ସାଂପ୍ରତିକ ସମୟରେ କିଶୋରମାନେ ଅନେକ ଅପରାଧରେ ଲିପ୍ତ ରହୁଥିବାର ଦେଖିବାକୁ ମିଳୁଛି। ଯେଉଁମାନେ ଦେଶର ଭବିଷ୍ୟତ, ପ୍ରଗତିର କର୍ଣ୍ଣଧାର ସେମାନେ ଗମ୍ଭୀର ଅପରାଧ ସହ ଜଡ଼ିତ ହେବା ସମସ୍ତଙ୍କୁ କଷ୍ଟ ଦେଉଛି। କିଶୋରଜଣକ ଆଇନ ଜାଲରେ ଛନ୍ଦିହେବା ଦ୍ୱାରା କେବଳ ତା’ର କ୍ଷତି ଘଟୁ ନାହିଁ, ବରଂ ସମାଜ ଓ ପରିବାରକୁ ଏ କ୍ଷତି ସହିବାକୁ ପଡୁଛି। ନିକଟ ଅତୀତରେ ପୁରୀରେ ଘଟିଥିବା ଏକ ଅପରାଧ ଏ ସମସ୍ୟା ନେଇ ଅଧିକ ଚିନ୍ତା ଉଦ୍ରେକ କରିଛି। ତେଣୁ ବର୍ତ୍ତମାନ ସମୟରେ କୈଶୋର ଅପରାଧର ଦିଗ, ଦୃଷ୍ଟିଭଙ୍ଗୀ ଓ ନିରାକରଣ ନେଇ ତର୍ଜମା ସମୟର ଆହ୍ବାନ ପାଲଟିଛି।
କୈଶୋର ଅପରାଧ ଏକ ଜଟିଳ ଓ ବହୁମୁଖୀ ପ୍ରସଂଗ। ଏହା ଅନେକ ଯୁବ ବନ୍ଧୁଙ୍କ ଜୀବନ ନଷ୍ଟ କରିବା ସହ ତାଙ୍କୁ ଦିଗହରା କରାଇବା ପାଇଁ ପ୍ରଚୋଦିତ। ଯେଉଁ ସମୟ ପଠନ, ମନନ ଓ ଚିନ୍ତନର ସମୟ ସେହି ସମୟରେ ଅପରାଧରେ ଲିପ୍ତ ହେବା ଦ୍ବାରା ତା’ର ଗୋଷ୍ଠୀ, ପରିବାର ଭବିଷ୍ୟତ ସବୁ କ୍ଷତିଗ୍ରସ୍ତ ହୁଅନ୍ତି। ଜାତୀୟ ଅପରାଧ ନଥି ସଂସ୍ଥା (ଏନ୍.ସି.ଆର.ବି.)ର ପରିସଂଖ୍ୟାନ ଅନୁଯାୟୀ କିଶୋର ଅପରାଧର ସଂଖ୍ୟା ପ୍ରତି ବର୍ଷ ବଢ଼ିବାରେ ଲାଗିଛି। କେବଳ ୨୦୨୦ ମସିହାରେ ୩୩,୮୮୭ଟି କୈଶୋର ଅପରାଧ ପଞ୍ଜୀକୃତ ହୋଇଛି। ଦୁର୍ଭାଗ୍ୟର ବିଷୟ ଯେ ଆଇନର ଜାଲରେ ଛନ୍ଦିହୋଇ ପଡୁଥିବା ୪୫.୬% କିଶୋରଙ୍କ ବୟସ ୧୬ରୁ ୧୮ ବର୍ଷ। ତନ୍ମଧ୍ୟରୁ ୭୧.୧% ଗ୍ରାମାଞ୍ଚଳରୁ ଆସନ୍ତି। ୫୫.୬% କିଶୋର ତାଙ୍କର ମାଧ୍ୟମିକ ଶିକ୍ଷା ମଧ୍ୟ ଶେଷ କରିନଥାନ୍ତି। ଏହି ପରିସଂଖ୍ୟାନକୁ ଆହୁରି ଗଭୀର ଭାବରେ ଅଧ୍ୟୟନ କଲେ ଜଣାଯାଏ ଯେ ଏ ଅପରାଧ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ୨୦୧୫ରୁ ୨୦୧୯ ଭିତରେ ଏହା ୧୦.୫% ବୃଦ୍ଧି ପାଇଛି। ୨୦୧୯ରେ ୩୫,୮୪୯ କିଶୋର ଅପରାଧରେ ପଞ୍ଜୀକୃତ ହୋଇଥିବାବେଳେ ତନ୍ମଧ୍ୟରୁ ୭୨.