ରାହୁଳ ଗାନ୍ଧୀ
ଲୋକସଭା ବିରୋଧୀ ଦଳ ନେତା
୩ ଫେବ୍ରୁଆରିରେ ମୁଁ ସଂସଦରେ ଦେଇଥିବା ଭାଷଣ ତଥା ତା’ ପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ୨୦୨୪ ନଭେମ୍ବରରେ ଅନୁଷ୍ଠିତ ମହାରାଷ୍ଟ୍ର ନିର୍ବାଚନ ସମ୍ପର୍କରେ ମୋ ଅସନ୍ତୋଷ ବ୍ୟକ୍ତ କରିଥିଲି। ମୁଁ ଭାରତୀୟ ନିର୍ବାଚନର ନିରପେକ୍ଷତା ନେଇ ସବୁବେଳେ ବା ସବୁଠାରେ ନ ହେଲେ ବି ଅନେକ ସମୟରେ ସନ୍ଦେହ ବ୍ୟକ୍ତ କରିଆସିଛି। ମୁଁ ଏଠାରେ ଛୋଟକାଟିଆ ହେରଫେର କଥା କହୁ ନାହିଁ, ମୁଁ ଯେଉଁ ବିଷୟରେ କହୁଛି ସେଥିରେ ଆମ ଜାତୀୟ ଅନୁଷ୍ଠାନମାନଙ୍କୁ କରାୟତ୍ତ କରାଯିବା ଅନ୍ତର୍ଭୁକ୍ତ।
ପୂର୍ବର କେତେକ ନିର୍ବାଚନର ଫଳାଫଳ ସନ୍ଦେହଜନକ ମନେ ହୋଇଥିଲେ ହେଁ ୨୦୨୪ର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସ୍ପଷ୍ଟ ରୂପେ ଆଶ୍ଚର୍ଯ୍ୟଜନକ ଥିଲା। ହେରଫେର ଏତେ ପରିବ୍ୟାପ୍ତ ଥିଲା ଯେ, ତାହାକୁ ଲୁଚାଇବାର ସବୁପ୍ରକାର ଉଦ୍ୟମ ନିଷ୍ଫଳ ହୋଇଛି ଏବଂ କୌଣସି ଅଣ-ଆନୁଷ୍ଠାନିକ ଉତ୍ସ ଉପରେ ନିର୍ଭର ନ କରି କେବଳ ଆଧିକାରିକ ପରିସଂଖ୍ୟାନରୁ ହେରଫେରର ସ୍ପଷ୍ଟ ପ୍ରମାଣ ମିଳିସାରିଛି। ସେହି ପରିପ୍ରେକ୍ଷୀରେ ପାଞ୍ଚଟି କୌଶଳକୁ ମୁଁ ଏଠାରେ ଉପସ୍ଥାପନ କରୁଛି।
ପ୍ରଥମ କୌଶଳ ହେଉଛି ଏମ୍ପାୟାରମାନଙ୍କୁ ନିଯୁକ୍ତ କରୁଥିବା ପ୍ୟାନେଲକୁ ହରଣଚାଳ କରିନିଅ। ‘୨୦୨୩ ଇଲେକ୍ସନ କମିସନର୍ସ ଆପଏଣ୍ଟମେଣ୍ଟ ଆକ୍ଟ’ ଏହା ସୁନିଶ୍ଚିତ କଲା ଯେ ଇଲେକ୍ସନ କମିସନରମାନଙ୍କୁ ବାଛିବାର କ୍ଷମତା ୨:୩ ଅନୁପାତରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ହାତରେ ରହିବ, କାରଣ ତୃତୀୟ ସଦସ୍ୟ ଭାବେ ଥିବା ବିରୋଧୀ ଦଳର ନେତାଙ୍କ ଭୋଟକୁ ସର୍ବଦା ପ୍ରଭାବହୀନ କରିଦେଇହେବ। ଏହି ଭଦ୍ରଲୋକମାନେ ହେଉଛନ୍ତି ସେହି ଖେଳର ଶୀର୍ଷ ପ୍ରତିଯୋଗୀ, ଯେଉଁ ଖେଳର ଆମ୍ପାୟାର ସେମାନଙ୍କ ଦ୍ବାରା ମନୋନୀତ! ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତିଙ୍କ ବଦଳରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ମନୋନୟନ କମିଟିରେ ବସାଇବାର ନିଷ୍ପତ୍ତି ମଧ୍ୟ ସନ୍ଦେହମୁକ୍ତ ନୁହେଁ। ଆପଣ ନିଜେ ଭାବନ୍ତୁ, ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନର ନିଯୁକ୍ତି ପ୍ରକ୍ରିୟାରୁ ଜଣେ ନିରପେକ୍ଷ ବ୍ୟକ୍ତିଙ୍କୁ ବହିଷ୍କାର କରିବା ପାଇଁ କାହିଁକି ଜଣେ ଏତେ ଉଦ୍ୟମ କରିବ? ଏ ପ୍ରଶ୍ନରେ ହିଁ ଉତ୍ତର ନିହିତ।
ଦ୍ବିତୀୟ କୌଶଳ ହେଲା ନକଲି ଭୋଟରଙ୍କ ସାହାଯ୍ୟରେ ଭୋଟର ସୂଚିର ଆକାର ବଢ଼ାଇଦିଅ। ନିର୍ବାଚନ ଆୟୋଗଙ୍କ ତଥ୍ୟ କହୁଛି ଯେ ୨୦୧୯ ବିଧାନସଭା ନିର୍ବାଚନ ବେଳେ ମହାରାଷ୍ଟ୍ରରେ ମତଦାତାଙ୍କ ସଂଖ୍ୟା ଥିଲା ୮.୯୮ କୋଟି, ଯାହା ୨୦୨୪ ମେ’ରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ବେଳକୁ ୯.୨୯ କୋଟିକୁ ବୃଦ୍ଧି ପାଇଥିଲା। ହେଲେ ମାତ୍ର ପାଞ୍ଚ ମାସ ପରେ ନଭେମ୍ବର ୨୦୨୪ର ବିଧାନସଭା ନିର୍ବାଚନ ବେଳକୁ ଏହି ସଂଖ୍ୟା ୯.୭୦ କୋଟିକୁ ବୃଦ୍ଧି ପାଇଲା। ଅର୍ଥାତ୍, ପାଞ୍ଚ ବର୍ଷରେ ଭୋଟର ସଂଖ୍ୟା ୩୧ ଲକ୍ଷ ବଢ଼ିଥିବା ବେଳେ ମାତ୍ର ପାଞ୍ଚ ମାସରେ ତାହା ୪୧ ଲକ୍ଷ ବଢ଼ିଗଲା! ଏହି ବୃଦ୍ଧି ଏଥିପାଇଁ ଆହୁରି ଆଶ୍ଚର୍ଯ୍ୟଜନକ ଯେ ସରକାରଙ୍କ ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ୯.୫୪ କୋଟି ପ୍ରାପ୍ତବୟସ୍କ ଲୋକ ଥିବା ବେଳେ ଭୋଟରଙ୍କ ସଂଖ୍ୟା ତା’ ଠାରୁ ଢେର ଅଧିକ!
