ ଏହି ଦୁଃସ୍ଥିତିକୁ ଅଧିକ ଉତ୍କଟ କରିଦେଇଛି। ଏହି ପରିପ୍ରେକ୍ଷୀରେ ଦାଦନ ସମସ୍ୟାର ନିରାକରଣ ପାଇଁ କେତେକ ରଣନୀତି ବିଚାରଯୋଗ୍ୟ ଭଳି ମନେ ହୋଇଥାଏ। ଏବେ ତା’ ଉପରେ ଟିକିଏ ଦୃଷ୍ଟି ପକାଇବା।
ପ୍ରଥମ କଥା ହେଲା, ଯେଉଁ ରାଜ୍ୟରୁ ଦାଦନ ଶ୍ରମିକ ଯାଉଛନ୍ତି, ସେହି ରାଜ୍ୟ ସରକାର ଚିହ୍ନଟ କରିବେ ଯେ କେଉଁ ଜାଗାରୁ କେଉଁ ଜାଗାକୁ ଓ କେଉଁ କାରଣରୁ ଶ୍ରମିକମାନେ ଯାଉଛନ୍ତି। ସେମାନେ କେଉଁ ସମୟରେ ଯାଉଛନ୍ତି ଓ ପରିବାର ସହ ଯାଉଛନ୍ତି ନା ଏକାକୀ ଯାଉଛନ୍ତି! ଏହାର ଏକ ତାଲିକା ପ୍ରସ୍ତୁତ କରି ତା’ ଆଧାରରେ ଏକ ସ୍ବଳ୍ପମିଆଦି ଓ ଦୂରଦୃଷ୍ଟିସଂପନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବା ଦରକାର। ଏହି ତାଲିକା ପ୍ରସ୍ତୁତି ବେଳେ ଭୂମି, ସମ୍ବଳ, ସଂଦର୍ଭ, ଜଳସେଚନର ସ୍ଥିତି, ଉତ୍ପାଦନ ଓ ଉତ୍ପାଦକତାର ଅବସ୍ଥା, ନିଯୁକ୍ତି ପରିବେଶ ଓ ଭବିଷ୍ୟତ ସମ୍ଭାବନାକୁ ଆକଳନ କରାଯିବା ଜରୁରି। ଯେଉଁ ଜାଗାରୁ ଶ୍ରମିକମାନେ ଯାଉଛନ୍ତି, ସେଇ ଜାଗାରେ ସେମାନଙ୍କ ଲାଗି କର୍ମ ସଂସ୍ଥାନର ବ୍ୟବସ୍ଥା କରିବାକୁ ହେବ। ତାହା ହେଲେ ଶ୍ରମିକମାନେ ବାହାରକୁ ଯିବାର ପ୍ରଲୋଭନ ଓ ଆକର୍ଷଣରୁ ଦୂ‌େରଇ ରହିବେ। ଶ୍ରମିକମାନେ ଆଇନ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ପାଇବା ଏକାନ୍ତ ଆବଶ୍ୟକ। ସେମାନଙ୍କର ଭୂମିହୀନତା, ସମ୍ବଳର ଅଭାବ, ବୃତ୍ତିହୀନତା ଓ ନିର୍ଭରଶୀଳତା ପ୍ରଭୃତିକୁ ଦୂର କରାଯିବା ଅତି ଆବଶ୍ୟକ। ତେବେ, ସମସ୍ତ ବଳିଷ୍ଠ ପଦକ୍ଷେପ ସତ୍ତ୍ବେ ଯଦି ଦାଦନ ଖଟିବାକୁ ଯିବା ଅନିବାର୍ଯ୍ୟ ହୋଇପଡ଼େ, ତେବେ ସେ ପରିବାରର ମହିଳା ଓ ଶିଶୁମାନଙ୍କୁ ଶ୍ରମିକମାନଙ୍କ ସହ ଦୂର ଜାଗାକୁ ଯିବାରୁ ନିବୃତ୍ତ କରିବାକୁ ପଡ଼ିବ। ସେମାନଙ୍କ ରକ୍ଷଣାବେକ୍ଷଣ, ସୁରକ୍ଷା ଓ ସାମାଜିକ ନିରାପତ୍ତାକୁ ସେମାନଙ୍କର ମୂଳ ବାସସ୍ଥାନ ନିକଟରେ ବନ୍ଦୋବସ୍ତ କରିବାକୁ ପଡ଼ିବ। ଆଠ ଓ ନ’ ଦଶକରେ ମହାରାଷ୍ଟ୍ରର ଆହମଦନଗର ଜିଲ୍ଲା ରାଲେଗାଓଁ ସିଦ୍ଧିରେ ଆନ୍ନା ହଜାରେ ସମନ୍ବିତ ଜଳଛାୟା ପ୍ରକଳ୍ପକୁ କମ୍ ବର୍ଷା ହେଉଥିବା ଓ ଅଳ୍ପ ଜଳସେଚିତ ‌ଜାଗା ପାଇଁ ସମନ୍ବିତ ବିକାଶ ପ୍ରକ୍ରିୟାର ଏକ ସଶକ୍ତ ମାଧ୍ୟମ ଭାବେ ପ୍ରତିଷ୍ଠା କରିଥିଲେ। ଦକ୍ଷିଣ-ପଶ୍ଚିମ ଓଡ଼ିଶା ପାଇଁ ଏହି ପ୍ରକଳ୍ପ ଅତ୍ୟନ୍ତ ପ୍ରାସଙ୍ଗିକ। ଏହା ଦ୍ବାରା ଭୂମିର ଆର୍ଦ୍ରତା, ଉର୍ବରତା ଓ ଉତ୍ପାଦକତାରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆସିପାରିବ। ଅଳ୍ପ ଜମି ଥିବା କ୍ଷୁଦ୍ର ଚାଷୀମାନେ ଏଥିରୁ ଅଧିକ ଲାଭାନ୍ବିତ ହେବେ। ଦାଦନ ସମସ୍ୟାର ନିରାକରଣ ପାଇଁ ଗ୍ରାମ ପଞ୍ଚାୟତମାନଙ୍କୁ ସଂଶ୍ଳିଷ୍ଟ କରିବାକୁ ପଡ଼ିବ। ପ୍ରଶିକ୍ଷଣ ମାଧ୍ୟମରେ ସେଭଳି ବ୍ୟକ୍ତି ଓ ପରିବାରକୁ ସଚେତନ ଓ ସତର୍କ କରିବାକୁ ପଡ଼ିବ। ଦାଦନ ଶ୍ରମିକମାନଙ୍କୁ ବାହାରକୁ ନେବା ପାଇଁ ଆସୁଥିବା ଦଲାଲ ବା ଏଜେଣ୍ଟମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ଏଥି ପାଇଁ ଗ୍ରାମ ପଞ୍ଚାୟତକୁ ସେମାନେ ଲିଖିତ ପ୍ରମାଣପତ୍ର ଦେବେ, ଯେଉଁଥିରେ ଶ୍ରମିକମାନଙ୍କ ବହିର୍ଗମନ ସମ୍ବନ୍ଧୀୟ ସମସ୍ତ ସୂଚନା ରଖାଯାଇପାରିବ।

Advertisment

ଦାଦନ ଖଟିବାକୁ ବା ଅନ୍ୟ କୌଣସି କାରଣରୁ ଜୀବିକା ସକାଶେ ବାହାରକୁ ଯାଉଥିବା ଶ୍ରମିକମାନେ ଜାଣିବା ଦରକାର ଯେ ସ୍ବାଧୀନ ଭାରତର ସଂବିଧାନ ସେମାନଙ୍କୁ ଯଦିଓ ଦେଶର ଯେ କୌଣସି ପ୍ରାନ୍ତକୁ ଯାଇ ଜୀବିକା ଅର୍ଜନ କରିବାର ଅଧିକାର ଦେଇଛି, ସେମାନେ ସ୍ବୟଂ ଆକଳନ କ‌ରନ୍ତୁ ଯେ ବାହାରକୁ ଯାଇ କାମ କରିବା ସେମାନଙ୍କ ହିତସା‌ଧନ କରୁଛି ନା ନାହିଁ! ସୁତରାଂ, ସେମାନେ ପ୍ରତିକୂଳ ପରିବେଶରେ ବିପଦସଂକୁଳ ସ୍ଥାନରେ କାମ କରିବାର କୌଣସି ଆବଶ୍ୟକତା ନାହିଁ। କେବଳ ସେତିକି ନୁହେଁ, ସେମାନେ କାର୍ଯ୍ୟ କରୁଥିବା ରାଜ୍ୟର ଶ୍ରମ ବିଭାଗ ବା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏଭଳି ବହିରାଗତ ଶ୍ରମିକମାନଙ୍କ ସମସ୍ୟାକୁ ସଂବେଦନଶୀଳ ଦୃଷ୍ଟିରେ ଦେଖାଯାଇ ତା’ର ସମାଧାନ କରାଯିବା ମଧ୍ୟ ଜରୁରି। ଦାଦନ ଖଟିବାକୁ ଯାଉଥିବା ମହିଳା ଶ୍ରମିକମାନେ ଯୌନ ଶୋଷଣର ମଧ୍ୟ ଶିକାର ହୁଅନ୍ତି। ଏହା ପରିସ୍ଥିତିକୁ ଆହୁରି କଦର୍ଯ୍ୟ କରିଦିଏ। ସେମିତି ଦାଦନ ଖଟିବାକୁ ଯାଉଥିବା ପରିବାରର ଶିଶୁ ସନ୍ତାନମାନଙ୍କ ପୁଷ୍ଟି, ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥା ସେମାନେ କାର୍ଯ୍ୟ କରୁଥିବା ଅଞ୍ଚଳର ସ୍ଥାନୀୟ ପ୍ରଶାସନ କରିବା ଜରୁରି। ପାଠ ପଢ଼ିବା ବୟସର ପିଲାମାନଙ୍କ (୬ରୁ ୧୪ ବର୍ଷ) ଲାଗି ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷାର ସୁବିଧା କରାଯିବା ମଧ୍ୟ ଜରୁରି। ଏହା ସହିତ ସେମାନଙ୍କ ପାଇଁ ଉପଯୋଗୀ କୌଶଳର ତାଲିମ ନେଇ ବ୍ୟବସ୍ଥା କରିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କଲେ ବା ଅକର୍ମଣ୍ୟତାର ଶିକାର ହେଲେ, ସେହି ଶ୍ରମିକମାନଙ୍କ ଲାଗି ନ୍ୟାଯ୍ୟ କ୍ଷତିପୂରଣ ଓ ଥଇଥାନର ବ୍ୟବସ୍ଥା ମଧ୍ୟ କରାଯିବା ଦରକାର। 

ଏହା ସ୍ବୀକାର କରିବାକୁ ପଡ଼ିବ ଯେ ବିଭିନ୍ନ କାରଣରୁ ଶ୍ରମିକମାନେ ରାଜ୍ୟ ବାହାରକୁ ଜୀବିକା ଅର୍ଜନ କରିବା ଲାଗି ଯିବେ। ଏହାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇପାରିବ ନାହିଁ। କିନ୍ତୁ ଏକ ସକ୍ରିୟ ଓ ସଂବେଦନଶୀଳ ସରକାରୀ ବିଭାଗ ଚାହିଲେ ଦାଦନ ଶ୍ରମିକମାନେ ଭୋଗୁଥିବା କଷଣକୁ ଅନେକ ପରିମାଣରେ କମା ଯାଇପାରିବ।
ପ୍ରାକ୍ତନ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ସଚିବ
ମୋ:୯୫୬୦୨୦୨୩୫୨