୬% ପୁରୁଷ ବୋଲି ଜଣାପଡ଼ିଛି। ଏମାନେ ସାଧାରଣତଃ ଚୋରି, ଡକାୟତି, ନିର୍ଯାତନା, ହିଂସା, ଯୌନ ଉତ୍ପୀଡ଼ନ, ନିଶା କାରବାର ଓ ଅପହରଣ ଆଦିରେ ଲିପ୍ତ ରହୁଛନ୍ତି। କିଛି ପିଲା ରାତାରାତି ପ୍ରଚୁର ଅର୍ଥ ଉପାର୍ଜନ ପାଇଁ ସାଇବର ଅପରାଧରେ ଯୋଡ଼ି ହୋଇଯାଉଛନ୍ତି। ଏସବୁକୁ ରୋକିବା ପାଇଁ ସରକାର କିଶୋର ନ୍ୟାୟ (ଯତ୍ନ ଓ ସୁରକ୍ଷା) ଆଇନ-୨୦୧୫ ପ୍ରଣୟନ କରିଛନ୍ତି। ଏତଦ୍ଭିନ୍ନ ସମନ୍ବିତ ଶିଶୁ ସୁରକ୍ଷା ପ୍ରକଳ୍ପ ଓ ଜାତୀୟ ଶିଶୁ ସୁରକ୍ଷା କମିସନ୍ ଏହାର ନ୍ୟାୟିକ, ସାମାଜିକ ଦିଗ ପ୍ରତି ଯତ୍ନ ନେଉଛି।
୨୦୧୫ରେ ପ୍ରଣୀତ ଉକ୍ତ ଆଇନ କିଶୋରଙ୍କ ବୟସ ୧୮ ବର୍ଷରୁ କମ୍ ହୋଇଥିବା କଥାକୁ ପ୍ରାଧାନ୍ୟ ଦିଏ। କିଶୋରର ଅପରାଧର ବିଚାର ସହ ତା’ର ଉତ୍ତରଦାୟିତ୍ବକୁ ମଧ୍ୟ ଏହା ସୁନିଶ୍ଚିତ କରିଥାଏ। ଏ ଆଇନ ଦ୍ବାରା ଗଠିତ ବୋର୍ଡ, ପୁଲିସ ସଂସ୍ଥା ସବୁ ନାବାଳକଙ୍କୁ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର କରିବା ପାଇଁ ଆଇନରେ କୁହାଯାଇଛି। ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ, ଶିଶୁ କଲ୍ୟାଣ କମିଟି ଓ ସ୍ୱତନ୍ତ୍ର ଶିଶୁକିଶୋର ପୁଲିସ ୟୁନିଟ୍ ଭଳି ଅନୁଷ୍ଠାନ ମାଧ୍ୟମରେ ସେମାନଙ୍କ ପୁନଃଥଇଥାନ, ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଗୃହ ତଥା ନିରାପଦ ରହଣି ପାଇଁ ଏ ଆଇନ ନିର୍ଦ୍ଦେଶ ଦିଏ। ଏ ଆଇନ କିଶୋରଙ୍କୁ ଅପରାଧୀ ନୁହେଁ ବରଂ ଆଇନରେ ଛନ୍ଦି ହୋଇଥିବା ନାବାଳକ ବୋଲି ବିଚାର କରେ।
କିଶୋର ଅପରାଧର କାରଣ ବହୁବିଧ। ଅର୍ଥନୈତିକ ଅନଗ୍ରସରତା ଓ ଦାରିଦ୍ର୍ୟ ଏହାର ମୁଖ୍ୟ କାରଣ। ବାଳକଟିଏ ଯେତେବେଳେ କ୍ଷୁଧା ପ୍ରପୀଡ଼ିତ ହୁଏ ସେ ଅପରାଧ ଆଡ଼କୁ ମୁହାଁଇବା ବଡ଼ କଥା ନୁହେଁ। ଏତଦ୍ଭିନ୍ନ ଶିକ୍ଷାର ଅଭାବ, ନିଯୁକ୍ତିରେ ପ୍ରତିବନ୍ଧ ମଧ୍ୟ ଏଥିପାଇଁ ଦାୟୀ। ପାରିବାରିକ ସମସ୍ୟା, ପିତାମାତାଙ୍କ ଝଗଡ଼ା, ସମ୍ବନ୍ଧରେ ଅସ୍ଥିରତା ମଧ୍ୟ କିଶୋର ଅପରାଧର ଅନ୍ୟତମ କାରଣ। ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ସଙ୍ଗଦୋଷ, ବନ୍ଧୁମାନଙ୍କର ଚାପ, ଉତ୍ସାହ, ପ୍ରରୋଚନା ମଧ୍ୟ ଅପରାଧ ଘଟାଇବାରେ ସାହାଯ୍ୟ କରେ।
କୈଶୋର ଅପରାଧକୁ ପ୍ରାରମ୍ଭିକ ସ୍ତରରୁ ଚିହ୍ନଟ କରି ତାକୁ ରୋକିବା ଦିଗରେ ପ୍ରୟାସ ହେବା ଜରୁରି। ଏ ବିଷୟ ଅପରାଧର ଦୁଃଖଦ ଅବତାରଣାକୁ ନେଇ ଆରମ୍ଭ ହେବା ଆବଶ୍ୟକ। ଏହା ବ୍ୟତୀତ ସଚେତନତା, ଉଦାହରଣ ମାଧ୍ୟମରେ ଶିକ୍ଷା, ପରାମର୍ଶ, ବୁଝାମଣା ଓ ସୁବାର୍ତ୍ତାର ପ୍ରଚାର ଏହାର ଅଂଶବିଶେଷ। ପିତାମାତା ତଥା ଗୁରୁଜନଙ୍କ ତତ୍ତ୍ୱାବଧାନ, ମାର୍ଗଦର୍ଶନ ଓ ଦିଗ୍ଦର୍ଶନ ଏହାର ଅନ୍ୟତମ ଭିତ୍ତି। ଭଲ ଖରାପର ଭେଦ ଓ ଧାରଣାକୁ ଠିକ୍ ଭାବରେ ବୁଝାଇବା ଦ୍ୱାରା କୈଶୋର ଅପରାଧକୁ ରୋକା ଯାଇପାରିବ। କୁହାଯାଏ, କର୍ମବିହୀନ ମସ୍ତିଷ୍କ ହେଉଛି ସୈତାନର କର୍ମଶାଳା। ତେଣୁ କର୍ମସଂସ୍ଥାନ, ନିଯୁକ୍ତି, କୌଶଳର ପ୍ରଶିକ୍ଷଣ, ବୈଷୟିକ ଶିକ୍ଷା, ଧନ୍ଦାମୂଳକ ତାଲିମ ଆଦି ମାଧ୍ୟମରେ ଯୁବକଙ୍କୁ ଆମେ କର୍ମ ନିଯୁକ୍ତ କରିପାରିବା। ସେହିପରି ସମୟୋପଯୋଗୀ ନୀତି ନିର୍ଦ୍ଧାରଣ ଓ ତାର ରୂପାୟନ କୈଶୋର ଅପରାଧକୁ ରୋକିପାରିବ। ଏ କ୍ଷେତ୍ରରେ ବିଦେଶରେ ସଫଳ ହୋଇଥିବା ଯୋଜନା, କାର୍ଯ୍ୟକ୍ରମ ଓ ବେସରକାରୀ ସଂସ୍ଥାର ଅବଦାନକୁ ଆମେ ଜାଣିବା ଆବଶ୍ୟକ। କେତେକ ଉଦାହରଣ ଦ୍ବାରା ଏହା ସ୍ପଷ୍ଟ ହେବ ଯେ ବିଦେଶର କିଶୋର ନ୍ୟାୟ ପ୍ରକ୍ରିୟା ବହୁବିଧ ଚେତନା ଓ ଭାବନାରେ ଦୀପ୍ତ।
ଅଷ୍ଟ୍ରେଲିଆର ନୀତି ହେଉଛି ପ୍ରାଥମିକ ହସ୍ତକ୍ଷେପ ଦ୍ବାରା ଅପରାଧର ନିରାକରଣ। ‘ପାଥ୍ୱେଜ୍ ଟୁ ପ୍ରିଭେନ୍ସନ୍’ ନାମକ ଯୋଜନା ଏହି ଚିହ୍ନଟ ପ୍ରକ୍ରିୟା ଓ ଅନିଷ୍ଟର ଆଶଙ୍କା ଥିବା କିଶୋରଙ୍କୁ ଠାବ କରିବା ସହ ତା’ର ନିରାକରଣ ଦିଗରେ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିଥାଏ। ସେହିପରି ନ୍ୟୁଜିଲ୍ୟାଣ୍ଡ ଥଇଥାନକାରୀ ନ୍ୟାୟ ମଧ୍ୟସ୍ଥତା, ବୁଝାମଣା, ସମ୍ବାଦ, ସଂଳାପକୁ ପ୍ରାଧାନ୍ୟ ଦେଇ ପୀଡ଼ିତ, ସମାଜ ଓ ଅପରାଧ ଘଟାଥିବା ଯୁବକଙ୍କୁ ବସାଇ ପ୍ରଥମେ କଥାବାର୍ତ୍ତା କରେ। ଆମେରିକା ଗୋଷ୍ଠୀଗତ ସାମର୍ଥ୍ୟର କଥା କହେ। ‘ବଏଜ୍ ଆଣ୍ଡ୍ ଗାର୍ଲସ୍ କ୍ଲବ୍ ଅଫ୍ ଆମେରିକା’ ମାଧ୍ୟମରେ ଏହା ନାବାଳକଙ୍କ ମଧ୍ୟରେ ସକାରାତ୍ମକ କାର୍ଯ୍ୟ, ସେବା, ଅଭିଭାବକତ୍ବ ଓ ସାହାଯ୍ୟ କରିବାର ମନୋବୃତ୍ତି ପ୍ରବେଶ କରାଏ। ଜର୍ମାନୀ ଶିକ୍ଷା ଓ କର୍ମ ପ୍ରଶିକ୍ଷଣକୁ ପ୍ରାଧାନ୍ୟ ଦିଏ। ‘ଜବ୍ ଷ୍ଟାର୍ଟର୍’ ନାମକ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଶିକ୍ଷା, ଶିକ୍ଷଣ, ନିଯୁକ୍ତି ଦେଇ ଅପରାଧ କମାଇବାକୁ ଚେଷ୍ଟା କରେ। କାନାଡା ପାରିବାରିକ ହସ୍ତକ୍ଷେପ ମାଧ୍ୟମରେ କୈଶୋର ଅପରାଧ ରୋକିବାକୁ ଚେଷ୍ଟା କରେ। ୟୁନାଇଟେଡ୍ କିଙ୍ଗଡମ୍ ପରିବର୍ତ୍ତନସାପେକ୍ଷ କାର୍ଯ୍ୟକ୍ରମ ମାଧ୍ୟମରେ ଅପରାଧ ରୋକିବାକୁ ଚେଷ୍ଟା କରେ। ଦକ୍ଷିଣ ଆଫ୍ରିକା କିଶୋରକୁ ସେ ଆଦର୍ଶ ମଣୁଥିବା ବ୍ୟକ୍ତିଙ୍କ ସହ ଯୋଡ଼ିଦିଏ। ତଦ୍ୱାରା ସେ ମାର୍ଗଦର୍ଶନ ପାଏ। ଆୟର୍ଲ୍ୟାଣ୍ଡ୍ ଅପରାଧର ଦୁଃଖକୁ ଲାଘବ କରିବାର ପ୍ରୟାସ କରେ। ବ୍ରାଜିଲ୍ ଗୋଷ୍ଠୀଗତ ସମ୍ପର୍କ ମାଧ୍ୟମରେ କିଶୋର ଅପରାଧକୁ ରୋକିବାକୁ ଚେଷ୍ଟା କରେ। ‘ଫୋରୋ ଡୋ କ୍ରାଇମ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ସ୍ଥାନୀୟ ସମାଜକୁ ଅପରାଧ ରୋକିବା କାର୍ଯ୍ୟରେ ନିୟୋଜିତ କରାଏ। ସିଙ୍ଗାପୁର ପରିସଂଖ୍ୟାନ ଓ ତଥ୍ୟ ସଂଗ୍ରହ କରି ବିପଦରେ ଥିବା କିଶୋରଙ୍କୁ ଚିହ୍ନଟ କରିଥାଏ। ଏହିସବୁ ଦେଶ ପ୍ରୟୋଗ କରୁଥିବ ଧାରା, ପଦ୍ଧତି ଓ ବିଧିକୁ ମୂଲ୍ୟାୟନ କରି ଆମ ଦେଶର ସେଗୁଡ଼ିକ କେତେ ଦୂର ପ୍ରୟୋଗ କରାଯାଇପାରିବ ତାହା ବିଚାର କରିବାର ଆବଶ୍ୟକତା ରହିଛି।