ଏବେ ତୃତୀୟ କୌଶଳରେ ଭୋଟର ସଂଖ୍ୟା ବୃଦ୍ଧି ଉପରେ ଭୋଟ ହାର ବୃଦ୍ଧି କରାଯିବାକୁ ଦେଖନ୍ତୁ। ଅଧିକାଂଶ ଅଂଶ ଗ୍ରହଣକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ମହାରାଷ୍ଟ୍ର ନିର୍ବାଚନରେ ଭୋଟ ଦାନର ହାର ସଂପୂର୍ଣ୍ଣ ସାମାନ୍ୟ ବା ସାଧାରଣ ଭଳି ମନେ ହୋଇଥିଲା। ଅନ୍ୟ ଯେକୌଣସି ରାଜ୍ୟ ପରି ମତଦାତାମାନେ ବୁଥ ବାହାରେ ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଲେ ଏବଂ ଘରକୁ ଫେରିଗଲେ। ଯେଉଁ ମତଦାତା ସନ୍ଧ୍ୟା ପାଞ୍ଚଟା ସୁଦ୍ଧା ବୁଥକୁ ପ୍ରବେଶ କରିଥିଲେ ସେମାନଙ୍କୁ ଭୋଟ ଦେବା ପର୍ଯ୍ୟନ୍ତ ଭିତରେ ରହିବାକୁ ଦିଆଗଲା। ଲମ୍ବା ଲାଇନରେ ମତଦାତାମାନେ ଛିଡ଼ା ହୋଇ ରହିବା ଅଥବା ଗହଳି କରିବାର କୌଣସି ରିପୋର୍ଟ ନ ଥିଲା।
କିନ୍ତୁ ନିର୍ବାଚନ ଆୟୋଗଙ୍କ ଅନୁସାରେ ନିର୍ବାଚନ ଦିନର ଘଟଣାବଳୀ ଖୁବ୍ ନାଟକୀୟ ଥିଲା। ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ଥିଲା ୫୮.୨୨%। ପର ଦିନ ସକାଳେ ଯାଇ ପ୍ରକାଶ କରାଗଲା ଯେ ଚୂଡ଼ାନ୍ତ ମତଦାନ ହାର ହେଉଛି ୬୬.୦୫%। ଅପ୍ରତ୍ୟାଶିତ ଭାବେ ବର୍ଦ୍ଧିତ ୭.୮୩%ର ଅର୍ଥ ହେଲା ପାଖାପାଖି ୭୬ ଲକ୍ଷ ଭୋଟ, ଯାହା ପୂର୍ବର ତିନିଟି ବିଧାନସଭା ନିର୍ବାଚନ ତୁଳନାରେ ଖୁବ୍ ବେଶି। ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରାଥମିକ ମତଦାନ ହାର ଓ ଚୂଡ଼ାନ୍ତ ମତଦାନ ହାର ମଧ୍ୟରେ ତାରତମ୍ୟ ଯଥାକ୍ରମେ (-)୦.୫୦, ୧.୦୮ ଓ ୦.୬୪ ପ୍ରତିଶତ ଥିଲା।
ହେରଫେରର ପ୍ରକରଣ ଶେଷ ହୋଇ ନାହିଁ। ଏହାର ଚତୁର୍ଥ କୌଶଳ ହେଲା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଅନୁଯାୟୀ ନକଲି ମତଦାନ କରାଇବା, ଯାହା ସାହାଯ୍ୟରେ ବିଜେପି ‘ଡନ୍ ବ୍ରାଡମ୍ୟାନ’ ହୋଇଗଲା। ମହାରାଷ୍ଟ୍ରରେ ପ୍ରାୟ ଏକ ଲକ୍ଷ ବୁଥ ଅଛି, କିନ୍ତୁ ୮୫ଟି ନିର୍ବାଚନ ମଣ୍ଡଳୀର ମାତ୍ର ୧୨,୦୦୦ ବୁଥ୍ରେ ଅଧିକାଂଶ ନକଲି ଭୋଟରମାନଙ୍କୁ ଯୋଡ଼ା ଯାଇଥିଲା, ଯେଉଁଠି ଭାରତୀୟ ଜନତା ପାର୍ଟି (ବିଜେପି) ପୂର୍ବ ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିଲା। ଅତଏବ ସନ୍ଧ୍ୟା ପାଞ୍ଚଟା ପରେ ପ୍ରତି ବୁଥରେ ହାରାହାରି ୬୦୦ ମତଦାତା ଥିଲେ। ଯଦି ଜଣେ ମତଦାତାଙ୍କୁ ଭୋଟ ଦେବାକୁ ସର୍ବନିମ୍ନ ଏକ ମିନିଟ ବି ଲାଗେ, ତେବେ ଭୋଟ ଗ୍ରହଣ ପ୍ରକ୍ରିୟା ଆହୁରି ୧୦ ଘଣ୍ଟା ଜାରି ରହିବା କଥା। ହେଲେ ବାସ୍ତବରେ ସେପରି ହୋଇ ନଥିଲା, ତେଣୁ ପ୍ରଶ୍ନ ଉଠେ- ଅବଶିଷ୍ଟ ଭୋଟଗୁଡ଼ିକ ପଡ଼ିଲା କିପରି? ସ୍ବାଭାବିକ ଭାବେ ‘ନେସନାଲ ଡେମୋକ୍ରାଟିକ ଆଲାଏନ୍ସ’ (ଏନ୍ଡିଏ) ସେହି ୮୫ଟି ଆସନରୁ ଅଧିକାଂଶ ଆସନ ଜିଣିଥିଲା।
ମତଦାତା ସଂଖ୍ୟାରେ ଉକ୍ତ ତୀକ୍ଷ୍ଣ ବୃଦ୍ଧିକୁ ନେଇ ନିର୍ବାଚନ ଆୟୋଗଙ୍କ ବ୍ୟାଖ୍ୟା ହେଲା ଏହା ‘ଯୁବପିଢ଼ିର ଅଂଶ ଗ୍ରହଣର ଏକ ସ୍ବାଗତଯୋଗ୍ୟ ପରିଣାମ’। ହେଲେ ଏ ସ୍ବାଗତଯୋଗ୍ୟ ପରିଣାମ କେବଳ ୧୨,୦୦୦ ବୁଥରେ ସୀମିତ ଥିଲା, ଅବଶିଷ୍ଟ ୮୮,୦୦୦ ବୁଥକୁ ଛୁଇଁନଥିଲା! ଏହା ଏକ କରୁଣ ପରିହାସ ନୁହେଁ ତ ଆଉ କ’ଣ?
‘କାମଠୀ’ ସେହିଭଳି ଏକ ଅନୁଶୀଳନଯୋଗ୍ୟ ବିଧାନସଭା ଆସନ। ୨୦୨୪ ଲୋକସଭା ନିର୍ବାଚନରେ ଉକ୍ତ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜାତୀୟ କଂଗ୍ରେସକୁ ୧.୩୬ ଲକ୍ଷ ଓ ବିଜେପିକୁ ୧.୧୯ ଲକ୍ଷ ଭୋଟ ମିଳିଥିଲା। ୨୦୨୪ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୧.୩୪ ଲକ୍ଷ ଭୋଟ ମିଳିଲା, ଯାହା ପୂର୍ବ ପ୍ରଦର୍ଶନ ସହ ପାଖାପାଖି ସମାନ। ହେଲେ ବିଜେପିକୁ ମିଳିଥିବା ଭୋଟ ସଂଖ୍ୟା ୧.