କୈଶୋର ଅପରାଧ ରୋକିବା ଓ ନ୍ୟାୟର ବିକେନ୍ଦ୍ରୀକରଣ ଆମର ଈପ୍ସିତ ଆକାଂକ୍ଷା। ତେଣୁ ପ୍ରଥମରୁ କିଶୋରଙ୍କୁ ନିଶାଦ୍ରବ୍ୟ ସେବନ ଓ ଆହରଣରୁ ଦୂରେଇବାକୁ ପଡ଼ିବ। ଏହାର ସେବନ ଦ୍ୱାରା ବିଚାର କ୍ଷମତା ଲୋପ ପାଏ ଓ ଆପରାଧିକ କାର୍ଯ୍ୟକଳାପରେ ଜଡ଼ିତ ହେବାର ସମ୍ଭାବନା ବଢ଼ିଯାଏ। ଏନ୍.ସି.ଆର.ବି. ତଥ୍ୟ ଅନୁଯାୟୀ ଭାରତରେ ୩୪.୯% ନାବାଳକ ଅପରାଧ କରିବା ସମୟରେ ମଦ୍ୟପାନ କିମ୍ବା ଡ୍ରଗ୍ସର ପ୍ରଭାବରେ ଥାଆନ୍ତି। ଇଣ୍ଡିଆନ୍ ଜର୍ନାଲ ଅଫ୍ ସାଇକିୟାଟ୍ରିକ୍ ମତରେ ୭୦% କିଶୋର ଅପରାଧୀଙ୍କ ନିଶା ସେବନର ଇତିହାସ ରହିଛି। ୨୦୧୯ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ନାବାଳକ ନ୍ୟାୟ ପ୍ରତିଷ୍ଠାନର ୬୨.୧% ପିଲା ନିଶା ସେବନ କରୁଥିଲେ। ସେମାନେ ମୁଖ୍ୟତଃ ଗଞ୍ଜେଇ, ତମାଖୁ, ଡ୍ରଗ୍ସ, ମଦ, ଅନ୍ୟାନ୍ୟ ନିଶା ସେବନ କରୁଥିବା ଜଣାଯାଏ। ଏଥିରୁ ଏହା ସ୍ପଷ୍ଟ ଯେ ନିଶା ସେବନ ସହ ଅପରାଧର ସମ୍ପର୍କ ରହିଛି। ଏ ସବୁକୁ ଚିକିତ୍ସା, ପୁନର୍ବାସ, ପରାମର୍ଶ, ଔଷଧ, ସମର୍ଥନ ଓ ସକାରାତ୍ମକ ଚିନ୍ତନ ଦ୍ବାରା ଦୂର କରିହେବ।
ମନେ ରଖିବାକୁ ହେବ ଯେ ଅପରାଧ ଘଟାଉଥିବା କିଶୋରମାନେ ଅଭ୍ୟସ୍ତ ଅପରାଧୀ ନୁହନ୍ତି; ସେମାନେ ସମୟର ଚୋରାବାଲିରେ ଗୋଡ଼ ଖସାଇ ଦେଇଥିବା ଅମାନିଆ ପିଲା ମାତ୍ର। ବୃହତ୍ତର ସମାଜର ଦାୟିତ୍ବ ହେଲା ସେମାନଙ୍କୁ ଘୃଣା ବା ନୀଚା ଦୃଷ୍ଟିରେ ଦେଖିବା ନାହିଁ। ଆମେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଜରୁରି। ଏ କ୍ଷେତ୍ରରେ କାର୍ଯ୍ୟରତ ବେସରକାରୀ ସଂସ୍ଥା ଯଥା ‘ଶିଶୁ ସୁରକ୍ଷା ଅଭିଯାନ’, ‘ବଚ୍ପନ୍’, ‘ବାଲ୍ ସଂରକ୍ଷଣ’ ପରି ଅନୁଷ୍ଠାନର ଭୂମିକା ମଧ୍ୟ ବେଶ୍ ଗୁରୁତ୍ବପୂର୍ଣ୍ଣ। ନିକଟରେ ମାନ୍ୟବର ସୁପ୍ରିମ୍ କୋର୍ଟ ଜେ. ଜେ. ବନାମ୍ ହରିୟାଣା ରାଜ୍ୟ ମାମଲାରେ ରାୟ ପ୍ରକାଶ କରି କହିଛନ୍ତି ଯେ, ନାବାଳକଙ୍କୁ ଅତି ଜଘନ୍ୟ ଅପରାଧ ପାଇଁ ମୃତ୍ୟୁ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇ ପାରିବ ନାହିଁ। ନାବାଳକ ନ୍ୟାୟ ବ୍ୟବସ୍ଥାର ଅର୍ଥ ଦଣ୍ଡ ଦେବା ନୁହେଁ, ସେମାନଙ୍କ ଠାରେ ସଂସ୍କାର ଆଣିବା ଓ ପୁନଃ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ବୋଲି ମାନ୍ୟବର ନ୍ୟାୟାଳୟ କହିଛନ୍ତି।
ଆଜି ଏସବୁ ଆହ୍ବାନ ସ୍ୱୀକାର କରି ନାବାଳକ ଅପରାଧକୁ ଭିନ୍ନ ଦୃଷ୍ଟିରେ ଦେଖିବାର ସମୟ ଆସିଛି। କିଶୋର ଅପରାଧ ଯେହେତୁ ଇଚ୍ଛାନୁମୋଦିତ, ବିବେକାନୁମୋଦିତ ଓ ଷଡ୍ଯନ୍ତ୍ର ତଥା ଉଦ୍ଦେଶ୍ୟାନୁମୋଦିତ ହୋଇନଥାଏ ତେଣୁ ତାହାର ଆପରାଧିକ ବ୍ୟାଖ୍ୟା ଭିନ୍ନ। ଅପରିପକ୍ବତା ହିଁ ନାବାଳକ ଅପରାଧର ଆଧାର। ନାବାଳକ ଘଟାଉଥିବା ଅପରାଧ ରୋକିବା ପାଇଁ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଓ ପାରିବାରିକ ପ୍ରଚେଷ୍ଟା ଉତ୍ତମ ଫଳ ପ୍ରଦାନ କରିପାରିବ। ବିଦେଶରେ ହେଉଥିବା ଯୋଜନା ଅନୁସରଣରୁ ବ୍ୟକ୍ତିଗତ ପ୍ରଚେଷ୍ଟା ପର୍ଯ୍ୟନ୍ତ, ସରକାରୀଠୁ ବେସରକାରୀ ସଂସ୍ଥାର ଉଦ୍ୟମ ଯାଏ କିଶୋର ନ୍ୟାୟକୁ ଋଦ୍ଧିମନ୍ତ କରିବାର ସବୁପ୍ରକାର ପ୍ରଚେଷ୍ଟା ହେଉ। ସଂଗଠିତ, ଶାଣିତ, ଢାଞ୍ଚାଗତ ନିୟମ ପ୍ରଣୟନ ଦ୍ବାରା ଏ ସମସ୍ୟାକୁ ଦୂର କରିହେବ। ତଦ୍ୱାରା ସୁନାଗରିକ, ଅପରାଧମୁକ୍ତ ସମାଜ ଓ ଦେଶ ଗଠନର ସ୍ବପ୍ନ ଆଡ଼କୁ ଆମେ ଅଗ୍ରସର ହେବା।
ଆରକ୍ଷୀ ଅଧୀକ୍ଷକ, ପୁରୀ
କୈଶୋର ଅପରାଧ ରୋକିବା କେମିତି
ସାଂପ୍ରତିକ ସମୟରେ କିଶୋରମାନେ ଅନେକ ଅପରାଧରେ ଲିପ୍ତ ରହୁଥିବାର ଦେଖିବାକୁ ମିଳୁଛି। ଯେଉଁମାନେ ଦେଶର ଭବିଷ୍ୟତ, ପ୍ରଗତିର କର୍ଣ୍ଣଧାର ସେମାନେ ଗମ୍ଭୀର ଅପରାଧ ସହ ଜଡ଼ିତ ହେବା ସମସ୍ତଙ୍କୁ କଷ୍ଟ ଦେଉଛି।