୭୫ ଲକ୍ଷକୁ ବଢ଼ିଗଲା, ଅର୍ଥାତ୍ ୫୬,୦୦୦ ଅଧିକ ଭୋଟ। ଲୋକସଭା ଓ ବିଧାନସଭା ନିର୍ବାଚନ ଭିତରେ ଯୋଡ଼ା ଯାଇଥିବା ୩୫,୦୦୦ ନୂଆ ମତଦାତାଙ୍କ ଜରିଆରେ ଏହି ଅଭିବୃଦ୍ଧି ହାସଲ କରାଯାଇଥିଲା। ମନେ ହୁଏ ଯେ ଲୋକସଭା ନିର୍ବାଚନରେ ଭୋଟ ଦେଇନଥିବା ସମସ୍ତ ମତଦାତାଙ୍କ ସମେତ ନୂଆ ୩୫,୦୦୦ ମତଦାତାଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ବିଜେପି ଆଡ଼କୁ ହିଁ ଚୁମ୍ବକୀୟ ଭାବେ ଆକୃଷ୍ଟ ହୋଇଥିଲେ।
ଉପରେ ଉଲ୍ଲିଖିତ ପ୍ରଥମରୁ ଚତୁର୍ଥ କୌଶଳ ବଳରେ ୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ଲଢ଼ିଥିବା ୧୪୯ଟି ଆସନରୁ ୧୩୨ଟି ଜିଣିଗଲା। ୮୯ ପ୍ରତିଶତର ଏହି ‘ଷ୍ଟ୍ରାଇକ ରେଟ୍’ ବା ସଫଳତା ହାର ହେଉଛି ବିଜେପି କୌଣସି ନିର୍ବାଚନରେ ବା କୌଣସି ସମୟରେ ହାସଲ କରିଥିବା ସର୍ବଶ୍ରେଷ୍ଠ ସଫଳତା ଠାରୁ ମଧ୍ୟ ବହୁତ ଅଧିକ। ଉଦାହରଣ ସ୍ବରୂପ ପାଞ୍ଚ ମାସ ପୂର୍ବେ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପିର ସଫଳତା ହାର ଥିଲା ୩୨ ପ୍ରତିଶତ।
ପଞ୍ଚମ କୌଶଳ ହେଲା ତଞ୍ଚକତାର ପ୍ରମାଣକୁ ଲୁଚାଇ ଦିଅ। ବିରୋଧୀ ଦଳ କରିଥିବା ସମସ୍ତ ପ୍ରଶ୍ନର ଜବାବରେ ନିର୍ବାଚନ ଆୟୋଗ ଠାରୁ ନିରବତା ଓ ଏପରିକି ଉଗ୍ର ଆଚରଣ ମିଳିଛି। ୨୦୨୪ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନର ଭୋଟର ତାଲିକା (ଫଟୋ ସହ) ପ୍ରଦାନ କରିବା ଲାଗି କରାଯାଇଥିବା ଅନୁରୋଧକୁ ନିର୍ବାଚନ ଆୟୋଗ ସିଧାସଳଖ ଖାରଜ କରିଦେଇଛି।
ଆହୁରି ଦୁଃଖଦାୟକ ବିଷୟ ହେଲା, ବିଧାନସଭା ନିର୍ବାଚନର ମାତ୍ର ଏକ ମାସ ପରେ ହାଇକୋର୍ଟ ଗୋଟିଏ ପୋଲିଂ ବୁଥର ଭିଡିଓଗ୍ରାଫି ଓ ସିସିଟିଭି ଫୁଟେଜ ପ୍ରଦାନ କରିବା ଲାଗି ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେବା ପରେ କେନ୍ଦ୍ର ସରକାର - ନିର୍ବାଚନ ଆୟୋଗଙ୍କ ମତାମତ ନେଇ - ‘୧୯୬୧ କଣ୍ଡକ୍ଟ ଅଫ ଇଲେକ୍ସନ ରୁଲ୍ସ’ର ସେକ୍ସନ ୯୩(୨)(ଏ)ରେ ସଂଶୋଧନ କରି ସିସିଟିଭି ଫୁଟେଜ ଓ ଇଲେକ୍ଟ୍ରୋନିକ ରେକର୍ଡ ହାସଲକୁ ନିଷେଧ କରିଦେଲେ। ଏହି ସଂଶୋଧନ ଓ ଏହାର ଟାଇମିଂ ବା ସମୟରୁ ସବୁକିଛି ସ୍ପଷ୍ଟ ହୋଇଯାଉଛି। ନିକଟରେ ସମାନ ବା ନକଲି ‘ଇପିଆଇସି(ଏପିକ୍) ନମ୍ବର’ର ପର୍ଦ୍ଦାଫାସ ଛଦ୍ମ ମତଦାତା ସମ୍ପର୍କିତ ଉଦ୍ବେଗକୁ ଅଧିକ ଗଭୀର କରିଛି, ଯଦିଓ ଏହା ଏକ ବିରାଟ ଷଡ୍ଯନ୍ତ୍ରର କ୍ଷୁଦ୍ର ଅଂଶ ହୋଇଥିବାର ଅନେକ ସମ୍ଭାବନା ରହିଛି।
ଭୋଟର ତାଲିକା ଓ ସିସିଟିଭି ଫୁଟେଜ ହେଉଛି ଗଣତନ୍ତ୍ରକୁ ସୁଦୃଢ଼ କରିବାର ଗୋଟିଏ ଗୋଟିଏ ଅସ୍ତ୍ର। ଗଣତନ୍ତ୍ରର ଉଲ୍ଲଂଘନ ହେଉଥିବା ବେଳେ ଏଗୁଡ଼ିକୁ ଅଳଂକାର ଭଳି ଚାବି ପକାଇ ରଖିବା ଅନୁଚିତ। ଭାରତର ନାଗରିକମାନଙ୍କ ଅଧିକାର ହେଲା ସେମାନଙ୍କୁ ସୁନିଶ୍ଚିତ କରାଇବା ଯେ କୌଣସି ତଥ୍ୟ ବିଲୋପ ହୋଇ ନାହିଁ କି ହେବ ନାହିଁ। କେତେକ ମହଲରେ ଆଶଙ୍କା ରହିଛି ଯେ ତଥ୍ୟର ଅନୁସନ୍ଧାନରୁ ନିର୍ଦ୍ଦିଷ୍ଟ ମତଦାତାଙ୍କୁ ତାଲିକାରୁ ବାଦ ଦେବା ଓ ବୁଥ ସ୍ଥାନାନ୍ତର କରିବା ଭଳି ତଞ୍ଚକତାର ପ୍ରମାଣ ମିଳିପାରିବ। ଏ ଆଶଙ୍କା ମଧ୍ୟ ରହିଛି ଯେ ନିର୍ବାଚନୀ ହେରଫେରର କୌଶଳକୁ ବହୁ ବର୍ଷ ଧରି ପ୍ରୟୋଗ କରାଯାଇଆସୁଛି। ଏହା ନିଃସନ୍ଦେହ ଯେ ତଥ୍ୟ ବିଶ୍ଳେଷଣରୁ ଏହାର ନକ୍ସା ଓ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଜଣାପଡ଼ିବ। କିନ୍ତୁ, ସେହିସବୁ ତଥ୍ୟ ହାସଲ ଲାଗି ବିରୋଧୀ ଦଳ ଓ ଜନସାଧାରଣଙ୍କ ଉଦ୍ୟମକୁ ସବୁବେଳେ ପ୍ରତିରୋଧ କରାଯାଇଆସୁଛି।
ମହାରାଷ୍ଟ୍ରର ନଭେମ୍ବର ୨୦୨୪ ନିର୍ବାଚନରେ କାହିଁକି ଏତେ ବ୍ୟାପକ ହେରଫେର କରାଯାଇଥିଲା, ତାହା ଅନୁମାନ କରିବା କଷ୍ଟ ନୁହେଁ। କିନ୍ତୁ ଏହା ଠିକ୍ ମ୍ୟାଚ୍ ଫିକ୍ସିଂ ପରି- ମ୍ୟାଚ୍ ଫିକ୍ସ କରିଥିବା ଦଳ ଖେଳରେ ଜିତିଯାଇପାରେ, କିନ୍ତୁ ତାହାର ଫଳ ସ୍ବରୂପ ଜାତୀୟ ଅନୁଷ୍ଠାନ ଓ ଲୋକଙ୍କ ଆସ୍ଥାର ଅପୂରଣୀୟ କ୍ଷତି ହୁଏ।
ନିର୍ବାଚନରେ ମ୍ୟାଚ୍ ଫିକ୍ସିଂ ଯେକୌଣସି ଗଣତନ୍ତ୍ର ଲାଗି ବିଷ ସହିତ ସମାନ।
(ମତାମତ ଲେଖକଙ୍କ ନିଜସ୍ବ)